ମୋ ପୁଅ ବାହାଘରରେ କୋଲକାତା ଆସିଥିଲେ (ଉଦ୍ଧୃତାଂଶ)

Dr. Samidha Vedabala
Dr. Samidha Vedabala 809 Views
6 Min Read

‘ପୂର୍ଣ୍ଣଚନ୍ଦ୍ର ଦାସ ବାଉଲ’ ନିଜ ସ୍ମୃତିର ଫର୍ଦ୍ଦ ଓଲଟାଇଛନ୍ତି ଆନନ୍ଦବଜାର ପତ୍ରିକାର ପିନାକି ବନ୍ଦୋପାଧ୍ୟାୟଙ୍କୁ ଦେଇଥିବା ଏକ ସାକ୍ଷାତକାରରେ, ଯାହାର ଉଦ୍ଧୃତାଂଶ ଅମେ ଏଠାରେ ପ୍ରକାଶ କରିଛୁ । ‘ବବ୍ ଡ଼ିଲାନ୍’ ନୋବେଲ ପୁରସ୍କାର ପାଇବା ପରେ ସେ ଭାବ ବିହ୍ୱଳ ହୋଇ କହିପକାଇଛନ୍ତି, “ଭାରି ଖୁସିଲାଗୁଛି ଆଜି । ଭାବିଲେ ହିଁ ଲୋମ ଟାଙ୍କୁରି ଆସୁଛି, ଆଉ ଜଣେ ବାଉଲ୍ ନୋବେଲ ପୁରସ୍କାର ପାଇଲେ । ବାଉଲ ହେଇ ମୋ ଜୀବନରେ ଆଉ କଣ ପ୍ରାପ୍ୟ ହୋଇପାରେ!” ଡ଼ିଲାନଙ୍କୁ ସଙ୍ଗୀତପାଇଁ ବିଶେଷକରି ଲୋକଙ୍କ ସମସ୍ୟାର ସଙ୍ଗୀତ, ଶାନ୍ତିର ବାର୍ତ୍ତା ବହନ କରୁଥିବା ସଙ୍ଗୀତପାଇଁ ପୁରସ୍କାର ଦେଇ ନୋବେଲ ପୁରସ୍କାର କମିଟି ବିଶ୍ୱରେ ଏକ ନୂଆ ଦିଗ ଉନ୍ମୋଚନ କରିଛନ୍ତି ଏଥିରେ ସନ୍ଦେହ ନାହିଁ ।         -ସମ୍ପାଦକ

Support Samadhwani

ଜୟ ଗୁରୁ ! ଜୟ ଗୁରୁ ! ଜୟ ନିତାଇ !! କିଛି ସମୟ ଆଗରୁ ଖବରଟା ପାଇଲି । ଭାରି ଖୁସି ଲାଗିଲା ।

                ବହୁ ବର୍ଷ ଆଗର କଥା  । ସ୍ମୃତିବି ଟିକେ ଦୁର୍ବଳ ହେଇଗଲାଣି । ତଥାପି ଆଜି ତାଙ୍କର ନୋବେଲ୍ ପୁରସ୍କାର ପାଇବା ଖବରଟା ପାଇ ଗୋଟେ ଛବି ପରି ଆଖିରେ ସବୁ ଭାସି ଉଠିଲା । ଜଣେ ସାହେବ ବାଉଲ । ଛିଡ଼ା ଜିନ୍ସ, କୋଟ୍, ହାତେରେ ଗୀଟାର୍, ସବୁବେଳେ ଗାଇ ଚାଲିଥାନ୍ତି । ଆମେରକା ଭଳି ବିରାଟ ଗୋଟେ ଦେଶରେ ଜଣେ ବାଉଲ ।

                ଯେତେବେଳେ ଦେଖା ହୁଏ, ତାଙ୍କର ଗୋଟିଏ ଦାବି । ଏକା ସାଙ୍ଗରେ ରହିବେ । ଗୀତ ଗାଇବେ । ଭାରତୀୟ ବାଉଲମାନଙ୍କର ଜୀବନଯାପନ ଶିଖିବେ । ଆମର ବାଦ୍ୟଯନ୍ତ୍ର ଗୁଡ଼ିକୁ ଆତ୍ମସ୍ଥ କରିବେ । ବାଉଲ ଗୀତର କଥା, ଚଲନ୍, ତାଳ, ଛନ୍ଦ। କଟେଇଛୁ ବି ଏକାଠି ସେଇ ସମୟ ଗୁଡ଼ାକୁ ଆମେ ଦୁଇ ପାଗଳ, କେତେ ଗାଇଛୁ । ଆଉ କେତେ ଗୀତ ନେଇ ପରୀକ୍ଷା ନିରୀକ୍ଷା ହୋଇଛି, କିଛି ଠିକ୍ ନାହିଁ ।

Support Samadhwani

                ସମୟଟା ଷାଠିଏ ଦଶକର ବେଳ, ମୁଁ ଆମେରିକା ଯାଇଥିଲି । ମୋ ବୟସ ସେତେବେଳେ ୩୦-୩୨ ହେବ । ଗୀତ ବହୁତ ଗାଇଛି । କାଲିଘାଟ ପାଖରେ କାଳି ଟେମ୍ପଲ ରୋଡ଼ରେ ଗୋଟିଏ ଯାତ୍ରୀ ନିବାସରେ ସେତେବେଳେ ରହୁଥିଲି । ମୁଁ ଗୀତ ଶୁଣି ଯୋଗାଯୋଗ କରିବା ପାଇଁ ସେତେବେଳେ ଅତୁଲ୍ୟ ଘୋଷ ଆଉ ପ୍ରଫୁଲ୍ଲ ସେନ୍ ମିଶି ଗୋଟେ ଟେଲିଫୋନ୍ ବ୍ୟବସ୍ଥା କରିଦେଇଥିଲେ । ହଠାତ୍ ଦିନେ ସେଇ ଟେଲିଫୋନ୍ରେ ଗ୍ରାଣ୍ଡ ହୋଟେଲ୍ରୁ ଫୋନ୍ ଆସିଲା । କଥା କଣ ନା, ଜଣେ ସାହେବ ମୋ ସାଙ୍ଗରେ ଦେଖା କରିବାକୁ ଚାହାଁନ୍ତି । କେଉଁଠି ଦେଖା କରିବେ ସେ ସେକଥା ପଚାରିଲେ, ହୋଟେଲ ମ୍ୟାନେଜର । ଯାତ୍ରୀ ନିବାସର ସେଇ ଛୋଟ ଘରେ ସାହେବଙ୍କୁ କେମିତି ଆସିବାକୁ କହିବି । ହୋଟେଲ ମ୍ୟାନେଜରକୁ କହିଲି, ମୁଁ ହିଁ ହୋଟେଲ ଯିବି । ମ୍ୟାନେଜର କହିଲେ, ସାହେବ କହୁଛନ୍ତି, ଯନ୍ତ୍ରଟା ସାଙ୍ଗରେ ଆଣିବାକୁ । ମାନିନେଲି । ବାଉଲ୍ର ଯାହା ଯାହା ବାଦ୍ୟ ଯନ୍ତ୍ର ଲାଗେ, ସବୁ ଧରି ମୁଁ ଆଉ ମୋ ସ୍ତ୍ରୀ ମଞ୍ଜୁ ଗ୍ରାଣ୍ଡ ହୋଟେଲରେ ପହଞ୍ଚିଲୁ । କଥାକଥାରେ ଜାଣିଲି ସାହେବଙ୍କର ନାଁ ଅଲବର୍ଟ ଗ୍ରସମୀନ । ଗୀତ ଶୁଣିଲା ପରେ ସିଏ କହିଲେ, ଆମେରିକା ଯାଇ ପାରିବେ? ସେଇଠି ଗୀତ ଗାଇବେ? ତାପରେ ଜାଣିବାକୁ ପାଇଲି ବବ୍ ଡ଼ିଲନ୍ ମୋ ସାଙ୍ଗରେ ଦେଖା କରିବାକୁ ଚାହାଁନ୍ତି । କହିଲେ – “ଡ଼ିଲନ୍ ବି ତୁମପରି ଜଣେ ବାଉଲ୍ ।” ଆମେରିକା ଗଲେ ତାଙ୍କ ସାଙ୍ଗରେ ଦେଖା ହେବ । ସେମିତି ପ୍ରସ୍ତୁତି କରିବି । ସେ ତାଙ୍କ ସମୟ ହିସାବରେ ଡ଼ାକିବେ ।

                ସେ ଡ଼ାକରା ଆସିଲା । ୧୨ ଜଣିଆ ଗୋଟିଏ ଦଳ ନେଇ ଆମେରିକା ଯାଇଥିଲୁ ଆମେ । ଏଇ ଅଲବର୍ଟ ସାହେବ ମୋତେ ବବ୍ ଡ଼ିଲନଙ୍କ ଜନ୍ମ ସହର ବିୟର୍ସଭିଲେ ନେଇ ଯାଇଥିଲେ । ପରେ ଜାଣିଲି, ଏଇ ଅଲବର୍ଟ ସାହେବ ସେତେବେଳେ ମାର୍କିନ ଲୋକଶିଳ୍ପୀମାନଙ୍କର ଅନ୍ୟତମ ପୃଷ୍ଠପୋଷକ । ବହୁଦିନ ବବ୍ଙ୍କର ମ୍ୟାନେଜର ବି ଥିଲେ । ଟିକେ ମନେ ଅଛି, ପ୍ରଥମ ଦେଖାରେ ବବ୍ ବାଉଲ ଛଡ଼ା ସତେରେ ଅନ୍ୟ କିଛି ଲାଗୁନଥିଲେ । ଇଂରେଜୀ ଭାଷା ସେତେବେଳେ ଭଲରେ ବୁଝୁ ନଥିଲି । କିନ୍ତୁ ମୁଁ ତ ବାଉଲ, ମନ କଥା, ଭାବି ସବୁ ଠିକ୍ ଧରି ପକଉଥିଲି । ବୁଝିପାରୁଥିଲି ସିଏ କଣ କହିବାକୁ ଚାହୁଁଛନ୍ତି । କ’ଣ ତାଙ୍କର ମନର ବ୍ୟଥା । କେଉଁଠି ତାଙ୍କର ଲଢ଼େଇ । ଗୀତ ବି ଠିକ୍ ସେମିତି ଗାଆନ୍ତି । ଯେତକି ମନେପଡ଼ୁଛି, ଆମେରିକାର ବିଭିନ୍ନ ସହରରେ ବୁଲିବୁଲି ପ୍ରାୟ ୪୦-୪୨ଟା ପ୍ରୋଗ୍ରାମ୍ କରିଥିଲି । ଯେଉଁଠିକୁ ବବ୍ ଡ଼ିଲନ୍ ତାଙ୍କ ଗ୍ରୁପ୍ ନେଇକି ଯାଇଛନ୍ତି, ମୁଁ ବି ମୋ ଗ୍ରୁପ ନେଇକି ଯାଇଛି । ବବ୍ ନିଜେ ଆମ ସାଙ୍ଗରେ ଗୀଟାର ନେଇ ହାତ ମିଳେଇଛନ୍ତି, ତ କେଉଁଠି ଗଳା ମିଶେଇଛନ୍ତି । ସେଗୁଡ଼ାକ କି ଦିନ ସବୁ! କେତେ ମାନବିକତାର ଗୀତ, କେତେ ମାନବ ପ୍ରେମର ଗୀତ, ଆଜି ଭାବିଲେ ଆଖି ଫାଟି ପାଣି ଚାଲିଆସେ । କେତେ ଗୀତ ଏକାସାଙ୍ଗରେ ରେକର୍ଡ଼ କରିଛୁ । ଗୋଟେ ମଜା ଘଟଣା ମନେ ଅଛି । ବିୟର୍ସଭିଲେ ଯିବାପରେ ବବ୍ଡ଼ିଲନ୍ ଯେତେବେଳେ ଜାଣିବାକୁ ପାଇଲେ ଆମେ ଖାଲି ଭାତ ଖାଉ, ସିଏ ଗୋଟେ ବସ୍ତା ଚାଉଳ ପଠେଇ ଦେଇଥିଲେ ଆଉ କହିଲେ, ଯେତେଦିନ ଯାଏ ଏଇ •ଉଳ ସରୁନି ଆପଣମାନେ କୁଆଡ଼େ ଯାଇ ପାରିବେନି । ଆମେ ଗୋଟେ କାଠ ଘରେ ରହୁଥିଲୁ । ଡ଼ିଲନ୍ ଆସି ମଝିରେ ମଝିରେ ମଞ୍ଜୁର ହାତ ରନ୍ଧା ଖେଚୁଡ଼ି ଖାଉଥିଲେ ।

                ତାପରେ ଗୁଡ଼ାଏ ଦିନ ମୋ ସାଙ୍ଗରେ ଯୋଗାଯୋଗ ନଥିଲା । କିନ୍ତୁ ଖବର ଦେବାକ୍ଷଣି ମୋ ଛୋଟ ପୁଅ ବାହାଘରରେ ଆସି ବୁଲିଯାଇଥିଲେ ୧୯୯୦ ମସିହାରେ । ବାଲିଗଞ୍ଜରେ ସିଏ ବାହାଘରରେ ମୋ କଥା କେଉଁଠି କ’ଣ କହିବା ବାରଣ ଥିଲା । ସେଥିପାଇଁ ଫଟୋ ବି ଉଠା ହୋଇନି । ଏତେଦିନ ପରେ ଆଉ କହିବାରେ ବାଧା ନାହିଁ, ସେଥର ଲୁଚିକି କୋଲକାତା ଆସିଥିଲେ ଡ଼ିଲନ୍ । ଗୋଟେ ରାତି ରହିବାର କଥା ଥିଲା । କିନ୍ତୁ କିଛି ଲୋକ କେମିତି ଅନ୍ଦାଜ କରିଥିଲେ । ମୁମ୍ବାଇରୁ ଗୁଡ଼ାଏ ଫୋନ ମଧ୍ୟ ଆସିଥିଲା । ଡ଼ିଲାନ ଆଉ ନରହି ସେଇ ରାତିରେ ହିଁ ପଳେଇ ଥିଲେ । ଭାରି ଖୁସି ଲାଗୁଛି ଆଜି । ଭାବିଲେ ହିଁ ରୁମ ଟାଙ୍କୁରି ଆସୁଛି, ଆଉ ଜଣେ ବାଉଲ୍ ନୋବେଲ ପୁରସ୍କାର ପାଇଲେ । ଆମର ଆଉ ଜଣେ କବି, ଆମର କବିଗୁରୁ ରବିନ୍ଦ୍ରନାଥ ଠାକୁର, ଯେ ମନରୁ ବାଉଲ ଥିଲେ, ନୋବେଲ ପାଇଥିଲେ । ବାଉଲ ହେଇ ମୋ ଜୀବନରେ ଆଉ କଣ ପ୍ରାପ୍ୟ ହୋଇପାରେ! ସବୁତ ପାଇଗଲି, ଦେଖେ ଥରେ ବବ୍ ସାଙ୍ଗରେ ଯୋଗାଯୋଗ କରିବାକୁ ଚେଷ୍ଟା କରିବି । ଜାଣିନି ପାରିବି ନା ନାହିଁ, ଏବେ ତ ଆଉ ଶବ୍ଦରେ ନୁହେଁ, ସ୍ମୃତିର ଫର୍ଦ ଓଲଟେଇ ଓଲଟେଇ ମନେ ମନେ କଥା ହୁଏ ତାଙ୍କ ସାଙ୍ଗରେ ।

ଅନୁଲିଖନ : ପିନାକୀ ବନ୍ଦୋପାଧ୍ୟାୟ

Share this Article
ସୀତାରର କଳାକାର, ଅଧ୍ୟାପିକା (ସଙ୍ଗୀତ ବିଭାଗ, ସିକିମ୍ ବିଶ୍ୱବିଦ୍ୟାଳୟ) Samidha Vedabala (Ph.D., Rabindra Bharati University, Kolkata), a performer and researcher of Indian Classical Music, Sitar. She has been working as an assistant professor of music in the Department of Music at Sikkim University since 2011. Along with performance in music, she is actively involved in academic research in Indian music. She has published two books and many academic journals. Her professional and academic association with Sitar inspires her to continue writing on the instrument and its various aspects. Her book titled "Sitar Music: The Dynamics of Structure and Its Playing Techniques" is one of them. Her work has been the source of information for one of the documentaries on Sitar in the UK. She has also attended many national and international seminars on sitar music. As a writer, Dr. Samidha has been associated with Samadhwani for over a decade.