Home / ଇତିହାସ / ଭାଷା ସଂଗ୍ରାମ ଓ ନବ ଓଡ଼ିଶାର ସ୍ଥାପନା (ସୁରସିଂହ ପଟ୍ଟନାୟକଙ୍କ ସ୍ମରଣରେ )

ଭାଷା ସଂଗ୍ରାମ ଓ ନବ ଓଡ଼ିଶାର ସ୍ଥାପନା (ସୁରସିଂହ ପଟ୍ଟନାୟକଙ୍କ ସ୍ମରଣରେ )

ଓଡ଼ିଶାର ସ୍ୱାଧୀନତାର ୧୫୬୮ସାଲର ଅବଲୁପ୍ତି ପରେ, କ୍ରମଶଃ ସଙ୍କୁଚିତ ହୋଇ ଓଡ଼ିଶାର ସୀମା ୧୮୦୩ ବେଳକୁ କ୍ଷୁଦ୍ର ଓଡ଼ିଶା ଡିଭିଜନର ୩ଗୋଟି ଜିଲ୍ଲା ଓ କେତେଗୋଟି ଗଡ଼ଜାତ ମଧ୍ୟରେ ଆବଦ୍ଧ ରହିଥିଲା । ଓଡ଼ିଆଭାଷାକୁ ନିର୍ବାପିତ କରିବାପାଇଁ ୧୮୬୭ରୁ ୧୮୭୦ମଧ୍ୟରେ ଯେଉଁ ହୀନଚକ୍ରାନ୍ତ ସଙ୍ଗଠିତ ହୋଇଥିଲା, ତାହାର ବିରୁଦ୍ଧରେ ଗୌରୀଶଙ୍କର ଓ ଫକୀରମୋହନଙ୍କର ସଞ୍ଚାଳିତ ଆନ୍ଦୋଳନକୁ ରେଭେନ୍ସା ଓ ବୀମସ୍ ସାହେବଙ୍କର ଅକୁଣ୍ଠ ସମର୍ଥନ, ସମସ୍ୟାର ଆଶୁ ସମାଧାନ ଘଟାଇଥିଲା ।

ମାତ୍ର ଏଣେ ୧୫.୦୧.୧୮୯୫ରେ ମଧ୍ୟପ୍ରଦେଶ ସରକାରଙ୍କର ସମ୍ବଲପୁର ଜିଲ୍ଲାରୁ ଓଡ଼ିଆ ଭାଷାର ଉଚ୍ଛେଦ ଓ ହିନ୍ଦୀଭାଷା ପ୍ରଚଳନପାଇଁ ଜାରି ହୋଇଥିବା ନିର୍ଦ୍ଦେଶନାମା ବିରୁଦ୍ଧରେ ଧରଣୀଧର ମିଶ୍ର ଓ ସ୍ୱଭାବ କବି ଗଙ୍ଗାଧରଙ୍କର ଅଧିନାୟକତ୍ୱରେ ଯେଉଁ ସ୍ୱତଃସ୍ଫୂର୍ତ୍ତ ସଂଗ୍ରାମ ସଞ୍ଚାଳିତ ହୋଇଥିଲା, ତାହାର ପଟାନ୍ତର ନାହିଁ । ଓଡ଼ିଆଭାଷା ଉଚ୍ଛେଦପାଇଁ ମଧ୍ୟପ୍ରଦେଶ ସରକାରଙ୍କର ନିର୍ଦ୍ଦେଶନାମାରେ ଏପରି ଉଲ୍ଲେଖ ରହିଥିଲା । ‘ସମ୍ବଲପୁରର ଓଡ଼ିଆଭାଷା, ଓଡ଼ିଶାରେ ପ୍ରଚଳିତ ଓଡ଼ିଆ ଭାଷା ନୁହେଁ । ଏହା ଏକ ସ୍ଥାନୀୟ ଭାଷା ଯହିଁରେ ବ୍ୟାପକ ଭାବେ ଛତିଶଗଡ଼ୀ ଓ ହିନ୍ଦୀଭାଷାର ମିଶ୍ରଣ ରହିଅଛି ।’

ଏହି ଯୁକ୍ତିର ପ୍ରତ୍ୟୁତ୍ତରରେ ଧରଣୀଧର ମିଶ୍ରଙ୍କର ନେତୃତ୍ୱରେ ୫.୭.୧୮୯୫ରେ ୨୩୬୪ବ୍ୟକ୍ତିଙ୍କର ସ୍ୱାକ୍ଷର ସମ୍ବଳିତ ଯେଉଁ ମେମୋରେଣ୍ଡମ ଭାରତର ବଡ଼ଲାଟ୍ ଲର୍ଡ଼ ଏଲଗିନ୍ ଙ୍କୁ ପ୍ରେରିତ ହୋଇଥିଲା , ସେଥିରେ ଏହିଭଳି ଉଲ୍ଲେଖ ରହିଥିଲା-

‘ସମ୍ବଲପୁରର ଭାଷା ଓଡ଼ିଶାର ଓଡ଼ିଆ ନୁହେଁ, ଏକଥା ସତ୍ୟନୁହେଁ । ଓଡ଼ିଶାର ସ୍କୁଲ ଇନ୍ସପେକ୍ଟର କିମ୍ବା ଓଡ଼ିଆ ଉଚ୍ଚପଦସ୍ଥ ବିଦ୍ୱାନ ବ୍ୟକ୍ତିମାନଙ୍କର ନିକଟରେ ଜିଜ୍ଞାସା କଲେ ସରକାର ଏହାର ପ୍ରକୃତ ଭାବ ଜାଣିପାରିବେ । ଦୂରତ୍ୱ ଯୋଗୁଁ ପ୍ରତ୍ୟେକ ଭାଷାର ପ୍ରାଦେଶିକ ଭେଦ ଦେଖାଯାଏ । କଲିକତାର ବଙ୍ଗଳା ସାହିତ୍ୟ ଓ ନଦିଆର ବଙ୍ଗଳା ଭାଷାରେ ପ୍ରଭେଦ ଅଛି । ଢାକାର ବଙ୍ଗଭାଷାର ଅଧିକ ପ୍ରଭେଦ ସୃଷ୍ଟି ହୁଏ । ଇଂଲଣ୍ଡର ୟର୍କସାୟାରରେ ପ୍ରଚଳିତ ଭାଷା ଲଣ୍ଡନରୁ ଭିନ୍ନହେଲେ ମଧ୍ୟ ତାହା ଇଂରାଜୀ ଅଟେ ।

ଗତ ଜୁଲାଇ ମାସରେ ଚିଫ୍ କମିଶନର ସାହେବ ବାହାଦୂର, ହିନ୍ଦୀ ପ୍ରଚଳିତ ହେବା ବିରୋଧରେ ଯେଉଁ ଦରଖାସ୍ତପ୍ରାପ୍ତ ହୋଇଥିଲେ ତାହା ଭାବୋଚ୍ଛ୍ୱାସ ପ୍ରଣୋଦିତ ବୋଲି ଅଗ୍ରାହ୍ୟ କରିଥିବା ଜାରି ଆବେଦନକାରୀମାନେ ଦୁଃଖିତ । ଆବେଦନକାରୀ-ମାନେ ପ୍ରଦର୍ଶନ କରିବାକୁ ବାଧ୍ୟ ହେଉଛନ୍ତି ଯେ, ଓଡ଼ିଆଭାଷା ସୁପାଠ୍ୟ, ପ୍ରାଚୀନ ଓ ଆଧୁନିକ ସାହିତ୍ୟରେ ପରିପୂର୍ଣ୍ଣ । ଓଡ଼ିଆଭାଷାରେ ସେହି ସମସ୍ତ ଚିହ୍ନ ସମ୍ପୂର୍ଣ୍ଣ ରୂପେ ରହିଅଛି, ଯହିଁରୁ ଜଣାଯାଏ ଯେ ଏହି ଭାଷା ସ୍ୱାଧୀନ ଏବଂ କେବେ ବିନାଶପ୍ରାପ୍ତ ହେବନାହିଁ । ଶ୍ରୀଯୁକ୍ତ ବିମସ ସାହେବଙ୍କର ଓଡ଼ିଆଭାଷା ବିଷୟକ ପ୍ରସିଦ୍ଧ ଗ୍ରନ୍ଥ ପାଠକଲେ ଏହା ଜଣାପଡ଼ିବ ।

ଶ୍ରୀଯୁକ୍ତ ଚାଲ୍ୱର୍ଗ୍ରାଣ୍ଟ ସାହେବ ମଧ୍ୟପ୍ରଦେଶ ଗେଜେଟିଆରର ଭୂମିକାରେ ଲେଖିଅଛନ୍ତି ଯେ, ସମ୍ବଲପୁର ଓ ତାହାର ଗଡ଼ଜାତ ମାହାଲ ସହିତ ଛତିଶଗଡ଼ ଅନ୍ୟାଂଶର କୌଣସି ଭୌଗୋଳିକ ବା ଐତିହାସିକ ସମ୍ପର୍କ ନାହିଁ ।

ଆବେଦନକାରୀମାନେ ସ୍ପଷ୍ଟରୂପେ ପ୍ରଦର୍ଶନ କରୁଅଛନ୍ତି ଯେ, ଭାଷାଦି ଶିକ୍ଷାର ସୁବିଧା ନିମିତ୍ତ ହେଉ ଅଥବା ଐତିହାସିକ କାରଣରୁ ହେଉ, ସମ୍ବଲପୁରରେ ଓଡ଼ିଆଭାଷା ଅକ୍ଷୁଣ୍ଣ ରହିବା ଉଚିତ । କିନ୍ତୁ ଏହା ମଧ୍ୟ ପ୍ରଦର୍ଶନ ହୋଇଛି ଶାସନକାର୍ଯ୍ୟରେ ସେପରି କିଛି ବାଧା ଉପୁଜିବ ନାହିଁ । ତଥାପି କାର୍ଯ୍ୟ ସୁକରଣ ନିମନ୍ତେ ଯଦି ଭାଷା ପରିବର୍ତ୍ତନ ବାଞ୍ଛନୀୟ ହୁଏ, ତେବେ ସମ୍ବଲପୁର ଓ ତାହାର ଗଡ଼ଜାତ ମାହାଲମାନଙ୍କୁ ବଙ୍ଗ ଗଭର୍ଣ୍ଣମେଣ୍ଟଙ୍କର ହସ୍ତରେ ସମର୍ପଣ କରି ଦିଆଯାଉ, କାରଣ ଓଡ଼ିଆ ଲୋକଙ୍କର ସହିତ ଏହି ଲୋକମାନଙ୍କର ଭୌଗୋଳିକ, ଐତିହାସିକ ଓ ସାମାଜିକ ସମ୍ପର୍କ ଥିବାରୁ, ଏହି ପ୍ରକାର ପରିବର୍ତ୍ତନ ସମ୍ବଲପୁରବାସୀଙ୍କ ପକ୍ଷେ ମଙ୍ଗଳକର ହେବ । ସମ୍ବଲପୁର କଟକର ଦୂରତ୍ୱ ରାୟପୁର ଦୂରତ୍ୱରୁ ଅଧିକ ନୁହେଁ ।’ ଏହି ବକ୍ତବ୍ୟ ମାଧ୍ୟମରେ ଦେଶ ବତ୍ସଳତାର ଯେଉଁ ଦୁର୍ବାର ଅଗ୍ନିଶିଖା ପ୍ରଜ୍ୱଳିତ ହୋଇଥିଲା, ତାହାର ତୁଳନା ନାହିଁ ।  ଓଡ଼ିଆ ଭାଷା ବିଲୁପ୍ତି ଆଦେଶ ପ୍ରଚାରିତ ହେବାପରେ କଟକରେ ଉତ୍କଳସଭାର ସଭାପତି ମଧୁସୂଦନ ଦାସ କ୍ରମାନ୍ୱୟରେ ଉତ୍କଳ ଦୀପିକାରେ ‘ମଧ୍ୟପ୍ରଦେଶରୁ ଓଡ଼ିଆ ଭାଷାର ନିର୍ବାସନ’ ଶୀର୍ଷକ ଇଂରାଜୀରେ ସାତଗୋଟି ଭାଷାତାତ୍ତ୍ୱିକ ପ୍ରବନ୍ଧ ଲେଖି ଏହାର ଶାଣିତ ଓ ତୀବ୍ର ପ୍ରତିବାଦ କରିଥିଲେ । ତାହା ସହିତ ୨୦.୬.୧୯୯୫ ରେ ସେ ଯେଉଁ ମେମୋରାଣ୍ଡମ ବଡ଼ଲାଟଙ୍କୁ ପ୍ରେରିତ କରିଥିଲେ ସେଥିରେ ଉଲ୍ଲେଖ କରିଥିଲେ ଯେ, ‘ମାତୃଭାଷାର କଣ୍ଠରୋଧ କରିବାଭଳି ବୀଭତ୍ସ ଅପରାଧ ବର୍ବରତମ ପ୍ରଶାସନରେ ମଧ୍ୟ ଦେଖାଯାଏ ନାହିଁ ।

ଏଣେ ୧୮୯୯ବେଳକୁ ସମ୍ବଲପୁର ଜିଲ୍ଲାରେ ୮୨ଗୋଟି ଓଡ଼ିଆ ପ୍ରାଥମିକ ସ୍କୁଲର ଉଚ୍ଛେଦ, ତୃତୀୟ ଶ୍ରେଣୀଠାରୁ ହିନ୍ଦୀଭାଷାର ବାଧ୍ୟତାମୂଳକ ପ୍ରଚଳନ ସହିତ ବିଭିନ୍ନ ଆଦେଶ, ସମନ, ଆଉ ଜମି ସମ୍ପର୍କୀୟ ଦସ୍ତାବିତ ହିନ୍ଦୀଭାଷାରେ ଲିଖିତ ହେବାରୁ, ସମଗ୍ର ଜିଲ୍ଲାରେ ବ୍ରଜମୋହନ ପଟ୍ଟନାୟକ, ବଳଭଦ୍ର ସୂପକାର, ମହନ୍ତ ବିହାରୀ ଦାସଙ୍କର ନେତୃତ୍ୱରେ ୨୭.୦୧.୧୯୦୧ରେ ଭାରତର ବଡ଼ଲାଟଙ୍କୁ ପ୍ରେରିତ ହୋଇଥିଲା ।

ପ୍ରାୟ ୧୮୯୯ସାଲରେ ଏଲଗିନ୍ ଙ୍କ ସ୍ଥାନରେ ଲର୍ଡ଼ କର୍ଜନଙ୍କୁ ଭାରତର ବଡ଼ଲାଟ ରୂପରେ ଅଧିଷ୍ଠିତ କରାଯାଇଥିଲା । ମଧୁସୂଦନଙ୍କର ୧୮୯୭ରେ ଇଂଲଣ୍ଡ ପରିଦର୍ଶନପରେ ସେ କ୍ରମାନ୍ୱୟରେ ବଡ଼ଲାଟଙ୍କୁ ଭାଷା ସମସ୍ୟା ସମ୍ପର୍କୀୟ ଦାବିପତ୍ର ମାନ ପ୍ରେରିତ କରୁଥିଲେ । ଏହିଭଳି ଏକ ଦାବିପତ୍ର ପ୍ରାପ୍ତ ହୋଇ ଲର୍ଡ଼ କର୍ଜନଙ୍କର ନିମନ୍ତ୍ରଣରେ ମଧୁସୂଦନ ବଡ଼ଲାଟଙ୍କୁ ସିମ୍ଲାଠାରେ ୧୯୦୦ସାଲ ଅକ୍ଟୋବର ତୃତୀୟ ସପ୍ତାହରେ ଭେଟି ଓଡ଼ିଆ ଜାତିର ଅନ୍ତର୍ଦାହ, ଭାଷାସମସ୍ୟା ଓ ବିଭାଜିତ ଓଡ଼ିଆ ଭାଷାଅଞ୍ଚଳର ମିଶ୍ରଣ ଲାଗି ଦାବି ଅତ୍ୟନ୍ତ ବିହ୍ୱଳିତ କଣ୍ଠରେ ଉପସ୍ଥାପିତ କରିଥିଲେ, ଯାହା ଲର୍ଡ଼ କର୍ଜନଙ୍କୁ ଅଭିଭୂତ କରିଥିଲା । ମଧୁସୂଦନଙ୍କର ସ୍ୱତନ୍ତ୍ର ନିମନ୍ତ୍ରଣରେ ୧୬.୧୨. ୧୯୦୦ରେ ଲର୍ଡ଼ କର୍ଜନ ପୁରୀ ଓ ଭୁବନେଶ୍ୱରର ଅପୂର୍ବ କଳାଭାସ୍କର୍ଯ୍ୟ ସମ୍ବଳିତ ମନ୍ଦିରାବଳୀ ପରିଦର୍ଶନ ପରେ ସେ ବିଖଣ୍ଡିତ ଓଡ଼ିଆଭାଷୀ ଅଞ୍ଚଳର ସମାଧାନ ସୂତ୍ର ବାହାର କରିବାପାଇଁ ପ୍ରତିଶ୍ରୁତିବଦ୍ଧ ହେଲେ ।

ଓଡ଼ିଶାରୁ ଫେରିବାର ଦୁଇମାସ ମଧ୍ୟରେ ଭାରତର ବଡ଼ଲାଟ ଲର୍ଡ଼ କର୍ଜନ ମଦନମୋହନ ମିଶ୍ର ଆଦିଙ୍କର ପ୍ରେରିତ ମେମୋରେଣ୍ଡମ ସମ୍ବଲପୁରରୁ ପ୍ରାପ୍ତ ହୋଇ ଏହି ସମ୍ପର୍କରେ ବିଧିବଦ୍ଧ ଅନୁସନ୍ଧାନ କରିବା ପାଇଁ ଏକ ଆଦେଶ ଦେଇଥିଲେ ।

ଏଣେ ୧୯୦୧ସାଲର ସେପ୍ଟେମ୍ବର ମାସରେ ସିମ୍ଲାଠାରେ ଶିକ୍ଷାସମ୍ମିଳନୀ ଅନୁଷ୍ଠିତ ହେବାର ପରିପ୍ରେକ୍ଷୀରେ, ମଧ୍ୟପ୍ରଦେଶ ଚିଫ୍ କମିଶନର ସାର ଏଣ୍ଡ୍ରୁ ଫ୍ରେଜରଙ୍କ ସହିତ ବଡ଼ଲାଟଙ୍କର ସାକ୍ଷାତକାର ହେବାର ସମ୍ଭାବନା ଦୃଷ୍ଟିରୁ ମଧୁସୂଦନ ୧୯୦୧ ସାଲରେ ଅଗଷ୍ଟ ଶେଷ ସପ୍ତାହରେ ଭାଷା ସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର ଚିଠି ଓ ଟେଲିଗ୍ରାମ ଜରିଆରେ ବଡ଼ଲାଟ୍ ଙ୍କର ପ୍ରାଇଭେଟ ସେକ୍ରେଟାରୀ ଓ ମଧୁସୂଦନଙ୍କର ଅନ୍ତରଙ୍ଗ ବନ୍ଧୁ ୱାଲ୍ଟର ଲରେନସଙ୍କୁ ପ୍ରେରିତ କରି ବଡ଼ଲାଟ ଓ ମଧ୍ୟପ୍ରଦେଶର ଚିଫ୍ କମିଶନରଙ୍କ ମଧ୍ୟରେ ଏକ ଆଲୋଚନା ସଞ୍ଚାଳିତ କରିବାପାଇଁ ସବିଶେଷ ଅନୁରୋଧ କରିଥିଲେ । ବଡ଼ଲାଟଙ୍କର ପ୍ରାଇଭେଟ ସେକ୍ରେଟାରୀ ୱାଲଟର ଲରେନ୍ସ ୧୨. ୦୯.୧୯୦୧ରେ ଜଣାଇଲେ ଯେ, ‘ମୁଁ ଆପଣଙ୍କ ପାଖରୁ ଆସିଥିବା ସମସ୍ତ ପତ୍ର ଓ ଟେଲିଗ୍ରାମ ବଡ଼ଲାଟଙ୍କ ପାଖରେ ଉପସ୍ଥାପିତ କରିଥିଲି । ଆଲୋଚନା ସଞ୍ଚାଳିତ ହେବା ପରେ ମଧ୍ୟପ୍ରଦେଶର ଚିଫ୍ କମିଶନର ସମ୍ବଲପୁରରୁ ପ୍ରାପ୍ତ ଏକ ଦରଖାସ୍ତ ଉପରେ ଅନୁସନ୍ଧାନ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ପାଇଁ ଧାର୍ଯ୍ୟ ହେଲା ।’ ବଡ଼ଲାଟଙ୍କର ଏହି ଆଦେଶ ପ୍ରାପ୍ତ ହୋଇ ମଧ୍ୟପ୍ରଦେଶର କମିଶନର ସାର୍ ଏଣ୍ଡ୍ରୁ ଫ୍ରେଜର ୨୬.୦୯.୧୯୦୧ରେ ସମ୍ବଲପୁରରେ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କରିବେ ବୋଲି ସ୍ଥିର କରିଥିଲେ ।

ଏଣେ ବ୍ରଜମୋହନ ପଟ୍ଟନାୟକଙ୍କର ନେତୃତ୍ୱରେ ସମ୍ବଲପୁରର ନେତୃତ୍ୱମଣ୍ଡଳୀ ସେହିବର୍ଷ ଜୁଲାଇ ଶେଷ ସପ୍ତାହରେ ଶ୍ରୀମତୀ ମିଶ୍ରଙ୍କ ସହ ବଡ଼ଲାଟଙ୍କୁ ଭେଟିବା ପାଇଁ ଯାତ୍ରା ଆରମ୍ଭ କରି ସିମ୍ଲାଠାରେ ସେପ୍ଟେମ୍ବର ମାସର ମଧ୍ୟଭାଗରେ ପହଞ୍ôଚଥିଲେ । ମାତ୍ର ଏଣ୍ଡ୍ରୁ ଫ୍ରେଜରଙ୍କର ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବା ପରେ ସେମାନେ ସମ୍ବଲପୁର ଫେରିଆସିଥିଲେ ।

ସାର୍ ଏଣ୍ଡ୍ରୁ ଫ୍ରେଜର ୧୯୦୧ସାଲର ସେପ୍ଟେମ୍ବର ୨୬ରୁ ୩୦ତାରିଖ ମଧ୍ୟରେ ସମ୍ବଲପୁରରେ ଅନୁସନ୍ଧାନ ସାରି ୫.୦୭.୧୯୦୧ରେ ତାହାଙ୍କର ଯେଉଁ ରିପୋର୍ଟ ପ୍ରେରିତ କରିଥିଲେ, ତାହାରି ଆଧାରରେ ଲର୍ଡ଼ କର୍ଜନ୍ ୦୧.୦୧.୧୯୦୩ରୁ ସମ୍ବଲପୁରରେ ଓଡ଼ିଆଭାଷା ପୁନଃ ସଞ୍ଚାଳିତ କରିଥିଲେ ।

ଏହି ଭାଷାସଂଗ୍ରାମୀ ପଞ୍ଚସଖାଙ୍କ ସହ ସମ୍ବଲପୁରର ଆସିଷ୍ଟାଣ୍ଡ କମିଶନର ବୈକୁଣ୍ଠନାଥ ପୂଜାରୀ, ୧୯୦୧ ସାଲରେ ଓଡ଼ିଆଭାଷୀ ଜନସଂଖ୍ୟା ସୁରକ୍ଷିତ ରଖିବା ପାଇଁ ଅହୋରାତ୍ର ଅଶ୍ୱପୃଷ୍ଠରେ ଭ୍ରମଣ କରି ନିଜର ଜୀବନକୁ ଉତ୍ସର୍ଗ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରା ମଧ୍ୟ ଏହି ଭାଷା ସଂଗ୍ରାମକୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ସେମାନଙ୍କର ଅବଦାନ ଅବିସ୍ମରଣୀୟ ।

ସମଗ୍ର ଭାରତରେ ପ୍ରାଦେଶିକ ସୀମା ପରିବର୍ତ୍ତନ ପାଇଁ ବଡ଼ଲାଟ ଯେଉଁ ପରିକଳ୍ପନାର ସଂଯୋଜନା କରିଥିଲେ, ତାହାକୁ ୧୯୦୩ରେ ପ୍ରକାଶିତ ସର୍କୁଲାର୍ ମାଧ୍ୟମରେ ପ୍ରଚାରିତ କରିଥିଲେ । ଏହି ସଂଯୋଜନା ମଧ୍ୟରେ ବଙ୍ଗର ବିଭାଜନ, ବେରାର୍ର ମଧ୍ୟପ୍ରଦେଶ ସହିତ ମିଶ୍ରଣ, ଛୋଟ ନାଗପୁର ଡିଭିଜନରୁ କିଛି ଗଡ଼ଜାତର ମଧ୍ୟପ୍ରଦେଶର ମିଶ୍ରଣ ସହିତ ସମଗ୍ର ଓଡ଼ିଆଭାଷୀ ଅଞ୍ଚଳର ବଙ୍ଗପ୍ରଦେଶ ସହିତ ମିଶ୍ରଣର ପରିକଳ୍ପନା ସ୍ଥାନ ପାଇଥିଲା । ମାତ୍ର ପତ୍ନୀଙ୍କର ଅସୁସ୍ଥତା ଯୋଗୁଁ ୧୯୦୪ସାଲର ଏପ୍ରିଲ ମାସରେ ଲର୍ଡ଼ କର୍ଜନ ଦୀର୍ଘ ଛୁଟିନେଇ ଚାଲିଯିବାରୁ,ଅସ୍ଥାୟୀଭାବେ ବଡ଼ଲାଟ ଦାୟିତ୍ୱରେ ଥିବା ମାନ୍ଦ୍ରାଜ ଗଭର୍ଣ୍ଣର ଲର୍ଡ଼ ଏମ୍ଥିଲ୍ ଦକ୍ଷିଣଓଡ଼ିଶାର ବଙ୍ଗସହିତ ମିଶ୍ରଣର ସିଦ୍ଧାନ୍ତ ବିରୁଦ୍ଧରେ ଏକ ପୂର୍ଣ୍ଣଚ୍ଛେଦ ଟାଣି ଦେଇଥିଲେ ।

ଲର୍ଡ଼ କର୍ଜନ ୧୯୦୫ସାଲର ପୂର୍ବଭାଗରେ ପୁଣି ବଡ଼ଲାଟ୍ ପଦରେ ଯୋଗଦେବାପରେ ୧୬.୧୦.୧୯୦୫ରେ ରିସଲେ ସର୍କୁଲାର୍କୁ କାର୍ଯ୍ୟକାରୀ କରିଥିଲେ । ଏହି ପରିପ୍ରେକ୍ଷୀରେ ୧୬.୧୦.୧୯୦୫ସାଲରେ ସମ୍ବଲପୁରଠାରେ ବଙ୍ଗର ଗଭର୍ଣ୍ଣର ସାର୍ ଏଣ୍ଡ୍ରୁ ଫ୍ରେଜରଙ୍କ ଦ୍ୱାରା ଏକ ଭବ୍ୟ ଦରବାରର ଆୟୋଜନ କରାଯାଇଥିଲା ଯହିଁରେ ମଧ୍ୟପ୍ରଦେଶର ଛତିଶଗଡ଼ ଡିଭିଜନରୁ ସମ୍ବଲପୁର ଜିଲ୍ଲା କଳାହାଣ୍ଡି, ପାଟନା, ସୋନପୁର, ରେଢ଼ାଖୋଲ ଓ ବାମଣ୍ଡା ଗଡ଼ଜାତମାନ ଓ ଛୋଟନାଗପୁର ଡିଭିଜନରୁ ଗାଙ୍ଗପୁର ଓ ବଣେଇ ଗଡ଼ଜାତମାନ ଆସି ଓଡ଼ିଶା ଡିଭିଜନରେ ମିଶିବା ପରିପ୍ରେକ୍ଷୀରେ, ଏହି ସାତଗୋଟି ଗଡ଼ଜାତମାନଙ୍କର ରାଜାମାନଙ୍କୁ ସ୍ୱତନ୍ତ୍ର ସନନ୍ଦମାନ ପ୍ରଦାନ କରାଯାଇଥିଲା ।

ସୁଦୀର୍ଘ ଚାରିଦିନବ୍ୟାପୀ ନବମିଶ୍ରଣର ଉଲ୍ଲାସଭରା, ଆହ୍ଲାଦମୟ ଉତ୍ସବରେ ଉକ୍ରଳ ସମ୍ମିଳନୀ ପକ୍ଷରୁ ମଧୁସୂଦନ ଦାସଙ୍କ ଦ୍ୱାରା ପ୍ରେରିତ ଦାମୋଦର କର, ଚନ୍ଦ୍ରଶେଖର ନନ୍ଦ, ବ୍ରହ୍ମାନନ୍ଦ ଷଡ଼ଙ୍ଗୀ ପ୍ରଭୃତି କବିଗୋଷ୍ଠୀ ଯୋଗଦାନ କରି ଏକ ନିବିଡ଼ ଆନ୍ତରିକତାର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିଲେ ।

ଏହି ୧୬.୧୦.୧୯୦୫ରେ ଅନୁଷ୍ଠିତ ତାତ୍ପର୍ଯ୍ୟପୂର୍ଣ୍ଣ ମିଶ୍ରଣର ଠିକ୍ ଏକମାସ ପରେ ୧୮. ୧୧.୧୯୦୫ରେ ଏହି ମିଶ୍ରଣର ସର୍ବମୟକର୍ତ୍ତା ଲର୍ଡ଼ କର୍ଜନଙ୍କୁ ଦେଖିବାକୁ ମିଳିଥିଲା, ବମ୍ବେର ବନ୍ଦରରେ ଅସ୍ତମିତ ସୂର୍ଯ୍ୟର ଦୀପ୍ତିମନ୍ତ ଆଲୋକରେ ଏକ ଲଣ୍ଡନଗାମୀ ଜାହାଜରେ ଆରୋହଣ କରିବା ସମୟରେ ଠିକ୍ ସୂର୍ଯ୍ୟାସ୍ତର ବେଳାରେ । ଖଣ୍ଡେ ଦୂରରେ ବିଦାୟ ସମ୍ବର୍ଦ୍ଧନା ଜଣାଉଥାନ୍ତି ନବନିଯୁକ୍ତ ବଡ଼ଲାଟ ଲର୍ଡ଼ ମିଣ୍ଟୋ । ସୂର୍ଯ୍ୟାସ୍ତର ସେହି ବିଭାମଣ୍ଡିତ ବର୍ଣ୍ଣିଳ ଆଲୋକରେ ଲର୍ଡ଼ କର୍ଜନ ଆଜି ଅସ୍ତମିତ । ମାତ୍ର ସେ ସଦା ଭାସ୍ୱର ରହିଛନ୍ତି ଅମଳିନ ଦ୍ୟୁତିରେ ଓଡ଼ିଆର ଅନ୍ତରରେ, ନବଓଡ଼ିଶାର ଅନ୍ୟତମ ସ୍ରଷ୍ଟାରୂପରେ ।

ଏହି ପଶ୍ଚିମ ଭୂଖଣ୍ଡର ୧୬. ୧୦. ୧୯୦୫ରେ ଗୌରବାବହ ମିଶ୍ରଣ, ପ୍ରକୃତରେ ଓଡ଼ିଶାକୁ ଏକ ସବ୍ ପ୍ରଭିନ୍ସ(କ୍ଷୁଦ୍ର ପ୍ରଦେଶ)ସ୍ତରକୁ ଉନ୍ନୀତ କରିଥିଲା, ଯାହାର ଅନ୍ତିମ ପରିଣତିରେ ୧୯୩୬ସାଲରେ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ଗଠିତ ହୋଇଥିଲା । ତେଣୁ ଏହି ଅବିସ୍ମରଣୀୟ ତାତ୍ପର୍ଯ୍ୟପୂର୍ଣ୍ଣ ୧୬.୧୦.୧୯୦୫ ତାରିଖଟି ହେଉଛି ନବଓଡ଼ିଶାର ଆଦ୍ୟ ଜନ୍ମୋତ୍ସବ ।

୪ ଏପ୍ରିଲ ହେଉଛି ବିଶିଷ୍ଟ ଓଡ଼ିଆପ୍ରାଣ ସୁରସିଂହ ପଟ୍ଟନାୟକଙ୍କ ଶ୍ରାଦ୍ଧତିଥି । ଏହି ମହାନ୍ ବ୍ୟକ୍ତିଙ୍କ ଉକ୍ତ ଲେଖାଟି ୨୦୦୭ ମସିହାରେ  ‘ସମଦୃଷ୍ଟି’ରେ ପ୍ରକାଶ ପାଇଥିଲା । ତେବେ ଉତ୍କଳ ଦିବସରେ ଏହାର ଗୁରୁତ୍ୱ ଉପଲବ୍ଧି କରି ପୁନଃପ୍ରକାଶ କରିବା ସହ ସୁରସିଂହ ପଟ୍ଟନାୟକଙ୍କୁ ଏହି ଲେଖା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ । –  ସମ୍ପାଦକ

Photo credit- https://www.google.co.in/search?biw=1366&bih=608&tbm=isch&sa=1&ei=py7HW_TvLrL5sAem2p2YAw&q=swatantra+odisha+and+different+separate+territories&oq=swatantra+odisha+and+different+separate+territories&gs_l=img.3…3804.8369.0.9055.11.10.1.0.0.0.515.1773.4-3j1.4.0….0…1c.1.64.img..6.0.0….0.vdeiFEOBGt4#imgrc=LZlw84ltm0VOQM:

About ସୁରସିଂହ ପଟ୍ଟନାୟକ

Check Also

(ଅତୀତରୁ ପୋଷ୍ଟକାର୍ଡ) ମାଛ ମିଛ: କଟକରେ ମାଛ ଧରା

ରେଭେନ୍ସା କଲେଜେରୁ ଇଂରାଜୀ ଭାଷା ସାହିତ୍ୟରେ ଉପାଧ୍ୟୁତ୍ତର ଶିକ୍ଷା ସାରି, ସ୍ୱାଧୀନତା ସମୟରେ ଶ୍ରୀ ବସନ୍ତ ଶତପଥୀ ମୟୁରଭଞ୍ଜ ରାଜ୍ୟ …

Leave a Reply

Your email address will not be published. Required fields are marked *