ନାଚୁଣୀ

ମୂଳଲେଖା – ଭାନୁ ଭାରତୀ

ଅନୁସୃଜନ – ଅଞ୍ଜଳୀ ଆଚାର୍ଯ୍ୟ

ନାଚୁଣୀ …ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟ ଲେଖକ ଭାନୁ ଭାରତୀଙ୍କର ଏକ ଅନବଦ୍ୟ ସୃଷ୍ଟି । ଭାନୁ ଭାରତୀଙ୍କର ଏହି ଲେଖାଟି ହିନ୍ଦୀ ଭାଷାରେ ଲିଖିତ ଏକ ପୁସ୍ତକ ଯାହାକୁ ସଂଗୀତ ଓ ନାଟକ ପ୍ରିୟ ପାଠକ ମାନଙ୍କ ନିକଟରେ ଭାଷାନ୍ତର କରି ଉପସ୍ଥାପିତ କରିଛନ୍ତି ଲେଖିକା ଅଞ୍ଜଳି ଆଚାର୍ଯ୍ୟ । ଏହା ଏକ ଧାରାବାହିକ ଲେଖା। ଅଞ୍ଜଳି ଆଚାର୍ଯ୍ୟଙ୍କର ଏହି ଉଦ୍ୟମ ଓଡ଼ିଆ ଭାଷା ପ୍ରତି ଏକ ବଳିଷ୍ଠ ସହଯୋଗ ବୋଲି କୁହାଯାଇପାରେ ଓ ଏହି ସହଯୋଗ ଓଡ଼ିଶାର ନୃତ୍ୟ ଓ ସଂଗୀତରେ ମଧ୍ୟ ନୂତନ ଚିନ୍ତନକୁ ଉତ୍ସାହିତ କରିବ ବୋଲି ବିଶ୍ୱାସ । ନାଚୁଣୀର ଚରିତ୍ରଟି ଅତି ସାମାନ୍ୟ ଜଣାଯାଉଥିଲେବି ଏକ ଅସାମାନ୍ୟ ନାରୀ ଚରିତ୍ର ଯାହାର ନିଜ ଦେହ ଉପରେ ବି ନିଜର କିଛି ଅଧିକାର ନାହିଁ । ସମାଜରେ ନିନ୍ଦିତ, ଲାଂଛିତ ଏକ ଝିଅ ନାଚୁଣୀ ଯାହାପାଇଁ ଅନ୍ୟର ସହୃଦୟତା, ପରିବାର, ପିଲା ସବୁ ସ୍ଵୋପ୍ନ । ହୁଏତ ଚରିତ୍ରଟିକୁ ଆମେ ସମସ୍ତେ ପଢିବା ଜରୁରୀ , ନାଚୁଣୀର ଅନ୍ତର ବେଦନା କୁ ବୁଝିବା ଜରୁରୀ ଏହି ଉଦ୍ଦେଶ୍ୟରେ ଏଠାରେ ଉପସ୍ଥାପନ କରାଯାଇଛି – ନାଚୁଣୀ। ଭାନୁ ଭାରତୀଙ୍କର ଏହି ମହାନ ନାରୀ ଚରିତ୍ରଟିକୁ ଆପଣମାନଙ୍କ ନିକଟରେ ନୃତ୍ୟାଭିନୀତ ଫୋଟୋ ମାଧ୍ୟମରେ ଉପସ୍ଥାପନ କରିଛନ୍ତି ଓଡିଶୀ ନୃତ୍ୟାଙ୍ଗନା ଭାଗିରଥି ସାହି। କାଠମାଣ୍ଡୁ ନେପାଳରୁ ଆସି ଓଡ଼ିଶାରେ ରହି ସେ ଓଡିଶୀ ଗବେଷଣା କେନ୍ଦ୍ରରୁ ନୃତ୍ୟ ଶିକ୍ଷା ଗ୍ରହଣ କରିବା ସହିତ ବିଶ୍ଵର ବିଭିର୍ନ୍ନ ଦେଶରେ ଯାଇ ନିଜ କଳାକାରୀତା ପ୍ରଦର୍ଶନ କରିଛନ୍ତି । ଭାଗିରଥି ସାହିଙ୍କର ଏହି ଅକୁଣ୍ଠ ସହଯୋଗ ପାଇଁ ସମଧ୍ୱନି ବିଶେଷ  ଭାବରେ ଉପକୃତ । – ସମ୍ପାଦକ

ଚିତ୍ରାଭିନୟ – ଓଡିଶୀ ନୃତ୍ୟାଙ୍ଗନା ଭାଗିରଥି ସାହି

ନାଚୁଣୀ – ଆସୁଛି, ଆସୁଛି ଶିଘ୍ର ଚାଲିପାରୁନି ପରା । ରହ ରହ ତୁ ଯିବୁନାହିଁ କୁଆଡେ । ଟିକିଏ ରହ ମୁଁ ଆସୁଛି । ମୁଁ ଜାଣିଥିଲି ତୁ ଆସିବୁ ବୋଲି, ତୁ କୁଆଡ଼େ ଯାଇନଥିଲୁ, ତୁ ଥିଲୁ ଏଇ ଆଖ ପାଖରେ, ଆ ଛିଡା କାହିଁକି ହୋଇଛୁ । ଭିତରକୁ ଆ…, ଏଠି ବସ, ଆରେ ବସ ଏଠି।

କେତେ ବଡ଼ ହୋଇଗଲୁଣିରେ ତୁ । କେଡ଼େ ସୁନ୍ଦର ଦିସୁଛୁ ମୁଁ ବି ତ ଠିକ୍ ଏମିତି ତୋ ପରି ଦେଖାଯାଉଥିଲି, ମୋ ସମୟରେ । କୁଅଡ଼େ ତୁ ଚାଲି ଯାଇଥିଲୁ? ତୁ ଜାଣିଛୁ ମୋର କ’ଣ ହେଲା ଯେ। ବଂଚିଥାଇ ବି ମୁଁ ମରିଯାଇଥିଲି । ସେଇ ଠିକାଦାର ହିଁ ମତେ କହିଲା ତୁ ଆଉ ନାହୁଁ, ମରି ସାରୁଛି । ମୁଁ ବିଶ୍ୱାସ କଲି ନାହିଁ । ଗଙ୍ଗାଜଳ ନେଇ ରାଣ ପକେଇଲା । ତଥାପି ମୁଁ ମାନିଲି ନାହିଁ । କହିଲି ତାକୁ ବିକ୍ରିକରି ଦେଇଛୁ ତୁ । ବିକ୍ରି କରିଦେଇଛୁ ମୋ ଝିଅକୁ । ଛୋଟ ଲୋକ କାହିଁକା ।

ଗାଁ ଲୋକ ବହୁତ ଜମା ହୋଇଗଲେ । ସମସ୍ତଙ୍କୁ ଟଙ୍କାଦେଇ କିଣି ପକେଇଛି ଏହି ଦଲାଲଟି । ମୁଁ କିନ୍ତୁ ଜାଣିଛି ତୁ ମରିନୁ । ଆଉ ମତେ ଛାଡ଼ି କେମିତି ମରିବୁ ତୁ ଯେ । ମୋର କିଏ ଥିଲା ଯେ … ତୁ ବି । ହଁ ତୁ ବି ତ ଚାଲିଯାଇଥିଲୁ । ବିକ୍ରି କରିଦେଇ ଥିଲ ବା ସେ? ମୁଁ ଜାଣିଛି ବଦମାସ ନିଶାଖୋର କେଉଁଠିକାର ।

ତାକୁ ଖାଲି ମଦ ଦରକାର … ବାସ୍ । ମୁଁ ଯାଇଥିଲି ତା ପାଇଁ ଟଙ୍କା ରୋଜଗାର କରିବା ପାଇଁ । କୁନି ପିଲାଟାକୁ ଛାଡ଼ି । ତୁ ଜାଣିବା ପାଇଁଁ ତହିଁରୁ ମୋ ଉପରେ କ’ଣ ବିତୁଥାଏ ଯେ । ଛାତିରେ ଟାଇଟରେ ଚୁନିରିକୁ ବାନ୍ଧି ନାଚୁଥିଲି । ଛାତିରୁ ଧାର ଧାର କ୍ଷୀର ବୋହି ପଡ଼ୁଥିଲା । ଆଖିରୁ ବି ଧାର ଧାର ଲୁହ ବହି ଯାଉଥିଲା । ଖୋଳତାଡ଼ କରିବା ଲୋକ ସେଠିବି ପଛ ଛାଡ଼ୁ ନ ଥିଲେ । ତାଙ୍କ ପାଇଁ ନାରୀର ଏହି ଦୟନୀୟ ସ୍ଥିତି ଖେଳ ଦେଖିଲା ଭଳି । ହାୟରେ ନାରୀ (ଏକା ଥରକେ ହସି ଦେଇ) ଜଣେ ଦାଢ଼ି ବାଲାକୁ ତ ମୁଁ ଏମିତି ଥାପଡ଼ ମାରିଲି ସେ ଏବେ ବି ମନେ ପକେଇବ । ଠିକାଦାର ତ କହିଲା ଆଣ ମୁଁ ପିଇ ନିଏ ।

ଏବେ ତ ମତେ ହସ ମାଡ଼ୁଛି, ହସିକି କହୁଛି । ସେତେବେଳେ ରାଗ ମାଡ଼ୁଥିଲା । ନା ରାଗ ନୁହେଁ ପୁରା ଘୃଣା ଲାଗୁଥିଲା । ସବୁ ପୁରୁଷ ଜାତିକୁ ଘୃଣା, ବେଶି ସେ ଠିକାଦାର ନିଶାଖୋର ଲୋକଟିକୁ । ଯିଏ ମତେ ତୋ ଠୁ ଅଲଗା କରି ମାଇଲ୍ ମାଇଲ୍  ଦୂର ପର୍ଯ୍ୟନ୍ତ ଫୋପାଡ଼ି ଦେଇଥିଲା । ମେଳା ଠେଲାରେ ନାଚିବା ପାଇଁ । ସେ ପ୍ରଥମେ ପୁଣି ଡକେଇଲା । ଘୃଣାର ଅଶ୍ରୁ ଜମାଟ ହୋଇସାରିଥିଲା । ମୁଁ ପୁଣି ଗଲି ନାଚିବା ପାଇଁ ।

ଆରେ ଝିଅ, ନାଚୁଣୀର କାନ୍ଦିବା ପାଇଁ ବି ଫୁରସତ ନାହିଁ । ସତରେ ତାକୁ କୌଣସି ଜିନିଷ ପାଇଁ ଫୁରସତ ନଥାଏ । ହଁ ଝିଅ, ‘ମାଟି’ ହେବା ଯାଏଁ ବି ନୁହେଁ । ମୋ ମନ ଜାଣୁଛି, କେତେ ଉଚ୍ଚ ନିଚ, ଖାଲ ଢିପ ସେ ରାସ୍ତା ଦେଇ ମୁଁ ତତେ ଜନ୍ମ ଦେଇଛି । ସାଧାରଣ ମହିଳାକୁ ଯାହା ଏତେ ସହଜରେ ମିଳିଯାଏ, ନାଚୁଣୀ ପାଇଁ ତାହା ସ୍ୱପ୍ନ । ‘ମା’ ହେବ ଯଦି ସେ ନାଚିବ କେମିତି? ଗୁଡ଼ାଏ ଦିନ ଘରେ ବସେଇ ଖୁଆଇବ କିଏ? ଆଉ ଶରୀର ଟା ହିଁ ତ ନାଚୁଣୀ ପାଇଁ ସବୁ କିଛି । ପିଲାଜନ୍ମ କରିବ ତ ଶରୀର ବିଗିଡ଼ି ଯିବନି ?

ମନରେ କେମିତି ଚିନ୍ତାଥିଲା କେଜାଣି ଜମା ଶାନ୍ତି ଆସୁନଥିଲା । ବାସ୍ ଗୋଟିଏ କଥା ଚିନ୍ତା, ମତେ ଝିଅଟେ ଦରକାର । ଯାହା ବି ହଉ ଝିଅ ପିଲାଟେ ଦରକାର । ମତେ ଭିଷଣ ଡର ବି ମାଡ଼ୁ ଥିଲା । ମୋ ଜୀବନଟା କ’ଣ ଯେ ମୁଁ ତା’ଉପରେ ପୁଣି ଝିଅଟେ ଚାହୁଁଛି। କ’ଣ ତାର ହେବ । ପୁଣି ଭାବେ କାହିଁକି, ସେ ବି ନାଚୁଣୀ ହେବ ମୋ ପରି । ନାଚୁଣୀ କିଛି ଛୋଟ ଜିନିଷ ନୁହେଁ । ଏହି କୌଶଳଟି ଶିଖିଯାଉ, ତାପରେ ଦେଖିବ । ତାକୁ କିଏ ଜିତି ପାରିବ । ସମ୍ଭ୍ରାନ୍ତ ଘର ମହିଳାମାନଙ୍କୁ ବି ମୁଁ ଦେଖିଛି, ତାଙ୍କଠୁ ଜିତି କି ହେବ । ମୋର ଇଚ୍ଛା ଯାହା ସେମିତି ପିଲା ନ ହେଲେ କ’ଣ କରିବ? ନାଚୁଣୀ  ତ ଯାଦୁକର ଅଟେ । ସେ ଗୋଟିଏ ଠୁମକାରେ ମଦ ମଦ କରିଦେଇପାରେ । ଘୁଙ୍ଗୁର ବାନ୍ଧିଦେଲେ ତିନିଲୋକ ପ୍ରକମ୍ପିତ ହୋଇଯାଏ । ଏମିତି ଥାଆନ୍ତି ନାଚୁଣୀ ।

ସେମାନଙ୍କ କଥା ମୁଁ କହୁନାହିଁ, ଯିଏ ଅଂଟା ହଲେଇ ପୁରୁଷ ପିଲାଙ୍କୁ ଆକୃଷ୍ଟ କରି ଘୂରି ବୁଲୁଥାଏ । ତାକୁ କହନ୍ତି ସମସ୍ତେ ନାଚୁଣୀ । କଳହ ପ୍ରିୟାବି ହୋଇଥାଏ । ଯଦି ଜଣେ ଭଲରେ କଥା କହି ପାରୁଛି ପୁରୁଷ ପିଲାଙ୍କୁ ପଟେଇବା କି ବଡ଼କଥା ଯେ । ନା ରେ ଝିଅ…. ତୁ ପଡ଼ିବୁ ନି ଏମିତି କଥାରେ । ମୁଁ ଜାଣିସାରିଛି ଏସବୁ କରିବା ବଡ଼ ମୁସ୍କିଲ୍ । ଆଉ ଏବେତ ଆହୁରି ମୁସ୍କିଲ୍ । ବାଇସ୍କୋପ୍ ଟା ନା ସବୁ ମାଟିରେ ମିଳେଇ ଦଉଛି । ଆଉ ଏହି ଚୁଡ଼ି ବିକାଳି ତ ବେଶି ହଇରାଣ କରୁଛନ୍ତି । ହଁ ଆଉ ଏହି ରେକଡ଼୍ ଡ୍ୟାନସ୍ । ଏବେ ତ ଖାଲି ଠକାମି ଚାଲିଛି । ତୁ କିନ୍ତୁ କରିବୁ ନାହିଁ । ତତେ  ତ ମୁଁ ଗଢ଼ିବି, ନିଜ ହାତରେ । ମୁଁ ହଜାରେ ପ୍ରକାରର ଧକ୍କା ଖାଇ ଯାହା କିଛି ଶିଖିଛି, ସେସବୁ ମୁଁ ତତେ ଶିଖେଇବି । କୌଣସି ରସିକର ଜୁତା ଉଠେଇବାକୁ ପଡ଼ିବନି ତତେ । ତୋ ରସିକ ତ ମୁଁ ସାଜିବି । ନେ ଏଇ ଘୁଙ୍ଗୁର ଧର ପିନ୍ଧ, ମୁଣ୍ଡରେ ଛୁଆଁଇ ଗୋଡ଼ରେ ବାନ୍ଧିପକା । ତା’ ଅର୍ଥ ହେଲା ଏହି ଘୂଙ୍ଗୁରକୁ ନିଜ ମୁଠିରେ ରଖିବା ଭାରି କଠିଣ କାମ । ଏହା ପାଉଁଜି ନୁହଁ ଯେ ପିନ୍ଧି ଦେଇ ଛମ୍ ଛମ୍ କରି ବାଡ଼େଇ ଦେବୁ । ହୃଦୟ ଓ ମନର ଡୋରରେ ବାନ୍ଧିବାକୁ ପଡ଼ିବ ଏହାକୁ । ତେବେ ଯାଇ ଏଥିରେ ତାଳ ଲୟ ସୃଷ୍ଟି ହୁଏ । ଥରେ ସାଧନା ବଳରେ ନିଜ ଅକ୍ତିଆରକୁ ଆସିଗଲେ ତେବେ ନାଚୁଣୀକୁ ତିନି ଲୋକ ବି ଛୋଟ ପଡ଼ିଯିବ ।

(ନାଚୁଣୀ ଅଦ୍ଭୂତ ନୃତ୍ୟ କରେ ଯାହାକି ମୃତ୍ୟୁର ଜୀବନ ପଦ ଦେଖାଏ, ଏହି ନୃତ୍ୟରେ ଜବରଦସ୍ତ ପ୍ରାଣ ଭରି ରହିଥାଏ ।)

(ହସି ହସି ବସିଯାଏ) ସାବାସ୍ । ବିଲକୁଲ ମୋ ଭଳି କରୁଛି । ପାଣିରେ ମାଛ ଭଳି, ତୁ ନେବୁ ନିଶ୍ଚେ ମୋ ଜାଗା । ଲୋକ କହିବେ ମୁଁ ହିଁ ଲେହେଙ୍ଗା ଚୁନରୀ ପିନ୍ଧି ଆସିଯାଇଛି । ଆଶ୍ଚର୍ଯ୍ୟ ହୋଇ ଦେଖିବେ ସମସ୍ତେ । ଆହାଃ … କେତେ ବର୍ଷ ପରେ ମତେ ଖୁସି ଲାଗୁଛି । ଖୁସି ହଁ ଖୁସି … । ତୁ ଚାଲି ଯାଇଥିଲୁ ଲାଗୁଥିଲା ଜ୍ୟୋତି ନାହିଁ । ଯେମିତି ଲାଗିଲା ଅନ୍ଧାର ଘୋଟି ଆଇଲା, ମୁଁ ଖାଲି ଭିତର ବାହାରକୁ ହେଲି । ନାଚୁଥାଏ ତେବେବି ତୁ ଆଖିଆଗରେ ଝକସି ଉଠୁ, ଆସି ଛିଡ଼ା ହେଉ ସେଇ ଅନ୍ଧାରରେ ବି ତୁ ଦୂରରେ ଝିଲମିଲ୍ କରୁ । ମୁଁ ନାଚି ନାଚି ତୋ ପାଖକୁ ଧାଇଁ ଯାଏ । ଆଉ ପାଖରେ ପହଞ୍ଚିଯାଏ । ଦେଖେ ସେଇ ଅନ୍ଧାର ଭିତରେ ତୁ ପୁଣି କୁଆଡ଼େ ଚାଲିଯାଉ । ମୁଁ ହାତଟେକି ତତେ ଧରିବା ପାଇଁ ଚାହେଁ ଓ ସେଠି ମୂର୍ଚ୍ଛିତ ହୋଇଯାଏ । ତଳେ ପଡ଼ିଯାଏ । ମୁଁ ଭୋ ଭୋ କାନ୍ଦେ, କାନ୍ଦନ୍ତି ଦର୍ଶକମାନେ । କହନ୍ତି ଦେଖଣାହାରୀ କି ନାଚୁଣୀର ନୃତ୍ୟ ଆଲୌକିକ । ଭାବି ହେଉ ନାହିଁ ସେ ଯେଉଁ ପ୍ରକାରେ ନାଚୁଛି ଯେ । ଦେଖୁଥିବା ଲୋକର ହୋସ୍ ଉଡ଼ି ଯାଉଛି । ସେ କ’ଣ ଜାଣିବେ ମୋ ମନର ସେ କଷ୍ଟକୁ, ମୁଁ ତ ସେଇ ଘନ ଅନ୍ଧାର ପାର କରି ତତେ କାଖ କରିବା ପାଇଁ ଦୌଡ଼ି ଯାଉଥିଲି । ପୁଣି ଲୋକ କହନ୍ତି ଓ ମୁଁ ନାଚିବା ଆରମ୍ଭ କରେ ।

ମୁଁ ନାଚୁଣୀ ନା । ନାଚର ଭାଷାଟା ହିଁ ମୁଁ ଶିଖିଛି । ମୋର ଚାଲିବା ବି ନାଚ, ହସିବା ବି ନାଚ, କାନ୍ଦିବା ବି ନାଚ । ଜାଣ ଝିଅ ମୁଁ ଛୋଟ ବେଳୁ ଏମିତି ଥିଲି । ନାଁ ନାଁ ତୋପରି ନାଚୁଣୀର ଝିଅ ନ ଥିଲି । କାହାର ଜଣେ ଝିଅ ଥିଲି । କିଛି ତ ଏବେ ସେ କଥା ମନେ ପଡ଼ୁ ନାହିଁ । ମନେ ପଡ଼ୁଛି ଖାଲି, ଜଙ୍ଗଲରେ ପ୍ରଜାପତିମାନଙ୍କ ସହିତ ଘୂରିବୁଲୁ ଥିଲି । ପକ୍ଷୀମାନଙ୍କ ଭଳି ଡ଼େଣା ଫଡ଼ ଫଡ଼ ହେଉଥିଲା । ଝରଣାଭଳି କୁଳୁ କୁଳୁ ନାଚି ବୁଲୁଥିଲି । ଏହି ମୁହୁର୍ତ୍ତରେ ସେ ମତେ ସେଠି ଦେଖିଲା ।

ମୁଁ ପବନରେ ଦୋହଲି ଉଠୁଥିବା ଗଛଭଳି ନାଚୁଥିଲି ଏକଦମ୍ ଏକାନ୍ତରେ, ନିଜ ଭିତରେ ମୁଁ ଡୁବି ଯାଇଥିଲି । ସେ କହିଲା ମତେ ତୋର ନାଚିବାରେ ମନ ଅଛି? ଚାଲ୍ ମୁଁ ତତେ ନାଚ ଶିଖେଇବି । ଆଉ ସେ ମତେ ନେଇ ଆସିଲା । ମୁଁ ହାତ ଗୋଡ଼ କଚାଡ଼ିଲି, କାନ୍ଦିଲି, ପାଟିକଲି। ସେଠି ସେଇ ଜଙ୍ଗଳରେ କିଏ ଥିଲା ଯେ ଶୁଣିବ? ଏବେ ତ ମୁଁ ମୁହଁଟା ବି ଭୁଲି ଗଲିଣି ତାର। ଖାଲି ବଡ଼ ବଡ଼ ନିଶ ସାଙ୍ଗରେ ପାନ ଖାଇ ଥିବା ନାଲି ଓଠ ଦିଟା ମନେ ପଉଛି। ସେଇ ଗଛ ଲତା, ପାହାଡ଼ ସବୁ ପଛରେ ରହିଗଲା। ମୁଁ ଯେଉଁ ନାଚୁଥିଲି ପ୍ରଜାପତି, ଗଛ, ଝରଣା ତାହା ବି ଛାଡ଼ି ଚାଲି ଆସିଲି । ଏବେ ମୁଁ ମେଳାରେ ଠେଲାରେ ଲୋକଙ୍କ ପାଇଁ ନାଚୁଛି । କେତେ ଥର ଏଠୁ ଛାଡ଼ି ପଳେଇଯିବା ପାଇଁ ଚେଷ୍ଟା କରିଛି, ସେ ପ୍ରତ୍ୟେକ ଥର ଧରି ପକେଇ ଆଣି ଆସିବ । ବାଡ଼ାଏ, ଭୋକରେ ରଖେ। …  କ୍ରମଶଃ

About ଅଞ୍ଜଳୀ ଆଚାର୍ଯ୍ୟ

ଲେଖିକା

Check Also

ମାଦଳ କାରିଗର – ‘ଗୁରୁବାରୁ ମହାନନ୍ଦ’

କର୍ଣ୍ଣକୁ ଶ୍ରୁତିମଧୁର, ହୃଦୟକୁ ଛୁଇଁଯାଉଥିବା, ତାଳବାଦ୍ୟର ଝଙ୍କାର ଆଢ଼ୁଆଳରେ ଥିବା ସେ ଏମିତିକା ବ୍ୟକ୍ତିଟିଏ, ଯିଏ ଉକ୍ରୃଷ୍ଟ ସଙ୍ଗୀତ ପାଇଁ …

One comment

  1. anjali acharya is the translator of Bhanu Bharati’s ‘Nachni’ into Odia

Leave a Reply

Your email address will not be published. Required fields are marked *