Home / କଳା / ଚିତ୍ରକଳା / ଚିତ୍ରଶାଳାର ଚିତ୍ରକର “କଳାମଣୀ ରବୀନ୍ଦ୍ରନାଥ ସାହୁ”

ଚିତ୍ରଶାଳାର ଚିତ୍ରକର “କଳାମଣୀ ରବୀନ୍ଦ୍ରନାଥ ସାହୁ”

ରଙ୍ଗ ଓ ତୁଳୀ ଦୁନିଆର ମତୁଆଲା ମଣିଷଟିଏ । ହାତରେ ଖଣ୍ଡେ ତୁଳୀ ଓ ଭଳିକିଭଳି ରଙ୍ଗ ଅଛି ତ ହୃଦୟ ର ଆବେଗ ସଜୀବ ହୋଇ ଉତୁରି ଆସେ, ଆଉ ଜୀବନ୍ୟାସ ଭରିଦିଏ କାନଭାସରେ । ନିରାଡମ୍ବର ମଣିଷର କାଉଁରି ହାତରେ ଝଲସି ଉଠୁଥିଲା ବହୁ କଥାବସ୍ତୁର ପଟ୍ଟଚିତ୍ର  । ଚିତ୍ରକଳା ପ୍ରତି ପିଲାବେଳୁ ଅହେତୁକ ମୋହ । ରଙ୍ଗ ଓ ତୁଳୀ ପ୍ରତିଶ୍ରଦ୍ଧା, ପଟ୍ଟଚିତ୍ର ପାଇଁ ସାଧନା ଓ ଚିତ୍ରକଳାର ପ୍ରସାର ପାଇଁ ସମର୍ପିତ ଥିଲା ତାଙ୍କର ସମଗ୍ର ଜୀବନ  ।

ମୟୁରଭଂଜ ଜିଲ୍ଲା ଉଦଳା ବ୍ଲକ ଡିହିରାକୂଳ ଗାଁ । ସେଇଠି ୧୯୬୦ ମସିହା ଫେବୃଆରୀ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ରବୀନ୍ଦ୍ରନାଥ । ତାଙ୍କ ବାପା କିଶୋରଚନ୍ଦ୍ର ସାହୁ ଥିଲେ ଜଣେ ଅଭିନେତା, କୀର୍ତନ ଓ ଯାତ୍ରା ନିର୍ଦ୍ଦେଶକ । କଳା ପ୍ରତି ସମର୍ପିତ ପରିବାରର ସଂସ୍କାର ତାଙ୍କ ପାଇଁ ଥିଲା ପ୍ରେରଣାର ଉତ୍ସ । ବେଶୀ ପାଠ ପଢିନାହାନ୍ତି, ହେଲେ ଚିତ୍ରକଳା ପ୍ରତି ନିଶା ଆଉ ନିଷ୍ଠା ବଦଳାଇଥିଲା ଜୀବନର ଗତିପଥ । ୧୯୭୩ରେ ପାଠପଢା ଛାଡିଲେ ।

ଭୁବନେଶ୍ୱରରେ ହସ୍ତଶିଳ୍ପ ତାଲିମକେନ୍ଦ୍ରରେ ପଟ୍ଟଚିତ୍ର ବିଭାଗରେ ଲେଖାଇଲେ ନାମ । ତାଲିମକେନ୍ଦ୍ରରେ ଗୁରୁ ଗୋକୁଳବିହାରୀ ପଟ୍ଟନାୟକ, ସ୍ୱର୍ଗତଃ ଭାଗବତ ମହାରଣା ଓ ଗୁରୁ ବେଣୁଧର ମହାପାତ୍ରଙ୍କ ନିକଟରୁ ବେଶ ଆଗ୍ରହର ସହ ପଟ୍ଟଚିତ୍ର ଆଙ୍କିବାର କୌଶଳକୁ ସେ ଆୟତ୍ତକଲେ । ତଥାପି  ମନ ବୁଝିଲାନି । ଗୁରୁ ଗୋକୁଳବିହାରୀଙ୍କ ଘରେ ଦୀର୍ଘବର୍ଷ ରହି ପଟ୍ଟଚିତ୍ରକୁ ନେଇ ଅଭ୍ୟାସ ଓ ସାଧନା ଜାରି ରଖିଲେ ।

ବର୍ଷ ବର୍ଷର ସାଧନା ଓ ନିଷ୍ଠା ବଳରେ ଜଣେ ସଫଳ ପଟ୍ଟଚିତ୍ର କାରିଗର ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ ଗୁରୁ ରବୀନ୍ଦ୍ରନାଥ ସାହୁ । ସେ ଥିଲେ ଜଣେ ସରଳ ଓ ସୃଜନ ମନସ୍କ ପଟ୍ଟଚିତ୍ର କାରିଗର । ତାଙ୍କର ସୃଜନଶୀଳତା ପାଇଁ ୧୯୯୧ରେ ହରିୟାଣା ସରକାର ତାଙ୍କୁ ସୁରଜ କୁଣ୍ଡମେଳାରେ କଳାମଣି ଉପାଧିରେବି ଭୂଷିତ କରିଥିଲେ । ବିଭିନ୍ନ ସମୟରେ ନୂଆ ନୂଆ  କଥା ବସ୍ତୁକୁ ନେଇ ରବୀନ୍ଦ୍ରନାଥଙ୍କ  ଭଳିକି ଭଳି  ପଟ୍ଟଚିତ୍ରର ପରିକଳ୍ପନା ବିସ୍ମିତ କରିଦିଏ କଳାପ୍ରେମୀଙ୍କୁ ।

୧୯୯୪ ରେ ସଙ୍ଗୀତ ଶାସ୍ତ୍ରର ରାଗରାଗିଣୀ ଉପରେ ଅଙ୍କିତ ରାଗମାଳା ପଟ୍ଟଚିତ୍ର ପାଇଁ, ରବୀନ୍ଦ୍ରନାଥ ପାଇଥିଲେ ଜାତୀୟ ପୁରସ୍କାର । କେବଳ ସେତିକି ନୁହେଁ, ୧୯୮୭ରେ ଉଷାଭିଳାଷ ଉପରେ ଆଧାରିତ ତାଳପତ୍ର କାମ ପାଇଁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଓ  ୧୯୮୯ରେ  ପୁରୀ ଶ୍ରୀମନ୍ଦିରର ଭିତ୍ତିଚିତ୍ର ସମ୍ପର୍କିତ ପଟ୍ଟଚିତ୍ର ପାଇଁ ସେ ପାଇଥିଲେ ଲଳିତକଳା ଏକାଡେମୀ ପୁରସ୍କାର । ୨୦୦୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ଭାରତ ଉତ୍ସବରେ ଯୋଗଦେଇ ସେ ହୋଇଥିଲେ ଉଚ୍ଚ ପ୍ରଶଂସିତ । ଜଣେ ଦକ୍ଷ ଡିଜାଇନର ଭାବେ ଭାରତ ସରକାରଙ୍କ ହସ୍ତଶିଳ୍ପ ବିଭାଗ ତରଫରୁ ତାଙ୍କୁ ମିଳିଥିଲା ସ୍ୱୀକୃତି ।

ପେଶାରେ ଖିଆଲି ଚିତ୍ରକର ଓ ନିଶାରେ ଶବ୍ଦର ଯାଦୁଗର । ଚିତ୍ରକଳା ର ରୁଚି ସାଙ୍ଗକୁ ବିଭିନ୍ନ ବିଷୟବସ୍ତୁଙ୍କୁ ନେଇ ପଢାପଢି, ଲେଖାଲେଖି ପ୍ରତି ତାଙ୍କର ଥିଲା ନାହିଁ ନଥିବା ଦୁର୍ବଳତା । ଜଣେ ହସ୍ତ କଳା ଗବେଷକ ଭାବେ ସାରା ରାଜ୍ୟରେ ରହିଛି ରବିନ୍ଦ୍ରନାଥଙ୍କ ସ୍ୱତନ୍ତ୍ର ପରିଚୟ ।  ସେ ଲେଖିଥିବା ଗବେଷଣାତ୍ମକ ପୁସ୍ତକ ଓଡିଶାର ଚିତ୍ରକଳା ଆମ ପାରମ୍ପରିକ ହସ୍ତକଳାର ସ୍ୱତନ୍ତ୍ର ସ୍ୱାକ୍ଷର । ତାଙ୍କ ରଚିତ ଓଡିଶାର ଆଦିବାସୀ ଚିତ୍ରକଳା, ଓଡିଶୀ ପଟ୍ଟଚିତ୍ର, ମରୟର କଳ୍ପନା, ଟ୍ରାଇବାଲ ଆର୍ଟ-ଇଡିତାଲ, ଷ୍ଟୋନ କାର୍ଭିଂ, ପ୍ରଣୟଶତକ, ମୁର୍ତିକଳା ବିଚାର ଭଳି ବହୁ ପୁସ୍ତକ ଓଡିଶାର କାରିଗରଙ୍କ ପାଇଁ ପାଲଟିଛି ମାର୍ଗଦର୍ଶୀ ।

ତାଙ୍କ ଦ୍ୱାରା ପଟ୍ଟଚିତ୍ର ଶୈଳୀରେ ପ୍ରସ୍ତୁତ କାଶିଆ କପିଳା ପୁସ୍ତକଟି ନ୍ୟାସନାଲ ବୁକଟ୍ରଷ୍ଟ ଦ୍ୱାରା ପ୍ରକାଶିତ ଓ ଆଦୃତ ମଧ୍ୟ । ଏତଦ୍ ବ୍ୟତୀତ ଡିପିଇପି ଓ ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର ଦ୍ୱାରା ପ୍ରକାଶିତ କେତେକ ପୁସ୍ତକରେ ରହିଛି ରବିନ୍ଦ୍ରନାଥଙ୍କ ଚିତ୍ରର ସ୍ୱାକ୍ଷର । ଓଡିଶାର ପାରମ୍ପରିକ ହସ୍ତକଳାକୁ ନେଇ ଓଡିଆ ଭାଷାରେ ବିଶେଷ ପୁସ୍ତକ ନଥିଲା । ତେଣୁ ଓଡିଆ ଭାଷାରେ ଏକାଧିକ ପୁସ୍ତକ ରଚନା କ୍ଷେତ୍ରରେ ଗବେଷକ ରବୀନ୍ଦ୍ରନାଥଙ୍କ ଉଦ୍ୟମ  ଥିଲା ବେଶ୍ ପ୍ରଶଂସନୀୟ ।

କେବଳ ସେତିକି ନୁହେଁ ଅଭିନୟ, ଗୀତ ଓ କବିତା ରଚନା, ସଙ୍ଗୀତ ନିର୍ଦ୍ଦେଶନା, କୀର୍ତନ ଓ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାରେ ରବୀନ୍ଦ୍ରନାଥ ଥିଲେ ବେଶ୍ ପାରଦର୍ଶୀ ।  କଳାମଣୀ ଅମ ଗହଣରେ ଆଉ ନାହାନ୍ତି । ଗତ ୨୮ ଡିସେମ୍ବର ୨୦୧୩ ମସିହାରେ ଭୁବନେଶ୍ୱର ସ୍ଥିତ ବାସଭବନ (ନୁଆଗାଁ ପେଟ୍ରୋଲ ପମ୍ପ ପାଖ) ରେ ଦେହାନ୍ତ ଘଟିଛି ।

ଉଭୟ ପାରଂପରିକ ଚିତ୍ର ଓ ସାହିତ୍ୟ ଜଗତରେ ଚର୍ଚ୍ଚିତ ନାଁଟିଏ କଳାମଣି ରବୀନ୍ଦ୍ର ନାଥ ସାହୁ । ଖାଲି କଳାମଣି କହିଲେ ଭୂଲ ହେବ, ଶିଳ୍ପୀ ଜଗତର ମଉଡମଣି ସେ । ସେ ବୋଧହୁଏ ରାଜ୍ୟ ର ଏକମାତ୍ର କାରିଗର ଯାହାଙ୍କର ଉଭୟ ଚିତ୍ରକଳା ଓ ପୁସ୍ତକ ରଚନା କ୍ଷେତ୍ରରେ ବେଶ୍ ଦଖଲ ଥିଲା । ଜଣେ କାରିଗର ଲେଖକ ଭାବେ ସେ ଏ ଶିଳ୍ପୀ ଜାତିର ଚିର ନମସ୍ୟ ହୋଇ ରହିବେ ।

About ପ୍ରିୟରଂଜନ କର

ଚିତ୍ରକର, ବୃତ୍ତଚିତ୍ର ନିର୍ମାତା, ଦୂରଦର୍ଶନ ସାମ୍ବାଦିକ

Check Also

କଳା ଓ ସମାଜ

           କଳା ଭାବ ଆଦାନ ପ୍ରଦାନର ଏକ ମାଧ୍ୟମ । ଆଦିମ ମଣିଷ ଗୁମ୍ଫାକାନ୍ଥରେ …

Leave a Reply

Your email address will not be published. Required fields are marked *