Home / ସଙ୍ଗୀତ / ଶାସ୍ତ୍ରୀୟ ସଙ୍ଗୀତ / ‘ଶ’ରଙ୍ଗୀ – ‘ସାରଙ୍ଗୀ’ – “ଉସ୍ତାଦ୍ ସାବ୍ରି ଖାଁ ସାହେବ”ଙ୍କ ସ୍ମୃତିରେ

‘ଶ’ରଙ୍ଗୀ – ‘ସାରଙ୍ଗୀ’ – “ଉସ୍ତାଦ୍ ସାବ୍ରି ଖାଁ ସାହେବ”ଙ୍କ ସ୍ମୃତିରେ

ସଙ୍ଗୀତର ସ୍ୱରରେ ବିଶ୍ୱବାସୀଙ୍କୁ ମନ୍ତ୍ରମୁଗ୍ଧ କରିଥିବା ସାରଙ୍ଗୀର ପ୍ରଖ୍ୟାତ ବାଦକ “ଉସ୍ତାଦ୍ ସାବ୍ରି ଖାଁ ସାହେବ” ୮୮ ବର୍ଷ ବୟସରେ, ୨୦୧୫ ମସିହା ଡ଼ିସେମ୍ବର ୧ ତାରିଖରେ ସଙ୍ଗୀତ ଜଗତରେ ବିରାଟ ଶୂନ୍ୟତାଟିଏ ସୃଷ୍ଟିକରି ସମସ୍ତଙ୍କ ଗହଣରୁ ବିଦାୟ ନେଇ ଚାଲିଯାଇଥିଲେ। ସେହି ମହାନ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳୀ ସ୍ୱରୂପ ତାଙ୍କର କିଛି ଅମ୍ଳାନ ସ୍ମୃତିକୁ ଏଠାରେ ଉପସ୍ଥାପନ କରାଯାଇଛି।

 ମଣିଷର ସ୍ୱର ସହିତ ଏକ ନିବିଡ଼ ସମ୍ପର୍କ ଅଛି ସାରଙ୍ଗୀର । ସେଥିପାଇଁ ଯନ୍ତ୍ରବାଦ୍ୟ ମାନଙ୍କ ମଧ୍ୟରେ ଏହା ଅଧିକ କଷ୍ଟବାଦ୍ୟ ବୋଲି ମଧ୍ୟ କୁହାଯାଏ। ସାବ୍ରି ଖାଁ ସାହେବ ଥିଲେ ଏହି ଯନ୍ତ୍ରର ଜଣେ ଯାଦୁଗରୀ ବାଦକ। ସାରଙ୍ଗୀରେ ଅଦ୍ଭୁତ ସ୍ୱର ସଂଯୋଜନା କରି ସେ ସୃଷ୍ଟି କରିଥିଲେ ଏକ ନୂଆ ଶୈଳୀ । ଏହି ମହାନ କଳାକାର ୨୧ ମେ, ୧୯୧୭ ଦିନ, ଉତ୍ତରପ୍ରଦେଶର ମୁରାଦାବାଦ ଠାରେ ଜନ୍ମଗ୍ରହଣ କରିଥିଲେ ।  ସୈନିଆ ଘରାନାର ଶେଷ ସାରଙ୍ଗୀବାଦକ ଥିଲେ ଉସ୍ତଦ୍ ସାବ୍ରିଖାନ୍ ସାହେବ । ଏହି ଘରାନାର ପରମ୍ପରା ତାନସେନଙ୍କ ସଙ୍ଗୀତ ପରମ୍ପରାରୁ ଆସିଛି ବୋଲି କୁହାଯାଏ । ପାରମ୍ପାରିକ ଢ଼ଙ୍ଗରେ ସେ ନିଜର ବାପା ଓ ଜେଜେଙ୍କ ଭଳି ସାରଙ୍ଗୀ ବାଦନକୁ ନିଜ ଜୀବନର ଲକ୍ଷ୍ୟ ଭାବରେ ଆଦରି ନେଇଥିଲେ । ଜେଜେ ହଜିମହମ୍ମଦ ଖାଁଙ୍କ ନିକଟରୁ ସେ ସାରଙ୍ଗୀର ଶିକ୍ଷା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତି ସମୟରେ ପିତା ଉସ୍ତାଦ୍ ଛଜୁ ଖାଁଙ୍କ ନିକଟରୁ ସାରଙ୍ଗୀ ଶିକ୍ଷା ଗ୍ରହଣ କରି ପାରିବାରିକ କଳାକୁ ଏକ ଉଚ୍ଚ ସ୍ଥାନରେ ସ୍ଥାପିତ କରିଥିଲେ । ତାଙ୍କ ଜେଜେ ଓ ନିଜ ପିତା ନିଜ ନିଜ ସମୟର ବିଖ୍ୟାତ ସାରଙ୍ଗୀ ବାଦକ ଥିଲେ । ଏହା ବ୍ୟତୀତ ସାରଙ୍ଗୀର କିଛି ଦୁର୍ଲଭ ଶୈଳୀ ନିଜ କକା ଉସ୍ତାଦ ଲଦନ ଖାଁଙ୍କ ଠାରୁ ସେ ଶିକ୍ଷାଲାଭ କରିଥିଲେ । ସାରଙ୍ଗୀ ବାଦକ ନୁହେଁ ଉସ୍ତାଦ୍ ଥିଲେ ଜଣେ ଯାଦୁଗର ଯିଏକି ନିଜର ଆଦେଶରେ ଏହି ଯନ୍ତ୍ରକୁ ପରିଚାଳିତ କରୁଥିଲେ । ପାରମ୍ପାରିକ ଶୈଳୀ ସହିତ ସେ ନିଜର ଏକ ଶୈଳୀର ପ୍ରତିଷ୍ଠା କରିଥିଲେ ଯେଉଁଠି ସେ ରାଗର ବିସୁଦ୍ଧତା, ତାନ୍ର ବୈଚିତ୍ର୍ୟତା, ଲୟକାରୀ ଓ ତାଳବଦ୍ଧତା ଉପରେ ସର୍ବାଧିକ ଗୁରୁତ୍ତ୍ୱ ଦେଉଥିଲେ ।

ବିଶ୍ୱସାରା ସେ ନିଜର କଳାର ପ୍ରଦର୍ଶନ କରିଥିଲେ । ପାଖାପାଖି ୪୦ଟି ଦେଶରେ ସେ କଳାର ପ୍ରଦର୍ଶନ କରି ବିଶ୍ୱବାସୀଙ୍କୁ ବିମୁଗ୍ଧ କରିଥିଲେ । ଯୂ.ଏସ.ଏସ.ଆର, ଆଫଗାନିସ୍ଥାନ, ଚୀନ, ଜାପାନ, ପାକିସ୍ଥାନ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଇଂଲଣ୍ଡ, ଫ୍ରାନସ୍, ଜର୍ମାନ, ନେଦରଲାଣ୍ଡ, ବେଲଜିୟମ, ଇଟାଲି, ସ୍ପେନ୍, ସିଜେକ୍ ରିପବ୍ଲିକ ଆଦି ସ୍ଥାନରେ ନିଜ କଳାର ଯାଦୁଗରୀ ପ୍ରଦର୍ଶନ କରି ବିଶ୍ୱ ଜନଗଣଙ୍କୁ ସ୍ତମ୍ଭିଭୂତ କରିଥିଲେ । ଆମେରିକା ଓ ୟୂରୋପର ଲୋକମାନଙ୍କ ସହିତ ସାରଙ୍ଗୀକୁ ପରିଚିତ କରାଇବାର ଶ୍ରେୟ ସାବ୍ରି ଖାଁ ସାହେବଙ୍କୁ ହିଁ ଯାଏ । ଉସ୍ତାଦ୍ ସାବ୍ରି ଖାଁ ସାହେବ ନିଜ ଜୀବନ କାଳରେ ଅନେକ ପୁରସ୍କାର ପାଇଥିଲେ ଯେମିତିକି ସାହିତ୍ୟ କଳାପରିଷଦ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ, ଯୂ.ପି ସଙ୍ଗୀତ ଏକାଡ଼େମୀ, ପଦ୍ମଶ୍ରୀ, ପଦ୍ମ ବିଭୂଷଣ ପୁରସ୍କାର ଆଦି ଅନେକ ସମ୍ମାନର ସେ ଅଧିକାରୀ ହୋଇଥିଲେ । ହିନ୍ଦୁସ୍ଥାନର ସ୍ୱାଧୀନତା ଓ ସ୍ୱାଧୀନତାର ବିଭିନ୍ନ ରୂପକୁ ଦେଖିଥିଲେ ଖାଁ ସାହେବ । ୧୯୪୨ ମସିହାରେ ସେ ମୁରାଦାବାଦରୁ ଦିଲ୍ଲୀ ଆସିଥିଲେ ଏବଂ ସେହିଦିନରୁ ଦିଲ୍ଲୀରେ ହିଁ ରହିଗଲେ । ବିଭିନ୍ନ ସ୍ଥାନରେ ବିଭିନ୍ନ ଭାବରେ ନିଜ ଜୀବନର ଅନୁଭୂତିକୁ ବୟାନ କରିଛନ୍ତି ଖାଁ ସାହେବ । ରାଜ୍ୟସଭା ଟିଭିକୁ ଏକ ସାକ୍ଷାତକାରରେ ନିଜର ଅନୁଭୂତିକୁ ସେ ଅତି ସୁନ୍ଦର ଭାବରେ ପ୍ରକାଶ କରିଯାଇଛନ୍ତି, ଯାହାର କିଛି ଅଂଶ ଏଠାରେ ଆମେ ଉପସ୍ଥାପନ କରିଛୁ ।

ରାଜ୍ୟସଭା ଟିଭିକୁ ଉସ୍ତାଦ୍ ସାବ୍ରି ଖାଁ ଦେଇଥିବା ସାକ୍ଷାତକାର:

ସାମ୍ବାଦିକଙ୍କ ପ୍ରଶ୍ନ: ମୁରାଦାବାଦ ଘରାନା ସହିତ ଆପଣଙ୍କ ସମ୍ପର୍କ ରହିଆସିଛି । ଯଦି ସାରଙ୍ଗୀ ସମ୍ପର୍କରେ କୁହାଯାଏ, ସାରଙ୍ଗୀ ଭଳି ବାଦ୍ୟକୁ କିଭଳି ଆପଣ ବର୍ଣ୍ଣନା କରିବାପାଇଁ ଚାହିଁବେ?

ଖାଁ ସାହେବଙ୍କ ଉତ୍ତର : ସାରଙ୍ଗୀ ମୁରାଦାବାଦରେ ବହୁତ ବାଜେ । ବହୁତ ଭଲ ଭଲ କଳାକାର ବି ଏଠାରେ ଜନ୍ମ ନେଇଛନ୍ତି । ଆମ ଘରାନାରେ ମଧ୍ୟ ମୋ ବାପା, ଜେଜେ ସମସ୍ତେ ସାରଙ୍ଗୀ ବଜାଉଥିଲେ । ମୋ ଜେଜେ ମୋତେ, ମୋ ବାପା, କକା ସମସ୍ତଙ୍କୁ ଶିଖାଇଥିଲେ କିନ୍ତୁ ନିଜେ ଜଣେ ବ୍ୟବସାୟୀ ଥିଲେ, ଗହମ ବେପାର କରୁଥିଲେ । ତାଙ୍କର ସାରଙ୍ଗୀ ପ୍ରତି ଗଭୀର ଶ୍ରଦ୍ଧା ଥିଲା ଓ ସେ ଜଣେ ଗୁଣୀ ବ୍ୟକ୍ତି ଥିଲେ । ଜଣେ ଭଲ ଶିକ୍ଷକ ମଧ୍ୟ ଥିଲେ ।

ପ୍ରଶ୍ନ: କେତେ ବର୍ଷ ବୟସରେ ଆପଣ ଶିକ୍ଷା ଆରମ୍ଭ କରିଥିଲେ?

ଖାଁ ସାହେବ:  ଜେଜେ ମୋତେ ସାତବର୍ଷ ବୟସରେ ବସାଇ ଦେଲେ ସାରଙ୍ଗୀ ଶିଖିବାପାଇଁ । କହିଲେ ସାରଙ୍ଗୀ ନେଇ ବସ । ଯେତେବେଳେ ମୁଁ ବଜଉଥିଲି ସେ ନମାଜ ପଢ଼ିବାକୁ ଚାଲିଯାଉଥିଲେ । ମୁଁ ବି ସାରଙ୍ଗୀ ଛାଡ଼ି ପଳାଉଥିଲି । ସେ ଯଦି ମୁଁ ପଳାଇବାର ଦେଖୁଥିଲେ ସେଇଠୁ ବାଡ଼େଇକରି ପୁଣି ସାରଙ୍ଗୀ ପାଖକୁ ଆଣୁଥିଲେ । ସେହିକାଳରେ ପିଲାମାନଙ୍କୁ ବାଡ଼େଇ ବାଡ଼େଇ ଶିକ୍ଷା ଦିଆଯାଉଥିଲା । ଯଦି ଭଲବି କରୁଥିଲେ ତଥାପି ଉସ୍ତାଦ୍ ମାରୁଥିଲେ । ଆଜିକାଲି ଆଉ କେହି ମାଡ଼ଦେଇ ଶିଖାଉ ନାହାଁନ୍ତି ବରଂ ଆଦରକରି ଶିଖାଉଛନ୍ତି । କିନ୍ତୁ ସେଇ ଯୁଗରେ ପାଣି ଭରାଉଥିଲେ, ଘରର ସଉଦା କିଣାଉଥିଲେ, ସେବା କରାଉଥିଲେ ।

ପ୍ରଶ୍ନ:  ଆପଣଙ୍କ ମୁରାଦାବାଦ ଘରାନାରେ ବ୍ୟତିକ୍ରମ କ’ଣ ଥିଲା?

ଖାଁ ସାହେବ: ଆମ ଘରାନାରେ ବିଶେଷ ଭାବରେ ଲୟ ଓ ଲୟକାରୀ ଉପରେ ଗୁରୁତ୍ତ୍ୱ ଦିଆଯାଇଥାଏ । ରାଗର ବିଶୁଦ୍ଧତା ଓ ତାନ୍ର ବିବିଧତା ଉପରେ ଗୁରୁତ୍ତ୍ୱ ଦିଆଯାଏ କାରଣ ତାନ୍ ଗୋଟିଏ ପ୍ରକାରର ନଥାଏ । ଏହାର ନାଁ ସାରଙ୍ଗୀ ଦିଆଯାଇଛିନାଁ ସେଥିପାଇଁ ଏଥିରେ ଶହେ ରଙ୍ଗ ରହିବା ଦରକାର ।

ପ୍ରଶ୍ନ: ଆପଣଙ୍କର ପ୍ରଥମ ପ୍ରଦର୍ଶନ କେଉଁଠି ହୋଇଥିଲା?

ଖାଁ ସାହେବ: ମୁଁ ୧୯୫୪ରେ ଆଫଗାନିସ୍ଥାନ ଯାଇଥିଲି । ଜାହିର ସାହେବ ସେତେବେଳେ ଥିଲେ । ସେ ମୋତେ ବହୁତ ପସନ୍ଦ କଲେ । ତା ପରେ ସେଠି ଯେତେ ରାଷ୍ଟ୍ରପତି ଆସିଲେ ପ୍ରତ୍ୟେକ ଥର ମୋତେ ଡ଼ାକୁଥିଲେ । ସାତ ଥର ମୁଁ ସେଠିକୁ ଯାଇଛି ।

ପ୍ରଶ୍ନ: କେବେଠାରୁ ରେଡ଼ିଓ ସହିତ ଯୋଡ଼ିହେଲେ?

ଖାଁ ସାହେବ: ୧୩ବର୍ଷ ବୟସରେ ମୁଁ ପ୍ରଥମେ ଅଡ଼ିସନ୍ ଦେବାପାଇଁ ଯାଇଥିଲି ଯେତେବେଳେ ରେଡ଼ିଓ ଷ୍ଟେସନ୍ ଏଠି ନଥିଲା, ଇଏ ଥିଲା ଅଲ୍ଲିପୁର ରୋଡ଼୍ରେ । ସେମାନେ ମୋତେ ବଡ଼ ବଡ଼ ରାଗ ଗାଇବାପାଇଁ କହିଲେ । ମୋର ମନେ ନଥିଲା । ସେମାନେ ମୋତେ ଫେଲ କରିଦେଲେ । କହିଲେ, ‘ଶିଖିକି ଆସ’ । ଏତେ ଛୋଟବେଳୁ କେତେ ରାଗ ମନେରହିବ? ପୁଣି ମୁଁ ୧୪ବର୍ଷରେ ଅଡ଼ିସନ୍ ଦେଲି । ଯେତେବେଳେ ଅଡ଼ିସନ୍ ଦେଲି ସେମାନେ କହିଲେ ଆରେ ପିଲାର ହାତତ ବହୁତ ଭଲ ଅଛି, ଇଏ ବହୁତ ଭଲ ବଜେଇବ । ୧୫ବର୍ଷ ବୟସରେ ମୋତେ ଚାକିରୀରେ ରଖିଦେଲେ । ସେତେବେଳେ ୫୦ଟଙ୍କା ଦରମା ଥିଲା । ନୂଆ ନୂଆ ଆସୁଥିଲି ମୋତେ ବହୁତ ଦୂରରେ ବସଉଥିଲେ, କାଳେ ସାରଙ୍ଗୀର ଆୱାଜ ଆସିଯିବ । ବହୁତ ବଡ଼ ବଡ଼ କଳାକାର ଥିଲେ । ସେତେବେଳେ ଏସ୍ କ୍ରିଷ୍ଣ ସ୍ୱାମୀ ବହୁତ ଭଲଲୋକ ଥିଲେ । ସିଏ କଣ୍ଟ୍ରାକଚୁଆଲ କାମ କରୁଥିଲେ । ମୁଁ କହିଲି କ୍ରିଷ୍ଣ ସ୍ୱାମୀ ମୋତେତ ଅଲଗା ବସାଉଛନ୍ତି, ମୋ ସାରଙ୍ଗୀର ଆୱାଜ ଆସୁନି । ସିଏ କହିଲେ ମୁଁ’ତ ଜାଣିନି ତୁମେ କେମିତି ବଜାଉଛ? ତୁମେ କେଉଁ ଭାଷା ଜାଣିଛ ମୋତେ ପଚାରିଲେ । ମୁଁ କହିଲି ସାହେବ ମୋତେ ଉର୍ଦ୍ଦୁ ଆସୁଛି । ତୁମକୁ ଇଂରାଜୀ ଜଣାନାହିଁ? ମୁଁ କହିଲି ନାଁ ସାହେବ । ସେ କହିଲେ ଠିକଅଛି ମୁଁ ଉର୍ଦ୍ଦୁ ଶିଖି ତୁମକୁ ସାରଙ୍ଗୀ ଶିଖାଇବି । ତାପରେ କ୍ରିଷ୍ଣ ସ୍ୱାମୀ ଉର୍ଦ୍ଦୁ ଶିଖିଲେ, ନୋଟେସନ୍ ଶିଖିଲେ ଓ ମୋତେ ସାରଙ୍ଗୀ ଶିଖାଇଲେ । ପୁଣି ସ୍କ୍ରିପ୍ଟ ଲେଖିକି ଦେଲେ, ପୁଣି ମୁଁ ବଜାଇବାରେ ଲାଗିଲି । ତାପରେ ମୁଁ ତାଙ୍କ ଭାଷା ଶିଖିଲି । ତାମିଲରେ ମୁଁ ଲେଖିପାରିବି ଓ ପଢ଼ି ପାରିବି ।

ପ୍ରଶ୍ନ: ଖାନ୍ ସାହେବ ଆପଣ ଅନେକ କଳାକାରଙ୍କ ସହିତ ସଙ୍ଗୀତ କରିଛନ୍ତି ଓ ଯେତେବେଳେ ଆପଣ ବଜାଇବା ଆରମ୍ଭ କଲେ ସେତେବେଳେ ଅତି ବଡ଼ ବଡ଼ କଳାକାର ଥିଲେ । କିଛି ମନେପକାଇବା ଭଳି କଥା ସେମାନଙ୍କ ସହ ବଜାଇବାବେଳେ ଘଟିଥିଲା କି?

ଖାଁ ସାହେବ: ମୁଁ ତ ଅମୀର ଖାନ୍ ସାହେବଙ୍କ ସହିତ ବହୁତ ସଙ୍ଗତ କରିଛି । ଗୋଟିଏ ସମୟ ଥିଲା ଯେତେବେଳେ ସିଏ ମୋତେ ସାଙ୍ଗରେ ନେଉନଥିଲେ । ମୁଁ ତ ଅତି ଅଳ୍ପ ବୟସରୁ ରେଡ଼ିଓରେ ବଜଉଥିଲି । କେହି ଗାୟକ ମୋତେ ସାଙ୍ଗରେ ନେଉନଥିଲେ । କହୁଥିଲେ ଆରେ ଇଏ ଛୋଟପିଲା ମୋ ଆଇଟମ୍ ଖରାପ ହୋଇଯିବ । ଏହ୍ଲାବାଦର ମନ୍ନାବାଈ ଆସିଲେ ସିଏ ବି ମନା କରିଦେଲେ । ଓଁକାର ନାଥ ଠାକୁର ଆସିଲେ ସିଏବି ମନା କରିଦେଲେ । ମୁଁ କିନ୍ତୁ କ’ଣ କରୁଥିଲି ନା ଅଭ୍ୟାସ କରିବା ଜାରୀ ରଖିଥିଲି । ଦିନେ ମୁଁ ହିନ୍ଦୁସ୍ଥାନର ଜଣେ କଳାକାର ହେବି, ହେବାକୁ ଚାହୁଁଛି ପିଲା ଦିନରୁ ଏମିତି ସ୍ୱପ୍ନ ରହିଆସିଛି । ବିଶ୍ୱାସ କରନ୍ତୁ ଯେଉଁ ଗାୟକମାନେ ମୋତେ ନେଉନଥିଲେ ସେମାନେ ମୋତେ ଡ଼ାକିବା ଆରମ୍ଭ କରିଦେଲେ ।

ପ୍ରଶ୍ନ: ଆପଣ ଭାରତ ସ୍ୱାଧୀନ ହେବା ଦେଖିଛନ୍ତି?

ଖାଁ ସାହେବ: ମୁଁ ୧୯୪୭ ମସିହାରେ ଏଇଠି ଥିଲି । ମୋ ବାପା ଥିଲେ ଓ ମୋର ସାନ ଭାଇବି ଥିଲା । ବାକି ସମସ୍ତେ ମୁରାଦାବାଦରେ ଥିଲେ । ବହୁତ ଲୋକ କହିଲେ ଖାନ୍ ସାହେବ ଆମେ ଭଡ଼ା ଦେବୁ ଏଠୁ ଚାଲନ୍ତୁ ପାକିସ୍ଥାନରେ ରହିବେ । ବହୁତ ଲୋକଥିଲେ ଯେଉଁମାନେ ଚାହୁଁଥିଲେ ଆମକୁ ପାକିସ୍ଥାନ ନେଇଯିବାକୁ । ଆମ ବାପା କହିଲେ, “ନାହିଁ ଭାଇ ମୋର ଜୀବନ ଓ ମୃତ୍ୟୁ ଏଇଠି ଲେଖା । ଆମେ ତ ଏଠୁ ଯିବୁନି । ଯାହା କିଛି ମାଲିକ କରିବ ଏଇଠି ହେବ” । ଏଇଠି ସେ ରହିଲେ । ରେଡ଼ିଓ ତରଫରୁ ଖୋଜା ହେଲା ସାବ୍ରି ଖାନ୍ ଏଠି ଅଛନ୍ତି ନାଁ ନାହାଁନ୍ତି । ମିଲିଟାରୀ ଲୋକେ ଆସିଥିଲେ ଖୋଜିବାପାଇଁ । ୪ଜଣ ମିଲିଟାରୀ ଲୋକ ଜିପ୍ରେ ଆସୁଥିଲେ, ମୋତେ ରେଡ଼ିଓ  ଷ୍ଟେସନ୍ ନେଇଯାଉଥିଲେ ଓ କାମ ସରିବା ପରେ ଘରେ ଆଣି ଛାଡ଼ୁଥିଲେ । ମୁଁ ସେହି ସମୟରେ ଏମିତି ଭାବରେ କାମ କରିଥିଲି । ମୋର କାମରେ କୌଣସି ବିରତି ନଥିଲା । ୧୯୪୨ରୁ ୧୯୮୯ କୌଣସି ବିରତି ନଥିଲା ମୋ କାମରେ ।

ପ୍ରଶ୍ନ: ସେତେବେଳର ପରିବେଶ କେମିତି ଥିଲା?

ଖାଁ ସାହେବ: ପନ୍ଦର ଅଗଷ୍ଟ ରାତି ବାରଟା ବେଳର କଥା ବହୁତ କଳାକାର ରେଡ଼ିଓରେ ବଜାଇବାପାଇଁ ଯାଇଥାଉ । ଯିଏ ଗାଇବେ ଯାଇଥିଲେ ଆମେ ମିଉଜିକ୍ ବଜାଇବାପାଇଁ ଯାଇଥିଲୁ । ବହୁତ କଳାକାର ଥିଲୁ । ରାତି ବାରଟାରେ ଲଡ଼୍ ମାଉଣ୍ଟ ବେଟେନ୍ ଆସିଲେ । ବାରଟା ଏକ ମିନିଟ୍ରେ ଭାରତ ସ୍ୱାଧୀନ ହେଲା । ସ୍ୱାଧୀନତା ପ୍ରପ୍ତି ପରେ କିଛି ଗାଇବାର କାର୍ଯ୍ୟକ୍ରମ ଥିଲା । ‘ବନ୍ଦେ ମାତରମ୍’ ଗାଇବାର କଥା । ସେଇଟା ସେତେବେଳେ ଆମେ ବଜେଇଥିଲୁ । ଗାଇବା ହେଲା, ବଜେଇବା ହେଲା ପାର୍ଲ୍ୟାମେଣ୍ଟ ହାଉସ୍ରେ ପ୍ରଦର୍ଶନ ହେଲା ।

ସେହିସମୟ ଗୁଡ଼ିକରେ ଯେତେବେଳେ ସର୍ଦ୍ଦାର ବହ୍ଲଭ ଭାଇ ପଟେଲ ରୋଗରେ ପଡ଼ିଲେ ଡ଼ାକ୍ତର କହିଲେକି ୟାଙ୍କୁ ମିଠା ମିଠା ଗୀତ ଶୁଣାଅ । ଏମିତି କଲେ ତାଙ୍କ ଦେହ ଧିରେ ଧିରେ ଠିକ ହେବ । ଡ଼ାକ୍ତରଙ୍କ ଉପଦେଶ ମାନି ମୋତେ କାମରେ ଲଗାଗଲା । ଆଉଜଣେ ଅମ୍ବାଲାର ସାବିର ଖାନ୍ ସାହେବ ରେଡ଼ଇଓରେ ଥିଲେ । ସିଏ ଗୁଲାମ ସାବିର ନାମରେ ପରିଚିତ ଥିଲେ । ମୋ ନାଁ ସାବ୍ରି ଖାନ୍ ସେହିଠାରୁ ହିଁ ହୋଇଥିଲା । ରେଡ଼ିଓରୁ ସିଏ ଦେଖିଲେ ଭଲ ଭଲ ସାରଙ୍ଗୀ ବାଦକ ଅଛନ୍ତି ସେମାନଙ୍କୁ ନେଇଆସ କାମରେ ଲଗେଇଦିଅ । ଗୋଟେ ଦିନ ଇଏ ଯିବ, ଗୋଟେ ଦିନ ସିଏ ଯିବ ଏମିତି କରି ଆମେ ଯିବା ଆସିବା ଆରମ୍ଭ କରିଦେଲୁ ।

ପ୍ରଶ୍ନ: ଏମିତିରେ ତାଙ୍କର କ’ଣ ଅନ୍ତର ଆସିଲା?

ଖାଁ ସାହେବ: ତାଙ୍କ ରୋଗରେ ଅନ୍ତର ଆସିଥିଲା ।

ପ୍ରଶ୍ନ: ଆପଣଙ୍କୁ ଲାଗୁଛି କି ସଙ୍ଗୀତ ଥେରାପିର କାମବି କରେ?

ଖାଁ ସାହେବ: ନିହାତି । ଏଥିରେ କିଛି ସନ୍ଦେହ ନାହିଁ । ଏହି ଯେଉଁ ସ୍ୱର ଏଥିରେ କାନ୍ଦିବାର ସ୍ୱର ଓ ଖୁସି ହେବାର ସ୍ୱର ଉଭୟ ଅଛି।

ପ୍ରଶ୍ନ: କିନ୍ତୁ ଲୋକ କାହିଁକି ଏହି ସ୍ୱରକୁ ଦୁଃଖ ସହିତ ଯୋଡ଼ି ଦେଇଛନ୍ତି? ଏହି ବିଷୟରେ ଆପଣ କ’ଣ କହିବାପାଇଁ ଚାହିଁବେ?

ଖାଁ ସାହେବ: ସାରଙ୍ଗୀର ବିଭିନ୍ନ ପ୍ରକାର ଷ୍ଟାଇଲ୍ ଅଛି । ଏହାର ନାଁ ‘ଶ’ରଙ୍ଗୀ ଅଟେ, ଏଥିରେ ଶହ ଶହ ରଙ୍ଗ ଅଛି । ଏଥିରେ କୌଣସି ସନ୍ଦେହ ନାହିଁ । ସବୁପ୍ରକାରର ସଙ୍ଗୀତ ଏଥିରେ ଅଛି । ଅନ୍ୟ ଯନ୍ତ୍ରବାଦ୍ୟ ଠାରୁ ଏହା ଅଲଗା । ସେଥିପାଇଁ ଏହାକୁ ସାରଙ୍ଗୀ କୁହାଯାଏ ।

ପ୍ରଶ୍ନ: ଆପଣ ସାରଙ୍ଗୀରେ ଧୃପଦ ଅଙ୍ଗ ମଧ୍ୟ ପ୍ରଦର୍ଶନ କରିଛନ୍ତି ଯାହା ଏକ ଅଦ୍ଭୁତ ପ୍ରଦର୍ଶନ । ସେହି ବିଷୟରେ କିଛି ଜାଣିବାପାଇଁ ଚାହିଁବୁ ।

ଖାଁ ସାହେବ: ବର୍କଲେରେ ଏକ ପ୍ରୋଗ୍ରାମ ରବିଶଙ୍କରଜୀ ଆୟୋଜନ କରିଥିଲେ । ସେଠାରେ ଜଣେ ପଖୋଜ ବାଦକ ଥିଲେ, ସେ ବି ଜଣେ ଗୁରୁ । ରବିଶଙ୍କରଜୀ ଜଣେ ଦିଲୱାଲା କଳାକାର । ସେହିଭଳି କଳାକାରଙ୍କୁ ଭଗବାନ ବଞ୍ଚାଇରଖନ୍ତୁ । ଏମିତି କଳାକାର ଜନ୍ମହେବା ମୁସ୍କିଲ । ମୁଁ ତାଙ୍କଠାରୁ ବହୁତ ଛୋଟଥିଲି । ତଥାପି ମୋତେ ସାବ୍ରି ଭାଇ ଛଡ଼ା କିଛି କୁହନ୍ତିନି । କହିଲେ ସାବ୍ରୀ ଭାଇ ତୁମର ସୋଲୋ ପ୍ରୋଗ୍ରାମ ସେଥିପାଇଁ ତୁମେ ଏଠି ଏକା ବଜେଇବ । ସେ ମୋପାଇଁ ପ୍ରୋଗ୍ରାମ ଆୟୋଜନ କଲେ ମୁଁ ବଜେଇଲି । ସେ ପଚାରିଲେ କ’ଣ ବଜେଇବ? ମୁଁ କହିଲି ଇଏତ ପଖୋଜ ବଜଉଛନ୍ତି । ମୁଁ ତବଲା ଥିଲେ ଖେୟାଲ ଗାଇଥାନ୍ତି ।  ପଖୋଜବାଲା ଅଛନ୍ତି ତେଣୁ ମୋତେ ଧୃପଦ ବଜାଇବାକୁ ପଡ଼ିବ । ସେତେବେଳେ ମୁଁ ଧୃପଦ ହିଁ ବଜେଇଥିଲି । ସାରଙ୍ଗୀରେ ଧୃପଦ । କାହିଁକି କଠିନ ଥିଲା? ଆପଣ ସବୁବେଳେ ଦେଖିଥିବେ ଧୃପଦ ଗାଇବାବେଳେ ହାତରେ ତାଳି ଦିଆଯାଏ । ଖାଲିବି ରହେ, ତାଳିବି ରହେ । ଲୟଟା ତାଙ୍କ ନିଜ ହାତରେ ରହେ । ମୋ ହାତରେ ତ ଲୟ ରହିପାରିବନି କାରଣ ଦୁଇହାତ ମୋର ସାରଙ୍ଗୀରେ । ଲୟ କେବଳ ଦିମାକରେ ରଖିବାକୁ ହେବ । ତେବେଯାଇ ତୁମେ ଲୟରେ ବଜେଇପାରିବ । ଦିମାକରେ ଲୟରଖି ମୁଁ ବଜେଇଲି । ସିଏବି ପଖୋଜ ବଜେଇ ଚାଲିଲେ ମୁଁବି ବଜେଇ ଚାଲିଲି ।

ଖାଁ ସାହେବଙ୍କର କିଛି ନିଜର ଲୋକ ରାଜ୍ୟସଭା ଟିଭିକୁ ତାଙ୍କ ସମ୍ପର୍କରେ କିଛି ଟିପ୍ପଣୀ ଦେଇଥିଲେ । ହିନ୍ଦୁସ୍ଥାନୀ ସଙ୍ଗୀତର ପ୍ରଖ୍ୟାତ ଗାୟୀକା ‘ଗୀରୀଜା ଦେବୀଙ୍କ ଭାଷାରେ, “୧୯୫୨ ମସିହାରୁ ମୁଁ ଖାଁନ୍ ସାହେବଙ୍କୁ ଜାଣିଛି । ମୁଁ ଅନେକ ଥର ତାଙ୍କ ସାରଙ୍ଗୀ ସହିତ ଗାଇଛି । ଏତେ ଶୁରିଲା ବ୍ୟକ୍ତି, ସତ୍ ଚରୀତ୍ର ଓ ସତ୍ୟ ପରାୟଣ ମଣିଷ ସେ । ତାଙ୍କ ସହ ଗାଇବାବେଳେ ବହୁତ ଆନନ୍ଦ ଆସେ” । ଉସ୍ତାଦ ଅମଜଦ ଅଲ୍ଲୀ ଖାଁ କୁହନ୍ତି, “ଉସ୍ତାଦ ସାବ୍ରି ଖାଁ ସାହେବ ଜଣେ ଏମିତି ମଣିଷ ଯାହାଙ୍କୁ ସାରା ଦୁନିଆ ଭଲପାଏ । ତାଙ୍କ ସଙ୍ଗୀତ ପାଇଁ ତାଙ୍କୁ ସାରା ଦୁନିଆ ଭଲପାଏ । ସେ ଏମିତି ଜଣେ ମଣିଷ ଥରେ ତାଙ୍କ ସହିତ ଯିଏ ମିଶେ ତାଙ୍କୁ ଭୂଲିପାରେନା । ତାଙ୍କ ପାଖାପାଖି ରହିବାପାଇଁ ଚେଷ୍ଟାକରେ । ସେଥିପାଇଁ ସବୁ ଗାୟକ ଚାହୁଁଥିଲେ ସାବ୍ରି ଖାନ ସାହେବ ଆମ ସହିତ ବଜାନ୍ତୁ । ତାଙ୍କ ନିଜ ପୁଅ କମାଲ ସାବ୍ରିଙ୍କ ଭାଷାରେ, “ପିଲା ଦିନରୁ ଯେଉଁସବୁ କଥା ରହିଛି ସେ ଭିତରୁ ଗୋଟିଏ କଥା ମୋର ବେଶୀ ମନେ ଅଛି ଯାହା ମୋ ମନରୁ କେବେ ଯାଇନି । ଯେତେବେଳେ ସେ ଶିଖାଉଥିଲେ ପିତାଠାରୁ ଅଧିକ ଗୁରୁଭଳି ଶିକ୍ଷା ଦେଉଥିଲେ । ଗୁରୁଙ୍କ ସ୍ଥାନତ ସବୁଠାରୁ ଉଚ୍ଚରେ । ଥରେ ବାଗେଶ୍ରୀ ରାଗର ଏକ ବନ୍ଦିଶ ଶିଖାଉଥିଲେ, “ୟେରି ଏ ମେ କେସେ ଘର ଯାଉଁ” । ଏହି ବନ୍ଦିଶ ଯେତେବେଳେ ମୁଁ ଶୁଣୁଥିଲି କିଛି ସ୍ୱରକୁ ମୁଁ ବୁଝିପାରୁ ନଥିଲି । ତାଙ୍କର ଗୋଟିଏ ମାଡ଼ରେ ଠିକ୍ ସ୍ୱରଟି ବାହାରିବାରେ ଲାଗିଲା । ମୁଁ ତ ଚାହିଁବି ସବୁବେଳେ ତାଙ୍କଠାରୁ ଶିଖିବାପାଇଁ । ଋତୱାଇ ମହ୍ଲାର- ଏମିତି ଏକ ରାଗ ଯାହା ମୁଁ ବାପାଙ୍କ ବ୍ୟତୀତ କାହାଠାରୁ ଶୁଣିନି । ମୋର ନଜରରେ କେବଳ ଉସ୍ତାଦ୍ ସାବ୍ରି ଖାଁ ସାହେବ ଏମିତି ଜଣେ ସାରଙ୍ଗୀ ବାଦକ ଯିଏ କେବଳ ହିନ୍ଦୁସ୍ଥାନରେ ନୁହେଁ ସାରା ଦୁନିଆରେ ଅନେକ ସାରଙ୍ଗୀ ବାଦକ ତିଆରି କରିଛନ୍ତି ।

ପ୍ରଶ୍ନ: ଆପଣ ନିଜ ପୁଅଙ୍କ ଉପରେ କ’ଣ କହିବେ?

ଖାଁ ସାହେବ: ଭଗବାନଙ୍କ ଦୟାରୁ ଇଏ ବହୁତ ନାଁ କରିଛି । ଏବେବି ବଜଉଛି ।

ପ୍ରଶ୍ନ: ଏବେସୁଦ୍ଧା ତାଙ୍କୁ କାହିଁକି ଆପଣ ସବୁ ରାଗ ଶିଖାଇ ନାହାଁନ୍ତି?

ଖାଁ ସାହେବ: ସବୁ ରାଗ ମୋତେବି ତ ଆସୁନାହିଁ । ପରିପୂର୍ଣ୍ଣ ମୁଁ ବି ତ ନୁହେଁ । ସଙ୍ଗୀତର ସମୁଦ୍ର ବହୁତ ବଡ଼ । ସିଏତ ସମୁଦ୍ର ତମେ ଯେତେ ସେଥିରୁ ପାଣି ବାହାର କରିବ ସିଏ ତମ କାମରେ ଆସିବ । ଯେତେ ପାଣି ତମେ ଚାହୁଁଛ ନେଇପାରିବ ।

photo and video credit internet

‘ସଙ୍ଗୀତ’… ଏକ ମନ୍ତ୍ରମୁଗ୍ଧ ଅନୁଭବ, ଯାହାକୁ ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ । ଜଣେ ସଙ୍ଗୀତର ପୂଜାରୀଙ୍କୁ ବୁଝିବାପାଇଁ ତାଙ୍କ ସଙ୍ଗୀତକୁ ଶୁଣିବା ନିତ୍ୟାନ୍ତ ଜରୁରୀ । ତଥାପି ଉସ୍ତାଦ୍ ସାବ୍ରି ଖାଁଙ୍କ ଭଳି ଜଣେ ମହାନ କଳାକାରଙ୍କ ଅମ୍ଳାନ ସ୍ମୃତିଚାରଣ କରିବାର ଉଦ୍ଦେଶ୍ୟ ହେଲା ସଙ୍ଗୀତାନୁରାଗୀମାନଙ୍କୁ ତାଙ୍କର ସାଧନାମୟ ଜୀବନ ସମ୍ପର୍କରେ କିଛି ଜଣେଇବା । କଳାଶିକ୍ଷାରେ ଆଗ୍ରହୀ ଛାତ୍ର/ଛାତ୍ରୀମାନେ ତାଙ୍କର ଅବିରତ ସାଧନାର ପଥକୁ ଅନୁସରଣ କରିବାପାଇଁ ଲେଖାଟିରୁ ପ୍ରେରଣା ପାଇଲେ ଆମର ପ୍ରୟାସଟି ସଫଳ ହୋଇଛି ବୋଲି ମନେକରିବୁ ।       -ସମ୍ପାଦକ

About ସ୍ୱୟଂପ୍ରଭା ପାଢ଼ୀ

‘ସମଧ୍ୱନି’ ପତ୍ରିକା ଓ ‘ସମଧ୍ୱନି ଇ - ପତ୍ରିକା"ର ସମ୍ପାଦକ, ସମ୍ବାଦିକ ଓ ସାଂସ୍କୃତିକ କର୍ମୀ

Check Also

ପ୍ରବେଶ ଦ୍ୱାରରେ ପ୍ରାର୍ଥନା(ସାରାଂଶ): ଅଜି ବିସମିଲ୍ଲା ଖାଁଙ୍କ ଜନ୍ମଦିନ ଅବସରରେ ବିଶେଷ ଭାବରେ ପ୍ରକାଶିତ

https://www.youtube.com/watch?v=vNcAmFkSy0M ପାଖାପାଖି ୧୯୧୬ ରୁ ୧୯୨୨ ମସିହାର କାଶୀ, ପଞ୍ଚଗଙ୍ଗା ଘାଟରେ ସ୍ଥିତ ବାଲାଜୀ ମନ୍ଦିରର ମୁଖଶାଳା, ମୁଖଶାଳାରେ ଥିବା …

Leave a Reply

Your email address will not be published. Required fields are marked *