Home / ସମୀକ୍ଷା / ଚେତନା ଭିତରୁ ଯାହା ଜନ୍ମନିଏ : ଯୁଦ୍ଧ ସଂସ୍କୃତି

ଚେତନା ଭିତରୁ ଯାହା ଜନ୍ମନିଏ : ଯୁଦ୍ଧ ସଂସ୍କୃତି

୧୯୯୧ ମସିହାର କଥା । ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ରାଧାନାଥ ରଥ(ସେ ଆଉ ନାହାଁନ୍ତି)ଙ୍କ ସହ ଅନେକବାର ଏକାଠି ଯାତ୍ରା କରିବାର ସୁଯୋଗ ମିଳିଥିଲା । ପ୍ରତ୍ୟେକଥର ସେ ନିଜ ଅତୀତ ଭିତରୁ କିଛି ସ୍ମୃତି ଓ କିଛି ଅନୁଭୂତିକୁ ସାଉଁଟିଆଣି ମୋ ସାମ୍ନାରେ ରଖୁଥିଲେ । ଦିନକର କଥା, ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଲଣ୍ଡନ ବିଶ୍ୱବିଦ୍ୟାଳୟ ଯାଇ ସେଠି ଅଧ୍ୟୟନ କରିବା ଓ ରହିବା ବେଳର କିଛି ଅନୁଭୂତିକୁ ମୋତେ ଶୁଣାଇଥିଲେ ଯାହା ଏଯାଏଁ ମୁଁ ଭୂଲିପାରୁ ନାହିଁ ।

ଡ଼ଃ ରଥ ଲଣ୍ଡନରେ ସେଠାକାର ଜଣେ ସ୍ଥାନୀୟ ବାସିନ୍ଦାଙ୍କର ଘରେ ପେୟିଂ ଗେଷ୍ଟ ବା ପଇସା ଦିଆ ଅତିଥି ହିସାବରେ ରହୁଥିଲେ । କେତେଥର ଘର ବି ପରିବର୍ତ୍ତନ କରିବାକୁ ପଡ଼ୁଥିଲା । ଗୋଟିଏ ଘର ମାଲିକାଣୀଙ୍କ କାହାଣୀ  କହିଲାବେଳେ ତାଙ୍କ ଛାତିରୁ କୋହ ବାହାରୁଥିଲା । ମାଲିକାଣୀ ଜଣକ ଦ୍ୱତୀୟ ବିଶ୍ୱଯୁଦ୍ଧର ବିଭିଷିକାର ଅଦୃଶ୍ୟ ଶିକାରୀ ଥିଲେ । ଚୁମ୍ବକରେ ଅନୁଭୂତିଟି କହିବାକୁ ଗଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଅନୁଭୂତିଟି ଏପରି ଥିଲା; ଘରର ଭେଣ୍ଡିଆ ପୁଅମାନେ ଯୁଦ୍ଧ କ୍ଷେତ୍ରକୁ ଯିବା ଏବଂ ଅନେକ ସମୟରେ ମୃତ୍ୟୁ ବରଣ କରିବା ଓ ଘରେ ରହିଯାଇଥିବା ମା’ ଭଉଣୀ ମାନଙ୍କର ନିଜ ଦେଶର ସୈନ୍ୟମାନଙ୍କ ଦ୍ୱାରା ତୁହାକୁ ତୁହା ଧର୍ଷଣ ହେବା।

ଯୁଦ୍ଧ ଯେତେ ଦୀର୍ଘ ସମୟ ଧରି ଚାଲେ ଯନ୍ତ୍ରଣା ବି ସେତିକି ଦୀର୍ଘ ହୋଇଚାଲେ । ଯୁଦ୍ଧର ଖର୍ଚ୍ଚ ରାଷ୍ଟ୍ର ନିଜେ ତୁଲାଇ ନପାରିବା ଯୋଗୁଁ ପ୍ରତ୍ୟେକ ବ୍ରିଟେନ ବାସୀଙ୍କୁ ନିଜ ଘରେ ଜଣେ ଜଣେ ସୈନୀକକୁ ରଖିବାକୁ ପଡ଼ିଥାଏ । ନିଜର ସେନା ବାହିନୀର ସଂଖ୍ୟା ଯଥେଷ୍ଟ ନଥିବା ଯୋଗୁଁ ବ୍ରିଟେନବାସୀଙ୍କୁ ପ୍ରତିଟି ଘରୁ ଯୁବକମାନଙ୍କୁ ଯୁଦ୍ଧପାଇଁ ପଠାଇବାକୁ ପଡ଼ିଥାଏ । ଯୁଦ୍ଧ ଯେଉଁ ଜଟିଳ ସ୍ଥିତି ସୃଷ୍ଟି କରିଥାଏ ତାହାର ସବୁଠାରୁ ଅଧିକ କ୍ଷତି ସହିଥାନ୍ତି ମହିଳାମାନେ । ନିଜ ସ୍ୱାମୀଙ୍କୁ ହରାଇବା, ପୁଅକୁ ହରାଇବା, ଭାଇକୁ ହରାଇବା ଏବଂ ଶେଷରେ ନିଜ ଦେଶର ଦେଶଭକ୍ତ ସୈନିକ ମାନଙ୍କ ଦ୍ୱରା ଧର୍ଷିତା ହେବା । ଡ଼ଃ ରଥଙ୍କ ପାଖରେ ଅନେକ ଯୁଦ୍ଧଜନିତ ଅନୁଭୂତି ଥିଲା ଯାହା ସେ ଲଣ୍ଡନ ବାସୀଙ୍କଠାରୁ ସଂଗ୍ରହ କରିଥିଲେ ।

ଡ଼ଃ ରଥଙ୍କ ପାଖରୁ ସବୁ ଶୁଣିଲାପରେ ଲାଗୁଥିଲା ଯେମିତିକି ଯୁଦ୍ଧ ଦେଶଭକ୍ତ ଏବଂ ଦେଶର ଶତ୍ରୁ ସମସ୍ତଙ୍କର ମାନବିକତାଟିକୁ ନଷ୍ଟ କରିଦେଇଛି । ଯୁଦ୍ଧ ତା’ହେଲେ ଏତେ ଉନ୍ମାଦନା ଏବଂ ଉତ୍ତେଜନା ସୃଷ୍ଟି କରୁଛି କେମିତି? ତା’ ପର ପ୍ରଶ୍ନଟି ଆସିବ କେଉଁମାନେ ଉତ୍ତେଜିତ ହେଉଛନ୍ତି? କ’ଣ ସେଇ ଲୋକଟି ଯୁଦ୍ଧର ଡ଼ାକରା ଦେଉଛି ଯିଏ ତା’ର ଏକମାତ୍ର ପୁଅକୁ ଦେଶ ସେବା କରିବାପାଇଁ ସୈନ୍ୟବାହିନୀରେ ସାମିଲ କରାଇଛି? କ’ଣ ସେହି ସ୍ତ୍ରୀଟି ଯୁଦ୍ଧର ଦୃଶ୍ୟପଟ୍ଟ ଦେଖିବାପାଇଁ ଟିଭି ପରଦା ଆଗରେ ଦିନରାତି ବସିଛି ଯାହାର ଏଇ କିଛିମାସ ତଳେ ବିବାହ କରିଥିବା ସ୍ୱାମୀଟି ଭାରତର ସୀମା ରେଖାରେ ବନ୍ଧୁକଟିଏ ଧରି ପହରା ଦେଉଛି? କ’ଣ ସେହି ପିଲାମାନେ ଯୁଦ୍ଧ ପ୍ରବଣ ହୋଇ ଅନ୍ୟମାନଙ୍କୁ ସଂକ୍ରମିତ କରିଚାଲିଛନ୍ତି ଯେଉଁମାନଙ୍କର ବାପା ବା ଭାଇ ବା ଅନ୍ୟ ଆତ୍ମୀୟମାନେ ସେନା ବାହିନୀରେ ଅନେକ ଆଶଙ୍କା ଭିତରେ ଦେଶ ଚଳାଉଥିବା ଲୋକମାନଙ୍କର ଯୁଦ୍ଧଂଦେହୀ ଡ଼ାକରା ଭିତରେ ନିଜକୁ ଏକ ସମ୍ଭାବ୍ୟ ଆକ୍ରମଣ ପାଇଁ ପ୍ରସ୍ତୁତ କରୁଛନ୍ତି? ଏମାନେ ସମସ୍ତେ କ’ଣ ସତରେ ଜୀବନ ନୁହଁ ମୃତ୍ୟୁପାଇଁ ଆର୍ତ୍ତନାଦ କରିପାରିବେ! ତା’ହେଲେ ଯୁଦ୍ଧ ମାନସିକତାଟି ଆମ ମନ ଭିତରେ ଆସୁଛି କେମିତି? ତାକୁ ଆଣୁଛି କିଏ? ଯିଏ ଆଣୁଛି ତାହାର ଲାଭ କ’ଣ? କ୍ଷତି ସହିବ କିଏ?

ଇତିହାସ ପୃଷ୍ଠାରୁ ଦେଖିଲେ ଯୁଦ୍ଧ ପୁରୁଷ କୈନ୍ଦ୍ରିକ, ପିତୃ ତାନ୍ତ୍ରିକ, ଉଦ୍ଧତ ତଥା ଅହଂକାରୀ ମଣିଷମାନଙ୍କର ଏକ ପ୍ରବୃତ୍ତି । ଅଖଣ୍ଡ ରାଜନୈତିକ କ୍ଷମତାକୁ ନିଜ ହାତରେ ରଖିବାପାଇଁ ଏବଂ ନିଜର ସୁଖ ଓ ସମ୍ଭୋଗ ପାଇଁ ତାକୁ ବ୍ୟବହାର କରିବାପାଇଁ ଏହି ଅହଂକାରୀ ପୁରୁଷମାନେ ସବୁ ସମୟରେ କେହି ଯଦି ଶତ୍ରୁ ନ ମିଳେ ତାହେଲେ ନିଜେ ଶତ୍ରୁ ସୃଷ୍ଟିକରି ଯୁଦ୍ଧ ଆରମ୍ଭ କରିଥାନ୍ତି । ନିଜ ଚାଟୁକାର ମାନଙ୍କ ମାଧ୍ୟମରେ ସେହି ତଥାକଥିତ ଶତ୍ରୁର ଅପରାଧୀ କାର୍ଯ୍ୟକଳାପ ଗୁଡ଼ିକୁ ଉପସ୍ଥାପନ କରି ଜନ ମାନସରେ ଶତ୍ରୁର ନିପାତ କେତେ ଜରୁରୀ ଏବଂ ସେଥିପାଇଁ ଯୁଦ୍ଧ କେତେ ଅନିର୍ବାର୍ଯ୍ୟ ସେ ସମ୍ପର୍କରେ ବୈଦ୍ଧତା ସୃଷ୍ଟି କରିଥାନ୍ତି ।

ଯାହା ଦିନେ ରାଜସତ୍ତାର ପାଦ ଚାଟୁଥିବା ତୋଷାମଦକାରୀ ମାନଙ୍କର ପ୍ରମୁଖ କାମ ଥିଲା ଆଜି ସେହି ବୈଧତା ସୃଷ୍ଟିକରିବା କାମଟି କମ୍ପାନୀ ମାନଙ୍କ ଦ୍ୱାରା ହୃଷ୍ଟପୃଷ୍ଠ ହେଉଥିବା ଗଣମାଧ୍ୟମମାନେ କରୁଛନ୍ତି । ସମସ୍ତେ ମିଳିମିଶି ପ୍ରମାଣିତ କରି ଚାଲିଛନ୍ତି ଯେ ଇତିହାସ ତା’ ଧାରାବାହିକତା ବଜାୟ ରଖିଛି ।  ଚରୀତ୍ର ପରିବର୍ତ୍ତନର ଦୃଶ୍ୟପଟ୍ଟ ଦେଖି ଏଭଳି ଭ୍ରମ ସୃଷ୍ଟି ହେବା ଉଚିତ ନୁହଁ ଯେ, ଅତ୍ୟାଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଯୋଗୁଁ ମଣିଷ ତା’ର କ୍ଷମତା ପିପାସା, େଓøଦ୍ଧତ୍ୟ ଓ ଅହଂକାର ଭଳି ଦୁର୍ଗୁଣ ଗୁଡ଼ିକୁ ଛାଡ଼ି ପାରିଛି । ବରଂ ଏହିସବୁ ଦୁର୍ଗୁଣ ଅତି ସୁକ୍ଷ୍ମ ଏବଂ ଅଦୃଶ୍ୟ ରୂପନେଇ ଆମ ପାଖରେ ତୁହାକୁ ତୁହା ପହଞ୍ଚୁଛି ।

ଆଜି ଗଣତନ୍ତ୍ରକୁ ପଥଭ୍ରଷ୍ଟ କରୁଛି ନିର୍ବାଚନୀ ରାଜନୀତି । କ୍ଷମତାରେ ରହିବାର ନିଶା, କ୍ଷମତା ହାତରୁ ଚାଲିଯିବାର ଆଶଙ୍କା ଏବଂ ନିଜ ରାଜନୈତିକ ପ୍ରତିଦ୍ୱନ୍ଦିମାନଙ୍କୁ ନ୍ୟାୟପୂର୍ଣ୍ଣ ଓ ନୀତି ଭିତ୍ତିକ ‘ଧର୍ମ’ ଯୁଦ୍ଧରେ ନହରାଇପାରିବାର ଭୟ ଆଜି ଆମ ଶାସକ ଗୋଷ୍ଠୀଙ୍କୁ ଏକପ୍ରକାର ବିଚାର ଶୂନ୍ୟ କରିଦେଇଛି । ସମାଜରେ ବର୍ଦ୍ଧିତ ବେରୋଜଗାରୀ ସଂଖ୍ୟା ଯାହାର ସମାଧାନର ପଥ କୌଣସି ସରକାର ପାଉନାହାଁନ୍ତି ବା ପାଇବାପାଇଁ ପ୍ରୟାସ ମଧ୍ୟ କରୁନାହାଁନ୍ତି ଏତେ ପରିମାଣରେ ବଢ଼ି ଚାଲିଛି ଯେ ଯଦି ବେକାର ଯୁବଗୋଷ୍ଠୀଙ୍କୁ ଏମିତି ଛାଡ଼ି ଦିଆଯାଏ ତେବେ ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ ଅନିର୍ବାର୍ଯ୍ୟ ।

ସେଥିପାଇଁ କାମ ନପାଇ ଅସହାୟତା ଭିତରେ କାହାର ଅନୁଗ୍ରହକୁ ଚାତକ ଭଳି ଚାହିଁ ରହିଥିବା ଏହି କୋଟି କୋଟି ଯୁବକ ମାନଙ୍କୁ କିଛି ଅର୍ଥ କିଛି ନିଶା ଅବା କିଛି ଭୋଗ ବିଳାଶର ସୁଯୋଗ ଦେଇ ସେମାନଙ୍କର ମନୋରଞ୍ଜନ କରିବାପାଇଁ ନିର୍ବାଚନୀ ରାଜନୀତିର ପ୍ରୟୋଗ ଚାଲିଛି – ବର୍ଷ ତମାମ । ସେମାନଙ୍କୁ ଉତ୍ତେଜିତ ଓ ଭାବପ୍ରବଣ କରାଇ ତା’ର ନିର୍ବାଚନୀ ଲାଭ ନେବାପାଇଁ ଶତ୍ରୁ ଗଠନ ଓ ଯୁଦ୍ଧଂଦେହୀ ଡ଼ାକରା ଦେବା ଆବଶ୍ୟକ । ସବୁ ସମୟରେ ବିଫଳ ଶାସକମାନେ ଏଭଳି ଘୃଣ୍ଣ୍ୟ ଉପାୟ ଅତି ନିର୍ଲଜଭାବେ ଅବଲମ୍ବନ କରିଆସିଛନ୍ତି ।

 ସେଥିପାଇଁ ଆଜି ଆମର ପ୍ରମୁଖ ସମସ୍ୟା ହେଉଛି ଆମେ ଆମ ଯୁବପିଢ଼ୀଙ୍କୁ କେମିତି ଯୁଦ୍ଧ ସଂସ୍କୃତିଠାରୁ ଦୂରେଇ ରଖିବା । ଫେବୃଆରୀ ୧୪, ୨୦୧୯ ଦିନ ଆତ୍ମଘାତି ଆତଙ୍କବାଦୀ ଆକ୍ରମଣରେ ଶିକାର ହୋଇଥିବା ଯବାନମାନଙ୍କ ମଧ୍ୟରେ ଥିଲେ ବବ୍ଲୁ ସାନ୍ତ୍ରା । ନିଜ ଯୁବ ସ୍ୱାମୀଙ୍କୁ ଅବେଳରେ ହରାଇଥିବା ତାଙ୍କ ପତ୍ନୀ ମିତ୍ରା ସାନ୍ତ୍ରାଙ୍କର ବୁଝାମଣାଟି କିନ୍ତୁ ଥିଲା ନିଆରା । ପ୍ରତିହିଂସା ବା ପ୍ରତି ଆକ୍ରମଣର ସାମାନ୍ୟତମ ଭାବନା ତାଙ୍କ ମନରେ ନଥିଲା । ସାମାଜିକ ଗଣମାଧ୍ୟମରେ ନିଜେ ଜୀବନରେ କେବେ କିଛି ହରାଇ ନଥିବା ଲୋକ ମାନଙ୍କ ଦ୍ୱାରା ପ୍ରାୟୋଜିତ ଗାଳିକୁ ଭୃକ୍ଷେପ ନକରି ସେ କହିଚାଲିଥିଲେ ‘ପ୍ରତିହିଂସା ସମାଧାନର ବାଟ ଦେଖାଇ ପାରିବନାହିଁ’ ।

ଡ଼ଃ ରାଧାନାଥ ରଥଙ୍କ ଦ୍ୱାରା ବର୍ଣ୍ଣିତ ମହିଳାମାନଙ୍କର କାହାଣୀ ଯେଉଁଥିରେ ସେମାନେ ଶପଥ ନେଇଥିଲେ ଯେ ନିଜେ ଜିଇଁଥିବା ଯାଏ ନିଜ ଦେଶକୁ ଯୁଦ୍ଧ ପଥରେ ଯିବାକୁ ଦେବେନାହିଁ ଏବଂ ଦ୍ୱତୀୟ ବିଶ୍ୱଯୁଦ୍ଧ ସରିବାର ୭୩ବର୍ଷ ପରେ ଭାରତର କାଶ୍ମୀରଠାରେ ସହିଦ୍ ହୋଇଥିବା ବବ୍ଲୁ ସାନ୍ତ୍ରାଙ୍କର ପତ୍ନୀ ମିତ୍ରା ଶାନ୍ତିପାଇଁ ଯେଉଁ ସନ୍ଦେଶ ଦେଇଛନ୍ତି ତାକୁ ଏକାଠି ପଢ଼ିଲେ ଏବଂ ସେମାନେ ଏପରି କହିବାର କାରଣ ଗୁଡ଼ିକୁ ଖୋଜିବାର ପୟାସଟିଏ କଲେ ଜଣେ ସହଜରେ ବୁଝିପାରିବ ଯୁଦ୍ଧ କ’ଣ ଓ କାହିଁକି ଜଣେ ଯୁଦ୍ଧ ବିରୋଧୀ ହେବା ଦରକାର ।

ଆମ ଶିକ୍ଷା ବ୍ୟବସ୍ଥାର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଶିକ୍ଷାର୍ଥୀଙ୍କ ଭିତରେ ଇତିହାସ ବୋଧ ଭର୍ତ୍ତି କରିବାରେ ବିଫଳତା । ନିକଟର ଇତିହାସକୁ ବି ବୁଝିବାପାଇଁ ଶିକ୍ଷାର୍ଥୀମାନଙ୍କୁ ସୁଯୋଗ ଦିଆଯାଇନଥାଏ । ଚାକିରୀଆ ନିର୍ମାଣ କରିବାରେ ତଳୁ ଉପର ସମଗ୍ର ଶିକ୍ଷା ବ୍ୟବସ୍ଥା ଆବଶ୍ୟକତାଠାରୁ ଅଧିକ ତତ୍ପର ଥିଲାବେଳେ ମଣିଷ ତିଆରି କରିବା କାମଟି ନାଁ ଶିକ୍ଷାନୁଷ୍ଠାନ ମାନଙ୍କର ନାଁ ପରିବାରର କାହାର କାର୍ଯ୍ୟସୂଚୀରେ ନଥାଏ । କାର୍ଯ୍ୟସୂଚୀରେ ନଥାଏ ବୋଲି ଚିନ୍ତାଶୀଳ ଲୋକମାନଙ୍କର ମନ ଭିତରକୁ ଆସିନଥାଏ ବା ଯଦି କେବେ ଆସିଥାଏ ଅବଶିଷ୍ଟ ସମାଜପାଇଁ ତାକୁ ଜାଣିବାର ଅବକାଶ ନଥାଏ ।

ସେଥିପାଇଁ କାଶ୍ମୀର ଏବଂ ଉତ୍ତରପୂର୍ବାଞ୍ଚଳର ସୀମାନ୍ତରେ ରହୁଥିବା ଲୋକମାନେ ଗୁଳିଗୁଳା ବିନିମୟକୁ ନିତିଦିନିଆ ଜୀବନର ଯନ୍ତ୍ରଣା ଭିତରେ ଦେଖୁଥିବା ବେଳେ ଅବଶିଷ୍ଟ ଭାରତୀୟମାନେ ଏବାବଦରେ ସାମାନ୍ୟତମ ସଚେତନ ନଥାନ୍ତି । ସେହିଭଳି ମଧ୍ୟପ୍ରଚ୍ୟରେ ବା ଆଫଗାନୀସ୍ଥାନ ଅବା ପାକିସ୍ଥାନରେ ଚାଲିଥିବା ବର୍ଷ ତମାମ ହିଂସାତ୍ମକ ଘଟଣା ଏବଂ ସେଥିରେ ବଳି ପଡ଼ୁଥିବା ନିରୀହ ଜନଗଣଙ୍କର ସଙ୍କଟ ସମ୍ପର୍କରେ ଆମ ଯୁବପିଢ଼ି କିଛି ବି ଜାଣନ୍ତି ନାହିଁ ।

ଆମେ ଅନ୍ତତଃ ଏତିକି ଉଦ୍ୟମ କରିପାରିବା କି, ଇତିହାସ କାଳରୁ ଆଜିଯାଏ ଆମ ସମାଜକୁ ଯନ୍ତ୍ରଣା ଭିତରେ ରଖିଆସିଥିବା ଯୁଦ୍ଧ ସଂସ୍କୃତିକୁ ଆମ ପିଲାମାନଙ୍କ ପାଖରେ ଉନ୍ମୋଚନ କରିବା?

Photo credit- Wikimedia Commons

About ସୁଧୀର ପଟ୍ଟନାୟକ

ଗୀତିକାର , ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ, ମୁକ୍ତ ସାମ୍ବାଦିକ, ସମାଜବିଜ୍ଞାନୀ

Check Also

ସକ୍ରେଟିସ୍ ଓ ଚାର୍ବାକ୍ (ଦୁଷ୍ଟ ମାନସର ଦୁଇଟି ପକ୍ଷପାତ)

ଅଭିଜାତ ଗୋଷ୍ଠୀ ସମର୍ଥକ ଗ୍ରୀସ୍ ଦର୍ଶନରଜନକ ସକ୍ରେଟିସଙ୍କୁ ବିଶ୍ୱବନ୍ଦିତ କରାଇବା ଏବଂ ମାନବବାଦୀ ଜନଗୋଷ୍ଠୀ ଭିତ୍ତିକ ଲୋକାୟତ ଦର୍ଶନର ପ୍ରବକ୍ତା …

Leave a Reply

Your email address will not be published. Required fields are marked *