Home / କଳା / ମାଦଳ କାରିଗର – ‘ଗୁରୁବାରୁ ମହାନନ୍ଦ’

ମାଦଳ କାରିଗର – ‘ଗୁରୁବାରୁ ମହାନନ୍ଦ’

ଲୋକକଳା ଓ ଲୋକସଙ୍ଗୀତର ବଳିଷ୍ଠ ପରିଚୟ ପ୍ରଦାନ କରିଥାଏ ଲୋକବାଦ୍ୟ । ଏହି ବାଦ୍ୟଯନ୍ତ୍ର ତିଆରି କରୁଥିବା ଅଧିକାଂଶ କାରିଗରମାନଙ୍କର କିନ୍ତୁ ସାମାଜିକ ପରିଚୟ କିଛି ନଥାଏ । ବଂଶାନୁକ୍ରମିକ ଭାବରେ ବାଦ୍ୟଯନ୍ତ୍ର ତିଆରିକୁ ସେମାନେ ବୃତ୍ତି ଭାବରେ ଗ୍ରହଣକରି ସଂସ୍କୃତିର ରକ୍ଷକ ଭାବରେ ନିଜ ସାଧନାରେ ଅନବରତ ଲାଗି ପଡ଼ିଥାନ୍ତି । ଯେହେତୁ ଗୋଷ୍ଠୀଗତ ଜୀବନର ପୃଷ୍ଠପୋଷକତା ଏଭଳି ଏକ ମାଧ୍ୟମ ପାଇଁ ଆଉ ଦେଖିବାକୁ ମିଳୁନାହିଁ ଏବଂ ସରକାରୀ ଆନ୍ତରିକତାର ଘୋର ଅଭାବ ଏଦିଗରେ ରହିଛି, ଯେଉଁମାନେ ଏହି ମାଧ୍ୟମକୁ ଲୋକମାନଙ୍କ ଭିତରେ ଏଯାଏଁ ବଞ୍ଚାଇ ରଖିଆସିଛନ୍ତି ସେମାନେ ନିଜେ ବଂଚିବା ତାଙ୍କ ପାଇଁ ଆଜି ସବୁଠାରୁ ବଡ଼ ଆହ୍ୱାନ ହୋଇଯାଇଛି । ଏଠାରେ ଆଲୋଚିତ ‘ଗୁରୁବାରୁ ମହାନନ୍ଦ’ ସେହିଭଳି ଜଣେ କାରିଗର ଏବଂ କଳାକାର ଯିଏକି ନିଜର ବାଦ୍ୟଯନ୍ତ୍ରକୁ ସ୍ୱର ଦେବା ଭିତରେ ଜୀବନକୁ ଖୋଜିପାଇଛନ୍ତି ଯଦିଓ  ଆରଥିକ ଅଭାବ ଅନାଟନ ନିତିଦିନିଆ ଘଟଣା ହୋଇଛି । ଏହି ସାଂସ୍କୃତିକ ପରିଚୟଗୁଡ଼ିକୁ କେମିତି ଜୀବିତ କରି ରଖାଯାଇପାରିବ ତାହା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ।               – ସମ୍ପାଦକ

କର୍ଣ୍ଣକୁ ଶ୍ରୁତିମଧୁର, ହୃଦୟକୁ ଛୁଇଁଯାଉଥିବା, ତାଳବାଦ୍ୟର ଝଙ୍କାର ଆଢ଼ୁଆଳରେ ଥିବା ସେ ଏମିତିକା ବ୍ୟକ୍ତିଟିଏ, ଯିଏ ଉକ୍ରୃଷ୍ଟ ସଙ୍ଗୀତ ପାଇଁ ପାରିଶ୍ରମିକ ଅପେକ୍ଷା ସୂକ୍ଷ୍ମ ସ୍ୱର ସଂଯୋଜନାରେ ବିଶ୍ୱାସ କରନ୍ତି, ଯାହାଙ୍କଠାରେ ବିଦ୍ଧିବଦ୍ଧ ଶିକ୍ଷାବ୍ୟବସ୍ଥା ହାର ମାନିଯାଏ ।

ବଲାଙ୍ଗିରରୁ ପୂର୍ବପଟ ଦେଇ ତୁଷୁରା ଯିବା ରାସ୍ତାରେ ୫କି.ମି. ଗଲେ ଠିକ୍ ବାମ କଡ଼କୁ ପଡ଼େ ଭାଲେର ଗାଁ । ଗାଁ ମୁଣ୍ଡରେ ଏକ ଛୋଟ ହରିଜନ ପଡ଼ା । ପଡ଼ାର ପ୍ରଥମ ଘରଟି ରାଇଝାଟିରେ ଘେରା ଦୁଇବଖରା ମାଟିକୁଡ଼ିଆ ଘର । ଗୋଟିଏ ବଖରାର ପଛକାନ୍ଥ ଭାଙ୍ଗିଯିବାରୁ କଞ୍ଚାଇଟାରେ ନିବୁଜ କରାଯାଇଛି । ଝାଟି ଭୂଇଁରେ ଚାରିପଟର ବାଡ଼ । ମୁଣ୍ଡଗୁଞ୍ଜା ଛାତ ଭିତରେ କିଛି ଘରକରଣା ଛାଡ଼ିଦେଲେ ଚାରିପଟେ ବିଛାଇ ପଡ଼ିଥାଏ ଡୁବି, ମୃଦଙ୍ଗ, ତବଲା, ଢୋଲକ, ଖଞ୍ଜଣି, ବାଦ୍ୟଯନ୍ତ୍ରର ସମାହାର । କିଏ ଅର୍ଦ୍ଧନିର୍ମାଣରେ ତ କିଏ କେବଳ ଖରଣି ପ୍ରଳେପ ପରେ କାରିଗରଙ୍କର ଶେଷସ୍ପର୍ଶର ଅପେକ୍ଷାରେ ।

ବୋଧହୁଏ ଜୀବଜଗତର ସବୁଠାରୁ ସୁନ୍ଦର ଏବଂ ଦୃଦୟସ୍ପର୍ଶୀ ଏହି ସଙ୍ଗୀତ । କେତେବେଳେ ନିଜ ମନ ହୃଦୟର ଆବେଗକୁ ପ୍ରକାଶ କରିବା ପାଇଁ ତ କେତେବେଳେ କର୍ମମୟ ଜୀବନରୁ ଟିକେ ବିରତି ନେବାପାଇଁ ମଣିଷ ସଙ୍ଗୀତର ସାହାରା ନେଇଥିବା ବେଳେ କଳାକାରଟି ପାଇଁ ଏହା ଅନେକ ସାଧନା ପରେ ଅର୍ଜିଥିବା ପରିଚୟଟିଏ ହୋଇଥାଏ ।

ଲୋକଙ୍କ ସୃଷ୍ଟିରୁ ସଙ୍ଗୀତ ସୃଷ୍ଟି । ସଙ୍ଗୀତର ଗୋଟିଏ ମୁଖ୍ୟ ଅଙ୍ଗ ତାଳବାଦ୍ୟ ଲୋକକଳାର ଏକ ଅବିସ୍ମରଣୀୟ ସୃଷ୍ଟି । ସଙ୍ଗୀତ ପାଇଁ ତାଳବାଦ୍ୟର ଉପସ୍ଥିତି ଅନିର୍ବାଜ୍ୟ ଅଟେ । ଏହି ତାଳବାଦ୍ୟର ବହୁଳ ବ୍ୟବହାର ଲୋକକଳା ଏବଂ ଲୋକ ସଂସ୍କୃତିରେ ଦେଖିବାକୁ ମିଳିଥାଏ । ଏହି ଲୋକବାଦ୍ୟର ତାଳେ ତାଳେ ଯେତେବେଳେ ଢୋଲରେ ଢୋଲିଆକୁ, ମୃଦଙ୍ଗରେ ମୃଦଙ୍ଗିଆକୁ, ମାଦଳରେ ମାଦଳିୟାକୁ ଉନ୍ମାଦିତ ଅବସ୍ଥାରେ ଲୋକେ ଦେଖନ୍ତି ସେତେବେଳେ ନୃତ୍ୟବାଦ୍ୟର ଏହି ଛନ୍ଦରେ ନିଜକୁ ମଜାଇ ଦିଅନ୍ତି । ଲୋକକଳା ସୃଷ୍ଟି କରିଥିବା ଏବଂ ଲୋକବାଦ୍ୟ ସୃଷ୍ଟି କରିଥିବା ଏହି ମହାନ କଳାକାରମାନଙ୍କ ନିକଟରେ ସଙ୍ଗୀତଜଗତ ସବୁବେଳେ ଋଣି ହୋଇ ରହିଥିବ ।

ପୁରୁଷ ପୁରୁଷ ଧରି କଳାଜଗତକୁ ବଲାଙ୍ଗିର ଜିଲ୍ଲାର ଏହି ଦଳିତ ସମ୍ପ୍ରଦାୟର ଗୋଟିଏ ପରିବାର ଆଜିଯାଏଁ ଅନବରତ ସେବା ଦେଇଆସିଛନ୍ତି। ସେହି କଳାକାର ଜଣକ ହେଉଛନ୍ତି ଗୁରୁବାରୁ ମହାନନ୍ଦ ଯିଏକି ତାଳବାଦ୍ୟ ଯନ୍ତ୍ରର ଜଣେ ପୁରୁଷାନୁକ୍ରମିକ କାରିଗର। ବୟସ ୪୫ ପାଖାପାଖି । ତାଙ୍କର ୫ଟି କନ୍ୟା ୨ଟିପୁଅ ସହିତ ସହଧର୍ମିଣୀକୁ ନେଇ ଘରସଂସାର । ଆର୍ଥିକ ଅନାଟନରେ ୫ମରୁ ପାଠପଢ଼ାରେ ଡୋରି ବାନ୍ଧିଥିଲେ ମହାନନ୍ଦ । ସେତେବେଳେ ବୟସ ମାତ୍ର୧୨/୧୩ ହୋଇଥାଏ । ଅଜାଙ୍କ ତାଗିଦ୍ରେ ପରିବାରର ବୋଝକୁ କିଛି ଦୂର କରିବା ପାଇଁ ଅନିଚ୍ଛା ସତ୍ତେ୍ୱ ବଂଶାନୁକ୍ରମିକ ତାଳବାଦ୍ୟ ତିଆରିରେ ମନ ବଳାଇଲେ ସେ । ଶିଖୁ ଶିଖୁ ପାରଙ୍ଗମ ମଧ୍ୟ ହେଲେ । ଭଲ ଭଲ ମୃଦଙ୍ଗ, ଡୁବି, ଡୋମୋ, କଡ଼କଡ଼ି ଇତ୍ୟାଦି ତିଆରି କରିବାର କୌଶଳ ଶିଖିଗଲେ । ସମୟକ୍ରମେ ଅଜାଙ୍କ ବିନା ସାହାଯ୍ୟରେ ନିଜେ ନିଜେ ବାଦ୍ୟଯନ୍ତ୍ର ତିଆରି କଲେ ଏବଂ ବିକ୍ରିବଟା ମଧ୍ୟ କଲେ । ରାତ୍ର ଚାରିଟାରୁ ଉଠି ନିତ୍ୟକର୍ମ ସାରି ବାଦ୍ୟଯନ୍ତ୍ରର ଛାଲ କାଟିବା ସହିତ ବାଦ୍ୟ ମୁହଁରେ ଖରଣ ପାଣି ଦିଅନ୍ତି । ଖରଣ ଏକପ୍ରକାର ପ୍ରଲେପ ଯାହା ତାଳବାଦ୍ୟ ପକାଇବାରେ ସାହାଯ୍ୟକରେ ଯାହା କୋଇଲା, ଖପର, ମାଟି, ତୋରାଣୀରୁ ତିଆରି ହୁଏ । ବାଦ୍ୟରେ ଖରଣ ଦେବାର ମୁଖ୍ୟ ଦାୟିତ୍ୱ କାରୀଗରଙ୍କର ଯେଉଁଥିରେ ତାଙ୍କର ବେଶୀ ସମୟ ଚାଲିଯାଏ । ଦିନ ୧୦ଟାରୁ ସୂର୍ଯ୍ୟାଲୋକ ଥିବାଯାଏଁ ଗୁରୁବାରୁ ଏହି କାମରେ ବସିଥାଆନ୍ତି ।

ଆଖପାଖ ଗାଁ’ର କୀର୍ତ୍ତନ ଦଳଗୁଡ଼ିକ ତାଙ୍କୁୁ ଆସି ମୃଦଙ୍ଗ ବରାଦ ଦିଅନ୍ତି । ଏଥିପାଇଁ ପାଖ ଜିଲ୍ଲା ବରଗଡ଼, ସୋନପୁର, ସମ୍ବଲପୁର, କଳାହାଣ୍ଡିରୁ ବିରାଟ ବରାଦର ସ୍ରୋତଗୁଡ଼ିକ ମଧ୍ୟ ଅଜାଡ଼ି ହୋଇ ଆସେ । ଟିଟିଲାଗଡ଼ ସାପ୍ତାହିକ ବଜାରରେ ତାଙ୍କର ମୃଦଙ୍ଗ ବେଶ୍ ଆଦରଲାଭ କରିଥିଲା । ସେ ଏବେ ଆଉ ବଜାରକୁ ବିକ୍ରି କରିବାକୁ ଯାଉନାହାନ୍ତି । ବାହାରର କଳାକାର, କୀର୍ତ୍ତନ ଦଳ, ବାଜାପାଟି ବ୍ୟବସାୟୀମାନେ ଘରକୁ ବରାଦ ଦେବା ସକାଶେ ଆସନ୍ତି । ଜିନିଷ ତିଆରି ହେବା ଆଗରୁ ଅଗ୍ରୀମ ଟଙ୍କା ମଧ୍ୟ ଦିଅନ୍ତି । ବାଦ୍ୟଯନ୍ତ୍ର ପାଇଁ ଦରକାର କଞ୍ଚାମାଲ ଚମଡ଼ା । ପାଖ ଗାଁ ଏବଂ ନିଜ ଗାଁ ମାନଙ୍କରେ ଚାଷୀକୂଳର ଗାଈ, ବଳଦ, ମଇଁଷି ମରିଗଲେ ତାକୁ ଖବର ପାଇ ବୋହିଆଣନ୍ତି ସେ । ଏ

କ ନିଛାଟିଆ ଜାଗାରେ ନିଖୁଣଭାବରେ ମାଂସ ଠାରୁ ଚମଡ଼ାକୁ ଛଡ଼ାଇ ଛୋଟ ଛୋଟ ବାଡ଼ି ସାହାଯ୍ୟରେ ଖରାରେ ସୁଖାଇ ଦିଅନ୍ତି । ୩/୪ଦିନ ଶୁଖିଲା ପରେ ଚମଡ଼ାର ଲୋମକୁ ସଫାକରି ବାଦ୍ୟଯନ୍ତ୍ର ପାଇଁ ମୁଖବନ୍ଧ, ରସି, ଫିତା ତିଆରି କରନ୍ତି । ଏଥିରେ ମାଟି ଓ କାଠର ଖୋଳ (ଗୁମା) ଦରକାର ପଡ଼େ । ସେଥିପାଇଁ କୁମ୍ଭକାର ଠାରୁ ତାହା ଅଣାଯାଏ । ୫ବର୍ଷ ହେଲାଣି ଗୋରୁଗାଈଙ୍କ ସଂଖ୍ୟା ଟିକେ କମିଯିବାରୁ କଞ୍ଚାମାଲ ମିଳିପାରୁ ନାହିଁ ସେଥିପାଇଁ ଗାଁ’ମାନଙ୍କରେ ଖାସି, ବୋଦା, ଛେଳି, ମେଣ୍ଢାରୁ ମରାଯାଉଥିବା ଚମଡ଼ା କିଣିଆଣନ୍ତି ବା ଚମାର ସମାଜଠୁ ଗୋଟିଏ ଚମଡ଼ାକୁ ୫୦୦ଟଙ୍କା ଦରରେ କିଣି ନିଅନ୍ତି ।

ବିବାହ ଉତ୍ସବରେ ସମ୍ବଲପୁରୀ ବାଜା ତିଆରି, ମରାମତି ପାଇଁ ଖରାମାସରେ ଭିଡ଼ ଜମି ରହିଥାଏ । ବର୍ଷକର ବାକି ଦିନମାନଙ୍କରେ କୀର୍ତ୍ତନଦଳଙ୍କ ମୃଦଙ୍ଗ ସଜାଡ଼ିବା, ନୂଆ ନୂଆ ଢୋଲକ, ତାସା, ନିସାନ ତିଆରି କରିବାରେ ସମୟ ନିଅଣ୍ଟ ହୋଇପଡ଼େ ସେଥିପାଇଁ ବେଳେ ବେଳେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖିନ ମଧ୍ୟ ହୁଅନ୍ତି । ସେ ଯାହା ହେଉ ଭଲ ବାଦ୍ୟଯନ୍ତ୍ରଟିଏ ପାଇଁ ସମସ୍ତେ ତାଙ୍କ ଉପରେ ନିର୍ଭର କରନ୍ତି ।

ବାକି ସାମଗ୍ରୀ ତିଆରି କଲେ ମଧ୍ୟ ମୃଦଙ୍ଗ ତିଆରିର ବରାଦ ବେଶୀ ସଂଖ୍ୟାରେ ପଡ଼େ । ବର୍ଷକରେ ୨୦/୪୦ମୃଦଙ୍ଗ ନିଜେ ତିଆରି କରନ୍ତି । ଗୋଟିଏ ମୃଦଙ୍ଗର ଦାମ ୧୨୦୦/୧୫୦୦ଟଙ୍କା ପଡ଼େ । ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ଏସବୁ କାମ ପାଇଁ ସାହାଯ୍ୟ କରନ୍ତି । ବେଶ୍ ଦୁଇପଇସା ରୋଜଗାର ହେଉନଥିଲେ ମଧ୍ୟ ପରିବାରଟି ଚଳିଯାଏ କିନ୍ତୁ ଭବିଷ୍ୟତର ଭଲମନ୍ଦ ପାଇଁ ଜମା ଆକାରରେ କିଛି ରଖିପାରନ୍ତି ନାହିଁ । ଝିଅମାନଙ୍କର ବାହାଘର, ରୋଗ ହେଲେ ଚିକିତ୍ସା ସମୟରେ ଆର୍ଥିକ ଅସୁବିଧାର ସମ୍ମୁଖିନ ହୁଅନ୍ତି । ହେଲେ ମନଉଣା କରିନାହାନ୍ତି କେବେ । ତାଙ୍କ କାରିଗରୀକୁ ନେଇ ଯେତେ ଲାଭବାନ ନହୁଅନ୍ତି ସେତେ ଯତ୍ନବାନ ହୁଅନ୍ତି ନିଜ କାମକୁ ନେଇ। କଳାପ୍ରତି ଏପରି ଉତ୍ସର୍ଗୀକୃତ ମନୋଭାବକୁ ନେଇ ଗର୍ବିତ ସେ ।

ହଜାର ହଜାର ଦର୍ଶକ ତାଙ୍କ ବାଦ୍ୟଯନ୍ତ୍ର ଦ୍ୱାରା ବିମୁଗ୍ଧ ହୋଇଥିବେ କିନ୍ତୁ କେବେ କୌଣସି ରଙ୍ଗମଞ୍ଚକୁ ଯାଇ ବା ବଡ଼ ବଡ଼ ଅଡିଟୋରିୟମ୍ କାର୍ଯ୍ୟକ୍ରମରେ ଉପସ୍ଥିତିର ସୌଭାଗ୍ୟ ଜୁଟିନାହିଁ । ସମ୍ମାନ, ମାନପତ୍ର ତ ସାତସପନ କେହି ସେ ନିରବଚ୍ଛିନ୍ନ ସାଧକଙ୍କୁ ସଭାସମିତିରେ ଉପସ୍ଥିତି ପାଇଁ ଡାକିନାହାଁନ୍ତି । ଯେତେ ପଇସା ରୋଜଗାର କରୁଥିଲେ ମଧ୍ୟ ବଡ଼ ପରିବାର, ସମୁଦ୍ରକୁ ଶଙ୍ଖେ ପାଣି । ଅନ୍ୟ କାରିଗରମାନଙ୍କ ପରି ସରକାର ଲୋକବାଦ୍ୟର ଏହି ଅନନ୍ୟ ବାଦ୍ୟଯନ୍ତ୍ର କାରିଗରଙ୍କ ପ୍ରତି କେବେ ଦୃଷ୍ଟି ନିକ୍ଷେପ କରିବାର ସମ୍ଭାବନାଟିଏ ମଧ୍ୟ ନାହିଁ ।

ଏବେ ଅତ୍ୟାଧୁନିକ ଯୁଗରେ ଇଲେକ୍ଟ୍ରୋନିକ ସାମଗ୍ରୀର ଯନ୍ତ୍ରପାତି ବାହାରିଲାଣି । ତୁମର ତାଳବାଦ୍ୟର ଚାହିଦା ଏବଂ ସ୍ଥିତି କ’ଣ ବୋଲି ପଚାରିଲେ ସେ କୁହନ୍ତି – ‘ଆଦୌ ନୁହେଁ ବାଦ୍ୟଯନ୍ତ୍ର ତିଆରି କମିନାହିଁ । ଖାଲି ତିଆରି କରିବା ପାଇଁ କଞ୍ଚାମାଲ କମିଯାଇଛି।’ ବାଦ୍ୟଯନ୍ତ୍ରର ନିଆରା କାରିଗର ଭାବରେ କେବେ ତାଙ୍କୁ ବାହାବା ମିଳିନି ସତ ସେ କିନ୍ତୁ ପ୍ରକୃତରେ ପ୍ରଶଂସାର ପାତ୍ର ଅଟନ୍ତି ।

ଗୁରୁବାରୁ ମହାନନ୍ଦ ହୋଇପାରନ୍ତି ଦଳିତ, ଅବହେଳିତ କିମ୍ବା ଅଳ୍ପ ପାଠୁଆ ହେଲେ ସଙ୍ଗୀତ ଜଗତ ପ୍ରତି ତାଙ୍କର ଅବଦାନ ଅପୂରଣୀୟ । ନିଜ ସମ୍ପର୍କରେ କିଛି କହିବା ପାଇଁ ତାଙ୍କୁ ଉତ୍ସାହିତ କରିବାରୁ ସେ ପ୍ରକାଶ କରିଛନ୍ତି ନିଜ ମନର କିଛି ଅକୁହା କଥା । ଯାହାର ଉପସ୍ଥାପନା ନିମ୍ନରେ କରାଯାଇଛି ।

‘ମୋ ପିତାଙ୍କ ନାମ ଗଜବନ୍ଦ ମହାନନ୍ଦ, ମାତାଙ୍କ ନାମ ତୁଳସୀ ମହାନନ୍ଦ । ପୁରୁଷ ପୁରୁଷ ଧରି ଏ କାର୍ଯ୍ୟ ଆମେ କରିଆସୁଛୁ । ତାଳବାଦ୍ୟ ପ୍ରତି ମୋର କାହିଁକି ଆଗ୍ରହ ଆସିଲା ବୋଲି ଆପଣ ପଚାରିଛନ୍ତି । ଏହା ଆମ ଘର ଭିତରୁ ସୃଷ୍ଟି ହେଉଥିବା ରୋଜଗାର ଏବଂ ମୋର ଅଜାଙ୍କର ତତ୍ତ୍ୱାବଧାନରେ ତାଳବାଦ୍ୟକୁ ଶିଖିବା ପାଇଁ ପ୍ରୟାସ କରିଥିଲି । ମୋର ଜମିବାଡ଼ି ବୋଲି କିଛି ନାହିଁ । ଘରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ।

ବାଦ୍ୟତିଆରି ବ୍ୟତୀତ ଅନ୍ୟର ଜମିରେ କିଛି ଚାଷକରେ ଏବଂ ଦୁଇପଟ ମେଣ୍ଢା ଘରେ ସମ୍ପତ୍ତି ଆକାରରେ ରହିଛି । ମୋ ସ୍ତ୍ରୀ ଓ ବଡ଼ଝିଅ ବାଦ୍ୟଯନ୍ତ୍ର ତିଆରିରେ ମୋତେ ସହଯୋଗ କରନ୍ତି । ଟିକରପଡ଼ା, ଟିଟିଲାଗଡ଼, ସଇଁତଳା, କଟାବାଞ୍ଜି ଓ ବାହାର ଜିଲ୍ଲା-ସୋନପୁର, କଳାହାଣ୍ଡି, ବାହାର ରାଜ୍ୟ- ଛତିଶଗଡ଼ରୁ ମଧ୍ୟ ଲୋକେ ବାଦ୍ୟ ତିଆରି କରିବାପାଇଁ ଆସନ୍ତି । ହଁ ଆପଣ ପଚାରୁଥିଲେ- ‘କେବେ କାହାଠାରୁ ପ୍ରଶଂସାପତ୍ର ପାଇଛିନ୍ତି କି?’

ନାଁ, କୌଣସି ଅନୁଷ୍ଠାନଠାରୁ ବାଦ୍ୟ ତିଆରି ପାଇଁ ପ୍ରଶଂସାପତ୍ର ପାଇନାହିଁ । ନିଜେ ବଜାଇ ଶିଖିଥିଲେ ଯାଇ ବାଦ୍ୟ ତିଆରି କାମ କରିହୁଏ । ମୁଁ ମାଦଳ ଭଲ ଭାବରେ ବଜାଇ ଜାଣେ ଏବଂ ‘କରମା ନାଚ’ରେ ଜିଲ୍ଲାର ପାଖ ଜାଗା ମହଲେଇ, ମାଧିଆପାଳି, କୁଟେନପାଳି ବାଦ୍ୟ ନାଚ ସକାଶେ ଗାଁର ଦଳ ସହିତ ଯାଇଥାଏ । ଆଜିର କଳାକାରମାନଙ୍କୁ ମୋର କିଛି କହିବାର ଅଛି- ଆଜିକାଲି ଯେଉଁ ସୌଖିନ ବାଦ୍ୟ ବଜାରକୁ ଆସୁଛି ତା’ର କାର୍ଯ୍ୟକାଳ, ଗୁଣବତ୍ତା ଦୀର୍ଘସ୍ଥାୟୀ ନୁହେଁ ତେଣୁ କଳାକାର ଭାଇମାନେ ଆମ ପାରମ୍ପରିକ ବାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।’

About ଯୁଦ୍ଧିଷ୍ଟିର ମେହେର

ସାମ୍ବାଦିକ

Check Also

ସମର୍ପିତ ଶିଳ୍ପୀ ନରହରି ଭୋଇ

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ନିକଟବର୍ତ୍ତୀ ନିପଟ ମଫସଲ ଗାଁ ଗଣ୍ଡିଲୋ । ଏହି ଗାଁର ଏକ ଗରିବ ପରିବାରରେ ପିତା …

2 comments

  1. DEBENDRA KUMAR NAIK

    ଏହିଭଳି ସଂସ୍କୃତି ସମ୍ପନ୍ନ ପ୍ରତିଭା ଧର ବ୍ୟକ୍ତି ବିଶେଷଙ୍କୁ ଲୋକ ଲୋଚନକୁ ଆଣି ଥିବାରୁ ଅଶେଷ ଧନ୍ୟବାଦ୍।ଏ ଅଞ୍ଚଳର ଲୋକ ସଂସ୍କୃତି ଲୋକ ପରମ୍ପରା ଲୋପ ପାଉଥିବା ବେଳେ ଏହାର ପୁନରୁଦ୍ଧାର ଦିଗରେ ଆପଣଙ୍କ ବଳିଷ୍ଠ ଉଦ୍ୟମ ପାଇଁ ସାଧୁବାଦ୍।

    • ମତାମତ ଦେଇଥିବାରୁ ଓ ଉତ୍ସାହିତ କରିଥିବାରୁ ଦେବେନ୍ଦ୍ର ବାବୁଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନଙ୍କ ସହଯୋଗ ବିନା ଏହିଭଳି ଅଦୃଶ୍ୟ କଳାକାର ମାନଙ୍କ ପାଖକୁ ସମଧ୍ୱନି ପହଂଚି ପାରିବନାହିଁ । ଆପଣଙ୍କୁ ଓ ସମସ୍ତଙ୍କୁ ଅନୁରୋଧ ଆମକୁ କଳା ଓ କଳାକାର ମାନଙ୍କ ସମ୍ପର୍କରେ ତଥ୍ୟ ଦେବାପାଇଁ।

Leave a Reply

Your email address will not be published. Required fields are marked *