Home / ସମୀକ୍ଷା / ‘ସଙ୍କଟଯୁକ୍ତ ଆଧୁନିକତା ଓ ‘ଦଳିତ’ଏନ୍ତୁଡ଼ିଶାଳର କିଛି ଝଲକ’ର କିଛି ଅଂଶ

‘ସଙ୍କଟଯୁକ୍ତ ଆଧୁନିକତା ଓ ‘ଦଳିତ’ଏନ୍ତୁଡ଼ିଶାଳର କିଛି ଝଲକ’ର କିଛି ଅଂଶ

ପ୍ରଫେସର ସୟଦ୍ ହୋସେନ୍ ଆଲାଟାସ୍ କହନ୍ତି ଯେ, ‘ପ୍ରାଚ୍ୟ ବିଦ୍ୱାନମାନଙ୍କର ‘ବନ୍ଦୀ ମାନସ’ ତୃତୀୟ ବିଶ୍ୱର ଚିନ୍ତନ ଦାରିଦ୍ର୍ୟର ମୁଖ୍ୟ କାରଣ । ସେ କହନ୍ତି, ‘There is no such thing as objectivity without morality. Research must be based on objectivity. But it cannot be without morality.’ ସେ ଉଦାହରଣ ଦେଇଛନ୍ତି ଯେ ଜଣେ କ୍ୟାନ୍ସର-ଗବେଷକ ଗବେଷଣାରେ ତଥ୍ୟନିଷ୍ଠ ନିରପେକ୍ଷତା ଅବଲମ୍ବନ କରିବା ଉଚିତ । କିନ୍ତୁ ନୈତିକ ଦୃଷ୍ଟିରୁ ସେ କ୍ୟାନ୍ସର-ବିରୋଧୀ ହବା ଉଚିତ । (depleted Uranium)ସ୍ୱଳ୍ପାୟିତ ୟୁରାନିୟମ୍ ବୋମାର ଆବିଷ୍କାରକମାନେ ନୈତିକ ଦୃଷ୍ଟିରୁ ଅପରାଧୀ ।

ବିଚାରର ଏଇ ଦ୍ୱନ୍ଦ୍ୱକୁ ସମାଧାନ କରିଦେଇଛି ଆଧୁନିକ ବିଜ୍ଞାନ । ଅବିଚାରିତ ଓ ଅନିୟନ୍ତ୍ରିତ ଉତ୍ପାଦନର ବହୁଳତା ଉପରେ ପ୍ରଶ୍ନଚିହ୍ନ ଅଙ୍କିତ କରିଦେଇଛି ପ୍ରକୃତି, ମାନବସମାଜର ଦିଗନ୍ତରେ ଉଇଁଛି ଧ୍ୱଂସକାରୀ ଧୂମକେତୁ ଭଳି ଜଳବାୟୁର ପ୍ରଦୂଷଣ ଓ ପରିବର୍ତ୍ତନ । ଅନ୍ୟ ଏକ ଧରଣର ମୃତ୍ୟୁଘଣ୍ଟି ମଧ୍ୟ ବଜାଇ ସାରିଲାଣି ପ୍ରକୃତି । ଗତ ୨୦,୦୦୦ବର୍ଷରେ ମାନବ ମସ୍ତିଷ୍କ ହରାଇ ବସିଛି ୨୦୦ଉଉ ଆୟତନର କୋଷ ସମୂହ (Neurons) । ଦଳେ ବୈଜ୍ଞାନିକ କହୁଛନ୍ତି ମଣିଷର ବୁଦ୍ଧିର (intelligence) ହ୍ରାସାୟନ ଘଟୁଛି, ଆଉ ଦଳେ କହୁଛନ୍ତି ଯେ, ତା’ର ସୂଚନା ମିଳୁନି । କେବେ ଭାବିଛନ୍ତି କି ଆଜିର ଭାରତୀୟ ସମାଜରେ ଧର୍ଷଣ, ରାର୍ୟାଗିଂ, ଯୌତୁକ ହତ୍ୟା, ମେଗା ଦୁର୍ନୀତି, ବୃଦ୍ଧ ପିତାମାତାଙ୍କୁ ଅବହେଳା, ହିଂସା ଓ ଲୋଭପ୍ରଧାନ ଅପରାଧଗୁଡ଼ିକର ଜ୍ୟାମିତିକ ହାରରେ ଅଭିବୃଦ୍ଧି ମସ୍ତିଷ୍କର ସମାଜପ୍ରେମଧର୍ମୀ କୋଷଗୁଡ଼ିକର ମୃତ୍ୟୁଯୋଗୁଁ ଘଟୁଛି? ପ୍ରାଚୀନ ଆଦିବାସୀ ସମାଜ ଏ ସମସ୍ତ ଅପରାଧୀକାର୍ଯ୍ୟରୁ ପ୍ରାୟ ମୁକ୍ତ ଥିଲା । ଗବେଷଣା ପ୍ରମାଣିତ କରିଛି ଯେ ମଣିଷର ମସ୍ତିଷ୍କର ଅଭିବୃଦ୍ଧି ସହ ତାଳଦେଇ ଗତିକରିଛି ମଣିଷର ଅନ୍ତରଙ୍ଗ ଗୋଷ୍ଠୀର ସଭ୍ୟ ସଂଖ୍ୟାର ଆଧିକ୍ୟ । ଗିବନ୍, ସିମ୍ପାଞ୍ଜି ଓ ମଣିଷର (ମସ୍ତିଷ୍କ-ଆୟତନ ପରିମାଣର ଅନୁପାତ: ୧/୨:୧:୪) ଗିବନ୍ ୪ଠୁ ୬ଜଣଙ୍କୁ ନେଇ, ସିମ୍ପାଞ୍ଜି ୫୦ ଠାରୁ ୬୦ଜଣକୁ ନେଇ ଏବଂ ମଣିଷ ୧୪୮ ଜଣକୁ ନେଇ ସଘନ ଗୋଷ୍ଠୀ ଗଠନ କରିପାରେ ।

ମଣିଷ ମାତାପିତାଙ୍କୁ ନେଇ ପରିବାର ଗଠନ କଲା, କିନ୍ତୁ ସିମ୍ପାଞ୍ଜି କ୍ଷେତ୍ରରେ ପୁରୁଷମାନେ ଥିଲେ ଗୋଷ୍ଠୀବଦ୍ଧ ଓ ନାରୀକୁ ସେମାନେ ଜବର୍ଦସ୍ତ ଭୋଗ କରୁଥିଲେ । ପରିବାର ଗଠନ ନହୋଇଥିଲେ ମାନବ ସଭ୍ୟତାର ଆରମ୍ଭ ହୋଇନଥାନ୍ତା । ମସ୍ତିଷ୍କର ବିକାଶ ପାଇଁ ମାତୃପ୍ରେମ ଯେ ମୁଖ୍ୟତଃ ଦାୟୀ, ଏକଥା କହେ ବିଜ୍ଞାନ । ପୁରୁଷ ସିମ୍ପାଞ୍ଜି ଶିଶୁର କୌଣସି ଯତ୍ନ ନିଏନା । ତେଣୁ ସିମ୍ପାଞ୍ଜିସମାଜରେ ନାରୀ ପୁରୁଷର ବଞ୍ôଚବା ସମୟ ଅନୁପାତ ହେଉଛି ୧:୪୨:୧ । ପ୍ରକୃତିର ରାଜ୍ୟରେ ଶିଶୁର ଯତ୍ନନେଉଥିବା ନାରୀ କିମ୍ବା ପୁରୁଷର ଆୟୁଷ ବେଶୀ । (ପଢ଼ନ୍ତୁ ଡରହାମ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ଆନେ କ୍ୟାମପବେଲଙ୍କ ପୁସ୍ତକ ‘ଏ ମାଇଣ୍ଡ୍ ଅଫ୍ ହାର୍ ଓନ୍’) । ଆଜି ଧିରେଧିରେ ପରିବାର ଭାଙ୍ଗିପଡ଼ୁଛି । ଫଳରେ ମଣିଷର ଆତ୍ମଧ୍ୱଂସର ପ୍ରବୃତ୍ତି ବଢ଼ୁଛି।

ସଂଗ୍ରାହକ-ସମାଜ(gatherers) ପୃଥିବୀରେ ଏକମାତ୍ର ଉନ୍ନତ ନଗରସଭ୍ୟତାର ଗଠିତ ଦେଶ ହେଉଛି ଭାରତବର୍ଷ ।

ମହେଞ୍ଜୋଦାରୋ ହରପ୍ପା ସଭ୍ୟତା ଥିଲା ବିଶ୍ୱରେ ଅନନ୍ୟ । ଜିନ୍ ବୈଜ୍ଞାନିକ ସ୍ପେନ୍ସେର୍ ହୁଏଲ୍ ଙ୍କ ବିଖ୍ୟାତ ବହି ‘ ଦ ଜର୍ନୀ ଅଫ୍ ମେନ୍’ ଅନୁସାରେ କେବଳ ଭାରତବର୍ଷରେ ହିଁ ନବପ୍ରସ୍ତର ଯୁଗର (upper paleolithic age)ର ହିଂସାପ୍ରଧାନ ଅସ୍ତ୍ରଶସ୍ତ୍ର ମିଳେନା । ମଃଦ୍ ସଭ୍ୟତା ଥିଲା ନାରୀଗଠିତ (Matricentric)ସଭ୍ୟତା । ପୃଥିବୀର ଅନ୍ୟଦେଶରେ ଶିକାରୀ ପୁରୁଷ-ପ୍ରଧାନ ସଭ୍ୟତାମାନେ ଅନ୍ୟଗୋଷ୍ଠୀଙ୍କୁ ଆକମ୍ରଣ କରି ରକ୍ତରଞ୍ଜିତ ନାରୀ-ଆର୍ତ୍ତନାଦ-କଳଙ୍କିତ ରାଜ୍ୟମାନଙ୍କୁ ଭୋଗ କରୁଥିବାବେଳେ ଭାରତରେ ଅହିଂସାର ମଧୁରବାଣୀ ଉଚ୍ଚାରଣ କରୁଥିବା ଯୋଗୀମାନେ ଯୋଗ, ଆୟୁର୍ବେଦ ଚର୍ଚ୍ଚା କରୁଥିଲେ ।

ସୁଖୀ ସମାଜ ଗଠନ ଓ ସ୍ୱାସ୍ଥ୍ୟଭରା ନଗର ସ୍ଥାପନ ଲକ୍ଷ୍ୟ ନେଇ ସେମାନେ ବିଜ୍ଞାନର କର୍ଷଣ କରୁଥିଲେ । ପ୍ରତ୍ନତତ୍ତ୍ୱ ଓ ମହାଭାରତ ଅନୁଯାୟୀ ସେ ସମୟରେ ଦୁଇ ଶକ୍ତିକେନ୍ଦ୍ର ରାଜା ଓ ମନ୍ଦିରର ଅନୁପସ୍ଥିତ ଯୋଗୁଁ ପ୍ରାକ୍-ବେଦୀୟ ଭାରତୀୟ ଜନତା ଶୋଷିତ ହେଉ ନଥିଲେ । ସମାଜରେ ସମତା ଥିଲା । ପ୍ରତ୍ନତତ୍ତ୍ୱର ପ୍ରଫେସର ସିରୀନ୍ ରତ୍ନାଗରଙ୍କ ଅଦର୍ ଇଣ୍ଡିଆନ୍ ପୁସ୍ତକରେ ଉଗ୍ର ଅସ୍ତ୍ରଧାରୀ ଯାଯାବର (Nomads)ଙ୍କ ପ୍ରଭାବ ଭାରତରେ ଯଥେଷ୍ଟ କମ୍ ଥିଲା (Fringe Phenomenon) । ଭାରତର ତକ୍ରାଳୀନ ଜୀବନଯାତ୍ରା ନେଇ ଭର୍ତ୍ତୃହରିଙ୍କ ଉଦ୍ଧୃତି ଦେଇ ଲେଖିଛନ୍ତି, ‘ମ୍ୟାକ୍ସ୍ ମୁଲାର୍ ତାଙ୍କର ‘ଇଣ୍ଡିଆନ୍ ଭିୟୁ ଅଫ୍ ଲାଇଫର’ପ୍ରବନ୍ଧରେ, ‘There is fruit on the trees in every forest, which, everyone, who likes may pluck without trouble. There is cool and sweet water in the pure rivers here and there.’ ୟୁରୋପର ଜୀବନଯାତ୍ରା ସମ୍ପର୍କରେ ସେଇ ପ୍ରବନ୍ଧରେ ସେ ଲେଖିଛନ୍ତି, ‘…in these northern climates, where life is and always must be a struggle… accumulation of wealth has  become almost a necessity to guard against uncertainties…it was the same… as we known the Teutonic  races,even with Romans and Greeks.’

ପ୍ରଶ୍ନଉଠେ ଏଭଳି ଏକ ଗୌରବମୟ ସଭ୍ୟତାରେ ଜାତି ବିଭାଗ ଭଳି ଏକ ଅସମବ୍ୟବସ୍ଥା ଓ ଅସ୍ପୃଶ୍ୟତା ଭଳି ଏକ ଘୃଣିତ ବ୍ୟବସ୍ଥା ଦେଖାଦେଲା କେମିତି? ଏଭଳି ବ୍ୟବସ୍ଥାଗୁଡ଼ିକୁ ତକ୍ରାଳୀନ ସମାଜ ଗ୍ରହଣ କଲା କାହିଁକି? ସବୁଠୁ ବଡ଼ ପ୍ରଶ୍ନ ହେଉଛି ଛୋଟ ଜାତି ଓ ଅସ୍ପୃଶ୍ୟମାନେ ଏ ଶୋଷଣପ୍ରଧାନ ଓ ଅମର୍ଯ୍ୟାଦାମୁକ୍ତ ବ୍ୟବସ୍ଥାଗୁଡ଼ିକୁ ଗ୍ରହଣ କଲେ କେମିତି? ସେମାନଙ୍କର ବିଦ୍ରୋହ ସମ୍ପର୍କରେ ଇତିହାସ ପୃଷ୍ଠାରେ ବିଶେଷ ତଥ୍ୟ ମିଳୁନି ।

ପ୍ରଥମେ ଆମେ ଆଲୋଚନା କରିବା ଆର୍ଯ୍ୟମାନଙ୍କ ଭାରତ ଆଗମନ ସମ୍ପର୍କରେ । ଅନେକ ଐତିହାସିକ ଓ ଦାର୍ଶନିକ ଆର୍ଯ୍ୟମାନଙ୍କୁ ବହିରାଗତ ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି । ଜିନ୍ବିଜ୍ଞାନୀ ଓ ପ୍ରତ୍ନତତ୍ତ୍ୱବିତ୍ମାନେ ଏ ସମ୍ପର୍କରେ ଚୁଡ଼ାନ୍ତ ପ୍ରମାଣ ଦାଖଲ କରିଛନ୍ତି । ସ୍ପେନ୍ସେର୍ ହୁଏଲ୍  ଲେଖିଛନ୍ତି ଜିନ୍ ବିଜ୍ଞାନ ପ୍ରମାଣିତ କରୁଛି ଦିଲ୍ଲୀ ଭଳି ସହରର ଉପର ଜାତିମାନଙ୍କର ଶତକଡ଼ା ୩୫ଭାଗ ଜିନ୍ ମଧ୍ୟ ଏସିଆର ଲୋକଙ୍କ ଜିନ୍ ସହ ମିଳିଯାଉଛି । ସେପ୍ଟେମ୍ବର ୨୪, ୨୦୦୯ରେ ନେତର୍ ପତ୍ରିକାରେ ଦଳେ ବୈଜ୍ଞାନିକଙ୍କ ଦ୍ୱାରା ପ୍ରକାଶିତ ଏକ ପ୍ରବନ୍ଧରେ ଭାରତୀୟ ଜନତାର ଜିନ୍ ଗତ ବିଭିନ୍ନତା ସମ୍ପର୍କରେ ତଥ୍ୟପ୍ରମାଣ ସହ ଆଲୋଚନା କରାଯାଇଛି । ସେଥିରେ ଲେଖାଯାଇଛି, ‘The population that emerged from ANI (Ancient North Indians) show 40-80 of affinity to European population.’The Hindu: 24-9-2009

ନେଚର୍ ପ୍ରବନ୍ଧରେ ବରିଷ୍ଠ ବୈଜ୍ଞାନିକ (CCMB)Dr. Kumarswamy Thangaraj  ଲେଖିଥିଲେ, ‘But the population that emerged from ASI (Ancient South Indians) do not show any affinity to any population outside India.’ Spencer wells (The Journey of Man) ଲେଖିଛନ୍ତି ଯେ, ୩୦,୦୦୦ବର୍ଷ ତଳେ ଦ୍ରାବିଡ଼ଗୋଷ୍ଠୀ ଭାରତକୁ ଆସିଥିଲେ ଏବଂ ଭାରତ ବାହାରେ ଏମାନଙ୍କ ସଂଖ୍ୟା ୧-୨%ରୁ ଅଧିକ ନୁହେଁ । ଝ.ଡରକ୍ଷକ୍ଷଗ୍ଦଙ୍କ ଗବେଷଣା ଅନୁଯାୟୀ ଆର୍ଯ୍ୟମାନେ ଭାରତବର୍ଷକୁ ପ୍ରାୟ ୩୫୦୦ଠୁ ୩୭୦୦ବର୍ଷ ତଳେ ଆସିଥିଲେ ମଧ୍ୟ ଏସିଆରୁ ।

ପ୍ରଫେସର ପାର୍ଥ ମଜୁମ୍ଦାର୍ ଓ ତାଙ୍କ ସତୀର୍ଥମାନେ ଏକାଠି ହୋଇ ଭାରତର ପ୍ରାୟ ସବୁଶ୍ରେଣୀର ଅତୀତର ମୂଳଗୋଷ୍ଠୀମାନଙ୍କ ସମ୍ପର୍କରେ ଗବେଷଣା କରି ଅକ୍ଟୋବର ୨୦୦୩ରେ – Journal of Genome Research ପତ୍ରିକାରେ ଏକ ପ୍ରବନ୍ଧ ପ୍ରକାଶ କରିଥିଲେ । ସମଗ୍ର ଭାରତର ଲୋକେ ଅଳ୍ପ କେତେଜଣ ସ୍ତ୍ରୀ ଲୋକଙ୍କର ବଂଶଧର । ନାରୀଠାରେ ଥିବା Mtchondrial DNAର ଅଧ୍ୟୟନ ଏହା ସାବ୍ୟସ୍ତ କଲା । ଏହାକୁ Fecund Draupadi Phenomenon (ବହୁ ପୁରୁଷଙ୍କ ଦ୍ୱାରା ସନ୍ତାନବତୀ ଦ୍ରୌପଦୀକରଣ ପ୍ରକ୍ରିୟା) କୁହାଯାଇପାରେ । ଆଷ୍ଟ୍ରୋ-ଏସିଆଟିକ୍ (AA) ବା ଆଦିବାସୀ ସମ୍ପ୍ରଦାୟ ଭାରତକୁ ଆସିଥିଲେ ୫୫,୦୦୦ବର୍ଷ ତଳେ । ଆର୍ଯ୍ୟଙ୍କର ଆଗମନ ପୂର୍ବରୁ ଭାରତର ବହୁ ଅଞ୍ଚଳରେ ଦ୍ରାବିଡ଼ୀୟ ଗୋଷ୍ଠୀ ବାସ କରୁଥିଲେ । ୩୫୦୦ବର୍ଷତଳେ ଭାରତକୁ ଆସିଥିବା ଭାରତ ୟୁରୋପୀୟ (Indo-Euporean) ଗୋଷ୍ଠୀ ଜାତିବିଭାଗ ପ୍ରଥା ଭାରତରେ ପ୍ରଚଳନ କରାଇଲେ । ଦ୍ରାବିଡ଼ମାନେ ଅନେକ ଜାଗାରେ ବେଦୀୟ-ଆର୍ଯ୍ୟଙ୍କ ଆଧିପତ୍ୟ ଏଡ଼ାଇବା ପାଇଁ ବହୁ ଜାଗାରୁ ଦାକ୍ଷିଣାତ୍ୟକୁ ପଳାୟନ କରିଥିଲେ । ମଧ୍ୟଏସିଆରୁ ଆଗତ ଆର୍ଯ୍ୟଗୋଷ୍ଠୀ ଦ୍ୱାରା ମୁଖ୍ୟତଃ ଉତ୍ତରଭାରତର ଉପର ଶ୍ରେଣୀଗୁଡ଼ିକ ଗଠିତ ହୋଇଥିଲା । ଆନ୍ଧ୍ର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ B.B.Rao, M.Naidu, BVR Prasad ଓ ଅନ୍ୟ ବୈଜ୍ଞାନିକମାନେ ଏ ତଥ୍ୟଗୁଡ଼ିକ ଠିକ୍ବୋଲି ଗବେଷଣା ଦ୍ୱାରା ପ୍ରମାଣିତ କରିଥିଲେ ।

ଆର୍ଯ୍ୟମାନେ ଯେ ବହିରାଗତ, ଏ ସମ୍ପର୍କରେ ଅଧିକ ପ୍ରମାଣ ନିଷ୍ପ୍ରୟୋଜନ । ସେମାନଙ୍କର ନିଷ୍ଠୁର ଆକ୍ରମଣ ଫଳରେ ସ୍ଥାନୀୟ ଅପେକ୍ଷାକୃତ ଅହିଂସ କିଛି ଗୋଷ୍ଠୀ ପଳାଇବାକୁ ବାଧ୍ୟ ହୋଇଥିଲେ । (ଋଗ୍ ବେଦ ୧-୩୦-୧୨; ୧-୩୩-୬-୭; ୧:୫୧:୫, ୧:୫୩-୮ ଏବଂ ଆହୁରି ଅନେକ ଶ୍ଳୋକ) ।

ଭାରତର ପ୍ରାକ୍ବୈଦିକ ସମାଜକୁ ନବୁଝିଲେ ଜାତିବିଭାଗ ଓ ଅସ୍ପୃଶ୍ୟତାର ମୂଳଉତ୍ସ ଆମ ପାଇଁ ଅଜ୍ଞାତ ରହିଯିବ । ସେହିଭଳି ଅବୋଧ୍ୟ ରହିଯିବ ବୁଦ୍ଧ, ମହାବୀର ଓ ଗାନ୍ଧୀଙ୍କ ଭଳି ବ୍ୟକ୍ତିଙ୍କ ଭାରତରେ ଆବିର୍ଭାବ ।

ଦୁଃଖର କଥା ପ୍ରଚୁର ସାକ୍ଷ୍ୟ ପ୍ରମାଣ ଥିବା ସତ୍ତେ୍ୱ ଆମର ଐତିହାସିକ ଓ ଦାର୍ଶନିକମାନେ ଏ ପ୍ରାକ୍ -ବୈଦିକ ସଭ୍ୟତାର ରୂପାୟନ କରି ପାରିନାହାନ୍ତି । ଫଳରେ ‘ଅସ୍ପୃଶ୍ୟତା’ ଭଳି ଘୃଣିତ ପ୍ରଥାର ମୂଳ ଉତ୍ସ ଭାରତର ଚିନ୍ତକମାନଙ୍କ ପାଇଁ ଅଜ୍ଞାତ ରହିଯାଇଛି । ଜବାହାରଲାଲ ହଣ୍ଡୁ(Central Institute of Indian Languages, Mysore) ତାଙ୍କର ‘Epic Metaphor of Modern society’ -ପ୍ରବନ୍ଧରେ ଲେଖିଛନ୍ତି, ‘…This kind of reasoning (analogical)…inspired the development of whitish is known as the first scientific colonialism in which the non -Europian peoples and their cultures were assimilated to the world of objects to be manipulated and controlled at will.’

ପ୍ରଫେସର୍ ଆଲାଟାସ୍ ଙ୍କ  ‘ବନ୍ଦୀ ମସ୍ତିଷ୍କ’ ଚିନ୍ତନ ଏବଂ ହଣ୍ଡୁଙ୍କ ‘ବୈଜ୍ଞାନିକ ଉପନିବେଶବାଦ’ ଚିନ୍ତନରେ ପ୍ରାୟ ଫରକ ନାହିଁ । ଭାରତର ବିଖ୍ୟାତ ଐତିହାସିକ ଓ ଦାର୍ଶନିକମାନେ ଅନନ୍ୟ ଭାରତୀୟ ପ୍ରାକ୍-ବେଦୀୟ ସଭ୍ୟତାକୁ ବୁଝିବା ଏପର୍ଯ୍ୟନ୍ତ ସମ୍ଭବ ହୋଇନି ।

ପ୍ରଖ୍ୟାତ ଚିନ୍ତକ ନାଓମ ଚମସ୍କି ଆଉ ପାଦେ ଆଗକୁ ଯାଇ ଲୋହିଆ ଢଙ୍ଗରେ କହିଛନ୍ତି ଯେ, ଆମେରିକୀୟ ୟୁରୋପୀୟ ଚିନ୍ତକମାନେ ମଧ୍ୟ ସେମାନଙ୍କ ଚିନ୍ତନର ମୌଳିକତା ହରାଇଛନ୍ତି । ଚମସ୍କି ଲେଖିଛନ୍ତି, ‘ideological institutions.. channel thought and altitudes within acceptable bounds, defecting any potential challenge to established power and authority before it can take form and gather strength.’ ସତ୍ୟର କଣ୍ଠରୋଧ କରେ ଗତାନୁଗତିକ ଚିନ୍ତନö ମାର୍କ୍ସଙ୍କ ଉକ୍ତି, ‘a ruthless criticism of all that exists’ ହିଁ ଏକମାତ୍ର ସତ୍ୟ ଅନ୍ୱେଷଣର ରାସ୍ତା ।

ଭାରତ ଇତିହାସର ଅନନ୍ୟତ୍ୱ ଏବେ ସାବ୍ୟସ୍ତ କରୁଛି ବିଜ୍ଞାନ । ୫୦ହଜାର ବର୍ଷ ତଳୁ (Upper Paleulithic age) ଭାରତରେ ପ୍ରାଧାନ୍ୟ ବିସ୍ତାର କରିଥିଲା ‘ଅହିଂସା’ । ‘ଅହିଂସା’ ସହିତ ଅଚ୍ଛେଦ୍ୟ ଭାବରେ ମୁକ୍ତ ‘ଅପରିଗ୍ରହ’ କାରଣ ସବୁଠୁ ରୁଚିକର ଖାଦ୍ୟ ମାଂସାହାରକୁ ବିରୋଧ କରେ ଅହିଂସ ବ୍ୟକ୍ତି । ଅହିଂସ ବ୍ୟକ୍ତି ପାଇଁ ଏକମାତ୍ର ଆଦର୍ଶ ‘ସବୁ ପ୍ରାଣୀଙ୍କର ମଙ୍ଗଳ କାମନା’ (ସର୍ବଭୂତହିତେ ରତାଃ -ଗୀତା) ।

ଭାରତୀୟ ଦାର୍ଶନିକ ଓ ଐତିହାସିକମାନେ ଅଣଦେଖା କରିଦେଲେ ଅର୍ଥଶାସ୍ତ୍ରରେ କୌଟିଲ୍ୟଙ୍କ ଯୋଗ, ସାଂଖ୍ୟ ଓ ଲୋକାୟତର ସମାହାର, ଅନ୍ୱୀକ୍ଷିକୀ ସମ୍ବନ୍ଧୀୟ ପ୍ରଶଂସା ଜୁଡ଼ୁବୁଡ଼ୁ ମନ୍ତବ୍ୟକୁ । କେବଳ ଏହି ମନ୍ତବ୍ୟନୁହେଁ, ‘ଉପନିଷଦ ହେଉଛି ଶତ୍ରୁ ଜୟ କରିବାର ଗୁପ୍ତଜ୍ଞାନ ।’ ଏ ମନ୍ତବ୍ୟ ବି ରହିଗଲା ବିଦ୍ୱାନଙ୍କ ଦ୍ୱାରା ଅନାଲୋଚିତ । କେବଳ କୌଟିଲ୍ୟ ନୁହନ୍ତି, ମେଗାସ୍ଥିନିସ ଓ ଅନ୍ୟ ଗ୍ରୀକ୍ ଭାରତ ଆଗନ୍ତୁକଙ୍କ ସମସ୍ତରୀୟ ଉକ୍ତି ଅନ୍ୱୀକ୍ଷିକୀ ସାଧକଙ୍କର ଭାରତରେ ଥିଲା ସର୍ବୋଚ୍ଚ ସାମାଜିକ ମର୍ଯ୍ୟାଦା ।’ ସେମାନେ ବାଦ୍ ଦେଇଦେଲେ ତାଙ୍କ ବିଚାରରୁ, ଭାରତର ପ୍ରସିଦ୍ଧ ଗ୍ରନ୍ଥ ‘ଗୀତା’ର ଶ୍ଳୋକ, ‘ଯୋଗୀର ସ୍ଥାନ ଦେଶରେ ସର୍ବୋଚ୍ଚ (ଜ୍ଞାନୀ, କର୍ମୀ, ତପସ୍ୱୀ : ସମସ୍ତଙ୍କଠୁ ବଡ଼ ହେଉଛନ୍ତି ଯୋଗୀ-ଗୀତା-୬-୪୬)’, ଏହା ମଧ୍ୟ କୌଣସି ବିଶିଷ୍ଟ ଦାର୍ଶନିକ ଓ ଐତିହାସିକଙ୍କ ଲେଖାରେ ଗୁରୁତ୍ୱ ପାଇଲାନି । ହେତୁବାଦୀ ଯୋଗପ୍ରତି ଏମାନଙ୍କର ଏଲର୍ଜି ଏତେ ତୀବ୍ର କାହିଁକି, ସେ କଥା ବୁଝିହୁଏନା ।

ଭାରତର ବହୁ ପ୍ରଚଳିତ ଯୁଗ ସମ୍ପର୍କରେ ମିଥ୍ (ସତ୍ୟ,ତ୍ରେତା,ଦ୍ୱାପର,କଳି)ସହ କୌଟିଲ୍ୟଙ୍କ ଉକ୍ତି, ମେଗାସ୍ଥିନିସ୍ଙ୍କ ବିବରଣୀ ଓ ଗୀତାର ସ୍ପଷ୍ଟୋକ୍ତି ଗୁଡ଼ିକର (ଯୋଗ ପୂର୍ବକାଳରେ ଥିଲା, ମଝିରେ କିଛିଦିନ ପାଇଁ ଯୋଗବିଚାର ନଷ୍ଟ ହୋଇଯାଇଥିଲା-ଗୀତା, ୪-୨) ଯେଉଁ ଅଚ୍ଛେଦ୍ୟ ସମ୍ପର୍କ ରହିଛି, ତାହା ଯେ ଆମମାନଙ୍କ ଦୃଷ୍ଟି ଆଢ଼ୁଆଳକୁ ଚାଲିଯାଇଛି, ପ୍ରାକ୍-ବେଦୀୟ ସଭ୍ୟତାର ସାମଗ୍ରିକ ରୂପକୁ କୌଣସି ବଡ଼ ଚିନ୍ତକ ଆମ ଗୋଚରକୁ ଆଣିପାରି ନାହାନ୍ତି ।

କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରୁ ପ୍ରମାଣିତ ହୁଏ ଭାରତରେ ଅନ୍ୱୀକ୍ଷିକୀ ବିଦ୍ୟା ସର୍ବୋଚ୍ଚ ସ୍ଥାନରେ ଥିଲା । ଏହା  ପୂର୍ଣ୍ଣରୂପେ ହେତୁବାଦୀ ବିଦ୍ୟା କହିଲେ ବି ହେବ । ମେଗାସ୍ତିନିସ୍ଙ୍କ ବିବରଣୀରୁ ବି ପ୍ରମାଣିତ ହୁଏ gymno-sophist ବା ଅନ୍ୱୀକ୍ଷିକୀ ବିଦ୍ୟାକୁ ଜୀବନରେ ଶ୍ରେଷ୍ଠ ସ୍ଥାନ ଦେଇଥିବା ବ୍ୟକ୍ତିମାନେ ( ଯୋଗୀ, ସାଂଖ୍ୟବାଦୀ ଏବଂଲୋକାୟତ୍ତିକମାନେ) ଭାରତୀୟ ସମାଜରେ ସର୍ବୋଚ୍ଚ ସମ୍ମାନଜନକ ସ୍ଥାନରେ ଥିଲେ ।  ଗୀତାରେ ମଧ୍ୟ ଲେଖା ଅଛି ଯେ କର୍ମୀ, ଜ୍ଞାନୀ ଏବଂ ତପସ୍ୱୀଙ୍କଠାରୁ ଯୋଗୀଶ୍ରେଷ୍ଠ । ମହେଞ୍ଜୋଦାରେ- ହର୍ରପା ସଭ୍ୟତାରେ ଯୋଗୀମାନଙ୍କ ସ୍ଥାନ ସର୍ବୋଚ୍ଚ ଥିଲା । ସେ ସଭ୍ୟତାରେ ରାଜା ନଥିଲେ କିମ୍ବା ମନ୍ଦିର ନଥିଲା । ତେଣୁ ଆର୍ଯ୍ୟମାନେ ଯୋଗୀମାନଙ୍କର ସମ୍ମାନ କ୍ଷୁଣ୍ଣ କରିବାପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ପ୍ରାଥମିକ ସ୍ତରରେ ବୃତ୍ରଙ୍କ ଭଳି ଯୋଗୀଙ୍କୁ ହତ୍ୟା କରି ଇନ୍ଦ୍ର ଅସୁବିଧାରେ ପଡ଼ିଥିଲେ । ତେଣୁ ସେମାନେ ଦସ୍ୟୁଙ୍କୁ ହତ୍ୟା କରୁଥିଲେ କିନ୍ତୁ ଯୋଗୀଙ୍କୁ ହତ୍ୟା କରୁନଥିଲେ । ( ବେଦ)

ଆଜିର ନୃତତ୍ତ୍ୱ ପ୍ରମାଣିତ କରେ ଯେ ପୃଥିବୀରେ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ସ୍ତରର ମାନବଗୋଷ୍ଠୀ ଗଢ଼ି ଉଠିଥିଲେ । ଅନ୍ଧାରରେ ଯେମିତି ସବୁ ରଙ୍ଗ ଲିଭିଯାଏ, ସେମିତି ବିଭିନ୍ନ ନୃଶଂସ ଯାଯାବର ମାନବଗୋଷ୍ଠୀ ପ୍ରବର୍ତ୍ତିତ ‘ହିଂସା’ର ବୁଲ୍ଡୋଜର ସବୁଗୋଷ୍ଠୀ ଉପରେ ମାଡ଼ିଯାଇ ସେମାନଙ୍କର ଭିନ୍ନ ଭିନ୍ନ ମୂଲ୍ୟବୋଧ ବ୍ୟବସ୍ଥାଗୁଡ଼ିକୁ ନଷ୍ଟ ଓ ଏକମୁଖୀ କରିଦେଲା । ପୃଥିବୀର ପ୍ରାୟ ଅଧିକାଂଶ ସଭ୍ୟତାରେ ସାମାଜିକ ବ୍ୟବସ୍ଥାରେ ଗୋଷ୍ଠୀ-ଉକ୍ରର୍ଷତା ଏକ ଅତ୍ୟାବଶ୍ୟକ ଉପାଦାନ । ଆଧୁନିକ ଭାରତରେ ନେତା, ପ୍ରଶାସକ,ମିଡ଼ିଆ-ଦଖଲକାରୀ, ଫିଲ୍ମତାରିକା, ଓକିଲ, ବେପାରୀ, ଖେଳାଳୀ ଓ ବୈଜ୍ଞାନିକମାନଙ୍କ ସ୍ଥାନ ଉଚ୍ଚରେ । ଆଧୁନିକ ସମାଜରେ ଖେଳାଳୀ ଓ ସିନେମାଷ୍ଟାରଙ୍କ ସାମାଜିକ ମର୍ଯ୍ୟାଦା ସମସ୍ତଙ୍କଠୁ ଅଧିକ ।

ପ୍ରାଚୀନ ପ୍ରାକ୍ବୈଦିକ ଭାରତରେ ସର୍ବୋଚ୍ଚ ସ୍ଥାନରେ ଥିଲେ ଅନ୍ୱୀକ୍ଷିକୀ-ଗୋଷ୍ଠୀ । ସେମାନଙ୍କର ସମାଜଧର୍ମୀ ମୂଲ୍ୟବୋଧଗୁଡ଼ିକ ସର୍ବଜନାଦୃତ ଥିଲା । ସେ ଯୁଗକୁ ସତ୍ୟଯୁଗ କୁହାଯାଉଥିଲା । ଏହି ଯୁଗରେ ଯଜ୍ଞ ନଥିଲା (ଶାନ୍ତିପର୍ବ ୨୩୨-୩୨) । ବେଦକୁ ମଧ୍ୟ ସତ୍ୟଯୁଗରେ ମାନୁ ନଥିଲେ(୨୩୨-୩୩) । ତ୍ରେତା ଯୁଗରେ ବେଦ ଓ ଯଜ୍ଞକୁ ଲୋକେ ମାନିଲେ । (୨୩୨-୩୪) ବେଦ ଓ ଯଜ୍ଞକୁ ଛାଡ଼ି ଯେଉଁ ସଭ୍ୟତା ଗଢ଼ିଉଠିଥିଲା, ସେହି ସଭ୍ୟତାର ଶ୍ରେଷ୍ଠତ୍ୱ ଯୋଗୀୟ ମୂଲ୍ୟବୋଧଭିତ୍ତିକ ଥିଲା । ଅନ୍ୱୀକ୍ଷିକୀ ସଭ୍ୟତା ଥିଲା ଜଡ଼ବାଦୀ, ହେତୁବାଦୀ ଓ ନିରୀଶ୍ୱରବାଦୀ । ଅନେକ ମାତ୍ରାରେ ନାରୀର ଯୌନ ସ୍ୱାଧୀନତା ଏ ସମୟରେ ଥିଲା (ଶ୍ୱେତକେତୁ ଉପାଖ୍ୟାନ) । ଶ୍ୱେତକେତୁଙ୍କ ପିତା ନାରୀର ଯୌନ ସ୍ୱାଧୀନତା ସନାତନ ପ୍ରଥା ବୋଲି କହିଥିଲେ, ଶ୍ୱେତକେତୁ ଏ ପ୍ରଥାକୁ ବଦଳାଇଥିଲେ ।

ଭାରତରେ ଭିନ୍ନ ଭିନ୍ନ ଗୋଷ୍ଠୀର ଲୋକ ଥିଲେ । କୌଣସି ଅହିଂସ ସମାଜରେ ଏହା ସମ୍ଭବ କାରଣ ଯୋଦ୍ଧା ସମାଜରେ ପ୍ରତ୍ୟେକ ଗୋଷ୍ଠୀ ନିଜର ଅସ୍ତିତ୍ୱ ରଖିବା ସମ୍ଭବନୁହେଁ । ଯୋଗୀସମାଜରେ (Gymno-sophists) ଦେଶର ସବୁ ଗୋଷ୍ଠୀର ଲୋକେ ଯୋଗ ଦେଇପାରୁଥିଲେ । ଯେଉଁମାନେ ଅହିଂସା, ସତ୍ୟ, ଅସ୍ତେୟ, ଅପରିଗ୍ରହ ତଥା ମୈତ୍ରୀ, କରୁଣା, ମୁଦିତା, ଉପେକ୍ଷା ପ୍ରଭୃତି ମୂଲ୍ୟବୋଧକୁ ପାଳିବା ଜୀବନର ବ୍ରତରୂପେ ମାନି ନେଇଥିଲେ, ସେମାନେ ଥିଲେ ଯୋଗିନୀ ଓ ଯୋଗୀ ।

ଏହି ଗୋଷ୍ଠୀ ସମ୍ପର୍କରେ Max Muller ଲେଖିଲେ, ‘The greatest conquerer of antiquity stood in silent wonderment  before the Indian gymno-sophists regretting that he could not  communicate with them in their language. ଭାରତରେ ଯୋଗୀ ଥିଲେ ଓ ଯୋଦ୍ଧାଥିଲେ କିନ୍ତୁ ଯୋଗୀଙ୍କର ସ୍ଥାନଥିଲା ଭାରତରେ ସର୍ବୋଚ୍ଚ । ପାଖାପାଖି ୩୭୦୦ ବର୍ଷ ତଳେ ଅହିଂସ ଯୋଗୀଙ୍କର ଭାରତକୁ ମାଡ଼ି ଆସିଲେ ଯାଯାବର ଶିକାରୀ ସଭ୍ୟତାର ଦାୟାଦ ବେଦୀୟ ଆର୍ଯ୍ୟଦଳ । କ୍ରୁର, ଧର୍ଷକ, ସୋମପାୟୀ, ଅସାଧାରଣ ବିକ୍ରମୀ ଯୋଦ୍ଧା ଇନ୍ଦ୍ର ଥିଲେ ତାଙ୍କର ନେତା ।

ଦୁଇସଭ୍ୟତାର ସଂଘାତ ନେଇ ବିଖ୍ୟାତ ଐତିହାସିକ ରମିଲା ଥପ୍ପର ଲେଖିଲେ, ‘There is litttle evidence for large scale conflict and constant warfare.’ The Historiography of the concept of Aryan. ଗ୍ରୀସ୍ ଭଳି ପୃଥିବୀର ସଭ୍ୟ ଦେଶମାନଙ୍କରେ ଆର୍ଯ୍ୟମାନେ ରକ୍ତକ୍ଷୟୀ ଯୁଦ୍ଧଜିତି ନିଜର ଶ୍ରେଷ୍ଠତା ଜାହିର କରିଛନ୍ତି । କିନ୍ତୁ ଭାରତବର୍ଷରେ ସେମାନେ ପ୍ରଭାବଶାଳୀ ହୋଇଛନ୍ତି ଅଥଚ କୌଣସି ବଡ଼ ଧରଣର ଯୁଦ୍ଧ ଏଠାରେ ସମ୍ଭବ ହୋଇନି, ଏହାର କାରଣ କ’ଣ? ଋଗ୍ବେଦ କହେ ଆର୍ଯ୍ୟମାନଙ୍କର ଦୁଇ ପ୍ରଧାନ ଶତ୍ରୁଥିଲେ ‘ଦାସ’ ଓ ‘ଦସ୍ୟୁ’ ଗୋଷ୍ଠୀ । ଦାସଙ୍କୁ ହରାଇ ଓ ଦସ୍ୟୁଙ୍କୁ ହତ୍ୟାକରି ଇନ୍ଦ୍ର ହୋଇଯାଇଛନ୍ତି ପ୍ରଧାନଦେବତା ଋଗ୍ବେଦରେ । ‘ଦାସ’ ଓ ‘ଦସ୍ୟୁ’ ପ୍ରାକ୍-ବେଦୀୟ ଭାରତୀୟ ଶବ୍ଦ ନୁହେଁ, ଏହି ଶବ୍ଦ ଦୁଇଟି ଆନୀତ ଇରାନୀୟ ଭାଷାରୁ । ‘They (Dasas) may have represented the Daher tribe of Iran… the word Dahyu in Iraniam means land.’ (କୁଙ୍କୁମ ରାୟ) ।

‘ଦସ୍ୟୁ’ମାନେ ଥିଲେ ଆଟବିକ ଯୋଦ୍ଧା ଗୋଷ୍ଠୀ ଓ ‘ଦାସ’ମାନେ ଥିଲେ ‘ଯୋଗୀ’ । ଋଗ ବେଦରେ ଯେଉଁ ପ୍ରଭାବଶାଳୀ ‘ଦାସ’ମାନଙ୍କ ନାମ ରହିଛି, ସେମାନଙ୍କ ମଧ୍ୟରୁ ‘ବୃତ୍ର’ ଜଣେ । ୠଗ୍ବେଦରେ କୌଣସି ସ୍ଥାନରେ ‘ବୃତ୍ର’ଙ୍କୁ ‘ଅସୁର’ କୁହାଯାଇନି । ଋଗ୍ବେଦ ୨:୧୧:୨ ଶ୍ଳୋକରେ ରହିଛି । ସେ ‘(ଇନ୍ଦ୍ର)ହତ୍ୟା କଲେ ସେହି ‘ଦାସ’କୁ ଯେ ନିଜକୁ ଅମର ଭାବୁଥିଲା ।’ ‘As we saw before this Dasa is apparently ‘Virtra’ (W.E. Hale) ‘Asura’। ‘ଦାସ’ ଓ ‘ଦସ୍ୟୁ’ ବେଳେ ବେଳେ ଏକାକାର ହୋଇଯାଇଛନ୍ତି । (R.V., 10:22:8-W.E.Hale: asura) ବୃତ୍ର ଜଣେ ସାଧାରଣ ବ୍ୟକ୍ତି ନଥିଲେ । ମହାଭାରତରେ ଲେଖାଅଛି ସେ ଥିଲେ ଜଣେ ମହାଯୋଗୀ । ‘ବ୍ରହ୍ମା ବୃତ୍ରକୁ ଯୋଗୀଙ୍କ ମହିମା… ଦିବ୍ୟ ପରାକ୍ରମ ତଥା ସର୍ବଶ୍ରେଷ୍ଠ ତେଜପ୍ରଦାନ କରିଥିଲେ । (ଶାନ୍ତିପର୍ବ୨୮୧-୩୭) ।

ମହାଭାରତରେ ଲେଖାଅଛି–

‘ନିର୍ଜିର୍ତେନାସହାୟେନ ହୃତରାଜ୍ୟେନ ଭାରତ,

ଅଶୋଚତା ଶତ୍ରୁ ମଧ୍ୟେ ବୁଦ୍ଧିମାସ୍ଥାୟ କେବଳଂ

ମହଭାରତ: ଶାନ୍ତିପର୍ବ ୨୭୯:୧୪

ବୃତ୍ରଙ୍କ ପାଖେ ଯୋଗୀଙ୍କର ଲକ୍ଷଣ ପୂର୍ଣ୍ଣମାତ୍ରାରେ ଥିଲା । ବୃତ୍ରଙ୍କ ସହ ସୋମ ଏବଂ ଅଗ୍ନିଙ୍କର ମିତ୍ରତା ଥିଲା । ଇନ୍ଦ୍ର ସେ ଦୁହିଁଙ୍କୁ ବୃତ୍ରଙ୍କୁ ତ୍ୟାଗ କରିବାକୁ ଅନୁରୋଧ କରିଥିଲେ ଏବଂ ସେମାନେ ରାଜି ହୋଇଥିଲେ । (A.K.Lahiri: Vedic Vritra) ଋଗ୍ବେଦର ଏହି ଘଟଣାରୁ ଜଣାପଡ଼ୁଛି ଯେ ‘ଦାସ’ମାନଙ୍କୁ ହତ୍ୟା ନକରି ସେମାନଙ୍କ ସହ ବନ୍ଧୁ ଭାବ ରଖିବାପାଇଁ କିଛି ଆର୍ଯ୍ୟଯୋଦ୍ଧା ମତ ଦେଉଥିଲେ । କିନ୍ତୁ ‘ଇନ୍ଦ୍ର’ଙ୍କ ଭଳି ଉଗ୍ର ସ୍ୱଭାବର ବ୍ୟକ୍ତିମାନେ ସେମାନଙ୍କ ମତକୁ ଅଗ୍ରାହ୍ୟ କରିଥିଲେ ।

ବୃତ୍ର ଯୋଗୀ(ବ୍ରାହ୍ମଣ) ଥିବାରୁ ବୃତ୍ରଙ୍କ ହତ୍ୟା ପରେ ଇନ୍ଦ୍ର ବ୍ରହ୍ମହତ୍ୟା ଅପରାଧରେ ଦୋଷୀ ହୋଇ ଏକ ଗୋପନ ଜାଗାରେ ଲୁଚିବାକୁ ବାଧ୍ୟ ହୋଇଥିଲେ ।

ବଶିଷ୍ଠଙ୍କ ପୂର୍ବପୁରୁଷ ଥିଲେ ବରଶିଖ । ଦାସ ବରଶିଖଙ୍କୁ ହତ୍ୟା କରିଥିଲେ ଇନ୍ଦ୍ର । କବଶ ଐଲୁଶ ଥିଲେ ବେଦଯୁଗର ଜଣେ ବିଶିଷ୍ଟ ଋଷି । ସେ ଥିଲେ ଦାସୀପୁତ୍ର । କବଶଙ୍କ ପୂର୍ବପୁରୁଷ ଇନ୍ଦ୍ରଙ୍କ କ୍ରୋଧର ଶିକାର ହୋଇଥିଲେ । ନମୁଚି, ପିପୃ ସମ୍ବର: ସମସ୍ତେ ଥିଲେ ‘ଦାସ’ । ସେମାନଙ୍କର ପ୍ରଚୁର ସମ୍ପଦ ଥିଲା । ଋଗ୍ବେଦ ୧୦:୭୩:୧ରେ ଲେଖାରହିଛି ଯେ ଦାସ ନମୁଚି ଥିଲେ ଜଣେ ଉତ୍ତମ ବ୍ୟକ୍ତି।

ଗୀତାରୁ ସୂଚନା ମିଳେ ଯେ ଦୁଇଧରଣର ଯୋଗୀ ଭାରତରେ ବାସ କରୁଥିଲେ । ଦଳେ ଥିଲେ ‘ଆତ୍ମରତି-ନିମଗ୍ନ’; (ଗୀତା:୩-୧୪) ଏମାନେ ସାଧାରଣତଃ ପାହାଡ଼, ଜଙ୍ଗଲରେ ବାସ କରୁଥିଲେ। ବେଦରେ ଏମାନଙ୍କୁ ‘ଯତି’ କୁହାଯାଇଛି । ଧ୍ୟାନରେ ଏମାନଙ୍କର ସମୟ କଟୁଥିଲା । (ବିବିକ, ସେବୀ-ଲଘ୍ୱାଶୀ-ଗୀତା) । ଅନ୍ୟଏକ ଶ୍ରେଣୀ ଥିଲେ ଜନମୁଖ୍ୟ ଏବଂ ସର୍ବଭୂତ ହିତରତ ଲୋକ-ସଂଗ୍ରହବାଦୀ(ଗୀତା-୩:୨୦) । ଜନକ, ଋଷଭନାଥ ଏବଂ ପ୍ରାୟ ସମସ୍ତ କ୍ଷତ୍ରିୟ(ବ୍ରାହ୍ମଣ ତୀର୍ଥଙ୍କର ସଂଖ୍ୟା ବହୁତ କମ୍) । ତୀର୍ଥଙ୍କର ଥିଲେ ଲୋକ ସଂଗ୍ରହବାଦୀ ଯୋଗୀ ।

ଉଭୟଶ୍ରେଣୀର ଯୋଗୀ ସମାନ ସମ୍ମାନର ଅଧିକାରୀ ଥିଲେ । ବୁଦ୍ଧଙ୍କର ସିଦ୍ଧି ପରେ ସେ କେଉଁଶ୍ରେଣୀର ଯୋଗୀ ହେବେ, ସେ ବିଷୟ ନେଇ ସେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ । ଶେଷରେ ସେ ନିଷ୍ପତ୍ତି କଲେ ସେ ‘ଲୋକସଂଗ୍ରହବାଦୀ ଯୋଗୀ’ ହେବେ । ପଦ୍ମପୁରାଣ କହେ ଯେ ରାଜା ‘ବେଣ’ ଜଣେ ଯୋଗୀ (ଜୈନ)ଥିଲେ । ତେଣୁ ତାଙ୍କୁ ଯଜ୍ଞବାଦୀ ବ୍ରାହ୍ମଣମାନେ ହତ୍ୟା କରିଥିଲେ । (ରାଜା ଗୋବିନ୍ଦଚନ୍ଦ୍ରଙ୍କୁ ଯୋଗୀ ହବାକୁ ମାଆ କହିଥିଲେ । ଟୀକା ଗୋବିନ୍ଦଚନ୍ଦ୍ରରେ ଲେଖାଅଛି ରାଜାଙ୍କ ଗୁରୁ ଥିଲେ ଜଣେ ଦଳିତ।

ଋଗ୍ବେଦ ଓଠ:୨୮:୪ରେ ଲେଖାଅଛି ‘ଇନ୍ଦ୍ର: ତମେ ଦସ୍ୟୁମାନଙ୍କୁ ସବୁଠୁ ନିମ୍ନରେ ରଖିଲ । ତମେ ଦାସମାନଙ୍କୁ ଗୌରବହୀନ କରିଦେଲ ।’ଐତିହାସିକ R.S.Sarma ଲେଖିଛନ୍ତି, ‘That while the policy of the Aryans vis -a-vis the Dasyus is ruthless  extermination. That is the case of Dasas was tempered with moderation. ସବୁ ଦାସଙ୍କୁ ଯୁଦ୍ଧରେ ପରାଜିତ କରିବା ଚାହିଁଥିଲେ ଇନ୍ଦ୍ର । ତା’ଛଡ଼ା ସବୁ ଦସ୍ୟୁଙ୍କୁ ନିଷ୍ଠୁର ଭାବରେ ହତ୍ୟା କରିବାକୁ ଚାହିଁଥିଲେ ଆର୍ଯ୍ୟମାନେ, କିନ୍ତୁ ଆର୍ଯ୍ୟଙ୍କ ଏହି ଇଚ୍ଛା ବହୁସ୍ଥାନରେ ଇଚ୍ଛାରେ ହିଁ ରହିଯାଇଥିଲା । ଥପ୍ପରଙ୍କ ଭାଷାରେ, ‘ବାସ୍ତବତା(Reality) ଏବଂ ଧର୍ମଶାସ୍ତ୍ରୀୟ ନିୟମ ନିର୍ଦ୍ଧାରଣ (Norms) ମଧ୍ୟରେ ଦସ୍ତର…… ବ୍ୟବଧାନ ଥିଲା ।’

ବୃତ୍ର, ଅବୁଦି, ସୁସ୍ମା, ବଳ ପ୍ରମୁଖ ଖ୍ୟାତନାମା କିଛି ‘ଦାସ’ଥିଲେ ନାଗବଂଶୀୟ । (ଯୋଗୀ)ଋଷି ଯମଦଗ୍ନି; ଚ୍ୟବନ ଓ ଅଗସ୍ତି ରାଜକନ୍ୟାଙ୍କୁ ବିବାହ କରିଥିଲେ । ବଶିଷ୍ଠ, ଦୀର୍ଘତମା ରାଜରାଣୀଙ୍କୁ ସନ୍ତାନ ଦେଇଥିଲେ । କେଉଁମାନେ ଥିଲେ ‘ଦସ୍ୟୁ’? ଐତରେୟ ବ୍ରାହ୍ମଣ ଏବଂ ସାଂଖ୍ୟାୟନ ଶୌତସୂତ୍ରରେ ଲେଖାଅଛି ଯେ ଆନ୍ଧ୍ର, ପୁଳିନ୍ଦ, ପୌଣ୍ଡ୍ର, ଶବର ଏବଂ ମୁତିକା ଥିଲେ ଦସ୍ୟୁ । ଭାରତର ଇତିହାସ କହେ ଯେ ଏମାନେ ସମସ୍ତେ ଥିଲେ ଆଟବିକ ଯୋଦ୍ଧା ଏବଂ ଏମାନଙ୍କୁ ଜୟ କରିବା ଅଶୋକଙ୍କ ପକ୍ଷରେ ମଧ୍ୟ ସମ୍ଭବ ହୋଇନଥିଲା ।

ଇନ୍ଦ୍ର ଯୋଗୀ ବୃତ୍ରଙ୍କୁ ହତ୍ୟା କଲାପରେ ଆର୍ଯ୍ୟୋତ୍ତର ଯୋଦ୍ଧାମାନଙ୍କୁ ଭୟ କରି କୌଣସି ଗୋପନ ସ୍ଥାନକୁ ପଳାୟନ କରିଥିଲେ । ମହାଭାରତରେ ଲେଖାଅଛି ଯେ ଇନ୍ଦ୍ରଙ୍କୁ ‘ବ୍ରହ୍ମହତ୍ୟା’ ଗୋଡ଼ାଇ ଗୋଡ଼ାଇ ଧରିଥିଲା ଓ ବହୁ କଷ୍ଟରେ ବ୍ରହ୍ମା ଇନ୍ଦ୍ରଙ୍କୁ ମୁକ୍ତ କରିଥିଲେ । ବୃତ୍ରହତ୍ୟା ଭାରତରେ ଏଭଳି ତୁମୁଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା ଯେ ଶଙ୍କିତ ଦେବତାମାନେ ଇନ୍ଦ୍ରଙ୍କୁ ଲୁଚାଇ ନାଗବଂଶୀୟ ନହୁଷଙ୍କୁ ଇନ୍ଦ୍ରଙ୍କ ସ୍ଥାନରେ ରାଜପଦରେ ବସାଇଦେଲେ । ପୁରାଣ ଅନୁଯାୟୀ ଋଷି(ଯୋଗୀ) ଓ ଯୋଦ୍ଧା (ନହୁଷ) ମଧ୍ୟରେ କୌଶଳ ପ୍ରୟୋଗ କରି ବିଭେଦ ସୃଷ୍ଟି କରାଗଲା । ଫଳରେ ନହୁଷ ନାଗ ହୋଇଗଲେ ।

ପୁରାଣରୁ ଆହୁରି ପ୍ରମାଣ ମିଳେ ଯେ ଯେତେବେଳେ କ୍ଷତ୍ରିୟ ବିଶ୍ୱାମିତ୍ର, ଯୋଗୀ ବଶିଷ୍ଠଙ୍କ ଧେନୁ ଚୋରି କରିବାକୁ ଉଦ୍ୟମ କରିଥିଲେ, ସ୍ଥାନୀୟ ଜଙ୍ଗଲର ଯୋଦ୍ଧାମାନେ ଆଗେଇ ଆସି ତାଙ୍କର ବିଶାଳ ସେନାକୁ ପରାସ୍ତ କରିଥିଲେ ।

ଗୌତମଙ୍କ ସ୍ତ୍ରୀ ଅହଲ୍ୟାଙ୍କୁ ହରଣ କରି ଇନ୍ଦ୍ର ସହସ୍ର ଶରବିଦ୍ଧ ହୋଇଗଲେ (ସହସ୍ରଯୋନି) ଓ ପରେ ସେ ହେଲେ ସହସ୍ରାକ୍ଷ, ଇନ୍ଦ୍ର ସେତେବେଳେ ନିଶ୍ଚୟ ମରିଥିବେ କିନ୍ତୁ ଚତୁରତାର ସହ ସେ ତଥ୍ୟକୁ ଲୁଚାଇ ଅନ୍ୟ ଏକ ବ୍ୟକ୍ତିକୁ ଇନ୍ଦ୍ର ପଦାରୁଢ଼ କରି ଦିଆଗଲା ।

ପରଶୁରାମଙ୍କ କ୍ଷତ୍ରିୟ ଦମନ ମୂଳରେ ରହିଥିଲା ଆର୍ଯ୍ୟୋତ୍ତର ଯୋଦ୍ଧାଙ୍କ ସାହାଯ୍ୟ । ଆର୍ଯ୍ୟମାନେ ଅନୁଭବ କରିଥିଲେ ଯେ ଏହି ଯୋଗୀ-ଯୋଦ୍ଧା ମୈତ୍ରୀକୁ ଭାଙ୍ଗି ନପାରିଲେ ସେମାନେ ଭାରତର ପ୍ରଭୁତ୍ୱ ହାସଲ କରିପାରିବେନି । ଏ ତତ୍ତ୍ୱକୁ ହୃଦୟଙ୍ଗମ କରି ବିଶ୍ୱାମିତ୍ର କ୍ଷତ୍ରିୟରୁ ଯୋଗୀ ହୋଇଗଲେ । ବିଶ୍ୱାମିତ୍ରଙ୍କ ବିଦ୍ରୋହୀ ସନ୍ତାନମାନେ କିନ୍ତୁ ଯୋଗୀ ନହୋଇ ଯୋଦ୍ଧା ହୋଇଗଲେ ।(ଐତରେୟ ସଂହିତା) । ‘Asura’ ବହିର ଦ୍ୱାଦଶ ଅଧ୍ୟାୟରେ ଲେଖାଅଛି ‘… The terms Dasa, Dasyus and Asura are, at the very least, not mutually exclusive: W.E.Hale) ଦାସମାନଙ୍କ ମଧ୍ୟରେ କିଛି ଯୋଗିନୀ ମଧ୍ୟ ଥିଲେ (RV ୫:୩୦-୯) ।

ଦାସମାନେ ‘ଯୋଗୀ’ ଥିବାରୁ ‘ଅସୁରା’ ପୁସ୍ତକରେ ହେଲ୍ ଲେଖିଛନ୍ତି, ‘There are very few mentions of the activities of Dasas by virtue of which Aryans considered them  enemies.ନମୁଚି ବି ଜଣେ ଦାସ ଥିଲେ, କିନ୍ତୁ ମହାଭାରତରେ ତାଙ୍କ ସମ୍ପର୍କରେ ଯାହା ଲେଖାଯାଇଛି, ସେଥିରୁ ଜଣାପଡ଼େ ସେ ଜଣେ ଯୋଗୀ । ବଳିଙ୍କୁ ଅସୁର କୁହାଯାଇଛି, କିନ୍ତୁ ବଳି ଥିଲେ ଜଣେ ଯୋଗୀ ।   (ଇନ୍ଦ୍ରବଳୀ କଥୋପକଥନ- ମହାଭାରତ)ଆର୍ଯ୍ୟ ବିଦ୍ୱାନମାନେ ନିଷ୍ପତ୍ତିନେଲେ ଯେ ଯୋଗୀମାନଙ୍କୁ ଯାଜ୍ଞିକ ନକଲେ ଭାରତରେ ସେମାନେ ବିଜୟ ପତାକା ଉଡ଼ାଇ ପାରିବେନି । ଲୋକ ସଂଗ୍ରହବାଦୀ ଯୋଗୀମାନଙ୍କ ମଧ୍ୟରୁ ଅନେକେ ଶେଷ ହୋଇଯାଇଥିଲେ, ଅନେକେ ଆର୍ଯ୍ୟ ଆଧିପତ୍ୟ ମାନି ନେଇଥିଲେ ଏବଂ କିଛି ‘ଦାସ’ ଆର୍ଯ୍ୟ ସଂସ୍କୃତି ଗ୍ରହଣ କରିଯାଇଥିଲେ । ରାଜା ‘ତକ୍ଷକ’ଙ୍କ ଭଳି ନାଗବଂଶୀଙ୍କୁ ଇନ୍ଦ୍ର ନିଜର ବନ୍ଧୁରୂପେ ଗ୍ରହଣ କରିଥିଲେ । ବଣ ଜଙ୍ଗଲରେ ବାସ କରୁଥିବା ଯୋଗୀ ବା ଯତିମାନଙ୍କୁ ଯଜ୍ଞବାଦୀ କରିବା ପାଇଁ ଇନ୍ଦ୍ର ଏକ ଭୟଙ୍କର କୁକୁରକୁ (ସାଲାବୃକ୍)ଜଙ୍ଗଲରେ ଛାଡ଼ି ଦେଇଥିଲେ । ତାଲିମ୍ପ୍ରାପ୍ତ ଏହି କୁକୁରମାନେ ଖୋଜି ଖୋଜି ଯତିମାନଙ୍କୁ ମାରିବା ପାଇଁ ଗୋଡ଼ାଉଥିଲେ । ଏଣେ ଜଙ୍ଗଲରେ ସ୍ଥାନେ ସ୍ଥାନେ ଉତ୍ତରବେଦୀ(ଯଜ୍ଞଶାଳା) ସ୍ଥାପନ କରାଯାଇଥିଲା । ଯେଉଁ ଯତିମାନେ ଉତ୍ତର ବେଦୀ ଉପରକୁ ଚଢ଼ି ଯାଉଥିଲେ, ସେମାନଙ୍କୁ ସାଲାବୃକ୍ମାନେ କିଛି କରୁନଥିଲେ । ଶତପଥ ଓ ଜୈମିନୀୟ ବ୍ରାହ୍ମଣରେ ଲେଖାଅଛି ଯେ ଭୃଗୁମାନେ ଏ ସମସ୍ତ ଭୟଙ୍କର କାଣ୍ଡଦେଖି ଭୀତ ହୋଇ ଯଜ୍ଞକୁ ଧର୍ମର ଅଙ୍ଗରୂପେ ଗ୍ରହଣ କରି ନେଇଥିଲେ । (What did India do with the Yatis?-H.W.Bodewitz in the book Amrit Dhara)

ବିଶିଷ୍ଟ ଦଳିତବୁଦ୍ଧିଜୀବୀ ଏସ୍ କେ ବିଶ୍ବାସ୍ ମଧ୍ୟ ତାଙ୍କ ପୁସ୍ତକ Auto-chithon of India…ରେ ଯତିହତ୍ୟା କଥା ଲେଖିଛନ୍ତି । ଆର୍ଯ୍ୟଙ୍କର ସମସ୍ତ ଚେଷ୍ଟା ସତ୍ତେ୍ୱ କିଛି ପ୍ରଭାବୀ ଯତି ଓ ଦାସ (ଲୋକସଂଗ୍ରହବାଦୀ ଯୋଗୀ) ଯଜ୍ଞଠୁ ନିଜକୁ ଦୂରରେ ରଖୁଥିଲେ ଏବଂ ଇନ୍ଦ୍ରଙ୍କୁ ସମାଲୋଚନା କରୁଥିଲେ । ଶେଷରେ ଯଜ୍ଞରେ ପଶୁବଳିକୁ ନିଷିଦ୍ଧ ଘୋଷଣା କରି ଯୋଗୀମାନଙ୍କୁ ଯାଜ୍ଞିକ କରିଦିଆ ଯାଇପାରିଲା । (ଉପରିଚର ବସୁ ଉପାଖ୍ୟାନ-ମହାଭାରତ) । ବହୁସଂଖ୍ୟକ ଯତି ଯଜ୍ଞକୁ ଆଚାର ରୂପେ (Ritual)  ଗ୍ରହଣ କଲାପରେ ସମସ୍ତ ଯୋଗୀ ଓ ଆର୍ଯ୍ୟ ଯଜ୍ଞବାଦୀଙ୍କୁ ‘ବ୍ରାହ୍ମଣ’ କୁହାଗଲା । (ବେଦୀୟ ଯାଜ୍ଞିକମାନେ ସତରଶ୍ରେଣୀରେ ବିଭକ୍ତଥିଲେ। ‘ବ୍ରାହ୍ମଣ’ ଏମାନଙ୍କ ମଧ୍ୟରୁ କେବଳ ଗୋଟିଏ ଶ୍ରେଣୀର ନାମ ଥିଲା । କୁଙ୍କୁମରାୟ: The Vedic Age) ।

ଯୋଗୀମାନେ ବ୍ରାହ୍ମଣ ଶ୍ରେଣୀଭୁକ୍ତ ହେଲାପରେ ଆରମ୍ଭ ହୋଇଗଲା ଏକ ଦୁଃଖଦ ଓ ଘୃଣିତ ଅଧ୍ୟାୟ ଭାରତବର୍ଷରେ । ଭାରତବର୍ଷର ଶ୍ରେଷ୍ଠଯୋଦ୍ଧା ଥିଲେ ଚଣ୍ଡାଳଗୋଷ୍ଠୀ ଓ ସେମାନଙ୍କର ସମ-ଭାଗୀ ଶ୍ୱପଚମାନେ, ସମସ୍ତ ଶ୍ୱପଚ ଏବଂ ଅଧିକାଂଶ ଚଣ୍ଡାଳ ଶକ୍ତିଶାଳୀ କୁକୁର ପାଳନ କରୁଥିଲେ । ସେ କୁକୁରମାନେ ବାଘଠୁ ବି ଶକ୍ତିଶାଳୀ ଥିଲେ(ଗ୍ରୀକ୍ ବିବରଣୀ) । ରାଜାମାନେ ଚଣ୍ଡାଳ ଶ୍ୱପଚମାନଙ୍କୁ କର୍ମଚାରୀ କରୁଥିଲେ । ‘ବଳଦୀପ୍ତ ଇସ୍ପାତୀ-କଠିନ ଦେହ, କୃଷ୍ଣବର୍ଣ୍ଣ, ନିଷ୍ଠୁର ଭାବ ଥିଲା ଚଣ୍ଡାଳଙ୍କର ବିଶେଷତ୍ୱ ।’ (ରାମାୟଣ (କାଳକାଣ୍ଡ), ଶାନ୍ତିପର୍ବ, କାଳସ୍ୱରୀ: କଥାମୁଖ: ପୂର୍ବଭାଗ)

ଗ୍ରୀକ୍ପର୍ଯ୍ୟଟକମାନେ ଲେଖିଛନ୍ତି: ‘ଚଣ୍ଡାଳମାନେ ନିଷ୍ଠୁର ନଥିଲେ, ଥିଲେ ଭଦ୍ର ସ୍ୱଭାବୀ । ପ୍ରଭାତୀ ମୁଖାର୍ଜୀ: Beyond the Four Varnas କାଦମ୍ବରୀ(ପୂର୍ବଭାଗର କଥାମୁଖ)ରେ ରହିଛି, ‘ଚଣ୍ଡାଳ ମୁଖ୍ୟ ଥିଲେ ଦକ୍ଷ ଶରଚାଳକ, ବିଶାଳ ଛାତି-କପାଳଧାରୀ ଓ ତୀକ୍ଷ୍ଣ ନାସାଯୁକ୍ତ । ତାଙ୍କର ଦେହରେ ଥିଲା ଅସ୍ତ୍ରାଘାତର ଚିହ୍ନ । ଜଣାପଡ଼ୁଥିଲା ସେ ଜଣେ ବଡ଼ ଯୋଦ୍ଧା ।’ ପ୍ରଭାତୀ ମୁଖାର୍ଜୀ ତାଙ୍କର Beyond the Four Varnas ପୁସ୍ତକରେ ଆହୁରି ଲେଖିଛନ୍ତି, ‘The Greek sources described the swapachas and kiratas as just and harmless people. (McCrindle 1973: 16,22)…They were apparently peace-loving and they maintained friendly relations with others. There were metal workers among them as they could construct rafts and manufacture iron  imple-ments.’ ଚଣ୍ଡାଳଙ୍କ ବଳବୀର୍ଯ୍ୟକୁ ପ୍ରଶଂସା କରିଛନ୍ତି ବାଣଭଟ୍ଟ କାଦମ୍ବରୀରେ ।

ଡାଃ ସୁକୁମାରୀ ଭଟ୍ଟାଚାର୍ଯ୍ୟଙ୍କ ଭାଷାରେ, ‘ରାଜା ଶୁଦ୍ରକ ସଭାୟ ବସେ ଆଚ୍ଛେନ, ଏମନ ସମୟ ପ୍ରବେଶ କରଲ ଏକ ବର୍ଷିୟାନ୍ ଚଣ୍ଡାଳ ବ୍ୟାୟାମପୁଷ୍ଟ,… ବିଗତ ଯୌବନ, ସୌମ୍ୟ କାନ୍ତି, ସଙ୍ଗେ ଏଲ ଏକଟି ଚଣ୍ଡାଳ କନ୍ୟା । ସେ ଯେ ବିଷ୍ଣୁର ମୋହିନୀ ମୂର୍ତ୍ତି ।’ ଚଣ୍ଡାଳ କନ୍ୟାର ରୂପବର୍ଣ୍ଣନାରେ ବାଣଭଟ୍ଟ ଅଜାଡ଼ି ଦେଇଛନ୍ତି ଭାଷାର ମୋହନ ମୁଣିକୁ ।

ଋଗ୍ବେଦୀୟ ଭାରତରେ ଯୋଗୀ ଓ ଯୋଦ୍ଧାର ସମ୍ପର୍କରେ ଯେଉଁ ଶ୍ରଦ୍ଧାର ଓ ବୁଝାମଣାର ସମ୍ପର୍କ ଥିଲା, ତାହା ନଷ୍ଟ ହୋଇଗଲା ଉପନିଷଦର ଯୁଗରେ । ଯୋଦ୍ଧା ଥିଲା ଅରଣ୍ୟଚାରୀ, ଯେଉଁଠି ତା’ର ପ୍ରଧାନ ଖାଦ୍ୟ ଥିଲା ମାଂସ । ସେ ଥିଲା ଶିକାରୀ । ତଥାପି ଯୋଗୀପ୍ରତି ସେ ଥିଲା ଶ୍ରଦ୍ଧାଶୀଳ । ଆଟବିକ, ଯୋଦ୍ଧା ଯୋଗୀ ହୋଇପାରୁଥିଲେ । କେବଳ ‘ଅହିଂସା’କୁ ବାଦ୍ ଦେଲେ ସତ୍ୟ, ଅସ୍ତେୟ ଓ ଅପରିଗ୍ରହ ମୂଲ୍ୟବୋଧଗୁଡ଼ିକ ତା’ପାଖରେ ବିଦ୍ୟମାନ ଥିଲା । ନୃତତ୍ତ୍ୱ କହେ ପ୍ରାଥମିକ ଶିକାରୀସ୍ତରର ମଣିଷମାନେ ଥିଲେ ସଂଗ୍ରାହକ ସମାଜର ଲୋଭହୀନ, ସର୍ବଗୋଷ୍ଠୀ ମଣିଷପ୍ରେମୀ ମୂଲ୍ୟବୋଧର ସ୍ୱଭାବସୁଲଭ ଅନୁସାରୀ । ଜୈନରାଜା ‘ବେଣ’ଙ୍କ ଦେହରୁ ‘ନିଷାଦ’ର ସୃଷ୍ଟି ଏଇ ଚିନ୍ତନର ଏକ ପ୍ରତୀକ ‘ଦାସ’(ଯୋଗୀ)ମାନଙ୍କର ସମ୍ପଦ ଥିଲା । କିନ୍ତୁ ସେ ସମ୍ପଦ ପ୍ରତି ସେମାନେ ଥିଲେ ନିର୍ଲିପ୍ତ, ଠିକ୍ ରାଜା ଜନକଙ୍କ ଭଳି ।

ଟେଲମୀ ଚଣ୍ଡାଳମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଭାବେ ଚିହ୍ନିତ କରିଥିଲେ । ଋଗ୍ବେଦର ପରବର୍ତ୍ତୀ ପର୍ଯ୍ୟାୟରେ ସମାଜର ସମସ୍ତ ସର୍ବନିମ୍ନସ୍ତରୀୟ ଗୋଷ୍ଠୀଙ୍କୁ ‘ଚଣ୍ଡାଳ’ଆଖ୍ୟା ଦିଆଯାଇଥିଲା । ସ୍ୱାଧୀନତାକୁ ଭଲ ପାଉଥିବା ସାହସୀ ବିଭିନ୍ନ ଯୋଦ୍ଧା ଜାତିମାନଙ୍କୁ ‘ଅସ୍ପୃଶ୍ୟ’ ଘୋଷଣାକରିବା ଭାରତ ଇତିହାସର ଏକ ନିନ୍ଦିତ ଅଧ୍ୟାୟ ।

ଚଣ୍ଡାଳମାନଙ୍କର ଏକ ସ୍ୱତନ୍ତ୍ର ଭାଷା ଥିଲା । ବଣରେ ମିଳୁଥିବା ଏକ ସ୍ୱାଦିଷ୍ଟ କନ୍ଦାର ନାମ ଥିଲା ଚଣ୍ଡାଳ କନ୍ଦା (Mories Williams) । ଚଣ୍ଡାଳ ମାନଙ୍କର ଏକ ସ୍ୱତନ୍ତ୍ର ବୀଣାବାଦ୍ୟ ଥିଲା ଯାହାର ନାମ ଥିଲା ଚଣ୍ଡାଳ-ବାଲାକୀ(ଜାତକ୫୩୧, ୪୯୮, Mories Williams 1951, 383) ।

ନାଗମାନଙ୍କ ମଧ୍ୟରେ ଥିଲେ ଯୋଗୀ ଓ ଯୋଦ୍ଧା । ନାଗ, ଡମ୍ବ, ଶ୍ୱପଚ, ମର୍ତ୍ତପ, ପୁଳିନ୍ଦ, ଶବର, ନିଷାଦ ଓ ଅନ୍ୟ ଆଟବିକମାନଙ୍କୁ ମଧ୍ୟ ଅସ୍ପୃଶ୍ୟ (Pulindas belonged to the Chandala category- Prabhati Mukherjee: Beyond the four Varnas) ଶ୍ରେଣୀଭୁକ୍ତ କରାଯାଇଥିଲା । ଚଣ୍ଡାଳମାନେ ଥିଲେ ସବୁଠୁ ଘୃଣ୍ୟ । କାରଣ ସମ୍ଭବତଃ ଆର୍ଯ୍ୟବିରୋଧୀ ଯୁଦ୍ଧରେ ସେମାନେ ଥିଲେ ଅଜେୟ । ତେଣୁ ସେମାନଙ୍କର ସହଯୋଗ କିମ୍ବା ଅସହଯୋଗ ବିଷୟରେ ବେଦରେ କିଛି ଲେଖାନାହିଁ । ଏକ ସମୟରେ ବୌଦ୍ଧ ଓ ଜୈନମାନଙ୍କୁ ମଧ୍ୟ ଅସ୍ପୃଶ୍ୟ ଆଖ୍ୟା ଦିଆଯାଇଥିଲା ।

ବ୍ରାହ୍ମଣ ଧର୍ମଆଇନ ପ୍ରଣୟନ-କାରୀମାନେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଗୋଷ୍ଠୀଙ୍କୁ ‘ଚଣ୍ଡାଳ’ ପର୍ଯ୍ୟାୟଭୁକ୍ତ କରିଥିଲେ । ମୌର୍ଯ୍ୟ ରାଜାମାନେ ଚଣ୍ଡାଳଙ୍କୁ କର୍ମଚାରୀରୂପେ ନିଯୁକ୍ତି ଦେଉଥିଲେ । ‘ଅର୍ଥଶାସ୍ତ୍ର’ଯୁଗରେ ‘ଅସ୍ପୃଶ୍ୟତା’ ସମାଜରେ ଚେର ଧରି ନଥିଲା ଯଦିଓ ‘ବ୍ରାହ୍ମଣ’ ଓ ଧର୍ମଶାସ୍ତ୍ରମାନଙ୍କରେ ‘ଅସ୍ପୃଶ୍ୟ’ମାନଙ୍କୁ ନିମ୍ନସ୍ଥାନ ଦିଆଯାଇଥିଲା । ‘ଅର୍ଥଶାସ୍ତ୍ର’ରେ କେବଳ ‘ଅଶୁଚି’ (Ritually impure)ଶବ୍ଦ ବ୍ୟବହୃତ ହୋଇଥିଲା । ସେ ସମୟରେ ଚଣ୍ଡାଳ, ଡମ୍ବ, ମର୍ତ୍ତପମାନେ ଶୁଦ୍ରବର୍ଣ୍ଣରେ ଥିଲେ (Kane 1941: 11.1.166, 168, 184) । କାଳକ୍ରମେ ଦାସମାନେ ବ୍ରାହ୍ମଣ, କ୍ଷତ୍ରିୟ ଶ୍ରେଣୀରେ ସାମିଲ ହୋଇଗଲେ । କେତେକ ‘ଆର୍ଯ୍ୟଦାସ’ ମଧ୍ୟ ହେଲେ । ‘ଅସ୍ପୃଶ୍ୟତା’ ବିରୁଦ୍ଧରେ ଯୋଗୀମାନେ ସ୍ୱର ଉଠାଇଥିଲେ । ଲୋକାୟତିକ ମାନେ ବେଦବାଦୀଙ୍କର ତୀବ୍ର ସମାଲୋଚକ ଥିଲେ ।

ସେମାନେ ଆର୍ଯ୍ୟ ସମ୍ପ୍ରଦାୟର ଶ୍ରେଷ୍ଠସ୍ଥାନରେ ଥିବା ବେଦୀୟପୁରୋହିତ, ଦେବପୂଜକ ଓ ଜ୍ୟୋତିଷମାନଙ୍କୁ ‘ଚଣ୍ଡାଳ’ କର୍ମକାରୀ ବୋଲି ସମ୍ବୋଧନ କରିଥିଲେ । ମୂଳ ମହାଭାରତ ନିଶ୍ଚିତଭାବେ ଲୋକାୟିତକ ମାନଙ୍କର ରଚନା ଥିଲା, କାରଣ ଏଭଳି କଠୋର ଭାଷାରେ ବେଦୀୟ ଆର୍ଯ୍ୟଙ୍କୁ ସମାଲୋଚନା କରିବା କେବଳ ଲୋକାୟିତକଙ୍କ ପକ୍ଷରେ ସମ୍ଭବ ଥିଲା । ଯତିମାନଙ୍କଭଳି ଲୋକାୟତିକ ଯୋଗୀମୁଖ୍ୟ ଚାର୍ବାକଙ୍କୁ ହତ୍ୟା କରାଯାଇଥିଲା (ଶାନ୍ତିପର୍ବ) । ‘ଯୋଗ’ ଏକ ମୂର୍ତ୍ତପ୍ରକ୍ରିୟା(concrete) ଥିଲା । ‘ଯୋଗ’ର ମୂଲ୍ୟବୋଧଗୁଡ଼ିକ ନିର୍ଦ୍ଦିଷ୍ଟ ଓ ସମାଜଧର୍ମୀ ଥିଲା (ଅହିଂସା, ସତ୍ୟ, ଅସ୍ତେୟ, ଅପରିଗ୍ରହ, ମୈତ୍ରୀ କରୁଣା, ସଦିତା, ଉପେକ୍ଷା) । ଯୋଗ ଥିଲା ତତ୍ତ୍ୱନିଷ୍ଠ ଓ ହେତୁନିର୍ଭରିତ ।

ଯୋଗବଦଳରେ ‘ଧର୍ମ’ଭଳି ଅମୂର୍ତ୍ତ (abstract) ଓ ବ୍ୟକ୍ତିନିଷ୍ଠ (ମହାଜନୋ ଯେତ ଗତ:ସ ପନ୍ଥା) ଶବ୍ଦର ବହୁଳ ପ୍ରୟୋଗ ହେଲା । ‘ଧର୍ମ’ଶବ୍ଦର ଦୁରୁପଯୋଗ ‘ଧର୍ମଶାସ୍ତ୍ର’-ପ୍ରଣୀତ ନୀତି ନିୟମରେ ବହୁମାତ୍ରାରେ ହୋଇଥିଲା । ବୌଦ୍ଧ ଓ ଜୈନମାନେ ‘ଧର୍ମ’କୁ ଯୋଗୀୟ ରାସ୍ତାରେ ଚଳାଇବା ପାଇଁ ଯଥେଷ୍ଟ ଉଦ୍ୟମ କରିଥିଲେ (ଦ୍ରଷ୍ଟବ୍ୟ: ବୁଦ୍ଧଙ୍କ ଧର୍ମପଦର ଓ ଜୈନଙ୍କର ଚତୁର୍ଯ୍ୟାମ ଜୀବନଚର୍ଯା) । ‘ଯୋଗୀ’ବଦଳରେ ସମାଜରେ ଶୀର୍ଷସ୍ଥାନରେ ରହିଗଲେ ବ୍ରାହ୍ମଣମାନେ, ଯେଉଁମାନଙ୍କର ମୁଖ୍ୟ ଆୟୁଧ ଥିଲା ‘ଯଜ୍ଞ ଓ ଦାନ’ । ପରବର୍ତ୍ତୀ ପର୍ଯ୍ୟାୟରେ ସମାଲୋଚନା ଏଡ଼ିବାପାଇଁ ସେମାନେ ଗ୍ରହଣ କରିଗଲେ ଶକ୍ତି କିମ୍ବା ମୋକ୍ଷଦାୟକ ‘ତପ’କୁ (ପରିବର୍ତ୍ତିତ ଓ ପରିବର୍ଦ୍ଧିତ ଏକ ମୂଲ୍ୟବୋଧ ଭାବେ ।

ଗୀତାର ଅଷ୍ଟାଦଶ ଅଧ୍ୟାୟରେ ‘ଯଜ୍ଞ, ଦାନ ଓ ତପକୁ ବ୍ରାହ୍ମଣର ମୁଖ୍ୟ ଧର୍ମକାର୍ଯ୍ୟ ବୋଲି କୁହାଯାଇଛି ।’ ମୂଳଗୀତା (ଯୋଗଶାସ୍ତ୍ର) ଅଲଗା ରୂପରେ ଥିଲା ।) ବୁଦ୍ଧଙ୍କ ବ୍ରାହ୍ମଣ …ବଗ୍ମ… ରଚନାରେ ବ୍ରାହ୍ମଣମାନଙ୍କୁ ଉଚିତ ରାସ୍ତାରେ ଚଳାଇବାପାଇଁ ଉପଦେଶ ଦେଇଥିଲେ କିନ୍ତୁ ତାଙ୍କର ଚେଷ୍ଟା ନିଷ୍ଫଳ ହୋଇଥିଲା । ‘ଧର୍ମ’ ଓ ‘ବ୍ରାହ୍ମଣ’ ଶବ୍ଦ ଦୁଇଟିକୁ ଯୋଗୀୟ ଦୃଷ୍ଟିଭଙ୍ଗୀ ଦେବାରେ ମୂଳ ମହାଭାରତର ସୁସ୍ପଷ୍ଟ ଚେଷ୍ଟା ବ୍ୟର୍ଥ ହୋଇଥିଲା ଏବଂ ଏକ ଭୟଙ୍କର ମୂଲ୍ୟବୋଧ ‘ଶୌଚ’ ବର୍ଣ୍ଣମାନଙ୍କର ମୁଖ୍ୟ ମୂଲ୍ୟବୋଧର ସ୍ଥାନ ଗ୍ରହଣ କରି ଭାରତୀୟ ସମାଜ ବ୍ୟବସ୍ଥାକୁ ସହସ୍ର ସହସ୍ର ବର୍ଷ ଧରି ଦୂଷିତ କରିଦେଲା । ମହାଭାରତରେ ଲେଖାଯାଇଛି ଯେ ଅତୀତରେ ‘ଶୌଚ’ ବ୍ରାହ୍ମଣ ପାଇଁ ଏକ ମୂଲ୍ୟବୋଧର ସ୍ଥାନ ପାଇନଥିଲା । (କ୍ଷାନ୍ତଂ ଜାନ୍ତଂ ଜିତକ୍ରୋଧଂ ଜିତାତ୍ମାନଂ ଜିତେନ୍ଦ୍ରିୟଂ) ତମେବ ବ୍ରାହ୍ମସଂ ମନ୍ୟେ ଶେଷାଃ ଶୁଦ୍ରାଃ ଇତି ସ୍ମୃତାଃ-ମହାଭାରତ: (ଅଶ୍ୱମେଧିକର ବୈଷ୍ଣବ ଧର୍ମ ପର୍ବ: ୯.୨)

ପରବର୍ତ୍ତୀଯୁଗର ପରିବର୍ତ୍ତିତ ଗୀତାରେ ‘ଶୌଚ’କୁ (ବ୍ରାହ୍ମଣପାଇଁ) ଏକ ପ୍ରଧାନ ମୂଲ୍ୟବୋଧର ସ୍ଥାନ ଦିଆଯାଇଛି । ଧିରେ ଧିରେ ‘ଧର୍ମ’ ଏବଂ ‘ଶୌଚ’ ଏକାକାର ହୋଇଯାଇଥିଲେ । ପ୍ରତି ହିନ୍ଦୁ ପରିବାରରେ ‘ଛୁଆଁ’ ଓ ‘ଅଛୁଆଁ’ରେ ହିଁ ଧର୍ମର ପରାକାଷ୍ଠା ପ୍ରଦର୍ଶିତ ହେବାରେ ଲାଗିଲା । ‘ଶୌଚ’ମୂଲ୍ୟବୋଧ ହିନ୍ଦୁ ଅବଚେତନରେ ଏତେ ଗଭୀର ସ୍ଥାନରେ ରହିଛି ଯେ ‘ପରମ୍ପରା’ ନାମରେ ଓଡ଼ିଶା ବିଧାନସଭାରେ ମଧ୍ୟ ମାନ୍ୟବର ସଭ୍ୟମାନେ ‘ଶୌଚ’ମୂଲ୍ୟବୋଧକୁ ସ୍ୱାଗତ କରୁଛନ୍ତି ।

ଭାରତର ଦୁଇଧର୍ମ ‘ବୌଦ୍ଧଧର୍ମ’ ଓ ‘ଜୈନଧର୍ମ’ ତଥା ପୃଥିବୀର ଅନ୍ୟାନ୍ୟ ଧର୍ମମାନେ ‘ଶୌଚ’ ମୂଲ୍ୟବୋଧକୁ ମୋଟେ ଗୁରୁତ୍ୱ ନ ଦେଉଥିବା ସ୍ଥଳେ ଆମର ବିଦ୍ୱାନମାନେ ଏହି ମୂଲ୍ୟବୋଧ ବିରୁଦ୍ଧରେ ବିଦ୍ରୋହ ଘୋଷଣା ନକରିବା ହିନ୍ଦୁ ସଭ୍ୟତାର ଏକ କଳଙ୍କିତ ଅଧ୍ୟାୟ । (ସ୍ୱାମୀ ବିବେକାନନ୍ଦ ଏହି ମୂଲ୍ୟବୋଧର ବିରୋଧୀ ଥିଲେ) । ମହାପ୍ରସାଦ ସେବନରେ ଶୌଚ, ମୂଲ୍ୟବୋଧର ଆଂଶିକ ପରିହାର ଯୋଗୁ ଆମେ ଜଗନ୍ନାଥ ମହାପ୍ରଭୁଙ୍କ ଜୟଗାନ କରୁ, କିନ୍ତୁ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଦର୍ଶନରେ ‘ଶୌଚ’ ମୂଲ୍ୟବୋଧକୁ ପରମ୍ପରା ନାମରେ ଜାବୁଡ଼ି ଧରୁ ।

ପାତଞ୍ଜଳି ଯୋଗ ଦର୍ଶନରେ ‘ଶୌଚ’ ମୂଲ୍ୟବୋଧର ଅବସ୍ଥିତି ଏକ ଅର୍ବାଚୀନ ପ୍ରକ୍ଷେପ । ବେଦପୂର୍ବ ଯୁଗର ଯୋଗଶାସ୍ତ୍ରରେ ‘ନିୟମ’ ଅଂଶଟି ବେଦପର ଯୁଗରେ ପ୍ରକ୍ଷିପ୍ତ ହେବାଫଳରେ ‘ଯୋଗ’ର ସ୍ୱରୂପରେ ଅାଁଚ ଆସିଛି । ‘ଅର୍ଥଶାସ୍ତ୍ର’ ଅନୁସାରେ ଯୋଗଶାସ୍ତ୍ର ହେଉଛି ହେତୁବାଦୀ । ତେଣୁ ‘ସିଦ୍ଧି’ ଓ ‘ଚମତ୍କାର’ ଭଳି ଅହେତୁବାଦୀ ବ୍ୟବସ୍ଥା ଯୋଗରେ ରହିପାରେନା । ସେଭଳି ପ୍ରକ୍ଷେପଗୁଡ଼ିକୁ ଯୋଗରୁ ବାଦ୍ଦେବା ଆବଶ୍ୟକ । ‘ଯୋଗ’ରେ ବର୍ଣ୍ଣବ୍ୟବସ୍ଥା ନାହିଁ । ଯୋଗ ନିରୀଶ୍ୱରବାଦୀ । ଈଶ୍ୱର ‘ସାଧ୍ୟ’ନୁହନ୍ତି; ଯୋଗରେ କେବଳ ବିକଳ୍ପ ‘ସାଧନ’ ମାତ୍ର ।

ବେଦପୂର୍ବ ସମାଜରେ ସମାଜର ମୁଖ୍ୟ ସ୍ଥାନରେ ଥିବା ଅନ୍ୟାୟକାରୀମାନଙ୍କୁ ଅହିଂସ ଯୋଗୀମାନେ ଅନ୍ୟାୟକାରୀମାନଙ୍କୁ କି ଦଣ୍ଡ ବା ଦେଇପାରନ୍ତେ? ସେମାନେ ସେଭଳି ଦୁର୍ବୃତ୍ତମାନଙ୍କୁ ସମାଜରୁ ବହିଷ୍କାର କରୁଥିଲେ ।-ଶାନ୍ତିପର୍ବ ୬୮ଅଧ୍ୟାୟ ୧୯ଶ୍ଳୋକ

ଆଟବିକ ଗୋଷ୍ଠୀମାନଙ୍କୁ ବହିଷ୍କାର କରିବା ସମ୍ଭବ ନଥିଲା କାରଣ ସେମାନେ ଲୋଭୀ ଓ ହିଂସ୍ର ନଥିଲେ ଓ ସେମାନେ କେବଳ ବଞ୍ôଚବା ପାଇଁ ସୀମିତ ମାତ୍ରାରେ ଶିକାର କରୁଥିଲେ । (ନୃତତ୍ତ୍ୱ ମଧ୍ୟ ପୃଥିବୀ କ୍ଷେତ୍ରରେ ଆଦିବାସୀଙ୍କ ସମ୍ପର୍କରେ ଏଇକଥା କହେ) । ‘ଶୌଚ’ ବ୍ୟତୀତ ଆଉ ଏକ ‘ଦୋଷ’କୁ ବ୍ରାହ୍ମଣ ବିଦ୍ୱାନମାନେ ‘ଦସ୍ୟୁ’ ଗୋଷ୍ଠୀଙ୍କ ଉପରେ ଲଦି ଦେଇଥିଲେ । ତାହା ହେଉଛି ଦସ୍ୟୁମାନଙ୍କ ପୂର୍ବପୁରୁଷଙ୍କ ପ୍ରତିଲୋମ ବିବାହର ଦୋଷ । (ପ୍ରତିଲୋମ ବିବାହ ହେଉଛି ଉଚ୍ଚଜାତିର ସ୍ତ୍ରୀ ସହ ନୀଚଜାତିର ପୁରୁଷର ବିବାହ ।

ଏଥିରେ ପୁରୁଷ ଆଧିପତ୍ୟର ସ୍ଥାନ ସୁସ୍ପଷ୍ଟ, କାରଣ ଏହାର ବିପରୀତ ଅନୁଲୋମ ବିବାହ ଏତେ ଦୋଷାବହ ନଥିଲା) । ବ୍ରାହ୍ମଣ ଧର୍ମଶାସ୍ତ୍ର ନିର୍ମାତାମାନେ ବିଭିନ୍ନ ‘ଦସ୍ୟୁ’ଗୋଷ୍ଠୀର ପୂର୍ବପୁରୁଷଙ୍କ ପ୍ରତିଲୋମ ବିବାହ ଦୋଷ ଉଦ୍ଭାବନ କରି ସେମାନଙ୍କୁ ‘ଅସ୍ପୃଶ୍ୟ’ ଘୋଷଣା କରିଥିଲେ । କୂଳଚ୍ୟୁତ ଦଣ୍ଡ ସବୁ ସମାଜରେ ପ୍ରଚଳିତ ଥିବାରୁ ଏବଂ ବ୍ରାହ୍ମଣ ମନଗଢ଼ା ପୂର୍ବପୁରୁଷଙ୍କ ବର୍ଣ୍ଣସଙ୍କରତ୍ୱ ଅସ୍ୱୀକାର କରିବାର କୌଣସି ଉପାୟ ନ ପାଇବାରୁ ‘ଦସ୍ୟୁ’ (ଯୋଦ୍ଧା) ଗୋଷ୍ଠୀମାନେ ମଧ୍ୟ କାଳକ୍ରମେ ଧର୍ମଶାସ୍ତ୍ରକାରୀଙ୍କ ମତକୁ ଅଭ୍ରାନ୍ତ ବୋଲି ଗ୍ରହଣ କରିନେଇଥିଲେ । ଖ୍ରୀଷ୍ଟପର ଶତାବ୍ଦୀମାନଙ୍କରେ ରଚିତ ଜାତକମାନଙ୍କରେ ବର୍ଣ୍ଣିତ ଚଣ୍ଡାଳମାନଙ୍କର ମାନସିକ ଯନ୍ତ୍ରଣା ହୃଦୟକୁ ବିଚଳିତ କରେ । ପ୍ରକ୍ଷିପ୍ତ ଶ୍ଳୋକ ଭରା ‘ମନୁସ୍ମୃତି’ ବିରୁଦ୍ଧରେ ଦଳିତ ସମାଜର କ୍ରୋଧ ଯଥାର୍ଥ ।

ଆଜିର ହିନ୍ଦୁଧର୍ମ ଆଚାର ଓ ବିଧିନିଷେଧ ପ୍ରଧାନ । ଆଚାରରେ ମୂଲ୍ୟବୋଧ ଅପେକ୍ଷା ଅଧିକ ରହିଛି ମଉଜ-ମଜଲିସ୍ର ଭାଗ । ଗୁପ୍ତଯୁଗରେ ପୁରାଣଗୁଡ଼ିକର ସୁନ୍ଦର ସୁନ୍ଦର କାହାଣୀ, ଯଜ୍ଞ ଓ ମନ୍ଦିର ପ୍ରାଙ୍ଗଣରେ ହେଉଥିବା ମେଳା ମହୋତ୍ସବ ଆଦିର ଜନପ୍ରିୟ ସେକ୍ୟୁଲର ଖେଳଙ୍କ ଭଳି ଜନତାର ମନୋରଞ୍ଜନ କରି ହିନ୍ଦୁଧର୍ମକୁ ଆଚାରସର୍ବସ୍ୱ ରୂପେ ଗଢ଼ି ଦେଇଥିଲା । ଜାତିବିଭାଗ ଓ ଅସ୍ପୃଶ୍ୟତା ଗୁପ୍ତଯୁଗରେ ଶୀର୍ଷସ୍ଥାନକୁ ଉଠିଥିଲା । ଆଶ୍ଚର୍ଯ୍ୟର କଥା ‘ରାମଲୀଳା’ ଓ ‘କୃଷ୍ଣଲୀଳା’ ଦେଖିବା ଏକ ଧର୍ମକାର୍ଯ୍ୟ ବୋଲି ସମାଜର ବିଦ୍ୱାନମାନେ ମଧ୍ୟ ଭାବୁଛନ୍ତି । ଏଥିରେ ଆନନ୍ଦରହିଛି, ଧର୍ମ ନୁହେଁ । ପ୍ରାକ୍ ବେଦୀୟ ସେକ୍ୟୁଲାର ଯୋଗୀୟ ମୂଲ୍ୟବୋଧ ଗୁଡ଼ିକ (ଅହିଂସା, ସତ୍ୟ, ଅସ୍ତେୟ, ଅପରିଗ୍ରହ, ମୈତ୍ରୀ, କରୁଣା, ମୁଦିତା, ଉପେକ୍ଷା) କେବଳ ହିନ୍ଦୁଙ୍କ ପାଇଁ ନୁହେଁ, ସାରା ବିଶ୍ୱର ମାନବସମାଜ ପାଇଁ ସୁରକ୍ଷା କବଚ । ଏ ମୂଲ୍ୟବୋଧଗୁଡ଼ିକୁ ଆତ୍ମସ୍ଥ ନକଲେ ମାନବ ସଭ୍ୟତା ଏକବିଂଶଶତାବ୍ଦୀ ମଧ୍ୟ ପାର ହୋଇପାରିବନି ।

ଭାରତର ଇତିହାସ କହେ ଯେ ବେଦୀୟ ଆର୍ଯ୍ୟଙ୍କର ଶତଚେଷ୍ଟା ସତ୍ତେ୍ୱ ‘ଦାସ’ଙ୍କ ପ୍ରଭାବ ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦୀରେ ଯଥେଷ୍ଟ ଥିଲା । (ମେଗାସ୍ଥିନିସ ବିବରଣୀ କହେ ସମାଜରେ (Gymno sophists) ଯୋଗୀମାନେ ଶୀର୍ଷସ୍ଥାନରେ ଥିଲେ ।) କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଅନୁଯାୟୀ ଅନ୍ୱୀକ୍ଷିକୀ (ଯୋଗ, ସାଂଖ୍ୟ ଓ ଲୋକାୟତ) ସବୁଜ୍ଞାନର ପ୍ରଦୀପ । ଗୀତା ମତାନୁଯାୟୀ ଜ୍ଞାନୀକର୍ମୀ, ତପସ୍ୱୀଙ୍କଠୁ ଯୋଗୀର ସ୍ଥାନ ଅଧିକ ।) ଏ ସହସ୍ରାବ୍ଦୀରେ ଥିଲେ ବୁଦ୍ଧ, ମହାବୀର ପ୍ରମୁଖ ପ୍ରାୟ ସବୁ ଧର୍ମପ୍ରଚାରକ ନିରୀଶ୍ୱରବାଦୀ ଓ ଆବେଦବାଦୀ । ଦର୍ଶନ ଧର୍ମଠୁ ଅଲଗା ସ୍ଥାନରେ ନଥିଲା । ଏ ସହସ୍ରାବ୍ଦୀରେ ବେଲଥୀପୁତ୍ତ, ନାଥପୁତ୍ତ, କାତ୍ୟାୟନ, କେଶକମଳୀ, ଗୋଶାଳା ଓ ବୁଦ୍ଧ ପ୍ରବଚନ ମାଧ୍ୟମରେ ଲୋକଶିକ୍ଷା ଦେଉଥିଲେ ।

ଧର୍ମଶାସ୍ତ୍ରରେ ଶୁଦ୍ରଙ୍କ ଅବମୂଲ୍ୟାୟନ ସତ୍ତେ୍ୱ ଭାରତର ଦୁଇ ପ୍ରମୁଖ ରାଜବଂଶ (ଶିଶୁନାଗ ବଂଶ: ବିମ୍ବିସାର, ଅଜାତଶତ୍ରୁ ଓ ଉଦାୟୀ) ତଥା ମୌର୍ଯ୍ୟବଂଶ: ଚନ୍ଦ୍ରଗୁପ୍ତ, ବିନ୍ଦୁସାର, ଅଶୋକ ପ୍ରମୁଖ) ଶୁଦ୍ର ଜାତିର ଥିଲେ । ଜାତିବିଭାଗ ଓ ଅସ୍ପୃଶ୍ୟତା ସମାଜରେ ଦାନା ବାନ୍ଧି ନଥିଲା । ଖ୍ରୀଷ୍ଟପର ପ୍ରଥମ ସହସ୍ରାବ୍ଦୀରେ ଆଜିର ମନ୍ଦିର-ମାଳିନୀ, ଆଚାର ସର୍ବସ୍ୱ ହିନ୍ଦୁଧର୍ମ ପ୍ରାଧାନ୍ୟ ବିସ୍ତାର କଲା । ଶିବ ଓ ବିଷ୍ଣୁ ପ୍ରଧାନ ଦେବତାରୂପେ ଗୃହୀତ ହେଲେ । ଅନ୍ୱୀକ୍ଷିକୀର ସ୍ଥାନ ଗ୍ରହଣ କଲା ଉପନିଷଦ ଦର୍ଶନ । ରାଜଗାଦୀ ବ୍ରାହ୍ମଣ ଓ ଅନ୍ୟ ଉଚ୍ଚଜାତିଙ୍କ ହାତରେ ପଡ଼ିଲା । ଜାତିବିଭାଗ ଓ ଅସ୍ପୃଶ୍ୟତା ତୀବ୍ର ହେଲା । ଧର୍ମ ହେଲା ଭକ୍ତି ପ୍ରଧାନ, ବର୍ଣ୍ଣାଢ଼୍ୟ ଓ କ୍ରିୟାବହୁଳ । (ଭକ୍ତିର ଏକ ସକାରାତ୍ମକ ଦିଗ ରହିଛି) । ଅତୀତରେ ଆଟବିକ ଗୋଷ୍ଠୀ ଓ ଦଳିତମାନେ ସମସ୍ତେ ଥିଲେ ବନଚାରୀ, ଶିକାରୀ ଓ ଯୋଦ୍ଧା । ‘ଶୌଚ’ ଓ ‘ବର୍ଣ୍ଣସଙ୍କରତ୍ୱ’ ଦୁଇଟି ଭୁଲ୍ ମୂଲ୍ୟବୋଧର ନିରସନ ହୋଇ ଅତୀତର ଯୋଦ୍ଧାଗୋଷ୍ଠୀଙ୍କ (ଦସ୍ୟୁ) ଦାୟାଦଙ୍କୁ ତାଙ୍କର ଉପଯୁକ୍ତ ସ୍ଥାନ ନଦେଲେ ହିନ୍ଦୁସମାଜ କଳଙ୍କମୁକ୍ତ ହୋଇ ପାରିବନି । ବୁଦ୍ଧ, ଗାନ୍ଧୀ, ରବୀନ୍ଦ୍ରନାଥ ଓ ଆମ୍ବେଦକର ଆମ ସମସ୍ତଙ୍କର ନମସ୍ୟ ମହାଜନ,କାରଣ ସେମାନେ ଭାରତୀୟ ସମାଜର ବହୁ ସହସ୍ରାବ୍ଦୀବ୍ୟାପୀ ନିନ୍ଦିତ ଅଧ୍ୟାୟର ସମାପ୍ତିପାଇଁ ଯତ୍ପରୋନାସ୍ତି ଚେଷ୍ଟା କରିଛନ୍ତି ।

ଦଳିତମାନଙ୍କର ଉଜ୍ଜ୍ୱଳ ଅତୀତ ସମ୍ପର୍କରେ ବୁଦ୍ଧିଜୀବୀମାନେ ଅଧିକ ଚର୍ଚ୍ଚା କରିବା ଉଚିତ । ଦ୍ୱିରକ୍ତି ଭାରତର ଇତିହାସ କହୁଛି, ୟୁରୋପର ଇତିହାସଠୁ ଭିନ୍ନ, ଏ ତଥ୍ୟ ଗ୍ରହଣନକରି ଆମ ବିଶିଷ୍ଟ ସେକ୍ୟୁଲାର ବିଦ୍ୱାନମାନେ ପ୍ରାକ୍ବେଦୀୟ ଯୋଗୀ ଭାରତର ମହତ୍ୱ ଉପଲବ୍ôଧ କରିପାରୁନାହାନ୍ତି ଏବଂ ହେତୁବାଦୀ ଯୋଗର ପୁନରୁଦ୍ଧାର ନକରି ଗାଧୁଆପାଣି ବୋଲି ଶିଶୁଟିକୁ ମଧ୍ୟ ଅଳିଆଗଦାରେ ଫିଙ୍ଗି ଦେଉଛନ୍ତି । ବର୍ତ୍ତମାନ ଭାରତରେ ଆଚାର୍ଯ୍ୟ ରାମଦେବଙ୍କ ଶରୀରଯୋଗ, ହିନ୍ଦୁତ୍ୱବାଦୀ, ମଠାଧୀଶ ଓ ସାଧୁଙ୍କ ସିଦ୍ଧି-ଚମକ୍ରାର ପ୍ରଭୃତି ଅହେତୁବାଦୀ ଚିନ୍ତନଯୁକ୍ତ ଯୋଗକୁ ପ୍ରତ୍ୟାଖ୍ୟାନ କରି ସେକ୍ୟୁଲାରବାଦୀମାନେ ଠିକ୍ କାମ କରୁଛନ୍ତି ।

କିନ୍ତୁ ଦୁଃଖର କଥା, ଭାରତୀୟ ସଭ୍ୟତା ଥିଲା ‘ସଂଗ୍ରାହକ’ସମାଜର, ଏକଥା ସେମାନେ ଭୁଲିଯାଇଛନ୍ତି । ଭାରତର ଅନନ୍ୟତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିବାରୁ (Late Stone Age ରେ ସାରା ପୃଥିବୀରେ କେବଳ ଭାରତ ଅହିଂସ ଥିଲା ।) The Journey of Manର ଲେଖକ ହାର୍ଭାଡ଼ର ଜିନ୍ବିଜ୍ଞାନୀ Spencer Wells ଆମ ପାଇଁ ଧନ୍ୟବାଦାର୍ହ । ମୁଁ ଆଶା କରୁଛି ପୃଥିବୀର ସଂଗ୍ରାହକ ସମାଜର (Gatherers) ଏକମାତ୍ର ଦାର୍ଶନିକ ‘ଚାର୍ବାକ୍’ଙ୍କୁ ଦିନେ ଉପଯୁକ୍ତ ମର୍ଯ୍ୟାଦା ମିଳିବ ଓ ତାଙ୍କର ‘ଭୋଗବାଦୀ’(Hedorist) ଋଣକୃତ୍ୱା, ଘୃତଂ ପିବେତ୍; ମିଥ୍ୟାସ୍ୱରୂପର ଅବସାନ ଘଟିବ । ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍ ଓ ଚାର୍ବାକ୍ଙ୍କର ତୁଳନାତ୍ମକ ବିଶ୍ଳେଷଣାତ୍ମକ ଆଲୋଚନାର ଆବଶ୍ୟକତା ଯଥେଷ୍ଟ ।

“ପରିବାର ଗଠନ ନହୋଇଥିଲେ ମାନବ ସଭ୍ୟତାର ଆରମ୍ଭ ହୋଇନଥାନ୍ତା । ମସ୍ତିଷ୍କର ବିକାଶ ପାଇଁ ମାତୃପ୍ରେମ ଯେ ମୁଖ୍ୟତଃ ଦାୟୀ, ଏକଥା କହେ ବିଜ୍ଞାନ । ଆଜି ଧିରେଧିରେ ପରିବାର ଭାଙ୍ଗିପଡ଼ୁଛି । ଫଳରେ ମଣିଷର ଆତ୍ମଧ୍ୱଂସର ପ୍ରବୃତ୍ତି ବଢ଼ୁଛି। ୫୦ହଜାର ବର୍ଷ ତଳୁ (Upper Paleulithic age) ଭାରତରେ ପ୍ରାଧାନ୍ୟ ବିସ୍ତାର କରିଥିଲା ‘ଅହିଂସା’ । ‘ଅହିଂସା’ ସହିତ ଅଚ୍ଛେଦ୍ୟ ଭାବରେ ମୁକ୍ତ ‘ଅପରିଗ୍ରହ’ କାରଣ ସବୁଠୁ ରୁଚିକର ଖାଦ୍ୟ ମାଂସାହାରକୁ ବିରୋଧ କରେ ଅହିଂସ ବ୍ୟକ୍ତି। ଅହିଂସ ବ୍ୟକ୍ତି ପାଇଁ ଏକମାତ୍ର ଆଦର୍ଶ ‘ସବୁ ପ୍ରାଣୀଙ୍କର ମଙ୍ଗଳ କାମନା’ (ସର୍ବଭୂତହିତେ ରତାଃ -ଗୀତା) । ମୁଁ ଆଶା କରୁଛି ପୃଥିବୀର ସଂଗ୍ରାହକ ସମାଜର (Gatherers) ଏକମାତ୍ର ଦାର୍ଶନିକ ‘ଚାର୍ବାକ୍’ଙ୍କୁ ଦିନେ ଉପଯୁକ୍ତ ମର୍ଯ୍ୟାଦା ମିଳିବ ଓ ତାଙ୍କର ‘ଭୋଗବାଦୀ’(Hedorist) ଋଣକୃତ୍ୱା, ଘୃତଂ ପିବେତ୍; ମିଥ୍ୟାସ୍ୱରୂପର ଅବସାନ ଘଟିବ।”- ଭାରତୀୟ ସଂସ୍କୃତିକୁ ନେଇ ଏମିତି କିଛି ସାରଗର୍ଭକ ଉପସ୍ଥାପନ ପ୍ରସ୍ତୁତ କରିଛନ୍ତି ପ୍ରଫେସର୍ ଭଗବତ୍ ପ୍ରସାଦ. ଅଜିର ସମୟରେ ତାଂକର ଏହି ଉପସ୍ଥାପନ ଅତ୍ୟନ୍ତ ଉପଯୋଗୀ ମନେହେଉଛି.                           – ସମ୍ପାଦକ

ସୌଜନ୍ୟ: ସମଦୃଷ୍ଟି (୧୬-୩୦ ଏପ୍ରିଲ ୨୦୧୧)

Photo credit- Internet

About ପ୍ରଫେସର ଭଗବତ ପ୍ରସାଦ

ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

କଥା ନୁହେଁ, ବ୍ୟଥା

୧୫୬୮ ସାଲରେ ଓଡ଼ିଶାର ସ୍ୱାଧୀନତା ଲୋପ ପାଇବାଠାରୁ ୧୯୩୬ସାଲରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ଯାଏଁ, ଓଡ଼ିଶାର ଜାତୀୟ ଜୀବନ …

One comment

  1. ଭାରତକୁ ଯଦି ସବୁ ଜାତୀୟ ଲୋକ ବାହାରୁ ଆସିଥିଲେ ତେବେ ତହିଁ ପୂର୍ଵରୁ ଏଠାରେ କେଉଁ ମାନେ ରହୁଥିଲେ ? ମୋ ଭାରତର ଇତିହାସ ଵିଦେଶୀଙ୍କ ଆଧାରରେ ପଢି଼ବି ନା ନିଜ ଅନ୍ଵେଷଣ ଦ୍ଵାରା ?

Leave a Reply

Your email address will not be published. Required fields are marked *