Home / କଳା / ଶିଶୁମାନଙ୍କର ସୃଜନଶକ୍ତି ଓ ଚିତ୍ରକଳା

ଶିଶୁମାନଙ୍କର ସୃଜନଶକ୍ତି ଓ ଚିତ୍ରକଳା

ବିଶିଷ୍ଟ ଚିତ୍ରକର ତଥା ଚିତ୍ରକଳାର ଶିକ୍ଷକ ଶ୍ରୀ ଅଶୋକ କୁମାର ମହାନ୍ତି ‘ସମଧ୍ୱନି’ ପୃଷ୍ଠାରେ ଧାରାବାହିକ ଭାବରେ କଳା ସଂସ୍କୃତି ବିଶେଷକରି କୁନି ପିଲାମାନେ ଚିତ୍ରକଳା ପ୍ରତି କେମିତି ଆକର୍ଷିତ ହେବେ ସେ ବିଷୟଟିକୁ ଗୁରୁତ୍ତ୍ୱ ଦେଇ ଲେଖିଆସିଛନ୍ତି । ସମଗ୍ର ଜୀବନ କଳା ଶିକ୍ଷକତା ଏବଂ ଚିତ୍ରକର ଭାବରେ କଟିଚାଲିଛି । ଏବେବି ସେ ପିଲାମାନଙ୍କୁ ଶିକ୍ଷାଦାନ କରିବାରୁ ବିରତି ନେଇନାହାଁନ୍ତି। ଉକ୍ତ ଲେଖାଟିରେ କଳାଶିକ୍ଷକଙ୍କର ଭୂମିକା ଏବଂ ଶିଶୁ ଭିତରେ ଥିବା ସୃଜନଶକ୍ତିକୁ କଳା ମାଧ୍ୟମରେ ଚିହ୍ନିବା ବିଷୟ ଉପରେ ବିଶେଷ ଗୁରୁତ୍ତ୍ୱ ଦିଆଯାଇଛି । -ସମ୍ପାଦକ

ଶିଶୁମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ ନିମନ୍ତେ ବହୁ କାର୍ଯ୍ୟକ୍ରମ ସରକାରୀ ଓ ବେସରକାରୀ ସ୍ତରରେ ନିଆଯାଇଛି । ଶିକ୍ଷାର ପ୍ରସାର ସଂଗେ ସଂଗେ ଆମ ରାଜ୍ୟରେ ପ୍ରାଥମିକ ସ୍ତରରୁ ଶିଶୁ ଭିତରେ ଥିବା ସୃଜନ ଶକ୍ତିର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ତା’ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିର ପରିଚୟ ମିଳୁଛି । ଖାଲି ପାଠ ପଢ଼ିଲେ, ଏମିତିକି ଭଲ ପାଠ ପଢ଼ି କେହି ସ୍ୱୟଂ ସଂପୂର୍ଣ୍ଣ ମଣିଷଟିଏ ହୋଇପାରିନାହିଁ । ଗୋଟିଏ ଛାତ୍ରର ସାମାଜିକ ବିକାଶ ତାକୁ ଜୀବନର ଉତ୍ତମ ମଣିଷର ପରିଚୟ ଦେଇଥାଏ । ଭଲ ଖେଳିବା, ଭଲ ଗୀତ ଗାଇବା, ଭଲ ଚିତ୍ର କରିବା, ଭଲ ନାଚ କରିବା, ଭଲ ଅଭିନୟ କରିବା ଏସବୁ ପିଲାଟିବେଳରୁ ଜଣାପଡ଼ିଥାଏ ।

ତୁଳସୀ ଦୁଇପତ୍ରରୁ ବାସିବା ପରି ପିଲା ଭିତରେ ଏହି ଗୁଣଗୁଡ଼ିକ ତା’ର ବାଲ୍ୟକାଳରୁ ଜଣାପଡ଼େ । ସେହି ପିଲାଟିବେଳୁ ଶିକ୍ଷା ସହ ତା’ର ସୃଜନ କଳାର ଅଗ୍ରଗତି ଦିଗରେ ଯତ୍ନବାନ୍ ହେଲେ ବଡ଼ କାଳକୁ ସେହି ଦିଗରେ ସେମାନେ ଯୋଗ୍ୟ ମଣିଷ ଭାବେ ସମଜରେ ପ୍ରତିଷ୍ଠା ଅର୍ଜ୍ଜନ କରିବା ସହ ନିଜ ରାଜ୍ୟ ତଥା ଦେଶର ଟେକ ରଖିଥାନ୍ତି । ବିଭିନ୍ନ ଦିଗରେ କୃତିତ୍ୱ ଅର୍ଜ୍ଜନ କରିଥିବା ମଣିଷମାନଙ୍କର ପିଲାଦିନକୁ ଦେଖିଲେ ଏହି ଉକ୍ତିର ସତ୍ୟତା ଅନୁଭବ କରିହୁଏ । ଏବେ ଏବେ ଟି.ଭି. ଚ୍ୟାନେଲମାନଙ୍କରେ ପିଲାମାନଙ୍କ ସୃଜନଶୀଳତାକୁ ନେଇ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ଯଥା-ଡାନ୍ସ ଇଣ୍ଡିଆ ଡାନ୍ସ, ୱାନ ଟୁ ଚାଚାଚା, ବୁମ୍ ଶାକାଲାକା । ‘ଆମରି ସ୍ୱର’ ପ୍ରଭୃତି କାର୍ଯ୍ୟକ୍ରରେ ନୃତ୍ୟ ସଂଗୀତ ପ୍ରତି ଆଗ୍ରହ ପିଲାମାନଙ୍କୁ ଚିହ୍ନଟ କରାଯାଉଥିବା ବେଳେ ଆମ ଓଡ଼ିଶାର ‘ସରଗଶଶୀ’ କାର୍ଯ୍ୟକ୍ରମ ଓ ଆକାଶବାଣୀର ‘ଶିଶୁ ସଂସାର’ ଓ ‘କିଶୋର ଚକ୍ର’ ପରି କାର୍ଯ୍ୟକ୍ରମକୁ ବାଦ୍ ଦେଲେ ଅନ୍ୟାନ୍ୟ ଚ୍ୟାନେଲମାନଙ୍କର ଶିଶୁ ଚିତ୍ରକଳା, ଶିଶୁମାନଙ୍କ ଅଭିନୟକୁ ପ୍ରାଧାନ୍ୟ ଦିଆଯାଉଛି ।

ଏହା ଦ୍ୱାରା ଶିଶୁ ଭିତରେ ଥିବା ସୃଜନ ଶକ୍ତିର ପରିଚୟ ମିଳିଥାଏ । ଅନେକ ସମୟରେ ଆମେ ଅଭିଭାବକମାନେ ପିଲାର କେବଳ ପାଠ ପଢ଼ିବା ଦିଗଟି ଉପରେ ଗୁରୁତ୍ୱ ଆରୋପ କରିଥାଉ । ପଲାଟି ଯଦି ଭଲ ପାଠ ନ ପଢ଼ିଲା, ତେବେ ସେ ନଷ୍ଟ ହୋଇଗଲା ବୋଲି ଭାବୁ । କିନ୍ତୁ ଭଲ ପାଠ ନ ପଢ଼ୁଥିବା ପିଲା ଭିତରେ ଅନ୍ୟ ଏକ ସୃଜନଶକ୍ତି ସୁପ୍ତ ହୋଇ ରହିଥାଏ । ସମୟ ଓ ସୁଯୋଗ ପାଇଲେ ତା’ର ବିକାଶ ଘଟେ ଏବଂ ପିଲାଟିକୁ ଅନ୍ୟ ଦିଗରେ ସୁନାମ ଆଣି ଦେଇଥାଏ । ଏସବୁକୁ ନେଇ ଏବେ ଏବେ ଅନେକ ଚଳଚ୍ଚିତ୍ର ନିର୍ମାଣ ହେଲାଣି । ‘ତାରେ ଜମିନ ପର’ ଏହାର ଏକ ଉଦାହରଣ । ପାଠ ଆସୁ ନଥିବା ବା ପାଠରେ ମନ ଦେଉନଥିବା ପିଲା ଭିତରେ ଚିତ୍ରକଳାର କ୍ଷମତାଟିକୁ କଳା ଶିକ୍ଷକ ବାରିପାରିଛନ୍ତି ତାହାହିଁ ଚଳଚ୍ଚିତ୍ରର ବୈଶିଷ୍ଟ୍ୟ ।

ଏହି ସୃଜନଶୀଳତାକୁ ଲକ୍ଷ୍ୟ ରଖି ତା’ର ବିକାଶ ଦିଗରେ ଅନେକ ଅଭିଭାବକ ଏବେ ସଚେତନ ହେଲେଣି ଓ ନିଜ ପିଲାଙ୍କୁ ସେ ସଫଳତା ଦିଗଟି ହାସଲ କରିବାରେ ପ୍ରୋତ୍ସାହନ ଦେବା ଯୋଗୁଁ ଛୋଟ ଛୋଟ ପିଲାମାନେ ଆଜି ଅଦ୍ଭୁତ କାର୍ଯ୍ୟ କରିପାରୁଥିବା ଆମେ ଲକ୍ଷ୍ୟ କରିପାରୁଛୁ । ଏଥିପାଇଁ ପରିବେଶ ଓ ଇଲେକ୍ଟ୍ରୋନିକ୍ ମିଡ଼ିଆ, ପ୍ରିଣ୍ଟ ମିଡ଼ିଆ ମୁଖ୍ୟତଃ ଦାୟୀ । ପୂର୍ବରୁ କିଏ କେଉଁଠି କ’ଣ କଲା ତାହା ଜାଣିବାର ଉପାୟ ନଥିଲା- ଏବେ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ ସେମାନଙ୍କୁ ଖୋଜି ଖୋଜି ଜନଗହଳିରୁ ବାହାର କରି ସମସ୍ତଙ୍କୁ ସମ୍ମୁଖକୁ ଆଣୁଥିବାରୁ ସେମାନଙ୍କ ଭିତରେ ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଉଛି । ପ୍ରତିଯୋଗିତା ମନୋଭାବ ମଧ୍ୟ ବୃଦ୍ଧି ଘଟୁଛି । ଏଣୁ ସେ ଆଗ୍ରହର ସହ ଆହୁରି ଆଗକୁ ଯିବାକୁ ଚେଷ୍ଟା ଜାରୀ ରଖୁଛି ଏବଂ ଶେଷରେ ସେ ଦିଗରେ ସଫଳ ମଣିଷଟିଏ ହୋଇପାରୁଛି । ଚେସ୍ ଖେଳାଳୀ ପଦ୍ମିନୀ ରାଉତ, ବିସ୍ମୟ ଧାବକ ବୁଧିଆକୁ ଉଦାହରଣ ସ୍ୱରୂପ ନିଆଯାଇପାରେ ।

                ଏସବୁ ଉଦାହରଣ ଦେବାର କାରଣ ହେଲା ଯେ ଶିଶୁମାନଙ୍କ ଭିତରେ ସୃଜନଶକ୍ତିର ବିକାଶ ପାଇଁ ବହୁ ବର୍ଷ ପୂର୍ବରୁ ଡ. ହରେକୃଷ୍ଣ ମହତାବ ଚିନ୍ତା କରିଥିଲେ । ସେ ତାଙ୍କ ସମ୍ବାଦପତ୍ରରେ ପ୍ରତି ଗୁରୁବାର ସଂଖ୍ୟାରେ ‘ମୀନା ବଜାର’ ପୃଷ୍ଠାଟିଏ ପ୍ରକାଶ କରିବା ସହ ‘ମୀନା ବଜାର’ ପତ୍ରିକାଟିଏ ମଧ୍ୟ ପ୍ରକାଶ କରୁଥିଲେ, ଯାହା ଆଜି ପର୍ଯ୍ୟନ୍ତ ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ ପରିସରରୁ ପ୍ରକାଶ ପାଇ ଆସୁଛି । ତାଙ୍କରି ମୁଖ୍ୟମନ୍ତ୍ରୀତ୍ୱ କାଳରେ ଆକାଶବାଣୀ କଟକ କେନ୍ଦ୍ରର ସ୍ଥାପନା ଏବଂ ସେଥିରେ ମଧ୍ୟ ଶିଶୁ ସଂସାର କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା । ଏଥିପାଇଁ ପିଲାଏ ତାଙ୍କୁ ‘କାକା ମହତାବ’ ବୋଲି ଡାକୁଥିଳେ । ସେ ଆରମ୍ଭ କରିଥିବା ଦୂରଦର୍ଶନ କେନ୍ଦ୍ରରେ ଆର୍ଟିଷ୍ଟ ଥିଲେ ବାଲେଶ୍ୱର ଜିଲ୍ଲାର ଶ୍ରୀ ଉଦୟ ନାରାୟଣ ଜେନା । ଉଦୟ ଜେନା ପ୍ରଜାତନ୍ତ୍ର ପ୍ରଚାର ସମିତିରୁ ପ୍ରକାଶିତ ଝଙ୍କାର ଓ ମୀନାବଜାରର ପ୍ରଚ୍ଛଦ କେବଳ ନୁହଁ ଅଳଂକରଣ ମଧ୍ୟ କରୁଥିଲେ ।

ପ୍ରଜାତନ୍ତ୍ରର ବିଷୁବ ମିଳନ ଅବସରରେ ପିଲାଙ୍କ ମଧ୍ୟରେ ଚିତ୍ରକଳାର ଏକ ଅଭିନବ ପ୍ରତିଯୋଗିତା ଅୟୋଜନ ହେବା ପରେ ଡ. ମହତାବ ଉଦୟ ଜେନାଙ୍କୁ ତାଙ୍କ ପରିସରରେ ପିଲାମାନଙ୍କୁ ଚିତ୍ର ଶିକ୍ଷା ପାଇଁ ସତ୍ସାହିତ କରାଇଲେ । ଉଦୟ ଜେନାଙ୍କର ପ୍ରଚେଷ୍ଟାରେ ସେଠାରେ ଏକ କଳା ଶିକ୍ଷା ପାଇଁ ବିଦ୍ୟାଳୟ ଭଳି ଅନଭୂତ ହେଲା । ଏଠାରେ ପ୍ରତି ରବିବାର ସକାଳ ସାତଟାରୁ ନଅ ଘଟିକା ପର୍ଯ୍ୟନ୍ତ ଦୁଇଘଣ୍ଟା ଧରି ଚିତ୍ରକଳା ଶିକ୍ଷା ଦିଆଯାଉଥିଲା । ଚଟାଣ ଉପରେ ଉଦୟ ବାବୁଙ୍କୁ ଘେରି ପିଲାଏ ବସୁଥିଲେ । ସେ ତାଙ୍କ ଖାତାରେ ଗୋଟିାଏ ଛବି ଆଙ୍କି ଦେଇ ସେଇଟିକୁ ଅଭ୍ୟାସ କରିବାକୁ କହୁଥିଲେ । ପରେ ପରେ ସେଥିରେ ରଂଗ କରିବା ସହ ସେ ସବୁକୁ ଧରି ବଡ଼ ଚିତ୍ର ଅଙ୍କନ କରିବାର ପ୍ରଣାଳୀ ମାନ ଶିକ୍ଷା ଦେଉଥିଳେ । ପ୍ରତିବର୍ଷ ବିଷୁବ ମିଳନ ବେଳକୁ ଓ ବିଷୁବ ମିଳନକୁ ଆସୁଥିବା ଅତିଥିମାନେ ସେଇ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ଆୟୋଜିତ ଚିତ୍ର ପ୍ରଦର୍ଶନୀରେ ଉଦ୍ଘାଟନ କରୁଥିଲେ ଓ ଛବିର ପ୍ରଶଂସା ମଧ୍ୟ କରୁଥିଲେ ।

ତାଙ୍କ ପରେ ଚିତ୍ରଶିଳ୍ପୀ ଶରତ କୁମାର ରଥ ୧୮୮୦ ରେ କଳାହାଣ୍ଡି ଭଳି ଉପାନ୍ତ ଜିଲ୍ଲାର ଭବାନୀପାଟଣାଠାରେ ‘ଶିଳ୍ପୀ ସଂଘ’ ଗଠନ କରି ତା’ ଜରିଆରେ ରବିବାସରୀୟ ଚିତ୍ରକଳା ବିଦ୍ୟାଳୟ ନାମ ଦେଇ ପିଲାମାନଙ୍କ ହିତରେ ଚିତ୍ର ପ୍ରତି  ଆଗ୍ରହ ସୃଷ୍ଟି କଲେ । ତା’ପରେ ବାଲେଶ୍ୱର ଚିତ୍ରଶିଳ୍ପୀ ସଂଗଠନ ‘କଳାୟତନ’ ମାଧ୍ୟମରେ ଶାନ୍ତିକାନନ ପରିସରରେ ଫକୀର ମୋହନଙ୍କ ନାମରେ ‘ଫକୀର ମୋହନ ଚିତ୍ରକଳା ବିଦ୍ୟାଳୟ’ ଖୋଲାଯାଇ ପ୍ରତି ରବିବାର ଦିନ ଶିରିଶ ଚାନ୍ଦଙ୍କ ନେତୃତ୍ୱରେ ପିଲାମାନଙ୍କୁ କଳା ଶିକ୍ଷା ଦେବା ଆରମ୍ଭ ହେଲା ଯାହା ଅଦ୍ୟାବଧି ଚାଲିଅଛି ।

ପରବର୍ତ୍ତୀ ସମୟରେ ଅଶୋକ ମହାନ୍ତି, ସୁଶାନ୍ତ ନାୟକ ଓ ନିରଞ୍ଜନ ଖଟୁଆଙ୍କ ତତ୍ତ୍ୱାବଧାନରେ ଭଦ୍ରକ ରବିବାସରୀୟ ଚିତ୍ରକଳା ବିଦ୍ୟାଳୟ, ବାରିପଦାରେ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦ୍ୱାରା ବାରିପଦା ସ୍କୁଲ ଆର୍ଟ ଏଣ୍ଡ କ୍ରାଫଟ, ସୁନ୍ଦରଗଡ଼ରେ ଶୀତଳ କୁମାର ମହାପାତ୍ରଙ୍କ ଦ୍ୱାରା କଳାୟତନ ସ୍କୁଲ ଅଫ ଆର୍ଟ, କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା କେନ୍ଦୁଝର କଳା ବିଦ୍ୟାଳୟ ପ୍ରଭୃତି କଳା ବିଦ୍ୟାଳୟମାନ ସାରା ରାଜ୍ୟରେ ଖୋଲାଯାଇ ପିଲାମାନଙ୍କୁ ଚିତ୍ରକଳା ଶିଖିବା ପାଇଁ ପ୍ରାଥମିକ ଭାବେ ଶିକ୍ଷାଦାନ ଆରମ୍ଭ ହେଲା । ଲଳିତକଳା ଏକାଡ଼େମୀ ଏହାକୁ ଦୃଷ୍ଟିରେ ରଖି ବିନୋଦ ରାଉତରାୟ ସଭାପତି ଓ ଜଗଦୀଶ କାନୁନ୍ଗୋ ସମ୍ପାଦକ ଥିବାବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପରୀକ୍ଷା କେନ୍ଦ୍ର କରି ବିଭିନ୍ନ ସ୍କୁଲକୁ ଚିଠି ଦେବା ସହ ସମ୍ବାଦପତ୍ରରେ ବିଜ୍ଞାପନ ଦେଇ ଗୋଟାଏ ଦିବସ ଧରି (Spot painting competition) ଚିତ୍ର ଅଙ୍କନର ପ୍ରତିଯୋଗିତା ହେଉଥିଲା।

ଓଡ଼ିଶାର ସବୁ ଜିଲ୍ଲାରେ ହେଉଥିବା ପରୀକ୍ଷା କେନ୍ଦ୍ରରୁ ଚିତ୍ରଗୁଡ଼ିକ ଯାଇ ରାଜଧାନୀରେ ମୂଲ୍ୟାଙ୍କନ କରାଯିବା ସହ ସେଠାରେ ପ୍ରଦର୍ଶନୀର ଆୟୋଜନ କରାଯାଉଥିଲା ଏବଂ ପୁରସ୍କୃତ ପ୍ରତିଭାମାନଙ୍କୁ ରାଜଧାନୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯାଉଥିଲା । ଏହା ପଛରେ ଶ୍ରୀଯୁକ୍ତ ବିନୋଦ ରାଉତରାୟଙ୍କ ପ୍ରଚେଷ୍ଟା ନିହିତ ଥିଲା । ଶ୍ରୀଯୁକ୍ତ ରାଉତରାୟ ଏକାଧାରରେ ଚିତ୍ରଶିଳ୍ପୀ ସହ ଜଣେ ଆର୍ଟକ୍ରିଟିକ୍ ଓ ଜଣେ ଶିଶୁ ସାହିତ୍ୟିକ ଥିଲେ । ଶିଶୁର ମନସ୍ତତ୍ତ୍ୱକୁ ବୁଝି ତା’ ମଧ୍ୟରେ କଳାତ୍ମକ ଗୁଣର ସନ୍ଧାନ କରିବା ଥିଲା ତାଙ୍କର ଅନ୍ୟତମ ଲକ୍ଷ୍ୟ ଏହି ପିଲାମାନେ ପରବର୍ତ୍ତୀ ସମୟରେ କଳା ମହାବିଦ୍ୟାଳୟର ଛାତ୍ର ପାଲଟୁ ଥିଲେ । ଜଗଦୀଶ କାନୁନଗୋ ସମ୍ପାଦକ ବେଳେ ଅନ୍ୟ ଏକ ସଫଳତା ହେଲା ଗାଁ ଗହଳିର ଝିଅ ବୋହୂମାନଙ୍କ ମଧ୍ୟରେ ଚିତା ପ୍ରତିଯୋଗିତା।

ଏ ଦିଗରେ ଶିଳ୍ପୀ ଅସିତ୍ ମୁଖାର୍ଜୀ ସଭାପତି ଥିବାବେଳେ ତାଙ୍କୁ ଉତ୍ସାହିତ କରାଇଥିଲେ ଏବଂ ସେହି ସମୟରେ ଭବାନୀପାଟଣାରେ ଏକ ଆଲୋଚନା ଚକ୍ରରେ ୧୯୮୮ ମସିହା ମାର୍ଚ୍ଚ ମାସ ୩୦ ତାରିଖରେ ଶିଶୁ ଚିତ୍ରକଳା ଉପରେ ଏକ  ଆଲେଚନା ହୋଇ ରବିବାସରୀୟ କଳା ବିଦ୍ୟାଳୟ ପାଇଁ ଏକ ସିଲାବସ୍ ତିଆରି କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଶରତ ରଥ ମତପ୍ରକାଶ କରିଥିଲେ । ସେହି ଆଲେଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ ହେମନ୍ତ କୁମାର ପତି, ତତ୍କାଳୀନ ଉପସଭାପତି ଓଡ଼ିଶା ଲଳିତ କଳା ଏକାଡ଼େମୀ ।

ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ ସର୍ବଶ୍ରୀ ଶ୍ୟାମ ସୁନ୍ଦର ପଟ୍ଟନାୟକ, ଚନ୍ଦ୍ରଶେଖର ରାଓ, ଚନ୍ଦ୍ରମଣି ବିଶ୍ୱାଳ, ଅଲେଖ ଚରଣ ସାହୁ, ବିପିନ ବିହାରୀ ସାହୁ, ଦୁର୍ଗା ପ୍ରସାଦ ଦାସ, କାଶିନାଥ ବାରିକ, ଅଶୋକ କୁମାର ମହାନ୍ତି, ମାନସ ରଞ୍ଜନ ରାୟ, ବିଜୟ କୁମାର ନାୟକ, ଜଗନ୍ନାଥ ମହାନ୍ତି, ଜୟନ୍ତ କୁମାର ବେହେରା, ଅକ୍ଷୟ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଅଧ୍ୟାପକ ସୁଶାନ୍ତ ପାଢ଼ୀ, ସତ୍ୟ ପଟ୍ଟନାୟକ ଓ ତପନ କୁମାର ଦାସ । ଓଡ଼ିଶା ଲଳିତ କଳା ଏକାଡ଼େମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରର ସହାୟତାରେ ‘ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର କଳା’ ଶୀର୍ଷକ ସମ୍ପାନରେ ‘ଶିଶୁ ଚିତ୍ରକଳା’ ଶୀର୍ଷକ ଆଲୋଚନା ଚକ୍ରରେ ଏ ବିଷୟ ଆଲୋଚିତ ହୋଇ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା ।

ଉକ୍ତ ଆଲୋଚନା ଚକ୍ର ଜଗଦୀଶ ବାବୁଙ୍କ କାର୍ଯ୍ୟ କାଳରେ ଶେଷ ଅଲୋଚନାଚକ୍ର ହିଁ ଥିଲା । ତାଙ୍କ ପରେ ସ୍ୱର୍ଗତ ଶରତ ରଥ ସମ୍ପାଦକ ଦାୟିତ୍ୱ ନେଲେ ଓ ରବିବାସରୀୟ ସ୍କୁଲଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିବା ଦିଗରେ ଆଗ୍ରହ ପ୍ରକାଶ କଲେ । ତାକୁ କାର୍ଯ୍ୟକାରୀ କରିବା ପାଇଁ ବହୁ ଝଡ଼ ସମ୍ମୁଖୀନ ହୋଇ ୩୭ଟି ବିଦ୍ୟାଳୟକୁ ସ୍ୱୀକୃତି ପ୍ରଦାନ କଲେ । ମାତ୍ର ତାଙ୍କ ସମୟରେ ଶିଶୁ ଚିତ୍ରକଳା ପ୍ରତିଯୋଗିତା, ଚିତା ପ୍ରତିଯୋଗିତା କ୍ରମଶଃ ଅର୍ଥାଭାବରୁ ବନ୍ଦ ହୋଇଗଲା ।

About ଶ୍ରୀ ଅଶୋକ କୁମାର ମହାନ୍ତି

ଚିତ୍ରକର, କଳା ଶିକ୍ଷକ, ଲେଖକ

Check Also

ମାଟିର ମୂର୍ତ୍ତିକାର ଶିଳ୍ପୀ ଦେବରାଜ ସାହୁ

  ମାଟି ଓ ମଣିଷ, ଦୁହେଁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଶିଳ୍ପୀର ସୃଜନ ଶକ୍ତି ବଳରେ ମାଟି ପିଣ୍ଡୁଳା ପାଏ …

Leave a Reply

Your email address will not be published. Required fields are marked *