Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ / ଯିବା ଦିନର ଏଇ କଥାଟି – ୱିଲଫ୍ରେଡ଼ ଆୱେନ (କିଛିଅଂଶ)

ଯିବା ଦିନର ଏଇ କଥାଟି – ୱିଲଫ୍ରେଡ଼ ଆୱେନ (କିଛିଅଂଶ)

ୱିଲଫ୍ରେଡ଼ ଆୱେନ (୧୮୯୩-୧୯୧୮)

ପ୍ରିୟ ଗୁରୁଦେବ ରବିନ୍ଦ୍ରନାଥ, ଆପଣ ଲଣ୍ଡନରେ ଅଛନ୍ତି ବୋଲି ଶୁଣିବା ବେଳୁ ସାହସ ଖୋଜୁଛି ଅପଣଙ୍କୁ ଚିଠିଟିଏ ଲେଖିବା ପାଇଁ । ଚିଠି ଟି ଆପଣଙ୍କ ପାଖରେ କେବେ ପହଞ୍ଚିବ ଜାଣିନି ।  ପ୍ରାୟ ଦୁଇ ବର୍ଷ ତଳର କଥା କହୁଛି । ସେଦିନ ମୋ ବଡ଼ ପୁଅ ଯୁଦ୍ଧକୁ ଯାଉଥିଲା ଶେଷ ଥର ପାଇଁ । ଦିନଟି ଥିଲା ତାର ବିଦାୟର ଦିନ । ଝିଲମିଲ ସୂର୍ଯ୍ୟ କିରଣରେ ଆମେ ଦୁଇଜଣ ସମୁଦ୍ର ଆଡ଼କୁ ମୁହଁ କରି ଚାହିଁ ରହିଥିଲୁ । ଫ୍ରାନସ ଆଡ଼କୁ ଆମ ନଜର ପଡ଼ିଥିଲା ବେଳକୁ ଆମ ହୃଦୟ ଭାରି ଭାରି ଲାଗୁଥିଲା ଆଉ ଠିକ୍ ସେହି ସମୟରେ ମୋ କବିପୁଅ ଆପଣଙ୍କର ଏଇ ଅସାଧାରଣ ଶବ୍ଦ ଗୁଡ଼ିକ ମୋତେ ଶୁଣେଇଥିଲା:

 “ଯିବା ଦିନର ଏଇ କଥାଟି ଯେମିତି ଯାଏ କହି,

ଯାହା ଦେଖିଛି, ଯାହା ପାଇଛି, ତୁଳନା ତା’ର ନାହିଁ” ।

୧୯୨୦ ମସିହାରେ ଏହି ଚିଠି ଟି ରବିନ୍ଦ୍ରନାଥଙ୍କୁ ଲେଖିଥିଲେ ସୁଜାନ ଆୱେନ । ପୃଥିବୀର ଅନ୍ୟତମ ଶ୍ରେଷ୍କ ଯୁଦ୍ଧ ବିରୋଧୀ କବି, ପଚିଶ ବର୍ଷ ବୟସର ତରୁଣ ସୈନିକ ୱିଲଫ୍ରେଡ଼୍ ଆୱେନ^(Wilfred Owen – Poet) ଗୀତାଞ୍ଜଳିର ଛୟାନବେ ନମ୍ବର କବିତାର ଏହି ପଂକ୍ତି ଦୁଇଟି ସୁଜାନ ଆର୍ଥାତ୍ ତାଙ୍କ ମା’ଙ୍କୁ ଉପହାର ଦେଇ ଯାଇଥିଲେ ଯୁଦ୍ଧକୁ  ଯିବାବେଳେ । ହୁଏତ କବି ଜାଣିଥିଲେ ସିଏ ଆଉ କେବେ ଯୁଦ୍ଧରୁ ଫେରିବେନି ବୋଲି । ଅଥବା ଏହା ଥିଲା ତାଙ୍କର ଖୁବ୍ ପରିଚିତ ଯୁଦ୍ଧ ଅଭିଜ୍ଞତାଜାତ ଏକ ସ୍ୱାଭାବିକ ଅଭିବ୍ୟକ୍ତି । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ ସୈନିକ କବି ତାଙ୍କର ପ୍ରିୟତମ ମଣିଷ ଠାରୁ ଦୂରେଇ ଯିବା ବେଳେ ତାଙ୍କର ନିଜ ଲେଖା କବିତା ଆବୃତ୍ତି କରିନାହାଁନ୍ତି । ସେ ତାଙ୍କର କହିବା କଥାଗୁଡ଼ା ସଂଗ୍ରହ କରିଛନ୍ତି ପ୍ରାଚ୍ୟର ଜଣେ ଅନ୍ୟ ଭାଷାର କବିଙ୍କର କଲମରୁ । ଆୱେନଙ୍କର ଅକାଳ ମୃତ୍ୟୁର ଶହେ ବର୍ଷ ପରେ ରବିନ୍ଦ୍ରନାଥ ଠାକୁରଙ୍କ ଦେଶର ଲୋକ ହିସାବରେ ଆମେ ତାଙ୍କଭଳି ଜଣେ ଯୁଦ୍ଧ ବିରୋଧୀ କବିଙ୍କୁ ମନେପକାଇବା ବର୍ତ୍ତମାନ ସମୟରେ ଆବଶ୍ୟକ ମନେହୁଏ । ଆୱେନ୍ ଯେମିତି ବାନ୍ଧି ହୋଇଯାଇଥିଲେ ରବିନ୍ଦ୍ରନାଥଙ୍କ ସହିତ ଏକ ଅଜଣା ସୁତାରେ ଠିକ୍ ସେମିତି ଆଜି ଆମର ଜୀବନ ଓ ବିଶ୍ୱପରିସ୍ଥିତି ସତେ ଯେମିତି ଆମ ଅଜାଣତରେ ଟାଣି ହେଇଯାଉଛି ତାଙ୍କରି କବିତା ଆଡ଼କୁ ।

ୱିଲଫ୍ରେଡ଼ ଆୱେନ (୧୮୯୩-୧୯୧୮) କବି ଜୀବନର ଆରମ୍ଭରେ ଥିଲେ ଜଣେ ରୋମାଣ୍ଟିକ ମଣିଷ, ଶେଲି, କିଟ୍ ଙ୍କର ପରମ ଅନୁରାଗୀ । ୧୯୧୩ ମସିହାରେ ଇଂରାଜୀ ଓ ଫରାସି ଭାଷା ପଢ଼େଇବା ପାଇଁ ଫ୍ରାନସର ଏକ ଅନୁଷ୍ଠାନ ସହିତ ମଧ୍ୟ ଯୋଡ଼ି ହୋଇଥିଲେ । ସେଇଠି ଥିବାବେଳେ ଆରମ୍ଭ ହେଇଥିଲା ପ୍ରଥମ ବିଶ୍ୱ ଯୁଦ୍ଧ । ଆୱେନ ଘରୁକୁ ଫେରିଲେ । ସେଇଠୁ ଆରମ୍ଭ ହେଲା କବିଙ୍କର ସୈନିକ ଜୀବନ । ସାତ ମାସ ଟ୍ରେନିଂ ପରେ ସେ ନିଯୁକ୍ତ ହେଲେ ମଞ୍ଚେଷ୍ଟର ରେଜିମେଣ୍ଟରେ, ସକେଣ୍ଡ ଲେଫ୍ଟନାଣ୍ଟ ହିସାବରେ । ପ୍ରଥମେ ପ୍ରଥମେ ସୈନୀକ ଜୀବନ ବର୍ଣ୍ଣହୀନ ଲାଗୁଥିଲା। ସାଥୀମାନେ ଅଭିବ୍ୟକ୍ତି ହୀନ ଅସ୍ଥିତ୍ୱ ମନେ ହେଉଥିଲେ । ଗୋଟିଏ ଦୁର୍ଘଟଣାରେ ଶେଲ୍ ଗାତରେ ପଡ଼ି ମାରାତ୍ମକ ଆହତ ହେଇଯାଇଥିଲେ । ସଜ୍ଞାହୀନ ଅବସ୍ଥାରେ ପଡ଼ିରହିଥିଲେ ବହୁ ଦିନ । ‘ଶେଲର ଝଟକ୍କା’ ଆୱେନଙ୍କୁ ଦୋହଲେଇ ଦେଇ ଗଲା । ଏଡ଼ିନବର୍ଗ ହସ୍ପିଟାଲରେ ଭର୍ତ୍ତି ହେଲେ । ଚେତା ଫେରିଲାବେଳେ ନିଜକୁ ସେ ଖୋଜିପାଇଲେ ସହଯୋଦ୍ଧା ମାନଙ୍କର ମୃତଶବ ମାନଙ୍କ ଚାରିପଟେ । ଯୁଦ୍ଧ ଜୀବନଟାକୁ ଯେ କେମିତି ସାଂଘାତିକ ଭାବରେ ଅନିଶ୍ଚିତ ଓ କୃତ୍ରିମ କରି ଦେଇଛି, ତାହା ପ୍ରଥମଥର ପାଇଁ ହୃଦୟଙ୍ଗମ କରିଥିଲେ ତରୁଣ କବି । ଏଡ଼ିନବର୍ଗରେ  ଯୁଦ୍ଧ ବିରୋଧୀ କବି ସିଗଫ୍ରାୟେଡ଼ ସାସୁନ^(Siegfried Sassoon-Poet)ଙ୍କ ସହିତ ତାଙ୍କର ଦେଖାହେଲା । ଏଇ ଦୁଇ କବିଙ୍କର ବନ୍ଧୁତ୍ୱ ଏକ ଅସାମାନ୍ୟ ଉଚ୍ଚତା ଛୁଇଁଥିଲା। ଆୱେନଙ୍କର କବିତାର ଦିଗ କ୍ରମଶଃ ବଦଳି ଗଲା । କିଛିଟା ପରିସ୍ଥିତିର ପ୍ରଭାବରେ, କିଛିଟା ମା’ଙ୍କ ସାଙ୍ଗରେ ଆତ୍ମିୟତା ବେଳେ, ଆଉ ଅନେକଟା ମାନବିକତାର ଛାପରେ ।

ସମସ୍ତଙ୍କର ତୀବ୍ର ଆପତ୍ତି ସତ୍ତେ୍ୱ କାହାକୁ ନ ଜଣେଇ ଆୱେନ ଚାଲିଗଲେ ଫ୍ରାନସ ଯୁଦ୍ଧ କ୍ଷେତ୍ରକୁ । କହିଁକି ନା ସେ ଥିଲେ ଯୁଦ୍ଧର ଅସଲ ବର୍ବରତା ବୁଝି ସାରିଥିବା ଜଣେ ମୋହମୁକ୍ତ ଏବଂ ସାହାସୀ ଯୋଦ୍ଧା । ଏହି ସାହସ ହିଁ ତାଙ୍କୁ ଅନେକବାର ଜିତାଇଛି ଜର୍ମାନ ବିରୋଧୀ ଯୁଦ୍ଧମାନଙ୍କରେ । ସେ ଜାଣିପାରିଥିଲେ ତାଙ୍କୁ ଲେଫ୍ଟନାଣ୍ଟ ପଦକୁ ଉନ୍ନତ୍ତ କରା ହେବ । ସତରେ ସେଇଆ ହେଲା । କିନ୍ତୁ ତା ପୂର୍ବରୁ, ନଭେମ୍ବରରେ ୪ତାରିଖରେ ୱିଲଫ୍ରେଡ଼୍ ଆୱେନ୍ ଯୁଦ୍ଧକ୍ଷେତ୍ରରେ ମୃତ୍ୟୁ ବରଣ କରିଥିଲେ । ଆଉ ଗୋଟିଏ ସପ୍ତାହ ବଞ୍ଚିଥିଲେ ଆସିଯାଇଥାନ୍ତା ‘ଶାନ୍ତି ଘେଷଣା’ର ଦିନ । କିନ୍ତୁ  ସେଦିନ ସୁଜାନ ଆେଓ୍ନଙ୍କ ନିକଟକୁ ଆସିଥିଲା ପୁଅ ବଦଳରେ ପୁଅରେ ମୃତ୍ୟୁର ସମ୍ବାଦ । ସ୍ମୃତିର ଫଳକ ଉପରେ କ’ଣ ଲେଖାହେବ, ପୁଅ ଲେଖା କବିତାରୁ ବାଛି ଦେଲେ ମା’ ସ୍ୱୟଂ ନିଜ ହାତରେ । କିନ୍ତୁ ଗୋଟିଏ ଚିରନ୍ତନ ପ୍ରଶ୍ନ ସବୁବେଳେ  ପ୍ରଶ୍ନ ହୋଇ ରହିଗଲା ସବୁଦିନ ପାଇଁ; ଏଇ ଦେହମାନଙ୍କ ଭିତରେ କ’ଣ ଆଉ କେବେ ଜୀବନ ଫେରିଆସିବ?

ସ୍ୱ ରଚିତ ମାତ୍ର ପାଞ୍ଚଟି କବିତା ପ୍ରକାଶିତ ହେବା ବଞ୍ଚିଥିବା ବେଳେ ଦେଖିଛନ୍ତି ଆୱେନ । ବାକି ପାଣ୍ଡୁ ଲିପି ଛପା ହେଲା ୧୯୨୦ମସିହାରୁ ୧୯୮୩ ମସିହାଯାଏ, ଛଅ ଦଶକ ଧରି । ଆୱେନଙ୍କର କବିତାକୁ ଅନୁଭବ କରିବାକୁ ହେଲେ ଯିବାକୁ ପଡ଼ିବ “ସେଣ୍ଡ ଅଫ୍”ର ସେଇ ଗଳି ପଥରେ, ଯୋଉଁଠି ଅଙ୍ଗହୀନ ସୈନ୍ୟମାନଙ୍କ ବିଦ୍ଧାବସ୍ଥା, ଘରକୁ ଫେରିବାର ନୈଶବ୍ଦ୍ୟ ଚପି ଯାଉଛି ରଣହୁଙ୍କାରରେ । ଆମେ ଲଜ୍ଜାରେ, ଭୟରେ ଶିହରି ଉଠୁ ଯେତେବେଳେ ‘ଷ୍ଟ୍ରେଞ୍ଜ ମିଟିଙ୍ଗ’ରେ ଜଣେ ନିହତ ସୈନ୍ୟ ତାର ହତ୍ୟାକରୀକୁ କୁହେ – “ବନ୍ଧୁ, ମୁଁ ତୁମର ସେଇ ଶତ୍ରୁ, ଯାହାର ତମେ ହତ୍ୟାକରିଛ ।” ଅସଲରେ ଯୁଦ୍ଧରେ ସୈନ୍ୟ ଯେତେ ଜଣଙ୍କର ହତ୍ୟା କରୁ, ରକ୍ତ ତା ନିଜର ହିଁ ଝରେ । ଆଉ ସେଇ ହତ୍ୟାଲୀଳା, ସେଇ ଧୁଆଁ ଧୂଳିର ଆର୍ତ୍ତନାଦ, ଜୟ ପରାଜୟର ହିସାବ ନିକାଶ ପରେ ରହିଯାଏ ଏକ ଅଦ୍ଭୁତ ବିସନ୍ନତା ଓ ଏକ ନୀରବ- ଜୀବନ, ଯୌବନକୁ ଆଘାତ କରିବା ପରର ନୀରବତା । ଆୱେନ କିନ୍ତୁ ସେଦିନ ଦେଖିବାକୁ ପାଇଥିଲେ ଆଲୋକର କିରଣ ସେଇ ଯୁବକ ମାନଙ୍କର ହାତରେ ନୁହେଁ, ସେମାନଙ୍କ ଆଖିରେ ।

ଯେଉଁ ବହି ଆୱେନ ପ୍ରକାଶ କରିପାରିନାହାଁନ୍ତି, ତାର ଭୂମିକାରେ ଲେଖିଯାଇଥିଲେ “ମୋର ବିଷୟ ହେଲା ଯୁଦ୍ଧ, ଯୁଦ୍ଧର ଯନ୍ତ୍ରଣା” । ୱିଲଫ୍ରେଡ଼ ଆୱେନଙ୍କ ଯିବାର ଶହେ ବର୍ଷ ବିତି ଗଲାଣି । ଗତ ୪ ନଭେମ୍ବର ଗୀତ, ସଂଗୀତ, କବିତା, ବକୃତା, ଅନେକ ପ୍ରକାରରେ ତାଙ୍କୁ ସ୍ମରଣ କଲେ ‘ୱିଲଫେଡ଼ ଆୱେନ୍ ଅସୋସିଏସନ’ର ସଦସ୍ୟ ଓ ତାଙ୍କର ଆତ୍ମିୟମାନେ । ଟାୱାର ଅଫ ଲଣ୍ଡନ ଚାରି ପାଶ୍ୱର୍ରେ ସେଇଦିନ ରାତିସାରା କବିଙ୍କ ସ୍ମରଣରେ ଜଳି ଉଠିଥିଲା ଦଶ ହଜାର ମହମବତୀ । ସାରା ବର୍ଷ ଚାଲିବ ଯୁଦ୍ଧ ବିରୋଧି କବିଙ୍କ ସ୍ମରଣରେ ଏମିତି ନାନା ଅନୁଷ୍ଠାନ ।

ଏବଂ ସାରା ବର୍ଷ ବୋମା ପଡ଼ୁଥିବ ସ୍କୁଲ ମାନଙ୍କରେ, ଘର ଉପର ଠାରୁ  ଆରମ୍ଭ କରି ହସ୍ପିଟାଲ ଏବଂ ସର୍ବତ୍ର । ସେନା ଆଗରେ ଠିଆ ହେଇ ଯୁଦ୍ଧକୁ ପ୍ରଶ୍ନ କରିବାକୁ ହେଲେ ଏବେ ବି ଅନେକ ଆୱେନଙ୍କୁ ଜନ୍ମ ନେବାକୁ ପଡ଼ିବ ।

ମୂଳଲେଖା – ସୋନାଲୀ ଦତ୍ତ

ଭାଷାନ୍ତର – ସମିଧା ବେଦବାଳା

ୱିଲଫ୍ରେଡ଼ ଆୱେନଙ୍କ ମୃତ୍ୟୁର ଶହେବର୍ଷ ପୁରିଛି । ଏହି ସମୟରେ ବିଶ୍ୱର ଅନେକ ଦେଶରେ ଯୁଦ୍ଧର ତାଣ୍ଡବ ଲାଗିରହିଛି । ଯୁଦ୍ଧ ବିରୋଧୀ କବିଙ୍କର ପ୍ରୟାସ ଆଜିବି ଅପୂରଣୀୟ ହୋଇରହିଛି । ବିଶ୍ୱଯୁଦ୍ଧ ପରର ଯେଉଁ ନୀରବତା କଥାଟି କ଼ୁହାଯାଇଛି ଆଜିବି ସମସ୍ତଙ୍କ ମନରେ ସେହି ନୀରବତା ଭୟ ସୃଷ୍ଟି କରୁଛି। ସେହି ଭୟ, ଆତଙ୍କ ଓ ନୀରବତା ଯେ କେତେ କେତେ ଦେଶର କୁନିକୁନି ପିଲାମାନଙ୍କୁ ଆତଙ୍କିତ କରି ରଖିଛି ତାହା ଅବର୍ଣ୍ଣନୀୟ । ତେବେ କବିଙ୍କର ଯେଉଁ ପ୍ରୟାସଟି ଥିଲା ଯୁଦ୍ଧ ମାନସିକତାକୁ ପ୍ରଶ୍ନ କରିବା ସେହି ମାନସିକତାଟି ସବୁ ଯୁବପ୍ରାଣରେ ପ୍ରଶ୍ନକରିବାର ଉନ୍ମାଦନା ସୃଷ୍ଟି କରିବା ଆଜି ଜରୁରୀ ମନେହୁଏ । ସେଥିପାଇଁ କବି ୱିଲଫ୍ରେଡ଼୍ ଆୱେନଙ୍କ ଉପରେ ବଙ୍ଗଳା ଭାଷାରେ ପ୍ରକାଶିତ ଆନନ୍ଦବଜାର ପତ୍ରିକାର ଏହି ଲେଖାଟିର କିଛି ଅଂଶ ଏଠାରେ ପ୍ରକାଶ କରିବା ଜରୁରୀ ମନେକଲୁ ।- ସମ୍ପାଦକ

PHOO CREDIT – https://www.iwm.org.uk/history/5-things-you-need-to-know-about-the-first-world-war

https://www.google.com/search?tbm=isch&sa=1&ei=flvFXLyCLZL5rQHblYq4AQ&q=WORLD+WAR+PHOTO&oq=WORLD+WAR+PHOTO&gs_l=img.3..0l2j0i5i30l6j0i8i30l2.14143.17189..17749…0.0..0.126.708.0j6……1….1..gws-wiz-img…….0i7i30j0i7i5i30j0i8i7i30.4RfaP3h514A#imgrc=jnucX-1GJpXY9M:

About ସମିଧା ବେଦବାଳା

ସୀତାରର କଳାକାର, ଅଧ୍ୟାପିକା (ସଙ୍ଗୀତ ବିଭାଗ, ସିକିମ୍ ବିଶ୍ୱବିଦ୍ୟାଳୟ)

Check Also

ମାୟା ଏଞ୍ଜେଲୋ ଅବିସ୍ମରଣୀୟ ମହିଳା – ଏକ ସମୀକ୍ଷା

ମାୟା ଏଞ୍ଜେଲୋ ଥିଲେ ଜଣେ ଅବିସ୍ମରଣୀୟ ମହିଳା ଓ ବହୁମୁଖୀ ପ୍ରତିଭାର ଅଧିକାରିଣୀ। ରବି ଜେନଙ୍କର ମାୟା ଏଞ୍ଜେଲୋ ଙ୍କ …

Leave a Reply

Your email address will not be published. Required fields are marked *