ଏରାମ୍ମାର ମାଟି

4 Min Read

ଏରାମ୍ମାର କ୍ଷୀଣ ଶରୀରଟିକୁ ଚିତା ଉପରେ ଥୋଇଦେଲା ଲଛେୟା । ଲଛେୟା ଭାବୁଥିଲା, ‘ଏତେ ବଡ଼ ଗାଁରେ ଲୋକଙ୍କ ଭିତରେ କ’ଣ ମରିବାକୁ ଲେଖା ହୋଇଥିଲା ଏରାମ୍ମାର ଜାତକରେ ।’ କିଏ ଜାଣିଥିଲା, ଏ ନିରୀହ ବୁଢ଼ୀ ଯିଏ ମୁଣ୍ଡରୁ ଓଢ଼ଣା କାଢ଼ିବାର ଏ ଗାଁର କେହି ଦେଖି ନାହିଁ, ସେ ସବୁ ସ୍ତ୍ରୀ ଲୋକଙ୍କୁ ଗାଁରୁ କାଢ଼ି ଆଣି ଗାଁ ମୁଣ୍ଡକୁ ନେଇ ସଶସ୍ତ୍ର ପୁଲିସ ବାହିନୀକୁ ପ୍ରତିରୋଧ କରିବ ? ଗାଁ ସାରା ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ବୁଢ଼ୀ ପାଗଳୀ ହୋଇଗଲା ନା’ କ’ଣ? ଯାହା ପାଟି ଗାଁ ଲୋକ କେହି ଶୁଣି ନଥିଲେ, ସେ ହୁରିପକାଇ ଡାକୁଥିଲା, “ଆରେ ବାହାରି ଆସରେ, ପୁଲିସ ପଶି ଆସିଲାଣି । କମ୍ପାନୀ ନେଇ ଯିବ ଆମ ଭୂମିକୁ । ଆମକୁ ଭିକାରୀ କରିଦେବ ରେ । ଆରେ ପାର୍ବତୀ, ଆରେ ଲକ୍ଷ୍ମୀ -କିଏ କେଉଁଠି ଅଛ, ସବୁ ବାହାରି ଆସରେ ।” ଏ ମୁଣ୍ଡରୁ ସେ ମୁଣ୍ଡ ଖାଲି ଦଉଡ଼ି ଯାଉଥିଲା, ଏରାମ୍ମା । ରାମ ପ୍ରଧାନ ପଚାରିଲା, “ଆମ୍ମା କେଉଁଠି ଦେଖିଲୁ ପୁଲିସ?” କିଛି ଦିନ ହେଲା ଏରାମ୍ମା ତା ବାରଣ୍ଡାରେ ବସି ମନେ ମନେ କ’ଣ ବାଉଳି ·ଉଳି ହେଉଥିବାର ରାମ ଶୁଣିଥିଲା । “ଅଳପେଇସା କମ୍ପାନୀ ଆମ ଜାଗାକୁ ନେଇଯିବ । ମୋ କିଆବାଡ଼ ଚାଲିଯିବ ।” ଏମିତି କଥା ସବୁ ଏରାମ୍ମା ତା ନିଜକୁ କହୁଥିବାର ରାମ ଶୁଣିଥିଲା । କମ୍ପାନୀ ଜାଗାକୁ ନେଇଯିବ ବୋଲି ଭୟରେ କମ୍ପାନୀର ଭୂତ ଏରାମ୍ମା ଦେଖୁଛି ବୋଲି ମନେ ହୋଇଥିଲା ରାମର । ଆଜି ଏରାମ୍ମାର ପାଟି ଶୁଣି ରାମ ଭାବୁଥିଲା, ଏରାମ୍ମାକୁ କମ୍ପାନୀର ଭୂତ ଆଜି ବେଶୀ ଦୃଶ୍ୟ ହୋଇଛି ବୋଧେ । ରାମ ପ୍ରଶ୍ନ ଶୁଣି ମାଡ଼ି ଆସିଲା ଏରାମ୍ମା । ଖୁନ୍ଦାଏ ମାରିଲା ରାମକୁ । “କେ’ଲି ଲାଗିଛି କିରେ ।” କ୍ରୋଧରେ ଲାଲ ପଡ଼ିଥିଲା ଏରାମ୍ମା । ରାମ ଅପ୍ରସ୍ତୁତ ହୋଇଗଲା । କହିଲା, “ଆମ୍ମା ତୋ ମୁଣ୍ଡ ଖରାପ ହୋଇଗଲାଣି । ସବୁବେଳେ ତୁ କମ୍ପାନୀ କମ୍ପାନୀ ହେଉଛୁ । ସବୁଆଡ଼େ ତୋତେ କମ୍ପାନୀର ଭୂତ ଦେଖାଯାଉଛି ।”
ଏରାମ୍ମା ପାଇଁ ଏହା ଥିଲା ଅସହ୍ୟ । ରାମ ଅଣ୍ଟାରେ ବନ୍ଧା ହୋଇଥିବ ଗାମୁଛାକୁ ଟାଣି ଧରି କହିଲା, “ଆରେ ଅଳପେଇସା ଦେଖିବୁ ଆ । ସେ କିଆବାଡ଼କୁ ଚାଲ ଦେଖିବୁ କେମିତି ମାଳମାଳ ପୁଲିସ ଖେତ ଭିତରକୁ ପଶି ଆସିଲେଣି । ଆ ଦେଖିବୁ ।” ଏତକ କହି ଦଉଡ଼ିଥିଲା ଏରାମ୍ମା ସେହି କିଆଫୁଲ ବାଡ଼ ଆଡ଼କୁ । ତା ପଛେ ପଛେ ଦଉଡ଼ିଥିଲେ ଗାଁର ମାଇପେ, ପୁରୁଷ, ପିଲା । କିନ୍ତୁ ସବା ଆଗରେ ଥିଲା ଏରାମ୍ମା । ଏରାମ୍ମା ଏତେ ଜୋରରେ ଦଉଡ଼ିପାରେ ସତେ!
ଲଛେୟା ଅନେଇଲା ଚିତା ଉପରେ ପଡ଼ିଥିବା ଏରାମ୍ମାର ନିଃସ୍ତେଜ ପାଦ ଦୁଇଟିକୁ ।
ପୁଲିସକୁ ଦେଖି ଅଳ୍ପ ଦୂରରେ ଅଟକିଥିଲେ ଗ୍ରାମବାସୀ । କିନ୍ତୁ ଏରାମ୍ମା ଅଟକି ନଥିଲା । ପଛୁ କାହାରି ଡାକକୁ ଶୁଣିବାକୁ ଯେପରି ସେ ପ୍ରସ୍ତୁତ ନଥିଲା ।
କାଳିଶୀ ଲାଗିଛି କି ଏରାମ୍ମାକୁ! ମାଡ଼ିଗଲା ସେ ପୁଲିସ ଆଡ଼କୁ । ରାମ ଡାକିଲା, ଠିଆ ହୁଅନାହିଁ ଆଉ । ମାଡ଼ି ଚାଲ । ବୁଢ଼ୀ ମାଡ଼ିଗଲା। ଆମେ ଧୀରେ କି ରହିବା କି? ଚାଲ ।
ମାଡ଼ିଗଲେ ଗ୍ରାମବାସୀ । ତଥାପି ଆଗରେ ଏରାମ୍ମା । ‘ଚାର୍ଜ’ ବୋଲି ଅର୍ଡ଼ର ଦେଲେ ସର୍ଜାଣ୍ଟ । ଲୁହ ବୁହା ଗ୍ୟାସ ସେଲର ବର୍ଷା ହୋଇଗଲା । ତା ପରେ ·ଲିଲା ଲାଠି । ସମସ୍ତଙ୍କୁ ଯେମିତି କାଳିଶୀ ଲାଗିଲା । ଏରାମ୍ମାର ପାଟି ଶୁଭୁଥିଲା, “ମାଡ଼ି ଯା, ଡରନା । ମରିବ ପଛେ ଡରିବୁ ନାହିଁ, ଜନ୍ମମାଟି ଛାଡ଼ିବୁ ନାହିଁ ।”
ଗୋଡ଼େଇ ଯାଇଥିଲେ ଗ୍ରାମବାସୀ ପୁଲିସ ଦଳକୁ କିଛିବାଟ । ଜନସମୁଦ୍ର ଆଗରେ ପୁଲିସ ଫେରିଗଲା । କେହି ଜଣେ ବଡ଼ ଅଫିସର ତାଙ୍କୁ ଫେରିବା ପାଇଁ ଦେଉଥିଲେ ଇଶାରା । କିନ୍ତୁ ଏରାମ୍ମା? ରାମୁ ଦଉଡ଼ିଲା ପଛକୁ । ତା ପଛକୁ ଥିଲା ଲଛେୟା । ତା ପଛରେ ଗ୍ରାମବାସୀ ଧପକିନା ରହିଗଲେ ସମସ୍ତେ ।
ଏରାମ୍ମା ପଡି଼ଥିଲା ବିଲରେ । ହାତରେ ଥିଲା ତା’ର କେରାଏ ଧାନ । ଗୋଡ଼ କଳା ପଡ଼ିଯାଇଥିଲା । ଲୁହ ବୁହା ଗ୍ୟାସ ସେଲ ଫୁଟିଥିଲା ବୋଧେ ତା’ର ଗୋଡ଼ ପାଖରେ ।
ଏରାମ୍ମାର ପ୍ରାଣବାୟୁ ଉଡ଼ିଯାଇଥିଲା ।
ପୁରୋହିତ ଡାକିଲେ ମୁଖାଗ୍ନି ଦେବାପାଇଁ । କିନ୍ତୁ ଏ କ’ଣ! ସମସ୍ତେ ବାହାରି ଆସୁଛନ୍ତି ମୁଖାଗ୍ନି ଦେବାକୁ । ପୁରୋହିତ କହିଲେ, “ତାଙ୍କ ପୁଅ ନ ହେଲେ ତାଙ୍କର ବଂଶର କେହି ଜଣେ ମୁଖାଗ୍ନି ଦେବା ବିଧି । ତୁମେ ସମସ୍ତେ କ’ଣ ବାହାରି ପଡ଼ୁଛି ।”
ଏକା ସ୍ୱରରେ ସମସ୍ତେ କହିଲେ, “ଆମେ ସମସ୍ତେ ଏରାମ୍ମାର ବଂଶଧର । ତା’ର ଦାୟାଦ । ସେ ଆମର ମା, ଆମେ ସମସ୍ତେ ମୁଖାଗ୍ନି ଦେବୁ ।” ପୁରୋହିତ ବାଟ ଛାଡ଼ି ଦେଇଥିଲେ । ମନ୍ତ୍ରୋଚ୍ଚାରଣ ଭିତରେ ଉଠିଥିଲା ସ୍ଲୋଗାନ, “ଏରାମ୍ମା ଅମ୍ମାର ତ୍ୟାଗକୁ ଆମେ ଭୁଲିବୁ ନାହିଁ, ଭୁଲିବୁ ନାହିଁ । ମରିବୁ ସିନା ଡରିବୁ ନାହିଁ, ଜନ୍ମ ମାଟି ଛାଡ଼ିବୁ ନାହିଁ ।”

 

(ସୈାଜନ୍ୟ: ପ୍ରଜାତନ୍ତ୍ର, ୫ ଅକ୍ଟୋବର ୧୯୯୬)

Photo credit –

https://www.google.com/search?biw=1366&bih=604&tbm=isch&sa=1&ei=n1sGXLDWC4SiwALF3blY&q=people%27s+resistance+art&oq=people%27s+resistance+art&gs_l=img.3…9626.11793..13624…0.0..0.446.3059.4-7……0….1..gws-wiz-img.DlgizTMxjmM#imgrc=OD4hDoVkCpiXzM:

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ