Home / ନାଟକ / ମଂଚ ନାଟକ / ନାଟକରେ ନାରୀ (ସାକ୍ଷାତକାର – ଅଭିନେତ୍ରୀ ତପସ୍ୱିନୀ ଗୁରୁ)

ନାଟକରେ ନାରୀ (ସାକ୍ଷାତକାର – ଅଭିନେତ୍ରୀ ତପସ୍ୱିନୀ ଗୁରୁ)

ତପସ୍ୱିନୀ ଗୁରୁ – ଭିନ୍ନ ଏକ ମଣିଷ । ନୃତ୍ୟ, ଅଭିନୟ ଓ ସାଂସ୍କୃତିକ ଗବେଷଣା ପ୍ରତିଟି କ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିଆସିଛନ୍ତି ସେ । ସରକାରୀ ସେବାରେ ଥାଇ ମଧ୍ୟ କଳା କ୍ଷେତ୍ରରେ ସେ ସବୁବେଳେ ସକ୍ରିୟ । ‘ଭୂକା’ ଚଳଚ୍ଚିତ୍ରରେ ଅଭିନୟ ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ପୁରସ୍କୃତ । ନିକଟ ଅତୀତରେ ଆଲୋଡ଼ନ ସୃଷ୍ଟିକରିଥିବା ‘ଶଳାବୁଢ଼଼ା’ ଓ ‘ଆଦିମ ବିଚାର’ ଚଳଚ୍ଚିତ୍ର ଦୁଇଟିର ମୁଖ୍ୟ ନାୟିକା ଭୂମିକା ନିଭାଇଛନ୍ତି ତପସ୍ୱିନୀ । ଓଡ଼ିଶାର ନାରୀ କଳାକାର ଓ ଅଭିନେତ୍ରୀ ଯେଉଁମାନେ ନୂଆ କରି ନାଟକ କିମ୍ବା ଚଳଚ୍ଚିତ୍ର ଜଗତରେ ପାଦ ଦେଉଛନ୍ତି ସେମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ । ତାଙ୍କର ଅଭିନୟ କ୍ଷେତ୍ରରେ ବିଶେଷ ଅନୁଭୂତିଗୁଡ଼ିକୁ ଜାଣିବା ପାଇଁ ଆମେ ତାଙ୍କ ସହ ସାକ୍ଷାତକାର କରିଥିଲୁ ।               – ସମ୍ପାଦକ

ପ୍ରଶ୍ନ: ଆପଣ କେବେଠାରୁ ଅଭିନୟ ଜୀବନ ଆରମ୍ଭ କଲେଣି? କେମିତି ଏ କ୍ଷେତ୍ରରେ ପାଦଦେଲେ? କେଉଁମାନେ ଏ କ୍ଷେତ୍ରରେ ବିଶେଷ ସହଯୋଗ କରିଛନ୍ତି?

ଉତ୍ତର: ୮ବର୍ଷ ବୟସରୁ ମୋର ଅଭିନୟ ଜୀବନର ଆରମ୍ଭ । ମୋତେ ବିଶେଷଭାବରେ ପ୍ରେରଣା ଦେଇଛନ୍ତି ବଡ଼ଭଉଣୀ ସୁଲୋଚନା ଗୁରୁ ଓ ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ ମହାନ୍ତି, ଜୟନ୍ତ ମହାରଣା । ପ୍ରକୃତରେ ମୁଁ ଜଣେ ନୃତ୍ୟଶିଳ୍ପୀ । ପିଲାବେଳେ ଥରେ ଡ୍ୟାମ କଲୋନୀ ଅଡ଼ିଟୋରିୟମ୍ରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ନାଟକ ସୀତାଚୋରି ଦେଖି ମୋର ଅଭିନୟ ପାଇଁ ଆଗ୍ରହ ସୃଷ୍ଟି ହୋଇଥିଲା ।

ପ୍ର: ଆପଣ ପ୍ରଥମେ କେଉଁ ନାଟକ କରିଥିଲେ? କେମିତି ଅଭିନୟ ଜଗତକୁ ଆପଣ ଆସିଲେ ଏବଂ କେଉଁସବୁ ସିନେମାରେ କାମ କରିଛନ୍ତି?

ଉ: ସେମିତି ନିର୍ଦ୍ଦିଷ୍ଟଭାବରେ ଜଣେ ପେଷାଧାର ଅଭିନେତ୍ରୀ ଭାବରେ ନୁହେଁ, ହେଲେ ପ୍ରଥମେ ଆମ ସାହିରେ ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ (ଲିଟୁ) ମହାନ୍ତିଙ୍କ ନିର୍ଦ୍ଦେଶନାରେ ରୋହିତାଶ୍ୱ ଭୂମିକାରେ ନାଟକ ‘ଦାନବୀର ହରିଶ୍ଚନ୍ଦ୍ର’ରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରି ଜଣେ ସୌଖିନ କଳାକାର ଭାବେ ଅଦ୍ୟାବଧି ନାଟକ ପରିବେଷଣ କରିଆସୁଛି । ପିଲାବେଳୁ ଅନେକଗୁଡ଼ିଏ ଅଭିନୟ କରିବାର ସୁଯୋଗ ପାଇଛି ଏବଂ ଅଳ୍ପବୟସରୁ ମୋତେ ଚରିତ୍ରାଭିନୟ ଭଲଲାଗେ ବୋଲି କଲେଜରେ +୨ରେ ପଢ଼ୁଥିବାବେଳୁ ମୁଁ ପ୍ରାୟ ଚରିତ୍ରାଭିନୟ କରିଆସିଛି, ତନ୍ମଧ୍ୟରୁ ‘ସତୀ ଅନସୂୟା’, ‘ପେଟେଣ୍ଟ ମେଡ଼ିସିନ୍’, ‘କାଞ୍ôଚ ଅଭିଯାନ’, ‘କଳକୀ’, ‘ବାସିଫୁଲ’, ଓ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ହରିହର ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ ‘ବୁଲା କୁକୁରର ଆତ୍ମକାହାଣୀ’ (ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଦର୍ଶିତ) ଆଦି ଉଲ୍ଲେଖନୀୟ । ଏତଦ୍ବ୍ୟତୀତ ସମ୍ବଲପୁରୀ ସିଡ଼ିଫିଲ୍ମ ‘ଶଳାବୁଢ଼ା’ ଓ ‘ଆଦିମ ବିଚାର’ (ମୁକ୍ତି ପ୍ରତିକ୍ଷାରେ) ଓ ଶିଶୁ ଚଳଚ୍ଚିତ୍ର ‘ଞଷର କକ୍ସସଗ୍ଦଷଦ୍ଭବ ଌ ଞଷର କଷବଦ୍ଭ’(ହିନ୍ଦି)ରେ ଚରିତ୍ରାଭିନୟ କରିଛି ।

ପ୍ର: ଆପଣଙ୍କ ପରିବାର ଆପଣଙ୍କୁ କଳାକାର ହେବାପାଇଁ ପ୍ରେରଣା ଦେଇଥିଲେ କି? ଆପଣଙ୍କ ଅଭିନୟ ଜୀବନ ସେମାନଙ୍କୁ କିଭଳି ପ୍ରଭାବିତ କରିଛି?

ଉ: ମୁଁ ଜଣେ ରକ୍ଷଣଶୀଳ ନୈଷ୍ଠିକ ବ୍ରାହ୍ମଣ ପରିବାରର ଝିଅ ହୋଇଥିବାରୁ ଜେଜେବାପାଙ୍କ ଏସବୁ ପ୍ରତି ତୀବ୍ର ବିରୋଧ ସତ୍ତେ୍ୱ ମୋର ପିତାମାତା କଳାପ୍ରେମୀ ଓ କଳାର ପୃଷ୍ଠପୋଷକ ଥିବାରୁ ସେମାନେ ଆମର ଚାରି ଭଉଣୀଙ୍କୁ ନୃତ୍ୟ, ସଙ୍ଗୀତ ଓ ନାଟକ ପ୍ରତି ସର୍ବଦା ଉତ୍ସାହିତ କରୁଥିଲେ । ବିବାହ ପରେ ମଧ୍ୟ ସ୍ୱାମୀ ଓ ଶାଶୁଘରର ଅକୁଣ୍ଠ ସହଯୋଗ ଓ ପ୍ରେରଣା ମୋତେ କଳାର ପ୍ରଚାର ପ୍ରସାର ଦିଗରେ ଯଥେଷ୍ଟ ସାହାଯ୍ୟ କରିଛି ଓ ବ୍ୟକ୍ତିଗତ ଭାବରେ କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହିଁ । ତେଣୁ ସମସ୍ତ ଶ୍ରେୟ ମୋର ପରିବାର ସଦସ୍ୟଙ୍କୁ ଦେବି । ପରିବାରରେ ସର୍ବଦା ସକାରାତ୍ମକ ଚିନ୍ତାଧାରା ମୋର କଳା ପ୍ରତିଭାକୁ ନେଇ । ବିଶେଷକରି ମୋର ପିତାମାତା ଓ ମୋର ସ୍ୱାମୀ ନନ୍ଦକିଶୋର ଦାଶଙ୍କୁ ସମସ୍ତ ଶ୍ରେୟ ଦେବି କାରଣ ମୋ ସ୍ୱାମୀ ସର୍ବଦା ମୋ ଭିତରେ ଉକ୍ରର୍ଷ ଦେଖିବାକୁ ଚାହାନ୍ତି । ଏତଦ୍ବ୍ୟତୀତ ମୋର ଭାଇଭଉଣୀ, ଭିଣୋଇ, ସାଙ୍ଗସାଥି, ଶୁଭେଚ୍ଛୁ ବିଶେଷକରି ମୋର ଅଫିସର ଓ ସହକର୍ମୀମାନେ ମଧ୍ୟ ମୋତେ ଯଥେଷ୍ଟ ପ୍ରେରଣା ଯୋଗାଇଛନ୍ତି । ସେମାନଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ବିନା ମୋର କଳାପ୍ରତିଭା କେବେବି ବିକଶିତ ହୋଇପାରି ନଥାନ୍ତା । ଜେଜେବାପା ଯଦିଓ ନାଚଗୀତକୁ ବିରୋଧ କରୁଥିଲେ ତଥାପି ଯେତେବେଳେ ପୁରସ୍କାର ଓ ପ୍ରଶଂସାପତ୍ର ଧରି ଫେରୁଥିଲୁ ସେ ଖୁସି ହେଉଥିଲେ । ବ୍ରାହ୍ମଣ ପରିବାର ଝିଅମାନେ ନୃତ୍ୟଗୀତ ଓ ଅଭିନୟ କରିବା ଦ୍ୱାରା କାଳେ ବିବାହରେ ବାଧା ସୃଷ୍ଟି ହେବ ଏହି ଆଶଙ୍କାକୁ ନିଜର କର୍ତ୍ତବ୍ୟନିଷ୍ଠା ଦ୍ୱାରା ଭୁଲ୍ ପ୍ରମାଣିତ କରିବାରେ ସକ୍ଷମ ହୋଇଥିଲି ।

ପ୍ର: ‘ନାଟକରେ ନାରୀ’ ଏ ପ୍ରସଙ୍ଗ ଉପରେ କିଛି କହିବେ କି? ନାଟକକୁ ନାରୀ କେବେ ଆସିଲେ?

ଉ: ଏ ସମ୍ପର୍କରେ ସଠିକ ତଥ୍ୟ ମୋ ପାଖରେ ନାହିଁ । ସାମ୍ପ୍ରତିକ ପୁରୁଷ ପ୍ରଧାନ ସମାଜରେ ଏଯାବତ୍ ନାରୀ ପ୍ରତି ଥିବା ଦୃଷ୍ଟିଭଙ୍ଗୀରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ଆସିନାହିଁ । ସେ ଗ୍ରାମାଞ୍ଚଳ ହେଉ ଅଥବା ସହରାଞ୍ଚଳ ଲୋକଙ୍କ ମାନସିକତା ଏବେବି ସେଭଳି ରହିଛି । ଯେତେ ଆଧୁନିକତାର ଦ୍ୱାହି ଦେଲେ ମଧ୍ୟ ପୁରୁଷପ୍ରଧାନ ସମାଜରେ ନାରୀ ତା’ର ନିଜସ୍ୱ ସଂଜ୍ଞାରେ ଆତ୍ମପ୍ରକାଶ କରିପାରୁ ନାହିଁ ଏବଂ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ନିର୍ଦ୍ଧାରଣ କରିପାରୁ ନାହିଁ । ସମାଜରେ କଳାପ୍ରତି ଲୋକଙ୍କର ଆଗ୍ରହ ଥିବା ସତ୍ତେ୍ୱ ମଧ୍ୟ ନିଜ ପରିବାର ସଦସ୍ୟଙ୍କୁ ନାଟକରେ ଅଭିନୟର ସୁଯୋଗ ଦେବାପାଇଁ ସେମାନେ କୁଣ୍ଠାବୋଧ କରୁଛନ୍ତି । ତେଣୁ ଏବେବି ଗ୍ରାମାଞ୍ଚଳର ମହିଳା ନାଟକ ଭିତରକୁ ଆସିବାକୁ ଶଙ୍କାବୋଧ କରୁଛନ୍ତି । ଏଥିପାଇଁ ଜନସଚେତନାର ଯଥେଷ୍ଟ ଆବଶ୍ୟକତା ରହିଛି । ନାରୀ କେବେ ତା’ର ଅଧିକାର ଚାହେଁନାହିଁ ତାକୁ ଦରକାର କେବଳ କର୍ତ୍ତବ୍ୟ ସମ୍ପାଦନ ପାଇଁ ସୁଯୋଗ । ସୁଯୋଗ ପାଇଲେ ସେ ତା’ର ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ନିଜ ଯୋଗ୍ୟତା ଓ ଦକ୍ଷତାକୁ ପ୍ରମାଣିତ କରିପାରିବ । ତେଣୁ ସେ ସୁଯୋଗରୁ ତାକୁ ବଞ୍ôଚତ କରାନଯାଉ ।

ପ୍ର: ପୂର୍ବରୁ ପୁରୁଷମାନେ ନାରୀ ଭୂମିକାରେ ନାଟକରେ ଭାଗ ନେଉଥିଲେ ତେବେ ନାରୀମାନେ  କାହିଁକି ନାଟକ ଭିତରକୁ ଆସିବା ଜରୁରୀ ହେଲା?

ଉ: ବର୍ତ୍ତମାନ ପରି ସେ ସମୟରେ ନାରୀମାନେ ନାଟକରେ ଅଭିନୟ କରିବାକୁ ଆଗଭର ହେଉ ନଥିବାରୁ ନାଟକରେ ନାରୀ ବଦଳରେ ପୁରୁଷମାନଙ୍କୁ ହିଁ ନାରୀ ଚରିତ୍ରରେ ଅଭିନୟ ପାଇଁ ରଖାଯାଉଥିଲା । କିନ୍ତୁ ସେମାନଙ୍କ ଦ୍ୱାରା ନାରୀସୁଲଭ ପ୍ରଦର୍ଶନ ଠିକ୍ ଭାବରେ ହୋଇପାରୁ ନଥିଲା ଏବଂ ସ୍ୱର, ଚାଲି, କଥାବାର୍ତ୍ତାର ଶୈଳୀ ସବୁଦୃଷ୍ଟିରୁ ତା’ର ଦର୍ଶକଙ୍କୁ ଆକର୍ଷିତ କରିପାରେ ନାହିଁ । ଯଦ୍ୱାରା ନାଟକଟି ଶତପ୍ରତିଶତ ସଫଳତା ପାଇବାରୁ ବଞ୍ôଚତ ହୁଏ । ତେଣୁ ନାଟକକୁ ସର୍ବଜନାଦୃତ କରିବା ସହ ନାଟକର ଶତ ପ୍ରତିଶତ ସଫଳତା ନିମନ୍ତେ ପୁରୁଷ ବଦଳରେ ନାରୀ ଚରିତ୍ରରେ ନାରୀମାନଙ୍କୁ ହିଁ ଅଭିନୟ କରିବାର ସୁଯୋଗ ସୃଷ୍ଟି କରାଗଲା ମୋର ସ୍ୱକୀୟ ମତ ।

ପ୍ର: ଜଣେ ନାରୀ କଳାକାର ଭାବରେ ବିଭିନ୍ନ ନାଟକ ତଥା ଚଳଚିତ୍ରରେ ଅଭିନୟ କରିବା ସମୟରେ ଆପଣଙ୍କର କ’ଣ ଅନୁଭୂତି ରହିଛି?

ଉ: ମୁଁ ପ୍ରଥମରୁ କହିରଖୁଛି ମୁଁ ପେଷାଦାର କଳାକାର ନୁହେଁ ମୁଁ ଜଣେ ସୌଖିନ କଳାକାର । ତେଣୁ ମୁଁ ଯେତେବେଳେ ଯେଉଁ ଅନୁଷ୍ଠାନ ମାଧ୍ୟମରେ ନାଟକରେ ଅଂଶଗ୍ରହଣ କରିଛି ସମସ୍ତଙ୍କ ଠାରୁ ଯଥେଷ୍ଟ ସମ୍ମାନ ଓ ସ୍ନେହ ଶ୍ରଦ୍ଧା ପାଇଛି । ପ୍ରତ୍ୟେକ ନାଟ୍ୟଦଳ ସବୁବେଳେ ମୋ ପ୍ରତି ଭଲ ବ୍ୟବହାର ପ୍ରଦର୍ଶନ କରିଛନ୍ତି ।

ପ୍ର: ନାଟକରେ କାହିଁକି ନାରୀଟିଏ ଅଭିନୟ କରିବା ଜରୁରୀ?

ଉ: ନାରୀ ଭୂମିକାରେ ଜଣେ ନାରୀ ହିଁ ଅଭିନୟ କରିବା ଦ୍ୱାରା ସେ ଭୂମିକାଟିକୁ ସଠିକ ରୂପେ କରିପାରିଥାଏ, ତାକୁ ବିଶେଷ କଷ୍ଟ ହୋଇନଥାଏ । ନାରୀର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି ଓ ତା’ର ରୂପ, ହସ, ଭାବ, ଭଙ୍ଗୀ, ଚାଲି ପ୍ରଭୃତିକୁ ଦର୍ଶକମାନେ ଅଧିକ ଆଗ୍ରହର ସହ ଉପଭୋଗ କରିଥାନ୍ତି । ତେଣୁ ପୁରୁଷମାନେ କରୁଥିବା ନାରୀ ଚରିତ୍ରରେ ଜଣେ ନାରୀ ଭାବରେ ଅଭିନୟ କରିବାର ସୁଯୋଗ ପାଇ ମୁଁ କାହିଁକି ଯେକେହି ବି ହେଲେ ଆନନ୍ଦିତ ହେବା ସ୍ୱାଭାବିକ ଏବଂ ଦର୍ଶକଙ୍କ ଠାରୁ ପ୍ରଶଂସା ପାଇ ମୁଁ ବି ଖୁସି ହୋଇଥିଲି ।

ପ୍ର: ଅଭିନୟ କରିସାରିବା ପରେ ଦର୍ଶକଙ୍କର କିଭଳି ପ୍ରତିକ୍ରିୟା ଆପଣ ଅନୁଭବ କରିଛନ୍ତି?

ଉ: ବାସ୍ତବିକ ଜୀବନରେ ତ ଆମେ ସବୁବେଳେ ଅଭିନୟ କରୁଛୁ କିନ୍ତୁ ମଞ୍ଚରେ ଅଭିନୟ କରିବା ପରେ ଦର୍ଶକ ମାନଙ୍କର ପ୍ରତିକ୍ରିୟା ଦେଖି ମୋତେ ଆହୁରି ପ୍ରେରଣା ମିଳୁଥିଲା । ନାଟକ ସରିବା ପରେ ସେମାନେ ଆସି ଯେତେବେଳେ ଅଭିନୟକୁ ପ୍ରଶଂସା କରନ୍ତି ଭାରି ଖୁସି ଲାଗେ । ଆମ ସମୟରେ ସେମାନେ ଆମର ନୃତ୍ୟ ଓ ଅଭିନୟ ଦେଖି ନିଜ ଭିତରେ କଥା ହୋଇ କହନ୍ତି ବଡ଼ ହେଲେ ଏ ଝିଅ ଜଣେ ଦକ୍ଷ କଳକାର ହେବ ଓ ବହୁତ ନାଁ କରିବ । ବର୍ତ୍ତମାନ କିନ୍ତୁ ସେଭଳି ଦର୍ଶକ ନାହାନ୍ତି କି ପୃଷ୍ଠପୋଷକ ବି ନାହାନ୍ତି ।

ପ୍ର: ନାଟକ ସମୟର କେଉଁକଥା ଆପଣଙ୍କୁ ଅଧିକ ଆନନ୍ଦ ଦିଏ?

ଉ: ମୁଁ ଜଣେ ନୃତ୍ୟଶିଳ୍ପୀ ହୋଇଥିବାରୁ ପ୍ରଥମେ ମୋର ଆତ୍ମବିଶ୍ୱାସ ନଥିଲା କି ଦର୍ଶକମାନେ ମୋର ଅଭିନୟକୁ ପସନ୍ଦ କରିବେ ବୋଲି, କିନ୍ତୁ ନାଟକରେ ଅଭିନୟ କରିବାର ପ୍ରବଳ ଇଚ୍ଛାଶକ୍ତି ହିଁ ଅଭିନୟ ପାଇଁ ମୋତେ ପ୍ରବର୍ତ୍ତାଇଥିଲା । ମୋର ଗୁରୁଜନ ଓ ସାଥୀ ଶୁଭେଚ୍ଛୁମାନଙ୍କର ସଦିଚ୍ଛା ଓ ପ୍ରେରଣା ଅଭିନୟ କ୍ଷେତ୍ରରେ ମୋତେ ଆଗେଇବାରେ ସହାୟକ ହୋଇଥିଲା । ସବୁଠୁ ମଜା ଲାଗେ ଅଭିନୟ କରିବା ପରେ ମଧ୍ୟ ଲୋକେ ସେ ଚରିତ୍ର ନାଁ ଧରି ଡାକନ୍ତି । ତେଣୁ ସେ ଅନୁଭୂତି ଏକ ନିଆରା ଅନୁଭୂତି ।

ପ୍ର: କେଉଁ ନାଟକ ଆପଣଙ୍କୁ ଅଧିକ ପ୍ରଭାବିତ କରିଥିଲା ଓ କାହିଁକି?

ଉ: ନାଟକ ବୁଲାକୁକୁରର ଆତ୍ମକାହାଣୀର ଚରିତ୍ରାଭିନୟ (ନାଟକର ମା ଭୂମିକାରେ) ମୋତେ ପ୍ରଭାବିତ କରିଥିଲା, ସେତେବେଳେ ମୁଁ ଦ୍ୱିତୀୟବର୍ଷ (କଳା)ର ଛାତ୍ରୀ ଥିଲି ଏବଂ ଉକ୍ତ ନାଟକଟି ଜଣେ ବଳିଷ୍ଠ ନିର୍ଦ୍ଦେଶକଙ୍କ ଦ୍ୱାରା ଓ ବହୁ ଅଭିଜ୍ଞ ମଞ୍ଚ କଳାକାରମାନଙ୍କ ଦ୍ୱାରା ଅଭିନୀତ ହୋଇଥିବା ବେଳେ ମୁଁ ଜଣେ ଅନଭିଜ୍ଞ କଳାକାର ଏପରି ଏକ ଭୂମିକାରେ ଅବତୀର୍ଣ୍ଣ ହେବାର ସୁଯୋଗ ପାଇଥିଲି । ପୁନଶ୍ଚ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସବ୍ୟସାଚୀ ମହାପାତ୍ରଙ୍କ ସମ୍ବଲପୁରୀ ସିନେମା ଶଳାବୁଢ଼ାର ‘ତିଏନ୍’ ଭୂମିକାଟି ମଧ୍ୟ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହୋଇଥିବାରୁ ମୋତେ ଖୁସି ଲାଗିଥିଲା ।

ପ୍ର: ଯଦି ଆପଣ ନାଟକ ଲେଖୁଥାନ୍ତେ ତେବେ କେଉଁଭଳି ନାରୀ ଚରୀତ୍ର ନାଟକରେ ସୃଷ୍ଟି କରନ୍ତେ?

ଉ: ଯଦି ମୁଁ ନାଟକ ଲେଖୁଥାଆନ୍ତି ତେବେ ମୁଁ ସଂସ୍କାରଧର୍ମୀ ନାରୀ ଚରିତ୍ର ସୃଷ୍ଟି କରିଥାଆନ୍ତି ଯଦ୍ୱାରା ସାମାଜିକ ଚେତନାର ଏକ ସ୍ୱଚ୍ଛ ପ୍ରବାହ ସମାଜରେ ଅନୁଭୂତ ହୋଇଥାଆନ୍ତା ।

ପ୍ର: ଜଣେ ନାରୀ ନାଟକ କରିବା ବେଳେ ଆମ ସମାଜରୁ କେଉଁଭଳି ପ୍ରତିକ୍ରିୟାକୁ ସାମ୍ନା କରିଥାଏ?

ଉ: ସମାଜରେ ଜଣେ ମହିଳା ଭାବେ ବହୁତ ପ୍ରକାର ସାମାଜିକ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼େ । କିନ୍ତୁ ମୁଁ କେବେ ତାହାକୁ କର୍ଣ୍ଣପାତ କରିନାହିଁ । ମୋ ସ୍ୱାମୀଙ୍କର ସହଯୋଗ ମନୋଭାବ ଜୀବନର ଚଲାପଥରେ ସର୍ବଦା ମୋତେ ଆଗକୁ ବଢ଼ିବାରେ ସାହାଯ୍ୟ କରିଛି ଓ ତାଙ୍କର ସଦିଚ୍ଛା ଓ ପ୍ରେରଣା ଯୋଗୁଁ ଆଜି ଏପର୍ଯ୍ୟନ୍ତ ମୁଁ ପହଞ୍ôଚପାରିଛି । ଏମିତି ସିନା ସାଥୀ ।

ପ୍ର: କେଉଁଭଳି ନାଟକ ଲୋକ ଦେଖିବାପାଇଁ ଭଲ ପାଆନ୍ତି?

ଉ: ମୋର କଳାକାର ଜୀବନର ଅନୁଭୂତି ଭିତରେ ସାମାଜିକ ବାର୍ତ୍ତା ବହନ କରୁଥିବା ନାଟକ ହିଁ ଅଧିକ ଲୋକପ୍ରିୟତା ହାସଲ କରିଥାଏ । ସେ ସମୟରେ ସାମାଜିକ ନାଟକକୁ ବେଶୀ ଗୁରୁତ୍ୱ ଦିଆଯାଉ ନଥିଲା, କାରଣ ସେ ସମୟରେ ସମସ୍ୟାଗୁଡ଼ିକର ପ୍ରାବଲ୍ୟ ବେଶୀ ନଥିଲା । ସାମ୍ପ୍ରତିକ ସ୍ଥିତିରେ ସେମାନେ ଏବଂ ଅର୍ଥନୈତିକ କ୍ଷେତ୍ରରେ ବାରମ୍ବାର ବୈପ୍ଳବିକ ପରିବର୍ତ୍ତନ ସଙ୍ଗଠିତ ହେଉଥିବାରୁ ନାଟକ ରଚନାରେ ବିଭିନ୍ନ ସମସ୍ୟାଗୁଡ଼ିକୁ ବହୁଳଭାବେ ସ୍ଥାନିତ କରାଯାଉଛି ଏବଂ ସମସ୍ୟାଗୁଡ଼ିକର ସମାଧାନର ପନ୍ଥା ମଧ୍ୟ ନାଟକ ମାଧ୍ୟମରେ ନିର୍ଦ୍ଧାରଣ କରାଯାଇପାରୁଛି ।

ପ୍ର: ନାଟକକୁ କେମିତି ଅଧିକ ସମୃଦ୍ଧ ଏବଂ ଲୋକାଭିମୁଖି କରାଯାଇପାରିବ?

ଉ: ନାଟକ ପ୍ରତି ଅନୁରକ୍ତି ଏବଂ ପୃଷ୍ଠପୋଷକତା ହିଁ ନାଟକ ସମୃଦ୍ଧିର ମୂଳାଧାର । ଏତଦ୍ବ୍ୟତୀତ ନାଟକ ପ୍ରତିଯୋଗିତା, ନାଟ୍ୟ ମହୋତ୍ସବ ଇତ୍ୟାଦି ଆୟୋଜନ ମଧ୍ୟ ନାଟକକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ ବିଶେଷ ସହାୟକ ହୋଇପାରିବ । ନାଟକର ଆଙ୍ଗିକ ଓ ଆତ୍ମିକର ମଧ୍ୟ ପରିବର୍ତ୍ତନ ଆବଶ୍ୟକ । ଲୋକ ନାଟକର ପରମ୍ପରାକୁ ଆଧାର କରି ନାଟକ ଅଧିକମାତ୍ରାରେ ସୃଷ୍ଟି ହେଲେ ଏହା ଅଧିକ ଲୋକାଭିମୁଖୀ ହେବ ।

ପ୍ର: ନାଟକ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ କେଉଁଭଳି ସହଯୋଗ କରିପାରିବ?

ଉ: ୨୦-୩୦ବର୍ଷ ତଳେ ଓଡ଼ିଶାର ବିଭିନ୍ନ ନାଟ୍ୟ ସଂସ୍ଥାମାନଙ୍କ ଦ୍ୱାରା ପଥପ୍ରାନ୍ତନାଟକ ମାଧ୍ୟମରେ ଏହିପ୍ରକାର ସାମାଜିକ ସମସ୍ୟାକୁ ନେଇ ନାଟକ ପ୍ରଦର୍ଶନ କରାଯାଉଥିଲା । ସାମ୍ପ୍ରତିକ ସ୍ଥିତିରେ ମଧ୍ୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏଭଳି ନାଟ୍ୟସଂସ୍ଥା ବଞ୍ôଚରହିଛି ଜାଗ୍ରତ ରହିଛି ଓ ସାମାଜିକ ସମସ୍ୟା ଓ କୁସଂସ୍କାର ବିରୁଦ୍ଧରେ ନାଟକ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିଛି ଓ ବିଭିନ୍ନ ସଂସ୍କାରଧର୍ମୀ ନାଟକର ଆୟୋଜନ କରୁଛି । ଏହି ମର୍ମରେ ବାଲେଶ୍ୱରର ସୌଖିନ ନାଟ୍ୟସଂସ୍ଥା ‘କଳାକାର’ ଓ ‘ନାୟିକା’ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏତଦ୍ବ୍ୟତୀତ ସମ୍ବଲପୁର, ବରଗଡ଼, ବ୍ରହ୍ମପୁର, ରାଉରକେଲା, ସୁନ୍ଦରଗଡ଼, ଭୁବନେଶ୍ୱର, ପୁରୀ, ଭବାନୀପାଟଣା, ବଲାଙ୍ଗୀର ଓ ଆହୁରି ଅନେକ ନାଟ୍ୟସଂସ୍ଥା ମାନଙ୍କର ଉଦ୍ୟମ ପ୍ରଶଂସନୀୟ ଅଟେ ।

ପ୍ର: ମଣିଷ ଜୀବନଟା ଗୋଟେ ନାଟକ ସେ ବିଷୟରେ ଆପଣ କ’ଣ କହିବେ?

ଉ: ନାଟକ ହେଉଛି ମଣିଷ ଜୀବନର ପ୍ରତିଲିପି । ନାଟକରେ ମଣିଷ ଜୀବନର ବାସ୍ତବତା ପ୍ରତିଫଳିତ ହେବାର ଦେଖାଯାଇଥାଏ । ସତ୍ୟର ସ୍ୱରୂପକୁ ନାଟକ ଉଦ୍ଘାଟିତ କରେ । ମଣିଷର ଦୈନନ୍ଦିନ ଜୀବନଯାତ୍ରାର ଚିତ୍ର ନାଟକରେ ପ୍ରତିଫଳିତ ହୁଏ । ଆମର ପ୍ରଥାସିଦ୍ଧ ଜୀବନକୁ କେବଳ ଆମେ ନାଟକ ଭିତରେ ହିଁ ଦେଖିବାକୁ ପାଉ । ଭିନ୍ନ ଭିନ୍ନ ଆଲୋଚକଙ୍କ ମତରେ ନାଟକ ଯଦିଓ ମଣିଷ ପାଇଁ ଶିକ୍ଷାର ଏକ ମାଧ୍ୟମ ବୋଲି ବିବେଚିତ ସେହି ମର୍ମରେ ମୋର ବ୍ୟକ୍ତିଗତ ମତ ହେଉଛି ଯେ ଏହା ମନୋରଞ୍ଜନର ଏକ ବଳିଷ୍ଠ ମାଧ୍ୟମ । କାରଣ ମଣିଷ ନାଟକ ଦେଖେ ପ୍ରଥମତଃ ମନୋରଞ୍ଜନ ପାଇଁ । ପରବର୍ତ୍ତି ସମୟରେ ଜୀବନର ବିଭିନ୍ନ ତାତ୍ତ୍ୱିକ ଦିଗଗୁଡ଼ିକୁ ତା’ ଭିତରେ କିପରି ଭାବରେ ପ୍ରତିଫଳିତ ହୋଇଛି ତାକୁ ଉଖାରି ନିଖାରି ବିଶ୍ଳେଷଣ କରେ । ମଣିଷ ଜୀବନ ଓ ନାଟକ ଭିତରେ ତଫାତଟି ହେଉଛି ଏଇଆ ଯେ ‘ଜୀବନଟା ହେଉଛି ବାସ୍ତବତା ଏପରିକି ଅତି ବାସ୍ତବା (ଗ୍ଦଙ୍କକ୍ସସବକ୍ଷସଗ୍ଦଜ୍ଞ) । ନାଟକ ହେଉଛି ତା’ର ଏକ ବିଧିବଦ୍ଧ ପ୍ରତିଫଳନ, ଏଣୁ ଜୀବନ ବିନା ନାଟକ କଦାପି ହୋଇପାରିବ ନାହିଁ । ଏହି ମର୍ମରେ ସେକ୍ସପିୟର କହନ୍ତି – ଜୀବନ ହେଉଛି ନାଟକର ଏକ ବିଶିଷ୍ଟ ଅଙ୍ଗ । ଏଲିଜାବେଥ୍ ଡ଼୍ର୍ୟୁ କହିଥିଲେ; “ୟକ୍ସବଜ୍ଞବ ସଗ୍ଦ ଗ୍ଧଷର ମକ୍ସରବଗ୍ଧସକ୍ଟଦ୍ଭ ବଦ୍ଭୟ କ୍ସରକ୍ଟ୍ରକ୍ସରଗ୍ଦରଦ୍ଭଗ୍ଧବଗ୍ଧସକ୍ଟଦ୍ଭ କ୍ଟଲ କ୍ଷସଲର ସଦ୍ଭ ଗ୍ଧରକ୍ସଜ୍ଞଗ୍ଦ କ୍ଟଲ ଗ୍ଧଷରବଗ୍ଧରକ୍ସ” ଅର୍ଥାତ ନାଟକ ହେଉଛି ଜୀବନ ଦ୍ୱାରା ସୃଷ୍ଟ ଓ ଜୀବନ ଦ୍ୱାରା ଉପସ୍ଥାପିତ । ମଣିଷ ନାଚେ ଏବଂ କଥା କହେ ।

ପ୍ର: ଓଡ଼ିଆ ନାଟକର ଭବିଷ୍ୟତକୁ ନେଇ କିଛି କହିବେ କି?

ଉ: ନାଟକର ଭବିଷ୍ୟତ ବିଷୟରେ ଏତିକି କୁହାଯାଇପାରେ ଯେ ଆଜିକାଲି ପେଷାଦାର ରଙ୍ଗମଞ୍ଚରେ ଆଉ ବିଶେଷ ଭାବରେ ନାଟକ ଅଭିନୀତ ହେବାର ଦେଖାଯାଉ ନାହିଁ । କିନ୍ତୁ ଯାତ୍ରା ଜଗତର ନାଟକ ପ୍ରତି ଲୋକମାନଙ୍କର ପ୍ରବଳ ଆକର୍ଷଣ ଦିନକୁ ଦିନ ବଢ଼ିଚାଲିଛି । ଓଡ଼ିଶାର ପ୍ରତିଷ୍ଠିତ ନାଟ୍ୟସଂସ୍ଥାମାନଙ୍କ ଦ୍ୱାରା ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବହୁଳ ମାତ୍ରାରେ ନାଟକ ପ୍ରଦର୍ଶନ ଚାଲିଛି । ନାଟ୍ୟକାରମାନେ ମଧ୍ୟ ନୂଆ ନୂଆ ନାଟକର ସୃଷ୍ଟି କରି ଚାଲିଛନ୍ତି । ଏଣୁ ଓଡ଼ିଆ ନାଟକର ଭବିଷ୍ୟତ ନିଶ୍ଚିତ ଭାବରେ ଉଜ୍ଜ୍ୱଳ କହିଲେ ଅତ୍ୟୁକ୍ତି ହେବନାହିଁ । ପୁଣି ଜିଲ୍ଲାସ୍ତରଠୁ ଆରମ୍ଭ କରି ରାଜ୍ୟସ୍ତରୀୟ ତଥା ଜାତୀୟ ଓ ଆନ୍ତର୍ଜାତୀୟ ନାଟ୍ୟ ମହୋତ୍ସବ ଆୟୋଜନ ଓ ନାଟକ ପ୍ରତିଯୋଗିତା ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ । ଆଙ୍ଗିକ ଓ ଆତ୍ମିକ ଦିଗର ବିକାଶ ସହିତ ନାଟକ ଯେ ନିଶ୍ଚିତ ଭାବରେ ଓଡ଼ିଶାର ହୃତ ଗୌରବକୁ ଫେରାଇ ଆଣି ନିଜର ସ୍ଥିତିକୁ ସୁଦୃଢ଼ କରି ଜାହିର କରିବ ଏ ବିଶ୍ୱାସ ମୋର ରହିଛି ଓ ଆଗାମୀ ଦିନମାନଙ୍କ ପାଇଁ ନିଶ୍ଚିତଭାବରେ ରହିବ ।

Photo credit- Internet

About ଡ଼ଃ ତପସ୍ୱିନୀ ଗୁରୁ

କଳାକାର ତଥା ରାଜ୍ୟ ସରକାରୀ ଅଧିକାରୀ

Check Also

ନାଟକରେ ନାରୀ- (ସାକ୍ଷାତକାର : ନାଟ୍ୟ ନିର୍ଦ୍ଦେଶକ ଅରୁଣ କୁମାର ସାହୁ)

ପ୍ରଶ୍ନ: ଆପଣ ନିଜର ନାଟକ ଜୀବନର ଆରମ୍ଭ ଓ ବିକାଶ ସମ୍ପର୍କରେ କିଛି କହିବେ କି? ଉତ୍ତର: ମୋର ପିତା …

Leave a Reply

Your email address will not be published. Required fields are marked *