Home / ସମୀକ୍ଷା / ସାହିତ୍ୟିକ-ସାହିତ୍ୟ-ଶ୍ରୋତା ସେତୁର ନାମ ଆକାଶବାଣୀ

ସାହିତ୍ୟିକ-ସାହିତ୍ୟ-ଶ୍ରୋତା ସେତୁର ନାମ ଆକାଶବାଣୀ

“୧୯୪୮ମସିହା ଜାନୁୟାରୀ ୨୮ତାରିଖ, ସ୍ୱାଧୀନତାପ୍ରାପ୍ତିର ଠିକ ପାଞ୍ଚମାସ ତେର ଦିନ ପରେ କଟକଠାରେ ପ୍ରତିଷ୍ଠିତ ହୋଇଥିଲା ଓଡ଼ିଶାର ପ୍ରଥମ ଆକାଶବାଣୀ କେନ୍ଦ୍ର । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ଓଡ଼ିଆ ଜୀବନ ଓ ଓଡ଼ିଆ ସାହିତ୍ୟ, ସଙ୍ଗୀତ ସହିତ ସବୁବେଳେ ରହି ଆସିଅଛି ଆକାଶବାଣୀ । ଆକାଶବାଣୀ ସୃଷ୍ଟି କରିଛି ସଫଳତାର ସହିତ ସାହିତ୍ୟିକ ସାହିତ୍ୟ ଓ ସମାଜ ମଧ୍ୟରେ ଏକ ସେତୁ । ପରିବର୍ତ୍ତନର ସ୍ରୋତ ଯେତେ ପ୍ରଖର ହେଉ ଅବା ଝାଞ୍ଜ ପାଲଟୁ, ଆମର ବିଶ୍ୱାସ ଏହି ସମ୍ପର୍କ ଅତୁଟ ରହିବ, ସେତୁ  ପୂର୍ବବତ୍ ବଜାୟ ରହିବ”। ଡଃ ଦୀପକ ସାମନ୍ତରାୟଙ୍କ ଏହି ଲେଖାଟିରେ ଆକାଶବାଣୀକୁ ନେଇ ତାଙ୍କର ଦୃଷ୍ଟିଭଂଗୀ ଓ ଭାବନାର ପରିପ୍ରକାଶ ଘଟିଛି। ଆଜିବି ଆକାଶବାଣୀ ଲୋକଙ୍କ ସହିତ ଯୋଡିହୋଇ ରହିଛି ତଥାପି ବଜାରର ପ୍ରଭାବ ଓ ଟେଲିଭିଜନ ଲୋକଙ୍କ ରୁଚିକୁ ଅନେକ ଦୃଷ୍ଟିରୁ କବଳିତ କରିସାରିଛି।  ତେଣୁ ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରଟିକୁ ଲୋକଙ୍କ ସହ ଯୋଡି ରଖୁଥିବା ସେତୁଟି ଭାଂଗୀ ଭାଂଗୀ ଯାଉଛି। କେମିତି ଏହା ଅଧିକ ଲୋକଂକୁ ନିଜସହ ଯୋଡ଼ି ପୁଣିଥରେ ଆଗକୁ ଆଗେଇଯିବ ଯତ୍ନବାନ ହେବାକୁ ପଡିବ। -ସମ୍ପାଦକ

ପ୍ରଥିତଯଶା ନାଟ୍ୟକାର ମନୋରଂଜନ ଦାସ ତାଙ୍କ ଆତ୍ମଚରିତ “ସ୍ମୃତି ସଂଳାପ’ରେ କହିଛନ୍ତି “କଟକ ଆକାଶବାଣୀରେ ସମ୍ବାଦ ବିଭାଗରେ ଆସି ଯୋଗ ଦେଲି ୧୯୫୮ ମସିହା ମେ ମାସରେ । ଅଶାନ୍ତ ସମୁଦ୍ର ସ୍ଥିର ହୋଇ ଆସିଥିଲା । ପ୍ରବୃତ୍ତି ଓ ବୃତ୍ତି ଏକତ୍ର ହେବାକୁ ପାଖେଇ ଆସିଥିଲେ । ଆୟର ସ୍ଥିରତା ଦୃଷ୍ଟିରୁ ମନରେ ବାଚଳତା ଅଚଞ୍ଚଳ ହୋଇ ଆସିଥିଲା । ପୁଣି ‘କଲମ’ ଧରିବାର ଇଚ୍ଛା ବେଗ୍ବାନ ଅଶ୍ୱପରି ପ୍ରବଳ ହୋଇଉଠିଥିଲା । ଆକାଶବାଣୀର ସାଂସ୍କୃତିକ ପରିବେଶ ମନରେ ଆଶା ଆକାଂକ୍ଷାକୁ କେବଳ କ୍ଷୀପ୍ରତର କଲା ନାହିଁ…… ଯୋଗାଇଥିଲା ଅପୂର୍ବ ସୁଯୋଗ ।’

ସେ ଆହୁରି କହିଛନ୍ତି “ପୋଷ୍ଟଟି ମିଳିଗଲା । ସମ୍ବାଦ ବିଭାଗ ଛାଡ଼ିଲି । ଆସିଲି ନାଟକ ବିଭାଗକୁ । ଜୀବନ ଓ ଜୀବିକା ଗୋଟିଏ ଭୂମିରେ ସ୍ଥାପିତ ହେଲା । ବହୁବର୍ଷ ଧରି ଏପରି ଏକ ସୁଯୋଗର ମୁଁ ସ୍ୱପ୍ନ ଦେଖୁଥିଲି । କଳ୍ପନା କରୁଥିଲି । ତାହା ହାତ ପାହାନ୍ତାକୁ ଆସିଗଲା । ନାଟକ ବିଭାଗରେ ଯୋଗଦାନ ପରେ ଆକାଶବାଣୀ କାର୍ଯ୍ୟକ୍ରମର ମୁଖ୍ୟସ୍ରୋତରେ ମୁଁ ସାମିଲ୍ ହୋଇଗଲି । ମୁଁ ସେଇଠିକୁ ଚାଲିଆସିଲି ଯେଉଁଠି ଜଣେ ତା’ର କଳ୍ପନାତ୍ମକ ରୁଚି ଓ ସୃଜନୀ ଶକ୍ତି ପାଇଁ କାର୍ଯ୍ୟକ୍ରମକୁ ଉନ୍ନତ ବା ନିମ୍ନ ସ୍ତରକୁ ନେଇ ଯାଇପାରେ ।’

ସ୍ୱାଧୀନତାପ୍ରାପ୍ତିର ଠିକ ପାଞ୍ଚମାସ ତେର ଦିନ ପରେ କଟକଠାରେ ପ୍ରତିଷ୍ଠିତ ହୋଇଥିଲା ଓଡ଼ିଶାର ପ୍ରଥମ ଆକାଶବାଣୀ କେନ୍ଦ୍ର । ୧୯୪୮ମସିହା ଜାନୁୟାରୀ ୨୮ତାରିଖରେ ।

 ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ତତ୍କାଳୀନ ମାନ୍ୟବର ରାଜ୍ୟପାଳ ଡଃ. କୌଳାଶ ନାଥ କାଟ୍ଜୁ ।

ରାଜ୍ୟର ତତ୍କାଳୀନ ମାନ୍ୟବର ପ୍ରଧାନମନ୍ତ୍ରୀ (ଚକ୍ସରଜ୍ଞସରକ୍ସ) ହରେକୃଷ୍ଣ ମହତାବ ବେତାର କେନ୍ଦ୍ରର ଭବିଷ୍ୟତ ଉଜ୍ଜ୍ୱଳ ବୋଲି କହିଥିଲେ ।

ଉଦ୍ଘାଟନୀ ସନ୍ଧ୍ୟାରେ ପ୍ରଚାରିତ କାର୍ଯ୍ୟକ୍ରମ ଉପରେ ନଜର ପକାଇଲେ ସ୍ପଷ୍ଟ ଭାବେ ବାରି ହୋଇପଡ଼େ ଆକାଶବାଣୀ ଓ ଓଡ଼ିଆ ସାହିତ୍ୟ ମଧ୍ୟରେ ଥିବା ବିଶେଷ ସମ୍ପର୍କ । ସେହି ସନ୍ଧ୍ୟାରେ ପରିବେଷିତ ହୋଇଥିଲା ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ (ବନ୍ଦେ ଉକ୍ରଳ ଜନନୀ) ସଙ୍ଗୀତ ।

ଚକ୍ରଧର ମହାପାତ୍ରଙ୍କ ଦ୍ୱାରା ରଚିତ ହାସ୍ୟରସାତ୍ମକ ନାଟିକା ‘ପୁରୋହିତଙ୍କ ମାନ୍ୟ’, ଡଃ.ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆରେ ସର୍ବପ୍ରଥମ ବେତାରରୂପକ ‘ଉକ୍ରଳ-ଶ୍ରୀ’ ପ୍ରସାରିତ ହୋଇଥିଲା । ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ‘ଧର୍ମପଦ’ ପୁସ୍ତକରୁ କିଛି ଅଂଶ ଆବୃତ୍ତି କରିଥିଲେ ଯତୀନ୍ ଦାସ ।

କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ ପରିବେଷଣ କରିଥିଲେ କବିସୂର୍ଯ୍ୟ ବଳଦେବଙ୍କ “କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ।’ ପରେ ପରେ ପ୍ରଚାରିତ ହୋଇଥିଲା ‘ଓଡ଼ିଶାରେ ଲୋକଗୀତ’ ଶୀର୍ଷକ ଏକ ଆଲୋଚନାଚକ୍ର । ଏଥିପାଇଁ ତଥ୍ୟ ଯୋଗାଇ ଥିଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ । କବି ବାଞ୍ଛାନିଧି ଦାସଙ୍କ ‘ଆଜାଦ ହିନ୍ଦୁସ୍ଥାନ’ ସମବେତ ସଙ୍ଗୀତ ମଧ୍ୟ ପରିବେଷିତ ହୋଇଥିଲା ସେହି ସନ୍ଧ୍ୟାରେ ।

ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ଓଡ଼ିଆ ଜୀବନ ଓ ଓଡ଼ିଆ ସାହିତ୍ୟ, ସଙ୍ଗୀତ ସହିତ ସବୁବେଳେ ରହି ଆସିଅଛି ଆକାଶବାଣୀ । ସ୍ୱାଧୀନତା ପ୍ରାପ୍ତି ପରେ ପରେ ଦେଶକୁ ସଂଗଠିତ କରିବା ଏବଂ ଦେଶର ଜନସାଧାରଣଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଦାୟିତ୍ୱ ଗ୍ରହଣ କରିଥିଲା ଆକାଶବାଣୀ । ପ୍ରାରମ୍ଭିକ ଅବସ୍ଥାରେ ଜନସାଧାରଣଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି କରିବା, ସେମାନଙ୍କୁ ସଚେତନ କରିବା ଏବଂ ଶିକ୍ଷିତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ଆକାଶବାଣୀର ପ୍ରସାରଣର ମୁଖ୍ୟଧାରାରେ ସାମିଲ ହୋଇଥିଲା କୃଷି, ଶିକ୍ଷା, ଗ୍ରାମବିକାଶ, ବିଜ୍ଞାନସମ୍ମତ ବିଚାର, ଜାତୀୟ ସଂହତି । ପ୍ରତ୍ୟକ୍ଷ ଭାବେ ସାହିତ୍ୟ କହିଲେ ଆମେ ବୁଝୁଥିବା କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ବିଶେଷଭାବେ ହୁଏତ ପ୍ରଚାରିତ ହେଉନଥିଲା କିନ୍ତୁ ସାମୂହିକ ସ୍ମୁତିରେ ଓ ଚେତନାରେ ବସା ବାନ୍ଧିଥିବା ପୁରାଣ ସାହିତ୍ୟ, ଲୋକ ସାହିତ୍ୟ, ମୌଖିକ ସାହିତ୍ୟ, ସଙ୍ଗୀତ ସାହିତ୍ୟ, ଆଦିବାସୀ ଗୀତ: ଏସବୁକୁ ପ୍ରସାରଣରୁ ଅଲଗା ରଖିବା କଣ କେବେ ହେଲେ ସମ୍ଭବ?

ନାଟ୍ୟକାର ମନୋରଂଜନ ଦାସଙ୍କ ଭାଷାରେ “ପ୍ରଥମ ଦିନର କାର୍ଯ୍ୟକ୍ରମରେ ଓଡ଼ିଶା ସଂସ୍କୃତିର ଯେଉଁ ନମୁନା ରହିଥିଲା, ତାହା ଅନୁସୃତ ହୋଇଥିଲା ପରବର୍ତ୍ତୀ ବର୍ଷଗୁଡ଼ିକରେ । କ୍ରମେ କାର୍ଯ୍ୟକ୍ରମ ଭିତରେ ଭାସିଉଠିଲା ଭରାନଈର ଭାସମାନ ମନ୍ଦା ମନ୍ଦା ଫେଣ ପରି ଆମ ନିଜସ୍ୱ ସଂସ୍କୃତିର ସମ୍ପଦଗୁଡ଼ିକ । କାର୍ଯ୍ୟକ୍ରମ ଭିତରକୁ ପଶିଆସିଲା ବହୁ ଓଡିଶୀ ସଂଗୀତ…ଛାନ୍ଦ… ଚମ୍ପୂ…ଭଜନ…ଜଣାଣ ଓ ପଲ୍ଲୀଗୀତ । ତା’ଭିତରେ ପ୍ରତିବିମ୍ବିତ ହେଲା ଓଡିଆ ନାଟକ…ଯାତ୍ରା…ଦାସ କାଠିଆ….ଡାଲଖାଇ…ରସରକେଲି ପ୍ରଭୃତି । ହଜି ଯାଇଥିବା ସ୍ମୃତି ଭିତରୁ ଶ୍ରୋତାମାନଙ୍କ ନିକଟକୁ ଫେରିଆସିଥିଲେ ଉପେନ୍ଦ୍ରଭଞ୍ଜ, ବଳଦେବ, ଅଭିମନ୍ୟୁ, ଗୋପାଳକୃଷ୍ଣ, ଦୀନକୃଷ୍ଣ, ଭୀମଭୋଇ ପ୍ରଭୃତି କବିମାନେ । ଶ୍ରୋତାର ମାନସପଟରେ ଉଦ୍ଭାସିତ ହେଲେ ସାରଳା ଦାସ, ବନମାଳୀ ଦାସ, ଜଗନ୍ନାଥ ଦାସ ଓ ବଳରାମ ଦାସ । ଶ୍ରୋତା ପାଖରେ ପହଞ୍ଚିଗଲେ ଆସି ଫକୀରମୋହନ, ରାଧାନାଥ, ଭକ୍ତକବି ମଧୁସୂଦନ, ଉକ୍ରଳଗୌରବ ମଧୁସୂଦନ ଦାସ (ମିଷ୍ଟର ଦାସ) ଆଉ ଅତୀତର ଏପରି ବହୁ ପ୍ରବାଦ ପୁରୁଷ ।’

ଆକାଣବାଣୀ ତରଫରୁ ୧୯୪୯ ମସିହାରେ ଆୟୋଜିତ ହୋଇଥିଲା ପ୍ରଥମ କବି ସମ୍ମିଳନୀ । ସେଥିରେ ଅଂଶଗ୍ରହଣ କରିଥିଲେ ଡଃ. ମାୟାଧର ମାନସିଂହ, ବିଛନ୍ଦ ଚରଣ ପଟ୍ଟନାୟକ ଓ କାଳନ୍ଦୀ ଚରଣ ପାଣିଗ୍ରାହୀ ।

ମାସିକ ସାହିତ୍ୟ ସଂସଦ କାର୍ଯ୍ୟକ୍ରମରେ ସାହିତ୍ୟିକ ଆଲୋଚନା, କବିତାବୃତ୍ତି ଓ ଗଳ୍ପ ପଠନ ନିୟମିତଭାବେ ପ୍ରସାରିତ ହୋଇ ଆସୁଅଛି । ଆକାଶବାଣୀର ସାହିତ୍ୟ କାର୍ଯ୍ୟକ୍ରମ ମାନଙ୍କରେ ରାଜ୍ୟର ପ୍ରାୟ ସମସ୍ତ ସାହିତ୍ୟିକ, ଗବେଷକ, ଆଲୋଚକ, କବି, ଗାଳ୍ପିକ ଅଶଂଗ୍ରହଣ କରିଛନ୍ତି । ଆକାଶବାଣୀର କାର୍ଯ୍ୟକ୍ରମ ସାରଣୀରେ ଏକ ମୁଖ୍ୟ ସ୍ଥାନ ଗ୍ରହଣ କରିଛି ଓଡ଼ିଆ ସାହିତ୍ୟ ।

୧୯୬୪-୬୫ ମସିହାରେ ଆକାଶବାଣୀ ସମ୍ବଲପୁର ଏବଂ ଜୟପୁର କେନ୍ଦ୍ର ଏବଂ ଅଶୀ ଓ ନବେ ଦଶକରେ ଅନେକଗୁଡିଏ ସ୍ଥାନୀୟ କେନ୍ଦ୍ର ପ୍ରତିଷ୍ଠା ହେବା ପରେ ସେହି ଅଂଚଳରେ କବି, ଲେଖକମାନଙ୍କ ସୃଜନୀକୁ ପ୍ରୋତ୍ସାହନ ମିଳିଛି । କେବଳ କବିତା, ଗପ, ଆଲୋଚନା ଭିତରେ ସାହିତ୍ୟ କାର୍ଯ୍ୟକ୍ରମକୁ ସୀମିତ ଏବଂ ଗତାନୁଗତିକ ନରଖି ବେତାର କେନ୍ଦ୍ରମାନେ ସାହିତ୍ୟକୁ ବିବିଧ ଢଙ୍ଗରେ ଉପସ୍ଥାପନା କରିବାରେ କୌଶଳ ଆପଣେଇଛନ୍ତି ।

କେବଳ ସାହିତ୍ୟିକମାନଙ୍କୁ କେନ୍ଦ୍ରକୁ ନିମନ୍ତ୍ରଣ କରି ଆକାଶବାଣୀ ସାହିତ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିନାହିଁ ବରଂ ଅନେକ ସମୟରେ ବିଭିନ୍ନ ଅଂଚଳକୁ ଯାଇ କବି ଓ ଲେଖକମାନଙ୍କୁ ଏକାଠି କରି ସ୍ଥାନୀୟଭାବରେ ସେମାନଙ୍କର ଲେଖାକୁ ରେକର୍ଡ କରି ପ୍ରସାରଣ କରିଛି । ପ୍ରତିବର୍ଷ ଅଗଷ୍ଟ ୯ କ୍ରାନ୍ତି ଦିବସ ଉପଲକ୍ଷେ ସ୍ୱାଧୀନତା ସଂଗ୍ରାମର ସହିଦ ପୀଠମାନଙ୍କରେ ଜାତୀୟତାବାଦୀ ଚେତନାକୁ ଆଧାର କରି କବି ସମ୍ମିଳନୀ ଆୟୋଜିତ କରିଛି । ପ୍ରତିବର୍ଷ ଜାନୁଆରୀ ମାସରେ ଅନୁଷ୍ଠିତ ସର୍ବଭାରତୀୟ ସର୍ବଭାଷା କବି ସମ୍ମିଳନୀ ଆୟୋଜନ କରିଆସୁଛି ଆକାଶବାଣୀ ।  ଆକାଶବାଣୀରେ ଆଲୋଚନା ଓ ସାହିତ୍ୟ ବିଭାଗ ନାମରେ ଏକ ସ୍ୱତନ୍ତ୍ର ବିଭାଗ ରହିଛି । ଏହା ସାହିତ୍ୟର ବିଭିନ୍ନ ବିଭାଗ ଏବଂ ବିଭାବ ଉପରେ ହଜାର ହଜାର ଆଲୋଚନା ପ୍ରସାରଣ କରିଛି । ଓଡ଼ିଶାର ସମସ୍ତ ପ୍ରବୀଣ, ନବୀନ ସାହିତ୍ୟିକ ମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି । ଶଶିଭୂଷଣ ରାୟ, ରତ୍ନାକର ପତି, କାଳୀଚରଣ ପଟ୍ଟନାୟକ, ଗୌରୀକୁମାର ବ୍ରହ୍ମା, ରାଜକିଶୋର ରାୟ, ଗିରିଜାଶଙ୍କର ରାୟ, ଡଃ. ଆର୍ତ୍ତବଲ୍ଲଭ ମହାନ୍ତି, କରୁଣାକର କର, ସରଳା ଦେବୀ, ପ୍ରାଣବନ୍ଧୁ କର, ବଂଶୀଧର ମହାନ୍ତି, ଜୟକୃଷ୍ଣ ମିଶ୍ର ଆଦି ଓଡିଆ ସାହିତ୍ୟର ବିଶିଷ୍ଟ ଆଲୋଚକଗଣ ସାହିତ୍ୟ ବିଭାଗରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏ ସମସ୍ତ ଆଲୋଚନା ପରବର୍ତ୍ତୀ ସମୟରେ ଲେଖକମାନଙ୍କ ଦ୍ୱାରା ପୁସ୍ତକାକାରରେ ପ୍ରକାଶ ପାଇଛି ।

ଆକାଶବାଣୀ ଏହାର ସାହିତ୍ୟ କାର୍ଯ୍ୟକ୍ରମରେ ଅନେକ ଗଳ୍ପକୁ ସ୍ଥାନ ଦେଇଛି । ସୁରେନ୍ଦ୍ର ମହାନ୍ତିଙ୍କ ଅନେକ ଲୋକପ୍ରିୟ ଗଳ୍ପ ସାରୀପୁତ, କୃଷ୍ଣଚୂଡ଼ା  ଆକାଶବାଣୀରୁ ପ୍ରସାରିତ ହୋଇଛି । ରାଜକିଶୋର ରାୟଙ୍କ ବିସର୍ଜନ, ଶେଷ ସନ୍ଧ୍ୟାର ତପସ୍ୟା, ଆଦିପୁରୁଷ, କଳ୍କୀ ଅବତାର, ନିତ୍ୟାନନ୍ଦ ମହାପାତ୍ରଙ୍କ ସୁଖର ସନ୍ଧାନେ, ଦୀପ ଏବେ ବି ଲିଭିନାହିଁ, ଅପରାଧୀ ମୂଲକ, ଘଟକ, କାଲି ଓ ଆଜି, ବିଭୂତି ଭୂଷଣ ତ୍ରିପାଠୀଙ୍କ ପୁରୀ ବାହୁଡା, ରାୟ, ଅଖିଳମୋହନ ପଟ୍ଟନାୟକଙ୍କ ଡିମିରିଫୁଲ, କନିଅପା, ହଂସସଙ୍ଗୀତ, ଧୂମକେତୁ, କେତୋଟି ମୁହୂର୍ତ୍ତ, ଅହଲ୍ୟାର ଇତିବୃତ୍ତ ଗଳ୍ପ ପ୍ରଥମେ ଆକାଶବାଣୀରୁ ପ୍ରସାରିତ ହୋଇଛି ।

ଆକାଶବାଣୀର ପ୍ରାରମ୍ଭିକ ପର୍ଯ୍ୟାୟରେ ୧୯୪୮ମସିହାରୁ କବିତା ପ୍ରସାରଣ ଆରମ୍ଭ ହୋଇଛି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ଦୀର୍ଘ ବାଦଲ ରାତି’, ମାୟାଧର ମାନସିଂହଙ୍କ ‘ସଂକଳ୍ପ’, ଅନନ୍ତ ପଟ୍ଟନାୟକଙ୍କ ‘ସହିଦ ନୁହେଁ’ କବିତା ପ୍ରସାରିତ ହୋଇଛି । ଏମାନଙ୍କ ସହ କବି ସୁନନ୍ଦା କର, ବାଞ୍ଛାନିଧି ଦାସ, ଗୋପାଳଚନ୍ଦ୍ର ମିଶ୍ର, ରାଧାମୋହନ ଗଡ଼ନାୟକ, କାଳିଚରଣ ପଟ୍ଟନାୟକ, ଭାନୁଜୀ ରାଓ ପ୍ରମୁଖ କବିମାନେ ଆସି ଯୋଗ ଦେଇଛନ୍ତି । ଏ ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଜାରି ରହିଛି ଏବଂ ରାଜ୍ୟରେ ପ୍ରାୟ ସମସ୍ତ କବି ବିଭିନ୍ନ ଆକାଶବାଣୀ କେନ୍ଦ୍ରର ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ।

ଆକାଶବାଣୀର  ସାହିତ୍ୟର ଏକ ମନୋରଂଜନଧର୍ମୀ ଧାରା ହେଉଛି ଲଘୁ ଆଲୋଚନା । କଥା କହିବା ଶୈଳୀଟି ସହଜ । କିନ୍ତୁ ତାହା ଭିତରେ ପ୍ରଚ୍ଛନ୍ନ ଥାଏ ବ୍ୟଙ୍ଗ, କଉତୁକ ଏବଂ ଏକ ସାମାଜିକ ବା ଚେତନାଗତ ପ୍ରସଙ୍ଗ । ଏଇଭଳି ଲଘୁ ଆଲୋଚନା ‘ଖଜୁରୀ ଗଛର କି ଗୁଣ ଗାଇବି’, ‘ତୁ ଗୁହାରି କରୁଛୁ ଯାହାକୁ’, ‘ନଈ ନ ଦେଖୁଣୁ’, ‘ସରିଯାଉଛିରେ ଆଜିଠାରୁ ମନୋରଥ’, ‘କହିବି ନାହିଁ କହିଲେ ଏ ଘରେ ରହିବି ନାହିଁ’, ଆଲୋଚନାମାନ ପ୍ରସ୍ତୁତ କରିଛନ୍ତି ମହାପାତ୍ର ନୀଳମଣି ସାହୁ, ଡଃ. କୁଳମଣି ସାମଲ, ଡଃ. ବୈଷ୍ଣବ ଚରଣ ସାମଲ, ଅଚ୍ୟୁତାନନ୍ଦ କର, ହୃଦାନନ୍ଦ ରାୟଙ୍କଠାରୁ ମୃଣାଳଚାଟ୍ଟାର୍ଜୀଙ୍କ ପର୍ଯ୍ୟନ୍ତ ।

ଆକାଶବାଣୀର ନାଟକ ବିଭାଗରେ ବହୁ ବେତାର ନାଟକ ପ୍ରସାରିତ ହୋଇଛି । କଲିକତାରୁ ଓଡ଼ିଆ କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭ ହେବାଠାରୁ ଅଶ୍ୱିନୀ କୁମାର ଘୋଷ, ସୁରେନ୍ଦ୍ର ମହାନ୍ତି, ଲାଲା ନଗେନ୍ଦ୍ର କୁମାର ରାୟଙ୍କ ନାଟକ ପ୍ରସାରିତ ହୋଇଛି । ଓଡ଼ିଶାରେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ହେବାପରେ କାଳିଚରଣ ପଟ୍ଟନାୟକ, ଯତୀନ ଦାସ, ସୁରେନ ମହାନ୍ତି, ମନୋରଂଜନ ଦାସ, ଗୋପାଳ ଛୋଟରାୟ, ଭଂଜକିଶୋର ପଟ୍ଟନାୟକଙ୍କ ଠାରୁ ରମେଶ ପାଣିଗ୍ରାହୀ, ହରିହର ମିଶ୍ରଙ୍କ ବାଟ ଦେଇ ଏ ସମୟର ନାଟ୍ୟକାର ମାନଙ୍କ ନାଟକ ପ୍ରସାରିତ ହୋଇଛି ଏବଂ ହେଉଛି । ବହୁ ଦୈନନ୍ଦିନ ସାମାଜିକ ଏବଂ ପାରିବାରିକ ସମସ୍ୟାମାନଙ୍କୁ ନେଇ ଲଘୁ ପାରିବାରିକ ଧାରାବାହିକ ମଧ୍ୟ ପ୍ରସାରିତ ହେଉଛି । ଏସବୁ ନାଟକ ସହିତ ଅନେକ କୃତବିଦ୍ୟ ଗାଳ୍ପିକଙ୍କ ଗଳ୍ପ ଏବଂ ଉପନ୍ୟାସର ବେତାର ନାଟ୍ୟରୂପ ମଧ୍ୟ ପ୍ରସ୍ତୁତ ହୋଇ ପ୍ରସାରିତ ହୋଇଛି । ଏ କ୍ରମରେ କାଳନ୍ଦୀ ପାଣିଗ୍ରାହୀଙ୍କର ‘ମାଟିର ମଣିଷ’, ମାୟାଧର ମାନସିଂହଙ୍କ ‘ନଷ୍ଟନୀଡ଼’ ଅଖିଳମୋହନ ପଟ୍ଟନାୟକଙ୍କ “ଡିମିରିଫୁଲ’, ସୁରେନ୍ଦ୍ର ମହାନ୍ତିଙ୍କ ଉପନ୍ୟାସ ‘ନୀଳଶୈଳ’ର ନାଟ୍ୟରୂପ ପ୍ରସାରିତ ହୋଇଅଛି ।

ଓଡ଼ିଶାର ପାରମ୍ପରିକ ଗୀତିନାଟ୍ୟର ପୁନରୁଦ୍ଧାର କରି ତାହାକୁ ବେତାର ପ୍ରସାରଣ ଉପଯୋଗୀ କରାଇ ପ୍ରସାରଣ କରିବାରେ ଆକାଶବାଣୀର ଅବଦାନ ଉଲ୍ଲେଖଯୋଗ୍ୟ । ଆଧୁନିକ ଯାତ୍ରାର ପ୍ରଭାବରେ ପାରମ୍ପରିକ ଗୀତିନାଟ୍ୟ ମଉଳି ଆସୁଥିବା ସମୟରେ ୧୯୬୦ମସିହାରେ ଆକାଶବାଣୀ, କଟକ କେନ୍ଦ୍ର ତାକୁ ତୋଳି ଆଣି ନୂଆଢଙ୍ଗରେ ଶ୍ରୋତାଙ୍କ ପାଖରେ ଥୋଇଦେଲା । ପରୀକ୍ଷାମୂଳକ ଭାବେ ବୈଷ୍ଣବ ପାଣିଙ୍କ ‘ରଙ୍ଗସଭା’କୁ ବିଶିଷ୍ଟ ନାଟ୍ୟକାର ଗୋପାଳ ଛୋଟରାୟ ବେତାର ଉପଯୋଗୀ କରି ପ୍ରସ୍ତୁତ କଲେ । ଏଥିରେ ନାଟ୍ୟାଂଶରେ ବେତାରର ନାଟ୍ୟଶିଳ୍ପୀ ଏବଂ ସଂଗୀତାଂଶରେ ସଂଗୀତଶିଳ୍ପୀ ମାନେ ଅଂଶଗ୍ରହଣ କଲେ । ଏହା ଆଶାତୀତ ସଫଳତା ଲାଭ କଲା । ପରେ ପରେ ଗୀତିନାଟ୍ୟ ପ୍ରସାରଣ ଆକାଶବାଣୀର ଏକ ବିଧାନରେ ପରିଣତ ହୋଇଗଲା । ଏହାର ଦୃଶ୍ୟ ରୂପଟି ଜନମାନସରୁ ଲିଭି ଗଲେ ମଧ୍ୟ ଶ୍ରାବ୍ୟ ରୂପଟିକୁ ସଂରକ୍ଷିତ କରିନେଲା ଆକାଶବାଣୀ । ଏହି କ୍ରମରେ ଆକାଶବାଣୀ ଜୟପୁର କେନ୍ଦ୍ର ସେହି ଅଂଚଳର ଲୋକପ୍ରିୟ ଗୀତିନାଟ୍ୟ ‘ଦେଶୀୟା ନାଟ’କୁ ବେତାର ଉପଯୋଗୀ କରି ପ୍ରସାରଣ ଆରମ୍ଭ କଲେ । ପ୍ରଥମେ ଦେଶୀୟା ନାଟ ‘କୁମ୍ଭାସୁର ବଧ’ର ପ୍ରସାରଣ ହେଲା ୧୯୮୨ ମସିହାରେ । ଏହାର ରଚୟିତା ଥିଲେ ଜୟପୁରର ପ୍ରାକ୍ତନ ମହାରାଜା ରାମଚନ୍ଦ୍ର ଦେବ ।

ଆକାଶବାଣୀ ଭବାନୀପାଟଣା ପକ୍ଷରୁ ‘ଗୀତକୁଡିଆ’ଶୀର୍ଷକ ଏକ କାର୍ଯ୍ୟକ୍ରମରେ କଳାହାଣ୍ଡି ଅଂଚଳର ଏକ ମୌଖିକ ଲୋକ ସାହିତ୍ୟ ପରମ୍ପରାକୁ ସଂଗୃହୀତ କରାଯାଇଛି । ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଗଙ୍ଗାଧରଙ୍କ ତପସ୍ୱିନୀ, ପ୍ରଣୟବଲ୍ଲରୀ, ଭୀମଭୋଇଙ୍କ ସ୍ତୁତି ଚିନ୍ତାମଣି, ଆଦି ଅନ୍ତଗୀତା ପ୍ରଭୃତିର ସଂଗୀତମୟ ପ୍ରସାରଣ କରିଛନ୍ତି ।

ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ବିଲୁପ୍ତ ରାମଲୀଳା, କୃଷ୍ଣଲୀଳା, କ୍ଷୟିଷ୍ଣୁ ପ୍ରହ୍ଲାଦନାଟକ, ଭାରତଲୀଳା, ରାଧାପ୍ରେମ ଲୀଳା, ରାମନାଟକ ସଂଗ୍ରହ କରି ଧାରାବାହିକ ଭାବେ ପ୍ରସାରଣ କରିଛି ।

ଆକାଶବାଣୀ ବାରିପଦା ବିଲୁପ୍ତ ପ୍ରାୟ ଝୁମର ସଂଗୀତମାନଙ୍କୁ ସଂଗ୍ରହ କରି ପ୍ରସାରଣ କରିବା ସହ ସାଇତି ରହିଛି । ଲୋକ ସାହିତ୍ୟର ସଂଗ୍ରହ, ସଂରକ୍ଷଣ ଏବଂ ପ୍ରସାରଣ ଦୃଷ୍ଟିରୁ ଆକାଶବାଣୀ ଏକ ଗନ୍ତାଘର ।

ଆକାଶବାଣୀର ଆଉ ଏକ ବଳିଷ୍ଠ ବିଭାଗ ହେଉଛି ସଂଗୀତ ବିଭାଗ ଯେଉଁଥିରେ ସାହିତ୍ୟର ମାନ୍ୟତା ଏବଂ ମର୍ଯ୍ୟାଦା ବହନ କରିଥିବା ଗୀତିକବିତାମାନ ସ୍ଥାନ ପାଇ ଆସୁଛନ୍ତି । କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ଜୀବନାନନ୍ଦ ପାଣି, ପାର୍ଥସାରଥି ମହାପାତ୍ର, ପର୍ଶୁରାମ ପଟ୍ଟନାୟକ, ଅକ୍ଷୟ ମହାନ୍ତି, ଶିବବ୍ରତ ଦାସ, ନନ୍ଦକିଶୋର ସିଂ ପ୍ରମୁଖ କବିଙ୍କର ଗୀତିକବିତାଗୁଡିକ ସାହିତ୍ୟର ମନୋଜ୍ଞ ମହିମାରେ ମଣ୍ଡିତ । ଏତେ ସଂଖ୍ୟାରେ ଗୀତିକବିତାର ବ୍ୟବହାର ପାଇଁ ବ୍ୟାପକ ସୁଯୋଗ ଆକାଶବାଣୀ ଛଡ଼ା ଅନ୍ୟ ମାଧ୍ୟମରେ ନାହିଁ ।

ମଧ୍ୟଯୁଗୀୟ କାବ୍ୟ, ଓଡିଶୀ, ଛାନ୍ଦ, ଚଉପଦୀକୁ ନେଇ ଆକାଶବାଣୀ ନିଜକୁ ସମୃଦ୍ଧ କରିଛି ଏବଂ ଅତୀତରେ ଲୋକନୃତ୍ୟ ଗୁଡିକ ହଜି ଯାଉଥିବାବେଳେ ଲୋକଙ୍କ ମାନସପଟରେ ସେ ସବୁକୁ ଜାଗ୍ରତ ରଖିବାର ପ୍ରୟାସ କରିଛି । ଏବେ ମଧ୍ୟ ଭଞ୍ଜ, ଦୀନକୃଷ୍ଣ, ଅଭିମନ୍ୟୁ, କବିସୂର୍ଯ୍ୟ, ଗୋପାଳକୃଷ୍ଣ, ଜଗନ୍ନାଥ ଦାସ, ଅଚ୍ୟୁତ, ଅନନ୍ତ, ଯଶୋବନ୍ତଙ୍କ କବିତାମାନଙ୍କୁ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପରିବେଷଣ କରାଯାଉଛି । ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ ଯେ ଆକାଶବାଣୀ ଦ୍ୱାରା ଜଗନ୍ନାଥ ଦାସକୃତ ପୂର୍ଣ୍ଣାଙ୍ଗ ଓଡ଼ିଆ ଭାଗବତର ସଂଗୀତମୟ ପ୍ରସ୍ତୁତି ଏବଂ ଏହି କ୍ରମରେ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ, ବିଶ୍ୱନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣ, ରାମଦାସ କୃତ ଦାର୍ଢ଼୍ୟତା ଭକ୍ତି, ମହାଦେବଦାସ କୃତ କାର୍ତ୍ତିକ ମାହାତ୍ମ୍ୟର ସଂଗୀତମୟ ପ୍ରସାରଣ କରାଯାଇଛି । ଏହି ପ୍ରସାରଣ ଦ୍ୱାରା ଏଗୁଡିକର ଶ୍ରାବ୍ୟ ସଂସ୍କରଣ ପ୍ରସ୍ତୁତ ହେବା ସହିତ ପ୍ରାଚୀନ ସଂଗୀତ ଗାୟନ ପଦ୍ଧତି ଗୁଡିକ ସଂଗୃହୀତ ହୋଇ ଆଜି ସଂରକ୍ଷିତ ।

ଧାରାବାହିକ ଉପନ୍ୟାସ ପଠନ ଆକାଶବାଣୀର ସାହିତ୍ୟ କୃତୀକୁ ଶ୍ରଦ୍ଧା ଓ ସମ୍ମାନ ଜଣାଇବାର ଏକ ଲୋକପ୍ରିୟ ପ୍ରୟାସ । ଗୋପିନାଥ ମହାନ୍ତିଙ୍କ ‘ଅମୃତର ସନ୍ତାନ’, ବିଭୂତି ପଟ୍ଟନାୟକଙ୍କ ‘ପ୍ରେମିକା’, ଗୋବିନ୍ଦ ଦାସଙ୍କ ‘ଅମାବାସ୍ୟାର ଚନ୍ଦ୍ର’, ପ୍ରତିଭା ରାୟଙ୍କ ‘ଶିଳାପଦ୍ମ’, ଅଖିଳମୋହନ ପଟ୍ଟନାୟକଙ୍କ ‘ଅନାହୁତ ଫାଲଗୁନ’ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ଗୋପାଳବଲ୍ଲଭ ଦାସଙ୍କ ‘ଭୀମା ଭୁୟାଁ’ ଓ ଜଗନ୍ନାଥ ପ୍ରସାଦ ଦାସଙ୍କ ‘ଦେଶ କାଳ ପାତ୍ର’ ଆକାଶବାଣୀ, କେନ୍ଦୁଝର କେନ୍ଦ୍ରରୁ ଏହି କ୍ରମରେ ପ୍ରସାରିତ ହୋଇଛି । ସଂଯୋଗକ୍ରମେ ଏଇ ଆଲୋଚକ ଗୋପୀନାଥଙ୍କ ‘ଅମୃତର ସନ୍ତାନ’ ଉପନ୍ୟାସକୁ ବାଦ ଦେଇ ଅନ୍ୟ ଛଅଟି ଯାକ ଉପନ୍ୟାସର ଧାରାବାହିକ ପଠନର ପ୍ରଯୋଜକ ଭାବେ ଦାୟିତ୍ୱ ତୁଲାଇବାର ସୌଭାଗ୍ୟ ଲାଭକରିଛି ।

କବିତା ପାଠ ବ୍ୟତୀତ କବିତାକୁ ନେଇ ଭିନ୍ନ ରୁଚିର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ପରିବେଷିତ ହୋଇଛି । କବି ବ୍ରଜନାଥ ରଥଙ୍କ କବିତା ‘ମାନଚିତ୍ର’କୁ ନେଇ ଶ୍ରୀ ରମାପଦ ନନ୍ଦ ପ୍ରସ୍ତୁତ କରିଥିଲେ ଏକ କାର୍ଯ୍ୟକ୍ରମ ଯାହାକି ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ସେହିପରି କବି ଆଶୁତୋଷ ପରିଡାଙ୍କ କବିତା ‘କନ୍ୟା’କୁ ନେଇ ଏକ ଅଭିନବ କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ଶ୍ରୀ ଦୀପକ ସାମନ୍ତରାୟ । କାର୍ଯ୍ୟକ୍ରମଟି ୨୦୦୭ ମସିହାରେ ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ହୋଇ ପ୍ରଥମ ପୁରସ୍କାର ଲାଭ କରିଥିଲା । ଶ୍ରୀ ବସନ୍ତ ମହାନ୍ତି କବି ଭାନୁଜୀ ରାଓଙ୍କ ରଚନାକୁ ନେଇ ପ୍ରସ୍ତୁତ କରିଥିଲେ ଏକ ଚତ୍ମକାର ଜୀବନଧର୍ମୀ କାର୍ଯ୍ୟକ୍ରମ “ନିଃସଙ୍ଗ ନକ୍ଷତ୍ର’ ।

ସାହିତ୍ୟ କ୍ଷେତ୍ରରେ ଆକାଶବାଣୀର ଅନ୍ୟ ଏକ ବିଶେଷ ଅବଦାନ ହେଲା ଏହାଦ୍ୱାରା ସଂଗ୍ରହ କରାଯାଇଥିବା ବହୁ କବି, ଲେଖକ, ସାହିତ୍ୟିକ, ସାରସ୍ୱତ ସାଧକଙ୍କ ସାକ୍ଷାତକାର । କେତେକଙ୍କର ସାକ୍ଷାତକାର ନାହିଁ କିନ୍ତୁ ସେମାନେ ପ୍ରସ୍ତୁତ କରିଥିବା ଆଲୋଚନା, କବିତା, ଗପରେ ତାଙ୍କର କଣ୍ଠସ୍ୱର ସାଇତା ରହିଛି ଆକାଶବାଣୀର  ସଂଗ୍ରହାଳୟରେ । ଆକାଶବାଣୀରେ ସାଇତା ଥିବା ଏଇ ସମସ୍ତ କାର୍ଯ୍ୟକ୍ରମ ମାନଙ୍କର ତାଲିକା ଖୁବ୍ ଶ୍ରୀଘ୍ର ଡରଭଗ୍ଦସଗ୍ଧର ରେ ଉପଲବ୍ଧ ହେବାର ବ୍ୟବସ୍ଥା କରାଯାଉଛି । ଯାହା ଆଲୋଚକ ଗବେଷକମାନଙ୍କ ପାଇଁ ଉପାଦେୟ ହୋଇପାରିବ ।

କବିଚନ୍ଦ୍ର ଡଃ.କାଳୀଚରଣ ପଟ୍ଟନାୟକ ତାଙ୍କ ଆତ୍ମଚରିତ ‘କୁମ୍ଭାର ଚକ’ରେ  କହିଛନ୍ତି, “ମୋ ଲେଖା ଓଡିଶୀ, ଲଘୁ ସଙ୍ଗୀତ(ଆଧୁନିକ) ପଲ୍ଲୀ ଗୀତ ଓ କୀର୍ତନ ଗୀତ, ନାଟକ, ଗୀତିନାଟ୍ୟ, ବିବିଧ ବିଷୟକ ଆଲୋଚନା ଓ ରାଗ ପରିଚୟ ପ୍ରଭୃତି ଗାୟକ ଗାୟୀକା କଣ୍ଠରେ ସେହିଦିନଠାରୁ ରେଡିଓରେ ଗୀତ ହେଉଛନ୍ତି ଏବଂ ଦୁର୍ଗାଷ୍ଟମୀ ଉପଲକ୍ଷେ ଲିଖିତ “ଶ୍ରୀ ଦୁର୍ଗା’ ରୂପକ ରେଡିଓ ଆରମ୍ଭରୁ ଅବଧି ପ୍ରଚାରିତ ହେଉଅଛି । ରେଡିଓ ସହିତ ମୋର ସୁମମ୍ପର୍କ ରହିଆସିଛି, କଟକ ରେଡିଓ ଷ୍ଟେସନ ଅନୁଷ୍ଟାନର ଅନୁକୂଳ ଦିନରୁ ।’

ପଦ୍ମଭୂଷଣ ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ ତାଙ୍କ ଆତ୍ମଜୀବନୀ  ‘ଅଙ୍ଗେ ଯାହା ନିଭାଇଛି’ରେ ଆକାଶବାଣୀର କର୍ମକ୍ଷେତ୍ରରେ ଯୋଗଦେବା ଅନୁଭୂତିକୁ ନେଇ  ଲେଖିଛନ୍ତି “ଉକ୍ରଳୀୟ ଓ ଭାରତୀୟ ସଂସ୍କୃତିର ମିଳନ-ପୀଠରୂପେ ଏଇ ଅନୁଷ୍ଠାନର ଆକର୍ଷଣ ମୋ ପକ୍ଷରେ ଏଡ଼ିଦେବା କେବେ ସମ୍ଭବପର ହୁଅନ୍ତା କିପରି? ସେ ଆହ୍ୱାନରେ ପୁଣି ଦାନ ସହିତ ଦକ୍ଷିଣା ମଧ୍ୟ ରହିଛି । ଏଇ ଗୋଟିଏ ମାତ୍ର ସୂତ୍ରରେ ଭାରତୀୟ କବି କଳାକାରମାନଙ୍କ ସମେତ ଓଡିଶା ରାଜ୍ୟର ଅଶ୍ରୁତ ଅଖ୍ୟାତ ପୁରପଲ୍ଲୀଠାରୁ ଆରମ୍ଭକରି ନାଗରିକ ସଂସ୍କୃତିର ମୁହାଁମୁହିଁ ହେବାପାଇଁ ଅପୂର୍ବ ସୁଯୋଗ ମିଳିଯାଏ ମୋତେ । ଶାସକ-ଶାସିତ, ଧନୀ-ଦରିଦ୍ର, ନଗରପଲ୍ଲୀ ସର୍ବତ୍ର ଅବା ମୁଁ ମୋର ଉପସ୍ଥିତି ଅନୁଭବ କରେଁ ଆକାଶବାଣୀର ଅନୁଷ୍ଠାନଗୁଡିକ ମାଧ୍ୟମରେ । ଅନୁଭବ କରେଁ ଜୀବନକୁ ବିସ୍ତୃତତର ଓ ଘନିଷ୍ଠତର ଭାବରେ । ଲେଖକରୂପେ ପାଠକମାନଙ୍କ ସହିତ ଯେଉଁ ସଂଯୋଗ ମୋର ପ୍ରତିଷ୍ଠିତ ହୁଏ, ଆହୁରି ତାହାର ନିକଟତର ଅନୁଭୂତି ମିଳେ । ବାଳକ-ବାଳିକା, ନାରୀ-ପୁରୁଷ, କୃଷକ-ଶ୍ରମିକ, ମାଲିକ-ମୂଲିଆ, ସାକ୍ଷର-ନିରକ୍ଷର ଆଦି ସବୁ ଶ୍ରୋତାଙ୍କ ଭିତରେ ଆପଣାକୁ ଖୋଜି ପାଇବାର ସୁଯୋଗ ମୋତେ ଯୋଗାଇ ଦିଏ ଆକାଶବାଣୀ ।’

ଆକାଶବାଣୀ ସୃଷ୍ଟି କରିଛି ସଫଳତାର ସହିତ ସାହିତ୍ୟିକ ସାହିତ୍ୟ ଓ ସମାଜ ମଧ୍ୟରେ ଏକ ସେତୁ । ପରିବର୍ତ୍ତନର ସ୍ରୋତ ଯେତେ ପ୍ରଖର ହେଉ ଅବା ଝାଞ୍ଜ ପାଲଟୁ, ଆମର ବିଶ୍ୱାସ ଏହି ସମ୍ପର୍କ ଅତୁଟ ରହିବ, ସେତୁ  ପୂର୍ବବତ୍ ବଜାୟ ରହିବ ।

ଡଃ ଦୀପକ ସାମନ୍ତରାୟ         ସୌଜନ୍ୟ: ସମଦୃଷ୍ଟି – (୧-୧୫ ଫେବୃଆରୀ ୨୦୧୫)

Photo credit- Internet

About Editor

କଳାକାର, ସମଧ୍ୱନି ଇ - ପତ୍ରିକା ଓ ତ୍ରୟୋମାସିକ ପତ୍ରିକାର ସମ୍ପାଦକ, ସାଂସ୍କୃତିକ କର୍ମୀ, ସାମ୍ବାଦିକ

Check Also

କଥା ନୁହେଁ, ବ୍ୟଥା

୧୫୬୮ ସାଲରେ ଓଡ଼ିଶାର ସ୍ୱାଧୀନତା ଲୋପ ପାଇବାଠାରୁ ୧୯୩୬ସାଲରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ଯାଏଁ, ଓଡ଼ିଶାର ଜାତୀୟ ଜୀବନ …

Leave a Reply

Your email address will not be published. Required fields are marked *