ଶିଶୁ, କିଶୋର ସାହିତ୍ୟରେ ଚିତ୍ର ଓ ଅଳଙ୍କରଣ

24 Min Read

[box type=”shadow” align=”” class=”” width=””]‘ସୌନ୍ଦର୍ଯ୍ୟବୋଧ ଶିଶୁର ଜନ୍ମଗତ ଅଧିକାର । ଏଣୁ ପ୍ରତ୍ୟେକ ଶିଶୁ ଏକ କଳାକାର । ଶିଶୁର ବୟସକ୍ରମେ ଏହି କଳାତ୍ମକ ଗୁଣଟିର ପରିପ୍ରକାଶ ହୁଏ । ମାତ୍ର ପରିବେଶ ଅଭାବରୁ ଏହା ପରିପ୍ରକାଶ ହୋଇପାରେ ନାହିଁ ।’ ବିଶିଷ୍ଟ ଚିତ୍ରଶିଳ୍ପୀ ଅଶୋକ କୁମାର ମହାନ୍ତିଙ୍କ ଦ୍ୱାରା ଉପସ୍ଥାପିତ ଏହି ଲେଖାଟି କଳା ଓ ସଂସ୍କୃତିର ମଣିଷ ସମାଜ ଗଠନରେ କେଉଁଭଳି ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି ବିଶେଷ ଭାବରେ ଉଲ୍ଲେଖ କରାଯାଇଛି । ଲେଖକଙ୍କ ମତରେ ଚିତ୍ରକଳା ଆମ ଭିତରେ ଥିବା ମଣିଷ ପଣିଆକୁ ଉଜାଗର କରେ । ପ୍ରତ୍ୟେକଟି ବସ୍ତୁର ନିଜସ୍ୱ ଅବସ୍ଥିତି ସମ୍ପର୍କରେ ଆମକୁ ସଚେତନ କରାଏ । ଏହାଛଡ଼ା ସବୁ ଜିନିଷ ଭିତରୁ ସୌନ୍ଦର୍ଯ୍ୟକୁ ଖୋଜିବା ଏବଂ ନିଜ ପରିବେଶ ଭିତରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଞ୍ଚାଇ ରଖିବାର ମାନସିକତା ସୃଷ୍ଟିକରେ । ଯନ୍ତ୍ରଯୁଗର ମଣିଷ ଭିତରେ ମଣିଷ ପଣିଆର ବିଜଟିକୁ ପୁନର୍ଜୀବିତ କରି ରଖିବା ପାଇଁ ଚିତ୍ରକଳାର ଯେ ଜରୁରୀ ଆବଶ୍ୟକତା ରହିଛି ଚିତ୍ରଶିଳ୍ପୀ ଓ କଳା ଶିକ୍ଷକ ଅଶୋକ କୁମାର ମହାନ୍ତି ଏଥିରେ ସ୍ପଷ୍ଟ ଭାବରେ ଉପସ୍ଥାପିତ କରିଛନ୍ତି ।              -ସମ୍ପାଦକ[/box]

ଇତିହାସରେ ମଣିଷ ଓ ତା’ର ସଭ୍ୟତାର ଅଗ୍ରଗତି କ୍ଷେତ୍ରରେ ଚିତ୍ରକଳାର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ନିଜ ମନର ଭାବନାକୁ ସେ ବ୍ୟକ୍ତ କରିବାପାଇଁ ଯେଉଁ ମାଧ୍ୟମ ଲୋଡ଼ିଥିଲା ବା ଆପଣେଇ ଥିଲା, ତାହାହିଁ କଳା । କଳାରୁ ହିଁ ମାର୍ଜିତ ହୋଇ ଲିପିର ସୃଷ୍ଟି । ଭାରତବର୍ଷର ଆତ୍ମାକୁ ଅଧ୍ୟୟନ କରିବାପାଇଁ ହେଲେ ଭାରତବର୍ଷର କଳା ସହ ପରିଚିତ ହେବା ଦରକାର । ଏଠି ଶିଳ୍ପୀ ଏବଂ ସାଧକ ଉଭୟେ ସମାନ । ଉଭୟଙ୍କ ସାଧନାର ପଟ୍ଟଭୂମୀ ଉପରେ ଗଠିତ ଏଇ ଭାରତବର୍ଷ । ଏହି କଳାହିଁ ଦର୍ପଣ ସ୍ୱରୂପ ଦେଶର ଆତ୍ମାର ପ୍ରତିଛବିକୁ ବହନ କରି ଚାଲିଥାଏ ।

ପୁରାତନ ସିନ୍ଧୁସଭ୍ୟତା ଯାହାକି ପ୍ରାୟ ଖ୍ରୀ.ପୂ. ୪୦୦୦ ବର୍ଷଠାରୁ କଳାର ଏକ ଅଲିଭା ପ୍ରମାଣ ପଥରଗୁମ୍ଫା, ସ୍ତୁପ, ମନ୍ଦିର ଏବଂ ବାସଗୃହରେ ରହିଛି । ଯଦି ଜଣେ ଭାରତୀୟ କଳାର ଇତିହାସ ପାଠକରେ, ତେବେ ଜୀବନ ସହିତ କଳାର ମିଶ୍ରଣ, ଜୀବନ ଏବଂ କଳାକୁ କିପରି ସମୃଦ୍ଧ କରିଛି, ତାହା ସହଜରେ ଜାଣିହୁଏ । ଲୋକର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ କଳା ହିଁ ପ୍ରାଧାନ୍ୟ ବିସ୍ତାର କରିଛି ।

                ପାରସ୍ୟ ଏବଂ ଗ୍ରୀକ୍ କଳାର ପ୍ରଭାବ ଭାରତୀୟ କଳାକୁ ନୂତନ ରୂପ ଦେବା ସଙ୍ଗେ ସଙ୍ଗେ ଏକ କଳାର ପ୍ରଶସ୍ତି ସାଧନ କରିଛି । ଦୁଇଶତାବ୍ଦୀ ମଧ୍ୟରେ ପାଶ୍ଚାତ୍ୟାଭିମୁଖୀ କଳା ତା’ର ମୌଳିକତାକୁ କିଛି ପରିମାଣରେ ହରାଇ ବସିଛି । ଆମର ଚିତ୍ରକଳା ଅତି ପୁରାତନ ଏବଂ ଉନ୍ନତ । ବିଶାଳ ଉପମହାଦେଶର ପାରମ୍ପରିକ କଳା, କଳାକାରମାନଙ୍କୁ ଆଗାମୀ ଶତାବ୍ଦୀ ପାଇଁ ଖୋରାକ ଯୋଗାଇଛି । ବିଭିନ୍ନ ବାଧା ପ୍ରତିବନ୍ଧକ ସତ୍ତେ୍ୱ ବି ଆମର ପାରମ୍ପରିକ କଳା ବଞ୍ôଚରହିଛି ।

ବିଭିନ୍ନପ୍ରକାର ପାଶ୍ଚାତ୍ୟ ପ୍ରଭାବକୁ ପ୍ରତିହତ କରି ପାରମ୍ପରିକ କଳାର ମୂଳରୂପ ଏଯାବତ୍ ଅକ୍ଷତ ଅବସ୍ଥାରେ ବଞ୍ôଚ ରହିଛି । ବିଭିନ୍ନ ସଂସ୍କୃତି ମଧ୍ୟରେ କଳା ବିନା କୌଣସି ସାମାଜିକ କିମ୍ବା ଧାର୍ମିକ ଉତ୍ସବ ପୂର୍ଣ୍ଣତା ଲାଭ କରିନାହିଁ, ଯଥା ପର୍ବପର୍ବାଣିରେ ଚିତାଦେବା, ପୂଜାସ୍ଥାନର ମଣ୍ଡଳ ଅଙ୍କନ ଇତ୍ୟାଦି ଏକ ଉଦାହରଣ । କେତେକ ସମ୍ପ୍ରଦାୟ ପୁରୁଷାନୁକ୍ରମିକ ଭାବେ କଳାକୁ ନିଜର ପେଷା ରୂପେ ଗ୍ରହଣ କରିନେଇଛନ୍ତି । ହେଲେ ଉପଯୁକ୍ତ ତତ୍ତ୍ୱାବଧାନର ଅଭାବରୁ ସେମାନଙ୍କର କଳାନୈପୁଣ୍ୟ କ୍ରମଶଃ ହ୍ରାସ ପାଇବାକୁ ଲାଗିଲାଣି ।

ଅତୀତ ଉକ୍ରଳର ପ୍ରାଚୀନ ପରମ୍ପରାରେ ମନ୍ଦିର ଗାତ୍ରରେ ଭାସ୍କର୍ଯ୍ୟ; ପଥର ଗୁମ୍ଫାମାନଙ୍କରେ ଶିଳାଲିପି, ଭିତ୍ତିଚିତ୍ରମାନ ଆଜି ବି ରହିଛି, ଏହାକୁ ଆମେ ଦୃଷ୍ଟି ଦେଇପାରୁ ନାହୁଁ । କଳା ସଂସ୍କୃତିର ପୀଠ ପାଠଶାଳାଗୁଡ଼ିକ ଏ ସମ୍ବନ୍ଧରେ ଶାନ୍ତ ଓ ନୀରବ । ଅନ୍ୟ ରାଜ୍ୟମାନେ କଳା ସଂସ୍କୃତି କ୍ଷେତ୍ରରେ ବହୁ ଅଗ୍ରଗତି କରୁଥିବାବେଳେ ଆମେ ଅନେକ ପଛରେ ପଡ଼ିରହିଛୁ ।

ରୂପ ଓ ରଙ୍ଗ ମଣିଷକୁ ପ୍ରଭାବିତ କରେ, ପିଲାଙ୍କୁ ମଧ୍ୟ ଏହା ପ୍ରଭାବିତ କରିଥାଏ । ଏଥିପାଇଁ ପୁରାତନ ମଣିଷ ପରିବେଷ୍ଟନୀକୁ ସଜେଇବା ପାଇଁ ରୂପ ଏବଂ ରଙ୍ଗଦେଇ ବିଭିନ୍ନ ଆକୃତି ତିଆରି କରୁଥିଲା, ପ୍ରତ୍ୟେକ ଶିଶୁ ଜଣେ ସ୍ରଷ୍ଟା । ସୃଷ୍ଟିର ଇଛା ତା’ଠାରେ ବହୁଳ ପରିମାଣରେ ଥାଏ । ସୁଯୋଗ ପାଇଲେ ତା’ଠାରେ ଏହି ମୌଳିକତ୍ୱର ବିକାଶ ଘଟିଥାଏ ।

ସୌନ୍ଦର୍ଯ୍ୟବୋଧ ଶିଶୁର ଜନ୍ମଗତ ଅଧିକାର । ଏଣୁ ପ୍ରତ୍ୟେକ ଶିଶୁ ଏକ କଳାକାର । ଶିଶୁର ବୟସକ୍ରମରେ ଏହି କଳାତ୍ମକ ଗୁଣଟିର ପରିପ୍ରକାଶ ହୁଏ । ମାତ୍ର ପରିବେଶ ଅଭାବରୁ ଏହା ପରିପ୍ରକାଶ ହୋଇପାରେ ନାହିଁ । ଏଣୁ ଶିଶୁର ଏହି ଅଭାବଟି ତା’ର ପିତାମାତା, ଗୁରୁଜନ ଓ ଶିକ୍ଷକମାନେ ଯଥା ସମୟରେ କଳାତ୍ମକ ଗୁଣଟିର ବିକାଶ ଦିଗରେ ସହାୟତା କରିପାରନ୍ତି ନାହିଁ । ଏଣୁ ଶିଶୁ ଭିତରେ ଏହି କଳାତ୍ମକ ଦିଗଟିର ମୃତ୍ୟୁ ଘଟିଥାଏ ।

ଶିଶୁ ଭୂମିଷ୍ଠ ହେବା ପରେ ସେ ଦୁନିଆକୁ ଦେଖିବାକୁ ଆରମ୍ଭ କରିବା ଠାରୁ ପ୍ରଥମେ ଶବ୍ଦ ଓ ରଙ୍ଗ ପ୍ରତି ଆକୃଷ୍ଟ ହୁଏ । ଖେଳନାର ଆକର୍ଷଣୀୟ ରଙ୍ଗ ପ୍ରତି ତା’ ଭିତରେ କୌତୁହଳ ସୃଷ୍ଟିକରେ । ପୁରାଣର କାହାଣୀରେ ସୂର୍ଯ୍ୟଙ୍କୁ ଦେଖି ହନୁମାନ ଖାଇବା ପାଇଁ ଧାଇଁବା ଏହି ରଙ୍ଗ ହିଁ ଆକର୍ଷିତ କରିଥିଲା ।

ଲାଲ ରଙ୍ଗ ପ୍ରତି ତା’ର ଆକର୍ଷଣ ଅନେକ । ରଙ୍ଗର ଯାଦୁକରି ଶକ୍ତି ହିଁ ତାକୁ ସମ୍ମୋହିତ କରେ । ଏଣୁ ପିଲାଟି ପ୍ରଥମେ ଲାଲ, କଳା, ନୀଳ, ସବୁଜ ଓ ହଳଦୀ ରଙ୍ଗ ପ୍ରତି ଆକର୍ଷିତ ହୁଏ ଏବଂ ଛବି କଲାବେଳେ ସେ ସେଇ ରଙ୍ଗକୁ ବ୍ୟବହାର କରେ ।

ପିଲାଟି ବହିଟିଏ ପାଇଲେ ସେ ଲେଉଟାଇ ଚିତ୍ର ଦେଖେ ଏବଂ ଏହି ଅଭ୍ୟାସ ବଡ଼ ହେବା ପର୍ଯ୍ୟନ୍ତ ନଥାଏ । ଅନେକ ଲୋକ କେବଳ ଚିତ୍ର ଦେଖିବା ପାଇଁ ଚଳଚ୍ଚିତ୍ର, ପତ୍ରିକା ଓ ଅନ୍ୟାନ୍ୟ ଇଂରାଜୀ ପତ୍ରିକାମାନ ବଡ଼ କାଳରେ କିଣିଥାଆନ୍ତି । ଚିତ୍ରକଳା ଯେ କେବଳ ଶିକ୍ଷାରେ ସାହାଯ୍ୟ କରେ ତା’ ନୁହେଁ, ପିଲାଟି ଠାରୁ ବଡ଼ ହେବା ପର୍ଯ୍ୟନ୍ତ ମଣିଷର ରୁଚିକୁ ପରିବର୍ତ୍ତନ କରେ । ସୌନ୍ଦର୍ଯ୍ୟବୋଧ ଜ୍ଞାନ ଥିବା ଶିଶୁ ବା ମଣିଷ ନିଜ ପରିବେଶ ପ୍ରତି ସଚେତନ ରହେ । ନିଜ ପୋଷାକଠାରୁ ବହିପତ୍ର, ବାସଗୃହ ସବୁକୁ ସୁନ୍ଦର ଭାବେ ସଜାଇବାକୁ ଚେଷ୍ଟା କରିଥାଏ । ସୌନ୍ଦର୍ଯ୍ୟବୋଧ ଜ୍ଞାନର ଅଭାବ ହିଁ ଆଜି ପରିବେଶ ନଷ୍ଟ ପାଇଁ ଏକାନ୍ତ ଭାବରେ ଦାୟୀ, ଏଥିରେ ସନ୍ଦେହ ନାହିଁ ।

ମୋଟାମୋଟି ଭାବରେ ଶିଶୁର ମାନସିକ ତଥା ବୌଦ୍ଧିକ ବିକାଶ ଦିଗରେ ଚିତ୍ରର ଯେ ଭୂମିକା ରହିଛି ଏଥିପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ । ଚିତ୍ର ଶିଶୁମାନଙ୍କୁ ଶିଶୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବାର ଏକ ମୁଖ୍ୟ ଅସ୍ତ୍ର । ଏଣୁ ଚିତ୍ରରୂପକ ଅସ୍ତ୍ର ସଠିକ୍ ପ୍ରୟୋଗ କରିବା ପାଇଁ ନିମ୍ନୋକ୍ତ ଉପାୟ ଅବଲମ୍ବନ କରିବା ଆବଶ୍ୟକ ।

୧.         ଶିଶୁ ପୁସ୍ତକ ଓ ପତ୍ରପତ୍ରିକାଗୁଡ଼ିକ ରଙ୍ଗୀନ ଓ ଚିତ୍ରିତ ହେବା ଆବଶ୍ୟକ ।

୨.         ଅସ୍ୱାଭାବିକ ଓ କଳାଧଳା ଚିତ୍ର ବର୍ଜନ କରାଯିବା ଉଚିତ୍ ।

୩.         ଚିତ୍ରଗୁଡ଼ିକ ଜୀବନ୍ତ ଓ ପ୍ରଭାବଶାଳୀ ହେବା ଆବଶ୍ୟକ ।

୪.         ରଙ୍ଗ ମିଶ୍ରଣ ଶୈଳୀପ୍ରତି ଗୁରୁତ୍ୱ ପ୍ରଦାନ କରାଯିବା ଉଚିତ୍ ।

୫.         ଚିତ୍ରକଥା ପୁସ୍ତକ ପ୍ରକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବା ଉଚିତ୍ ।

୬.         ଏହି ପୁସ୍ତକର ପ୍ରଚ୍ଛଦପଟ୍ଟ ଆକର୍ଷଣୀୟ ଓ ବହୁ ରଙ୍ଗ ବିଶିଷ୍ଟ ହେବା ଆବଶ୍ୟକ ।

ଶିଶୁ ସାହିତ୍ୟର ମୁଖ୍ୟ ବିଭବ ହେଲା ଚିତ୍ର । ସୁନ୍ଦର ଚିତ୍ର ଥାଇ ପ୍ରସ୍ତୁତ ହେଉଥିବା ପୁସ୍ତକକୁ ଶିଶୁ ସାହିତ୍ୟ କୁହାଯାଏ । ଏଥିପାଇଁ ନ୍ୟାସ୍ନାଲ୍ ବୁକ୍ ଟ୍ରଷ୍ଟ ଅଥବା ନେହେରୁ ପୁସ୍ତକାଳୟ ଦ୍ୱାରା ପ୍ରକାଶିତ ଓଡ଼ିଆରେ ପୁସ୍ତକଗୁଡ଼ିକୁ ଉଦାହରଣସ୍ୱରୂପ ନିଆଯାଇପାରେ ଯେଉଁଥିରେ କେବଳ ଛବିଟି ଗୋଟିଏ ପରେ ଗୋଟିଏ ଗତିଶୀଳ ଅବସ୍ଥାରେ ରହି ଗପଟି କହିବାରେ ସାହାଯ୍ୟ କରିଥାଏ । ଉଦାହରଣରେ ଲୋକଗଳ୍ପ ‘କାଉର ଚାଲାଖି’ ଅବା ‘ଚତୁର କାଉ’ ବିଷୟଟି ନିଆଯାଉ ।

ପ୍ରଥମ ଚିତ୍ରରେ କୁଆଟିଏ ଖରାବେଳରେ ଉଡ଼ିବାର ଛବି, ପଛରେ  ସୂର୍ଯର ପ୍ରଖର କିରଣ ଜଙ୍ଗଲରେ ଗଛଗୁଡ଼ିର ପତ୍ର ସୁଖିଯାଉଛି, କୁଆଟିଏ ଉଡ଼ୁଛି । ଏହା ଏକ ନମ୍ବର ଅବା ପ୍ରଥମ ପୃଷ୍ଠାର ଛବି ।

ପରପୃଷ୍ଠାରେ କାଉଟିଏ ଡାଳରେ ବସି ଚାରିଆଡ଼କୁ ଚାହୁଁଛି । ସମୟ ସେଇ ଏକା ଖରାବେଳ । ତୃତୀୟରେ ଦୂରରୁ ଏକ ମାଠିଆ ଥୁଆ ହୋଇଥିବାର ଦୃଶ୍ୟ ଅଥଚ କାଉ ସେ ଡାଳ ଉପରେ ବସି ଚାହିଁଥିବ ଏବଂ ସେଇଟି ଆବିଷ୍କାର କରିବ । ଚତୁର୍ଥରେ ସେଠାକୁ ଉଡ଼ି ଉଡ଼ି ଯିବାର ଚିତ୍ର । ପଞ୍ଚମରେ ମାଠିଆ ଉପରେ ବସି ମାଠିଆ ଭିତରକୁ ଚାହିଁବା । ଷଷ୍ଠରେ ମାଠିଆର ଅନେକ ତଳେ ପାଣିଥିବାର ଲକ୍ଷ୍ୟ କରିବା ।

ସପ୍ତମରେ ମାଠିଆ ଉପରେ ବସି ଚିନ୍ତା କରିବା । ଅଷ୍ଟମରେ କିଛି ଦୂରରେ ପଡ଼ିଥିବା ଗୋଡ଼ି ପାଖରେ ବସିବା; ନବମରେ ଗୋଡ଼ିକୁ ଥଣ୍ଟରେ ଧରିବା, ଦଶମରେ ଗୋଡ଼ି ଧରି ମାଠିଆ ଆଡ଼କୁ ଉଡ଼ିବା; ଏକାଦଶରେ ମାଠିଆ ଉପରେ ବସି ଗୋଡ଼ି ପକାଇବା । ଦ୍ୱାଦଶରେ ମାଠିଆ ପାଖରୁ ପୁଣି ଗୋଡ଼ି ଜାଗାକୁ ଉଡ଼ି ଉଡ଼ି ଯାଉଥିବା, ତ୍ରୟୋଦଶରେ ଗୋଡ଼ି ଧରି ମାଠିଆ ଆଡ଼କୁ ଫେରୁଥିବା, ଚତୁର୍ଦ୍ଦଶରେ ମାଠିଆରେ ବସି ଗୋଡ଼ି ପକାଉଥିବା ଏବଂ ଶେଷରେ ମାଠିଆ ଭିତରକୁ ମୁହଁ ଭରି ପାଣି ପିଉଥିବାର ଚିତ୍ର ଅଙ୍କନ କରି ବହି ପ୍ରସ୍ତୁତ ମଧ୍ୟରେ ଗୋଟିଏ ଗପକୁ କୁହାଯାଇପାରେ ।

କହିବା ବଦଳରେ ପନ୍ଦରଟି ଛବିର ସାହାଯ୍ୟ ନିଆଯାଇ ଖଣ୍ଡିଏ ପୁସ୍ତକ ପ୍ରସ୍ତୁତ କରାଯାଇପାରେ । ଏହାର ପରେ ଗୋଟିଏ ଧାଡ଼ି ଲେଖି ପୂରାପୃଷ୍ଠାର ଚିତ୍ର ରହିଥାଏ । ପିଲାଟି ଚିତ୍ରକୁ ଆଗ ଦେଖେ, ଚିତ୍ରଗୁଡ଼ିକ କାର୍ଟୁନ ହେଲେ ଆହୁରି ଭଲ, କାରଣ ପିଲା ସବୁଗୁଡ଼ିକୁ ଭିନ୍ନ ଭାବରେ ଦେଖିବାକୁ ପସନ୍ଦ କରେ । ଉଦାହରଣସ୍ୱରୂପ ମୂଷା ପ୍ୟାଣ୍ଟ-ସାର୍ଟ ପିନ୍ଧି ଚାଲିବା, ବତକ ପ୍ୟାଣ୍ଟ-ସାର୍ଟ, କୋର୍ଟ, ଟାଏ ପିନ୍ଧିବା, ତା’ ଭିତରେ କୌତୁହଳ ଜାତ କରିଥାଏ । ସେଥିପାଇଁ ସେ ଡୋନାଲ୍ଡ଼ ଡକ୍, ମିକିମାଉସ୍, ଟମ୍ ଏଣ୍ଡ୍ ଜେରି ପ୍ରଭୃତି କାର୍ଟୁନ୍ ଚିତ୍ର ଦେଖିବାକୁ ଭଲପାଏ ।

ଆଗରୁ ଶିଶୁ ସାହିତ୍ୟରେ ଯେ କୌଣସି ଚିତ୍ରର ବ୍ଲକ୍ ଆଣି ଖଞ୍ଜି ଦିଆଯାଉଥିଲା । ସେତେବେଳେ ପ୍ରିଣ୍ଟିଂ ଟେକ୍ନୋଲୋଜିର ଏତେଟା ଉନ୍ନତି ହୋଇ ନଥିଲା ଏବଂ ଲେଖକ ଓ ପ୍ରକାଶକ ଅଧିକ ବ୍ୟୟଭାର ଉଠଇବାକୁ କୁଣ୍ଠିତ ଥିବାବେଳେ ଲେଖାଯାଇଥିବା ଗଳ୍ପ ସହ କିଛିଟା ସାମଞ୍ଜସ୍ୟ ଥିବା ଯେ କୌଣସି ଛବିର ବ୍ଲକକୁ ସେଠାରେ ଦେଇଦିଆଯାଉଥିଲା । ପୁସ୍ତକ ପ୍ରାୟତଃ ଗୋଟିଏ ରଙ୍ଗ (କଳା)ରେ ଥିଲା । ପରବର୍ତ୍ତୀ ସମୟରେ ନାମକରଣ ଓ ଛବିକୁ ଗୋଟାଏ ରଙ୍ଗ (ଲାଲ, ନୀଳ ଅଥବା ସବୁଜ)ରେ ଓ ଲେଖା ସାଧାରଣ କଳା କିମ୍ବା ଚକ୍ଲେଟ୍ ରଙ୍ଗରେ ଛପା ଯାଉଥିଲା । ରାମକୃଷ୍ଣ ନନ୍ଦଙ୍କ ‘ଝୁମୁକା’ ଯାହା ପ୍ରଥମଥର ଏକାଡ଼େମୀ ପୁରସ୍କାର ପାଇଥିଲା, ତାକୁ ଉଦାହରଣସ୍ୱରୂପ ନିଆଯାଇପାରେ । ପରବର୍ତ୍ତୀ ସମୟରେ ଅଫସେଟ୍ ପ୍ରିଣ୍ଟିଂ ପ୍ରେସ୍ ଆସି ପ୍ରକାଶନରେ ଚହଳ ସୃଷ୍ଟି କଲା ।

ଏବେ ଏବେ ପ୍ରତିଯୋଗିତାରେ କିଏ କାହାକୁ ଟପିଯାଇପାରିବ ମନୋଭାବ ନେଇ ଲେଖକ-ପ୍ରକାଶକ ଉଭୟେ ଯତ୍ନବାନ୍ ହୋଇ ଉଠିଲାବେଳେ ଚିତ୍ରଶିଳ୍ପୀର ଆବଶ୍ୟକତା ସେମାନଙ୍କ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଲା । ଏବେକାର ପ୍ରକାଶନର ବହୁ ପୂର୍ବରୁ ସୋଭିଏତ୍ ରୁଷରୁ ସୋଭିଏତ୍ ଦେଶ ପ୍ରକାଶନବେଳେ ନବଯୁଗ ଗ୍ରନ୍ଥାଳୟରୁ ଅନନ୍ତ ପଟ୍ଟନାୟକଙ୍କ ଦ୍ୱାରା ରୁଷ ଭାଷାରେ ପ୍ରକାଶିତ ପୁସ୍ତକଗୁଡ଼ିକ ଅନୁଦିତ ହୋଇ ପ୍ରକାଶ ପାଇଥିଲା । ଯଥା – ‘ଲାଲ ଟୁକ୍ଟୁକ୍ ସୁରୁଜଟିଏ’, ‘କସରା ଘୋଡ଼ା’ ପ୍ରଭୃତି । ରୁଷୀୟ ଛବି ଉପରେ କେବଳ କବିତାକୁ ଅନୁବାଦ କରାଯାଇଥିଲା ।

ବର୍ତ୍ତମାନ ପ୍ରତିପୃଷ୍ଠାର ଚିତ୍ର ନରହିଲେ ଶିଶୁ ସାହିତ୍ୟ ଉପଯୋଗୀ ହେଉନି । ଏଣୁ ସର୍ବଭାରତୀୟ ସାହିତ୍ୟ କ୍ଷେତ୍ରରେ ଚିତ୍ରଶିଳ୍ପୀ ଓ ଲେଖକ ଉଭୟଙ୍କୁ ସମାନ ଭାବରେ ପୁରସ୍କୃତ କରାଯାଉଛି । ଏବେ ଏବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଶିଶୁ ସାହିତ୍ୟକୁ ପୁରସ୍କାର ଦିଆଯିବା ବଡ଼ ସୁଖର ବିଷୟ, ମାତ୍ର ଓଡ଼ିଶା ସାହିତ୍ୟ ଏକାଡ଼େମୀ ଶିଶୁ ସାହିତ୍ୟକୁ ପୁରସ୍କାର ପ୍ରଦାନବେଳେ ଚିତ୍ରଶିଳ୍ପୀ ଉପରେ ଗୁରୁତ୍ୱ ନଦେବା ବଡ଼ ପରିତାପର ବିଷୟ।

ଶିଶୁଟି ଶିକ୍ଷା ଆରମ୍ଭରେ ପ୍ରଥମେ ସେ ଛବିକୁ ଦେଖିଥାଏ ପରେ ସେ ପରିଚିତ ଛବିଗୁଡ଼ିକୁ ଚିହ୍ନି କହିବାକୁ ଆରମ୍ଭ କରେ । ଏହି କହିବା ଭିତରେ ସେ ଅକ୍ଷର ଶିକ୍ଷାକରେ । ଇଂରାଜୀ ଓ ହିନ୍ଦୀ ଭାଷାରେ ସୁନ୍ଦର ସୁନ୍ଦର ପୁସ୍ତକ ଅଛି ସେଗୁଡ଼ିକୁ ଏଠାରେ ଉଲ୍ଲେଖ କରୁନାହିଁ, ମାତ୍ର ଆମ ଓଡ଼ିଆ ଭାଷାରେ ପ୍ରକାଶିତ ପୁସ୍ତକଗୁଡ଼ିକରେ ପ୍ରଥମେ ଅବନା ଅକ୍ଷରକୁ ନେଇ ଶିକ୍ଷା ଆରମ୍ଭ କରାଯାଏ । ଉଦାହରଣସ୍ୱରୂପ ‘ଅର’, ‘ଘର’, ‘ବର’, ‘ରବର’ ପ୍ରଭୃତିର ଛବିକୁ ଦେଖି ପିଲାଟି ପଢ଼ିଯିବା ମଧ୍ୟରେ ଅ, ର, ଘ, ବ ଶବ୍ଦ ସହ ପରିଚିତ ହୁଏ ଏବଂ ପରେ ପରେ ‘ଅ’ ଲେଖିବାବେଳେ “ଲାଗି ଲାଗି ଦୁଇଟି ଟୋପି ଟୋପିକୁ ଲାଗି ପାଟି, ପାଟିକୁ ବାଡ଼ି ଧରାଇଦେଲେ ଆସିଯିବ ‘ଅ’ ଟି ।”

“ଦୁଇଟି ଶୂନ୍ ଲାଗି ଉପରେ ଗୋଟେ ଟୋପି, ଟୋପିର ଲାଞ୍ଜ ବଢ଼ାଇ ଦେଲେ ‘ଇ’ଟି ଯିବ ଲେଖି ।”

ଏହିପରି ଭାବରେ ଚିତ୍ର ସାହାଯ୍ୟରେ ସହଜ ଭାବରେ ଫଳା ଶିକ୍ଷା ଦିଆଯାଇପାରେ । ଶିଶୁମାନେ ପରବର୍ତ୍ତୀ ପର୍ଯ୍ୟାୟରେ କିଶୋର ଅବସ୍ଥା ଆସିଲେ ସେମାନଙ୍କୁ ରୁଚିସମ୍ପନ୍ନ ଓ ମାର୍ଜିତ କରିବା ପାଇଁ ସୌନ୍ଦର୍ଯ୍ୟବୋଧ ସମ୍ପର୍କରେ ଜ୍ଞାନ ଆହରଣ କରିବା ଅପରିହାର୍ଯ୍ୟ।

ଶିକ୍ଷା ସହିତ ଚିତ୍ରର ନିବିଡ଼ ସମ୍ପର୍କ ରହିଛି । ବିଶେଷକରି ଶିଶୁମାନଙ୍କ ପାଇଁ ଲିଖିତ ସାହିତ୍ୟ ଚିତ୍ରକୁ ବାଦ୍ ଦେଇ କେବେ ପ୍ରସ୍ତୁତ କରାଯାଇ ନପାରେ । ଏଣୁ ପିଲାଟି କାଳରୁ ପିଲାକୁ ପୁସ୍ତକ ସହ ପରିଚିତ କରାଯିବା ପାଇଁ ତା’ହାତରେ ପୁସ୍ତକଟିଏ ଦିଆଯାଇପାରେ । ଏପ୍ରକାର ପୁସ୍ତକ ଶିଶୁଟିର ଏକ ପ୍ରକାର ଖେଳନା ବୋଲି ଧରିନେଲେ ଅତ୍ୟୁକ୍ତି ହେବନାହିଁ ।

ଏହି ପୁସ୍ତକରେ କୌଣସି ଲେଖା ରହିବ ନାହିଁ । କେବଳ ବିଭିନ୍ନ ଆକର୍ଷଣୀୟ ରଙ୍ଗରେ ବିଭିନ୍ନ ଚିତ୍ର ରହିଥିବା ଦରକାର । ମା’ ମାନେ ଛବିରେ ଅଙ୍ଗୁଳି ପ୍ରଦର୍ଶନ କରି ଶିଶୁକୁ ଉକ୍ତ ଛବି ସହ ବାରମ୍ବାର ପରିଚିତ କରାଇଲେ, ପିଲାଟି ଏହାକୁ ପରବର୍ତ୍ତୀ ସମୟରେ ସହଜରେ ଜାଣିପାରିବ । ଏହାଦ୍ୱାରା ଶିଶୁର ଦୃଷ୍ଟି ଶକ୍ତିର ଶ୍ରୀବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ଶ୍ରବଣ ଶକ୍ତିର ମଧ୍ୟ ଶ୍ରୀବୃଦ୍ଧି ଘଟିବ ।

ପ୍ରଥମ ଓ ଦ୍ୱିତୀୟ ବର୍ଷରେ ଶିଶୁମାନେ ଶବ୍ଦାୟିତ ଖେଳନା ପ୍ରତି ଆକୃଷ୍ଟ ହୋଇଥାଆନ୍ତି । ଶିଶୁ ବିଭିନ୍ନ ବିଷୟରେ ଜାଣିବାକୁ ଇଛାକରେ ଓ ଏ ଦିଗରେ ଆଗ୍ରହ ପ୍ରକାଶ କରେ । ଏହି ଖେଳନା ସହ ସେହିଭଳି ବିଚିତ୍ର ପୁସ୍ତକଟିଏ ତା’ହାତରେ ଧରାଇଦେଲେ ସେ ଉଭୟ ପ୍ରତି ଆଗ୍ରହ ପ୍ରକାଶକରେ ଓ ଚିହ୍ନିବା ଶିଖେ । ଏହି ସମୟରେ ପିଲାକୁ ଦିଆଯାଇଥିବା ପୁସ୍ତକ ମଧ୍ୟ ବହୁରଙ୍ଗ ବିଶିଷ୍ଟ ହେବା ଆବଶ୍ୟକ ଓ ପ୍ରତି ପୃଷ୍ଠାରେ ଗୋଟିଏ ଚିତ୍ର ରହିବା ଦରକାର । ସେତେବେଳେ ପିଲା ହାତରେ ଚକ୍ଟିଏ ଧରାଇଦେଲେ ସେ ଗାର ପକାଇବାକୁ ଶିଖେ ଓ ଗାର ପକାଇ ପକାଇ କୌତୁକ ଅନୁଭବ କରେ ।

ତିନିବର୍ଷରୁ ଚାରିବର୍ଷ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପୁସ୍ତକମାନଙ୍କରେ ଅଜା ଆଈମାନେ ବିଭିନ୍ନ ଛବି ଦେଖାଇ ଶିଶୁ ଗଳ୍ପମାନ କହିବା ଉଚିତ୍ । ଯାହାକି ଚିତ୍ରରେ ଶିଶୁ ମନରେ ଏକ କୌତୁହଳ ଯାତ ହେବ । ବିଭିନ୍ନ ପଶୁପକ୍ଷୀର କାର୍ଟୁନ୍ ଚିତ୍ର ହିଁ ପିଲାକୁ ଏ ସମୟରେ ବେଶି ଆକର୍ଷିତ କରିଥାଏ ଓ ସେ ଆନନ୍ଦ ଅନୁଭବ କରିଥାଏ ।

ପିଲାମାନେ ଏ ସମୟରେ ନାନାବାୟା ଗୀତ ଶୁଣି ଥାଆନ୍ତି ଓ ଗାଇ ଥାଆନ୍ତି ମଧ୍ୟ । ପଶୁପକ୍ଷୀଙ୍କୁ ନେଇ ଉଚିତ୍ ଗଳ୍ପ ମାଧ୍ୟମରେ ବହୁ ଶିକ୍ଷଣୀୟ କଥା ଏମାନେ ଗ୍ରହଣ କରିପାରିଥାଆନ୍ତି । ଶିଶୁକୁ ଆନନ୍ଦ ଦେବା ପାଇଁ ଏହିଭଳି କବିତା ସହ ଚିତ୍ରର ମଧ୍ୟ ଆବଶ୍ୟକ ରହିଛି । ଏଇ ଯେମିତି – “ଠେକୁଆ ଚଲାଏ ସାଇକେଲଟି କୁକୁଡ଼ା ଟାଣେ ଗାଡ଼ି

ବଇଦ ହୋଇ ହନୁ ବୁଢ଼ାଟି ଟିପେ ଗଧିଆ ନାଡ଼ି ।”

ଏଠାରେ ଠେକୁଆ ପ୍ୟାଣ୍ଟସାର୍ଟ ପିନ୍ଧି ସାଇକେଲ ଚଳାଇବା ଦୃଶ୍ୟ ଓ କୁକୁଡ଼ା ମଧ୍ୟ ପ୍ୟାଣ୍ଟ ପିନ୍ଧି ଗାଡ଼ି ଟାଣିବା ଦୃଶ୍ୟ ସହ ହନୁବୁଢ଼ା ଡାକ୍ତର ହୋଇ ଗଧିଆ ରୋଗୀ ହେବାର ଛବି ଖୁବ୍ ବେଶି କୌତୁହଳ ଜନ୍ମାଇବା ସହ ଆନନ୍ଦ ଦେଇଥାଏ । ଏଣୁ ସେ ପଢ଼ି ନପାରିଲେ ବି ଶୁଣି ଶୁଣି ଗୀତକୁ ମନେରଖେ । ଇଂରାଜୀରେ ଯେମିତି “ବାଃ! ବାଃ! ବ୍ଲାକ୍ସିପ୍ ହେଭ୍ୟୁ ଏନି ଉଲ୍, ଇଏସ୍ ସାର ଇଏସ୍ ସାର ଥ୍ରୀ ବେଗ୍ସ ଫୁଲ” କିମ୍ବା “ଟ୍ୟୁଇଁକିଲ୍ ଟ୍ୟୁଇଁକିଲ୍ ଲିଟିଲ୍ ଷ୍ଟାର, ହାଓ ଆଇ ୱାଣ୍ଡର ହ୍ୱାଟ୍ ୟୁ ଆର…..” ଇତ୍ୟାଦି ଅଙ୍ଗଭଙ୍ଗୀ କରି ଶିକ୍ଷା ଦିଆଯାଏ । ଯାହା ଫଳରେ ପିଲା ଅକ୍ଷର ସହ ପରିଚିତ ନଥିଲେ ମଧ୍ୟ ସେ ଏଗୁଡ଼ିକ ଶୁଣି ମନେ ରଖିପାରେ । ଶିଶୁ ସାହିତ୍ୟରେ ଏହି ସମୟରେ ପିଲାଙ୍କୁ କାହାଣୀ ସହିତ ସାମଞ୍ଜସ୍ୟ ରହୁଥିବା ଗତିଶୀଳ ଚିତ୍ରର ଆବଶ୍ୟକତା ରହିଛି । କାହାଣୀ ସଂକ୍ଷିପ୍ତ ହେବା ଆବଶ୍ୟକ ଓ ଚିତ୍ରବଡ଼ ହେବା ବାଞ୍ଛନୀୟ ।

ଏହି ବୟସରୁ ପିଲାକୁ ଚିତ୍ର ଶିକ୍ଷା ମଧ୍ୟ ଦିଆଯାଇପାରେ । ବିଶେଷକରି ସୂର୍ଯ୍ୟ, ଚନ୍ଦ୍ର, ତାରା, ଜାତୀୟପତାକା ସେ ସହଜରେ ଆଙ୍କିବାକୁ ଆରମ୍ଭ କରିଥାଏ । ପିଲାଟିବେଳୁ ତା’ ଭିତରେ ଜାତୀୟତା ଭାବ ଉଦ୍ରେକ ହୋଇଥାଏ ।

ତିନିବର୍ଷରୁ ଛଅବର୍ଷ ଶିଶୁର ପ୍ରାକ୍ ଶିକ୍ଷାର ସମୟ । ସେମାନଙ୍କର ଶାରୀରିକ ତଥା ମାନସିକ ଅଭିବୃଦ୍ଧିକୁ ଖାପ୍ ଖୁଆଇବା ଭଳି କେତେଗୁଡ଼ିଏ ସହଜ ଓ ସରଳ ଉପାୟରେ ସେମାନଙ୍କ ସୌନ୍ଦର୍ଯ୍ୟବୋଧର ବିକାଶ ସାଧନ କରାଇବା ଆବଶ୍ୟକ । ଶିଶୁ ସର୍ବଦା ଦେଖିବାକୁ, ଧରିବାକୁ ଓ ପାଖରେ ରଖିବାକୁ ଆଗ୍ରହ ପ୍ରକାଶ କରେ ଏବଂ ତତ୍ ସଙ୍ଗେ ସଙ୍ଗେ ପଦାର୍ଥଟିର ଆକାର, ଗଠନ ଓ କାରିଗରୀକୌଶଳ ସମ୍ପର୍କରେ ବୁଝିବାପାଇଁ ତତ୍ପର ହୋଇଉଠେ । ଏଣୁ ସେ ସୁନ୍ଦର ଖେଳନା ବା ରଙ୍ଗରଙ୍ଗିଆ ଫୁଲ ଅଥବା ରଙ୍ଗୀନ କାଗଜ ନିର୍ମିତ ଫୁଲକୁ ଭାଙ୍ଗିବା, ନଷ୍ଟ କରିବା ସ୍ୱାଭାବିକ । ଏହି ଆଗ୍ରହ ଓ ଉତ୍ସାହ ତାକୁ ଅନେକ ପ୍ରେରଣା ଯୋଗାଇଥାଏ । ପିତାମାତା, ଗୁରୁଜନ ବା ଗୁରୁଜୀଗଣ ଶିଶୁଟିର ଏତାଦୃଶ୍ୟ କାର୍ଯ୍ୟକଳାପରେ ବିରକ୍ତିଭାବ ପ୍ରକାଶ ନ କରି ତା’ର ଆଗ୍ରହ ପ୍ରତି ସଚେତନ ହେବା ବୁଦ୍ଧିମତାର କାର୍ଯ୍ୟ । ଫଳରେ ଏହି ଆଗ୍ରହ ଓ ଉତ୍ସାହ ହିଁ ତାକୁ ନୂତନ ପ୍ରେରଣା ଯୋଗାଏ ।

ଏହି ପ୍ରେରଣାରେ ବଶବର୍ତ୍ତୀ ହୋଇ ଶିଶୁ ଭୋକଶୋଷ ଭୁଲି ନୂତନ ଜିନିଷଟିଏ ଧରି ତିଆରି କରିବାରେ ମଜ୍ଜିଯାଏ । କିଏ, କ’ଣ ଓ କାହିଁକି – ତା’ ଆଗ୍ରହର ମୂଳବସ୍ତୁ । ଛବି ନଥିବା ପୁସ୍ତକ ତା’ର ପ୍ରାକ୍ ଫଳାର ଅନ୍ତରାୟ ସୃଷ୍ଟି କରେ । ଅକ୍ଷର ସହ ପରିଚିତ ହେବାପାଇଁ ସେ ଛବି ସହ ପରିଚିତ ହୁଏ । ପ୍ରଥମେ ଛବି ଉପରେ ଅକ୍ଷର, ଯେମିତି ଘର ଛବିଟିଏ ଦେଖି ‘ଘର’ ବୋଲି କହିବା । ଗଛ ଛବିକୁ ଦେଖି ‘ଗଛ’ ବୋଲି ଚିହ୍ନିତ କରେ, ମାତ୍ର ସେତେବେଳେ ସେ ‘ଘ’ କିମ୍ବା ‘ଗ’ ଅକ୍ଷର ସହ ପରିଚିତ ନଥାଏ । ଗଛରୁ ଘର ଚିହ୍ନି ସେ ‘ଘ’ ଅକ୍ଷର ସହ ପରିଚିତ ହୋଇଥାଏ । ଏଥିପାଇଁ କୁହାଯାଇଛି –

“ଛବି ବହି କିଣି ଆଣ            ଭଲ ପାଣି କର ପାନ ।”

ପାଞ୍ଚବର୍ଷ ବୟସରେ ପିଲା ପଢ଼ିବା ପାଇଁ ଯାଏ । ଏହି ସମୟରେ ତାକୁ ବିଭିନ୍ନ ଚିତ୍ର ମାଧ୍ୟମରେ ବିମାନଘାଟି, ରେଳଷ୍ଟେସନ, ବସ୍ଷ୍ଟାଣ୍ଡ, ଖେଳପଡ଼ିଆ, ନନ୍ଦନକାନନ, ସମୁଦ୍ର, ପାହାଡ଼, ଝରଣା, ମରୁଭୂମି ଆଦି ଚିହ୍ନାଯାଇ ପାରେ ।

ଏହି ସମୟରେ ପରୀ କାହାଣୀ, ଟୁଆଁଟୁଇଁ ଗପ ଭଳି ମଜା ମଜା ଗପ କୁହାଯାଇପାରେ । ଯାହାର ଅନ୍ତିମ ପର୍ଯ୍ୟାୟ ସୁଖମୟ ବା ହାସ୍ୟ ଉଦ୍ରେକ କରୁଥିବା ଉଚିତ୍ । ଏହି ସମୟରେ କାର୍ଟୁନ୍ ଚିତ୍ର ସମ୍ବଳିତ କାହାଣୀ ମଧ୍ୟ ତାଙ୍କୁ ଆନନ୍ଦ ଦେଇଥାଏ । ଦୂରଦର୍ଶନରେ କାର୍ଟୁନ୍ ଚିତ୍ର ସମ୍ବଳିତ କାହାଣୀ ତାଙ୍କୁ ବେଶ୍ ଆକର୍ଷିତ କରେ । ତିନି-ଚାରି ବର୍ଷର ଶିଶୁଟି ଖଡ଼ି, ପେନ୍ସିଲ୍ ବା ଚକ୍ଟିଏ ପାଇଲେ ଝରକା, କବାଟ, କାନ୍ଥ ଆଲମାରୀ ଓ ସିନ୍ଦୁକ ମାନଙ୍କରେ ଗାର ପକାଇବା ବା ଗାରେଇବା ଅଭ୍ୟାସ କରିଥାଏ ।

ଏ ପ୍ରକାର ଅଭ୍ୟାସରୁ ଶିଶୁଟିକୁ ନିବୃତ କରାଇବା ଅନୁଚିତ । ବରଂ ପେନ୍ସିଲ୍ ବା ଡଟ୍ ସହିତ ବାଜେ କାଗଜଟିଏ ନତୁବା ସ୍ଲେଟ୍ ପେନ୍ସିଲ ଧରାଇ ଗାର ପକାଇବା କ୍ରମ ଧାରଣା ଦିଆଯାଇପାରେ, ଯାହାଫଳରେ ତା’ର ଚିତ୍ର ପ୍ରତି ପ୍ରଗାଢ଼ ଅନୁରାଗ ବଢ଼ିପାରେ । ପରବର୍ତ୍ତୀ ସମୟରେ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଉଥିବା ଚିତ୍ରରେ ରଙ୍ଗ ଭରିଦିଅ ଇତ୍ୟାଦିକୁ ପିଲାକୁ ଦିଆଯାଇପାରେ । ସେ ତା’ର ଇଛା ମୁତାବକ ରଙ୍ଗ ଭରିଥାଏ ।

କେତେକ ଠିକ୍ ଥାଏ ଓ କେତେକରେ ଭୁଲ ରହିଥାଏ । ମାତ୍ର ସେ ରଙ୍ଗ ସହିତ ପରିଚିତ ହୁଏ । ଯେମିତି ଗଛର ଛବିରେ ରଙ୍ଗ କରିବାବେଳେ ସେ ପତ୍ରକୁ ସବୁଜ ରଙ୍ଗ ଲଗାଏ ବା ଫୁଲରେ ଲାଲ ରଙ୍ଗ ଲଗାଏ । ସମ୍ପୂର୍ଣ୍ଣ ଭାବେ ସେ ଠିକ୍ କରି ରଙ୍ଗ ବୋଳିପାରେ ନାହିଁ, କିନ୍ତୁ ଏ ଅଭ୍ୟାସ ରହିଲେ ପରବର୍ତ୍ତୀ ପର୍ଯ୍ୟାୟରେ ସେ ରଙ୍ଗ ଦେବା ଓ ଗଛ ଅଙ୍କନ କରିବା ପ୍ରତି ଆକୃଷ୍ଟ ହୁଏ । ଅନେକ ସମୟରେ ବିନ୍ଦୁ ଯୋଡ଼ି ଚିତ୍ରରେ ପାଖାପାଖି ବିନ୍ଦୁକୁ ସେ ଛୋଟ ଛୋଟ ଗାର ପକାଇ ଯୋଡ଼ି ଯେତେବେଳେ ସମ୍ପୂର୍ଣ୍ଣ ଚିତ୍ରଟି ଆସିଯାଏ, ସେତେବେଳେ ସେ ନିଜେ ଚିତ୍ର କରିପାରିଛି ବୋଲି ଭାବ ଉତ୍ଫୁଲ୍ଲିତ ହୁଏ ।

ପିଲାଟି ପ୍ରଥମେ ଗୋଲ ଅଙ୍କନ କରେ । ସେ ଗୋଲ ଅଙ୍କନରୁ ଫୁଲ ଆଡ଼କୁ ଆସେ ଯେମିତି ‘ଠ’କୁ କେନ୍ଦ୍ରକରି ୪ଟି ପରେ ୫ଟିକୁ ଯୋଡ଼ି ଫୁଲ ଅଙ୍କନ କରାଯାଉଛି ସେମିତି ସେ ତିଆରି କରୁ କରୁ ଫୁଲଟିଏ ଭଳି ଦିଶିଲେ ସେ ଖୁସିହୁଏ । ଆଗରୁ କହିଛି ଯେ ‘ଠ’(ଶୂନ୍ୟ)ରୁ ଚାରିପଟକୁ ଗାର କାଟି ସେ ସୂର୍ଯ୍ୟ, ଚନ୍ଦ୍ର, ତାରା ତିଆରି କରେ । ଧୀରେ ଧୀରେ ସେ ଅନ୍ୟପ୍ରକାର ଗାର ପକାଇବାକୁ ଅଭ୍ୟାସ କରେ ଓ ପରେ ସିଧା ଗାର ବା ଚଉଡ଼ା ଗାର ଉପରୁ ତଳକୁ, ତଳୁ ଉପରକୁ, ବାମରୁ ଡାହାଣକୁ ଓ ଡାହାଣରୁ ବାମକୁ ଅଙ୍କନ କରେ ।

ଏହି ସମୟରେ ଗାରକୁ ନେଇ ବିଭିନ୍ନ ଚିତ୍ର ଶିକ୍ଷା ଦିଆଯାଇପାରେ । ଯେମିତି ଇଂରାଜୀରେ ‘୪’ (ଫୋର)କୁ ଗୁଡ଼ି କରାଯାଇପାରେ। ସେମିତି ୪ଟି ଗାରକୁ ଯୋଡ଼ି ଗୁଡ଼ି କରାଯାଇପାରେ । ଗୀତ ମାଧ୍ୟମରେ ମଧ୍ୟ ଚିତ୍ର ପାଇଁ ଉତ୍ସାହିତ କରାଯାଏ ।

ଅନେକ କ୍ଷେତ୍ରରେ ଶିଶୁମାନେ ପିତାମାତାଙ୍କ ଠାରୁ ଛବି ପ୍ରତି ଆକର୍ଷିତ ହୋଇଥାଆନ୍ତି । ଅଧିକାଂଶ ପାଠ୍ୟପୁସ୍ତକମାନଙ୍କରେ, ଶିଶୁ ପତ୍ରିକା ତଥା ଶିଶୁ ପୁସ୍ତକ ମାନଙ୍କରେ ଲେଖା ସହିତ ଚିତ୍ରର ସାମଞ୍ଜସ୍ୟ ନଥିବାରୁ ସେ ବହି ବା ସେ ଲେଖା ଶିଶୁମାନଙ୍କୁ ଆକୃଷ୍ଟ କରିପାରେ ନାହିଁ । ଛବି ମଧ୍ୟ ଆକର୍ଷଣୀୟ ବା ଲୋଭନୀୟ ନହେଲେ ଶିଶୁ ତାକୁ ଗ୍ରହଣ ମଧ୍ୟ କରେ ନାହିଁ । ଚିତ୍ର ମାଧ୍ୟମରେ ଶିଶୁକୁ ଅନେକ କାହାଣୀ କୁହାଯାଇପାରେ । ରାମାୟଣ, ମହାଭାରତର କାହାଣୀ ମଧ୍ୟ ଏବେ କେବଳ ଛବି ମାଧ୍ୟମରେ ପିଲାମାନଙ୍କ ପାଖରେ ପହଞ୍ଚିଲାଣି ।

ଇଂରାଜୀ ଓ ହିନ୍ଦୀରେ ଯେତେ ବେଶି ଛବିଳ ପୁସ୍ତକ ପ୍ରକାଶ ପାଉଛି, ଓଡ଼ିଆରେ ତା’ ତୁଳନାରେ ବହୁତ କମ୍ ପ୍ରକାଶ ପାଇଥାଏ । କାରଣ ପ୍ରକାଶକମାନେ ଅଧିକ ଖର୍ଚ୍ଚ କରିବାକୁ କୁଣ୍ଠାବୋଧ କରୁଛନ୍ତି ଓ ଶିଳ୍ପୀକୁ ଅର୍ଥଦେଇ ସୁନ୍ଦର ଚିତ୍ର ଅଙ୍କନ କରାଇ ନେବାକୁ ପ୍ରକାଶକମାନେ ଚାହୁଁନାହାନ୍ତି । କୌଣସିପ୍ରକାର ବହିଟିଏ ଛାପିଦେଇ ନିଜ ଖର୍ଚ୍ଚ କରିଥିବା ଅର୍ଥ ସହ କିଛି ଅଧିକ ପାଇଗଲେ ସନ୍ତୁଷ୍ଟ ହୋଇଯାଉଛନ୍ତି ଓ ବହିଟିଏ ପ୍ରକାଶ କରିଦେଲେ ବୋଲି ଗର୍ବ କରୁଛନ୍ତି । କିନ୍ତୁ ଏହାଦ୍ୱାରା ସେ କେତେ ଲାଭ କି କ୍ଷତି କଲେ ତା’ର ହିସାବ କରୁନାହାନ୍ତି, ଏକଦା ମାଡ୍ରାସରେ ପ୍ରକାଶ ପାଉଥିବା ଜହ୍ନମାମୁଁ ଆମ ରାଜ୍ୟରେ ବହୁଳ ଭାବରେ ବିକ୍ରି ଚାଲିଥିଲା ।

ପିଲାମାନଙ୍କ ପାଖରୁ ଗଳ୍ପ, କବିତା ଦୂରେଇଗଲା ଭଳି ଚିତ୍ର ମଧ୍ୟ ଏବେ ଦୂରେଇ ଯାଉଛି । ଯାହାଫଳରେ ବଳଦେବ ମହାରଥା, ବ୍ରଜକିଶୋର ଜେନା, ହିରାଲାଲ ବରିହା, ଚୁଡ଼ାମଣି ଦାସ, ସୁବାଷ ନାୟକ, ଶଶିକାନ୍ତ ରାଉତ ପ୍ରଭୃତି ଚିତ୍ରଶିଳ୍ପୀଙ୍କୁ ବାଦଦେଲେ ପ୍ରାୟ ଆଉ କେହି ସେଭଳି ଆକର୍ଷଣୀୟ ଚିତ୍ର କରିପାରୁନାହାନ୍ତି । ପିଲାଙ୍କୁ ସହଜ ଭାବରେ ଅକ୍ଷର ସହ ଚିତ୍ର ଶିକ୍ଷା ଏଯାବତ୍ ସେତେ ବେଶି ପ୍ରକାଶ ପାଇପାରିନାହିଁ ।

ଏଣୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶିଶୁ ସାହିତ୍ୟର ଧାରା ବଦଳିବା ପରି ଚିତ୍ରର ଧାରା ମଧ୍ୟ ପରିବର୍ତ୍ତନ ହୋଇଥାଏ । ପିଲାବେଳର କୌତୁକ ଚିତ୍ରକୁ ବଡ଼ହେଲେ ସେ କିଶୋର ବୟସରେ ଗ୍ରହଣ କରିପାରେ ନାହିଁ । ଉଦାହରଣସ୍ୱରୂପ ମହାତ୍ମା ଗାନ୍ଧୀଙ୍କର ଚିତ୍ର କଥା କହିଲାବେଳେ ତାହା ଠିକ୍ ଗାନ୍ଧୀଙ୍କ ଅବିକଳ ରୂପ ନହେଲେ ପିଲା ତାକୁ ଗ୍ରହଣ କରିବ ନାହିଁ । ଏଣୁ ମହାପୁରୁଷମାନଙ୍କ ଜୀବନୀ, ବୈଜ୍ଞାନିକ କଥାବସ୍ତୁରେ ସଠିକ୍ ଚିତ୍ର ରହିବା ଆବଶ୍ୟକ । ଚିତ୍ର ଥିଲେ ପିଲାକୁ ବୁଝାଇବାରେ ସହଜ ହୁଏ । ଏଣୁ ବିଜ୍ଞାନ, ଭୂଗୋଳ, ଇତିହାସ ପାଠ୍ୟକ୍ରମରେ ଚିତ୍ରର ବହୁଳ ବ୍ୟବହାର ଦେଖାଯାଏ ।

ଏହିପରିପ୍ରେକ୍ଷୀରେ କହିବାକୁ ଚାହେଁ ଯେ ଶିଶୁମାନଙ୍କ ପାଇଁ ଲେଖା ଲେଖିବା ଯେପରି ସହଜ ନୁହେଁ ଚିତ୍ର ମଧ୍ୟ ସେପରି ସହଜ ନୁହେଁ । ଚିତ୍ର ମନକୁ ଛୁଇଁବା ଦରକାର । କାରଣ ଏହି ଲେଖକମାନେ ବିଶେଷକରି ପିଲାଙ୍କ ପାଇଁ ସାହିତ୍ୟ ରଚନା କରିଥାଆନ୍ତି ।

ଯଥା-ରାମକୃଷ୍ଣ ନନ୍ଦ, ରାମପ୍ରସାଦ ମହାନ୍ତି, ନଦୀୟାବିହାରୀ ମହାନ୍ତି, ବଟକୃଷ୍ଣ ସ୍ୱାଇଁ, ବଟକୃଷ୍ଣ ଓଝା, ବିନୋଦ ରାଉତରାୟ, ସ୍ନେହଲତା ମହାନ୍ତି, ଶରତ ନାୟକ, ବିରେନ୍ଦ୍ର ମହାନ୍ତି, କଳ୍ପତରୁ ସେଠୀ, ଦାଶ ବେନହୁର, ବାଇଧର ନାୟକ, ବଙ୍କିମ ନାୟକ, ରମାକାନ୍ତ ବେହେରା ପ୍ରମୁଖ ବହୁ ଲେଖକ ସାରା ଜୀବନ କେବଳ ପିଲାଙ୍କ ପାଇଁ କବିତା ଓ କାହାଣୀ ରଚନା କରିଛନ୍ତି । ବହୁ କବିତା କାହାଣୀ ଏଭଳି ଭାବେ ମନକୁ ଛୁଇଁଛି ଯେ ତାହା ଜୀବନ ଧରି ସମସ୍ତଙ୍କର ମନେ ରହିଛି ।

ଡ଼ଃ ଜଗନ୍ନାଥ ମହାନ୍ତିଙ୍କ କବିତାକୁ ଉଦାହରଣସ୍ୱରୂପ ନିଆଯାଉ । ତୁମପରି ଛୋଟ ପିଲାଟିଏ କବିତାର ପଂକ୍ତିମାନ ଏତିକି ସରଳ ଏବଂ ଏତେ ଆକର୍ଷଣୀୟ ଯେ ପିଲାମାନେ ତାକୁ ସହଜେର ମନେ ରଖିପାରନ୍ତି । ଏ କବିତା ମଧ୍ୟ ଦେଇ ମଧୁବାବୁଙ୍କର ପିଲାଦିନର ଘଟଣାବଳୀକୁ ମଧ୍ୟ ଜାଣିବା ସହ ଓଡ଼ିଆ ଜାତିର ସ୍ୱାଭିମାନ ଓ ବାରିଷ୍ଟର ମଧୁସୂଦନ ଦାସଙ୍କୁ ମଧ୍ୟ ମନେରଖିବାର ସାହାଯ୍ୟ କରେ । କବିତାଟି ପ୍ରଥମ ପଦରୁ ଆମେ ସମ୍ପୂର୍ଣ୍ଣ କବିତା ସମ୍ପର୍କରେ ଧାରଣା କରିପାରିବା । ଯଥା-

                “ତୁମପରି ଛୋଟ ପିଲାଟିଏ

ଗାଁ ଚାହାଳୀର ଚାଟ ସିଏ

                ଚେହେରାଟି ତାର ଡଉଲ ଡାଉଲ

ବୁଦ୍ଧିରେ ତାହାର ସରି କିଏ!

                ଛାଡ଼ି ଯାଇଥାଏ ଦିନେ ଝଡ଼ି

ବାହାରିଲା ସିଏ ପାଠପଢ଼ି

                ବାଟେ ଯାଉଁ ଯାଉଁ ଖସିଗଲା ଗୋଡ଼

ମୁହଁ ମାଡ଼ି ଗଲା ତଳେ ପଡ଼ି ।

                ବଡ଼ ହେଲା ଦିନେ ସେହି ପିଲା

ମଧୁ ବାରିଷ୍ଟର ବୋଲାଇଲା ।

                ଦେଶ ପାଇଁ ସିଏ କାମ କରି ସିନା

କାଳକାଳ ଯଶ ରଖିଗଲା ।।”

                ଏ କବିତା ପଢ଼ିବାବେଳେ ଏହା ସହ ସଂଯୋଜିତ ଚିତ୍ରରୁ ସେ ପିଲାଟି ପଡ଼ିବା, ପିଲାମାନଙ୍କୁ ଏକତ୍ର କରି ରାସ୍ତା ବାନ୍ଧିବା, ବଡ଼ ହୋଇ ସଭାରେ ଉଦ୍ବୋଧନ ଦେବା ଏବଂ ଶେଷରେ ଅବା କବିତା ପ୍ରଥମରେ ମଧୁବାବୁଙ୍କ ଛବିଟି ଥିଲେ ବୁଝିବାରେ କୌଣସି ଅସୁବିଧା ହୋଇନଥାଏ । ମାତ୍ର ଛବିର ସମନ୍ୱୟ ରହିବା ସଙ୍ଗେ ସଙ୍ଗେ ଏହା ମଧୁବାବୁଙ୍କ ଭଳି ନଦିଶିଲେ ପିଲାଏ ମୁହଁ ଫେରାଇ ନିଅନ୍ତି ।

                ଚତୁର କାଉ ଭଳି, ବଉଳା ଗାଈ ଓ ବାଘ, ଟୁଆଁ ଟୁଇଁ କଥା, ଟୋପିବାଲା ଓ ମାଙ୍କଡ଼ଙ୍କ ପିଠାକଳି ପ୍ରଭୃତି କାହାଣୀ ଆମେ ଜନମାନସରେ ଏଭଳିଭାବେ ଚିତ୍ରିତ ହୋଇ ରହିଯାଇଛି ଯେ ଓଡ଼ିଶାର ଯେଉଁ କୋଣକୁ ଗଲେ ମଧ୍ୟ ଉକ୍ତ କାହାଣୀ ପ୍ରାୟ ଶୁଣିବାକୁ ମିଳିଥାଏ ଓ ଏହା ସମସ୍ତେ ବୋଲି ଥାଆନ୍ତି । ଅବଶ୍ୟ ଅନେକଟା ପାଠ୍ୟପୁସ୍ତକର ପ୍ରଭାବ ହୋଇପାରେ ତଥାପି ଏହା ମୁହଁରୁ ମୁହଁକୁ ପ୍ରସାରିତ ହୋଇ ଲୋକକାହାଣୀ ପାଲଟିଯାଇଛି ।

ଏହାକୁ କେବେ କିଏ ରଚନା କରିଥିଲେ ଆମେ ତାଙ୍କୁ ପାଶୋରି ଦେଲୁଣି ମାତ୍ର କାହାଣୀକୁ ମନେ ରଖିଛୁ । ଏ ସମସ୍ତ କଥା ପାଇଁ କାହାଣୀ ସହ ଚିତ୍ର ସଂଯୋଜକ ମଧ୍ୟ ଅନୁରୂପ ଭାବେ ଦାୟୀ । ସେ ଚିତ୍ରଗୁଡ଼ିକ ଯେଉଁ ଶିଳ୍ପୀଙ୍କର କଲମ ମୂନରୁ ଅଙ୍କନ ହେଉଥିଲା ସେମାନେ ସମସ୍ତେ ଆମର ପ୍ରଣମ୍ୟ । ସେ ସ୍ୱର୍ଗତ ଶିଳ୍ପୀ ଅସିତ୍ ମୁଖାର୍ଜୀ ହୁଅନ୍ତୁ ବା ବଳଦେବ ମହାରଥି ଅବା ହିରାଲାଲ ବରିହା ହୁଅନ୍ତୁ ଅବା ଶଶୀକାନ୍ତ ରାଉତ ସେମାନଙ୍କର ଚିତ୍ର ଅଙ୍କନ ଆମ ପିଲାମାନଙ୍କୁ ଏତେ ବେଶି ପ୍ରଭାବିତ କରେ ଯେ ଗପ ପଢ଼ିଲା ଆଗରୁ ସେମାନେ ଚିତ୍ରକୁ ଦେଖି ଅଧାକାହାଣୀ ବୁଝିପକାଇ ଥାଆନ୍ତି । ଏଣୁ ଲେଖକ ସହ ଚିତ୍ରକରର ଯଦି ସମନ୍ୱୟ ନରହେ, ତେବେ ତାହା ଶିଶୁ ମନକୁ ପ୍ରଭାବିତ କରିପାରିବ ନାହିଁ ।

ଏଣୁ ଅଳଙ୍କରଣ ଶିଶୁ ପୁସ୍ତକ ମଧ୍ୟରେ ପ୍ରାୟ ଅଧା ରହୁଥିଲାବେଳେ କିଶୋରମାନଙ୍କ କାହାଣୀମାନଙ୍କରେ ଆଦୃତ ଗଳ୍ପରେ ଦୁଇପୃଷ୍ଠାରେ ଗୋଟିଏ ଛବି ରହିବା ଜରୁରୀ । ପ୍ରଚ୍ଛଦ ଅଙ୍କନ ମଧ୍ୟ ପୁସ୍ତକର ଯେକୌଣସି ଗୋଟିଏ କାହାଣୀ ବା କେତୋଟି ଗଳ୍ପରେ ଚରିତ୍ରକୁ ନେଇ ଅଙ୍କାଯିବା ବିଧେୟ । ଶିଶୁ ପୁସ୍ତରେ ଲାଲ, ହଳଦୀ, ସବୁଜ, ନୀଳ ଓ କଳା ରଙ୍ଗ ବ୍ୟବହାର ହେଲାବେଳେ କିଶୋର ସାହିତ୍ୟରେ ନୀଳ, ହଳଦୀ, କଳା ଓ ବାଇଗଣି ରଙ୍ଗ ବ୍ୟବହାର କରାଯାଇଥାଏ । ମୋଟ୍ ଉପରେ ନୂତନ ସୃଜନକଳାମାନ ପିଲାମାନଙ୍କଠାରେ ଦେଖାଦେବ । ଆମ ଦେଶରେ କଳା ଶିକ୍ଷାବିତ୍ ତଥା ବରିଷ୍ଠ କଳାକାର, ମନସ୍ତତ୍ତ୍ୱବିତ୍ ପିଲାମାନଙ୍କ ମନୋଭାବକୁ ଲକ୍ଷ୍ୟ ରଖି ଚିତ୍ର ଓ ଅଳଙ୍କରଣ କିଭଳି କରାଯାଇପାରିବ ତାହା ଦେଖିବା ଆବଶ୍ୟକ ।

ଏସବୁକୁ ଆଖି ଆଗରେ ରଖି ଚିତ୍ରକରମାନେ ଶିଶୁକୁ ଆକୃଷ୍ଟ କଲାଭଳି ଚିତ୍ର ଅଙ୍କନ ପ୍ରତି ଧ୍ୟାନଦେବା ଉଚିତ୍ ଓ ଶିଶୁସାହିତ୍ୟ ଶିଶୁମାନଙ୍କର ବ୍ୟବହାର ସାମଗ୍ରୀ ହୋଇଥିବାରୁ ଶିଶୁସାହିତ୍ୟର ବିଷୟବସ୍ତୁ ଶୀଘ୍ର ବୁଝିବାପାଇଁ ଚିତ୍ର ହେଉଛି ଏକ ଅତ୍ୟାବଶ୍ୟକ ବଳିଷ୍ଠ ମାଧ୍ୟମ । ସାହିତ୍ୟ ହିଁ ଶିଶୁର ମାନସିକ ବିକାଶରେ ସହାୟକ ହୁଏ । ଭବିଷ୍ୟତ ଜୀବନରେ ଭଲ ମଣିଷଟିଏ ପାଇଁ ଶିକ୍ଷାର ଆବଶ୍ୟକତା ରହିଥିବା ପରି ଶିକ୍ଷା ସହ ଚିତ୍ରର ସମ୍ପର୍କ ନିବିଡ଼ । ଏଣୁ ଚିତ୍ରକଳାର ଆବଶ୍ୟକତା ପ୍ରତିଟି ମଣିଷ ପାଇଁ ରହିଛି । ଏହାକୁ ଅସ୍ୱୀକାର କରିହେବ ନାହିଁ ।

Share This Article
ଚିତ୍ରକର, କଳା ଶିକ୍ଷକ, ଲେଖକ