Home / ଦୃଶ୍ୟ ଓ ଶ୍ରାବ୍ୟ / ଭିଡିଓ / ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିରେ ‘ଗଁଡ଼ାବଜା’ ଏକ ଦୃଷ୍ଟିପାତ

ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିରେ ‘ଗଁଡ଼ାବଜା’ ଏକ ଦୃଷ୍ଟିପାତ

ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାମାନଙ୍କରେ ଗଁଡ଼ାବଜା ନବାଜି କୌଣସି ଉତ୍ସବର ପରିକଳ୍ପନା  କରିହୁଏନା । ଯେମିତି ଏହିସବୁ ଜିଲ୍ଲାର ଜନ ଜୀବନ ଓ ଲୋକାଚାର ଭିତରେ ଗଁଡ଼ାବଜା ସ୍ଥାନଟିଏ ସୃଷ୍ଟିକରି କେତେ ହଜାର ବର୍ଷ ହେଲା ନିଜକୁ ପରିପୃଷ୍ଠ କରିଆସିଛି । ପିଲାଜନ୍ମ ହେଲେ ବଜା, ବିବାହରେ ବଜା, ପୂଜାପାର୍ବଣରେ ବଜା, ମୃତ୍ୟୁରେ ବଜା, ଜୀବନର ବିଭିନ୍ନ ପର୍ଯ୍ୟାୟ ପାଇଁ ରହିଛି ଭିନ୍ନ ଭିନ୍ନ ପାର୍ । ଓଡ଼ିଶା ତଥା ଭାରତରେ ଏହିଭଳି ଏକ ଉଚ୍ଚକୋଟିର କଳା ସଂସ୍କୃତି ପୁଣି ଏତେ ପୁରାତନ ସାଂସ୍କୃତିକ ଧାରା ବିରଳ ମନେହୁଏ । ସାମାଜିକ ଭାବରେ ନିମ୍ନବର୍ଗ ବୋଲି ବିଚାର କରାଯାଉଥିବା ଗଁଡ଼ାବଜା କଳାକାରମାନଙ୍କର ଉଚ୍ଚତର କଳାକୂଶଳତାର ପରିଚୟଟି ହୁଏତ ସମାଜ ଆଗରେ ଉପସ୍ଥାପନ କରିବାରେ ଅବହେଳା କରାଯାଇଛି । ଉକ୍ତ ଲେଖାରେ ଲେଖକ ଗଁଡ଼ା କଳାକାରମାନଙ୍କର ଆର୍ଥିକ ଓ ସାମାଜିକ ଦିଗ ଗୁଡ଼ିକୁ ଉତ୍ଥାପନ କରିବାପାଇଁ ପ୍ରୟାସ କରିଛନ୍ତି । ଏହିସବୁ ସମସ୍ୟା ଉପରେ ଅଧିକରୁ ଅଧିକ ଗବେଷଣା ଓ ଉପସ୍ଥାପନା ଆବଶ୍ୟକତା ରହିଛି ବୋଲି ଅନୁଭବ ହେଉଛି ।                                 – ସମ୍ପାଦକ

ଓଡ଼ିଶାର ପଶ୍ଚିମ ଭାଗକୁ ପଶ୍ଚିମ ଓଡ଼ିଶା ବୋଲି କୁହାଯାଇଥାଏ । ପ୍ରାକୃତିକ ପରିବେଷ୍ଟନୀ ଭିତରେ ଥିବା ଏଇ ଭୂଖଣ୍ଡଟି ହେଉଛି ଗ୍ରାମ ବହୁଳ । ଏହାର ଗ୍ରାମୀଣ ପରିବେଶ ଭିତରେ ଅନେକ ଅନୁନ୍ନତ ଶ୍ରେଣୀ ତଥା ଜନଜାତିର ଲୋକେ ବହୁ କାଳରୁ ରହି ଆସୁଛନ୍ତି। ଏମାନଙ୍କର ଜୀବନ ବଂଚିବା ଦିଗଟି ଯେତେ ଜଟିଳ, ସେ ଜଟିଳତା ଭିତରେ ଜୀବନକୁ ଉପଭୋଗ କରିବାର ମାନସିକତା ସେତେ ପ୍ରବଳ । ଅନ୍ୟ ଭାଷାରେ କହିବାକୁ ଗଲେ ଗୀତ, ସଂଗୀତ ଓ ନୃତ୍ୟ ମାଧ୍ୟମରେ ସାମାଜିକ ଜୀବନକୁ ନିଜସ୍ୱ ଭାବରେ ମଧୁର କରିବା ପାଇଁ ଏମାନେ ସମସ୍ତେ ପ୍ରୟାସରତ । ଏଥି ସହିତ ପାରଂପାରିକତା ଓ ରକ୍ଷଣଶୀଳତା ହେଉଛି ଏମାନଙ୍କର ଜୀବନ ଶୈଳୀର ଦୁଇଟି ମୁଖ୍ୟ ଦିଗ ।

ଏଇ ପାରଂପାରିକତା ଭିତରେ ଆବଦ୍ଧ ହୋଇଥିବା ସାଂସ୍କୃତିକ ବାତାବରଣ ହେଉଛି “ଲୋକ ସଂସ୍କୃତି” । ଏଇ ଲୋକସଂସ୍କୃତିର ପ୍ରବାହମାନ ଧାରାକୁ ‘ଲୋକଧାରା’ ବୋଲି କୁହାଯାଇଥାଏ । ପର୍ବପର୍ବାଣି, ଖାଦ୍ୟପେୟ, ଚାଲିଚଳଣି, ଗୀତ, ସଂଗୀତ, ନୃତ୍ୟ, ଚିତ୍ରକଳା, ନାଟକ, ବେଶ, ପୋଷାକ, ଅଳଙ୍କାର ଏପରି ଅନେକ ଉପାଦାନକୁ ନେଇ ‘ଲୋକଧାରା’ ଖୁବ ବିଭବଶାଳୀ ମନେ ହୁଏ ।

ପ୍ରାୟତଃ ସାମାଜିକ ଓ ଧର୍ମୀୟ ରୀତିନୀତି ପାଳନ କ୍ଷେତ୍ରରେ ସେମାନେ ପ୍ରତିଟି ମୂହୁର୍ତ୍ତକୁ ଉପଭୋଗ କରିବା ପାଇଁ ସାଂସ୍କୃତିକ ଦିଗକୁ ବେଶ ଗରୁତ୍ୱ ଦେଇଥାନ୍ତି । ଏଥିପାଇଁ ପ୍ରତିଟି ବିବାହ ତଥା ଅନ୍ୟାନ୍ୟ ସାମାଜିକ ଉତ୍ସବ ଏବଂ ଦେବାଦେବୀଙ୍କ ପୂଜନୋତ୍ସବରେ ନିର୍ଦ୍ଦିଷ୍ଟ ଭାବେ ଭିନ୍ନ ଭିନ୍ନ ଶୈଳୀର ଗୀତ, ସଂଗୀତ ଓ ନୃତ୍ୟ ଯୋଡ଼ି ହୋଇ ରହିଥାନ୍ତି ।

ଏଇ ପରିପ୍ରେକ୍ଷୀରେ ପାରଂପାରିକ ବା ଲୋକ ସଂଗୀତ ସଂପର୍କରେ ଆଲୋଚନା କଲେ “ଗଁଡ଼ାବଜା”ର ଏକ ସ୍ୱାତନ୍ତ୍ର‌୍ୟତା ରହିଛି । ପଶ୍ଚିମ ଓଡ଼ିଶାର “ଲୋକ ସଂସ୍କୃତି” “ଗଁଡ଼ାବଜା” ର ଉପସ୍ଥିତି ବିନା କଳ୍ପନା କରାଯାଇ ନ ପାରେ । ପଶ୍ଚିମ ଓଡ଼ିଶାରେ ଏମିତି ସାମାଜିକ କିମ୍ବା ଧର୍ମୀୟ ଉତ୍ସବ ନାହିଁ ଯେଉଁଠି “ଗଁଡ଼ାବଜା”ର ସଂପୃକ୍ତି ନ ଥିବ । ଏପରିକି ପଶ୍ଚିମ ଓଡ଼ିଶାର ଏମିତି ଗାଁ ନାହିଁ, ଯେଉଁଠି “ଗଡାବଜା” ଦଳଟିଏ ନ ଥିବ ।

“ଗଁଡ଼ାବଜା”ର ନାମକରଣ ପଶ୍ଚିମ ଓଡ଼ିଶାର “ଗଁଡ଼ାଜାତିର ଲୋକଙ୍କ ନାଁ’ରେ ହୋଇଛି । କେଉଁ କାଳରୁ ଏଇ ଜାତିର ଲୋକ ଏଇ ବାଦ୍ୟ ପିଢ଼ି ପରେ ପିଢ଼ି ବାଜଇ ଆସୁଛନ୍ତି । ତା’ର ସଠିକ ତଥ୍ୟ ନାହିଁ । ସେଥିପାଇଁ ଏହାକୁ ‘ଆଦିବାଦ୍ୟ’ ବୋଲି କୁହାଯାଇଥାଏ । ଏହି ଗଁଡ଼ା ଜାତିର ଲୋକେ ହେଇଛନ୍ତି ତଫସିଲଭୁକ୍ତ ଜାତି । ଏଇ ବାଦ୍ୟଦଳ (ବଜନିଆ) ବାଜାବଜାଇ ନିଜସ୍ୱ ଜୀବିକା ନିର୍ବାହ କରିଥାନ୍ତି । “ବାଦ୍ୟବାଦନ” ତାଙ୍କର ଜୀବନ ବଂଚିବାର ମୁଖ୍ୟ ସ୍ରୋତ । ଢୋଲ, ନିଶାନ/ଲିସାନ୍, ତାସା/ତସା, ଟିମ୍କିଡ଼ି ଓ ମହୁରି/ମୁହୁରି ଏପରି ପାଞ୍ଚଗୋଟି ବାଦ୍ୟ ଯନ୍ତ୍ରର ସମାବେଶ ହେଉଛି “ଗଡ଼ାଁବଜା”  । ଏହାକୁ ସମୟ କ୍ରମେ ଶୈକ୍ଷିକ ଭାଷାରେ “ପଂଚବାଦ୍ୟ” ବୋଲି କୁହାଯାଇଥାଏ । ଅବଶ୍ୟ ବିଭିନ୍ନ କାରଣରୁ ଏଇ ପଂଚବାଦ୍ୟରେ ଆଉ ଟିମ୍କିଡ଼ିର ବ୍ୟବହାର ଦେଖାଯାଉନାହିଁ । ତାର ପରିବର୍ତ୍ତେ “ଝୁମକା ”ର ବ୍ୟବହାର କରାଯାଉଛି ।

ସବୁଠାରୁ ଏକ ସମ୍ବେଦନଶୀଳ ପ୍ରସଙ୍ଗଟି ହେଉଛି ଯେ ଏଇ ଜନପ୍ରିୟ ପାରଂପାରିକ ଲୋକବାଦ୍ୟ “ଗଁଡ଼ାବଜା”ର ବାଦ୍ୟକାରମାନଙ୍କୁ ଅସ୍ପୃଶ୍ୟ ଭାବେ ଗ୍ରହଣ କରାଯାଇଥାଏ । ଅଥଚ ସେମାନଙ୍କର ବାଦ୍ୟ ପରିବେଶଷଣ ବେଶ୍ ଲୋକ ପ୍ରିୟ ହୋଇ ମାନ୍ୟତା ପାଇଥାଏ। ସେ ଯାହା ବି ହେଉ ସମୟ କ୍ରମେ ଏଇ “ଗଁଡ଼ାବଜା”ର ସୁର ଓ ତାଳ ଅନ୍ୟ ଉଚ୍ଚଜାତିର କଳାକାରମାନଙ୍କ ପାଖକୁ ଆସିଯାଇଛି । ଏହାର ମୁଖ୍ୟ କାରଣ ହେଉଛି ଯେ, ପରବର୍ତ୍ତୀ ପୀଢ଼ି ଶିକ୍ଷିତ ହେବା ପରେ ନିଜସ୍ୱ ଜାତିର ବରିଷ୍ଠ କଳାକାରମାନଙ୍କର ସାମାଜିକ ଓ ଆର୍ଥିକ କ୍ଷେତ୍ରର ବିପର୍ଯ୍ୟସ୍ତ ସ୍ଥିତି ଦେଖି ସେମାନେ “ଗଁଡ଼ାବଜା” ଠାରୁ ମୁଁହ ଫେରାଇ ନେଉଛନ୍ତି । ଏହା ଆଉ ତାଙ୍କର କୌଲିକ ବୃତ୍ତି ହୋଇ ଆଉ ରହିନାହିଁ ।

ଅନ୍ୟ ପକ୍ଷରେ ଗଁଡ଼ାବଜାର ସୁର ଓ ତାଳକୁ ନେଇ ଅନ୍ୟଜାତି ବା ସହରର ଲୋକେ ସୁନ୍ଦର ଭାବେ ବଜାରୀକରଣ କରି ସାମାଜିକ ସମ୍ମାନ ସହି ବିପୁଳ ଅର୍ଥ ଲାଭ କରି ଦେଶ ବିଦେଶରେ ପରିବେଷଣ କରିବାର ସୁଯୋଗ ପାଇ ଆସୁଛନ୍ତି । ସେପଟେ “ଗଁଡ଼ାବଜା”ର ବରିଷ୍ଠ କଳାକାରମାନେ ପରଂପରାର ସୁରକ୍ଷା ନାଁରେ ଅବହେଳିତ ହୋଇ ଗାଆଁରେ ପଡ଼ିରହିଛନ୍ତି ।

ପୁଣି “ଗଁଡ଼ାବଜା”ର ଆଧୁନିକିକରଣ ଦ୍ୱାରା ତା’ର ମୌଳିକତା ନଷ୍ଟ ହୋଇଯାଇଛି । ଅବଶ୍ୟ ଏଇ ଆଧୁନିକରଣ ଦ୍ୱାରା ଏହା ଅନେକ ସମ୍ବଲପୁରୀ ଗୀତ ଓ ନୃତ୍ୟରେ ପ୍ରୟୋଗ ହୋଇପାରୁଛି । ଅନେକ କଳାକାର ସମ୍ବଲପୁରୀ ଢୋଲ/ ସିନ୍ଥେଟିକ୍ ଢୋଲ, ମାଟି ଓ ଚମଡ଼ା ରେ ତିଆରି ତାସା ପରିବର୍ତ୍ତେ ସିନ୍ ଥେଟିକ ତାସା ବ୍ୟବହାର କରି ଆସୁଛନ୍ତି । ଏହି ସମ୍ବଲପୁରୀ ଲୋକବାଦ୍ୟ ଓ ନୃତ୍ୟ ବିଶ୍ୱ ଦରବାରରେ ପରିଚିତ ।

କିନ୍ତୁ “ଗଁଡ଼ାବଜା” ମରିଯାଇ ନାହିଁ । କି ହଜିଯାଇନାହିଁ । ବଂର ଏକ ପୁନରୁଦ୍ଧାର ଅପେକ୍ଷାରେ ରହିଛି । ବରିଷ୍ଠ କଳାକାରମାନେ ଆଜି ବି ଗାଁ ଓ ସହରରେ ଏଇ ବାଦ୍ୟକୁ ପାରଂପାରିକ ଭାବେ ବିଭିନ୍ନ ସାମାଜିକ ଓ ଧର୍ମୀୟ ଉତ୍ସବରେ ବଜାଇ ଆସୁଛନ୍ତି । ପଶ୍ଚିମ ଓଡ଼ିଶାରେ ଏଇ ଲୋକ ବିଶ୍ୱାସ ଅଛି ଯେ, ଏଇ ବାଦ୍ୟ ଧ୍ୱନି ହେଉଛି ଉତ୍ସବ ପାଇଁ ଶୁଭଙ୍କର ।

ଏଇ “ଗଁଡ଼ାବଜାର ବାଦ୍ୟଯନ୍ତ୍ରଗୁଡ଼ିକୁ ଅତିସୁନ୍ଦର ଭାବରେ ତିଆରି କରିଥାନ୍ତି “ଘାସି” ଜାତିର ଲୋକମାନେ । ସେମାନଙ୍କର ଦୁଃଖ ଯେ ସେମାନଙ୍କର ସୃଷ୍ଟିକୁ ସମସ୍ତେ ଚିହ୍ନନ୍ତି ହେଲେ ସ୍ରଷ୍ଟାକୁ ନୁହେଁ । ସେମାନେ ନା କରିଗର ନା କଳାକାର ।

“ଗଁଡ଼ାବଜା” ର ସ୍ୱତନ୍ତ୍ର‌୍ୟ ବାଦନ ଶୈଳୀ ରହିଛି । ଏହାର ମୁଖ୍ୟଙ୍କୁ “ଢୁଲିଆ” ଯେ ଖଁଣା ରେ ଢୋଲ ବଜାଇ ସମଗ୍ର ଦଳକୁ ନିୟନ୍ତ୍ରଣ କରିଥାଏ । ନିଶାନ / ଲିସାନ ବଜାଉଥିବା ଓ ତାସା ବଜାଉଥିବା ତସାବାଲା ଢୁଲିଆଙ୍କୁ ସହଯୋଗ କରିଥାନ୍ତି । ମୁହୁରିଆ ମୁହୁରିରେ ସ୍ୱର ସଂଯୋଜନା କରିଥାନ୍ତି । “ଗଁଡ଼ାବଜା”ରେ ଅନେକ ଗୁଡ଼ିଏ ପାର୍ (ତାଳ) ରହିଛି । ଏବଂ ନିର୍ଦ୍ଦିଷ୍ଟ ଭାବରେ ୧୬ ଖାଡ଼ି /ବା ପାର/ ତାଳ ବାଜିଥାଏ । ବିଭିନ୍ନ ଦେବାଦେବୀଙ୍କ ପୂଜନୋତ୍ସବରେ ସ୍ୱତନ୍ତ୍ର ଦେବତାମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ପାର/ ଖାଡ଼ି ବଜାଯାଇଥାଏ । ଯାହାକୁ “୧୬ ଖାଡ଼ି ଭରନୀ” ବୋଲି କୁହାଯାଏ । କ୍ଷେତ୍ର ବା ସ୍ଥଳ ବିଶେଷରେ ରୀତିନୀତି ଅନୁସାରେ ଏହା ବଜାଯାଇଥାଏ ।

ସତ କହିବାକୁ ଗଲେ “ଗଁଡ଼ାବଜା” ସଂପର୍କରେ ଅନେକ ଗୁଡ଼ିଏ ତଥ୍ୟ ଭରି ରହିଛି । ଯାହାକି ଏଇ କ୍ଷୁଦ୍ର ଆଲେଖ୍ୟରେ ସ୍ଥାନିତ କରିବା ସମ୍ଭବ ନୁହେଁ । ପ୍ରକୃତରେ ଅତିପ୍ରାଚୀନ କାଳରୁ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପ୍ରତିନିଧି ଭାବେ ଭୂମିକା ନିର୍ବାହ କରିଆସୁଥିବା ଏଇ “ଗଁଡ଼ାବଜା” ପାଇଁ ସ୍ୱତନ୍ତ୍ର ଅଧ୍ୟୟନର ଆବଶ୍ୟକତା ରହିଛି ନିଶ୍ଚୟ ।

About ରମେଶ ଗୁର୍ରଲା

Check Also

Featured Video Play Icon

ଭାଗବତ ପ୍ରସାଦଙ୍କ ସହ ସାକ୍ଷାତକାର (ଭାରତୀୟ ଶିକ୍ଷା ଓ ସଂସ୍କୃତି)

Leave a Reply

Your email address will not be published. Required fields are marked *