Home / ସମୀକ୍ଷା / ପରଭକ୍ଷୀ ପରଶୋଷୀ ପର୍ଯ୍ୟାୟ

ପରଭକ୍ଷୀ ପରଶୋଷୀ ପର୍ଯ୍ୟାୟ

ଉତ୍ତପ୍ତ ପୃଥିବୀ । ଅଶାନ୍ତ ପ୍ରକୃତି । କେଉଁଠି ପ୍ରଚୁର ବୃଷ୍ଟି ତ କେଉଁଠି ସର୍ବନାଶୀ ଝଡ଼; ଆଉ କେଉଁଠି ପାଣି ବିନା ହାହାକାର । ବୈଜ୍ଞାନିକ କଣ୍ଠର ଆର୍ତ୍ତନାଦ ସୃଷ୍ଟି କରୁଛି ଚିନ୍ତକମାନଙ୍କର ହୃତ୍କମ୍ପ । ପ୍ରକୃତି ଏବେ ସୁଜଳା, ସୁଫଳା ଶସ୍ୟଶ୍ୟାମଳା ହେବନି, ହେବ ନିର୍ଜଳା, ନିଷ୍ଫଳା, ରସ ଶୂନ୍ୟ ଓ ଦୁର୍ବଳା । ସେପ୍ଟେମ୍ବର ୨୩, ୨୦୧୩ ଦିନ ଦୈନିକ ହିନ୍ଦୁରେ ପ୍ରକାଶିତ ଏକ ମର୍ମଥରା ଚେତାବନୀ ସମ୍ପର୍କରେ ଧ୍ୟାନ ଆକର୍ଷଣ କରାଯାଇପାରେ। ଏହି ଚେତାବନୀଟି ଆସିଛି ଆଇ.ପି.ସି.ଏଲ୍. ବା ବିଶ୍ୱର ସରକାରୀ ପ୍ରତିନିଧିମାନଙ୍କୁ ନେଇ ଜଳବାୟୁ ପରିବର୍ତ୍ତନ ଉପରେ ଗଠିତ ଗୋଷ୍ଠୀ ନିକଟରୁ । ସେମାନଙ୍କ ତାଗିଦ ‘ଶିଳ୍ପଯୋଗୁଁ ୨ଂ ସେଲ୍ସିଅସ୍ ବଢ଼ିଯିବ ଉତ୍ତାପ । ଯଦି ଏହା ସତ୍ୟ ହୁଏ କେମିତି ବଞ୍ôଚବ ଏ ଜୀବଜଗତ? ଖାଦ୍ୟ, ଜଳ, ବସ୍ତ୍ର ସବୁ ଦୁର୍ଲ୍ଲଭ ହୋଇଯିବ ଦିନକୁ ଦିନ । ମଣିଷର କୃତକର୍ମର ପରିଣତି ଆସୁଛି ଝଡ଼ର ବେଗରେ । ୧୯୬୦ରେ ମଣିଷସମାଜ ତିଷ୍ଠିଥିଲା ପୃଥିବୀର ଦୁଇ ତୃତୀୟାଂଶ ସମ୍ବଳ ଉପଯୋଗ କରି । ମଣିଷର ଆବଶ୍ୟକତା ଏତେ ବଢ଼ିଚାଲିଲା ଯେ, ୧୯୭୦ ବେଳକୁ ପୃଥିବୀର ସମ୍ବଳଗୁଡ଼ିକ ତା’ପାଇଁ ଯଥେଷ୍ଟ ହେଲାନି । ଆଜିର ମଣିଷସମାଜ ବ୍ୟବହାର କରୁଛି ଦେଢ଼ଟି ପୃଥିବୀର ସମ୍ବଳ । ଆ.ପି.ସି.ଏଲର ଗବେଷଣା ଅନୁଯାୟୀ, ବିଶ୍ୱର ତାପ ଗତ ତିନିଶହ ବର୍ଷରେ ବଢ଼ିଛି । ବୈଜ୍ଞାନିକଙ୍କ ବିଷାଦପୂର୍ଣ୍ଣ ଘୋଷଣା ଗୋଟିଏ ଡିଗ୍ରୀ ତାପବଢ଼ିଲେ କୃଷି ଉତ୍ପାଦନ କମିଯାଏ ୫ ପ୍ରତିଶତ ।

ଏଠି ମନେପଡ଼େ ପରିବେଶ ବିଜ୍ଞାନୀ ରକଷ୍ଟରମଂକ କଥା। ବଂଚି ରହିବାକୁ ତଥା ନିରାପଦରେ ରହିବାକୁ ହେଲେ ମାନବ ସମାଜକୁ ଅତି ବିପନ୍ନ ସ୍ଥିତିରେ ଆସି ପହଂଚିଛି ଆମ ବିଶ୍ୱର ପରିବେଶକୁ ଅଧିକ ବିପନ୍ନ କରିବା ପ୍ରକ୍ରିୟାରୁ ଦୂରେଇ ରହିବାକୁ ପଡ଼ିବ ଓ ପ୍ରକୃତିର ଜଳବାୟୁ, ଜୀବମଣ୍ଡଳୀ ତଥା ପରିବେଶ ପ୍ରକ୍ରିୟାଟିକୁ ସମ୍ମାନ ଦେବାକୁ ପଡ଼ିବ ।’

ଆଉ ଯୁଦ୍ଧ! ଯୁଦ୍ଧର ଭୟଙ୍କର ପ୍ରଭାବ ସମ୍ପର୍କରେ କିଏ ବା ନଜାଣେ । ଧ୍ୱଂସ ହୋଇଯାଏ ମହାନଗରଗୁଡ଼ିକ । ପ୍ରଥମ ମହାଯୁଦ୍ଧର ଧ୍ୱଂସ ଲୀଳାରେ ୨୦ନିୟୁତ ଲୋକ ହଜିଯାଇଥିଲେ । ସେହିଭଳି ଦ୍ୱିତୀୟ ମହାଯୁଦ୍ଧରେ ନିଶ୍ଚିହ୍ନ ହୋଇଯାଇଥିଲେ ଅବା କ୍ଷତାକ୍ତ ହୋଇଥିଲେ ୩୭.୫ନିୟୁତ ସୈନ୍ୟ । କଥାଟି ସେତିକିରେ ସରିନାହିଁ । ୧୯୫୪ରେ ଆମେରିକା ବିକିନିରେ ପରୀକ୍ଷା କଲା ହାଇଡ଼୍ରୋଜେନ୍ ବୋମା । ଏ ବୋମାର ଧ୍ୱଂସକାରୀ ଶକ୍ତିଥିଲା ହିରୋସୀମା, ନାଗାସାକି ବୋମାର କ୍ଷମତାର ୧୩୦୦ଗୁଣ ।

ଏଠି ମନେପଡ଼ିଯାଏ ଆଲବର୍ଟ ଆଇନଷ୍ଟାଇନ୍ଙ୍କ କଥା । “ହ୍ୱାଏ ସୋସିଆଲିଜିମ୍” ବା ‘ସମାଜବାଦ କାହିଁକି’ ପ୍ରବନ୍ଧରେ ସେ ଲେଖିଥିଲେ ‘…ଥ୍ରୋଷ୍ଟିନ୍ ଭେବଲେନ୍ ଯାହାକୁ ଦିନେ ମାନବ ବିକାଶର ପରଭକ୍ଷୀ ପରଶୋଷୀ ପର୍ଯ୍ୟାୟ ବୋଲି କହୁଥିଲେ, ତାକୁ ଆମେ କେଉଁଠି ବି ଏଯାଏଁ ଅତିକ୍ରମ କରି ଆଗକୁ ଆସିପାରି ନାହାଁନ୍ତି । ଯେହେତୁ ସମାଜବାଦର ମୂଳଲକ୍ଷ୍ୟ ହେଉଛି ଏଭଳି ଏକ ପରଭକ୍ଷୀ ପରଶୋଷୀ ପର୍ଯ୍ୟାୟକୁ ଅତିକ୍ରମକରି ଆଗକୁ ଯିବା ଏବକାର ଅର୍ଥନୈତିକ ବିଜ୍ଞାନ ଭବିଷ୍ୟତରେ ଏଭଳି ଏକ ସମାଜବାଦୀ ସମାଜ ନିର୍ମାଣ କ୍ଷେତ୍ରରେ ଖୁବ୍ କମ୍ ଆଲୋକପାତ କରିପାରିବ ।’ ପରଭକ୍ଷୀ ପରଶୋଷୀ  ଅଭିଜାତ ସମାଜ (ପ୍ରିଡ଼େଟୋରୀ ଏଲିଟ୍) ବର୍ତ୍ତମାନ ପୃଥିବୀରେ ସବୁସ୍ତରରେ କ୍ରିୟାଶୀଳ । ତେଣୁ କେବଳ ଅର୍ଥନୀତି ନୁହେଁ, ପ୍ରାୟ ସମସ୍ତ ମାନବୀୟ ଜ୍ଞାନରାଶି ଉପରେ ପ୍ରଶ୍ନବାଚୀ ଲାଗିବା ସ୍ୱାଭାବିକ । ଆମେ ପ୍ରଥମେ ଆଲୋଚନା କରିବା ଦର୍ଶନ ସମ୍ପର୍କରେ । ଆଧୁନିକ ଉନ୍ନତ ୟୁରୋପୀୟ ଦର୍ଶନର ଭିତ୍ତିଭୂମି ହେଉଛି ଗ୍ରୀକ୍ ଦର୍ଶନ । ଗ୍ରୀକ୍ ସମାଜ ପୂର୍ଣ୍ଣମାତ୍ରାରେ ପରଭକ୍ଷୀ ପରଶୋଷୀ ( ପ୍ରିଡ଼େଟୋରୀ) । ଯୁଦ୍ଧ, ନରନାରୀ ବୈଷମ୍ୟ ତଥା ଯୁଦ୍ଧଭିତ୍ତିକ ନାରୀର ଯୌନ ନିର୍ଯାତନା, କ୍ରୀତଦାସ ପ୍ରଥାର ପ୍ରଚଳନ; ପ୍ରତ୍ୟେକଟି ଥିଲା (ପ୍ରିଡ଼େଟୋରୀ) ପରଭକ୍ଷୀ ପରଶୋଷୀ ସଭ୍ୟତାର ଗୋଟିଏ ସ୍ତମ୍ଭ । ସକ୍ରେଟିସ୍, ପ୍ଲାଟୋ, ଆରିଷ୍ଟୋଟଲଙ୍କ ଭଳି ଗ୍ରୀକ୍ ଦାର୍ଶନିକମାନେ ଏ ଅନ୍ୟାୟଗୁଡ଼ିକ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିନାହାଁନ୍ତି । ଆରିଷ୍ଟୋଟଲ୍ କ୍ରୀତଦାସ ପ୍ରଥା ଓ ନାରୀର ସାମାଜିକ ନ୍ୟୁନତାକୁ ଦୃଢ଼ ସମର୍ଥନ ଜଣାଇଛନ୍ତି । ଗ୍ରୀକ୍ସଭ୍ୟତାରେ ଯୋଦ୍ଧାର ପ୍ରାଧାନ୍ୟ ଥିଲା କିନ୍ତୁ ଭାରତୀୟ ବେଦୀୟ ସଭ୍ୟତାରେ ଯୋଦ୍ଧାଙ୍କଭଳି ଆଉ ଏକ ପରଭକ୍ଷୀ (ପ୍ରିଡ଼େଟୋରୀ) ଗୋଷ୍ଠୀ ପୁରୋହିତ -ସମାଜ ଯୋଦ୍ଧାଙ୍କ ସହ ସମାନ କିମ୍ବା ତାଙ୍କଠୁ ଅଧିକ ପ୍ରାଧାନ୍ୟ ବିସ୍ତାର କରିଥିଲେ । ୟୁରୋପୀୟ ଦର୍ଶନ ଉପରେ ପ୍ରଶ୍ନଚିହ୍ନ ଆଙ୍କିଦେଲେ ତିନି ଊନବିଂଶ ଶତାବ୍ଦୀର ମହାନ ଚିନ୍ତକ: ମାର୍କ୍ସ, ଡାରୱିନ ଓ ଫ୍ରଏଡ଼ । ଫ୍ରଏଡ଼ ମଣିଷ ବ୍ୟକ୍ତିତ୍ୱର ଗଠନ ଓ ପରିପ୍ରକାଶରେ ସଚେତନ ହେତୁବାଦୀ ମାନସର ବୌଦ୍ଧିକତା ଅପେକ୍ଷା ଅବଚେତନ ମନର ଆବେଗିକ ପ୍ରବୃତ୍ତି ଅଧିକ କ୍ରିୟାଶୀଳ ବୋଲି ମତବ୍ୟକ୍ତ କରି ସମୁଦାୟ ଦର୍ଶନଶାସ୍ତ୍ରକୁ କାଠଗଡ଼ାରେ ଠିଆ କରିଦେଇଥିଲେ ।

ମାର୍କ୍ସଙ୍କ ମତଥିଲା ଦର୍ଶନ କେବଳ ସମାଜର ବ୍ୟାଖ୍ୟାରେ ନିଜକୁ ସୀମିତ ରଖୁଛି କିନ୍ତୁ ସମାଜ ବଦଳାଇବା ପାଇଁ କୌଣସି ତତ୍ତ୍ୱ ସାମ୍ନାକୁ ଆଣୁନି।

ଡାରୱିନ କହିଲେ, ଦାର୍ଶନିକମାନେ ବିବର୍ତ୍ତନବାଦ ସମ୍ପର୍କରେ ଅଜ୍ଞ । ବାନର ସମାଜ ଓ ମଣିଷର ଆବିର୍ଭାବ ସମ୍ପର୍କରେ ବୈଜ୍ଞାନିକ ଜ୍ଞାନକୁ ଅଣଦେଖା କରିବା ଫଳରେ ସେମାନଙ୍କ ଦର୍ଶନଗୁଡ଼ିକ ଠିକ୍ ରାସ୍ତାରେ ଯିବା ସମ୍ଭବ ହୋଇନି । ସେ କହିଲେ ‘ଯିଏ ଆଫ୍ରିକୀୟ/ ଆରବୀୟ ବୃହତକାର ମାଙ୍କଡ଼ଟିକୁ ବୁଝିପାରିଛି ସିଏ ସମାଜବିଜ୍ଞାନୀ ଲକ୍ଙ୍କ ଅପେକ୍ଷା ଅଧିଭୌତିକତାକୁ ଅଧିକ ବୁଝିପାରିବେ ।  ଡାରୱିନଙ୍କ ଭଳି ଇ.ଓ.ୱିଲ୍ସନ୍ ମଧ୍ୟ ଲେଖିଥିଲେ ଯେ, ‘ଯଦି କ୍ୟାଣ୍ଟ, ମୋରେ, ରାୱଲ ପ୍ରାଣୀବିଜ୍ଞାନ ଏବଂ ପରୀକ୍ଷାମୂଳକ ମନସ୍ତତ୍ତ୍ୱକୁ ଜାଣିଥାନ୍ତେ; ତେବେ ସେମାନଙ୍କର ସିଦ୍ଧାନ୍ତରେ ପହଞ୍ôଚବାର ସାମର୍ଥ୍ୟ ଯାହା ଥିଲା ତାହା ହୋଇନଥାନ୍ତା ।

ନୋବେଲ ବିଜେତା ସାହିତ୍ୟିକ ୱଲେ୍ ସୋଇଙ୍କା କହିଲେ ପ୍ରାୟ ସମସ୍ତ ୟୁରୋପୀୟ ଦାର୍ଶନିକ ବର୍ଣ୍ଣବିଦ୍ୱେଷ ବା ରେସିଜିମ୍ ମନୋଭାବର ଶିକାର । ଏଭଳି ପକ୍ଷପାତ ଭାବ ସେମାନଙ୍କ ଚିନ୍ତାକୁ ସୀମିତ କରିଦେଇଛି । ପରଭକ୍ଷୀ ପରଶୋଷୀ ସଂସ୍କୃତିର ଉନ୍ମେଷ ଘଟିଥିଲା ଶିକାରୀ ସମାଜରେ । ହିଂସା ଥିଲା ଏ ସଂସ୍କୃତିର ମୂଳମନ୍ତ୍ର । ଜୀବହତ୍ୟା ପରବର୍ତ୍ତୀ ପର୍ଯ୍ୟାୟରେ ଦୁର୍ବଳମାନବ ଗୋଷ୍ଠୀମାନଙ୍କର ନାରୀମାନଙ୍କୁ ଜବରଦସ୍ତ ଯୌନଦାସୀ କରି ରଖିବା ଥିଲା ଏ ସଂସ୍କୃତିର ବୈଶିଷ୍ଟ୍ୟ (ମାର୍କ୍ସ, ଭେବଲେନ, ବୁକ୍ଚୀନ୍) । ଆଜିର ରାଷ୍ଟ୍ରବାଦ ଓ ଗୋଷ୍ଠୀବାଦରେ ମଧ୍ୟ ପରଭକ୍ଷୀ ପରଶୋଷୀ ସଂସ୍କୃତିର ସଫଳ ରୂପାୟନ ଘଟିଛି ।

ଆମେରିକାର ପରୀକ୍ଷାରେ ଜର୍ଜରିତ ବିକିନୀ ଦ୍ୱୀପବାସୀ ଏବେ ବି ଭୋଗୁଛନ୍ତି କ୍ୟାନସର ରୋଗଜନିତ ମୃତ୍ୟୁ କିମ୍ବା ଯନ୍ତ୍ରଣା । ହୀରୋସୀମା, ନାଗାସାକୀ ନଗରଦ୍ୱୟ ନଷ୍ଟ କରିଥିବା ବୋମାର ୫୦ଲକ୍ଷ ଗୁଣ ଧ୍ୱଂସଶକ୍ତି ଆଜି କେନ୍ଦ୍ରୀଭୂତ ପୃଥିବୀର ସରକାରମାନଙ୍କ ପାଖରେ । ପାଗଳ ମଣିଷ ସମାଜର ପାଗଳ ନେତାଦଳ । ଅତୀତ ଯୁଦ୍ଧରୁ କିଛି ଶିଖିନାହାନ୍ତି ସେମାନେ । କ୍ଷମତାମତ୍ତ ନେତା ପାଗଳମାନଙ୍କ ହାତରେ ରହିଛି ମଣିଷର ଜୀବନ ମୃତ୍ୟୁର ଜାତକ ।

ମଣିଷ ଦିନକୁ ଦିନ ହୋଇଉଠୁଛି ଅଧିକରୁ ଅଧିକ ନୃଶଂସ । ସଭ୍ୟଦେଶ ଆମେରିକାରେ ଘଟିଥିବା ଅନେକ ଭୟଙ୍କର ହତ୍ୟାକାଣ୍ଡଗୁଡ଼ିକ ମଧ୍ୟରୁ ଦୁଇଟି କେବଳ ଉଲ୍ଲେଖ କରୁଛି । ୧୬ ଏପ୍ରିଲ ୨୦୦୭ରେ ଜଣେ ବନ୍ଧୁକଧାରୀ  ନୀୟା ପ୍ରୟୋଗ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ହତ୍ୟାକଲା ୩୨ଜଣ ବ୍ୟକ୍ତିଙ୍କୁ । ୨୦୧୨ଡିସେମ୍ବର ୧୪ରେ ନିଉ ଟାଉନ୍ (କନେକ୍ଟିକଟ୍) ରେ ଜଣେ ବନ୍ଧୁକଧାରୀ ହତ୍ୟାକଲା ୨୦ଜଣ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଓ ଛ’ଜଣ ପ୍ରାପ୍ତବୟସ୍କଙ୍କୁ । ପ୍ରତି ମିନିଟରେ ପୃଥିବୀର କୌଣସି ନା କୌଣସି ଜାଗାରେ ନାରୀଟିଏ ହୁଏ ଧର୍ଷିତା । ମଣିଷ କେମିତି ହବ ସୁଖୀ, ଯୁଦ୍ଧ ଓ ଯନ୍ତ୍ରଣାମୁକ୍ତ? ବିଚାର ହୋଇଗଲାଣି ଅସହାୟ । ପୃଥିବୀର ଶ୍ରେଷ୍ଠ ଚିନ୍ତକମାନେ ସଠିକ ପଥର ସନ୍ଧାନ ପାଉନାହାନ୍ତି ।

ଯୁଦ୍ଧ ସମ୍ପର୍କରେ ଯେତେ ଆଲୋଚନା କଲେ ବି ଆଲୋଚନା ଶେଷ ହୋଇପାରିବନି । ୧୯୧୨ରେ ପୃଥିବୀର ମିଲିଟାରୀ ଖର୍ଚ୍ଚଥିଲା ୧.୭୫ଟ୍ରିଲିୟନ ଡଲାର (୧୭୫୦ବିଲିୟନ ଡଲାର) ପୃଥିବୀର ୩୯% ମିଲିଟାରୀ ଖର୍ଚ୍ଚପାଇଁ ଦାୟୀ କେବଳ ଯୁକ୍ତରାଷ୍ଟ୍ର । ୩୦୦ନିୟୁତ ବନ୍ଧୁକଧରଣର ମାରଣାସ୍ତ୍ରର ଅଧିକାରୀ ଆମେରିକୀୟ ସମାଜ । ପ୍ରତିବର୍ଷ ଗୁଳିମାଡ଼ରେ ମୃତ୍ୟୁ ହୁଏ ୩୦,୦୦୦ଆମେରିକୀୟ ମାନଙ୍କର । ପୃଥିବୀର ୧୭,୦୦୦ପରମାଣୁ ଅସ୍ତ୍ରମଧ୍ୟରୁ କେବଳ ଯୁକ୍ତରାଷ୍ଟ୍ରରେ ରହିଛି ଶତକଡ଼ା ୯୪ଭାଗ ।

ମାର୍କ୍ସଙ୍କ ସ୍ୱପ୍ନଥିଲା ପରଭକ୍ଷୀ ପରଶୋଷୀ ସଂସ୍କୃତିର ଅବସାନ । କମ୍ୟୁନିଷ୍ଟ ରାଷ୍ଟ୍ରମାନଙ୍କରେ ଏଭଳି କିଛି ଘଟିଲାନି । ରାଷ୍ଟ୍ରର ଅବସାନ ନଘଟି ରାଷ୍ଟ୍ର ହେଲା ନୂତନ ପରଶୋଷୀ ଶ୍ରେଣୀ, ଦଳୀୟ ନେତା ଓ ଅମଲାତନ୍ତ୍ରର ଜନକ । ରୁଷ ଓ ଚୀନ୍ରେ ସାଧାରଣ ଜନତା ଯେଉଁ ତିମିରରେ ଥିଲେ ସେଇ ତିମିରରେ ରହିଗଲେ । ଷ୍ଟାଲିନ୍ଙ୍କ ରୁଷରେ ଷାଠିଏ ଲକ୍ଷ ଲୋକ ଶବ ହୋଇଗଲେ! ମାଓଙ୍କ ଚୀନ୍ରେ ତିରିଶ ଲକ୍ଷ ଲୋକ ଅକାଳ ମରଣର ଶିକାର ହେଲେ ୧୯୫୯ ଠାରୁ ୧୯୬୨ମଧ୍ୟରେ (ଅମର୍ତ୍ତ୍ୟ ସେନ୍) । ଅନ୍ୟପଟେ ପୁଞ୍ଜିବାଦୀ ଉଦାରତନ୍ତ୍ରୀ ଦେଶମାନେ ହେଲେ ମଣିଷଧ୍ୱଂସୀ ଧନତନ୍ତ୍ରର (ଚକ୍ଷଙ୍କଗ୍ଧକ୍ଟମକ୍ସବମଚ୍ଚ)ର ଶିକାର ।

ଅସାଧାରଣ ପ୍ରତିଭାଧାରୀ ଥ୍ରୋଷ୍ଟିନ୍ ଭେବ୍ଲେନ୍ ନିଜର ପୁସ୍ତକ ‘ଥିଓରି ଅଫ୍ ଦି ଲିଜର କ୍ଲାସ’ ବା ‘ଅବକାଶଭୋଗୀ ଶ୍ରେଣୀର ସନ୍ଦର୍ଭ’ପୁସ୍ତକରେ ଉଜାଗର କରିଛନ୍ତି ଆଧୁନିକ ସମାଜର ପରଶୋଷୀ ଚେହେରାକୁ । ବିଖ୍ୟାତ ସମାଜତତ୍ତ୍ୱବିତ୍ ସି.ରାଇଟ୍ ମିଲସ୍ଙ୍କ ଭାଷାରେ, ‘…ଭେବ୍ଲେନ୍ ଆମ ମସ୍ତିଷ୍କଟିକୁ ଉନ୍ମୁକ୍ତ କରିଦେଇଛନ୍ତି… । ସେ ଆମକୁ ଶାସନ ସମ୍ଭାଳୁଥିବା ଲୋକମାନଙ୍କର ପାଗଳ ବାସ୍ତବତା ସମ୍ପର୍କରେ ସଚେତନ ରହିବାପାଇଁ ବତାଇଦିଅନ୍ତି ଯାହାକି ଆମକୁ ସସମ୍ମାନ ଏକ ଧ୍ୱଂସଲୀଳା ଆଡ଼କୁ ଟାଣି ନେଇଯାଉଛି ।

ଊନବିଂଶ ଶତାବ୍ଦୀରେ ସମାଜରେ ମୁଖ୍ୟ ପରଭକ୍ଷୀ ପରଶୋଷୀ ଗୋଷ୍ଠୀମାନେ ଥିଲେ ‘ନେତା’, ଧର୍ମୀୟ ଗୋଷ୍ଠୀମାନ, ଖେଳାଳୀ ଓ ମିଲିଟାରୀ। ଆଜିର ପୃଥିବୀରେ ନୂଆ ପରଶୋଷୀମାନେ ହେଲେ ଗଣମାଧ୍ୟମର ବାଦ୍ଶାହାମାନେ, ସିନେମାଷ୍ଟାର୍ ଓ ଶିଳ୍ପପତିମାନେ । ନେତା, ଶିଳ୍ପପତି ଓ ମିଲିଟାରୀ ମୁଖ୍ୟମାନେ ଏକତ୍ରିତ ହେବା ଫଳରେ(ଯାହାକୁ Politician-Industrialist-Military complex) ଗଣତନ୍ତ୍ରର ମୃତ୍ୟୁଘଣ୍ଟି ବାଜିଯାଇଛି ।

ଶକ୍ତିଶାଳୀ ଯୁକ୍ତି ମାଧ୍ୟମରେ ଊନବିଂଶ ଶତାବ୍ଦୀର ପରଶୋଷୀ ଆମେରିକୀୟ ଅବକାଶଭୋଗୀ ଗୋଷ୍ଠୀଗୁଡ଼ିକ ଯେ ପରଭକ୍ଷୀ ଓ ପରଶୋଷୀ ଏବଂ ସାମୟିକ ପାଗଳାମିର ଶିକାର, ଏହି କଥା ସୁନ୍ଦରଭାବେ ପ୍ରତିପାଦନ କରିଛନ୍ତି ଭେବ୍ଲେନ୍ । ତାଙ୍କର ଦୂରଦୃଷ୍ଟି ଆମକୁ ବାଧ୍ୟ କରୁଛି ସଭ୍ୟତାର ବିକାଶ ସମ୍ପର୍କରେ ଆମର ପ୍ରଚଳିତ ଧାରଣାକୁ ବଦଳାଇବା ପାଇଁ । ମାର୍କ୍ସଙ୍କ ବିଚାର ଥିଲା, ଉତ୍ପାଦକ ଶକ୍ତି ଯାହାକୁ ଇଂରାଜୀରେ ଫୋର୍ସେସ୍ ଅଫ୍ ପ୍ରଡ଼କ୍ସନ କୁହାଯାଏ ଏବଂ ଉତ୍ପାଦନ ପାଇଁ ଗଠିତ ସମ୍ପର୍କ ସମୂହ ଯାହାକୁ ଇଂରାଜୀରେ ରିଲେସନ୍ସ ଅଫ୍ ପ୍ରଡ଼କ୍ସନ କୁହାଯାଏ, ଏ ଦୁଇଟି ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରେ ନୂତନ ଅଧିକ ଉନ୍ନତ ସଭ୍ୟତା । ମାର୍କ୍ସଙ୍କ ସମାଜବାଦ ବିଚାରକୁ ନୂଆ ତାତ୍ତ୍ୱିକ ରୂପ ଦେବା ଏବଂ ତାକୁ ନେଇ ପରୀକ୍ଷାନିରୀକ୍ଷା କରିବା ଫଳରେ ଆଜି ଲାଟିନ୍ ଆମେରିକାର ଦେଶଗୁଡ଼ିକ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ବିଶ୍ୱ ସାମାଜିକ ମଞ୍ଚରେ ହୁଗୋ ସାଭେଜ ଘୋଷଣା କରିଥିଲେ ଯେ, ଆମେ ସମାଜବାଦର ପୁନଃବିନ୍ୟାସ କରିଛୁ । ଭୋଟ୍ ମାଧ୍ୟମରେ ବାମପନ୍ଥୀମାନେ ଦଖଲ କଲେ ଲାଟିନ୍ ଆମେରିକାରେ କ୍ଷମତା’ । ଟିଓଡର୍ ସାମୁନ୍ଙ୍କ ଭାଷାରେ, ମାର୍କ୍ସବାଦ ସହିତ ଦେଶୀୟ ରାଜନୈତିକ ପରମ୍ପରାର ସମନ୍ୱୟ ପଛରେ ରହିଆସିଛି ସମାଜବାଦୀମାନଙ୍କ ଦ୍ୱାରା ପୂର୍ବରୁ ପରିଚିତ ବୈପ୍ଳବିକ ପରିବର୍ତ୍ତନ ପ୍ରକ୍ରିୟା ଏବଂ ରାଜନୈତିକ ଭାବେ ଫଳପ୍ରଦ ରୂପାୟନ । ମାରଟା ହୋର୍ଣ୍ଣେକାର ରୁଷ୍ ଓ ଅନ୍ୟ କମ୍ୟୁନିଷ୍ଟ ଦେଶମାନଙ୍କର ପ୍ରଚଳିତ ଢାଞ୍ଚାଗୁଡ଼ିକ ଯାହାକି ମୁଖ୍ୟତଃ ଉପରୁ ତଳକୁ ଖସି ଆସିଥାଏ, ଏକଛତ୍ରବାଦୀ ଢାଞ୍ଚାଟିଏ ଉପରେ ଆଧାରିତ ହୋଇଥାଏ ଏବଂ ଗୋଟିଏ କେନ୍ଦ୍ରରେ ମାତ୍ରାଧିକ କ୍ଷମତାର ଠୁଳିକରଣ ହୋଇଥାଏ, ଇତ୍ୟାଦିକୁ ‘ସମାଜବାଦ’ ବିରୋଧୀ ପ୍ରବୃତ୍ତି ବୋଲି ଚିହ୍ନଟ କରିଥିଲେ ।

ଊନବିଂଶ ଶତାବ୍ଦୀର ତିନି ମହାନ ଦ୍ରଷ୍ଟାମାନଙ୍କ ଚିନ୍ତାଧାରାକୁ ଧକ୍କାଦେଲା ନୃତତ୍ତ୍ୱ ବା ଆନ୍ଥ୍ରୋପୋଲୋଜିର ନୂଆ ଆବିଷ୍କାର । ନୃତତ୍ତ୍ୱକୁ ପରୋକ୍ଷ ସମର୍ଥନ ଦେଲା ମସ୍ତିଷ୍କ ବିଜ୍ଞାନ । ସୋଭିଏତ ୟୁନିଅନ୍ ଓ ଅନ୍ୟାନ୍ୟ ଅନେକ ଦେଶରେ ‘ସମାଜବାଦ’ର ଅମାନବୀୟ କାର୍ଯ୍ୟକଳାପ ମାର୍କ୍ସଙ୍କ ତତ୍ତ୍ୱରେ ସଂଶୋଧନ ଆଣିବାକୁ ଚିନ୍ତକମାନଙ୍କୁ ବାଧ୍ୟକଲା । ଡାରୱିନଙ୍କ ମୂଳ ମତବାଦ (ଯାହା କହେ ମଣିଷ ସମେତ ସବୁପ୍ରାଣୀଙ୍କୁ ସୃଷ୍ଟି କରିଛି ପ୍ରାକୃତିକ ନିର୍ବାଚନ ପ୍ରକ୍ରିୟା) ସିନା ତିଷ୍ଠିଗଲା; କିନ୍ତୁ ଆଧୁନିକ ସଭ୍ୟତା ଯେ ମଣିଷର ଅନ୍ତିମ ବା ଶ୍ରେଷ୍ଠ ରୂପ, ଏ ମତବାଦକୁ ତୀବ୍ର ଆଘାତ ଲାଗିଲା । ଫ୍ରଏଡ଼ଙ୍କ ଆକ୍ରାମକ ତତ୍ତ୍ୱ ଯାହାକୁ ଇଂରାଜୀରେ କୁହାଯାଉଛି ‘ଥିଓରି ଅଫ୍ ଆଗ୍ରେସନ୍’ ମୂଳରୁ ଭୁଷୁଡ଼ି ପଡ଼ିଲା । ଆଦିମ ଜନଗୋଷ୍ଠୀମାନେ ଯେଉଁମାନଙ୍କୁ ଆମେ ଅସଭ୍ୟ, ବର୍ବର କହୁ; ସେମାନଙ୍କ ସମାଜକୁ ଅଧ୍ୟୟନ କରିବାକୁ ବାଧ୍ୟ ହୋଇଗଲେ ତତ୍ତ୍ୱଜ୍ଞମାନେ କାରଣ ଏହିସବୁ ଜନଗୋଷ୍ଠୀମାନଙ୍କ ସମାଜରେ ପରଭକ୍ଷୀ ପରଶୋଷୀ ଉପାଦାନଗୁଡ଼ିକ ଏତେ ଭୟାନକ ରୂପରେ ବିକଶିତ ହୋଇନଥିଲା । ମେକ୍ସିକୋର ଜାପାଟିଷ୍ଟା ଅଞ୍ଚଳ, ବୋଲିଭିଆ, ଇକ୍ୱେଡରର ଆଦିବାସୀ ଗୋଷ୍ଠୀମାନେ ନୂଆ ବିଚାରର କେନ୍ଦ୍ରବିନ୍ଦୁ ପାଲଟିଗଲେ ।

ଜୋସ୍ କାର୍ଲସ୍, ମାରିଆଟେଗ୍ଭି ଥିଲେ ଏକବିଂଶ ଶତାବ୍ଦୀ ‘ସମାଜବାଦ’ର ଏକ ମୁଖ୍ୟ ପ୍ରବକ୍ତା । ସାଭେଜ୍ ଏବଂ ତାଙ୍କର ମତ ମଧ୍ୟରେ ସାମଞ୍ଜସ୍ୟ ପ୍ରଚୁର । ଲାଟିନ୍ ଆମେରିକାର ବୋଲିଭାରୀୟ ଏକବିଂଶ-ଶତାବ୍ଦୀ-ସମାଜବାଦ ପୃଥିବୀର ଅନ୍ୟ ଦେଶର ସମାଜବାଦର କାର୍ବନ କପି ନୁହେଁ କହିଲେ ସାଭେଜ । ସେମାନଙ୍କର ସମାଜବାଦୀ ତତ୍ତ୍ୱରେ ରୂପାୟିତ ହୋଇଛି ସେ ମାଟିର ଅଭିନବ ସଂସ୍କୃତି ବିଶେଷତଃ ଆଦିବାସୀ ଜୀବନର ମାନବୀୟ ମୂଲ୍ୟବୋଧଗୁଡ଼ିକ ଯଥା: ପ୍ରେମ, ଭ୍ରାତୃତ୍ୱ, ନାରୀପୁରୁଷର ସମତା ଏବଂ ଆହୁରି କିଛି । ଲେଖିଲେ ବିଖ୍ୟାତ ତତ୍ତ୍ୱଜ୍ଞ ଲେବୋୱିଜ୍ ‘ପ୍ରତ୍ୟେକ ସମାଜର ରହିଛି ସ୍ୱତନ୍ତ୍ର ଇତିହାସ, ତା’ର ଗୌରବମୟ ପରମ୍ପରା, ତା’ର ପୁରାଣକଥାମାନ, ତାର ବୀରମାନେ ଯେଉଁମାନେ ଲଢ଼େଇ କରିଛନ୍ତି ଉନ୍ନତ ସମାଜ ଗଢ଼ିବା ପାଇଁ ଏବଂ ସେହି ଲୋକଙ୍କର ସାମର୍ଥ୍ୟ ଯାହାକୁ ପାଗଳ କରିଛି ସେମାନଙ୍କର ସଂଗ୍ରାମଶୀଳ ଜୀବନର ଅନୁଭୂତିମାନ ।’ ଭେବ୍ଲେନ୍ ବର୍ଣ୍ଣିତ ଚାରି ଅବକାଶଭୋଗୀ ଅଭିଜାତ ବର୍ଗଙ୍କ ମଧ୍ୟରୁ (ଏଲିଟ୍) ପ୍ରଥମଟିରେ ଅର୍ଥାତ ଗଭର୍ଣ୍ଣର୍ାନସ୍ ବା ପ୍ରଶାସନରେ ବୈପ୍ଳବିକ ପରିବର୍ତ୍ତନ ଆଣିଲେ ସାଭେଜ । ପ୍ରତି ଅଞ୍ଚଳରେ ଆଞ୍ଚଳିକ କମିଟିମାନ (କାଉନ୍ସିଲସ୍) ଗଢ଼ାହେଲା ସେ ଅଞ୍ଚଳର ସାଧାରଣ ଲୋକଙ୍କୁ ନେଇ । ପ୍ରତିନିଧିମୂଳକ ଶାସନ ନୁହେଁ, ସ୍ୱଶାସନ ବା ପ୍ରତ୍ୟକ୍ଷ ଗଣତନ୍ତ୍ର (ପ୍ରୋଟାଗୋନିଷ୍ଟିକ୍ ଡେମୋକ୍ରାସି) ଥିଲା ତାଙ୍କର ଆଦର୍ଶ ସମାଜର ମୂଳଦୁଆ । ସମାଜର ଯଥେଷ୍ଟ ଉନ୍ନତି ଅବଶ୍ୟ ଘଟିଲା, କିନ୍ତୁ ଅଭିଜାତ ବର୍ଗର ଆଉ ତିନିଗୋଷ୍ଠୀ ଖେଳାଳୀ, ଧର୍ମସଂସ୍ଥାମାନେ ଏବଂ ମିଲିଟାରୀ ବ୍ୟବସ୍ଥା ଯେମିତି ସେମିତି ରହିଗଲା । ୟୁରୋପର ପ୍ରଜ୍ଞାବନ୍ତମାନେ ଥିଲେ ତିନିଶ୍ରେଣୀରେ ବିଭକ୍ତ: ଦଳେଥିଲେ ଉଦାରବାଦୀ ଧନତନ୍ତ୍ରର ସମର୍ଥକ, ଆଉ ଦଳେ ଥିଲେ ମାର୍କ୍ସବାଦର ଭକ୍ତ ଏବଂ ତୃତୀୟ ଗୋଷ୍ଠୀ ଥିଲେ ଆଦିବାସୀର ଜୀବନଧାରା ଓ ସଂସ୍କୃତିର ସମର୍ଥକ ଯାହା ଯୁକ୍ତି ବା ରେସ୍ନାଲିଟି ଅପେକ୍ଷା ବେଳେବେଳେ ଅଧିକ ଗୁରୁତ୍ୱ ଦେଉଥିଲା ଇନ୍ଟ୍ୟୁସନ୍ ବା ଅନ୍ତର୍ମନକୁ ।

ଆଇନଷ୍ଟାଇନ୍ ଲେଖିଲେ ବ୍ୟକ୍ତିସ୍ତରରେ ତୀବ୍ର ପ୍ରତିଯୋଗିତା ଏବଂ ଲୋଭ ପ୍ରବୃତ୍ତିର ଅନିୟନ୍ତ୍ରିତ ପ୍ରବାହ ପୁଞ୍ଜିବାଦକୁ କରିଦେଇଛି ଜନମଙ୍ଗଳ ବିରୋଧୀ । ଏଣେ ସମାଜବାଦରେ କ୍ଷମତା ଓ ଅର୍ଥର ଯଥେଚ୍ଛା ଅପବ୍ୟବହାର ଏବଂ ଅମଲାମାନଙ୍କ କ୍ରମବର୍ଦ୍ଧମାନ କ୍ଷମତା ସମାଜବାଦ ପାଇଁ ବିପଦ ସୃଷ୍ଟି କରୁଛି । ସମସ୍ତ ସୃଜନର ମୂଳ ହେଉଛି ବ୍ୟକ୍ତିର ସ୍ୱାଧୀନତା । ପୁଞ୍ଜିବାଦ ଓ ସମାଜବାଦରେ ବର୍ତ୍ତମାନ ସୃଷ୍ଟି ହେଉଛନ୍ତି ଏଭଳି ଶକ୍ତି ଯେଉଁମାନଙ୍କ ଠାରେ ବିଳାସ ଏବଂ କ୍ଷମତା ଲୋଭ ଦେଖାଦେଉଛି ଅତ୍ୟଧିକ ମାତ୍ରାରେ । ଶିକ୍ଷା ମାଧ୍ୟମରେ ଯଦି କ୍ଷମତା ଓ ବିଳାସ ବର୍ଜନକାରୀ ବ୍ୟକ୍ତି ସୃଷ୍ଟି ହେବେ, ତେବେ ବର୍ତ୍ତମାନଟିକୁ ତ୍ରସ୍ତ କରୁଥିବା ସମସ୍ୟାର ହୁଏତ ଇତିଶ୍ରୀ ଘଟିବ ।

କିଛି ପ୍ରଶ୍ନ ଏବଂ ସନ୍ଦେହର କୁହେଳିକା ମଧ୍ୟରେ ଉତ୍ତର ଖୋଜିଥିଲେ ବିଶ୍ୱର ସବୁଠୁ ଉନ୍ନତ ବୈଜ୍ଞାନିକ ମସ୍ତିଷ୍କ ମାନେ । ଆଇନଷ୍ଟାଇନଙ୍କ ଆଧୁନିକ ଯୁଗର ପରଭକ୍ଷୀ ସଭ୍ୟତାକୁ ଆଙ୍ଗୁଠି ଦେଖାଇଲା ଭଳି, ଆଧୁନିକ ମଣିଷ ସମାଜର ପାଗଳାମୀକୁ ଶଙ୍କାର ସହ ଉଜାଗର କରିଛନ୍ତି କେତେକ ଚିନ୍ତକ । ଏ ଚିନ୍ତକମାନଙ୍କ ମଧ୍ୟରେ ଅଛନ୍ତି ଦକ୍ଷିଣ ଆମେରିକାର ଶ୍ରେଷ୍ଠ ସାମ୍ବାଦିକ ଏଡ଼୍ୱାର୍ଡ଼ ଗାଲିଆନୋ, ମନସ୍ତତ୍ତ୍ୱବିତ୍ ଏରିକ୍ ଫ୍ରମ୍, ପ୍ରଫେସର କ୍ୟାରୋଲିନ୍ ବେକର ଓ ଆହୁରି ଅନେକେ । ଅବଶ୍ୟ ପରଭକ୍ଷୀ ଓ ପରଶୋଷୀ ସମାଜରେ ପାଗଳାମୀ ଦେଖାଦେବା ଅସ୍ୱାଭାବିକ ନୁହେଁ ।

ୟୁରୋପୀୟ ସଭ୍ୟତା ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି ମହାତ୍ମାଗାନ୍ଧୀ, ଆଇନଷ୍ଟାଇନ୍, ଲୋହିଆ ଏବଂ ଆହୁରି ଅନେକ ବୁଦ୍ଧିଜୀବୀ ।

ତଥାକଥିତ ଭାରତର ସଭ୍ୟତାକୁ ନେଇ ଆମର ଗର୍ବ କରିବାର କିଛି ନାହିଁ । ନାରୀ ନିର୍ଯାତନା ଏବଂ ଦୁର୍ନୀତି କ୍ଷେତ୍ରରେ ଆଜିର ଭାରତ ପୃଥିବୀର ଏକ ଅଗ୍ରଣୀ ରାଷ୍ଟ୍ର । ଜାତିଭେଦ-ଅସ୍ପୃଶ୍ୟତା-କଳଙ୍କିତ ହିନ୍ଦୁଧର୍ମ ଅନ୍ୟଧର୍ମଙ୍କ ଭଳି ବର୍ତ୍ତମାନ ଉତ୍ସବ ଓ ଆଚାର ମଧ୍ୟରେ ସୀମିତ ।

ଭାରତର ସଂସଦୀୟ ଗଣତନ୍ତ୍ର ପୃଥିବୀର ଅନ୍ୟ ସମସ୍ତ ଗଣତନ୍ତ୍ରଙ୍କ ଭଳି ଧନୀଲୋକଙ୍କ ସ୍ୱାର୍ଥର ଅତନ୍ଦ୍ର ପ୍ରହରୀ । ପୃଥିବୀର ଅନ୍ୟ ବହୁଦେଶ ଭଳି ଆମର ପରିବେଶ, ଆମର ମାନବିକତା, ଆମର ଧର୍ମ ଓ ସଂସ୍କୃତିକୁ ଗ୍ରାସ କରିଦେଇଛି ଆମର ହିଂସା ଓ ଲୋଭପ୍ରଧାନ ସଂସ୍କୃତି । ଏ ଦୁଇଟି ପ୍ରବୃତ୍ତି ସୃଷ୍ଟି କରୁଛି ମଣିଷର ପାଗଳାମୀ, ଯାହାର ଆଭାସ ଆମେ ପାଉ ଫ୍ରଏଡ଼ଙ୍କ ବିଚାରରେ । ଫ୍ରଏଡ଼ (Sigmund Freud) କହିଥିଲେ, If the development of civilization has such a far-reaching similarity to the development of the individual and if it employs the same methods, may we not be justified in reaching the diagnosis that under the influence of cultural urges, our civilizations, possibly the whole of mankind, become neurotic.’

ଅର୍ଥାତ, ଫ୍ରଏଡ଼ଙ୍କ ବିଚାରରେ ‘ବ୍ୟକ୍ତିର ବିକାଶ ଏବଂ ସଭ୍ୟତାର ବିକାଶ ମଧ୍ୟରେ ଯଦି ଏତେ ସାମଞ୍ଜସ୍ୟ ରହେ, ତେବେ ଆମେ କାହିଁକି ଏହି ସିଦ୍ଧାନ୍ତରେ ପହଞ୍ôଚବାନି ଯେ ଭୁଲ୍ ସଂସ୍କୃତିର ପ୍ରଭାବରେ ସମଗ୍ର ମାନବ ସମାଜ ମଧ୍ୟ ପାଗଳାମୀର ଶିକାର ହୋଇପାରେ ।’ ବିଶ୍ୱର ଶତକଡ଼ା ସତାନବେ ବୈଜ୍ଞାନିକ ଆଗାମୀ ସର୍ବନାଶୀ ଉତ୍ତପ୍ତପୃଥିବୀ ସମ୍ପର୍କରେ ସତର୍କବାଣୀ ଶୁଣାଉଛନ୍ତି; କିନ୍ତୁ ସେ ବାଣୀ କେବଳ ବ୍ୟର୍ଥତାରେ ପରିଣତ ହେଉଛି ।  ଆମେରିକୀୟ ଅଭିଜାତ ସମାଜ ଯୁଦ୍ଧ ଚାହାନ୍ତି (US elites like war), ଲେଖିଛନ୍ତି ମିଖାଏଲ ଆଲବର୍ଟ ତାଙ୍କର ‘ଶାନ୍ତି ଆନ୍ଦୋଳନ ସମ୍ଭାବନା’ (Peace Movement Prospects) ପ୍ରବନ୍ଧରେ । ଗ୍ୟାଲପ ପୋଲ୍ ତଥ୍ୟ କହେ ଯୁକ୍ତରାଷ୍ଟ୍ରର ଶତକଡ଼ା ୫୪ବ୍ୟକ୍ତି ଭାବନ୍ତି ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ଦେଶକୁ ଆମେରିକା ପ୍ରାକ୍ ଆକ୍ରମଣ କରିବା ଯଥାର୍ଥ ।

ପୃଥିବୀର ସର୍ବତ୍ର ସୈନ୍ୟମାନଙ୍କ ଗୋଷ୍ଠୀରେ ଅଛନ୍ତି ପ୍ରଥମଶ୍ରେଣୀର ନାରୀଧର୍ଷକମାନେ । ଦ୍ୱିତୀୟ ମହାଯୁଦ୍ଧରେ ଜାପାନ ସୈନ୍ୟମାନେ ଥିଲେ ନାରୀଧର୍ଷଣ ଓ ହତ୍ୟା କ୍ଷେତ୍ରରେ ଅଗ୍ରଣୀ । ୟୁରୋପୀୟ ସଭ୍ୟତାରେ ମୂଳଦୁଆ ପକାଇଥିବା ଗ୍ରୀକ୍ ସଭ୍ୟତା ଥିଲା ହିଂସାର ଅଗ୍ରଦୂତ । ଅନେକ ଗ୍ରୀକ୍ କାବ୍ୟ ଓ ନାଟକ ଟ୍ରୟନଗରୀର ନାରୀଙ୍କ ବିଳାପରେ କରୁଣାୟିତ । ବାଇଶିବର୍ଷ ତଳେ କାଶ୍ମୀରର ଗୋଟିଏ ଗ୍ରାମ କୁନାନ ପୋସପରିଆରେ ଏକ ଭାରତୀୟ ସୈନ୍ୟଗୋଷ୍ଠୀ ଧର୍ଷଣ କରିଥିଲେ ଗ୍ରାମର ପ୍ରାୟ ସମସ୍ତ ମହିଳାଙ୍କୁ ଆଜି ମଧ୍ୟ ଗ୍ରାମବାସୀମାନେ ନ୍ୟାୟ ପାଇଁ ଅପେକ୍ଷାରତ । (ହର୍ସ ମନ୍ଦର: ଦ ହିନ୍ଦୁର ଜୁନ୍ ୩୦, ୨୦୧୩ର ‘ନାଇଟ୍ ଅଫ୍ ହରର୍’ ପ୍ରବନ୍ଧ) ।

ବେଦୀୟ ଆର୍ଯ୍ୟଙ୍କ ଭାରତ ଭୂମି ଭଳି ଗ୍ରୀକ୍ ଦେଶରେ ଯୁଦ୍ଧଥିଲା ସମାଜର ସଭ୍ୟଧ୍ୱଜାର ବାହକ । ଗ୍ରୀସ୍ର ଦୁଇ ସମୃଦ୍ଧ ନଗରରାଜ୍ୟ ଏଥେନ୍ସ ଓ ସ୍ପାର୍ଟା ନିଜ ନିଜ ଶକ୍ତି ସାବ୍ୟସ୍ତ କରିବାକୁ ତିରିଶବର୍ଷ ଧରି ଯୁଦ୍ଧରେ ଲିପ୍ତ ରହିଲେ । ଗ୍ରୀକ୍ ପୁରୁଷମାନଙ୍କର ଏ ଅନ୍ଧ ଯୁଦ୍ଧପ୍ରେମ ଫଳରେ ଦୁଇଟି ନଗର-ରାଜ୍ୟର ବିପର୍ଯ୍ୟୟର ସମୟ ନିକଟେଇ ଆସିଲା । ଗ୍ରୀକ୍ ନାରୀମାନେ ବିଚଳିତ ହେଲେ । ସେମାନେ ସଙ୍ଗଠିତ ହୋଇ ଯୁଦ୍ଧକୁ ବିରୋଧକରିବା କଥା ଲେଖାଅଛି ସେ ଯୁଗର ପ୍ରସିଦ୍ଧ ନାଟକ ‘ ଲିସିଷ୍ଟ୍ରାଟା’ (Lysistrata)ରେ । ଏ ନାଟକର ଲେଖକ ଥିଲେ ଆରିଷ୍ଟୋଫେନ୍ସ (Aristophanes) । ଯୁଦ୍ଧବିରୋଧୀ ଗ୍ରୀକ୍ ନାରୀଙ୍କ ସ୍ଲୋଗାନ ଥିଲା, ‘ଆମେ ଆଉ ଯୁଦ୍ଧ ବଳୀଙ୍କୁ ଜନ୍ମ ଦେବୁନି । ପୁରୁଷଙ୍କୁ ଯୌନ ତୃପ୍ତି ଦେବା ଏଣିକି ବନ୍ଦ ହେବା ଦରକାର ।’

କେବଳ କୌଣସି ଆଦର୍ଶବାଦ କିମ୍ବା ବ୍ୟବସ୍ଥା ନୁହେଁ, ଉନ୍ନତ ବ୍ୟବସ୍ଥା ସହ, କରୁଣାଯୁକ୍ତ ବୁଦ୍ଧମନା ସହୃଦୟ ମାନବ ସୃଷ୍ଟି ହିଁ ରକ୍ଷା କରିପାରିବ ମାନବ ପ୍ରଜାତିକୁ । ବୁଦ୍ଧଙ୍କ ମନ ପ୍ରକୃତିର ଦାନନୁହେଁ, ବୁଦ୍ଧଙ୍କ ହେତୁବାଦୀ କରୁଣାସିକ୍ତ ମନ ସୃଷ୍ଟିମୂଳରେ ଅଛି ବିପାସନା ଧ୍ୟାନ ।

ପୃଥିବୀର ଦୁଇଟି ମୁଖ୍ୟ ରାଷ୍ଟ୍ରବ୍ୟବସ୍ଥା ହେଉଛି ଉଦାର ପୁଞ୍ଜିବାଦ ଓ ମାର୍କ୍ସଙ୍କ ସାମ୍ୟବାଦ । ପୁଞ୍ଜିବାଦ ମାନବ ବିରୋଧୀ ଦୁର୍ଗନ୍ଧରେ ପୃଥିବୀକୁ ଅଣନିଶ୍ୱାସୀ କରିସାରିଲାଣି । ସାମ୍ୟବାଦର ଶିବିରରେ ଅସହାୟ ମାନବ କଙ୍କାଳ ସଂଖ୍ୟା ବି କିଛି କମ୍ ନୁହେଁ । ମାର୍କ୍ସ ଚାହୁଁଥିଲେ ଏକ ରାଷ୍ଟ୍ରବିହୀନ, ଶ୍ରେଣୀବିହୀନ, ସମତାଭିତ୍ତିକ ସମାଜର ଗଠନ । ସୋଭିଏତ ୟୁନିଅନର ସତୁରୀବର୍ଷର ସାମ୍ୟବାଦୀ ସମାଜରେ ମାର୍କ୍ସଙ୍କର କୌଣସି ଗୋଟିଏ ଲକ୍ଷ୍ୟ ବି ପୂରଣ ହୋଇପାରିଲାନି । କିଛି ଚିନ୍ତକ କୁହନ୍ତି ମାର୍କ୍ସବାଦର ସଫଳତା ପାଇଁ ଦରକାର ପୂର୍ଣ୍ଣ ସାମ୍ୟବାଦୀ ଚେତନାଯୁକ୍ତ ଅଗଣିତ ମଣିଷ । ସେଭଳି ଚେତନାଥିବା ବ୍ୟକ୍ତି କୌଣସି କମ୍ୟୁନିଷ୍ଟ ଦେଶରେ କ୍ଷମତାକୁ ଆସିପାରିଲେନି (ଆଂଶିକ ମାତ୍ରାରେ କ୍ୟୁବା ବ୍ୟତୀତ) । ସାମ୍ୟବାଦଭଳି  ନୈରାଜ୍ୟବାଦ (Anarchism) ମଧ୍ୟ ଆଦର୍ଶ ଦୃଷ୍ଟିରୁ ଉନ୍ନତ ହେଲେ ବି ଚେତନାସୃଷ୍ଟି ଓ କାର୍ଯ୍ୟକାରିତା ଦୃଷ୍ଟିରୁ ଏହା ବିଫଳତାରେ ଭରପୁର । ପୃଥିବୀର ଅନ୍ୟତମ ଶ୍ରେଷ୍ଠ ମାର୍କ୍ସବାଦୀ ଚିନ୍ତକ ପି.ଏମ୍.ସ୍ୱେଜି (P.M. Sweezy) ଲେଖିଲେ, ‘ଚିନ୍ତନର ବୈଶ୍ୱିକ ଦୃଷ୍ଟିବଦଳ ବା ‘Paradigm shift’ ନହେଲେ ଆମେ ସାମ୍ୟବାଦୀ ସମାଜ ଗଢ଼ିପାରିବାନି । ବର୍ତ୍ତମାନ ପୃଥିବୀର କୌଣସି ଦେଶରେ ସେଭଳି ଚିନ୍ତକ ଜନ୍ମ ନେଇନାହାନ୍ତି’ । ଆମେ କେବେହେଲେ ଭୁଲିଯିବା ଉଚିତ ନୁହେଁ ଯେ ମଣିଷ ଏକ ବାନରଜାତୀୟ ପଶୁ । ଏ ପଶୁଟି କିପରି ବିଚାରବନ୍ତ ହେଲା ଏବଂ ଅତ୍ୟାଶ୍ଚର୍ଯ୍ୟ ଚିନ୍ତା ଓ କର୍ମବଳରେ ବିଜ୍ଞାନକୁ ଓ ବିଚାରକୁ ଏତେ ଉନ୍ନତ ସ୍ତରକୁ ନେଇପାରିଲା, ସେ ବିଷୟରେ ଆଲୋଚନା ଯେତେ ଅଧିକ ହେବ, ଆମର ଜ୍ଞାନ ଦିଗନ୍ତ ସେତେ ପ୍ରସାରିତ ହେବ ।

ଆଜିର ପରଭକ୍ଷୀ ସଭ୍ୟତା କିପରି ପୃଥିବୀକୁ କବଳିତ କଲା ଏବଂ ଅତୀତ ପୃଥିବୀର କେବଳ ତିନୋଟି ଦେଶରେ ବିଭିନ୍ନ ସମୟରେ ବହୁମାତ୍ରାରେ ଅ-ପରଭକ୍ଷୀ, ଅପରଶୋଷୀ ସଭ୍ୟତା କେମିତି ବିକଶିତ ହୋଇଥିଲା,ଏସବୁ ବିଷୟରେ ଗବେଷଣା ମାନବସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସବୁ ଦେଶର ସବୁ ସମୟର ନୃତତ୍ତ୍ୱ, ସଂସ୍କୃତି ଓ ଇତିହାସ ତଥା ବିବର୍ତ୍ତନ ବିଜ୍ଞାନର ଆଲୋଚନା ନକଲେ ଏ ଧରଣର ଗବେଷଣା ଆଗକୁ ଯାଇପାରିବନି । ବୁଦ୍ଧ, ମହାବୀର, ଗାନ୍ଧୀଙ୍କ ଭଳି ଅସାଧାରଣ ବ୍ୟକ୍ତିଙ୍କ ସୃଷ୍ଟିମୂଳରେ ଥିବା ଅନ୍ୱୀକ୍ଷିକୀ ସଂସ୍କୃତି ସମ୍ପର୍କରେ ୟୁରୋପର ଚିନ୍ତକମାନେ ଅଜ୍ଞ ଅଥଚ, କୌଟିଲ୍ୟଙ୍କ ଭାଷାରେ ନିରୀଶ୍ୱରବାଦୀ ଅହିଂସା ପ୍ରଧାନ ହେତୁବାଦୀ ଅନ୍ୱୀକ୍ଷିକୀ ସଂସ୍କୃତି ହିଁ ପୃଥିବୀର ଏକମାତ୍ର ସମ୍ପୂର୍ଣ୍ଣ ଅ-ପରଭକ୍ଷୀ ଓ ଅ-ପରଶୋଷୀ ସଂସ୍କୃତି ।

ମାର୍କ୍ସ ଆଇନଷ୍ଟାଇନ୍ ଓ ଡାରୱିନଙ୍କ କଣ୍ଠରେ ଗୋଟିଏ ସ୍ୱର, ‘ନୃତତ୍ତ୍ୱଠୁ ଆମେ ଆଲୋକ ପାଇବା’ । ଆହୁରି ପଛକୁଯାଇ ବିଭିନ୍ନ ବାନର ପ୍ରଜାତିମାନଙ୍କୁ ଆମେ ଆଲୋଚନାର ପରିସରଭୁକ୍ତ କରିପାରିବା । ଅତୀତ ପୃଥିବୀର ତିନୋଟି ଦେଶରେ ବହୁମାତ୍ରାରେ ଅ-ପରଭକ୍ଷୀ ଅ-ପରଶୋଷୀ ତିନୋଟି ସଭ୍ୟତା ଜନ୍ମଲାଭ କରିଥିଲା । ସେମାନଙ୍କ ଭିତରେ ସବୁଠୁ ବିକଶିତ ଓ ସବୁଠୁ ଉନ୍ନତ ଥିବା ପ୍ରାକ୍-ବେଦୀୟ ଭାରତର ଅନ୍ୱୀକ୍ଷିକୀ ସଭ୍ୟତା । ଇସ୍ରାଇଲ ଦେଶରେ ପ୍ରାୟ ଦଶହଜାର ବର୍ଷତଳେ ଓ ମେକ୍ସିକୋରେ ପ୍ରାୟ ପାଞ୍ଚହଜାର ବର୍ଷତଳେ ଏଭଳି ସଭ୍ୟତାର ସୂତ୍ରପାତ ହୋଇଥିଲା । ଇସ୍ରାଇଲ ଓ ମେକ୍ସିକୋର ଈଶ୍ୱରବିଶ୍ୱାସୀ, ଅ-ପରଭକ୍ଷୀ ସଭ୍ୟତା ଦୁଇଟି ଅନେକ ମାତ୍ରାରେ ଥିଲା ନାରୀକୈନ୍ଦ୍ରିକ ବା ମେଟ୍ରିସେଣ୍ଟ୍ରିକ (ମେଟ୍ରିସେଣ୍ଟ୍ରିକ ଶବ୍ଦଟିର ପ୍ରଥମ ପ୍ରୟୋଗକର୍ତ୍ତା ଥିଲେ ଏରିକ୍ ଫ୍ରମ୍) ।

ସ୍ପେନସର ୱେଲସ୍ (Spencer Wells)ଙ୍କ ପୁସ୍ତକ ‘ମଣିଷର ଯାତ୍ରା’ (The Journey of Man)ରୁ ଆମେ ଜାଣିବାକୁ ପାଉ ପୃଥିବୀର କେବଳ ଗୋଟିଏ ଦେଶରେ (ଭାରତ)ଶିକାରୀମାନେ ଦେଖା ଦେଇନଥିଲେ । ଶିକାରୀଙ୍କର (ନିଃସନ୍ଦେହରେ କୁହାଯାଇପାରେ ପ୍ରାୟ ସେମାନେ ସମସ୍ତେ ଥିଲେ ପୁରୁଷ)ପ୍ରାଧାନ୍ୟ ଆରମ୍ଭ ହୋଇଯାଇଥିଲା ୫୦,୦୦୦ବର୍ଷ ତଳେ । ମଣିଷ ମସ୍ତିଷ୍କର ବିକାଶ ବନ୍ଦହୋଇ ମସ୍ତିଷ୍କ ସେହି ସମୟଠାରୁ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହି ଯାଇଥିଲା । ସ୍ପେନ୍ସର୍ ୱେଲସ୍ଙ୍କ ଭାରତ ସମ୍ପର୍କୀୟ ବିବରଣୀ ମୂଳରେ ରହିଛି ପ୍ରତ୍ନତତ୍ତ୍ୱ (Archeology) । ଭାରତରେ ମାରଣାସ୍ତ୍ରର ଅଦର୍ଶନ ସୂଚନା ଦିଏ ସେହି ଯୁଗର ଭାରତରେ ଫଳମୂଳର ପ୍ରାଚୁର୍ଯ୍ୟ ଥିଲା ଏବଂ ସଂଗ୍ରାହକ (gatherer)ମାନଙ୍କର ସଂସ୍କୃତି ସମାଜକୁ ଆଚ୍ଛନ୍ନ କରି ରଖିଥିଲା । ସମାଜ ସେତେବେଳେ ଥିଲା ନାରୀକୈନ୍ଦ୍ରିକ (ମେଟ୍ରିସେଣ୍ଟ୍ରିକ) । ନାରୀ କୈନ୍ଦ୍ରିକତା ଅର୍ଥ ନାରୀର ଆଧିପତ୍ୟ ନୁହେଁ, ନାରୀସଂସ୍କୃତିର ବ୍ୟାପକତା । ଅନ୍ୟ ବ୍ୟକ୍ତିମାନଙ୍କର ଯତ୍ନ ନେବା ଓ ସେମାନଙ୍କୁ ଜୀବନପୋଷୀ ଉପାଦାନମାନଙ୍କରେ ସମାନ ଅଂଶୀଦାର କରିବା ଥିଲା ଏ ସମାଜର ନାରୀ ଓ ପୁରୁଷ ସମସ୍ତଙ୍କର ମୁଖ୍ୟ ଆଭିମୁଖ୍ୟ, ଯାହାକୁ ଇଂରାଜୀରେ କୁହାଯାଇପାରେ ‘A caring and sharing society’ ।

ନାରୀ-କୈନ୍ଦ୍ରିକ ସମାଜରେ ପୁରୁଷ ନାରୀର ସ୍ଥାନ ସମାନ ସମାନ । ଉଭୟେ ସମାଜରେ ସମାନ ମର୍ଯ୍ୟାଦା ଉପଭୋଗ କରନ୍ତି । ଏ ସମାଜରେ ‘ବ୍ରହ୍ମଚର୍ଯ୍ୟ’ କିମ୍ବା ‘ସତୀତ୍ୱ’ କୌଣସି ରକମର ଅଲୌକିକ ଶକ୍ତି ଦିଏନା । ନାରୀ-ପୁରୁଷର ଏ ସମାଜରେ ଯୌନ ସ୍ୱାଧୀନତା ସମାନ ସମାନ ।

ଅ-ପରଭକ୍ଷୀ ଇସ୍ରାଇଲ୍ ସଂସ୍କୃତିଉପରେ ଚମକ୍ରାର ଆଲୋକପାତ କରିଛନ୍ତି ମୁରେ ବୁକ୍ଚିନ୍ (Murray Bookchin) ତାଙ୍କର ‘ମୁକ୍ତିର ପରିବେଶତତ୍ତ୍ୱ’ (The Ecology of Freedom) ପୁସ୍ତକରେ, ଯେଉଁଠି କୁହାଯାଇଛି ‘‘… the community, in separating itself from a certain degree of dependence on game and migratory animals, began to shift its social imagery from the male hunter to the female food gatherer, from the food processor to the procreator, from the campfire to the domestic hearth, from cultural traits associated with the father to those associated with the mother.’

ଅର୍ଥାତ, ‘… ବଣ ଜଙ୍ଗଲରେ ଶିକାର କିମ୍ବା ଭ୍ରାମ୍ୟମାଣ ଜୀବଜନ୍ତୁଙ୍କ ମାଂସ ଲୋଭରେ ଦୂରଯାତ୍ରା ଏ ସମାଜରେ ଦେଖାଯାଏନି । ପୁରୁଷ ଶିକାରୀ ଅପେକ୍ଷା ଏ ସମାଜରେ ନାରୀସଂଗ୍ରାହକର ସ୍ଥାନ ଅଧିକ ମୂଲ୍ୟଯୁକ୍ତ । ଶିବିରର ଅଗ୍ନି ଅପେକ୍ଷା ଘର ଚୁଲିର ନିଅାଁ, ପିତାସହିତ ସମ୍ପୃକ୍ତ ସାଂସ୍କୃତିକ ବିଭବଗୁଡ଼ିକ ଅପେକ୍ଷା ନାରୀକୈନ୍ଦ୍ରିକ ବିଭବଗୁଡ଼ିକ ଏ ସମାଜରେ ଅଧିକ ଗୁରୁତ୍ୱ ପାଏ ।’

ଜଙ୍ଗଲ ଉଦ୍ୟାନ ସୃଷ୍ଟି କରିଥିଲା ଇସ୍ରାଇଲର ନାରୀ ସମାଜ । ସେମାନଙ୍କ ପ୍ରଭାବଯୋଗୁଁ ସମାଜରେ ହିଂସାର ମାତ୍ରା ବହୁତ କମ୍ ଥିଲା ।

ବୁକ୍ଚିନ୍ କୁହନ୍ତି ଅତୀତ ଇସ୍ରାଇଲର ନାରୀକୈନ୍ଦ୍ରୀକ ସଂସ୍କୃତି ସମ୍ପର୍କରେ ତଥ୍ୟ ମିଳୁଛି ଅତୀତ ପୁରାଣତତ୍ତ୍ୱରୁ (mythology) । ଇହୁଦୀବାଦ (JUDAISM) ସମ୍ପର୍କରେ କହିଛନ୍ତି ଆଇନଷ୍ଟାଇନ ‘Is there a Jewish point of view? _âa§ùe, ‘The life of the individual only has meaning in so far as it aids in making the life of every living thing nobler and more beautiful’… the sanctification of life is demanded of the Jew.’

ଅର୍ଥାତ, ପ୍ରତ୍ୟେକବ୍ୟକ୍ତିର ଜୀବନ ସେତିକିବେଳେ ଅର୍ଥପୂର୍ଣ୍ଣ ହୋଇଉଠେ, ଯେତେବେଳେ ତା’ର କାର୍ଯ୍ୟକଳାପ ପ୍ରତ୍ୟେକ ଜୀବନ୍ତ ପ୍ରାଣୀର ଜୀବନରେ ମହନୀୟତା ଓ ସୌନ୍ଦର୍ଯ୍ୟର ଫୁଲ ଫୁଟାଇଥାଏ । ଇହୁଦୀର ସର୍ବଶ୍ରେଷ୍ଠ କାମହେଉଛି ସବୁ ପ୍ରାଣୀଙ୍କର ଜୀବନର ପବିତ୍ରତା ରକ୍ଷା କରିବା ।

ଗୀତାରେ ରହିଛି ‘ସର୍ବଭୂତ ହିତେ ରତାଃ’ ଭାବନା । ମହାଭାରତରେ ଆମେ ପଢ଼ୁଛୁ ‘ଅହିଂସା ପରମୋ ଧର୍ମଃ’ । ‘‘Life is sacred to which all other values are subordinate’-ଅର୍ଥାତ, ‘ଜୀବନ ହେଉଛି ପବିତ୍ର ଅନ୍ୟ ସବୁକିଛି ମୂଲ୍ୟ ତାହା ତଳକୁ ହିଁ ଅଛି’ କହିଛନ୍ତି ଆଇନଷ୍ଟାଇନ୍ । ଇହୁଦୀ ଓ ଖ୍ରୀଷ୍ଟିୟାନ୍ ଧର୍ମର ଏକ ଭାଗରେ ରହିଛି ‘ଭୟର ପ୍ରାଧାନ୍ୟ’ । କବିଙ୍କ ଭାଷାରେ, ‘କି ଘୋର ଭୀଷଣ ଚକ୍ଷୁ ରହିଛି ଅନାଇ?’ ଆଇନଷ୍ଟାଇନ୍ ଲେଖିଲେ, Yet it seems to me that the strong moral tradition of the Jewish nation has to a large extent shaken itself free from fear. It is clear also that serving God was equated with serving the living. How strongly developed this sanctity of life in the Jewish people is admirably illustrated by a little remark Walter Ratheran once made to me in conver-sation ‘When a Jew says that he is going hunting to amuse himself, he lies’

ଅର୍ଥାତ, ଇହୁଦୀ ଜାତିର ସମସ୍ତ ନୈତିକ ପରମ୍ପରା ‘ଭୟ’ଜନିତ ଧର୍ମବିଶ୍ୱାସକୁ ପ୍ରଶ୍ରୟ ଦେଇପାରିଲାନି । ‘ସର୍ବଜୀବ ମୈତ୍ରୀ ହିଁ ଭଗବାନଙ୍କୁ ଭଜିବାର ଶ୍ରେଷ୍ଠ ବାଟ’ ଏ ବିଚାର ଇହୁଦୀଙ୍କୁ ପଥ ଦେଖାଉଛି । ୱାଲଟର ରାଥେରାନ୍ଙ୍କ ସହ କଥାବାର୍ତ୍ତା ହେଲାବେଳେ ସେ ଥରେ କହିଲେ, ‘ଯେଉଁ ଇହୁଦୀ କହୁଛି ସେ ଶିକାର କରିବାକୁ ଭଲ ପାଏ, ସେ ନିଶ୍ଚୟ ମିଛ କହୁଛି ।’

ଇହୁଦୀ ସଂସ୍କୃତିର ଗଭୀରସ୍ତରରେ ରହିଛି ନାରୀକୈନ୍ଦ୍ରୀକ ସଂସ୍କୃତି । ଇହୁଦୀମାନେ ଭୂମଧ୍ୟ ସାଗରୀୟ ଅଞ୍ଚଳରେ (Levant) ବନ୍ୟ ଉଦ୍ୟାନ ସଂସ୍କୃତି ସୃଷ୍ଟି କଲାବେଳକୁ କେତେ ହଜାର ବର୍ଷ ଧରି ନାରୀକୈନ୍ଦ୍ରୀକ ସଂସ୍କୃତି ନିଶ୍ଚିତଭାବେ ସମାଜରେ ପ୍ରଚଳିତ ଥିଲା । ଶିକାରୀ ସଂସ୍କୃତି ଥରେ ସମାଜ ଗ୍ରହଣ କରିନେଲେ ଯୁଦ୍ଧ, ପୁରୁଷ, ଶାସନ ତଥା ଶକ୍ତିଭିତ୍ତିକ ଧର୍ମ (Power Based: ଭଗବାନ ସର୍ବଶକ୍ତିମାନ) ସମାଜକୁ କବଳିତ କରେ । ବାଇବେଲ୍ ଲେଖା ହେଲାବେଳକୁ ହିଂସା ସମାଜକୁ ଆଛନ୍ନ କରିସାରିଲାଣି । ତେଣୁ ବାଇବେଲ୍ ଲେଖକ କିଛି ଭୁଲ୍ ତଥ୍ୟ ମଧ୍ୟ ପରିବେଷଣ କରିଛନ୍ତି । ୱିକିପେଡ଼ିଆରେ ଲେଖାଅଛି, ଜଣେ ଜର୍ମାନ ବିଦ୍ୱାନ (Albrcchit Alf) କହିଲେ ଯେ, କାନାନ୍ (Canaan) ଅଞ୍ଚଳକୁ ଇହୁଦୀମାନେ ଯୁଦ୍ଧ କରି ଦଖଲ କଲେ (The Bible: Book of Joshua),ଏ ଉକ୍ତିକୁ ପୁରାଣତତ୍ତ୍ୱ ସମର୍ଥନ କରେନା । ଇସ୍ରାଇଲିମାନେ କାନାନ୍ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପ୍ରବେଶ କରିଥିଲେ । ସେମାନେ ସେ ଅଞ୍ଚଳ ବିଜୟ କରିନଥିଲେ । ଯୁକ୍ତରାଷ୍ଟ୍ରରେ ମାତ୍ର ୩% ହେଉଛନ୍ତି ଇହୁଦୀ । ସେମାନେ ପାଇଛନ୍ତି ୪୦% ନୋବେଲ ପୁରସ୍କାର ବିଜ୍ଞାନରେ । ଲୋକସେବା, ନୂତନ ବିଚାରକ୍ଷେତ୍ରରେ ଆଇନଷ୍ଟାଇନ, ଚମସ୍କି, ହାନ୍ନା ଆରେଣ୍ଡଟ୍ ଏବଂ ଆହୁରି ଅନେକେ ପୃଥିବୀରେ ପ୍ରଥମ ଧାଡ଼ିରେ ଅଛନ୍ତି । ଇହୁଦୀ ଚିନ୍ତକମାନଙ୍କ ମଧ୍ୟରେ ସ୍ପାଇନୋଜାଙ୍କ ଭଳି ବିଖ୍ୟାତ ନିରୀଶ୍ୱରବାଦୀ ମଧ୍ୟ ଅଛନ୍ତି । ମାର୍ଟିନ୍ ବ୍ୟୁବର ଗାନ୍ଧୀଙ୍କ ଭଳି ଈଶ୍ୱରବାଦୀ ଥିଲେ ଓ ଈଶ୍ୱରଙ୍କ ଆରାଧନା କେବଳ ଜନହିତ ମାଧ୍ୟମରେ ହୋଇପାରିବ ବୋଲି ବିଶ୍ୱାସ ରଖିଥିଲେ ଓ ସେ ଅନୁସାରେ ବହୁ କାମ କରୁଥିଲେ । କାର୍ଲମାର୍କ୍ସଙ୍କ ଭଳି ପ୍ରଚଣ୍ଡ ପ୍ରତିଭାଧାରୀ ମାନବବାଦୀ ନିରୀଶ୍ୱରବାଦୀ ଜାତିରେ ଥିଲେ ଇହୁଦୀ । ଯୀଶୁଙ୍କ ଶତ୍ରୁକୁ ପ୍ରଥମେ କରିବା ଭାବନା ଇହୁଦୀ ସଂସ୍କୃତିର ଅମୃତଫଳ । ପ୍ରାକ୍ ବେଦୀୟ ଭାରତୀୟ ସଂସ୍କୃତି ସେଭଳି ବୁଦ୍ଧ, ମହାବୀର ଓ ଗାନ୍ଧୀ ବ୍ୟକ୍ତିତ୍ୱ ଗଠନ କରିଥିଲା । ଏ ସମସ୍ତ ବ୍ୟକ୍ତିତ୍ୱ ମୂଳରେ ଅଛି ହଜାର ହଜାରବର୍ଷର ନାରୀକୈନ୍ଦ୍ରୀକ ସଂସ୍କୃତି ।

ମଣିଷର ବୁଦ୍ଧି ଓ ବିଚାରର ବିକାଶ ପାଇଁ ଦାୟୀ ତା’ର ମସ୍ତିଷ୍କର ଗୋଟିଏ ଅଂଶ (Cerebral neo cortex) । ଏ ଅଂଶଟିର ବର୍ଣ୍ଣ ପାଉଁଶିଆ ଏବଂ ଏହା କୁଞ୍ଚୁକୁଞ୍ôଚଆ । Cortex ଶବ୍ଦର ଅର୍ଥ ହେଉଛି ବକ୍କଳ (bark) ।

ବାନର ବ୍ୟତୀତ ଅନ୍ୟଜନ୍ତୁମାନଙ୍କର (Animals) ମସ୍ତିଷ୍କର ଶତକଡ଼ା ୩୫ଭାଗ ହେଉଛି Neo cortex। ବାନର ଶ୍ରେଣୀରେ ଏହା ମସ୍ତିଷ୍କର ୫୦ଭାଗ । ଶତକଡ଼ା ୮୦ଭାଗ ହେଉଛି Neo cortex ମଣିଷ ମସ୍ତିଷ୍କରେ । ଏ ସମ୍ପର୍କରେ ଗଭୀର ଏବଂ ବହୁବର୍ଷ ବ୍ୟାପୀ ଗବେଷଣା କରିଥିଲେ ଜଣେ ପ୍ରଫେସର (Robin Dunbar, Liverpool university) । ବହୁ ପରୀକ୍ଷା କରି ସେ ସିଦ୍ଧାନ୍ତ ନେଲେ ପରିବେଶର ଜଟିଳତା (Environmental complexity) ମଣିଷର ବୁଦ୍ଧିର ବିକାଶ ପାଇଁ ଦାୟୀ ନୁହେଁ । ଗୋଷ୍ଠୀରେ ରହିଥିବା ବ୍ୟକ୍ତିଙ୍କର ସଂଖ୍ୟା ପରିମାଣ ଉପରେ ହିଁ ନିର୍ଭର କରୁଛି ବୁଦ୍ଧି ବିକାଶର ମାନାଙ୍କ । ଦୁଇଜଣ ବୈଜ୍ଞାନିକ (Byme and Whiten) ବିଭିନ୍ନ ବାନର ଶ୍ରେଣୀ ମାକିଭେଲୀୟ ବୁଦ୍ଧିକୁ (ଅନ୍ୟକୁ ଠକିବା ପ୍ରବୃତ୍ତି) ସ୍ୱାଧୀନଭାବରେ ପରୀକ୍ଷା କରି ଡନ୍ବାରଙ୍କ ସିଦ୍ଧାନ୍ତର ପୁଷ୍ଟି କରିଥିଲେ । ଡନ୍ବାର ୨୨ଟି ବନ୍ୟଗୋଷ୍ଠୀକୁ ନେଇ ପରୀକ୍ଷାନିରୀକ୍ଷା କରିଥିଲେ । ଆଉ ଜଣେ ବୈଜ୍ଞାନିକ ମଧ୍ୟ ଡନ୍ବାରଙ୍କ ସିଦ୍ଧାନ୍ତକୁ ସମର୍ଥନ ଜଣାଇଥିଲେ (Aielloö John Cartwright) ତାଙ୍କରି ଲିଖିତ ଗୋଟିଏ ପୁସ୍ତକ (Evolution and Human Behaviour)ରେ ଲେଖାଅଛି it is the social complexity of the primate life that may have demanded an increase in brain size…’ ସେହି ପୁସ୍ତକରେ ପୁଣି ଲେଖାଅଛି, It seems unlikely that tool use could explain the increase in brain size in most primates and the sudden increase in human brain size took place about 2 million years ago.ଅର୍ଥାତ, ‘ବିବର୍ତ୍ତନ ଓ ମଣିଷର କାର୍ଯ୍ୟକଳାପ’ ପୁସ୍ତକରେ ଲେଖାଅଛି ‘ସମ୍ଭବତଃ ବାନର ଜୀବନର ଜଟିଳତାକୁ ସମ୍ଭାଳିବାକୁ ମସ୍ତିଷ୍କର ଆୟତନ ବଢ଼ି ଯାଇଥିଲା । ମାନବ ପ୍ରଜାତିର ମସ୍ତିଷ୍କର ଆୟତନ ହଠାତ୍ ବହୁତ ବଢ଼ିଗଲା ପ୍ରାୟ ୨ନିୟୁତ ବର୍ଷତଳେ ।’

ପେଷ୍ଟିସାଇଡ଼୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (Pesticide Association of India)ର ଏକଦା ଉପସଭାପତି ଜୀବବିଜ୍ଞାନୀ ଏସ୍.ଆର୍.ନେନେ ଲେଖିଛନ୍ତି ତାଙ୍କର ଗୋଟିଏ ପୁସ୍ତକ (‘Dr. Ram Mohan Lohia Remembered’)ରେ, ‘ଗିବନ ରହେ ୪/୬ଜଣିଆ ଗୋଷ୍ଠୀରେ । ତା’ର ରହିଛି ଛୋଟ ମସ୍ତିଷ୍କଟିଏ । ସିମ୍ପାଞ୍ଜିର ମସ୍ତିଷ୍କର ଆୟତନ ଅଧିକ । ଏହା ୪୦୦ଠୁ ୫୦୦ସିସି(ଉ.ଉ) । ସିମ୍ପାଞ୍ଜି ଗୋଷ୍ଠୀରେ ରହନ୍ତି ସାଧାରଣତଃ ୫୦ଜଣ । ୧୪୮ଜଣ ରହନ୍ତି ମଣିଷ ଗୋଷ୍ଠୀରେ । ମଣିଷ ମସ୍ତିଷ୍କର ଆୟତନ ୧୩୦୦ଠୁ ୧୫୦୦ସିସି (ଉ.ଉ) ପର୍ଯ୍ୟନ୍ତ । ସେ ଲେଖିଲେ, The magic group size of 148 turns up amazingly in all sorts of human societies and activitiesö

ଅର୍ଥାତ, ‘୧୪୮ଜଣିଆ ଗୋଷ୍ଠୀର ଆବିର୍ଭାବ ଅଦ୍ଭୂତ ଭାବରେ ଘଟିଥାଏ ବିଭିନ୍ନ ସମାଜରେ ମାନବର ସବୁପ୍ରକାର କାର୍ଯ୍ୟକଳାପ ମାଧ୍ୟମରେ ।’

ଅନେକ ବୈଜ୍ଞାନିକ ଓ ନୃତତ୍ତ୍ୱବିତ୍ ଡନ୍ବାରଙ୍କ ଗବେଷଣାକୁ ଗ୍ରହଣ କରିଛନ୍ତି । ପ୍ରଶ୍ନ ଉଠେ ୧୪୮ ଜଣିଆ ଗୋଷ୍ଠୀକୁ ସୃଷ୍ଟି କରିବା ପାଇଁ ଯେଉଁ ପରିମାଣର ସ୍ନେହ, ସୌହାର୍ଦ୍ଦ୍ୟ ଦରକାର, ତାହା କୌଣସି ପୁରୁଷଗୋଷ୍ଠୀ ପାଖରେ ରହିବା ଅସମ୍ଭବ । କୌଣସି ନାରୀକୈନ୍ଦ୍ରୀକ ସମାଜରେ ହିଁ ଏହା ସମ୍ଭବ । ଜନ୍ତୁ ଜଗତରେ ଗୋଷ୍ଠୀ ସ୍ଥାପନ (ସିଂହ ଗୋଷ୍ଠୀ, ହାତୀ ଗୋଷ୍ଠୀ) କେବଳ ସେ ପ୍ରଜାତିର ନାରୀମାନଙ୍କ ଯୋଗୁଁ ସମ୍ଭବ ହୋଇଛି । ଇସ୍ରାଇଲ ଏବଂ ଭାରତରେ ବେଶୀଦିନ ନାରୀକୈନ୍ଦ୍ରୀକ ସମାଜ ତିଷ୍ଠିଥିଲା । ଜଣେ ପ୍ରସିଦ୍ଧ ଗବେଷକ (Spencer Wells)ଙ୍କ ପ୍ରତ୍ନତତ୍ତ୍ୱ ଗବେଷଣା ଅନୁଯାୟୀ ମହେଞ୍ଜୋଦାରୋ-ହରପ୍ପା-ସଭ୍ୟତା-ସୃଷ୍ଟି ପୂର୍ବର ଭାରତରେ ଶିକାରୀ ସମାଜ ଦେଖାଦେଇ ନଥିଲା ।

ଜଣେ ସିମ୍ପାଞ୍ଜି ତା’ର ଦେହରେ ଶରୀରର ବୃଦ୍ଧିକାରୀ ଓ ଶକ୍ତିଦାୟକ ସମସ୍ତ ରାସାୟନିକ ପ୍ରକ୍ରିୟା (Metabolism) ଯୋଗୁଁ ସୃଷ୍ଟି ହୋଇଥିବା ଶକ୍ତି ମଧ୍ୟରୁ ଆଠଭାଗ ତା’ର ମସ୍ତିଷ୍କ ପାଇଁ ଖର୍ଚ୍ଚ କରିଥାଏ । ମଣିଷ ଖର୍ଚ୍ଚ କରିଥାଏ ଶତକଡ଼ା ୨୨ଭାଗ ଶକ୍ତି ମସ୍ତିଷ୍କପାଇଁ । କିଛି ବୈଜ୍ଞାନିକଙ୍କ ମତ ଯେ ମାଂସାହାର ଯୋଗୁଁ ମଣିଷ ଏତେ ଶକ୍ତି ମସ୍ତିଷ୍କ ପାଇଁ ଖର୍ଚ୍ଚ କରିବା ସମ୍ଭବ ହୋଇଛି । ସେମାନେ ଭୁଲିଯାନ୍ତି ସେ ବିଜ୍ଞାନର ତିନୋଟିଯାକ ଭାରତୀୟ ନୋବେଲ ବିଜେତା ତାମିଲନାଡ଼ୁ ବ୍ରାହ୍ମଣ ସମ୍ପ୍ରଦାୟର ଏବଂ ଏମାନେ ପୂର୍ଣ୍ଣମାତ୍ରାରେ ଶାକାହାରୀ । ମଣିଷ ମସ୍ତିଷ୍କର ଆୟତନ ୧.୫ମିଲିୟନ ବର୍ଷତଳେ ଥିଲା ୭୫୦ଉ.ଉ କିନ୍ତୁ ବିଗତ ୦.୫ନିୟୁତ ବର୍ଷରେ ଏହା ବଢ଼ି ହେଲା ଦୁଇଗୁଣ । ଏସଲଲ Giff Milleଙ୍କ ମତ (୧୯୯୬)ଯେ ଏହା କେବଳ ଯୌନ ନିର୍ବାଚନ (Sexual Selection)ଯୋଗୁଁ ସମ୍ଭବ ହୋଇଛି । ପାଖାପାଖି ୪୦,୦୦୦ରୁ ୫୦,୦୦୦ ବର୍ଷ ତଳେ ହିଁ ମଣିଷ ସମାଜରେ ଶିକାରୀମାନେ ମୁଖ୍ୟ ଭୂମିକାରେ ରହିବା ସମ୍ଭବ ହୋଇଥିଲା । ୫୦,୦୦୦ବର୍ଷ ପୂର୍ବରୁ ସଂଗ୍ରାହକ ସମାଜ (ନାରୀସମାଜ) ପରିବାରକୁ ଖାଦ୍ୟ ଯୋଗାଇବାରେ ମୁଖ୍ୟ ଅଂଶ ଗ୍ରହଣ କରିଥିଲା । ଆଧୁନିକ ସଭ୍ୟସମାଜ ଗତ ୨୦,୦୦୦ବର୍ଷ ମଧ୍ୟରେ ପାଖାପାଖି ତା’ର ମସ୍ତିଷ୍କର ଏକ ପଞ୍ଚମାଂଶ କୋଷ (Neurons) ହରାଇବା ବୈଜ୍ଞାନିକଙ୍କ ଦ୍ୱାରା ପ୍ରମାଣିତ । ଏତେ କୋଷ ହରାଇ ମଧ୍ୟ ମଣିଷର ବୁଦ୍ଧି କମ୍ ହେବା ଦେଖାଦେଇନି । ମଣିଷ ଦିନକୁ ଦିନ ଅଧିକ ଅସାମାଜିକ ହୋଇଚାଲିଛି । ସମ୍ଭବତଃ ଏହି କୋଷଗୁଡ଼ିକର ଅନୁପସ୍ଥିତି ଯୋଗୁଁ ମଣିଷ ଅଧିକ ଅସାମାଜିକ ହୋଇଯାଇଛି । ଭାରତରେ ଆମ ପୂର୍ବ ପିଢ଼ିରେ (Generation)ବୃଦ୍ଧ ବାପାମାଙ୍କର ସେବା କରିବା ସାଧାରଣ କଥାଥିଲା । ଆଜିକାଲି ସଂଖ୍ୟାଧିକ ବୃଦ୍ଧ ବୃଦ୍ଧା ବାପାମାଆ ନିର୍ଯାତନାର ଶିକାର । ସାମାଜିକତା ହେଉଛି ମଣିଷର ଏକ ବିକଶିତ ବିଭବ । ମସ୍ତିଷ୍କ ବୈଜ୍ଞାନିକମାନେ ଦର୍ଶାନ୍ତି ସିମ୍ପାଞ୍ଜିର ମସ୍ତିଷ୍କରେ ହିଂସାକୁ ପ୍ରାଧାନ୍ୟ ଦେଉଥିବା ମସ୍ତିଷ୍କ-ଅଂଶ ଯାହାର ନାମ Amygdale ତାହା ରହିଛି । Amygdaleକୁ ସଂଯତ କରିଥାଏ ମଣିଷକ୍ଷେତ୍ରରେ ଅଗ୍ରମସ୍ତିଷ୍କ (Neo-cortex) । କୌଣସି ଆଘାତ ଯୋଗୁଁ ଅଗ୍ରମସ୍ତିଷ୍କ ଯଦି କ୍ଷତିଗ୍ରସ୍ତ ହୋଇଯାଏ, ତେବେ ସେହି ମଣିଷ ଭୀଷଣ ହିଂସ୍ର ହୋଇ ଉଠେ । ସେମିତି ସିମ୍ପାଞ୍ଜି ମସ୍ତିଷ୍କରେ ଥିବା ଦର୍ପଣ କୋଷଗୁଡ଼ିକ (Mirror neurons)  ବହୁଗୁଣିତ ହୋଇଯାଇଛି ମଣିଷର ମସ୍ତିଷ୍କରେ । ଦର୍ପଣ କୋଷ ଉପରେ ନିର୍ଭରକରେ ଅନ୍ୟ ପ୍ରତି ମଣିଷର ସମ୍ବେଦନଶୀଳତା । ତେଣୁ ମଣିଷ ସୃଷ୍ଟିରେ ପ୍ରକୃତିର ଥିଲା ଏକ ନିର୍ଦ୍ଦିଷ୍ଟ ଦିଗରେ ବିବର୍ତ୍ତନର ଗତି । ମଣିଷକୁ ସେ ଦେଉଥିଲା ଅଧିକ ଶକ୍ତି ସହିତ ଅଧିକ ସମ୍ବେଦନଶୀଳତା । ନାରୀକୈନ୍ଦ୍ରୀକ ସଭ୍ୟତା ଯେଉଁଠି ଗଭୀରସ୍ତରକୁ ଯାଇଥିଲା, ସେଠାରେ ଅନ୍ୟ ପ୍ରଜାତି ଜୀବମାନଙ୍କ ପ୍ରତି ନିଷ୍ଠୁରତା କମ୍ ରହିଥିଲା । ଭାରତର ଅନ୍ୱୀକ୍ଷିକୀ ଦର୍ଶନ (ମହେଞ୍ଜୋଦାରୋ-ହରପ୍ପା) ଜୀବ ହିଂସା ସମ୍ପୂର୍ଣ୍ଣ ପରିହାର କରିଥିଲା । (ଅହିଂସା ପରମୋ ଧର୍ମଃ) । ଇହୁଦୀୟ ସଭ୍ୟତା ମଧ୍ୟ କେତେକ ମାତ୍ରାରେ ଅହିଂସାକୁ ଗ୍ରହଣ କରିବା କଥା ପୂର୍ବରୁ ଆଲୋଚନା କରାଯାଇଛି । ଡାରୱିନ୍ଙ୍କ ବିବର୍ତ୍ତନବାଦ ପ୍ରତିଯୋଗିତାକୁ ଚରମ ଗୁରୁତ୍ୱ ଦେବା ଅଂଶଗୁଡ଼ିକ ବର୍ତ୍ତମାନ ବିତର୍କର ଘେରରେ । ଡାରୱିନ୍ଙ୍କ ସମାଜର ପରଭକ୍ଷୀ ସଭ୍ୟତାର ପ୍ରଭାବରୁ ମୁକ୍ତ ନଥିଲେ ନିଜେ ଡାରୱିନ୍ ।

ବହୁମାତ୍ରାରେ ନାରୀକୈନ୍ଦ୍ରୀକ ଥିଲା ମେକ୍ସିକୋର ଏକ ଜନଜାତି (Pueblo Indian)ମାନଙ୍କର ସଭ୍ୟତା । ଜଣେ ବିଶାରଦ (Ruth Benedict)ଙ୍କ ଗୋଟିଏ ବହି (Patterns of culture) ଉପରେ ନିର୍ଭର କରି ଆଇନଷ୍ଟାଇନ୍ ଲେଖିଥିଲେ ପ୍ରବନ୍ଧଟିଏ । (Religion and Science Irreconcilable?) ଏହି ପ୍ରବନ୍ଧରେ ସେ କହିଥିଲେ, ‘under the hardest living conditions this tribe has apparently the difficult task of delivering its people from the scourge of competitive spirit and of fostering in it a temperate, co-operative conduct of life, free of external pressure and without any curtailment of happiness.’

ଅର୍ଥାତ, ଜୀବନଯାପନ ପ୍ରଣାଳୀ ଅତି କଠିନଥିବା ସତ୍ତେ୍ୱ ଏଇ ଜନଗୋଷ୍ଠୀରେ ପ୍ରତିଯୋଗିତାମୂଳକ ମନୋଭାବ ଦେଖାଦେଇ ନଥିଲା । ସେମାନେ ବିତାଉଥିଲେ ସହଯୋଗୀ, ଶାନ୍ତ, ସୁଖଭରା ଜୀବନ । କୌଣସି ପ୍ରକାର ବାହାରର ଚାପ ସେମାନଙ୍କୁ ଅସୁବିଧାରେ ପକାଇପାରୁ ନଥିଲା । ସନ୍ତାନସ୍ନେହୀ ପିତାମାନଙ୍କର ମସ୍ତିଷ୍କର ଆୟତନ ସାଧାରଣତଃ ସନ୍ତାନପ୍ରତି ଉଦାସୀନ ପିତାମାନଙ୍କ ମସ୍ତିଷ୍କର ଆୟତନ ଅପେକ୍ଷା ଅଧିକ ବଢ଼ିଥାଏ ।

ଚମକ୍ରାର ଥିଲା ମେକ୍ସିକୋର ଏଇ ଜୁନି ସମାଜ । ଏହି ସମାଜରେ ନାରୀମାନେ ଅନେକ ମାତ୍ରାରେ ପୁରୁଷ ସହିତ ସମାନ ସ୍ଥାନରେ ଥିଲେ ଯଦିଓ ପୁରୋହିତ ଓ ଯୋଦ୍ଧାମାନେ ସମାଜରେ ପ୍ରତିଷ୍ଠା ପାଉଥିଲେ । ଏ ସମାଜରେ ସ୍ୱାମୀଭିନ୍ନ ଅନ୍ୟ ପୁରୁଷ ସହ ସଙ୍ଗମ ଦୋଷାବହ ନଥିଲା। ଏ ସଭ୍ୟତାରେ ଥିଲା ନାରୀ କୈନ୍ଦ୍ରୀକତା ସହ ଶିକାରୀ, ପୁରୋହିତ ଓ ଯୋଦ୍ଧାଙ୍କର ଉପସ୍ଥିତି । ମେକ୍ସିକୋ (ଜୁନି Juni ସଭ୍ୟତା), ଇସ୍ରାଇଲ ଓ ଭାରତରେ ପରସ୍ପରର ଯତ୍ନନେବା ଏବଂ ପରସ୍ପରକୁ ଭାଗିଦାର କରାଇବାର ସଂସ୍କୃତି ଯାହାକୁ ଇଂରାଜୀରେ କୁହାଯାଏ Caring and sharing society ସୃଷ୍ଟି ହୋଇଥିଲା । ଏ ତିନୋଟି ନାରୀକୈନ୍ଦ୍ରୀକ ସମାଜରେ ନାରୀ ମନସ୍ତତ୍ତ୍ୱର ପ୍ରାଧାନ୍ୟ ଯୋଗୁଁ ଅଧିକ ସାମାଜିକ ସୌହାର୍ଦ୍ଦ୍ୟ (ଝକ୍ଟମସବକ୍ଷସଗ୍ଧଚ୍ଚ) ସୃଷ୍ଟି ହେବା ସ୍ୱାଭାବିକ ହୋଇ ପଡ଼ିଥିଲା । ନାରୀର ଯୌନସାଥୀ ନିର୍ବାଚନରେ ସାମାଜିକତା-ଧର୍ମୀ ପୁରୁଷର ସ୍ଥାନ ସର୍ବୋଚ୍ଚ ଥିଲା । ଗୋଟିଏ ପ୍ରବନ୍ଧ (Brain Evolution (Network))ରେ ଲେଖାଅଛି, ‘Careful parents out-rank the careless in terms of relative brain size’। ଅର୍ଥାତ, ନିୟୁତ ନିୟୁତ ବର୍ଷଧରି ସ୍ତ୍ରୀମାନେ ଅଧିକରୁ ଅଧିକ ପିଲାଙ୍କ ଦାୟିତ୍ୱ ଗ୍ରହଣ କରୁଥିବା ବାପାମାନଙ୍କୁ ଯୌନସାଥୀ ହିସାବରେ ଗ୍ରହଣ କରିବା ଫଳରେ ମସ୍ତିଷ୍କର ଉନ୍ନତି ଅଧିକରୁ ଅଧିକ ହେବା ସମ୍ଭବ ହୋଇଥିଲା । ସମାଜ ନାରୀକୈନ୍ଦ୍ରୀକ ଥିବାଯୋଗୁଁ ଏଭଳି ଘଟିଥିଲା । ନାରୀ ମସ୍ତିଷ୍କ ଏବଂ ପୁରୁଷ ମସ୍ତିଷ୍କ ମଧ୍ୟରେ ପ୍ରଭେଦ ରହିଛି । ନାରୀମାନଙ୍କ ମସ୍ତିଷ୍କ (The Female Brain) ପୁସ୍ତକରେ ଲେଖିଲେ ଏକବିଂଶ ଶତାବ୍ଦୀର ଜଣେ ବୈଜ୍ଞାନିକ (Lourane Brizendine MD), ‘By all standards, men are on average, 20 times more aggressive than women, something that a quick look around a prison system will confirm, (Chapter-02) । ଅର୍ଥାତ, ପୁରୁଷ ସ୍ତ୍ରୀ ଅପେକ୍ଷା ୨୦ଗୁଣ ଅଧିକ ଆକ୍ରାମକ । ସାଧାରଣ ଭାବରେ ଜେଲ୍ ଆଡ଼େ ଦୃଷ୍ଟି ନିକ୍ଷେପକଲେ ଆପଣ ଏ ବିଷୟରେ ନିଶ୍ଚିତ ହୋଇଯିବେ ।

ପାଖାପାଖି ଆଠ ନିୟୁତ ବର୍ଷ ତଳେ ସିମ୍ପାଞ୍ଜି ଜାତୀୟ ଏକ ବାନର ସୃଷ୍ଟି କଲା ତିନିପ୍ରକାର ପ୍ରଜାତି; ଗୋଟିଏ ହେଉଛି ସିମ୍ପାଞ୍ଜି, ଆରଟି ହେଉଛି ବୋନ୍ ବୋନ୍ ଏବଂ ତୃତୀୟଟି ହେଉଛି ମଣିଷ (Homo Sapiens) । ସିମ୍ପାଞ୍ଜି ଥିଲା ଅନେକମାତ୍ରାରେ ଆକ୍ରାମକ (aggressive) । ବୋନ୍ବୋନ୍ ସମାଜଥିଲା ନାରୀ ଆଧିପତ୍ୟବାଦୀ । ଏ ସମାଜ ପୂର୍ଣ୍ଣଭାବରେ ଥିଲା ଶାନ୍ତିପୂର୍ଣ୍ଣ । ମଣିଷ ସମାଜ ଥିଲା ବୋନ୍ ବୋନ୍ ମାନଂକ ଭଳି ଶାନ୍ତିବାଦୀ ଓ ନାରୀକୈନ୍ଦ୍ରୀକ । ବୋନ୍ବୋନ୍ ନାରୀ ଯୌନସାଥୀ ନିର୍ବାଚନରେ ବାଛବିଚାର କରୁ ନଥିଲା କିନ୍ତୁ ମାନବ ନାରୀ କେବଳ ଶାନ୍ତିବାଦୀ ଓ ଅନ୍ୟମାନଙ୍କ ପ୍ରତି ସୌହାର୍ଦ୍ଦ୍ୟ ଓ ସହଯୋଗର ହାତ ବଢ଼ାଉଥିବା ପୁରୁଷକୁ (କ୍ୟାରିଂ ଏଣ୍ଡ୍ ସେରିଂ ମ୍ୟାନ୍)ଯୌନ ସାଥୀରୂପେ ଗ୍ରହଣ କରୁଥିଲା । ମହିଳାଙ୍କ ମସ୍ତିଷ୍କ ପୁସ୍ତକରେ ଲେଖାଅଛି ‘Studies indicate that girls are motivated on a molecular and neurological look, to care and even prevent social conflicts.’ଅର୍ଥାତ, ମନସ୍ତତ୍ତ୍ୱ ଦୃଷ୍ଟିରୁ ନାରୀମାନେ ଚେଷ୍ଟା କରିଥାନ୍ତି ଅନ୍ୟମାନଙ୍କ ମଧ୍ୟରେ ବିରୋଧ ଓ ଗୋଳମାଳ ସୃଷ୍ଟି ନ ହେବାପାଇଁ ଏବଂ ଯଦି ସୃଷ୍ଟି ହୁଏ, ତେବେ ତା’ର ଦ୍ରୁତ ଅବସାନ ପାଇଁ ।

ଦ ସାଇଣ୍ଟିଫିକ୍ ଆମେରିକାନ୍ (The Scientific American)ରୁ ଆମେ ଜାଣିବାକୁ ପାଉ ଯେ ସିମ୍ପାଞ୍ଜି, ବୋନ୍ ବୋନ୍ ତଥା ଅନ୍ୟ ବାନରଶ୍ରେଣୀରେ ପୁରୁଷର ମୁନିଅାଁ ଭୟଙ୍କରିଆ ଦାନ୍ତ ସବୁ ନିୟୁତ ନିୟୁତ ବର୍ଷଧରି ଯେମିତି ସେମିତି ରହିଥିଲା । କିନ୍ତୁ ମଣିଷ କ୍ଷେତ୍ରରେ ଏହା ଛୋଟ ହୋଇଯାଇଥିଲା । ଏହା ଛୋଟ ହେବାର ଏକମାତ୍ର କାରଣ ହେଉଛି ମାନବ ନାରୀର ମନସ୍ତତ୍ତ୍ୱ । ସେମାନେ ଯୌଥଭାବରେ ପୁରୁଷମାନଙ୍କ ମଧ୍ୟରେ ଯୌନ ସୁଖ ପାଇଁ ମାରପିଟ ହେବାଟା ପସନ୍ଦ କରୁନଥିଲେ । ଜଣେ ବିଶାରଦ (L.Brizendime) ଲେଖିଲେ The Female Brainରେ ‘Men after all enjoy personal conflict and competition. They even get a positive boost from it. In women, conflict is more likely to set in motion a cascade of negative chemical reactions creating feelings of stress, upset and fear. (Chapter-02)

ପୁରୁଷମାନେ ପ୍ରତିଯୋଗିତା ଓ ଦ୍ୱନ୍ଦ୍ୱକୁ ଭଲ ପାଆନ୍ତି । ଏସବୁରେ ସେମାନଙ୍କର ମସ୍ତିଷ୍କକୁ ଉତ୍ତେଜନା ମିଳେ । ସ୍ତ୍ରୀମାନେ କୌଣସି ରକମ ଗୋଳମାଳକୁ ପସନ୍ଦ କରନ୍ତିନି । ସେଭଳି ଘଟିଲେ ସେମାନଙ୍କର ମାନସିକ ଚାପ ବଢ଼ିଯାଏ ଓ ସେମାନେ ଦୁଃଖୀ ହୋଇଯାଆନ୍ତି ।

ଅର୍ଥାତ, ଦୁଃଖର କଥା ଆଜିର ଇସ୍ରାଇଲ୍ ଓ ଭାରତରେ ପରଭକ୍ଷୀ ପରଶୋଷୀ ସଭ୍ୟତା ଚରମସୀମାରେ ପହଞ୍ôଚଛି । ଇସ୍ରାଇଲ୍ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ ଜଣେ ଫରାସୀ ମହିଳା ‘In the thirty years I’ve been coming here, I’ve never seen such violence in daily life. Your society is sick, terribly sick.’ TOWARD AN OPEN TOMB: The Crisis of Israeli Society.

ଅର୍ଥାତ, ନୃତତ୍ତ୍ୱ ଏକଥା ସାବ୍ୟସ୍ତ କରେ ସେ ଯେଉଁ ସମାଜରେ ନାରୀର ଯୌନ ସ୍ୱାଧୀନତା ଯେତେ ଅଧିକ, ସେହି ସମାଜ ସେତେ କମ୍ ଭାବରେ ଆକ୍ରାମକ । ଜୁନି (ପ୍ୟୁବ୍ଲୋ-ଭାରତୀୟ: ମେକ୍ସିକୋ) ସମ୍ପ୍ରଦାୟରେ ନାରୀର ଯୌନ ସ୍ୱାଧୀନତା ଯଥେଷ୍ଟ । ଏ ସମ୍ପ୍ରଦାୟରେ ଆକ୍ରାମକ ହିଂସାର ମାତ୍ରା ବହୁତ କମ୍ ।

ଉତ୍ତର-କୁରୁ ସମାଜରେ ନାରୀ ପୂର୍ଣ୍ଣଭାବରେ ଯୌନ ସ୍ୱାଧୀନ । ସେ ସମାଜରେ ହିଂସା ବିଦ୍ୱେଷ ମୋଟେ ନାହିଁ । ସମସ୍ତ ଲୋକେ ସେଠାରେ ସୁଖୀ (ମହାଭାରତ) ।

ଜୁନିଙ୍କ ପାଖ ଅଞ୍ଚଳରେ ରହନ୍ତି ଆପାଚି ସମ୍ପ୍ରଦାୟ ।  ଏମାନେ ଯୁଦ୍ଧବିଦ୍ୟାରେ ପାରଙ୍ଗମ । ଏମାନଙ୍କ ସମ୍ପ୍ରଦାୟରେ ନାରୀର ଯୌନ ସ୍ୱାଧୀନତା ମୋଟେ ନାହିଁ । ଏ ସମାଜରେ ଆକ୍ରାମକ ହିଂସାର ମାତ୍ରା ବହୁତ ବେଶୀ ।

ସିନ୍ଥିଆ କକ୍ବର୍ଣ୍ଣ (Cynthia Cockburn) ତାଙ୍କର ପୁସ୍ତକ ‘ଆମେ କେଉଁଠି ଛିଡ଼ାହୋଇଛେ’(‘From Where We Stand’)ରେ ଲେଖିଛନ୍ତି ଯେ, ‘ପୃଥିବୀର ଜନମତ ଆକଳନ ଯୁଦ୍ଧ ସମ୍ପର୍କରେ ପୁରୁଷ ଓ ନାରୀଙ୍କ ମତ ପାର୍ଥକ୍ୟକୁ ଉଜାଗର କରୁଛି । ପୁରୁଷମାନଙ୍କ ଅପେକ୍ଷା ନାରୀମାନେ ଅଧିକ ସଂଖ୍ୟାରେ ଯୁଦ୍ଧକୁ ବିରୋଧ କରୁଛନ୍ତି । ସ୍ତ୍ରୀମାନେ ଯୁଦ୍ଧବିରୋଧରେ ସକ୍ରିୟ ସ୍ତ୍ରୀ ସଙ୍ଗଠନମାନ ଗଢ଼ିଛନ୍ତି ଏବଂ ଏକତ୍ରିତ ହୋଇ ବିରୋଧ ଜାରି ରଖିଛନ୍ତି ।’ (‘Opinion polls commonly reveal a gender difference, with women less inclined than men to support a war. Women who want to engage in activity in opposition to militarism and war often choose to organise separately as women?’)

ରାଷ୍ଟ୍ରବାଦ ଓ ସ୍ୱଦେଶପ୍ରେମ ନାମରେ ସକ୍ରିୟ ଯୁଦ୍ଧ ବିରୋଧୀ ସ୍ତ୍ରୀମାନଙ୍କୁ ଦବାଇବାକୁ ଚେଷ୍ଟା ବିଭିନ୍ନ ଦେଶର ସରକାରମାନେ କରିଛନ୍ତି । ପାଲେଷ୍ଟାନୀୟ-ମାନଙ୍କ ପ୍ରତି ଇସ୍ରାଇଲ୍ ଦେଶ ଅନ୍ୟାୟ କରିଛି । ଏ ଅନ୍ୟାୟକୁ ବିରୋଧ କରିବା ପାଇଁ କେତେକ ଇସ୍ରାଇଲ୍ ନାରୀ ଏକାଠି ହୋଇ ୧୯୮୮ରେ ଗଢ଼ିଲେ ‘କଳା ପୋଷାକରେ ନାରୀ’(Woman in Black) ସଙ୍ଗଠନ । ୧୯୯୦ବେଳକୁ ‘କଳାପୋଷାକରେ ନାରୀ’ପୃଥିବୀର ଅନେକ ଦେଶରେ ସ୍ଥାପିତ ହୋଇଥିଲା । ବିଖ୍ୟାତ ଐତିହାସିକ ଊମା ଚକ୍ରବର୍ତ୍ତୀ ଲେଖିଛନ୍ତି ଯେ ଗୋଷ୍ଠୀବାଦ, ମିଲିଟାରୀବାଦ ଏବଂ ପୁରୁଷ ଶାସନତନ୍ତ୍ର ଗୋଟିଏ ଶୃଙ୍ଖଳାରେ ଗୁନ୍ଥା (‘Communalism, militarism and patriarchy fall into a common frame of reference’) ।

ଆଧୁନିକ ଯୁଗର ରାଷ୍ଟ୍ରବାଦ ପ୍ରେରିତ ମିଲିଟାରୀର ଶତ୍ରୁହିଂସା ଓ ପୁରୁଷ ଶାସନତନ୍ତ୍ର ଗୋଟିଏ ମୁଦ୍ରାର ଦୁଇଟି ପାଖ । ରାଷ୍ଟ୍ରବାଦର ହିଂସାତ୍ମକ ଘୃଣାକୁ ବିରୋଧ କରିବା କଷ୍ଟକର ଥିଲା, ତଥାପି ପୃଥିବୀର ବହୁତ ଦେଶରେ ଯୁଦ୍ଧବିରୋଧୀ ନାରୀ ସଙ୍ଗଠନମାନ ଗଢ଼ି ଉଠିଥିଲା । ମୁଖ୍ୟତଃ ଦୁଇଟି ବିଷୟରେ ନାରୀ ସଙ୍ଗଠନମାନେ ସାରା ପୃଥିବୀରେ ମାନବବାଦୀମାନଙ୍କୁ ସଚେତନ କରିଥିଲେ । ନାଗରିକ ଯୁଦ୍ଧବେଳେ ମିଲିଟାରୀ ସମାଜ ପାଖରେ ନିଷ୍ପ୍ରଭ ହୋଇ ପଡ଼ୁଥିଲା । ଏ ସମାଜ ଯୁଦ୍ଧ ସମୟରେ ତା’ର ସ୍ୱାଧୀନତାଧର୍ମୀ ଚରିତ୍ରକୁ ପାଶୋରି ଯିବାପାଇଁ ବାଧ୍ୟ ହେଉଥିଲା। ଗଣତନ୍ତ୍ରବିରୋଧୀ ନିୟମ ସବୁ ପାରିତହୋଇ କଠୋରଭାବରେ ଲାଗୁ କରାଯାଉଥିଲା । ଦେଶମାନଙ୍କ ମଧ୍ୟରେ ଶତ୍ରୁତା ଓ ଘୃଣା ଅଧିକ ମାତ୍ରାରେ ବଢ଼ିଯାଉଥିଲା । ନ୍ୟାୟ ଅନ୍ୟାୟ ମଧ୍ୟରେ ବିଭାଜନ ରେଖା ରହୁନଥିଲା । ଦୁଇ ଯୁଦ୍ଧରତ ଦେଶର ନାରୀସମାଜ ମଧ୍ୟରେ ସମ୍ପର୍କର ସେତୁ ବାନ୍ଧିବା ପ୍ରାୟ ଅସମ୍ଭବ ହୋଇପଡ଼ୁଥିଲା । ଦୁର୍ବଳ ଦେଶପ୍ରତି ହେଉଥିବା ଅନ୍ୟାୟକୁ ଶକ୍ତିଶାଳୀ ନ୍ୟାୟବାଦୀ ନାରୀ ଓ ପୁରୁଷମାନେ ମଧ୍ୟ ହଜମ କରିବାକୁ ବାଧ୍ୟ ହୋଇଯାଉଥିଲେ । ଯୁଦ୍ଧଖୋର ଇସ୍ରାଏଲର କେତେକ ନାରୀ ପ୍ରଥମେ ଆଗେଇଗଲେ ନିର୍ଯାତିତ ପାଲେଷ୍ଟାଇନର ନାରୀଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ । ଅନୁରୂପ ଘଟଣା ଘଟିଲା ସର୍ବିଆରେ । ପୃଥିବୀସ୍ତରୀୟ ଯୁଦ୍ଧବିରୋଧୀ ସମୂହ WILPF (Woman’s International League for Peace and Freedom)ର ସକ୍ରିୟତା ଯୋଗୁଁ ଜାତିସଂଘ ନିରାପତ୍ତା କାଉନସିଲ୍ରେ ପାରିତ ହୋଇଗଲା ପ୍ରସ୍ତାବ ୧୩୨୫ । ଅକ୍ଟୋବର ୩୦, ୨୦୦୦ରେ ନାରୀ, ଶାନ୍ତି ଓ ନିରାପତ୍ତା (Women, Peace and Security) ପ୍ରସ୍ତାବଟି ଥିଲା ଏକ ମାଇଲ ପଥର ପୃଥିବୀର ଶାନ୍ତିକ୍ଷେତ୍ରରେ । ନାରୀ ସଙ୍ଗଠନମାନଙ୍କ ପକ୍ଷରେ ଏକ ବଡ଼ ପ୍ରଶ୍ନ ଥିଲା, ‘କେଉଁଟି ଅଧିକ ଭଲ, ଅହିଂସା ନା ନ୍ୟାୟ? ସ୍ୱଦେଶପ୍ରେମ ବନାମ ଶତ୍ରୁରାଷ୍ଟ୍ର ପ୍ରତି ନ୍ୟାୟବିଚାର ଥିଲା ସବୁଠୁ ଗୁରୁତର ପ୍ରଶ୍ନ ସଚେତନ ଶାନ୍ତିପ୍ରିୟ ନାରୀ ସମାଜ ପାଇଁ । ସ୍ୱଦେଶରେ ନିର୍ଯାତନା ଯୋଗୁଁ ବିଦେଶାଗତ ଲୋକଙ୍କ ଥଇଥାନ ମଧ୍ୟ ଏକ ଜଟିଳ ସମସ୍ୟା । ଯୁଦ୍ଧସଚେତନ ନାରୀସମାଜ ମୋଟାମୋଟି ଜାତିବାଦ ବିରୋଧୀ । ପୁରୁଷ ଆଧିପତ୍ୟ ଏବଂ ଯୁଦ୍ଧ ଦୁଇଟିର ଅଛି ଅଭେଦ୍ୟ ସମ୍ପର୍କ । ଏହି ସମ୍ପର୍କର ଉପଲବ୍ôଧ ଅନେକ ନାରୀଙ୍କୁ ବିଚଳିତ ଓ ସକ୍ରିୟ କରିଥିଲା । ଇତିହାସ ସାକ୍ଷ୍ୟ ଦିଏ ଯେ ଆକ୍ରାମକ ପୁରୁଷମାନଙ୍କ ଆଧିପତ୍ୟ ଯୁଦ୍ଧର ପ୍ରସୂତିଶାଳା । ଆଜିର ପୃଥିବୀରେ ଶ୍ରମିକ, ବିଦେଶୀ ଓ ନାରୀ ତିନିହେଁ ନିର୍ଯାତିତ-ଏଭଳି ଏକ ଶକ୍ତିମତ୍ତାର ଦୂରୁପଯୋଗ ଯୋଗୁଁ । ଗତ ୫୦୦୦ବର୍ଷର ଇତିହାସ କୁହେ ଅତୀତର ପୃଥିବୀରେ ପ୍ରାୟ ସମସ୍ତ ନଗରସଭ୍ୟତା ଓ ରାଷ୍ଟ୍ରଗଠନ କ୍ଷେତ୍ରରେ ରହିଛି ପୁରୁଷ ଶାସନ ଓ ହିଂସାର ଅଖଣ୍ଡ ରାଜତ୍ୱ । କେବଳ ବ୍ୟତିକ୍ରମ ଆମେ ପାଉ ମହେଞ୍ଜୋଦାରୋ-ହରପ୍ପା, ଇସ୍ରାଇଲ ଓ ଜୁନି ତିନୋଟି ନାରୀକୈନ୍ଦ୍ରୀକ ସଭ୍ୟତାରେ ।

ଖ୍ରୀ.୧୯୯୦ରୁ ୨୦୦୦ଭିତରେ କଲମ୍ବିଆ ଦେଶରେ ଅନ୍ତର୍ଯୁଦ୍ଧରେ ମରିଥିଲେ ୨୫,୦୦୦ଠାରୁ ୩୦,୦୦୦ପର୍ଯ୍ୟନ୍ତ ଲୋକ (ଏକଲକ୍ଷ ଅଧିବାସୀଙ୍କ ମଧ୍ୟରେ ପ୍ରାୟ ୮୦ଜଣ) । ଯନ୍ତ୍ରଣା ଏବଂ ଅଙ୍ଗହାନି ହୋଇଥିଲା କଲମ୍ବିଆରେ ସାଧାରଣ ଘଟଣା । ଧର୍ଷଣରେ ପଟ୍ଟୁଥିଲେ ଅନ୍ତର୍ଯୁଦ୍ଧରେ ଲିପ୍ତ ତିନୋଟି ସୈନିକଦଳ । ଏ ସୈନିକଙ୍କ ଦଳମାନଙ୍କରେ ରହିଥିଲେ ୧୧,୦୦୦ଶିଶୁ ସୈନିକ । ସୈନିକଙ୍କ ମଧ୍ୟରୁ ୧୨%ଥିଲେ ନାରୀ । କଲମ୍ବିଆରେ ତିନୋଟି ଯୁଦ୍ଧରତ ଗୋଷ୍ଠୀ ହେଉଛନ୍ତି, (୧)କଲମ୍ବିଆର ସରକାର (୨) ନିଶାମାଫିଆଙ୍କର ସୈନ୍ୟବାହିନୀ (୩) କମ୍ୟୁନିଷ୍ଟ ଗରିଲାମାନେ । ଯୁକ୍ତରାଷ୍ଟ୍ର ସମର୍ଥନ କରୁଥିଲା ଦକ୍ଷିଣପନ୍ଥୀ ରାଷ୍ଟ୍ରପତି ଆଲଭାରୋ ଉର୍ବି (Alvaro Uribe)ଙ୍କୁ । କେବଳ ୨୦୦୪ରେ ଯୁକ୍ତରାଷ୍ଟ୍ର ଯୁଦ୍ଧସାହାଯ୍ୟ ଦେଇଥିଲା ୬୮୦ନିୟୁତ ଡଲାର । ଗୋଟିଏ ବର୍ଷ ୧୯୯୫ରେ ମେଡ଼େଲିନ୍ ସହରରେ ଧର୍ଷିତା ହୋଇଥିଲେ ୩୪୮୬ନାରୀ । ପୃଥିବୀର ସବୁଠୁ ବଡ଼ ବିସ୍ଥାପନର ଦେଶ ହୋଇଗଲା କଲମ୍ବିଆ । ସ୍ତ୍ରୀ ଲୋକମାନେ ଜାଗାଜାଗାରେ ଏକତ୍ରିତ ହୋଇ ଘୋଷଣା କଲେ, ‘ବହୁତ ହୋଇଗଲା । ଏଥର ଏ ଯୁଦ୍ଧ ବନ୍ଦକର । ଏଣିକି ଆମେ ନେବା ସମାଜରେ ଶାନ୍ତିରକ୍ଷାର ଦାୟିତ୍ୱ ।’ ଗଢ଼ାହେଲା ଅନୁଷ୍ଠାନ ଲା ରୁଟା ପାସିଫିକା ଲାସ୍ ମାଜେରାସ୍ (LA Ruta Pacifica lass Majeras) । ସେମାନଙ୍କର ସ୍ଲୋଗାନ ଥିଲା ୨୪୦୦ବର୍ଷ ତଳର ଲିସିଟ୍ରାଟା ନାଟକର ଗ୍ରୀକ୍ ନାରୀଙ୍କ ସ୍ଲୋଗାନ । ‘ଯୁଦ୍ଧର ବଳୀ ହବା ପାଇଁ ଆମେ ଆଉ ପୁତ୍ରକନ୍ୟାଙ୍କୁ ଜନ୍ମ ଦବୁନି, ପୁରୁଷଙ୍କର ଦାସୀ ହବା ଆମର ନିୟତି ନୁହେଁ ।’ ସେମାନେ କହିଲେ ସେମାନେ ଅହିଂସା ଚାହାନ୍ତି । ଯୁଦ୍ଧହୀନ ସମାଜର ସେମାନେ ଥିଲେ ଭକ୍ତ। ଯୁଦ୍ଧରତ କୌଣସି ଗୋଷ୍ଠୀକୁ ସେମାନେ ସମର୍ଥନ କରୁନଥିଲେ । ‘ପୁରୁଷଶାସନ ଶେଷକର । ଏକଜୁଟ ହୁଅ ନାରୀମାନେ । ଅନ୍ଧଭାବରେ ପୁରୁଷ ସହିତ ପ୍ରେମଲିପ୍ତ ହୁଅନା । ସୃଷ୍ଟିହେଉ ନୂତନ ସମାଜ ।’ ଏପରିକି କମ୍ୟୁନିଷ୍ଟ ଗରିଲାମାନଙ୍କୁ ସେମାନେ ସାହସର ସହିତ କହିଲେ, ‘ତମେ ଯୁଦ୍ଧଦ୍ୱାରା ସାମ୍ୟବାଦୀ ସମାଜ ଗଢ଼ି ପାରିବନି । ସବୁଦଳଙ୍କୁ ଆମର ଚେତାବନୀ ସବୁପ୍ରକାର ଯୁଦ୍ଧ ହେଉଛି ମାରାତ୍ମକ ମଣିଷ ପାଇଁ ।’ ହଜାର ହଜାର ସ୍ତ୍ରୀଲୋକଙ୍କ ଜାଗରଣ, ଯୁଦ୍ଧବିରୋଧୀ ଅଭିଯାନ ଥିଲା ଉତ୍ସାହକର, ବିସ୍ମୟ-ଉତ୍ପାଦକ ସାରା ପୃଥିବୀ ପାଇଁ । ସାକ୍ଷାତକାର ବେଳେ କହିଥିଲେ ଲା ରୁଟା (La Ruta)ର ଏକ ନେତ୍ରୀ ମାରିଆ ଇସାବେଲ୍ କାରାସ୍ (Maria Isabel Caras), ‘କଲମ୍ବିଆ ଏତେ ସୁନ୍ଦର, ଏତେ ହୃଦୟସ୍ପର୍ଶୀ ଦେଶ । ସୈନ୍ୟମାନେ ହତ୍ୟା କରୁଛନ୍ତି କଲମ୍ବିଆର ଆତ୍ମାକୁ, କଲମ୍ବିଆର ଲୋଭନୀୟ ମହାନ ସଂସ୍କୃତିକୁ । ଏ ଦେଶ ମତେ ନଦେଇଛି କ’ଣ? ଆଜି ଏ ଦେଶକୁ ବଞ୍ଚାଇବା ପାଇଁ ମୁଁ ବଦ୍ଧ ପରିକର ।’

ଯୁଦ୍ଧ ନ ହୋଇଥିଲେ ବି ଗୁଜୁରାଟରେ ହିନ୍ଦୁ ସଙ୍ଗଠନମାନେ ଅତ୍ୟାଚାର କରିଥିଲେ ମୁସଲମାନଙ୍କ ସ୍ତ୍ରୀମାନଙ୍କ ଉପରେ । ଅତ୍ୟାଚାର ପରେ ସବୁ ସମ୍ପ୍ରଦାୟର ସ୍ତ୍ରୀମାନେ ମିଶି ଗଢ଼ିଲେ ଗୁଜୁରାଟରେ ନ୍ୟାୟ ପାଇଁ ଅନ୍ତର୍ଜାତିକ ଉଦ୍ୟମ (International Initiative for justice in Gujrat) (IIJG) । ତିନୋଟି ମହାଦେଶର ଛଅଟି ଦେଶର ବିଭିନ୍ନ ସଂସ୍କୃତିରେ ଲାଳିତପାଳିତ ନଅଜଣ ବିଶିଷ୍ଟ ସ୍ତ୍ରୀ ଲୋକଙ୍କୁ ନେଇ ଗଢ଼ାହେଲା ଏହି ଗୋଷ୍ଠୀ । ସେମାନେ ବୁଲିଥିଲେ ବିଭିନ୍ନ ଅଞ୍ଚଳରେ । ସେମାନେ ଶୁଣିଥିଲେ ଧର୍ଷଣ ଓ ଗଣଧର୍ଷଣର ଅନେକ ଘଟଣା ସମ୍ପର୍କରେ । ସ୍ଥାନେ ସ୍ଥାନେ ସ୍ତ୍ରୀମାନଙ୍କ ଯୋନିରେ ଲୁହାରଡ଼ ଏବଂ ଖଣ୍ଡାକୁ ଭର୍ତ୍ତି କରିଦେଇଥିଲେ କ୍ରୋଧିତ ମାନସିକରୋଗୀ ପୁରୁଷମାନେ । ଗର୍ଭବତୀ ନାରୀର ଗର୍ଭଚିରି ତା’ର ଶିଶୁକୁ ନଷ୍ଟ କରିଥିଲେ ଜଣେ ବ୍ୟକ୍ତି । ସ୍ତନକଟା ଏବଂ ଯୋନିଚିରା ନାରୀଙ୍କ କଥା ଶୁଣିଥିଲେ ସେମାନେ । ଏପରିକି ପୋଲିସ ଅଫିସରମାନେ ଲିଙ୍ଗ ଦେଖାଇ ଭୀତ କରିଥିଲେ ମୁସଲମାନ ନାରୀଙ୍କୁ । ଅନେକ ଧରଣର ଯୌନ ଅତ୍ୟାଚାର ଘଟିଥିଲା ପରିବାରର ଲୋକଙ୍କ ସାମ୍ନାରେ । ବିଭିନ୍ନ ଧରଣର ଉଦ୍ଭଟ ହିଂସାର-କଳ୍ପନାକୁ ସେମାନେ ରୂପାୟିତ କରିଥିଲେ ନିରୀହ ନାରୀମାନଙ୍କର ଦେହ ଉପରେ । କେତେକ ସ୍ତ୍ରୀଲୋକଙ୍କୁ ଠିଆକରି ଜିଅନ୍ତା ପୋଡ଼ି ଦିଆ ଯାଇଥିଲା । ଆଉ କିଛି ସ୍ତ୍ରୀଲୋକଙ୍କୁ ନିଅାଁରେ ଫିଙ୍ଗି ଦିଆଯାଇଥିଲା । ଶହ ଶହ ସ୍ତ୍ରୀଲୋକଙ୍କୁ ଯୌନ ଅତ୍ୟାଚାରର ଶିକାର ହବାକୁ ପଡ଼ିଥିଲା । ଅନେକ ହିନ୍ଦୁ ନାରୀ ମୁସଲମାନଙ୍କ ଲଜ୍ଜାଜନକ ଅତ୍ୟାଚାରକୁ ଉତ୍ସାହିତ କରିଥିଲେ ଯଦିଓ ଏଭଳି ହିନ୍ଦୁ ପୁରୁଷ ଓ ସ୍ତ୍ରୀଥିଲେ ଯେଉଁମାନେ ମୁସଲମାନଙ୍କ ପ୍ରତି ଅତ୍ୟାଚାରକୁ ବିରୋଧକରି ନିଜେ ନିର୍ଯାତନାର ଶିକାର ହୋଇଥିଲେ । କେତେକ ଅତ୍ୟାଚାରିତ ନାରୀଙ୍କ ପାଖରେ ପାଗଳାମୀ ଦେଖାଦେଇଥିଲା । ଛ’ମାସର ସଘନ ପରିଶ୍ରମ ପରେ IIJG ପ୍ରକାଶ କଲା ପୁସ୍ତକଟିଏ ‘ଆତଙ୍କିତ ଅବସ୍ଥିତି : ଗୁଜୁରାଟ ଗଣସଂହାରର ଏକ ନାରୀବାଦୀ ବିଶ୍ଳେଷଣ’ (‘Threatened Existence: A Feminist – Analysis of the Genocide in Gujarat’) । ୧୦ ଡିସେମ୍ବର ୨୦୦୩ରେ ଏହି ପୁସ୍ତକଟିଏ ପ୍ରକାଶିତ ହୋଇଥିଲା ।

ନାରୀର ଯନ୍ତ୍ରଣାସିକ୍ତ ଅନୁଭୂତି ଅତି ଦୁଃଖଦାୟକ ଥିଲା ସିଏରା ଲିଓନ୍ (Sierra Leone) ଦେଶରେ । ଅନ୍ତର୍ଯୁଦ୍ଧର ସମ୍ମୁଖୀନ ହୋଇଥିଲା ଜନତା । ଗୋଟିଏ ପଟେ ଥିଲା ଏପିସି (All Peoples’ Congress Party)ସରକାର । ସେମାନଙ୍କ ସହ ଲଢ଼େଇରେ ଲିପ୍ତ ଥିଲା ଆର୍.ୟୁ.ଏଫ୍. (Revolutionary United Front) । ଅସନ୍ତୁଷ୍ଟ ସୈନିକ ଗୋଷ୍ଠୀଦ୍ୱାରା ଏକ ତୃତୀୟ ଶକ୍ତି ମଧ୍ୟ ସେ ଦେଶରେ କିଛି ଅଞ୍ଚଳ ଅଧିକାର କରିଥିଲା । ସିଏରା ଲିଓନ୍ ଦେଶରେ ଥିଲେ ୫.୫ ନିୟୁତ ଲୋକ । ସେମାନଙ୍କ ମଧ୍ୟରୁ ୫୦,୦୦୦ରୁ ବେଶୀଲୋକ ମୃତ୍ୟୁବରଣ କରିଥିଲେ । ଏକ ତୃତୀୟାଂଶରୁ ଅଧିକ ପରିମାଣ ଲୋକ ଦେଶଛାଡ଼ି ପଳାୟନ କରିଥିଲେ, ଦେଶରେ ବହୁବର୍ଷ ଯୁଦ୍ଧ ଚାଲିଥିଲା । ଦେଶରେ ଥିଲା ଅରାଜକତା । ଯିଏ ଯାହାକୁ ପାରୁଥିଲା ହତ୍ୟା କରୁଥିଲା । ଦେଶର ୪୪୦୦ ଶିଶୁସୈନିକ ବିଭିନ୍ନ ବାହିନୀରେ ଥିଲେ । ସୈନ୍ୟମାନଙ୍କ ମଧ୍ୟରେ ନଅ/ଦଶବର୍ଷର ଶିଶୁମାନେ ମଧ୍ୟ ଥିଲେ । ଆଫ୍ରିକା ମହାଦେଶର ଏକ ଅଭାଗା ଇଲାକା ହେଉଛି ସିଏରା ଲିଓନ୍ । ସେଠାରେ ଅନ୍ତର୍ଯୁଦ୍ଧ ଯୋଗୁଁ ହାତ ଗୋଡ଼କଟା ମଣିଷଙ୍କ ସଂଖ୍ୟା ପହଞ୍ôଚଥିଲା ୧୦ ହଜାରରେ, ଯୁଦ୍ଧଶେଷରେ । ନିଶାଖୋର ଗୁଣ୍ଡାସ୍ୱଭାବର ଯୁବକମାନେ ସାଜିଥିଲେ ବିଭିନ୍ନ ଗୋଷ୍ଠୀର ସୈନିକ । ବହୁସଂଖ୍ୟାରେ ବିଭିନ୍ନ ବୟସର ନାରୀଙ୍କୁ ନିଷ୍ଠୁର ଭାବରେ ଧର୍ଷଣ କରିଥିଲେ ଏହି ଗୁଣ୍ଡାସୈନିକ ଗୋଷ୍ଠୀ । ନାରୀମାନଙ୍କ ଯୋନିରେ ଏଇ ଦୁଷ୍ଟ ସୈନିକମାନେ ପୂରାଇ ଦଉଥିଲେ କାଠ, ବୋତଲ ଓ ଅସ୍ତ୍ରମାନ । ଯୋନି କ୍ଷତଯୋଗୁଁ ପ୍ରାଣ ହରାଉଥିଲେ ଅନେକ ସ୍ତ୍ରୀଲୋକ । ସିଏରା ଲିଓନରେ ଲୋକମାନଙ୍କ ମଧ୍ୟରେ ଗୋଷ୍ଠୀଗତ କୌଣସି ପ୍ରଭେଦ ନଥିଲା । ଭାଷା, ଧର୍ମ, ଜାତିଦୃଷ୍ଟିରୁ ପ୍ରାୟ ସମସ୍ତେ ଥିଲେ ଗୋଟିଏ ଗୋଷ୍ଠୀର । ଯୁଦ୍ଧର ପ୍ରମୁଖ ଆକର୍ଷଣ ଥିଲା ଲୁଟି ଏବଂ ହୀରାବେପାର ଉପରେ ଆଧିପତ୍ୟ । ସେଠାରେ ଅସ୍ତ୍ରଥିବା ଲୋକ ଅନ୍ୟକୁ ଡରାଇ ଖାଦ୍ୟ ସଂଗ୍ରହ କରୁଥିଲା । ନିରୀହଲୋକେ ଭୋକରେ ରହୁଥିଲେ । ନାରୀସମାଜ ଜାଗ୍ରତ ହେବା ଯୋଗୁଁ ଗଢ଼ି ଉଠିଲା ଗୁଡ଼ାଏ ସଙ୍ଗଠନ । ଗଣତାନ୍ତ୍ରିକ ନିର୍ବାଚନ ପାଇଁ ସେମାନେ ଚେଷ୍ଟାକଲେ ବିଭିନ୍ନ ନାଗରିକ ସମାଜ ସହ ହାତ ମିଳାଇ । ୬ ମାର୍ଚ୍ଚ, ୨୦୦୦ । ଏକାଠି ହୋଇ ନାଗରିକ ସମାଜ ଓ ନାରୀମାନେ ଶୋଭାଯାତ୍ରା କରିଥିଲେ ରାସ୍ତାଉପରେ । ଦୁଇଦିନ ପରେ ପୁଣି ଏକ ବଡ଼ ମାର୍ଚ୍ଚ । ସେ ଦିନ ୨୨ଜଣଙ୍କୁ ହତ୍ୟା କରିଥିଲେ ସୈନିକମାନେ । ମସ୍ଜିଦ୍ ଓ ଚର୍ଚ୍ଚ ଥିଲା ନାରୀମାନଙ୍କ ଆଶ୍ରୟସ୍ଥଳୀ । ଆଫ୍ରିକାରେ ଗଢ଼ିଉଠିଛି ବିଭିନ୍ନ ଜନ ଅନୁଷ୍ଠାନମାନ ଶାନ୍ତିଧର୍ମୀଙ୍କୁ ନେଇ । ସେ ମଧ୍ୟରେ ଏକ ସଙ୍ଗଠନ ଏଫ୍.ଏ.ଏସ୍.ର ସଭାରେ ତିନୋଟି ଦେଶର ନାଗରିକସମାଜର ସଭ୍ୟ ଓ ନାରୀନେତ୍ରୀମାନେ ଏକାଠି ହୋଇଥିଲେ । ସେ ତିନୋଟି ଦେଶ ହେଉଛନ୍ତି ଗିନି, ସିଏରା ଲିଓନ୍ ଓ ଲାଇବେରିଆ । ଅଧ୍ୟାପିକା ମେମୋନାଟା ପିଲିଟ୍ (Memunata Pealit) କହନ୍ତି ସିଏରା ଲିଓନ୍ରେ ପୁରୁଷଶାସନ ଚାଲିଛି । କିନ୍ତୁ ସେମାନେ ନଷ୍ଟ କରିଦେଲେ ଦେଶକୁ । ଦେଶର ଉନ୍ନୟନ ସମ୍ଭବ ହେଲାନି ।’ ନାରୀନେତ୍ରୀ ମାବେଲ୍ ଲକ୍ସ (Mabell Lox) କହିଲେ, ‘ଆମେ ହେଉଛୁ ମାଆଗୋଷ୍ଠୀ । ଆମେ ଲୋକଙ୍କୁ ବୁଝାଇପାରିବୁ । ପ୍ରଭାବ ପକାଇ ପାରିବୁ । ଶାସନକ୍ଷେତ୍ରରେ ଆମେ ରହିବା ଦରକାର ।’ ସିଏରା ଲିଓନ୍ ନାରୀମାନଙ୍କର କହିବା କଥାମାନଙ୍କ ମଧ୍ୟରୁ ଗୋଟିଏ କଥା ସମାଜ ଚିନ୍ତକମାନଙ୍କୁ ବିବ୍ରତକରିବା ପାଇଁ ଯଥେଷ୍ଟ । ସେମାନେ କହିଲେ ଆମର ଚିନ୍ତା ଆମର ପୁଅମାନଙ୍କ ପାଇଁ । ସେମାନେ ନିଶାଦ୍ରବ୍ୟ ବ୍ୟବହାର କରୁଛନ୍ତି । ସେମାନେ ହତ୍ୟା ଓ ଧର୍ଷଣ କରିବାକୁ ପଛାଉ ନାହାନ୍ତି । ଅନେକ ସମୟରେ ସେମାନଙ୍କର ପ୍ରଥମ ଶିକାର ହେଉଛନ୍ତି ପରିବାରର ଲୋକମାନେ ।

ଇସ୍ରାଇଲ୍ ସମାଜକୁ କେମିତି ନଷ୍ଟ କରିଛି ଯୁଦ୍ଧ ତା’ର ମନଥରା ବର୍ଣ୍ଣନା ରହିଛି ‘ଏକ ମୁକ୍ତ କବରଖାନା ଆଡ଼କୁ’ (Toward an Open Tomb)ପୁସ୍ତକର ‘ନୂତନ ଇସ୍ରାଇଲ୍’(The New Israel) ପ୍ରବନ୍ଧରେ । ସେଥିରେ ଲେଖାଅଛି ଯେ,‘ମନସ୍ତତ୍ତ୍ୱବିତ ଏବଂ ସମାଜସେବୀମାନେ କ୍ରମାଗତଭାବରେ ସତର୍କବାଣୀ ଶୁଣାଉଛନ୍ତି ଯେ ଇସ୍ରାଇଲୀ ସମାଜ ଅତ୍ୟନ୍ତ ରୁଗ୍ଣ କାରଣ ସେଠାରେ ହିଂସା ମାତ୍ରାଧିକ ପରିମାଣରେ ରହିଛି ।’ ଆପାତତଃ ବାହାରୁ ଜଣାପଡ଼ୁଛି ଇସ୍ରାଇଲ୍ ସମାଜ ଏକ ସଫଳ ସମାଜ, କାରଣ ଯୁଦ୍ଧରେ ଇସ୍ରାଇଲକୁ ହରାଇବା ଇସ୍ରାଇଲ୍ଠୁ ବହୁଗୁଣ ଜନସଂଖ୍ୟାସମ୍ପନ୍ନ ଶକ୍ତିଶାଳୀ ଆରବ ଗୋଷ୍ଠୀମାନଙ୍କ ଦ୍ୱାରା ସମ୍ଭବ ହେଉନି । ଯୁଦ୍ଧ କେବଳ ପରାଜିତ ଦେଶମାନଙ୍କୁ ଧ୍ୱଂସ କରେନି । ଯୁଦ୍ଧର ପ୍ରଭାବରେ ବିଜୟୀ ଦେଶମାନେ ମଧ୍ୟ ହରାନ୍ତି ନିଜର ଗଣତାନ୍ତ୍ରିକ ଚରିତ୍ର । ଯୁକ୍ତରାଷ୍ଟ୍ରର ଶକ୍ତି ଅବିସମ୍ବାଦିତ ଭାବରେ ପୃଥିବୀର ସମସ୍ତ ରାଷ୍ଟ୍ରଙ୍କଠୁ ଅଧିକ କିନ୍ତୁ ଯୁକ୍ତରାଷ୍ଟ୍ରର ସମାଜ ଧିରେ ଧିରେ ଅବକ୍ଷୟର ଗହ୍ୱର ମଧ୍ୟକୁ ପଶିଯାଉଛି । ପରଭକ୍ଷୀ-ପରଶୋଷୀ ସମାଜ ଶୀଘ୍ର ପରିଣତ ହୋଇଯାଏ ଆତ୍ମଭକ୍ଷୀ ସମାଜରେ । ଇସ୍ରାଇଲ୍ ଓ ଆମେରିକା ଦୁହେଁ ଆତ୍ମଭକ୍ଷୀ ହୋଇସାରିଲେଣି । ହିଟଲର୍ ଯୁଗର ଜର୍ମାନୀର ଜନତା ଭଳି ଆମେରିକା ଓ ଇସ୍ରାଇଲର ସଂଖ୍ୟାଧିକ ସାଧାରଣ ଲୋକ ରୁଗ୍ଣ ମାନସିକତାର ଶିକାର । ଭାରତ ସମେତ ପୃଥିବୀର ବହୁ ଦେଶ ଆତ୍ମଭକ୍ଷୀ ହେବା ପଥରେ ଆଗେଇ ଚାଲିଛନ୍ତି । ଯୋଦ୍ଧାସମାଜର ଶେଷ ପରିଣତିକୁ ନେଇ ଲେଖାହୋଇଛି ମହାଭାରତ ମୂଷଳ ପର୍ବ । ଯାଦବ ବୀରମାନେ ପ୍ରଭାସ ତୀର୍ଥରେ ପରସ୍ପର ସହ ଯୁଦ୍ଧକରି ଶୋଇଗଲେ ଚିର ନିଦ୍ରାରେ । କୁରୁକ୍ଷେତ୍ର ଯୁଦ୍ଧରେ ଶେଷହୋଇ ଗଲେ କୌରବମାନେ । ପାଣ୍ଡବମାନେ ନିର୍ବଂଶ ହବାରୁ ରକ୍ଷା ହୋଇଗଲେ, କୃଷ୍ଣଙ୍କ ଚମକ୍ରାରିତା ଯୋଗୁଁ । ମହାଭାରତର ଦୁଇ ପ୍ରମୁଖ ନାରୀ ଗାନ୍ଧାରୀ ଓ କୁନ୍ତୀଥିଲେ ଯୁଦ୍ଧବିରୋଧୀ । ଗାନ୍ଧାରୀ ପୁଅକୁ ମଧ୍ୟ ଆଶୀର୍ବାଦ କଲେନି ବିଜୟୀ ହବାପାଇଁ । କୁନ୍ତୀ ଯୁଦ୍ଧ ସମୟରେ ପାଣ୍ଡବମାନଙ୍କ ସହ ନରହି ରହିଥିଲେ ବିଦୁରଙ୍କ ଘରେ ଏବଂ ବେଶୀ ସମୟ କଟାଉଥିଲେ ଗାନ୍ଧାରୀଙ୍କ ସହ । ମହାଭାରତର ସର୍ବପ୍ରଧାନ ନାରୀ ଦ୍ରୌପଦୀ ମଧ୍ୟ ଯୁଦ୍ଧର ଶେଷ ପର୍ଯ୍ୟାୟରେ କହିଲେ, ‘ମୋର ପୁତ୍ରହନ୍ତା ଅଶ୍ୱତ୍ଥାମାକୁ ମାରନାହିଁ । ତାକୁ ଛାଡ଼ିଦିଅ ।’

ଅକ୍ସଫୋର୍ଡର ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଗନିଟିଭ୍ ଆଣ୍ଡ ଇଭୋଲ୍ୟୁସନାରୀ ଆନ୍ଥ୍ରୋପୋଲୋଜି (Institute of Cognitive and Evolutionary Anthropology) ଗବେଷଣା ଅନୁଯାୟୀ ପୁରୁଷର ଯୌନ ପୀପାସା ସୃଷ୍ଟିକଲା ପୁରୁଷ ଯୋଦ୍ଧାଙ୍କୁ ଏବଂ ଏହି ଯୋଦ୍ଧାମାନେ ପୃଥିବୀକୁ ହିଂସାର ଚାରଣଭୂମିରେ ପରିଣତ କରିଦେଲେ ।  ସ୍ତ୍ରୀମାନଙ୍କ ମନସ୍ତତ୍ତ୍ୱ ସମ୍ପର୍କରେ ଅକ୍ସଫୋର୍ଡ଼ ସ୍ଥିତ ଉପରୋକ୍ତ ପ୍ରତିଷ୍ଠାନର ଗବେଷକ କହନ୍ତି ସ୍ତ୍ରୀମାନଙ୍କର ରହିଛି ଅନ୍ୟର ଯତ୍ନନେବା ଓ ଅନ୍ୟମାନଙ୍କ ସହ ମୈତ୍ରୀ ସମ୍ବନ୍ଧ ସ୍ଥାପନ କରିବା ପ୍ରବୃତ୍ତି । ସେମାନେ ଯୁଦ୍ଧର ବିରୋଧୀ କାରଣ ଯୁଦ୍ଧ ସେମାନଙ୍କର ସନ୍ତାନମାନଙ୍କର ପ୍ରଭୂତ କ୍ଷତି ସାଧନ କରିଥାଏ । ମଣିଷର ବିବର୍ତ୍ତନ ସମ୍ପର୍କରେ ଆଲୋଚନା ରହିଛି ୨୦୦୯ର ଦି ସାଇଣ୍ଟିଫିକ୍ ଆମେରିକାନ୍ (The Scientific American) ପ୍ରକାଶନରେ । ସେଥିରେ ଲେଖାଅଛି…’ the community of females which is much more close-knit in the Bonbo than in the Chimpanzee ଅର୍ଥାତ୍ ନାରୀମାନେ ବୋନ୍ ବୋ  ନାରୀଙ୍କ ଭଳି ଏତେ ସଂଗଠିତ ନୁହଁନ୍ତି ।

 ବୋନ୍ ବୋ ପ୍ରଜାତିରେ ପୁରୁଷମାନେ ସାରା ଜୀବନ ସେମାନଙ୍କର ମାଆର ପଣତକାନିର ଆଶ୍ରୟ ନେଇଥାନ୍ତି । ଶକ୍ତିଶାଳୀ ବୋନ୍ବୋ ପୁରୁଷର ଆକ୍ରମଣ କେବଳ ମାଆ ଆଗେଇ ଆସେ ପୁଅକୁ ଜଗିବା ପାଇଁ ଏବଂ ଆକ୍ରମଣକାରୀ ପୁରୁଷ ପଳାୟନ କରେ । ସିମ୍ପାଞ୍ଜିର ବ୍ୟବହାର ବୋନ୍ବୋଠାରୁ ଭିନ୍ନ । ସିମ୍ପାଞ୍ଜି ପୁରୁଷ ନିଜ ସଂଗ୍ରାମ ନିଜେ କରେ । ବେଳେ ବେଳେ ସେ ଅନ୍ୟପୁରୁଷଙ୍କ ସାହାଯ୍ୟ ନେଇଥାଏ । ବୋନ୍ବେୋମାନେ ବହୁ ସମୟରେ ଯୌନକ୍ରୀଡ଼ା କରୁଥାନ୍ତି । ଯୌନକ୍ରୀଡ଼ା ହେଉଛି ପରସ୍ପର ଆକ୍ରମଣକୁ ଏଡ଼ାଇବାର ଏକ ମାଧ୍ୟମ (Sexual activity is the Bonbos’ answer to avoiding conflict) । ବୋନ୍ବୋମାନେ ମଣିଷ ଭଳି ଏକକ ଛୋଟ ପରିବାର (Nuclear Family) ଗଢ଼ିବା ଦେଖାଯାଏନି । ବୋନ୍ବୋଙ୍କ ମଧ୍ୟରେ ମାଆ ହିଁ ଏକୁଟିଆ ସନ୍ତାନ ଲାଳନପାଳନର ସମସ୍ତ ଦାୟିତ୍ୱ ବହନ କରିଥାଏ ।

ଦୁଇ ବୈଜ୍ଞାନିକ ଖ୍ରୀଷ୍ଟେଫେନ୍ ରିଆନ୍ ଏବଂ  କାଲ୍ଦା ଜେଠା କହିଛନ୍ତି ବିଦ୍ୱାନମାନେ ସିମ୍ପାଞ୍ଜି ସହ ମଣିଷ ପ୍ରଜାତିକୁ ତୁଳନା କରୁଛନ୍ତି। ସିମ୍ପାଞ୍ଜି ହେଉଛି ଆକ୍ରାମକ ପ୍ରକୃତିର କିନ୍ତୁ ବୋନ୍ବୋ ହେଉଛି ଶାନ୍ତିର ସମର୍ଥକ ।

ମଣିଷ ପ୍ରଜାତିକୁ ସିମ୍ପାଞ୍ଜି ବଦଳରେ ବୋନ୍ବୋ ସହିତ ତୁଳନାକରିବା ଅଧିକ ସଙ୍ଗତ । ( Evolutionary psychology:wikipedia). The female Brain  ପୁସ୍ତକରେ ମଧ୍ୟ ମଣିଷ ପ୍ରଜାତିର ବୋନ୍ବେୋ ପ୍ରଜାତି ସହ ସାମ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି । ବୋନ୍ବୋ ଭଳି ମଣିଷଥିଲା ଶାନ୍ତିପ୍ରିୟ । କେଉଁ ଧରଣର ଯୌନସାଥୀକୁ ପସନ୍ଦ କରୁଥିଲା ମଣିଷନାରୀ? ୩୭ଟି ଭିନ୍ନଭିନ୍ନ ସଂସ୍କୃତିର ଦଶହଜାରରୁ ଅଧିକ ନାରୀ ଜୀବନସାଥୀ ବାଛିବାବେଳେ ପୁରୁଷର କେଉଁ କେଉଁ ଗୁଣକୁ ପ୍ରାଧାନ୍ୟ ଦେଉଥିଲେ, ସେ ବିଷୟରେ ପାଞ୍ଚବର୍ଷ କାଳ ଗବେଷଣା କରିଥିଲେ ବୈଜ୍ଞାନିକ David Buss. ସେ ଜାଣିପାରିଲେ ସବୁଠି ପ୍ରାୟ ଏକପ୍ରକାର କେତେକ ଗୁଣକୁ ପ୍ରାଧାନ୍ୟ ଦେଇଥିଲେ ସ୍ତ୍ରୀଲୋକମାନେ ।  ତାଙ୍କର ଆବିଷ୍କାର ହେଲା ନାରୀ ବରୟତେ ରୂପଂ ଉକ୍ତି ମିଥ୍ୟା ପ୍ରମାଣିତ ହୋଇଛି। ନିଜ ସନ୍ତାନର କେତେ ଯତ୍ନ ପୁରୁଷଟି ନେଇପାରିବ ଓ ତାକୁ କେତେ ସୁଖ ସ୍ୱାଚ୍ଛନ୍ଦ୍ୟ ଦେଇପାରିବ, ତାହା ହିଁ ହେଉଛି ମୁଖ୍ୟକଥା । ପୁରୁଷର ବିଭବ ଓ ସାମାଜିକ ସ୍ଥିତି (Status)କୁ ପ୍ରଥମ ସ୍ଥାନ ଦିଅନ୍ତି ସାଥୀ ବାଛୁଥିବା ନାରୀମାନେ । ଅତୀତର ସଂଗ୍ରାହକ ଯୁଗରେ ପୁରୁଷର ବିଭବ ବୋଲି କିଛି ନଥିଲା । ତାର ମୁଖ୍ୟ ଗୁଣ ଥିଲା ତାର ସହୃଦୟତା ଓ ସାମାଜିକତା (Sociality) ବୈଜ୍ଞାନିକ ଲଭ୍ ଜୟ କହନ୍ତି ଯେ ମଣିଷର ଦ୍ୱିପଦଗମନ (Bi-pedalism) ସମ୍ଭବ ହେଲା କାରଣ ମଣିଷ ନାରୀକୁ ସନ୍ତୁଷ୍ଟ କରିବାଲାଗି ପୁରୁଷ କିଛି ଫଳମୂଳ ହାତରେ ଧରି ଆସିବାକୁ ବାରମ୍ବାର ଚେଷ୍ଟା କରିଥିଲା । ସମ୍ଭବତଃ ଏଭଳି ଘଟିଥିଲା କାରଣ ସଂଗ୍ରାହକ ସମାଜରେ ଫଳମୂଳ ସବୁଠୁ ମୂଲ୍ୟବାନ ବସ୍ତୁଥିଲା ଏବଂ ପୁରୁଷ ହାତରେ ଫଳମୂଳ ଆଣିବାକୁ ଚେଷ୍ଟା କରୁ କରୁ ତାର ଦ୍ୱିପଦଗମନ ସ୍ୱାଭାବିକ ହୋଇପଡ଼ିଥିଲା ।

ମଣିଷର ପରିବାର ଗଠନ ସମ୍ପର୍କରେ ଆମେ ତଥ୍ୟ ପାଉ ମହାଭାରତରେ । ଦି ଜର୍ଣ୍ଣି ଅଫ୍ ମ୍ୟାନ୍ ପୁସ୍ତକରେ  ଜିନ୍ ବିଜ୍ଞାନୀ ସ୍ପେନ୍ସର୍ ୱେଲସ୍ ଲେଖିଛନ୍ତି କେବଳ ଭାରତକୁ ଛାଡ଼ିଦେଲେ ପୃଥିବୀର ଅନ୍ୟ ସମସ୍ତ ଦେଶରେ ଶିକାରୀ ସମାଜ ପ୍ରାଧାନ୍ୟ ବିସ୍ତାର କରିଥିଲା । ପ୍ରତ୍ନତାତ୍ତ୍ୱିକ ପ୍ରମାଣକୁ ଗୁରୁତ୍ୱ ଦେଇ ସେ ଏ ମତ ସାବ୍ୟସ୍ତ କରିଛନ୍ତି । ପୃଥିବୀର କେବଳ ଗୋଟିଏ ଦେଶ ଭାରତରେ  ଶିକାର ପାଇଁ ଉପଯୁକ୍ତ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ମିଳୁନି ।  ତେଣୁ ସଂଗ୍ରାହକ ସମାଜର ପରିବାର କେବଳ ଭାରତରେ ଦେଖିବାକୁ ମିଳୁଛି ଏବଂ ମହାଭାରତରେ ଅତୀତ ପୃଥିବୀରେ କି ଧରଣର ପରିବାରମାନେ ଗଢ଼ି ଉଠିଥିଲା ସେ ସମ୍ପର୍କରେ ତଥ୍ୟମିଳୁଛି । ମହାଭାରତରେ ରହିଛି ଉତ୍ତର କୁରୁ ଅଞ୍ଚଳରେ ଏବଂ ମାହିଷ୍ମତୀପୁରରେ ନାରୀମାନେ ଥିଲେ ଯୌନସ୍ୱାଧୀନ । ମହାଭାରତ କହେ ଭୀମଙ୍କର ବନବାସବେଳେ ସେ କେତେକ ରାଜ୍ୟରେ ଶୁଣିବାକୁ ପାଇଲେ ଯେ ମାହିଷ୍ପତୀପୁର ନାରୀମାନେ ବିବାହପାଇଁ ଅଯୋଗ୍ୟା । ସମ୍ ପ୍ରୋବ୍ଲେମସ୍ ଅଫ୍ ୟରଲି ବୁଦ୍ଧିଜିମ୍  ପ୍ରବନ୍ଧରେ ଲେଖିଛନ୍ତି ଦାର୍ଶନିକ ଡି.ପି ଚଟ୍ଟୋପାଧ୍ୟାୟ, ମହାଭାରତରେ ସାତଟି ଗୋଷ୍ଠୀକୁ କୁହାଯାଇଛି ଉତ୍ସବ ସଙ୍କେତଗଣ । ମହାଭାରତର ଜଣାଶୁଣା ଟୀକାକାର ନୀଳକଣ୍ଠ ଲେଖିଛନ୍ତି ତ ଏହି ଗୋଷ୍ଠୀମାନଙ୍କର ବିବାହର ବ୍ୟବସ୍ଥା ନାହିଁ । କେବଳ ଯୌନ ଆକର୍ଷଣ ସେମାନଙ୍କର ମିଳନ ପାଇଁ ଯଥେଷ୍ଟ ।

ମହାଭାରତରେ ରହିଛି ସଂଗ୍ରାହକ ସମାଜର ଜୟଜୟକାର ।  ଜୈନଧର୍ମର ପୁରାଣମାନଙ୍କରେ ରହିଛି ଭୋଗଭୂମିରେ ମଣିଷ ବାସ କଲାବେଳେ ସେ ପାଉଥିଲା ଚାଷ ନକରି ଯଥେଷ୍ଟ ଫଳମୂଳ । ସେତେବେଳେ ମଣିଷକୁ ଯଥେଷ୍ଟ ଖାଦ୍ୟ ଯୋଗାଉଥିଲେ କଳ୍ପତରୁ ଗଛଗୁଡ଼ିକ । କହିବା ନିଷ୍ପ୍ରୟୋଜନ ଏ ସମାଜ ଥିଲା ସଂଗ୍ରାହକମାନଙ୍କର । ସମୟାନୁକ୍ରମେ ମାନବର ସ୍ୱଭାବ ଖରାପ ହେବାରୁ କଳ୍ପତରୁ ଗଛମାନେ ଆଉ ଖାଦ୍ୟ ଯୋଗାଇଲେନି । କର୍ମଭୂମି ପର୍ଯ୍ୟାୟରେ ମଣିଷକୁ ଜମିଚାଷ ଭଳି ପରିଶ୍ରମ କରିବାକୁ ପଡ଼ିଲା । ଶାନ୍ତିପର୍ବରେ ଲେଖାଅଛି ସମାଜର ସବୁଠୁଁ ସମ୍ମାନିତ ଲୋକ ହେଉଛନ୍ତି ଉଚ୍ଚବୃତ୍ତିର ବ୍ରାହ୍ମଣମାନେ । ଏମାନେ ଚାଷ କରନ୍ତିନି କିମ୍ବା ଦାନ ଗ୍ରହଣ କରନ୍ତିନି । ଚାଷଜମିରୁ ମାଲିକମାନେ ଫସଲ ନେଲାପରେ ଯାହା ପଡ଼ିରହେ ବିଲମାନଙ୍କରେ,ତାକୁ ହିଁ ସଂଗ୍ରହ କରି ପରିବାର ପୋଷନ୍ତି ଉଚ୍ଚବୃତ୍ତିର ବ୍ରାହ୍ମଣମାନେ । ଏମାନେ ନିଶ୍ଚିତଭାବରେ ଥିଲେ ସଂଗ୍ରାହକ ଶ୍ରେଣୀର । ସଂଗ୍ରାହକ ସମାଜରେ ନାରୀର ସମ୍ପୂର୍ଣ୍ଣ ଯୌନ ସ୍ୱାଧୀନତା ଥିଲା । ସେ ସମାଜରେ ନାରୀ ନିଜ ପସନ୍ଦ ଅନୁସାରେ ଯୌନସାଥୀ ବାଛୁଥିଲା । ସେ ପସନ୍ଦ କରୁଥିଲା ଶାନ୍ତ ଏବଂ ଧୀର ସ୍ୱଭାବର ବ୍ୟକ୍ତିଙ୍କୁ, ଯେ ଥିଲେ ସହୃଦୟ ଏବଂ କରୁଣାମୟ । ଶାନ୍ତିପର୍ବରେ ଆମେ ଭେଟୁ ବିଦୂଷୀ ସୁଲଭାଙ୍କୁ । ସୁଲଭା ଥିଲେ ବିଖ୍ୟାତ ସାଂଖ୍ୟ ଦାର୍ଶନିକ । ସେ ଆସିଥିଲେ ରାଜା ଜନକଙ୍କ ପାଖକୁ ସାଂଖ୍ୟଶାସ୍ତ୍ରର ଆଲୋଚନା ପାଇଁ । ସେ ଜନକଙ୍କୁ ବାଛିଲେ ନିଜର ଯୌନସାଥୀ ରୂପେ ।

ମାଧବୀ ଯଯାତିଙ୍କ କନ୍ୟା । ତିନୋଟି ସନ୍ତାନ ଉପହାର ଦେଲାପରେ ମଧ୍ୟ ମାଧବୀଙ୍କର ସ୍ୱୟଂମ୍ବର ବ୍ୟବସ୍ଥା କରିଥିଲେ ରାଜା ଯଯାତି । ସ୍ୱୟଂମ୍ବରକୁ ଆସିଥିଲେ ମାଧବୀଙ୍କ ତିନିସନ୍ତାନର ପିତା ତିନିଜଣ ରାଜା । ମାଧବୀ ସ୍ୱୟଂମ୍ବରରେ ଉପସ୍ଥିତ  କୌଣସି ରାଜାଙ୍କୁ ବରଣ ନକରି ବାପାଙ୍କୁ କହିଲେ ଯେ ସେ ଗାଲବ ଋଷିଙ୍କୁ ବିବାହ କରିବାକୁ ଚାହାନ୍ତି ।  ଗାଲବ ଋଷି ତାଙ୍କୁ ବିବାହ କରିବାକୁ ମନା କରିବାରୁ  ମାଧବୀ ଆଉ ବିବାହ କରିବାକୁ ଇଚ୍ଛା ନ କରି ଚାଲିଗଲେ ବଣକୁ ତପସ୍ୟା ପାଇଁ । ସେ ଯୁଗରେ ‘ସତୀତ୍ୱ’ ଶବ୍ଦର ଅସ୍ତିତ୍ୱ ହିଁ ନଥିଲା ଏବଂ ସ୍ତ୍ରୀମାନେ ଆଜୀବନ ଯୌନସାଥୀ ଭାବରେ ସର୍ବୋଚ୍ଚ ସ୍ଥାନ ଦେଉଥିଲେ ଋଷିମାନଙ୍କୁ ।  ଯେଉଁ ଯେଉଁ ଦେଶରେ ଶିକାରୀ ସମାଜ ଗଢ଼ି ଉଠିଥିଲା, ସେଠାରେ ନାରୀମାନେ ଜୀବନସାଥୀ ରୂପେ ସଫଳ ଶିକାରୀମାନଙ୍କୁ ବାଛୁଥିଲେ । ଶିକାରୀ ସମାଜରେ ଯୋଦ୍ଧାମାନେ ଦେଖାଦେଇଥିଲେ ଏବଂ ସମାଜ ଧୀରେ ଧୀରେ ପରଭକ୍ଷୀ ସ୍ତରଆଡ଼େ ଗତି କରିଥିଲା । ଦୁଃଖର କଥା ଭାରତର ଇତିହାସକାର ଏବଂ ଦାର୍ଶନିକମାନେ ଅତୀତ ପ୍ରାକ୍ବେଦୀୟ ଭାରତ ସଭ୍ୟତାର ମୂଲ୍ୟବୋଧଗୁଡ଼ିକୁ ସେମାନେ ଅଣଦେଖା କଲେ । ଲୋକାୟତ୍ତ ସଂସ୍କୃତିର ମହନୀୟତାକୁ  ବୁଝିନପାରି ସେମାନେ ତାକୁ  Hedonistic ବା ଭୋଗବାଦୀ କହିଥିଲେ । କେବଳ ଦାର୍ଶନିକ ଡିପି ଚଟ୍ଟୋପାଧ୍ୟାୟ ଲୋକାୟତ୍ତର ଠିକ୍ ଆକଳନ କରିଛନ୍ତି ।  ଗୀତା କହେ ସାଂଖ୍ୟ ଓ ଯୋଗ ଏକ ( ଏକ ସାଂଖ୍ୟମ୍ ଚ ଯୋଗଂ ଚ…) ଡି.ପି.ଚଟ୍ଟୋପାଧ୍ୟାୟ ଲୋକାୟତ୍ତ ପୁସ୍ତକରେ ଲେଖିଛନ୍ତି ସାଂଖ୍ୟ ଓ ଲୋକାୟତ୍ତ୍୍ ଏକ; ଏ କଥା ଜୈନସୂତ୍ରରେ ରହିଛି । ସୁରେନ୍ଦ୍ରନାଥ ଦାସଗୁପ୍ତଙ୍କ ଲେଖାରେ ମଧ୍ୟ ଏ ତତ୍ତ୍ୱକୁ ସ୍ୱୀକାର କରାଯାଇଛି । ଯୋଗୀୟ ମୂଲ୍ୟବୋଧ ଅପରିଗ୍ରହକୁ ଗ୍ରହଣ କରୁଥିବା ଲୋକାୟତ୍ ଭୋଗବାଦୀ ହେବା ସମ୍ଭବ ନୁହେଁ । ଗ୍ରୀକ୍ ଦାର୍ଶନିକ ୟୁରିପାଇଡ଼ିସ୍ଙ୍କ ସହ ଲୋକାୟତମାନଙ୍କୁ ତୁଳନା କରିବା କୌଣସିମତେ ଉଚିତ ନୁହେଁ । ସେଭଳି ଲୋକାୟତକୁ ତନ୍ତ୍ରସହ ଯୋଡ଼ିବା ସତ୍ୟର ଅପଳାପ କାରଣ ଲୋକାୟତ୍ ଜୀବ ହିଂସାର କଠୋର ବିରୋଧୀ ।

 ଆଇନଷ୍ଟାଇନ୍ ଲେଖିଥିଲେ- modern anthropology has taught us through competitive investigation of so-called primitive cultures that the social behaviour of human beings may differ greatly, depending upon prevailing cultural patterns and the type of organisation which prevail in society. It is on this that those who are striving to improve the lot of man may ground their hopes….ଅର୍ଥାତ୍ ଆଧୁନିକ ନୃତତ୍ତ୍ୱ ଆମକୁ ଜଣାଏ ପ୍ରାଚୀନ ମଣିଷ ସମାଜ ଗୋଟିକରେ ଭିନ୍ନ ଭିନ୍ନ ସଂସ୍କୃତି ଓ ଭିନ୍ନ ଭିନ୍ନ ସାମାଜିକ ଅନୁଷ୍ଠାନମାନ ଗଢ଼ିଉଠିଛି ।  ଆମେ ଏଗୁଡ଼ିକ ଅଧ୍ୟୟନ କରି ଆମପାଇଁ ଉପଯୁକ୍ତ ସଂସ୍କୃତି ଓ ଅନୁଷ୍ଠାନକୁ ବାଛିପାରିବା । ପ୍ରାକ୍-ବେଦୀୟ ଭାରତରେ ଯେଉଁ ସଂସ୍କୃତି ଏକ ବିରାଟ ଅଞ୍ଚଳରେ (ମେସୋପଟାମିଆ ଓ ଇଜିପ୍ଟ ଦୁଇ ସଭ୍ୟତା ଦ୍ୱାରା ପ୍ରଭାବିତ ଅଞ୍ଚଳ ସହ ସମାନ ଏକ ଭୂଖଣ୍ଡରେ) ବ୍ୟାପ୍ତ ଥିଲା ।  ପୃଥିବୀର ଏକମାତ୍ର ଉନ୍ନତ ଅ-ପରଭକ୍ଷୀ ଓ ଅ-ପରଶୋଷୀ ସଭ୍ୟତାକୁ ବିଦ୍ୱାନମାନେ ଠିକ୍ଭାବେ ବିଶ୍ଲେଷଣ ନକରିବାରୁ ପୃଥିବୀର ଚିନ୍ତନ ରାଜ୍ୟରେ ଏକ ଇଲାକା ଅଜ୍ଞାତ ରହିଯାଇଛି ଓ ମାନବ ପାଇଁ ପୂର୍ଣ୍ଣ ଆଶାର କିରଣ ବିଞ୍ଚୁଥିବା ସାଂସ୍କୃତିକ ଓ ଆନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କରେ ସମଗ୍ର ପୃଥିବୀର ଆଲୋଚନା ଠିକ୍ମାର୍ଗରେ ଚାଲିବା ଅସମ୍ଭବ ହୋଇପଡ଼ିଛି । ବୁଦ୍ଧ, ମହାବୀର, ଅଶୋକ, ଗାନ୍ଧୀଙ୍କ ଭଳି ଅନନ୍ୟ ବ୍ୟକ୍ତିତ୍ୱ ଗଠନ ମୂଳରେ ରହିଛି ଯେଉଁ ମହାନ୍ ସଂସ୍କୃତି, ତାର ପ୍ରଶଂସାରେ କୌଟିଲ୍ୟଙ୍କ ଭଳି ଅସାଧାରଣ ବିଦ୍ୱାନ ମଧ୍ୟ କୌଣସି ସୀମାରେଖା ମାନିନାହାନ୍ତି । (ବିସ୍ତୃତ ଆଲୋଚନାମାନ ରହିଛି ଆଗାମୀ ଅଧ୍ୟାୟ ମାନଙ୍କରେ)

କେବଳ ଆଇନଷ୍ଟାଇନ୍ ନୁହଁନ୍ତି,-ବିଖ୍ୟାତ ବୈଜ୍ଞାନିକ ଡବ୍ଝାନ୍ସ୍କି (Dobzhansky) ଲେଖିଛନ୍ତି In a sense of Human genes have surrendered their primacy in human evolution to an entirely new-biological or super-organic agent, culture.ଅର୍ଥାତ୍ ମାନବୀୟ ବିବର୍ତ୍ତନରେ ଜିନ୍ମାନେ ସେମାନଙ୍କ ମୁଖ୍ୟ ଭୂମିକାକୁ ଆଉ ଏକ ଶକ୍ତି ପାଖକୁ ହସ୍ତାନ୍ତର କରିଛନ୍ତି । ସେ ଶକ୍ତିଟି ହେଉଛି ‘ସଂସ୍କୃତି’ ।

ବିବର୍ତ୍ତନ ବିଜ୍ଞାନ କ୍ଷେତ୍ରରେ ତୁମୁଳ ଚିନ୍ତନ ସଂଘର୍ଷ ବିଶ୍ୱବିଦ୍ୱାନମାନଙ୍କ ମଧ୍ୟରେ ଚାଲିଛି । ବିବର୍ତ୍ତନ ବିଜ୍ଞାନୀ Strephan Jay Gould ଏକ ଚମକ୍ରାର କଥା କହିଛନ୍ତି । ସେ କହିଛନ୍ତି ବିବର୍ତ୍ତନ ବିଜ୍ଞାନ କ୍ଷେତ୍ରରେ ଦୁଇଟି ବିଷୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଥମଟି ହେଉଛି ନୂତନ ଚିନ୍ତନର ପୃଷ୍ଠଭୂମି ଏବଂ  ଦ୍ୱିତୀୟଟି ହେଉଛି ଚିନ୍ତନର ଯାଥାର୍ଥ୍ୟ,ଯେଉଁଠି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ପ୍ରାଧାନ୍ୟ ରହିଛି । ହାଭାର୍ଡର ପ୍ରଫେସର ଏସ୍.ଜେ.ଗୋଲ୍ଡ କହନ୍ତି ସେ ମାର୍କ୍ସବାଦ ଦ୍ୱାରା ପ୍ରଭାବିତ ଏବଂ ମାର୍କ୍ସିୟ ଦୃଷ୍ଟିଭଙ୍ଗୀ ତାଙ୍କର ବିବର୍ତ୍ତନ ସମ୍ପର୍କୀୟ ଚିନ୍ତାଧାରାକୁ ପ୍ରଭାବିତ କରିଛି । କିନ୍ତୁ ବୈଜ୍ଞାନିକ ଦୃଷ୍ଟିରୁ ଯଦି ତାଙ୍କ ଆବିଷ୍କୃତ ତତ୍ତ୍ୱ ଯଥାର୍ଥ ପ୍ରମାଣିତ ନ ହୁଏ, ତେବେ ସେ ତାକୁ ତ୍ୟାଗ କରିବାକୁ ପ୍ରସ୍ତୁତ । କୌଣସି ତତ୍ତ୍ୱପାଇଁ ପୃଷ୍ଠଭୂମି ଏବଂ ବୈଜ୍ଞାନିକ ଦୃଷ୍ଟିକୋଣ ଦୁଇଟି ମଧ୍ୟରୁ କୌଣସି ଗୋଟିକୁ କୌଣସି ଆବିଷ୍କାରକ ବାଦ୍ ଦେଇ ପାରିବେନି ।

ହାଭାର୍ଡର ଜିନ୍ ବିଜ୍ଞାନୀ ପ୍ରଫେସର  ଲିଓନ୍ଟିନ୍,  ପ୍ରଫେସର ଏସ୍.ଜେ.ଗୋଲ୍ଡଙ୍କ ସହ ଏକମତ । ନ୍ୟୁୟର୍କ ଟାଇମ୍ସ ପୁସ୍ତକ ସମୀକ୍ଷାରେ ଏହି ଦୁଇ ହାଭାର୍ଡ ପ୍ରଫେସରଙ୍କ ବହି, ଦ ଡାଏଲେକ୍ଟିକାଲ ବାୟୋଲୋଜିଷ୍ଟ (The Dialectical Biologist) ସମ୍ପର୍କରେ ଲେଖାଅଛି ଯେ, ଏକ ନିର୍ଦ୍ଦିଷ୍ଟ ସାମାଜିକ ପରିବେଶ ଓ ଦାର୍ଶନିକ ପୃଷ୍ଠଭୂମିରେ ଗଢ଼ି ଉଠିଥିବା ବୈଜ୍ଞାନିକ ମାନସ ମଧ୍ୟ ସେମାନଙ୍କ ସମାଜର ରାଜନୈତିକ ବାତାବରଣଠୁ ଅଲଗା ରହିବା ସମ୍ଭବ ନୁହେଁ । ଯେତେବେଳେ ବିଜ୍ଞାନ-ଭଳି ଅ-ବ୍ୟକ୍ତିନିଷ୍ଠ ବିଷୟ ପୃଷ୍ଠଭୂମିରୁ ମୁକ୍ତ ରହିପାରୁନି, ତେବେ ଇତିହାସ ଭଳି ବିଷୟକୁ ଅ-ବ୍ୟକ୍ତିନିଷ୍ଠ ବୋଲି ଗ୍ରହଣ କରିବା କେମିତି ସମ୍ଭବ? ମାନବ-ପ୍ରଜାତିର ବିବର୍ତ୍ତନୀୟ ଇତିହାସରେ ପ୍ରାକ୍-ବେଦୀୟ ଉନ୍ନତ ମହେଞ୍ଜୋଦାରୋ-ହରପ୍ପାର ଅ-ପରଭକ୍ଷୀ ନାରୀକୈନ୍ଦ୍ରୀକ ସଭ୍ୟତା ଏକ ବ୍ୟତିକ୍ରମ ।  ଅତୀତର ଇସ୍ରାଏଲ୍ ବହୁବର୍ଷ ନାରୀକୈନ୍ଦ୍ରୀକ ଥିଲା । ଜୁନି ସଭ୍ୟତା ଅଳ୍ପକିଛି ବର୍ଷହେଲା ଆଂଶିକ ଅ-ପରଭକ୍ଷୀ ରହିଛି । ଲିଖିତ ଇତିହାସର ଊଷାକାଳ ବେଳକୁ (୪୫୦୦-୫୦୦୦ ବିସି) ଇସ୍ରାଏଲ ସଭ୍ୟତାକୁ ପୂର୍ଣ୍ଣଗ୍ରାସ କରିଗଲେଣି ଯୋଦ୍ଧା ଓ ପୁରୋହିତମାନେ । ଜୁନି ସଭ୍ୟତା ଯୋଦ୍ଧା ଓ ପୁରୋହିତଙ୍କ କବଳକୁ ଆସିଲେ ମଧ୍ୟ ତାର ନାରୀକୈନ୍ଦ୍ରୀକତା ଚରିତ୍ର କେତେକ ମାତ୍ରାରେ ବଞ୍ଚିଯାଇଛି । ପୃଷ୍ଠଭୂମି କେମିତି ବିବର୍ତ୍ତନ ବିଜ୍ଞାନୀଙ୍କ ମତକୁ ପ୍ରଭାବିତ କରେ, ତାର ଉଦାହରଣ ରହିଛି ଇଭୋଲ୍ୟୁସନାରୀ ସାଇକୋଲୋଜି ପୁସ୍ତକର   ପୃଷ୍ଠାମାନଙ୍କରେ । ୟୁରୋପୀୟ ସମାଜର ପ୍ରଭାବଯୋଗୁଁ ବିବର୍ତ୍ତନ ମନସ୍ତତ୍ତ୍ୱବିତ୍ମାନେ ତତ୍ତ୍ୱ ବଖାଣିଲେ ଯେ ଯୌନଈର୍ଷା  ଏବଂ ନିଜ ସନ୍ତାନର ସମ୍ପତ୍ତି ଭୋଗ-ବ୍ୟବସ୍ଥା ବିଧାନ କରିବା ଆକାଂକ୍ଷା ପ୍ରତ୍ୟେକ ପୁରୁଷପାଖରେ ପ୍ରବଳଭାବରେ  ବିଦ୍ୟମାନ । ମହାଭାରତରେ ବର୍ଣ୍ଣିତ  ସମାଜ ଚିତ୍ର ଏ ଦୁଇଟି ତତ୍ତ୍ୱକୁ ସମର୍ଥନ କରୁନି । ମହର୍ଷି ଉଦ୍ଦାଳକଙ୍କ ସ୍ତ୍ରୀ ଚାଲିଗଲେ ବନବିହାର ପାଇଁ ଜଣେ ଯୁବକ ଋଷିଙ୍କ ସହ । ସେତେବେଳକୁ ଆରମ୍ଭ ହୋଇ ଆସୁଥିଲା ପୁରୁଷପ୍ରାଧାନ୍ୟ ଯୁଗ । ଉଦ୍ଦାଳକଙ୍କ ପୁତ୍ର ଯୁବକ ଶ୍ୱେତକେତୁ ମାଆଙ୍କର ଯୌନ ସ୍ୱାଧୀନତାକୁ ସମାଲୋଚନା  କରି ପିତାଙ୍କୁ ପ୍ରଶ୍ନ କଲେ ଏ ଭଳି ନିନ୍ଦନୀୟ ଘଟନାକୁ ସେ ପ୍ରଶ୍ରୟ ଦେଉଛନ୍ତି କେମିତି? ଉଦ୍ଦାଳକଙ୍କ ନିରୁତ୍ତାପ ଉତ୍ତର ଥିଲା ଏଷ ଧର୍ମଃ ସନାତନଃ ଅର୍ଥାତ୍ ଏହା ହେଉଛି ଆମ କୁଳର ସନାତନ ବା ସର୍ବକାଳୀନ ରୀତି । ପୁରୁଷଙ୍କ ମଧ୍ୟରେ ଯୌନଈର୍ଷାର ଅନୁପସ୍ଥିତି ପରିଷ୍କାର ହୋଇଯାଇଛି ମାଧବୀ-ଗାଲବ ମିଥ୍ଟିରେ । ସୁଦାସ ବେଦଯୁଗର ଜଣେ ବିଖ୍ୟାତ ରାଜା ଓ ଯୋଦ୍ଧା । ତାଙ୍କର ସ୍ତ୍ରୀ ମଦୟନ୍ତୀଙ୍କର ମଧ୍ୟ ପ୍ରସିଦ୍ଧି ରହିଛି । ରାଜା ସୁଦାସ ଅଧିକ ଯୋଗ୍ୟ ସନ୍ତାନ ସୃଷ୍ଟି ପାଇଁ ମଦୟନ୍ତୀଙ୍କ ନିକଟକୁ ପ୍ରେରଣ କଲେ ଋଷି ବଶିଷ୍ଠଙ୍କୁ ।  ରାଜା ଭରତ ନିଜ ସନ୍ତାନମାନଙ୍କୁ ରାଜଗାଦୀର ଅଯୋଗ୍ୟ ଘୋଷଣା କରି ଋଷି ଭରଦ୍ୱାଜଙ୍କ ପୁତ୍ରକୁ ଦେଇଦେଲେ ରାଜସିଂହାସନ । ରାଜା ବଳି ଋଷି ଦୀର୍ଘତମାଙ୍କୁ ଅନୁରୋଧ କଲେ ତାଙ୍କ ପତ୍ନୀ ସୁଦେଷ୍ଣାଙ୍କ ସହ ସହବାସ କରି ଯୋଗ୍ୟ ପୁତ୍ରଙ୍କୁ ଜନ୍ମଦେବାର ବ୍ୟବସ୍ଥା କରିବାପାଇଁ । ତାଙ୍କ ପତ୍ନୀ ପାଞ୍ଚଟି ପୁଅକୁ ଜନ୍ମଦେଲେ… ।

 ଋଷି ଉତ୍ତଙ୍ଗଙ୍କର ଛାତ୍ରାବସ୍ଥା ସମୟର ଏ ଘଟଣା । ଥରେ ଗୁରୁଙ୍କୁ ଆଶ୍ରମଠୁଁ ଦୂରକୁ ଯିବାକୁ ପଡ଼ିଲା କୌଣସି କାର୍ଯ୍ୟ ସମ୍ପନ୍ନ ପାଇଁ । ଆଶ୍ରମର ଦାୟିତ୍ୱରେ ରହିଲେ ଉତ୍ତଙ୍ଗ । ଋତୁସ୍ନାନପରେ ଉତ୍ତଙ୍ଗଙ୍କୁ ଗୁରୁପତ୍ନୀଙ୍କର ଶଯ୍ୟାସଙ୍ଗୀ ହେବାକୁ ଅନୁରୋଧ କଲେ ଆଶ୍ରମର ସ୍ତ୍ରୀଲୋକମାନେ । ସେତେବେଳର ଭାରତରେ ପୁରୁଷ ଶାସନତନ୍ତ୍ର ତା’ର ଊଷାକାଳ ଟପି ନଥାଏ । ଉତ୍ତଙ୍ଗ ଆଶ୍ରମର ସ୍ତ୍ରୀମାନଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କଲେ ଗୁରୁଆଜ୍ଞା ନପାଇ ସେ ଏ କାମ କରିପାରିବେନି ବୋଲି । ଗୁରୁ ଫେରିଲାପରେ ସବୁ ଶୁଣିଲେ । ନିଜ ପତ୍ନୀଙ୍କୁ ପଦେ ବି କହିଲେନି । ଉତ୍ତଙ୍ଗଙ୍କୁ ଠିକ କାମ କରିଛୁ ବୋଲି କହିଲେ ।

ଭୃଗୁ ଋଷି ଏକ ବିଖ୍ୟାତ ଋଷି । ଥରେ ସେ ଆଶ୍ରମ ଛାଡ଼ିଲେ କିଛି ଦିନ ପାଇଁ କøଣସି ଗୁରୁତର କାମ ସମ୍ପାଦନ ପାଇଁ । ଶିଷ୍ୟକୁ ଡାକି କହିଲେ ଯିବାପୂର୍ବରୁ ସାବଧାନ ରହିବାପାଇଁ: ଇନ୍ଦ୍ରଙ୍କ ସହ ଗୁରୁପତ୍ନୀ ଯେମିତି ମିଳିତ ନହୁଅନ୍ତି । ଗୁରୁ ଚାଲିଗଲେ । ଇନ୍ଦ୍ର ଆଶ୍ରମର ଚାରିକଡ଼େ ଘୂରିବା ଶିଷ୍ୟ ଦେଖିଲେ । ଗୁରୁପତ୍ନୀଙ୍କୁ ନିଜେ ଯୌନ ସୁଖ ଦେବାକୁ ପ୍ରସ୍ତୁତ ହୋଇଗଲେ । ଗୁରୁପତ୍ନୀ ସନ୍ତୁଷ୍ଟ । ଇନ୍ଦ୍ର ନିରାଶରେ ଫେରିଗଲେ । ଗୁରୁ ଭୃଗୁ ଫେରିଲାପରେ ସବୁ ଶୁଣିଲେ । ଶିଷ୍ୟକୁ କହିଲେ ଠିକ୍ କାମ କରିଛୁ ତୁ!

Rethinking India’s Past ପୁସ୍ତକରେ ଐତିହାସିକ ଆର୍.ଏସ୍.ଶର୍ମା ଲେଖିଛନ୍ତି ଲଦାଖ ଅଞ୍ଚଳର କିଛି ଆର୍ଯ୍ୟଲୋକଙ୍କ ସମ୍ପର୍କରେ । ଲଦାଖର ଗୋଟିଏ ଅଞ୍ଚଳରେ କେବଳ ତିନିଟି ଗ୍ରାମରେ ଆର୍ଯ୍ୟ ଗୋଷ୍ଠୀର ଲୋକେ ରହନ୍ତି । ଏ ଗୋଷ୍ଠୀର ଲୋକମାନେ କୃଷିଦ୍ୱାରା ଜୀବିକା ନିର୍ବାହ କରନ୍ତି । ସେମାନଙ୍କର ଚମଡ଼ାର ରଙ୍ଗ ଧଳା, ନାକ ଓ ଆଖି ଦୁଇଟିର ଗଠନ ଆକର୍ଷଣୀୟ । ୧୮୭୦ପର୍ଯ୍ୟନ୍ତ ସେ ସମାଜରେ Polyandry (ବହୁଭର୍ତ୍ତା ଗ୍ରହଣ) ଏବଂ  Polygamy (ବହୁପତ୍ନୀ ଗ୍ରହଣ) ପ୍ରଥା ବ୍ୟାପକଭାବେ ଚାଲିଥିଲା । ସେମାନେ ଖୋଲାଖୋଲି ପରସ୍ପରକୁ ଚୁମ୍ବନ କରୁଥିଲେ । ସେମାନଙ୍କର ଧର୍ମ ବୌଦ୍ଧ ଧର୍ମ । ବହୁ ସ୍ୱାମୀ ବିବାହ ଧୀରେ ଧୀରେ ସେ ସମାଜରୁ ଉଠିଗଲାଣି । ଖୋଲା ଚୁମ୍ବନ ମଧ୍ୟ ଏବେ ସେମାନଙ୍କ ମଧ୍ୟରେ ପ୍ରଚଳିତ ନାହିଁ । ଏମାନଙ୍କ ବିଷୟରେ ଟାଇମସ୍ ଅଫ୍ ଇଣ୍ଡିଆର ମାର୍ଚ୍ଚ୧୧, ୨୦୦୬ ପାଟନା ସଂସ୍କରଣରେ ପ୍ରବନ୍ଧ ଛପା ହୋଇଥିଲା ।  ଆର୍.ଏସ୍ ଶର୍ମାଙ୍କର Rethinking India’s Past ପୁସ୍ତକର ଏକବିଂଶ ଅଧ୍ୟାୟରେ ସେ ଲଦାଖର ଆର୍ଯ୍ୟଭାଷୀଙ୍କ ସମ୍ପର୍କରେ ଲେଖିଛନ୍ତି ।

ରାମଶରଣ ଶର୍ମା ତାଙ୍କର ବିଖାତ ପୁସ୍ତକ  Sudras in Ancient Indiaରେ(ପ୍ରାଚୀନ ଭାରତରେ ଶୁଦ୍ର) ‘ଉତ୍ପତ୍ତି’ ଅଧ୍ୟାୟରେ ଲେଖିଛନ୍ତି ବର୍ଣ୍ଣଗୁଡ଼ିକ ମଧ୍ୟରେ ଏଇ ଧରଣର ସାମାଜିକ ଦୂରତ୍ୱ ସୂଚକ ଏକମାତ୍ର ଉଲ୍ଲେଖ ପ୍ରଥମେ ମିଳେ ଅଥର୍ବ ବେଦରେ । ଅଥର୍ବ ବେଦରେ ଦାବୀ କରାଯାଉଛି ଯେ ରାଜନ୍ୟ ଓ ବୈଶ୍ୟଠାରୁ କୌଣସି ରମଣୀର ପ୍ରଥମ ସ୍ୱାମୀ ହେବାର ଅଧିକାର ରହିଛି କେବଳ ବ୍ରାହ୍ମଣଙ୍କର । ଏ ପ୍ରସଙ୍ଗରେ ଶୁଦ୍ର ବର୍ଣ୍ଣର ଉଲ୍ଲେଖ ହିଁ ନାହିଁ । ବୋଧହୁଏ ସେହି ସମୟରେ ଶୁଦ୍ରବର୍ଣ୍ଣର ଅସ୍ତିତ୍ୱ ନଥିଲା ।

ଅତୀତ ଭାରତରେ ନାରୀର ଯୌନ ସ୍ୱାଧୀନତା ରହିଥିବା କଥା ଆଉ ଏକ ଉଦାହରଣରୁ ସ୍ପଷ୍ଟ ହୋଇଯିବ । ୧୯୯୨ରେ ପ୍ରଫେସର ପାର୍ଥ ମଜୁମଦାର ଓ ତାଙ୍କ ସହକର୍ମୀମାନେ ମିଶି ଆଧୁନିକ ଜିନ୍ ବିଜ୍ଞାନର ସାହାଯ୍ୟ ନେଇ ଭାରତର ସବୁ ଗୋଷ୍ଠୀର ଲୋକଙ୍କର ଡିଏନ଼୍ଏର ସ୍ୱରୂପ ବିଶ୍ଲେଷଣ କରି ପ୍ରକାଶ କଲେ ଗବେଷଣାତ୍ମକ କିଛି ବହି The people of India Series। ସେମାନଙ୍କର ଗବେଷଣା ଅନେକ ଅସମାହିତ ସମସ୍ୟାର ସମାଧାନ କରିଦେଲା । ମନେହେଉଛି  AA( Austro-Asitaic)ଜନଗୋଷ୍ଠୀ ପାଖାପାଖି ୫୫,୦୦୦ବର୍ଷତଳେ ଭାରତକୁ ଆସିଥିଲେ ।  Indo- European ଜନଗୋଷ୍ଠୀ ( ଆର୍ଯ୍ୟଗୋଷ୍ଠୀ) ଆସିବା ପୂର୍ବରୁ ଭାରତର ଅଧିକାଂଶ ଅଞ୍ଚଳରେ ଦ୍ରାବିଡ଼ ଜନଗୋଷ୍ଠୀର ଲୋକମାନେ ଥିଲେ ।  Indo- European ଜନଗୋଷ୍ଠୀଙ୍କ ଆଗମନପରେ ଭାରତରେ ବର୍ଣ୍ଣ ଓ ଜାତିବିଭାଗ ଦେଖା ଦେଇଥିଲା । ସ୍ତ୍ରୀସମାଜର ଅବସ୍ଥିତି ଜାହିର କରୁଥିବା ଜିନ୍ Mitochondria (ମାଇଟୋକଣ୍ଡ୍ରିଆ)ର ଉପସ୍ଥିତି ପରିଷ୍କାର ସୂଚନା ଦିଏ ଯେ ପ୍ରାୟ ସମସ୍ତ ଭାରତୀୟ ଅଳ୍ପ କେତେଜଣ ନାରୀଙ୍କର ସନ୍ତାନ । ଜଣେ ବିଦୂଷୀ ମହିଳା ଏ ଘଟଣାକୁ  Fecund Droupadi Pheno-menon ବା ବହୁ ସନ୍ତାନବତୀ ଦ୍ରୌପଦୀକରଣ ବ୍ୟବସ୍ଥା ବୋଲି ଅଭିହିତ କରିଛନ୍ତି । ନାରୀଙ୍କର ସମ୍ପୂର୍ଣ୍ଣ ଯୌନ ସ୍ୱାଧୀନତା ନଥିଲେ ଏକଥା ସମ୍ଭବ ହୋଇନଥାନ୍ତା।  ପ୍ରଫେସର ରବିନ ଡନ୍ବାରଙ୍କ ଗବେଷଣା ପ୍ରମାଣିତ କରେ ଯେ ମଣିଷର ବୁଦ୍ଧିର ବିକାଶ  ସାମାଜିକତା (Sociality) ଉପରେ ନିର୍ଭରଶୀଳ ।

ଗ୍ରୀକ୍ ଦାର୍ଶନିକମାନେ ଯୁକ୍ତିଶୀଳତା (Rationality)କୁ ସତ୍ୟପ୍ରାପ୍ତିର ଏକମାତ୍ର ଆୟୁଧରୂପେ ଗ୍ରହଣ କରିଛନ୍ତି । ସତ୍ୟକୁ ‘ସାମାଜିକତା’ଠୁ ବିଚ୍ଛିନ୍ନ କରିଦେବାରୁ କ୍ରୀତଦାସ ପ୍ରଥା, ପୁରୁଷଠୁ ନାରୀର ନିକୃଷ୍ଟତା ଭାବନା, ଯୁଦ୍ଧର ଅନିବାର୍ଯ୍ୟତା ମନୋଭାବ ଗ୍ରୀକ୍ସମାଜରେ ପ୍ରଚଳିତ ଥିଲା ଓ  ବିଶିଷ୍ଟ ଦାର୍ଶନିକଙ୍କଠାରୁ ସ୍ୱୀକୃତି ଲାଭ କରିଥିଲା । ଫଳରେ ପାଶ୍ଚାତ୍ୟ ଜଗତରେ  Predatory ସଭ୍ୟତାର ମୂଳଦୁଆ ଦୃଢ଼ ହୋଇଥିଲା । ସମଗ୍ର ଜୀବଜଗତ ପ୍ରତି ପ୍ରେମ ଅଭାବରେ ହେତୁବାଦ ଯେ ଅନ୍ୟାୟକୁ ନ୍ୟାୟ କହିବାପାଇଁ ପ୍ରେରଣା ଦିଏ, ଏହାର ଉଦାହରଣ ‘ଓକିଲ ସମ୍ପ୍ରଦାୟ’ ଓ ‘ଉଗ୍ର ରାଷ୍ଟ୍ରବାଦୀମାନେ ।’

ଇରାକ୍ରେ, ଆଫଗାନିସ୍ତାନରେ, ଆମେରିକାର ଅତ୍ୟାଚାର ବିରୁଦ୍ଧରେ ଆମେରିକାର ହେତୁବାଦୀମାନେ ସାଧାରଣ ଲୋକଙ୍କ ପ୍ରତି ହେଉଥିବା ଶୋଷଣ ପ୍ରତି ଆଖିବୁଜି ଦେଇଛନ୍ତି । ସେମାନେ କେବଳ ଧର୍ମୀୟ କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ବିଖ୍ୟାତ ସମାଜତତ୍ତ୍ୱବିତ୍  ପ୍ରଫେସର  Zigmunt Bauman ସ୍ୱ-ଲାଭଦାୟକ ଆୟୁଧାତ୍ମକ ଯୁକ୍ତିବାଦ (ମୁଖ୍ୟତଃ ଓକିଲ, ବେପାରୀ ଓ ନେତାଙ୍କର)  instrumental rationality ଓ ବ୍ୟୁରୋକ୍ରାଟଙ୍କର (procedural rationality) “ଠିକ୍ ଢଙ୍ଗରେ ବିଷୟ ଉପସ୍ଥାପନ କରିବା” ୟୁରୋପୀୟ-ହେତୁବାଦ ପ୍ରତି ସମାଲୋଚନାର ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ବିଖ୍ୟାତ ଦାର୍ଶନିକ ଓ ରାଜନୀତି ବିଜ୍ଞାନବିତ୍ John Stuart Mill ଇଂଲଣ୍ଡର ଭାରତ ଶାସନକୁ ଉଚିତ କଥା ବୋଲି ଯୁକ୍ତି ବାଢ଼ିଛନ୍ତି । ଜର୍ମାନୀ ଓ ବାଭାରିଆର ବିଜ୍ଞାନୀସମାଜ ଦ୍ୱିତୀୟ ମହାଯୁଦ୍ଧବେଳେ ଜର୍ମାନୀର ନାଜୀନୀତିର ସମର୍ଥକ ଥିଲେ ଏବଂ ଆଇନଷ୍ଟାଇନଙ୍କ ଜର୍ମାନ୍ ବୈଜ୍ଞାନିକଙ୍କ ଗଠିତ ସଂସ୍ଥାମାନଙ୍କରୁ ଇସ୍ତଫାକୁ ବିରୋଧ କରିଥିଲେ । ଜର୍ମାନୀ ବୈଜ୍ଞାନିକମାନେ ହେତୁବାଦୀ ନଥିଲେ ବୋଲି କହିବା ଭୁଲ ହେବ ।

ସି.ଇ.ଏମ୍.ଜୋଡ଼(C.E.M. Joad) ଜଣେ ନାମକରା ଦାର୍ଶନିକ । ସେ କହିଛନ୍ତି କେତେକ ବିଖ୍ୟାତ ବୈଜ୍ଞାନିକ ଓ ଦାର୍ଶନିକ ଛୋଟ କଥା ନେଇ ମଧ୍ୟ ଅତିରିକ୍ତ ବିରକ୍ତି ପ୍ରକାଶ କରନ୍ତି । ବୁଟ୍ ଲେସ୍ ଛିଣ୍ଡିଗଲେ କିମ୍ବା ଟ୍ରେନରେ ଠିକ୍ସମୟରେ ନଯାଇପାରିଲେ ସେମାନେ ଅତ୍ୟନ୍ତ ବିଚଳିତ ହୁଅନ୍ତି । ମାନସିକ ଶାନ୍ତି ନରହିଲେ ହେତୁବାଦୀଙ୍କ ଯୁକ୍ତି ଠିକ୍ ରାସ୍ତାରେ ଯାଇପାରେନା । ପ୍ରାଚୀନ-ଭାରତୀୟ ହେତୁବାଦୀଙ୍କ ମୁଖ୍ୟଲକ୍ଷ୍ୟ ହେଉଛି ମାନସିକ ଶାନ୍ତି ରକ୍ଷାକରିବା । ବିଜ୍ଞାନକ୍ଷେତ୍ରରେ ଓ ଯୁଦ୍ଧ କରିବାରେ ପ୍ରବୀଣତା ଯୋଗୁଁ ୟୁରୋପୀୟ ସଭ୍ୟତାକୁ ଅତି ବଡ଼ସ୍ଥାନ ଦେଇଥାଉ । ଆମେ ପ୍ରସ୍ତୁତ ନୋହୁ ଗ୍ରହଣ କରିବାପାଇଁ ଏହି ତଥ୍ୟ ଯେ ୟୁରୋପୀୟ ଜ୍ଞାନ-ରାଶି (ଏପରିକି ଦର୍ଶନ ଓ ବିଜ୍ଞାନ ମଧ୍ୟ) predatory ବା ପରଭକ୍ଷୀ ସଭ୍ୟତାର ଅକ୍ଟୋପସୀୟ ଆଲିଙ୍ଗନରୁ ମୁକ୍ତ ନୁହେଁ । ପ୍ରାକ୍ବେଦୀୟ ଭାରତୀୟ ସଭ୍ୟତା ଅ-ପରଭକ୍ଷୀ ଓ ଅ-ପରଶୋଷୀ ନଥିଲା । ବେଦୀୟ ଆର୍ଯ୍ୟଙ୍କ ଆଗମନ ପରେ ଭାରତର ସଂସ୍କୃତି ଦୁଇଟି ଭିନ୍ନ ସଭ୍ୟତାର ସହାବସ୍ଥାନକୁ ଗ୍ରହଣ କଲା (Accertion: Irawati Karve)ଆର୍ଯ୍ୟ ଅଭିଜନମାନେ (Elite) ଅତ୍ୟନ୍ତ ଚତୁର ଭାବରେ ଉଭୟ ସଂସ୍କୃତିର କିଛି ଉପାଦାନ ମିଶାଇ ନିଜ ସୁବିଧା ପାଇଁ କେତେକ୍ଷେତ୍ରରେ ଆତ୍ମଭକ୍ଷୀ ସଭ୍ୟତା (ଜାତି ବିଭାଗ ଓ ଅସ୍ପୃଶ୍ୟତା) ସୃଷ୍ଟି କରିଦେଲେ ।  ରସେଲ କହିଛନ୍ତି ଯୁଦ୍ଧ ସମୟରେ ମଣିଷର ଭଲଗୁଣଗୁଡ଼ିକ ମଧ୍ୟ ମଣିଷ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ସାହସ, ଶାନ୍ତମନ, ସ୍ୱଦେଶ ପ୍ରେମ; ସମସ୍ତେ ମଣିଷମରା କାର୍ଯ୍ୟ ସଫଳ ଭାବରେ କରିବାପାଇଁ ସହଯୋଗ ଦେଇଥାନ୍ତି ।  ଯୁଦ୍ଧଭଳି କ୍ଷତିକାରକ ହେଉଛି ପରଭକ୍ଷୀ ସଭ୍ୟତା । ଏ ସଭ୍ୟତାରେ ‘ହେତୁବାଦ’ ଭଳି  ଉଚ୍ଚସ୍ତରୀୟ ଚେତନା ବି ବ୍ୟବହୃତ ହୋଇଥାଏ ଶୋଷଣକୁ ନ୍ୟାୟସଙ୍ଗତ ରୂପ ଦେବାପାଇଁ । ୟୁରୋପ୍ର ପରଭକ୍ଷୀ-ସଭ୍ୟତା-ପ୍ରଭାବିତ ଦାର୍ଶନିକ ଓ ବୈଜ୍ଞାନିକମାନେ ନିଜ ସଭ୍ୟତାର ଅହଙ୍କାର ରୂପକ ଚିନ୍ତା ଓ ଚେତନାର ଲୁହାଯନ୍ତାରୁ ମୁକୁଳିବା ସମ୍ଭବ ହୋଇନି (ନୋବେଲ ବିଜେତା ଓଲେ ସୋୟିଙ୍କା) । ପରଭକ୍ଷୀ ସଭ୍ୟତାର ସମର୍ଥକ କହେ ପ୍ରକୃତିର ଏକମାତ୍ର ଲକ୍ଷ୍ୟ ଅଧିକରୁ ଅଧିକ ଜ୍ଞାନୀ ବ୍ୟକ୍ତି ସୃଷ୍ଟିକରିବା ଏବଂ ଦର୍ଶନ ବିଜ୍ଞାନ କ୍ଷେତ୍ରରେ ଯେଉଁମାନେ ପ୍ରବୀଣ, ସେମାନେ ଏ ପୃଥିବୀ ଭୋଗ କରିବା ଉଚିତ । ତାହେଲେ ମାନବ ସଭ୍ୟତା ଦିନକୁ ଦିନ ଅଧିକ ଉନ୍ନତ ହେବ(ଉନ୍ନତ ଚେତନା ନଥିବା ଲୋକମାନେ ଅଭିଜନ ଗୋଷ୍ଠୀଙ୍କର କ୍ରୀତଦାସ ହେବା ଉଚିତ: ଆରିଷ୍ଟୋଟଲ) ସଭ୍ୟତାର ମୁଖ୍ୟ ଦାୟାଦ ଅଭିଜନ-ଗୋଷ୍ଠୀ (Elite) ହିଁ ସମସ୍ତ ସୁଖ ସବୁିଧା ପାଇଁ ହକ୍ଦାର ।

ଅ-ପରଭକ୍ଷୀ ସଭ୍ୟତାର ଅଭିଜନ ଗୋଷ୍ଠୀର ମତ ସେମାନଙ୍କର ଧନ, ଜ୍ଞାନ ଓ ସ।।ମର୍ଥ୍ୟ ସବୁକିଛି ସେତେବେଳେ ସାର୍ଥକ ହେବ, ଯେତେବେଳେ ଏ ସବୁ ସମସ୍ତ ଜୀବଜଗତର ମଙ୍ଗଳ କାର୍ଯ୍ୟରେ ଲାଗିବ (ସର୍ବଭୂତ ହିତେ ରତାଃ) । ଯୋଗର ଚାରି ମୂଲ୍ୟବୋଧ (ଅହିଂସା, ସତ୍ୟ, ଅସ୍ତେୟ, ଅପରିଗ୍ରହ) ଠିକ୍ ଏଇ କଥାକହେ । ରସେଲ ପରିଷ୍କାର କହିଛନ୍ତି ହେତୁବାଦ ଏକ ସାଧନ । ଏହା ସାଧ୍ୟର ସ୍ଥାନ ନେଇ ପାରିବନି । ଯୋଗୀୟ ମୂଲ୍ୟବୋଧଗୁଡ଼ିକ ଯେଉଁଠି ଲକ୍ଷ୍ୟ, ସେଠାରେ ହେତୁବାଦ ଠିକ୍ ରାସ୍ତାରେ ଚାଲିବ ।  ପରଭକ୍ଷୀ ସଭ୍ୟତାରେ ‘ହେତୁବାଦ’ କେତେ କ୍ଷେତ୍ରରେ ଅନ୍ୟାୟର ସମର୍ଥନ କରୁଛି । ପ୍ରାକ୍ବେଦୀୟ ଭାରତୀୟ ସଭ୍ୟତା ଏତେ ଉଚ୍ଚସ୍ତରରେ ପହଞ୍ଚିଲା ଯେ ବର୍ତ୍ତମାନ ପୃଥିବୀର ବିଶିଷ୍ଟ ଚିନ୍ତକମାନେ ମଧ୍ୟ ସେ ଯୁଗର ସଠିକ ମୂଲ୍ୟାୟନ କରିପାରୁନାହାନ୍ତି ।

ଶିକାରୀ ସଭ୍ୟତା ଭାରତରେ ହଜାର ହଜାର ବର୍ଷ ଧରି ଅନୁପସ୍ଥିତ ଥିବାରୁ ନାରୀକୈନ୍ଦ୍ରୀକ ସଂଗ୍ରାହକ ସମାଜ ଏଠାରେ ଆସ୍ଥାନ ମାଡ଼ି ହଜାର ହଜାର ବର୍ଷଧରି ତିଷ୍ଠି ରହିଥିଲା । ଫଳରେ ପୃଥିବୀର ସବୁଠୁ ବୁଦ୍ଧିମାନ ଲୋକ ସେ ସମୟରେ ଏଠାରେ ସୃଷ୍ଟି ହୋଇଥିଲେ । ଭାରତ ସେ ସମୟରେ ପୃଥିବୀର ଏକମାତ୍ର ଦେଶ ଥିଲା, ଯେଉଁଠି ଧର୍ମର କୌଣସି ଅସ୍ତିତ୍ୱ ନଥିଲା । ସେ ସମାଜର ଅଭିଜନବର୍ଗଙ୍କର ଉନ୍ନତ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ପୃଥିବୀରେ ଥିଲା ଅନନ୍ୟ । ଏପରିକି ଗ୍ରୀକ୍ ଦାର୍ଶନିକ ଓ ବୈଜ୍ଞାନିକମାନେ ମଧ୍ୟ ସେମାନଙ୍କ ସ୍ତରକୁ ଉଠିପାରିନଥିଲେ । (Science and society in Ancient India : D.P. Chattopadhaya)

 ସିନ୍ଧୁସଭ୍ୟତାର ଦାୟାଦ ଗୌତମ ବୁଦ୍ଧ ଘୋଷଣା କରିଥିଲେ ସେ ଭ୍ରମ ସମ୍ଭାବନା ତତ୍ତ୍ୱ (Fallibility) ଉପରେ ବିଶ୍ୱାସ କରନ୍ତି ଏବଂ ତାଙ୍କ ମତକୁ  ସବୁବେଳେ ବିବେକ ଓ ବିଚାରର କଷଟିର ସମ୍ମୁଖୀନ କରାଇବା ଉଚିତ ।  ପୃଥିବୀର କୌଣସି ପ୍ରତିଷ୍ଠିତ ଧର୍ମ ବିଚାରର ପାଖତଡ଼କୁ ମଧ୍ୟ ଯିବା ସମ୍ଭବ ନୁହେଁ କାରଣ ସେମାନେ ବିଶ୍ୱାସ ଉପରେ ନିର୍ଭରଶୀଳ ।

Photo credit-Internet

About ପ୍ରଫେସର ଭଗବତ ପ୍ରସାଦ

ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

ତ୍ରିକାଳ ହିଂସାର ବିଶ୍ୱରୂପ

ପରାଧୀନତା, ଶୋଷଣ, ଅସମତା, ଯୁଦ୍ଧ, ଧର୍ଷଣ, ଆତଙ୍କବାଦ, ଜନହତ୍ୟା, ଯନ୍ତ୍ରଣାଦାନ ଏ ସମସ୍ତେ ହିଂସାର ଭିନ୍ନ ଭିନ୍ନ ରୂପ । …

Leave a Reply

Your email address will not be published. Required fields are marked *