ଶ୍ରୀ ଜୟଦେବ ଓ ଓଡ଼ିଆ ସଂସ୍କୃତି : କିଛି ପ୍ରଶ୍ନ

କେଦାର ମିଶ୍ର
କେଦାର ମିଶ୍ର 201 Views
7 Min Read

[box type=”shadow” align=”” class=”” width=””]ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଆ ଭାଷାର ସମ୍ପର୍କ ପିଣ୍ଡ ଓ ପ୍ରାଣର ସମ୍ପର୍କ । ତେଣୁ ଓଡ଼ିଆ ଭାଷା-ସାହିତ୍ୟକୁ ଆମ ସଂସ୍କୃତିର ଆଧାର ବୋଲି କୁହାଯାଏ । କେଜାଣି କାହିଁକି ନିଜସ୍ୱ ସାହିତ୍ୟ ପରମ୍ପରା ପ୍ରତି ଆମେ ଭିଷଣ ଭାବରେ ଉଦାସୀନ ।” – ଉକ୍ତ ଲେଖା ମାଧ୍ୟମରେ ନିଜ ଭାଷା ସଂସ୍କୃତିର ସୁରକ୍ଷାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଶିଷ୍ଟ କବି ଓ ଲେଖକ କେଦାର ମିଶ୍ର । ତାଙ୍କର କ୍ଷୋଭଟି ହୁଏତ ଆଜିର ଦିନରେ ଶତ ପ୍ରତିଶତ ଯଥାର୍ଥ । ଯେକୌଣସି ସଂସ୍କୃତି ପ୍ରେମୀ ଓ ସମ୍ବେଦନଶୀଳ କଳାକାର ବା ମଣିଷ ନିଜ ଭାଷା ଓ ସଂସ୍କୃତିର ଯଥାର୍ଥ ସମ୍ମାନ ରକ୍ଷା କରାଯିବା ଏବଂ ଏହାର ସୁରକ୍ଷା ପାଇଁ ସଠିକ ମାର୍ଗରେ କାର୍ଯ୍ୟ କରାଯିବା ପ୍ରତି ଗୁରୁତ୍ତ୍ୱ ଆରୋପ କରିବା ସ୍ୱାଭାବିକ । ଆମ ଲୋକ ଓ ରାଜ୍ୟ ସରକାରଙ୍କର ଅବୁଝାମଣା ଭାଷା, ସାହିତ୍ୟ, ସଂସ୍କୃତିର ଯେ ଅଶେଷ କ୍ଷତି ସାଧନ କରୁଛି ଏଥିରେ ସନ୍ଦେହ ନାହିଁ । ନେଡ଼ିଗୁଡ଼ କହୁଣିକୁ ବୋହିଯିବା ଆଗରୁ ରାଜ୍ୟବାସୀ ଓ ସରକାର ନିଜକୁ ସୁଧାରିନେବା ଆବଶ୍ୟକ ।       – ସମ୍ପାଦକ[/box]

Support Samadhwani

ଶ୍ରୀ ଜୟଦେବ ଓଡ଼ିଶାର କବି, ହେଲେ ତାଙ୍କର ଅମରକୃତି ‘ଗୀତ ଗୋବିନ୍ଦ’ ସଂସ୍କୃତ ଭାଷାରେ ରଚିତ । ଏଥିରେ ଅବଶ୍ୟ କୌଣସି ବିବାଦ ନାହିଁ । ‘ଗୀତଗୋବିନ୍ଦ’ରଚନା ବେଳକୁ ହୁଏତ ଓଡ଼ିଆ ଭାଷାର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇନଥିବ! ତେଣୁ ଦେବ ଭାଷାରେ ଦେବତାଙ୍କର ରତିକେଳି ରଚିତ ବର୍ଣ୍ଣନା କରିବାକୁ କବି ସମୁଚିତ ମଣିଥିବେ । ସେତେବେଳକୁ କିନ୍ତୁ ପ୍ରାକୃତ ଓ ପାଲି ଜନଗଣର ଭାଷା ରୂପେ ସ୍ୱୀକୃତ ଥିବାବେଳେ ସଂସ୍କୃତ ଥିଲା ଦେବତା ଓ ବ୍ରାହ୍ମଣଙ୍କର ଭାଷା । ବ୍ରାହ୍ମଣ ଜୟଦେବଙ୍କ ଠାରୁ ଆମେ ଅବଶ୍ୟ ପ୍ରାକୃତ କିମ୍ବା ପାଲି କାବ୍ୟ ଖଣ୍ଡେ ଆଶାକରିବା ନିରର୍ଥକ ।

ତେବେ ସଂସ୍କୃତ ଭାଷାରେ ରଚିତ ଗୀତଗୋବିନ୍ଦ ଆଧାରରେ ହିଁ ଓଡ଼ିଶାର ସଂସ୍କୃତି ଗଢ଼ିଉଠିଛି ବୋଲି ହେଉଥିବା ପ୍ରଚାରର ଯଥାର୍ଥତା ଉପରେ ଆମେ କେତୋଟି ପ୍ରଶ୍ନ ପଚାରିବାକୁ ଚେଷ୍ଟାକରୁଛୁ । ସଂସ୍କୃତ ସାହିତ୍ୟର ସମୃଦ୍ଧ ପରମ୍ପରାରେ କେବଳ ଜୟଦେବ ନୁହନ୍ତି ଓଡ଼ିଶାବାସୀ ବହୁ ସଂସ୍କୃତ କବି ଓ ପଣ୍ଡିତଙ୍କର ଅବଦାନ ଇତିହାସ ସ୍ୱୀକୃତ । ଅଥଚ ସେମାନଙ୍କ ବିଷୟରେ କ୍ୱଚିତ ଆଲୋଚନା ବା ପରିଚର୍ଚ୍ଚା ଶୁଣିବାକୁ ମିଳେ । ସାଂଖ୍ୟ ଦର୍ଶନର ପ୍ରଣେତା କପିଳ ମୁନି, ମହାମୁନି ପିପ୍ପଳାୟନ,ପରମ ବୈୟାକରଣିକ ପାଣିନି, ସୌନ୍ଦର୍ଯ୍ୟ ଶାସ୍ତ୍ରୀ ବିଶ୍ୱନାଥ କବିରାଜ,‘କୋଶଳାନନ୍ଦ’ର ସ୍ରଷ୍ଟା ଗଙ୍ଗାଧର ମିଶ୍ରଙ୍କ ପରି ବହୁ ଓଡ଼ିଶାବାସୀ ସଂସ୍କୃତ କବି-ଲେଖକଙ୍କ ସମ୍ପର୍କରେ ଉଦାସୀନ ଆମର ସାଂସ୍କୃତିକ କର୍ଣ୍ଣଧାରମାନେ ଜୟଦେବଙ୍କ ପ୍ରତି ଏତେ ବେଶୀ ଦୁର୍ବଳ ହେବା ପଛରେ କି କାରଣ ଥାଇପାରେ?

ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଆଭାଷାର ସମ୍ପର୍କ-ପିଣ୍ଡ ଓ ପ୍ରାଣର ସମ୍ପର୍କ । ତେଣୁ ଓଡ଼ିଆଭାଷା-ସାହିତ୍ୟକୁ ଆମ ସଂସ୍କୃତିର ଆଧାର ବୋଲି କୁହାଯାଇ ପାରନ୍ତା । କେଜାଣି କାହିଁକି ନିଜସ୍ୱ ସାହିତ୍ୟ ପରମ୍ପରା ପ୍ରତି ଆମେ ଭୀଷଣ ଭାବରେ ଉଦାସୀନ । ଜୟଦେବ ଏବଂ କାଳିଦାସଙ୍କ ପ୍ରସଙ୍ଗରେ ଆମ ସଂସ୍କୃତିର ବଡ଼ପଣ୍ଡାମାନେ ବେଶ୍ ଉତ୍ସାହିତ ଜଣାପଡ଼ୁଥିବାବେଳେ ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ଫକୀର ମୋହନ, ଭୀମ ଭୋଇଙ୍କ ପ୍ରସଙ୍ଗରେ ଆଶ୍ଚର୍ଯ୍ୟ ରୂପେ ଉଦାସୀନ । ଆଦିକବି ସାରଳାଦାସଙ୍କ ସ୍ମୃତି ପ୍ରତି ଆମର ଏତେଟିକେ ବି ସମ୍ମାନବୋଧ ନାହିଁ ।

Support Samadhwani

ରାଜଧାନୀରେ ଜୟଦେବଙ୍କ ସ୍ମୃତିରେ ଭବନ,ସଡ଼କ ଓ ସ୍ମୃତିସ୍ଥଳର ସଂଖ୍ୟା ବଢ଼ି ଚାଲିଥିବା ବେଳେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ମହାନାୟକମାନେ ପ୍ରାୟ ଉପେକ୍ଷିତ ଅଥବା ‘ସଲୀଳ ନ ସିଂଚି ଶୁଷ୍କ ଦଣ୍ଡବତ’ରେ ସୀମିତ । ମଜାର କଥା ହେଉଛି ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାରର ନାମ ମଧ୍ୟ ଜୟଦେବ ପୁରସ୍କାର । ଶ୍ରୀ ଜୟଦେବଙ୍କ  ସହ ଓଡ଼ିଆ ଚଳଚ୍ଚିତ୍ରର ସମ୍ପର୍କ ଯେ କ’ଣ ତାହା ଆମେ ଜମାରୁ ବୁଝିପାରୁ ନାହୁଁ ।

ଅନ୍ୟ ଦିଗରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ନିର୍ମାଣ କରିବାକୁ ଯାଇ ସର୍ବସ୍ୱାନ୍ତ ହୋଇଯାଇଥିବା ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କର ସ୍ମୃତିପ୍ରତି କାହାର ଧ୍ୟାନନାହିଁ । ଗୋସେଇଁଙ୍କର ପ୍ରତିମୂର୍ତ୍ତିଟିଏ କି ପ୍ରାମାଣିକ ଜୀବନୀଟିଏ ଖୋଜିପାଇବା ଦୁରୂହ ବ୍ୟାପାର । ଜୟଦେବଙ୍କ ଯୋଗ୍ୟ ଉତ୍ତରାଧିକାରୀ ଭାବରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟକରୁଛି। ବେଳେବେଳେ ତ ଲାଗୁଛି, ଆମ ସଂସ୍କୃତି ଗୀତଗୋବିନ୍ଦର କେଳିକୁଞ୍ଜରୁ ଆରମ୍ଭ ହୋଇ ବସନ୍ତ ରାସରେ ହିଁ ସରିଯାଉଛି ।

ଗତ କିଛିବର୍ଷ ଧରି ଓଡ଼ିଶାର କେତେଜଣ ବରିଷ୍ଠ ଅଧିକାରୀ ଶ୍ରୀ ଜୟଦେବଙ୍କୁ ନିଜର ଗୁରୁଭାବେ ଗ୍ରହଣ କରିନେଇଛନ୍ତି । ସେମାନଙ୍କ ମତରେ ‘ଗୀତଗୋବିନ୍ଦ’ ହିଁ ହେଉଛି ଆମ ସଂସ୍କୃତିର ମୂଳକେନ୍ଦ୍ର । ପୂର୍ବତନ ମୁଖ୍ୟ ଶାସନସଚିବ କେବଳ ଜୟଦେବଙ୍କ ନାମସଂକୀର୍ତ୍ତନରୁ ଓଡ଼ିଆ ସଂସ୍କୃତିକୁ ଆବିଷ୍କାର କରନ୍ତି । ଅବଶ୍ୟ ଏମାନେ ଜାତିରେ ବ୍ରାହ୍ମଣ ଏବଂ ସଂସ୍କୃତ ଭାଷାରେ ପଣ୍ଡିତ । ଜୟଦେବଙ୍କ ଜନ୍ମସ୍ଥାନ ଏବଂ ଗୀତଗୋବିନ୍ଦର ରଚନାକାଳକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ ସୃଷ୍ଟି କରିବାରେ ଏମାନେ ପ୍ରମୁଖଭୂମିକା ଗ୍ରହଣ କରିଥାନ୍ତି । ଜୟଦେବ ଓଡ଼ିଶାର କେନ୍ଦୁଲିରେ ଜନ୍ମଗ୍ରହଣ କରିଥିଲେ । ଏଥିରେ ଆମର କୌଣସି ପ୍ରକାର ଆପତ୍ତି କରିବାର ନାହିଁ । ଆଉ କେତେଜଣ ବୁଦ୍ଧଙ୍କୁ ଓଡ଼ିଶାର କପିଳେଶ୍ୱର ଏବଂ କାଳିଦାସଙ୍କୁ ଉମରକୋଟରେ ଜନ୍ମଗ୍ରହଣ କରିଥିଲେ ବୋଲି ପ୍ରଚାର ଚଳାଇଛନ୍ତି ।

ଏ କ୍ଷେତ୍ରରେ ରାଜ୍ୟ ରାଜକୋଷରୁ ପ୍ରଦ୍ଭୁତ ଅର୍ଥ ବ୍ୟୟ କରାଯାଇଛି । ତାହା ହିଁ ଆମ ମୁଣ୍ଡବିନ୍ଧାର କାରଣ । ରାଜ୍ୟବାସୀଙ୍କ ଝାଳବୁହା ଧନରେ ବ୍ୟକ୍ତିଗତ ଆଦର୍ଶ ଓ ବ୍ରାହ୍ମଣୀୟ ବିଚାରଧାରାର ପ୍ରସାର ପାଇଁ ଉଦ୍ୟମ ଏକ ଗଣତାନ୍ତ୍ରିକ ରାଜ୍ୟରେ କେତେଦୂର ଯୁକ୍ତିଯୁକ୍ତ ତାହା ଆମେ ବିଚାର କରି ନଥାଉ ।  ଯେଉଁ ରାଜ୍ୟରେ ଜନଜାତି ଓ ଦଳିତଙ୍କ ସଂଖ୍ୟା ପ୍ରାୟ ପଚାଶଭାଗ ସେଠାରେ ସଂସ୍କୃତର ଦେବତ୍ୱକୁ ସଂସ୍କୃତିର ଆଧାର ମନେକରିବା ଆଶ୍ଚର୍ଯ୍ୟ ଜନକ । ଏ ଜାତିର ସଂସ୍କୃତି କେନ୍ଦ୍ର ଶ୍ରୀମନ୍ଦିରର ସେବା ପରମ୍ପରାରେ ଆଦିବାସୀ ଓ ତନ୍ତ୍ର ଉପାଦାନ ତ ଯଥେଷ୍ଟ! ତଥାପି ସେ ବିଷୟରେ ଆମର ପରିଚର୍ଚ୍ଚା ସୀମିତ ।

ଦାରୁ ଦେବତାରୁ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କର ବିବର୍ତ୍ତନ ପ୍ରକ୍ରିୟାରେ ଶବର ଓ ଦଳିତଙ୍କୁ ଅଣଦେଖା କରିବାର ସାମନ୍ତ-ବ୍ରାହ୍ମଣବାଦୀ ମାନସିକତା ବିଷୟରେ ଆମେ ଆଲୋଚନାକୁ ଆଡ଼େଇ ଯାଉ । ଫଳରେ ସଂଖ୍ୟାଲଘୁ ବୌଦ୍ଧିକ ପୁଞ୍ଜିପତିଙ୍କ ଦ୍ୱାରା ନିର୍ଦ୍ଧାରିତ ମାପକରେ ଆମ ସଂସ୍କତୃିର ମୂଲ୍ୟାୟନ କରାଯାଏ । ଗୀତଗୋବିନ୍ଦ ତାର ଏକ ପ୍ରକୃଷ୍ଟ ଉଦାହରଣ । ଓଡ଼ିଆଭାଷା ଯେହେତୁ ଲୋକ ସାଧାରଣର ଭାଷା, ତେଣୁ ସେଥିରେ ଦେବତ୍ୱ ବା ଦିବ୍ୟତ୍ୱର ସନ୍ଧାନମିଳିବା କଷ୍ଟକର ବୋଲି ଆମର ବ୍ରାହ୍ମଣୀ ମାନସିକତା ଧରିନେଇଥାଏ । ରାଧାକୃଷ୍ଣଙ୍କ ରାସଲୀଳାରେ ଦୈହିକ ଅପେକ୍ଷା ଅପ୍ରାକୃତ ପ୍ରେମର ସଂଙ୍କେତ ଖୋଜି ଖୋଜି ଆମେ ଗୋଟିଏ ଜାତିର ଜୀବନ୍ତ-ମୁକ୍ତ-ସସ୍କୃତିକୁ ଉପେକ୍ଷା କରିଥାଉ । ସେଇ ଉପେକ୍ଷାର ଶିକାର ଶୁଦ୍ର ସାରଳାଙ୍କଠୁ ଆରମ୍ଭ କରି କନ୍ଧ ଭୀମଭୋଇ । ଏକ ଅଦ୍ଭୂତ ସାଂସ୍କୃତିକ ଧାରଣା ଆମ ସମସ୍ତଙ୍କୁ କବଳିତ କରିରଖିଛି ।

ସଂସ୍କୃତିର ବ୍ରାହ୍ମଣୀକରଣ ବା ସଂସ୍କୃତିକରଣର ଏକ ଲମ୍ବା ଇତିହାସ ଆମର ରହିଛି । ଶବର ଦେବତା ଶ୍ରୀ ଜଗନ୍ନାଥଙ୍କୁ ପୁରୁଷୋତ୍ତମ ଜଗନ୍ନାଥ ଭାବରେ କିପରି ଭାବରେ ପ୍ରତିଷ୍ଠିତ କରାଗଲା, ତାହାର ନୃତାତ୍ତ୍ୱିକ ଗବେଷଣା ଏବେ ଅବଶ୍ୟ କିଛିକିଛି ହେଲାଣି । ଶ୍ରୀ ଜଗନ୍ନାଥଙ୍କ ପୂଜା ଓ ସେବା କ୍ଷେତ୍ରରେ ତନ୍ତ୍ର ଏବଂ ଅଦିବାସୀ ଜୀବନଚର୍ଯ୍ୟାର ପ୍ରୟୋଗ ବିଷୟରେ ବହୁ ଗବେଷକ ନିଜନିଜ ମତ ଉପସ୍ଥାପନ କଲେଣି । ଦୁର୍ଭାଗ୍ୟ କ୍ରମେ ଆମର ଅମଲା ଅଧିକାରୀମାନେ ଇତିହାସରେ ରୁଚି ରଖନ୍ତି ଓ ଇତିହାସକୁ ନିଜ ଇଚ୍ଛା ଅନୁସାରେ ଲେଖିବାର ସାହସ ମଧ୍ୟ କରନ୍ତି ।

ରାଜ୍ୟର ସମସ୍ତ ଗବେଷଣା କ୍ଷେତ୍ରରେ ଏବଂ ଇତିହାସ ସମ୍ପର୍କିତ ଅନୁଷ୍ଠାନରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କର ପ୍ରଭାବ ବେଶ୍ ପରିଲକ୍ଷିତ ହୋଇଥାଏ । ସମନ୍ୱୟ ଓ ସଂଘାତର ଇତିହାସରେ ଆମେ ଏହାର ରାଶି ରାଶି ଉଦାହରଣ ଦେଖିବାକୁ ପାଇବା । ଓଡ଼ିଶାର ଆଧୁନିକ ଇତିହାସରେ ସରକାରୀ ପୃଷ୍ଠପୋଷକତାରେ ସଂସ୍କୃତିର ବ୍ରାହ୍ମଣୀକରଣ, ଗବେଷଣା ପାଇଁ ଏକ ନୂଆ ଉପାଦାନ ନିଶ୍ଚୟ । ନିଜସ୍ୱ ସଂସ୍କୃତିର ମୌଳିକ ଉପାଦାନମାନଙ୍କୁ ଉପେକ୍ଷା କରି ଏବଂ ବହୁଜନର ଜୀବନବୋଧକୁ ସଂସ୍କୃତିର ପରିମଣ୍ଡଳରୁ ବାଦ୍ଦେଇ ଆମେ କାହାପାଇଁ ଉପକାର କରୁଛୁ? ଓଡ଼ିଆ ସଂସ୍କୃତିର ବ୍ୟାପକ ମାନବବୋଧ ଭିତରେ ସଂସ୍କୃତ ଓ ବ୍ରାହ୍ମଣଙ୍କର ଅବଦାନ କେତେ-ତାହାର ଏକ ନିରପେକ୍ଷ ଆକଳନ ପ୍ରସ୍ତୁତ କରିବାକୁ ହେବ । ନଚେତ୍ ବହୁଜନର ଜୀବନ ଓ ସଂସ୍କୃତି କ୍ରମଶଃ ଅକାଳ ମୃତ୍ୟୁବରଣ କରିବ ।

Share this Article
କବି, ସାମ୍ବାଦିକ, ସଙ୍ଗୀତ ସମାଲୋଚକ