Home / ସଙ୍ଗୀତ / ଶାସ୍ତ୍ରୀୟ ସଙ୍ଗୀତ / ସ୍ୱାମୀ ହରିଦାସଙ୍କ ରଚିତ ପଦ : ଏକ ସମୀକ୍ଷା

ସ୍ୱାମୀ ହରିଦାସଙ୍କ ରଚିତ ପଦ : ଏକ ସମୀକ୍ଷା

ସନ୍ଥ ହରିଦାସ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ପ୍ରଚଣ୍ଡ ଜ୍ଞାନୀ ଭାବରେ ଭାରତୀୟ ସଙ୍ଗୀତ ଜଗତରେ ପରିଚିତ । ଧ୍ରୁପଦ ଶୈଳୀର ସେ ଥିଲେ ଜଣେ ଅସାଧାରଣ ବିଦ୍ୱାନ । ତାଙ୍କ ରଚିତ ପଦଗୁଡ଼ିକର ଏକ ସମୀକ୍ଷା ପ୍ରସ୍ତୁତ କରିଛନ୍ତି ଅଧ୍ୟାପିକା ବିଲମ୍ବିତା ବାଣୀସୁଧା ଯିଏକି ନିଜେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ଗାୟିକା ।  ତାଙ୍କ ମତରେ ‘ସ୍ୱାମୀ ହରିଦାସଙ୍କ ରଚନାଗୁଡ଼ିକ ଅନୁଧ୍ୟାନ କଲେ ଜଣାଯାଏ ତାଙ୍କ ରଚିତ ପଦ କେଳିମାଳରେ ରାସ, ଧ୍ରୁପଦ ଓ ଧମାରରେ ପ୍ରୟୋଗ ହେଲାଭଳି ପଦାଙ୍କ । ତାଙ୍କ ପଦ ସ୍ୱୟଂସ୍ଫୁର୍ତ୍ତ ଧ୍ରୁପଦର ଲକ୍ଷଣକୁ ପରିପୃଷ୍ଠ କରୁଥିବା ପଦ ।’ ହରିଦାସଙ୍କ ଭଳି ସଙ୍ଗୀତର ମହାନ ଉପାସକମାନଙ୍କର ପଦଗୁଡ଼ିକୁ ଓଡ଼ିଶାବାସୀଙ୍କ ସମ୍ମୁଖରେ ପରିଚିତ କରାଇବା ପାଇଁ ତାଙ୍କର ଏହି ପ୍ରୟାସ ।                    -ସମ୍ପାଦକ

କୃଷ୍ଣଭକ୍ତି ସ୍ରୋତକୁ ନେଇ ଷୋଡ଼ଶ ଶତାବ୍ଦୀରେ ଅନେକଗୁଡ଼ିଏ ସମ୍ପ୍ରଦାୟ ଗଢ଼ିଉଠିଥିଲା । ସେମାନଙ୍କ ମଧ୍ୟରେ ଥିଲେ ମୁଖ୍ୟତଃ : ବଲ୍ଲଭ ସମ୍ପ୍ରଦାୟ, ଚୈତନ୍ୟ ସମ୍ପ୍ରଦାୟ ଏବଂ ହରିଦାସ ସମ୍ପ୍ରଦାୟ । ଉପରୋକ୍ତ ସମ୍ପ୍ରଦାୟ ମଧ୍ୟରୁ ସ୍ୱାମୀ ହରିଦାସ ସଖୀ ସମ୍ପ୍ରଦାୟର ପ୍ରବକ୍ତା ଥିଲେ । ରାଧାକୃଷ୍ଣଙ୍କର ଯୁଗଳ ରୂପର ଉପାସନା ଅନେକ ସମ୍ପ୍ରଦାୟ କରିଥିଲେ କିନ୍ତୁ ସ୍ୱାମୀ ହରିଦାସ ତାଙ୍କ ଉପାସନା ସଖୀ ଭାବ ଦ୍ୱାରା କରିଥିଲେ । ସ୍ୱାମୀଜୀ କେବଳ ଶ୍ୟାମଶ୍ୟାମାଙ୍କର ନିକୁଞ୍ଜ ବିହାରର କେଳିକ୍ରୀଡ଼ାର ବର୍ଣ୍ଣନା କରିଛନ୍ତି ତାଙ୍କ କାବ୍ୟ ଏବଂ ସଙ୍ଗୀତ ମାଧ୍ୟମରେ ।

ସ୍ୱାମୀ ହରିଦାସ ଥିଲେ ଜଣେ ବିରଳ ସନ୍ଥ, ରସିକ ଭକ୍ତ, ସଙ୍ଗୀତର ପ୍ରକାଣ୍ଡ ଜ୍ଞାନୀ ଓ ସଖୀ ସମ୍ପ୍ରଦାୟର ପ୍ରବର୍ତ୍ତକ । ତାଙ୍କ ଜୀବନ ବୃତ୍ତାନ୍ତର କୌଣସି ପ୍ରାମାଣିକ ତଥ୍ୟ ନାହିଁ । କେବଳ କିମ୍ବଦନ୍ତୀ ହିଁ ଜୀବନ ବୃତ୍ତାନ୍ତର ତଥ୍ୟ ଗ୍ରହଣ କରିବାର ଏକମାତ୍ର ସ୍ରୋତ । ସ୍ୱାମୀଜୀଙ୍କ ଜନ୍ମ ଭାଦ୍ରବ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ । ଏହି ଜନ୍ମ ବିଷୟରେ ସ୍ୱାମୀ ଲଳିତ କେଶରୀର ଏକ ପଦରେ ଉଲ୍ଲେଖ କରିଛନ୍ତି :

‘ଭାଦୋ ଶୁକଲ ଅଷ୍ଟମୀ ଉପର ପ୍ରକଟେ ଶ୍ରୀ ହରିଦାସ

ଘର ଘର ପ୍ରତି ଅତି ହୋତ କୁଲାହଲ

ନର ନାରୀନ ହୁଲାସ’

ସ୍ୱାମୀଜୀଙ୍କ ଜୀବନ – ଚରିତ୍ରରେ ତାଙ୍କ ପିତାମାତାଙ୍କ ବିଷୟଟି ବିବାଦସ୍ପଦ ହୋଇ ରହିଛି । ନିଜ ମତ ସିଦ୍ଧାନ୍ତ ତାଙ୍କ ପଦରେ ସ୍ୱାମୀଜୀଙ୍କୁ ଅସୁଧୀରଜୀଙ୍କ ପୁତ୍ର ଭାବରେ ସ୍ୱୀକାର କରିଛନ୍ତି ।

‘ଅସୁଧୀର ଜୁ କେ ସୂର୍ଯ୍ୟବତ୍ ପ୍ରତାପ ସେ

ରସିକୋ ମେ ଆପ ପ୍ରସିଦ୍ଧ ହୁଏ’ ।

ସ୍ୱାମୀ ହରିଦାସଙ୍କ ସମୟ ଆଜିକୁ ପାଞ୍ଚଶହ ବର୍ଷ ବିତିସାରିଲାଣି, କିନ୍ତୁ ଏବେବି ତାଙ୍କ କୃତିତ୍ୱ ବଞ୍ôଚରହିଛି ବୃନ୍ଦାବନରେ । ବୃନ୍ଦାବନରେ ଆଜିବି ତାଙ୍କ ରଚିତ କାବ୍ୟ ମନ୍ଦିରରେ ଉପାସନା ପଦ୍ଧତିର ଏକମାତ୍ର ସ୍ରୋତ । ସଙ୍ଗୀତ ମାଧ୍ୟମରେ ସେ ତାଙ୍କ ପଦକୁ ଆହୁରି ପରିମାର୍ଜିତ କରିଯାଇଛନ୍ତି । ତାଙ୍କର ରଚିତ ପଦଗୁଡ଼ିକ ସଂଗୃହିତ ହୋଇଥିଲା ତାଙ୍କ ଗ୍ରନ୍ଥ ‘କେଳିମାଳ’ରେ । ପଦର ବିଷୟାନୁସାରେ ଏହା ଦୁଇପ୍ରକାର –

୧) ସିଦ୍ଧାନ୍ତ ପଦ

୨) ଶୃଙ୍ଗାର ପଦ

ସିଦ୍ଧାନ୍ତ ପଦ ସଂଖ୍ୟା ୧୮ ଏବଂ ଶୃଙ୍ଗାର ପଦ ସଂଖ୍ୟା ୧୧୦ । ସିଦ୍ଧାନ୍ତ ପଦରେ ହରିଙ୍କର ସର୍ବଶକ୍ତି ସତ୍ତା, ସଂସାରର କ୍ଷଣ ଭଙ୍ଗୁାରତା, ଜୀବର  ଆଧୀନତା, ହରିଜନର ମହତ୍ତା, ଭକ୍ତଙ୍କର ଅନନ୍ୟତା ଇତ୍ୟାଦି ବିଷୟ ଉପରେ ସ୍ୱୟଂ ଅନୁଭୂତି ପୂରକ ପଦ ଦେଶାତ୍ମକ ଭକ୍ତି ରହିଛି । ଏକ ଉଦାହରଣସ୍ୱରୂପ –

‘ହରି କୋ ଏ ସୋହି ସବ ଖେଲ

ମୃଗ ତୃଷ୍ଣା ଜଗ ବ୍ୟାପି ରହେ । ହେ କହୁ’ ।

ସ୍ୱାମୀଜୀଙ୍କର ଶୃଙ୍ଗାର ରସର ପଦ ସଂଖ୍ୟା ୧୧୦ । ଏହି ପଦର ବିଷୟ ହେଲା ‘ଶ୍ୟାମା ଶ୍ୟାମାଙ୍କ ନିକୁଞ୍ଜ ବିହାର’ ଏବଂ ‘କେଳିକ୍ରୀଡ଼ା’ ଶୃଙ୍ଗାର ରସାତ୍ମକ ପଦରେ ରାଧାକୃଷ୍ଣଙ୍କର ରୂପର ବର୍ଣ୍ଣନା, ତାଙ୍କ ଶୃଙ୍ଗାର, ନୃତ୍ୟ ସଙ୍ଗୀତ, ପରସ୍ପର ପ୍ରୀତି ସୁରତି, ମାନ ମନୁହର ଋତୁ ବର୍ଣ୍ଣନା, ଯୁଗଳ କେଳି, ସହଚରୀଙ୍କ ଦ୍ୱାରା ରାଧାଙ୍କୁ ମନେଇବା ଇତ୍ୟାଦି ବିଷୟରେ ବର୍ଣ୍ଣନା କରାଯାଇଛି ।

ଶୃଙ୍ଗାର ରସର ଏଇ ପଦଗୁଡ଼ିକ ରଚନା କରାଯାଇଛି ବ୍ରଜଭାଷାରେ । କାବ୍ୟ ଦୃଷ୍ଟିକୋଣରୁ ଏହି ପଦ ଅତ୍ୟନ୍ତ ଅନୁପମ । ଅନେକ ପ୍ରକାରର ଅଳଙ୍କାର ଅନୁପ୍ରାସ, ଉପମା, ଛନ୍ଦ, ବ୍ୟଞ୍ଜନା ଶକ୍ତିରେ ପରିପୂର୍ଣ୍ଣ ଏଇ ପଦଗୁଡ଼ିକ । ଏହି ପଦଗୁଡ଼ିକର ମୁଖ୍ୟ ବିଶେଷତ୍ୱ ଏହାର ଭାବ ଏବଂ ଭାଷାର ସୁମଧୁରତା । ଏହା ସଙ୍ଗୀତମୟ, ମଧୁର ଏବଂ ଲାବଣ୍ୟମୟ ଯାହା ଭାବକୁ ଅଭିବ୍ୟକ୍ତ କରିବାରେ ଅକଥନୀୟ ସହଯୋଗ ଦେଇଛି ।

କେଳିତମାଳରେ ରାସ, ଧ୍ରୁପଦ, ଧମାର, ହୋରୀ ଇତ୍ୟାଦିର ପଦ ବି ରହିଛି । ମୁଖ୍ୟତଃ ଏହି ପଦଗୁଡ଼ିକର ଧ୍ରୁପଦ ଶୈଳୀରେ ଗାୟନ କରାଯାଏ । ସ୍ୱାମୀ ହରିଦାସ ଧ୍ରୁପଦ ଶୈଳୀର ଜଣେ ବିଦ୍ୱାନ ଥିଲେ । ଏକ ପଦରେ ଲେଖାଯାଇଛି –

‘ଭନତ ଗୁପାଲ ୟେ ଜହାନ ବିତ୍ ଜାହିର ହେ

ସୁର ଚକା ‘ପଦ’ ଔର ‘ଧୁରପଦ’

ହରିଦାସ କୋ ।’

ସ୍ୱାମୀ ହରିଦାସଙ୍କ ପଦର ଅଧ୍ୟୟନ କରିବା ପରେ କିଛି ମୁଖ୍ୟ ବିନ୍ଦୁ ଆମ ସାମନାରେ ପ୍ରକଟିତ ହୋଇଛି –

୧) ସ୍ୱାମୀଜୀଙ୍କୁ ସଙ୍ଗୀତର ତିନୋଟି ଅଙ୍ଗ ଅର୍ଥାତ ଗାୟନ, ବାଦନ ଏବଂ ନୃତ୍ୟ ବିଷୟରେ ଜ୍ଞାନ ଥିଲା ।

୨) ତାଙ୍କର ପ୍ରତ୍ୟେକ ପଦ କୌଣସି ରାଗରେ ରଚିତ ହୋଇଥିଲା ଏପରିକି ତାଙ୍କ ପଦ ମଧ୍ୟରେ ବି ରାଗର ନାମ ଉଲ୍ଲେଖ ହୋଇଛି, ଯେମିତି କି – କେଦାର, କଲ୍ୟାଣ, ବିଭାସ, ଗୌରୀ ଏବଂ ସୁଘରାଇ । ଉଦାହରଣ ସ୍ୱରୂପ –

‘ଶ୍ୟାମା ଶ୍ୟାମ ଅବତ କୁଞ୍ଜ ମହଲ ତେ

ରଙ୍ଗମରେ – ରଙ୍ଗମରେ

ସବ ସଖୀ ସୁଘରାଇ ଗାବତ, ବୀନ ବଜାବତ,

ସବ ସୁଖ ମିଲି ସଙ୍ଗୀତ ପଗେ ।’

ଏହି ପଦ ମଧ୍ୟରେ ସୁଘରାଇ ରାଗର ଉଲ୍ଲେଖ ହୋଇଛି ଏବଂ ଗାୟନ କରିବାର ନିର୍ଦ୍ଦେଶ ଦିଆଯାଇଛି ‘ବିଲାବଲ’ ରାଗରେ ।

୩) ସ୍ୱାମୀଜୀଙ୍କୁ ତାଳ ଏବଂ ଲୟର ମଧ୍ୟ ଜ୍ଞାନ ଥିଲା । ତାଙ୍କ ରଚିତ କିଛି ପଦରେ ତାଳ ଏବଂ ଲୟ ସମ୍ବନ୍ଧୀ ବିଭିନ୍ନ ଶବ୍ଦର ପ୍ରୟୋଗ ମଧ୍ୟ ହୋଇଛି । ଉଦାହରଣ ସ୍ୱରୂପ –

‘ଶ୍ରୀ ହରଦାସ କେ ସ୍ୱାମୀ କୋ ଚୌପରି

କୋ ସୋ ଗେଲ

ଇକଗୁନ- ଦୁଗୁନ- ତ୍ରଗୁନ- ଚତୁରାଗନ ରୀ

ଜା କେ ନାସ ହି ।’

୪) ସେହି ସମୟରେ ପ୍ରଚଳିତ ବିଭିନ୍ନ ବାଦ୍ୟର ମଧ୍ୟ ଉଲ୍ଲେଖ ରହିଛି ତାଙ୍କ ରଚିତ ପଦରେ ।

୫) ଗାୟନ ସହିତ ନୃତ୍ୟ ଏବଂ ବାଦ୍ୟ ସଙ୍ଗୀତରେ ହାତରେ ତାଳ ଦେବାର ପ୍ରମାଣ ମଧ୍ୟ ମିଳିଛି –

‘ତାଲ ଧରେ ବିନିତା, ଶ୍ରୀ ଶ୍ୟମା ତାତାଥେଇ

ତାତାଥେଇ ବୋଲତ ସଙ୍ଗ ପୀକେ

କାହ୍ନୁ କେ ହାଥ ଅଘୋଟୀ, କାହ୍ନୁ କେ ବୀନ

କାହ୍ନୁକେ ଅରଗଜା

କାହ୍ନୁକେ ମୃଦଙ୍ଗ ।’

୬) ସଙ୍ଗୀତ ଶାସ୍ତ୍ରରେ ପ୍ରୟୋଗ ହୋଇଥିବା ଅନେକ କଠିନ ଶବ୍ଦକୁ ସହଜ ଭାବରେ ତାଙ୍କର ଅନେକ ପଦରେ ପ୍ରୟୋଗ ହୋଇଛି । ଉଦାହରଣ –

‘ତୀନ ହୁଁ ସୁରନ କେ ତାନ ବନ୍ଧାନ,

ରାଗ-ରାଗନି, ତା’ର ମୁରଧୀର ମନ୍ଦ୍ର

ଗତି ତ୍ରିଭାଙ୍ଗୀ, ଗାଇତେ ଶ୍ରନାମିତାନ ତୁଙ୍ଗୀ ।’

୭) ତାଙ୍କ ରଚିତ ପଦଗୁଡ଼ିକ ଭାରତୀୟ ସଙ୍ଗୀତର ପ୍ରମୁଖଶୈଳୀ ଯଥା ଧ୍ରୁପଦ, ଧମାର, ଦ୍ରୁତ ଖେୟାଲରେ ପ୍ରୟୋଗ ହୋଇଆସିଛି ।

୮) ଉତ୍ତର ଭାରତରେ ପ୍ରଚଳିତ କେତେଗୁଡ଼ିଏ ଲୋକସଙ୍ଗୀତ ପଦ୍ଧତିର ଉଲ୍ଲେଖ ମଧ୍ୟ ତାଙ୍କ ପଦରେ ପରିଲକ୍ଷିତ ହୋଇଛି ।

୯) ରାଗକୁ ମଧ୍ୟ ପଦର ଭାବ ଅନୁସାରେ ପଦ ରଚନା କରାଯାଇଛି ।

ସ୍ୱାମୀ ହରିଦାସଙ୍କ ରଚନାଗୁଡ଼ିକ ଅନୁଧ୍ୟାନ କରିଲେ ଜଣାଯାଉଛି ତାଙ୍କ ରଚିତ ପଦ କେଳିମାଳରେ ରାସ, ଧ୍ରୁପଦ ଓ ଧମାରରେ ପ୍ରୟୋଗ ହେଲାଭଳି ପଦାଙ୍କ । ତାଙ୍କ ପଦ ସ୍ୱୟଂ ସ୍ଫୁର୍ତ୍ତ ଧ୍ରୁପଦର ଲକ୍ଷଣକୁ ପରିପୃଷ୍ଠ କରୁଥିବା ପଦ ।

ଆଧାରିତ ଉପାଦାନ ସୂଚୀ

୧- ଧ୍ରୁପଦ ଓøର ଉସକା ବିକାଶ – କୈଳାଶ ଚନ୍ଦ୍ର ବୃହସ୍ପତ୍ତି

୨- ଭାରତୀୟ ସଙ୍ଗୀତମେ ସ୍ୱାମୀ ହରିଦାଶ କା ୟୋଗଦାନ – ଅଲକାନନ୍ଦା ପଲନୀଟକର

About ବିଲମ୍ବିତା ବାଣୀସୁଧା

ହିନ୍ଦୁସ୍ଥାନୀ ସଙ୍ଗୀତ ବିଭାଗର ଅଧ୍ୟାପିକା(ବସନ୍ତ ମହାବିଦ୍ୟାଳୟ, ବନାରସ)

Check Also

ପ୍ରବେଶ ଦ୍ୱାରରେ ପ୍ରାର୍ଥନା(ସାରାଂଶ): ଅଜି ବିସମିଲ୍ଲା ଖାଁଙ୍କ ଜନ୍ମଦିନ ଅବସରରେ ବିଶେଷ ଭାବରେ ପ୍ରକାଶିତ

https://www.youtube.com/watch?v=vNcAmFkSy0M ପାଖାପାଖି ୧୯୧୬ ରୁ ୧୯୨୨ ମସିହାର କାଶୀ, ପଞ୍ଚଗଙ୍ଗା ଘାଟରେ ସ୍ଥିତ ବାଲାଜୀ ମନ୍ଦିରର ମୁଖଶାଳା, ମୁଖଶାଳାରେ ଥିବା …

Leave a Reply

Your email address will not be published. Required fields are marked *