Home / ସମୀକ୍ଷା / ନାଟକ ସମୀକ୍ଷା / ସମ୍ପର୍କର ଫଲଗୁ : ବିଷବୃକ୍ଷ/ ଛମାଣ ଆଠଗୁଣ୍ଠ

ସମ୍ପର୍କର ଫଲଗୁ : ବିଷବୃକ୍ଷ/ ଛମାଣ ଆଠଗୁଣ୍ଠ

ଓଡ଼ିଆ ଭାଷା ସାହିତ୍ୟର ଧ୍ରୁବତାରା ଫକୀରମୋହନଙ୍କ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ ସହିତ ବନ୍ଦେ ମାତରମ୍ କବିତାର ସ୍ରଷ୍ଟା ତଥା ବଙ୍ଗ ସାହିତ୍ୟର ଅନ୍ୟତମ ଜ୍ୟୋତିଷ୍କ ବଙ୍କିମ ଚନ୍ଦ୍ରଙ୍କ ‘ବିଷବୃକ୍ଷ’ ସ୍ୱକୀୟତା ସହ ଅନେକ ସାମଞ୍ଜସ୍ୟର ବାତାବରଣରେ ଆବଦ୍ଧ ଥିବାପରି ମନେହୁଏ । ସତେ ଅବା ଅନ୍ତଃସଲିଳା ଫଲଗୁ ତା’ର ବାଲୁକାରାଶି ଅଭ୍ୟନ୍ତରରେ ଲୁଚାଇ ରଖିଛି ସେମାନଙ୍କ ବନ୍ଧୁତ୍ୱର ଧାରା ।
ବଙ୍କିମଚନ୍ଦ୍ର ବଙ୍ଗୀୟ ସମାଜର ବହୁ ବିବାହ ସମସ୍ୟା ଓ ବିଧବା ବିବାହକୁ କେନ୍ଦ୍ରକରି ‘ବିଷବୃକ୍ଷ’ ରଚନା କରିଛନ୍ତି। ମାତ୍ର ଫକୀରମୋହନ ଏ ସମସ୍ୟାଠାରୁ ଟିକିଏ ଆଗେଇ ଯାଇ ଓଡ଼ିଆର ମାଲିମକଦ୍ଦମା ସମସ୍ୟାକୁ ଗୁରୁତ୍ୱ ଦେଇଛନ୍ତି। ଜମିଦାର ଓ ମହାଜନମାନଙ୍କ ଚକ୍ରାନ୍ତରେ ଓଡ଼ିଆ ସମାଜ ଧ୍ୱଂସ ପାଇଯାଉଥିବା ସେ ସ୍ୱଚକ୍ଷୁରେ ଦେଖିଛନ୍ତି। ସାଧାରଣ ମଣିଷ ମୁହଁରେ ଭାଷା ଦେବାପାଇଁ ବଙ୍କିମଚନ୍ଦ୍ରଙ୍କ କୁନ୍ଦନନ୍ଦିନୀ ଫକୀର ମୋହନଙ୍କ ଛ’ମାଣ ଆଠଗୁଣ୍ଠରେ ପରିଣତ ହୋଇଛି। ଉଭୟେ ଉପନ୍ୟାସ ଦ୍ୱୟର କେନ୍ଦ୍ରବିନ୍ଦୁ। ବିଷବୃକ୍ଷରେ ନଗେନ୍ଦ୍ର ସୂର୍ଯ୍ୟମୁଖି ଓ ଛମାଣ ଆଠଗୁଣ୍ଠରେ ରାମଚନ୍ଦ୍ର ମଙ୍ଗରାଜ, ଭଗିଆ, ସାରିଆ ପ୍ରମୁଖ ସମସ୍ତ ଚରିତ୍ର କେନ୍ଦବିନ୍ଦୁ ଚାରିପଟେ ବୁଲୁଛନ୍ତି।
ଫକୀରମୋହନ ଛମାଣ ଆଠଗୁଣ୍ଠର ପରିଚୟ ଦେବାକୁ ଯାଇ କହିଛନ୍ତି – କଥିତ ଅଛି ପୃଥିବୀର ବିଖ୍ୟାତ ମଣି କୋହିନୂର ଯାହା ପାଖରେ ରହେ ତା’ର ବଂଶ ନାଶ ନକରି ଛାଡ଼େ ନାହିଁ। ବିଷବୃକ୍ଷର କୁନ୍ଦନନ୍ଦିନୀ ଏହିପରି ଏକ ବଂଶନାଶୀ କୋହିନୂର। ପିତାର ମୃତ୍ୟୁଶଯ୍ୟାରୁ ଏ ଚରିତ୍ରର ସୃଷ୍ଟି। ବଙ୍କିମଚନ୍ଦ୍ର ମଧ୍ୟ କୋହିନୂରର ସୂଚନା ଦେଇଛନ୍ତି। ପୁଣି ବିଷବୃକ୍ଷର ସୂର୍ଯ୍ୟମୁଖି ଛମାଣ ଆଠଗୁଣ୍ଠରେ ସାଆନ୍ତାଣୀ ହୋଇଯାଇଛନ୍ତି।
ମନୁଷ୍ୟ ତା’ର ବିଚାରରେ ଫକୀରମୋହନଙ୍କ ଭାବଧାରା ବଙ୍କିମଚନ୍ଦ୍ରଙ୍କ ସହିତ ଅଦ୍ଭୁତ ସାମଞ୍ଜସ୍ୟ ରହିଛି। ବଙ୍କିମ ମନୁଷ୍ୟର କର୍ମଫଳ ଓ ଭାରତୀୟ ଦର୍ଶନର କର୍ମବାଦ ଦ୍ୱାରା ବହୁ ଭାବରେ ଅନୁପ୍ରେରିତ। ଫକୀରମୋହନ ମଧ୍ୟ ସେହିପରି ମନୁଷ୍ୟର କର୍ମଫଳ ଓ ଶୁଭାଶୁଭ ଫଳ ବର୍ଣ୍ଣନାରେ ତା’ର ଅତୀତର ଇତିବୃତ୍ତିକୁ ଗୁରୁତ୍ୱ ଦେଇଛନ୍ତି।
ଭାଷା ଓ ଭାବ ଦୃଷ୍ଟିରୁ ଫକୀରମୋହନଙ୍କ ‘ଛମାଣ ଆଠଗୁଣ୍ଠ’ ସହ ‘ବିଷବୃକ୍ଷ’ର ଲଳିତ ମଧୁର ସମ୍ପର୍କ ରହିଛି। ଫକୀରମୋହନଙ୍କ ଅସୁର ଦୀଘିର ବର୍ଣ୍ଣନା ବିଷବୃକ୍ଷରେ ନୌଯାତ୍ରା ବର୍ଣ୍ଣନାର ଅନୁରୂପ। ପୁଣି ରୂପ ବର୍ଣ୍ଣନା ପ୍ରସଙ୍ଗରେ ଉଭୟଙ୍କ ଅପୂର୍ବ ସାମ୍ୟ ପରିଲକ୍ଷିତ ହୁଏ। ନିଜ ନାୟିକାମାନଙ୍କ ରୂପ ବର୍ଣ୍ଣନାରେ ଉଭୟେ ପ୍ରାଚୀନ ପରମ୍ପରା ତ୍ୟାଗ କରିଛନ୍ତି।’
ବିଷବୃକ୍ଷ ହରିଦାସୀ ବୈଷ୍ଣବୀ ଓ ଛମାଣ ଆଠଗୁଣ୍ଠ ଟାଙ୍ଗି ମାଉସୀର ଉଦ୍ଦେଶ୍ୟ ଏକାପରି। ବେଶଭୂଷାରେ ବି ସାମଞ୍ଜସ୍ୟ ଅଛି। କୁନ୍ଦନନ୍ଦିନୀଙ୍କୁ ସାକ୍ଷାତ କରିବା ଛଦ୍ମବେଶୀ ହରିଦାସୀର ଉଦ୍ଦେଶ୍ୟ ଓ ବାଘସିଂ ବଂଶକୁ ଧ୍ୱଂସ କରିବା ଛଦ୍ମବେଶୀ ଟାଙ୍ଗି ମାଉସୀର ଉଦ୍ଦେଶ୍ୟ। ହରିଦାସୀ ପାଣି ପିଇବା ଓ ଟାଙ୍ଗି ମାଉସୀ ପରିସ୍ରା ଯିବାର ଆଳ ଦେଖାଇଛି। ବୈଷ୍ଣବୀ ଚାଲିଯିବା ପରେ ନଗେନ୍ଦ୍ରଙ୍କ ଦାସୀ ମହଲରେ ଯେପରି ଆଲୋଚନା ହୋଇଛି ଟାଙ୍ଗି ମାଉସୀ ଚାଲି ଆସିବା ପରେ ବାଘସିଂ ଘରେ ଅନୁରୂପ ଆଲୋଚନା ହୋଇଛି।’
ବଙ୍କିମଙ୍କ ଅଲୌକିକ ଦର୍ଶନ ବା ସ୍ୱପ୍ନ ସଞ୍ଚରଣ ଫକୀରମୋହନଙ୍କ କୃତିରେ ମଧ୍ୟ ରୂପାୟିତ। କୁନ୍ଦନନ୍ଦିନୀର ନଭମଣ୍ଡଳରେ ଚନ୍ଦ୍ର ମଧ୍ୟରେ ନାରୀ ମୂର୍ତ୍ତିର ଇଙ୍ଗିତ (ବହୁ ପରିମାଣରେ ଫକୀରମୋହନଙ୍କ ରେବତୀରେ ବର୍ଣ୍ଣିତ) ମଙ୍ଗରାଜର ଶେଷ ସମୟରେ ମଧ୍ୟ ଚିତ୍ରିତ ହୋଇଛି।
ଫକୀରମୋହନ ଯେପରି ପ୍ରଚଳିତ ଶ୍ଳୋକମାନଙ୍କର ବ୍ୟବହାର କରିଛନ୍ତି, ବିଷବୃକ୍ଷରେ ମଧ୍ୟ ସେହିପରି ପରିଦୃଷ୍ଟି ହୁଏ। ମଦ୍ୟପାନସକ୍ତ ଦେବେନ୍ଦ୍ର ଯେପରି ହୀରା ସ୍ତବପାଠ କରିଛି ଫକୀରମୋହନ ମଧ୍ୟ ଚମ୍ପା ପ୍ରସଙ୍ଗରେ ସେହିପରି କରିବାକୁ କୁଣ୍ଠା ପ୍ରକାଶ କରିନାହାନ୍ତି। ଏହାଛଡ଼ା ଛମାଣ ଆଠଗୁଣ୍ଠରେ ମଙ୍ଗରାଜ ଶେଷ ନିଶ୍ୱାସ ତ୍ୟାଗ ବେଳକୁ ଛ-ମା-ଆ-ଗୁ କହିଥିବା ବେଳେ ଦେବେନ୍ଦ୍ର ମୃତ୍ୟୁବେଳେ ପଦପଲ୍ଲବ ମୁଦାରମ କହି ଇହଲୋକରୁ ବିଦାୟ ନେଇଛି।
ବଙ୍କିମଚନ୍ଦ୍ରଙ୍କ ବିଷବୃକ୍ଷରୁ ଫକୀରମୋହନଙ୍କ ଛମାଣ ଆଠଗୁଣ୍ଠ ପ୍ରାୟ ୨୪ବର୍ଷ ସରିକି ସାନ। ନିଜସ୍ୱ ଗଠନ କୌଶଳ ମଧ୍ୟରେ ଜଣେ ଶିଳ୍ପୀ ଯେ ଅନ୍ୟ ଦ୍ୱାରା ପ୍ରଭାବିତ ନହେବ ଏକଥା କୁହାଯାଇପାରିବ ନାହିଁ। ପୁଣି ଦୁଇଟି କୃତିର ଅବୟବର ସୂକ୍ଷ୍ମାତିସୂକ୍ଷ୍ମ ନିର୍ଯ୍ୟାସ କେଉଁଠି ନା କେଉଁଠି ଏକାପରି ହୋଇପାରନ୍ତି କଥାକାରର ଅଜ୍ଞାତରେ ମଧ୍ୟ। କଥିତ ଅଛି ଆଦିକବି ବାଲ୍ମୀକିଙ୍କ କ୍ଷେତ୍ରରେ ପ୍ରଥମ କାବ୍ୟ ଉନ୍ମେଷ ହୋଇଥାଏ କ୍ରୀଡ଼ାରତ କ୍ରୌଞ୍ଚଦମ୍ପତ୍ତିଙ୍କ ପ୍ରତି ବିଷାଦର ନୃଶଂସ ପ୍ରକ୍ରିୟାକୁ କେନ୍ଦ୍ରକରି ଏବଂ ତକ୍ରାଳୀନ ଚୀନଦେଶୀୟ ପ୍ରାଚୀନ କବିଙ୍କ ମଧ୍ୟ କାବ୍ୟ ଉନ୍ମେଷ ଘଟିଛି ଅନୁରୂପ ଏକୋଇ ହୃଦୟ ବିଦାରକ ଘଟଣାରୁ। କହିବା ବାହୁଲ୍ୟ ଚିନ୍ତନ ସ୍ତରରେ ଅନେକ ସମୟରେ ପୃଥିବୀର ଏକ ପ୍ରାନ୍ତର ମଣିଷ ମଧ୍ୟରେ ଯେଉଁ ଯେଉଁ ମୌଳିକ ଉଚ୍ଛ୍ୱାସ ଅବତରଣ କରେ ପୃଥିବୀର ଅପର ପ୍ରାନ୍ତରେ ମଧ୍ୟ ବହୁସ୍ଥଳରେ ସାମଞ୍ଜସ୍ୟ ଧ୍ୱନି ଅନୁରଣିତ ହୋଇଥାଏ। ଏପରି କ୍ଷେତ୍ରରେ ବଙ୍କିମଙ୍କ ରଚନା ସହିତ ଫକୀରମୋହନ କିମ୍ବା ଫକୀରମୋହନଙ୍କ ରଚନା ସହିତ ବଙ୍କିମଚନ୍ଦ୍ରଙ୍କର ସିଧାସଳଖ ସମ୍ପର୍କ ସ୍ଥାପନ ହୋଇଥାଉ କି ନଥାଉ ସୂକ୍ଷ୍ମାତିସୂକ୍ଷ୍ମ ଦୃଷ୍ଟିରୁ ବିଚାର କଲେ ଏକ ସମ୍ପର୍କର ରଜ୍ଜୁ କାଳିସୂତା ପରି ପରସ୍ପରକୁ ଛନ୍ଦି ଦେଇଛି।
ଏହା ବ୍ୟତୀତ ବଙ୍ଗଳା ଏବଂ ଓଡ଼ିଆ ଭାଷାଭାଷୀଙ୍କ ସାମାଜିକ ଚଳଣି ଓ ସାଂସ୍କୃତିକ ଭାବଧାରା ଅତ୍ୟନ୍ତ ନିକଟତର; ଏପରିକି କେବେ କେବେ ପାର୍ଥକ୍ୟ ତଉଲି ହୁଏନାହିଁ। ଏଣୁ ଏହାକୁ ଆଧାର କରି ରଚିତ ସାରସ୍ୱତ କୃତିଗୁଡ଼ିକର ବହିଃରଙ୍ଗରେ ଭିନ୍ନତା ପରିଲକ୍ଷିତ ହେଉଥିଲେ ହେଁ ଅନ୍ତଃରଙ୍ଗରେ ଏକୋଇ ଫଲଗୁଧାରା ପ୍ରବାହିତ ହୋଇଥାଏ। ବଙ୍କିମଙ୍କ ‘ବିଷବୃକ୍ଷ’ ଓ ଫକୀରମୋହନଙ୍କ ‘ଛମାଣ ଆଠଗୁଣ୍ଠ’ ତାହାର ଏକ ଜାଜ୍ୱଲ୍ୟ ନଜିର।

  • ପଙ୍କଜାକ୍ଷ ପଣ୍ଡା
    (ସୌଜନ୍ୟ – ବଙ୍ଗ ଉତ୍କଳ ସମାଜ ଓ ସଂସ୍କୃତି ମଞ୍ଚ-ସ୍ମରଣିକା )

 

 

PHOTO CREDIT- https://www.google.com/search?q=bankimchandra+chatterji+bishabrikhya&source=lnms&tbm=isch&sa=X&ved=0ahUKEwj6iOe_uJnkAhXz8HMBHZ9mBN4Q_AUIESgB&biw=1366&bih=603#imgrc=aRreoIVaVURmpM:

https://www.google.com/search?q=bankimchandra+chatterji+bishabrikhya&source=lnms&tbm=isch&sa=X&ved=0ahUKEwj6iOe_uJnkAhXz8HMBHZ9mBN4Q_AUIESgB&biw=1366&bih=603#imgrc=laGOxRPEtI29LM:

About Editor

କଳାକାର, ସମଧ୍ୱନି ଇ - ପତ୍ରିକା ଓ ତ୍ରୟୋମାସିକ ପତ୍ରିକାର ସମ୍ପାଦକ, ସାଂସ୍କୃତିକ କର୍ମୀ, ସାମ୍ବାଦିକ

Leave a Reply

Your email address will not be published. Required fields are marked *