Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ସାକ୍ଷାତକାର / ଲୋକ ସଂସ୍କୃତିକୁ ଉଜ୍ଜୀବିତ କରିବାପାଇଁ ଏକ ନୂତନ ପ୍ରୟାସ ସମ୍ପର୍କରେ…

ଲୋକ ସଂସ୍କୃତିକୁ ଉଜ୍ଜୀବିତ କରିବାପାଇଁ ଏକ ନୂତନ ପ୍ରୟାସ ସମ୍ପର୍କରେ…

  ବିଶିଷ୍ଟ ନାଟ୍ୟକାର ମନ୍ମଥ ନାଥ ଶତପଥୀଙ୍କ ସହ ଚର୍ଚ୍ଚା :

ଲୋକକଳା ଓ ଲୋକ ସଂସ୍କୃତିକୁ ପୁଣିଥରେ ଲୋକଲୋଚନକୁ ଆଣି ଆଜିର ଜଗତିକରଣ ଓ ଉଗ୍ର ବୈଦ୍ୟୁତିକ ଗଣମାଧ୍ୟମକୁ ଆପଣେଇ ନିଆଯାଇଥିବା ଯୁଗରେ ପୁଣିଥରେ ସଂସ୍ଥାପିତ କରିବାର ଦୁଃସାହାସିକ ଉଦ୍ୟମର ଅନ୍ୟନାମ ହେଉଛନ୍ତି ନାଟ୍ୟକାର ‘ମନ୍ମଥ ନାଥ ଶତପଥୀ’ । ତାଙ୍କର ସୃଜନଶୀଳ ଓ ନିଷ୍ଠାପର ଉଦ୍ୟମରେ ସେ କୌଣସି ପ୍ରତିବନ୍ଧକ ଆସିବାପାଇଁ ଅବସର ଦିଅନ୍ତି ନାହିଁ । ଓଡ଼ିଶାର ଲୋକ ସଂସ୍କୃତିକୁ ଲୋକ ସମ୍ମୁଖକୁ ଆଣିବାପାଇଁ ପ୍ରୟାସ ଜାରୀ ରଖିଥିବା, ଶ୍ରୀଯୁକ୍ତ ଶତପଥୀଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ଇମ୍ଫୋସିସ୍ ଫାଉଣ୍ଡେସନ୍… । ଆମର ସମ୍ପର୍କ କେବଳ ଏହି ଭିନ୍ନ କଳାପୁରୁଷଙ୍କ ସହ । ତାଙ୍କଠୁ ଶୁଣିବା ତାଙ୍କର ଏହି ନୂତନ ପ୍ରୟାସ ସମ୍ପର୍କରେ ।                                                                   – ସମ୍ପାଦକ

ପ୍ରଶ୍ନ:   ଲୋକକଳା ଓ ସଂସ୍କୃତିକୁ ନେଇ ଆପଣ ଯେଉଁ ନୂତନ ଉଦ୍ୟମ ଆରମ୍ଭ କରିଛନ୍ତି ସେ ବିଷୟରେ କିଛି କହିବେକି? ଇମ୍ଫୋସିସ୍ ଫାଉଣ୍ଡେସନ୍ କାହିଁକି ଲୋକ ସଂସ୍କୃତି କ୍ଷେତ୍ରରେ ଆଗ୍ରହ ଦେଖାଇଲା?

ଉତ୍ତର:    ଇମ୍ଫୋସିସ୍ ଫାଉଣ୍ଡେସନର ଅଧ୍ୟକ୍ଷ୍ୟ ସୁଧାମୂର୍ତ୍ତିଙ୍କ ବାପା ଫୋକ୍ କଲଚରକୁ ବହୁତ ଭଲପାଉଥିଲେ । ସେ ବାପାଙ୍କ ସ୍ମୃତିରେ ଭାରତବର୍ଷର ବିଭିନ୍ନ ଜାଗାରେ ଧିରେ ଧିରେ ଲୋକ ସଂସ୍କୃତି ଓ ଲୋକକଳା ଯାହା ଲୋପପାଇଆସୁଛି ବା ଯେଉଁମାନେ ଇନଆକ୍ଟିଭ ଷ୍ଟେଜ୍କୁ ଆସିଗଲେଣି ସେମାନଙ୍କୁ ଆକ୍ଟିଭ୍ କରିବାପାଇଁ ସେ ଏହାକୁ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସେ ଚାରିଟି ରାଜ୍ୟରେ ପ୍ରଥମେ ଆରମ୍ଭ କରିଥିଲେ । ଲୋକମାନଙ୍କର ଏସବୁ ଉପରେ ପ୍ରତିକ୍ରିୟାକୁ ଅନୁଧ୍ୟାନ କରିବାପରେ ଅନ୍ୟ ୭ଟି ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏମିତି ଭାବରେ ୧୧ଟି ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ଏହା ମାର୍ଚ୍ଚ, ଏପ୍ରିଲ ମାସର ପ୍ରଥମରୁ ଆରମ୍ଭ ହୁଏ କିନ୍ତୁ ଆମର ଏଠି ମେ ମାସରେ ଆରମ୍ଭ ହେଲା ।

ପ୍ରଶ୍ନ:       କେବେଠାରୁ ଏହି କାର୍ଯ୍ୟକ୍ରମ ଓଡ଼ିଶାରେ ଆରମ୍ଭ ହୋଇଛି? ଏହି କାର୍ଯ୍ୟକ୍ରମକୁ କିଏ ପରିଚାଳନା କରୁଛନ୍ତି?

ଉତ୍ତର:    ୮ମାସ ହେଲା ଏହି କାର୍ଯ୍ୟକ୍ରମ ଧାରାବାହିକ ଭାବରେ ଚାଲିଛି । ଇମ୍ଫେସିସ୍ ଫାଉଣ୍ଡେସନ୍ ଗୋଟିଏ କରପସ୍ ଫଣ୍ଡ ତିଆରି କରି ସମସ୍ତ ରାଜ୍ୟକୁ ଏହି ଫଣ୍ଡ ଜରିଆରେ ଅର୍ଥ ଆଲର୍ଟ କରୁଛନ୍ତି ।  ସେମାନେ ଓଡ଼ିଶାପାଇଁ ମଧ୍ୟ ୮୫ଲକ୍ଷ ଦେଇଛନ୍ତି ଯାହାକୁ ବ୍ୟଙ୍କରେ ଡ଼ିପୋଜିଟ ରଖାଯାଇଛି ଏବଂ ଏହାର ସୁଧକୁ  ପ୍ରେଗ୍ରାମ ପାଇଁ ବିନିଯୋଗ କରାଯାଉଛି । ତେଣୁ ଆମର ପ୍ରତ୍ୟେକ ମାସରେ ଯେଉଁ ୫୦ହଜାର ଟଙ୍କା ଆସେ ସେଥିରେ ୨ଟି ପ୍ରେଗ୍ରାମ କରାଯାଇଥାଏ । ଏହି ଦୁଇଟି କାର୍ଯ୍ୟକ୍ରମ ମୁଖ୍ୟତଃ ଲୁପ୍ତପ୍ରାୟ ଲୋକକଳାର ପୁନରୁଦ୍ଧାର ଉଦ୍ଦେଶ୍ୟରେ କରାଯାଏ ।

ପ୍ରଶ୍ନ:       କାର୍ଯ୍ୟକ୍ରମର ନୀତି ନିର୍ଦ୍ଧାରଣ କିଏ କରେ?

ଉତ୍ତର:    ଯେଉଁ ଦୁଇଟି କାର୍ଯ୍ୟକ୍ରମ କରାଯାଏ ତାହା କେଉଁ କେଉଁ ଯୋଜନାକୁ ଅନ୍ତର୍ଭୁକ୍ତ କରିବ  ସେମାନେ ଏହାର ନୀତି ନିର୍ଦ୍ଧାରଣ କରିଥାନ୍ତି । ଲୋକନୃତ୍ୟ, ଲୋକନାଟ୍ୟ, ଲୋକ ସଙ୍ଗୀତ, ଲୋକବାଦ୍ୟ ଯାହା ଏବେ ଅବକ୍ଷୟ ଅବସ୍ଥାକୁ ଆସିଲାଣି ତାହାର ସୁରକ୍ଷା ପାଇଁ ଚେଷ୍ଟା କରାଯାଉଛି । ଏଥିପାଇଁ ସେମାନେ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ପ୍ରତ୍ୟେକ ରାଜ୍ୟ ତାକୁ ଅନୁସରଣ କରୁଛନ୍ତି ଏବଂ ଆମେ ସେହି ଅନୁଯାୟୀ ଏଠାରେ କାର୍ଯ୍ୟ କରୁଛୁ । ଇମ୍ଫୋସିସ୍ ଫଉଣ୍ଡେସନ୍ ନିଜେ ଏଭଳି କାର୍ଯ୍ୟକ୍ରମକୁ ସବୁ ରାଜ୍ୟରେ ଆରମ୍ଭ କରିବା ସମ୍ଭବ ନୁହେଁ ସେଥିପାଇଁ ସେମାନେ ଏହାକୁ ଭାରତୀୟ ବିଦ୍ୟାଭବନ ଜରୀଆରେ କାର୍ଯ୍ୟକାରୀ କରାଇଲେ । ଭାରତୀୟ ବିଦ୍ୟାଭବନ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ହୋଇଥିବାରୁ ତାହାର ସବୁ ରାଜ୍ୟରେ ଥିବା ସାଖା ଜରିଆରେ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଟିତ କରାଉଛନ୍ତି । ଆମ ରାଜ୍ୟରେ ଭାରତୀୟ ବିଦ୍ୟାଭବନ ଗୋଟିଏ ଆସୋସିଏଟ୍ ଡ଼ାଇରେକ୍ଟର ପୋଷ୍ଟ ସୃଷ୍ଟିକରି ମୋତେ ଏହି କାର୍ଯ୍ୟଟିକୁ ସମ୍ପାଦନ କରିବାପାଇଁ ଦାୟିତ୍ୱ ଦେଲେ । ଓଡ଼ିଶାରେ ଗତ ୬ମାସର କାର୍ଯ୍ୟକ୍ରମକୁ ଦେଖିବାପରେ ସେମାନେ ସ୍ତବ୍ଦ ହୋଇଯାଇଛନ୍ତି । ସମଗ୍ର ଭାରତବର୍ଷରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯାହାର ଏତେ ପ୍ରକାରର ଲୋକକଳା ସଂସ୍କୃତିର ବିବିଧତା ରହିଛି ଯାହା ଅନ୍ୟ ରାଜ୍ୟରେ ବିରଳ । ଭାରତୀୟ ବିଦ୍ୟାଭବନର ଉଚ୍ଚ ଅଧିକାରୀମାନେ ଓଡ଼ିଶାର କାର୍ଯ୍ୟକ୍ରମ ଜାଣିବାପରେ ଏହାକୁ ଅଧିକ ଆଗକୁ ନେବାପାଇଁ ଏବଂ ୩୦ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ଆମର ଗ୍ରାମାଞ୍ଚଳର ଲୋକକଳାମାନେ ଯେଉଁମାନେ ଅତ୍ୟନ୍ତ ଲୁପ୍ତ ଅବସ୍ଥାକୁ ଆସିଯାଇଥିଲେ ସେମାନଙ୍କୁ ମଞ୍ଚଟିଏ ମିଳିବାର ସମ୍ଭାବନା ସୃଷ୍ଟିହୋଇଛି । ଆଜିଯାଏ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିନାହିଁ ଏବଂ ଏହାର ଶାସ୍ତ୍ରୀୟ ମାନ୍ୟତା ପାଇଁ  ମଧ୍ୟ ଆମେ ଏହାକୁ ଆମ କାର୍ଯ୍ୟସୂଚୀରେ ସ୍ଥାନିତ କରିଛୁ ।

ପ୍ରଶ୍ନ:   ଏବେ ଯାଏ ଓଡ଼ିଶାରେ କେତୋଟି ମଞ୍ଚ ପ୍ରସ୍ତୁତ ହେଲାଣି?

ଉତ୍ତର:    ଆଜିଯାଏ ଆମେ ୧୭ଣୁ ୧୮ଟି ମଞ୍ଚ ପ୍ରସ୍ତୁତ କରିସାରିଲୁଣି। ପ୍ରତ୍ୟେକଟି ମଞ୍ଚରେ ୨,୩ ପ୍ରକାରର ଲୋକକଳାକୁ ସ୍ଥାନିତ କରାଯାଉଛି। ବର୍ତ୍ତମାନ ସମଗ୍ର ଓଡ଼ିଶାରେ ଆଉ ଏମିତି କୌଣସି କାର୍ଯ୍ୟକ୍ରମ ହେଉନାହିଁ ଯେଉଁଠି ଧାରାବାହିକ ଭାବରେ ଲେକକଳାକୁ ମଞ୍ଚ ପ୍ରଦାନ କରିବାର ବ୍ୟବସ୍ଥା ରହିଛି।

ପ୍ରଶ୍ନ:    ତେବେ ଓଡ଼ିଶା ସରକାରଙ୍କର ସଂସ୍କୃତି ବିଭାଗ ଏ ଦିଗରେ କାହିଁକି ଲଗାତର ପ୍ରୟାସ କରୁନାହାଁନ୍ତି? ସରକାର ଲୋକକଳା ଓ ସଂସ୍କୃତିର ସୁରକ୍ଷା ପାଇଁ ଅନେକ ଅର୍ଥ ବ୍ୟୟ କରୁଛନ୍ତି ବୋଲି କହୁଛନ୍ତି ସେ ବିଷୟରେ ଆପଣ କ’ଣ କହିବେ?

ଉତ୍ତର:  ଓଡ଼ିଶା ସରକାର କେବଳ ବର୍ଷରେ କିଛି ନିର୍ଦ୍ଦିଷ୍ଟ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ନାଁ’ରେ କରନ୍ତି ଯେଉଁଥିରେ ବହୁତ ଗୁଡ଼ିଏ ଅର୍ଥ ଖର୍ଚ୍ଚ ହୁଏ କିନ୍ତୁ ସରକାରଙ୍କ ଉଦ୍ୟମରେ କୌଣସି ପ୍ରକାରର ଗବେଷଣାତ୍ମକ କାର୍ଯ୍ୟକ୍ରମ ଧାରାବାହିକ ଭାବରେ ଆଜିଯାଏ ଆରମ୍ଭ ହୋଇପାରିନାହିଁ । ଯେଉଁସବୁ ଲୁପ୍ତପ୍ରାୟ ଲୋକକଳା ରହିଛି ସେମାନଙ୍କୁ କୌଣସି ପ୍ରକାରର ସାହାଯ୍ୟ ସରକାର ଦେଇ ନାହାଁନ୍ତି ବା ସେମାନଙ୍କର ପୁନରୁଦ୍ଧାରପାଇଁ କୌଣସି ପ୍ରୟାସ ନାହିଁ । ଆମେ ସେମାନଙ୍କୁ ଡ଼ାକି ସେମାନଙ୍କ କଳାର ସମ୍ପୁର୍ଣ୍ଣ ପ୍ରଦର୍ଶନ ପାଇଁ ମଞ୍ଚ ପ୍ରଦାନ କରୁଛୁ । କିଛି ପରିମାଣରେ ଏହା କଳାକାରମାନଙ୍କୁ ରାଜଧାନୀରେ ପ୍ରଦର୍ଶନ କରିବାର ସୁଯୋଗ ସୃଷ୍ଟିକରୁଛି । ଏହାବ୍ୟତୀତ ରାଜ୍ୟର କଳା କ୍ଷେତ୍ରରେ ଗବେଷଣା କରୁଥିବା ସଂସ୍ଥାମାନଙ୍କୁ ପ୍ରରିଦର୍ଶନ କରିବାପାଇଁ ଆମେ ଆମନ୍ତ୍ରଣ କରୁଛୁ । କେବଳ ଗବେଷଣା ଭିତରେ ବା ପୋଥି ଭିତରେ କଳାକୁ ନଖୋଜି ପ୍ରକୃତ କଳାକୁ ମଞ୍ଚରେ ପ୍ରଦର୍ଶନ ସମୟରେ ଗବେଷଣା କରିବା ଜରୁରୀ ।

ପ୍ରଶ୍ନ:   ଏହିଭଳି ଏକ ଉଦ୍ୟମ କେତେଦିନ ଚାଲିପାରିବ ବୋଲି ଆପଣ ଆଶା ରଖିଛନ୍ତି?

ଉତ୍ତର:  ଏହି କାର୍ଯ୍ୟକ୍ରମଟି ଲଗାତରଭାବେ ଚାଲିବ ବୋଲି ଆଶା କାରଣ ଯେଉଁ କର୍ପସ ଫଣ୍ଡ ତିଆରି ହୋଇଛି ତାର ମୂଳ ଅର୍ଥଟି ସବୁବେଳେ ଜମା ରହିବ ଏବଂ ସୁଧ ଅର୍ଥରାଶି କାର୍ଯ୍ୟକ୍ରମ ପ୍ରସ୍ତୁତିରେ କେବଳ ବ୍ୟବହାର ହେବ । ଯଦିଓ କାର୍ଯ୍ୟକ୍ରମ ଗୁଡ଼ିକର ପ୍ରସ୍ତୁତି ପାଇଁ ଯେତିକି ଅର୍ଥ ବିନୋଯୋଗ ହେଉଛି ବା କଳାକାରମାନଙ୍କୁ ଯାହା ପାଉଣା ଦେବାକଥା ତା’ର ଅଧା ମଧ୍ୟ  ଦେଇପାରୁ ନାହୁଁ।

ପ୍ରଶ୍ନ:       ରାଜଧାନୀରେ କଳାର ପ୍ରଦର୍ଶନ ପାଇଁ ଜଣେ କଳାକାର ମଞ୍ଚଟିଏ ପାଇବା ଅତ୍ୟନ୍ତ କଷ୍ଟକର କଥା । ହେଲେ ଏଭଳି ସୁଯୋଗ ପାଇବାପରେ ଏହାକୁ ସେମାନେ କେମିତି ଗ୍ରହଣ କରିଛନ୍ତି?

ଉତ୍ତର:    କଳାକାରମାନଙ୍କୁ ସରକାରଙ୍କ ତରଫରୁ ରାଜଧାନୀରେ ମଞ୍ଚଟିଏ ଦେବାର ବ୍ୟବସ୍ଥା ନଥିବାବେଳେ ଆମେ ସେମାନଙ୍କୁ ମଞ୍ଚଟିଏ ଦେବା ମଧ୍ୟ ସେମାନଙ୍କପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଛି ବୋଲି କଳାକାରମାନେ ଅନୁଭବ କରୁଛନ୍ତି । ଧିରେ ଧିରେ ଆମ କର୍ଯ୍ୟକ୍ରମର କିଛି  ନିଜସ୍ୱ ଦର୍ଶକ ସୃଷ୍ଟି ହେଲେଣି ଓ ଏହା ବଢ଼ିବାରେ ଲାଗିଛି । ଏହି କାର୍ଯ୍ୟକ୍ରମ ୫ବର୍ଷ ଧରି ଚାଲିବ । ଯେତେବେଳେ ଆମକାର୍ଯ୍ୟ ଶୈଳୀକୁ ଜାଣିବାପାଇଁ ଏବଂ ଅନୁଧ୍ୟାନ କରିବାପାଇଁ ତାମିଲନାଡ଼ୁ ଓ କେରଳରୁ ବିଶେଷଜ୍ଞମାନେ ଆସିଲେ ଏବଂ ସେମାନେ ଗୋଟିଏ ଦୁଇଟି କାର୍ଯ୍ୟକ୍ରମ ଦେଖିବାପରେ ଗ୍ରାମାଞ୍ଚଳ ଗ୍ରସ୍ତକରି କଳାକାରମାନଙ୍କୁ କ୍ଷେତ୍ର ଉପରେ ଭେଟିଲେ,  ସେମାନେ ସେଠି ଅତି ଆତ୍ମବିଭୋର ହୋଇଗଲେ ।

ପ୍ରଶ୍ନ:       ଓଡ଼ିଶାରେ ଅନେକ ଲୋକକଳା ରହିଛି । ସବୁ ଲୋକକଳାକୁ ଆପଣ କେମିତି ସ୍ଥାନ ଦେବେ?

ଉତ୍ତର:    ଓଡ଼ିଶାରେ ୧୦୦ରୁ ଅଧିକ ଲୋକକଳା ସଂସ୍କୃତି ରହିଛି । ଆମେ ବର୍ଷକୁ ୩୦ରୁ୪୦ ପର୍ଯ୍ୟନ୍ତ ଲୋକକଳାକୁ ମଞ୍ଚପ୍ରଦାନ କରିପରିବୁ ଏବଂ ସବୁ ପ୍ରକାରର ଲୋକକଳାକୁ ଗୋଟିଏ ଥର ପୂରା କରିବାପାଇଁ ଆମକୁ ୩ବର୍ଷ ଲାଗିବ ।

ପ୍ରଶ୍ନ:       ଲୋକକଳା ଉପରେ ସେମିତି କିଛି ଆଖି ଦେଖିବା ଭଳି କାମ ହୋଇଛି କି?

ଉତ୍ତର:    ଯଦି ଆମେ ଓଡ଼ିଶାର ଲୋକଳାର ଇତିହାସ ଲେଖିବା ପାଖାପାଖି ୧୦,୦୦୦ପୃଷ୍ଠା ହେବ । ଏହା ଉପରେ କିଛି ଲୋକମାନଙ୍କ ଦ୍ୱାରା ଗବେଷଣାତ୍ମକ ପ୍ରବନ୍ଧ ହୋଇଛି ବା ଗୋଟିଏ ଗୋଟିଏ କଳାକୁ ନେଇ ଗୋଟିଏ ଗୋଟିଏ ଗବେଷଣାତ୍ମକ ପ୍ରବନ୍ଧ ମଧ୍ୟ ସୃଷ୍ଟି ହୋଇଛି । କେତେ ଛପା ହୋଇଛି ଆହୁରି କେତେ ଛପା ହୋଇନାହିଁ । ସବୁକିନ୍ତୁ ସଂରକ୍ଷିତ ହୋଇ ରହିଛି । ସେମିତି ଯଦି ୧୦୦ଟି ପ୍ରକାରର ଲୋକକଳା ଅଛି ତେବେ ସବୁ ଗୁଡ଼ିକ ଉପରେ କେତେଦିନ ଲାଗିବ ଗବେଷଣା କରିବାପାଇଁ । କିଛି ନିର୍ଦ୍ଦିଷ୍ଟ ଲୁପ୍ତପ୍ରାୟ ଲୋକକଳାକୁ ଆସନ୍ତାବର୍ଷକୁ କ୍ରମାଗତ ଭାବରେ ଗରୁତ୍ୱ ଦେଇ ଏହାର ପୁନରୁୁଦ୍ଧାରପାଇଁ ଆମେ ଲଗାତର କାର୍ଯ୍ୟକ୍ରମ ନେବୁ ବୋଲି ଯୋଜନା କରିଛୁ । ସେହଭଳି କାର୍ଯ୍ୟକ୍ରମ ଏବେ ଏଠାରେ ଚାଲିଛି ।

About ଶିବାଶିଷ ରାୟ

ଗବେଷକ (ଇତିହାସ ବିଭାଗ)

Check Also

ସଂସ୍କୃତିରେ ମୈତ୍ରୀ ଚେତନା(ପ୍ରଫେସର ଭଗବତ ପ୍ରସାଦଙ୍କ ସହ ସାକ୍ଷାତକାର)

    ପ୍ରଶ୍ନ-      ଆମେ କାହାକୁ ସଂସ୍କୃତି ବୋଲି କହିବା? ଉତ୍ତର-  ସଂସ୍କୃତିର ଦିଗନ୍ତ ବହୁତ ବ୍ୟାପକ। ଏଥିରେ ବହୁତ …

Leave a Reply

Your email address will not be published. Required fields are marked *