ସମ୍ବେଦନଶୀଳ ପ୍ରତିଭା ସଞ୍ଜିବ ବଣିଆଁଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳୀ

ଉମେଶ ଚନ୍ଦ୍ର ବିଶ୍ୱାଳ
ଉମେଶ ଚନ୍ଦ୍ର ବିଶ୍ୱାଳ 235 Views
3 Min Read

ଦଶବର୍ଷ ତଳେ ଆମ ଗାଁରେ ଜଣେ କଳାକାରଙ୍କ ଶ୍ରାଦେ୍ଧାତ୍ସବ ପାଳନ ସମାରୋହରେ ସଞ୍ଜିବଙ୍କ ସହିତ ପରିଚୟ ହୋଇଥିଲା ନାଟକ ମଂଚରେ। ବରଗଡ଼ ଜିଲ୍ଳା ସୋହେଲା ଥାନା କେନ୍ଦପାଲି ଗାଁର ନାଟ୍ୟଦଳ ପକ୍ଷରୁ ପରିବେଷିତ ନାଟକ “ନମୋ ଗଣେଷ ବିଘ୍ନେଶ’ରେ ସଞ୍ଜିବଙ୍କ ଅଭିନୟ ଥିଲା ବେଶ ମନଛୁଆଁ।

Support Samadhwani

ଦ୍ୱିତୀୟ ଥର ବରଗଡ଼ ପୁସ୍ତକ ମେଳାରେ ଅନୁଷ୍ଠିତ ବ୍ୟଙ୍ଗ କବିତା ଆସରରେ ବିଶିଷ୍ଟ କବି ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ଲିଖିତ “ବେଉଁତ କରି ଗାଡ଼ି ଫାନ୍ଦ’ ଗୀତ ସଞ୍ଜିବଙ୍କ ମୁହଁରୁ ଶୁଣି ଷାଠିଏ ସତୁରୀ ଦଶକରେ ଶଗଡ଼ ଗାଡ଼ିରେ କନ୍ୟା ବିଦାୟ ସମୟର ଦୃଶ୍ୟ ଆଖିଆଗରେ ନାଚି ଉଠିଥିଲା। ସଞ୍ଜିବଙ୍କ ମନଛୁଆଁ ସଙ୍ଗୀତ ପରିବେଷଣ ସେଦିନ ପୁସ୍ତକ ମେଳାରେ ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା । ଅନେକ ଶ୍ରୋତା ଦର୍ଶକଙ୍କ ଆଖିରେ ଲୁହ ଆସି ଯାଇଥିଲା। ସଞ୍ଜିବ ବଣିଆଁ ଜଣେ କବି, କଳାକାର, ଗାୟକ ଭାବରେ କେବଳ ବରଗଡ଼ ନୁହେଁ ସମଗ୍ର ପଶ୍ଚିମ ଓଡ଼ିଶାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।

ଶହ ଶହ ମଂଚରେ ମନଛୁଆଁ ଗୀତ ଓ କବିତା ପରବେଷଣ କରି ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖି ପାରୁଥିଲେ। ସମ୍ବଲପୁରୀ ଭାଷା ଆନ୍ଦୋଳନକୁ ସମୃଦ୍ଧ କରିବାରେ ତାଙ୍କର ବଳିଷ୍ଠ ଯୋଗଦାନ ଥିଲା। ଏଭଳି ଜଣେ ପ୍ରତିଭାଙ୍କ ପରିଚୟକୁ ଲୋକ ଲୋଚନକୁ ଆଣିବାର ଏକ ଛୋଟ ପ୍ରୟାସଟିଏ ପାଂଚବର୍ଷ ତଳେ କରାଯାଇଥିଲା।

ଭିଡ଼ିଓଗ୍ରାଫର ସୁଦାମ ଭୋଇଙ୍କ ସହିତ ସୋହେଲାଠାରେ ଥିବା ତାଙ୍କ ସୁନାରୀ ଦୋକାନକୁ ପହଂଚି ତାଙ୍କର ଗୀତକୁ ଭିଡ଼ିଓ ଡ଼କ୍ୟୁମେଣ୍ଟ କରିବାପାଇଁ ଆଗ୍ରହ ପ୍ରକାଶ କରିଥିଲୁ। ସେତେବେଳ ସଞ୍ଜିବ ନିଜର କୌଳିକ ବୃତି ସୁନା ଅଳଙ୍କାର ତିଆରି କରିବା କାମରେ ବ୍ୟସ୍ତ ଥିଲେ। ତାଙ୍କ କିଛି ଗୀତକୁ ରେକର୍ଡ଼ିଙ୍ଗ କରିବାର ପ୍ରସ୍ତାବ ଶୁଣି ସେ ଖୁସି ହୋଇଯାଇଥିଲେ। ହାରମୋନିୟ ଧରି ସାଥି ତବଲା ବାଦକଙ୍କ ସହିତ ସୋହେଲା ଅରବିନ୍ଦ ବିଦ୍ୟାଳୟ ପରିସରକୁ ପହଂଚିଥଲେ। ସେଠାରେ ସେ ବିଦ୍ୟାଳୟ ଅନ୍ତେବାସୀ ଏବଂ ଆମକୁ ଶୁଣାଇଥିବା କେତୋଟି ଗୀତକୁ ଆମେ କ୍ୟାମେରାରେ ସବୁ ଦିନ ପାଇଁ ରଖିବାର ସୁଯୋଗ ପାଇଥିଲୁ।

Support Samadhwani

୨୦୧୮ ମାର୍ଚ୍ଚ ୧୧ ତାରିଖ ସକାଳେ ମାତ୍ର ୪୭ ବର୍ଷ ବୟସରେ ସଞ୍ଜିବ ବଣିଆଁଙ୍କର ଦେହାନ୍ତ ହୋଇଛି । ସମଗ୍ର ପଶ୍ଚିମ ଓଡ଼ିଶାକୁ ନିଜ ଅଭିନୟ, କବିତା ଏବଂ ସଙ୍ଗୀତର ମଧୁର ମୁର୍ଚ୍ଛନାରେ ବାନ୍ଧି ଦେଇ ପାରିଥିବା ସଞ୍ଜିବଙ୍କ ବିୟୋଗ ଓଡ଼ିଶାବାସୀଙ୍କପାଇଁ ଏକ ଅପୂରଣୀୟ କ୍ଷତି ।

ସେଦିନ ଯଦି ଆମେ ଏହି ଯୁବ ପ୍ରତିଭା ଆମ ଗହଣରେ ଏତେ କମ୍ ଦିନ ପାଇଁ ରହିବେ ଜାଣିଥାନ୍ତୁ ହୁଏତ ଆହୁରି ଅନେକ ଲୋକପ୍ରିୟ ଗୀତକୁ ହୁଏତ ଏମିତି କିଛି ଭିଡ଼ିଓ ମାଧ୍ୟମରେ ସାଇତି ରଖିବା ପାଇଁ ପ୍ରୟାସ କରିଥାନ୍ତୁ । ତାଙ୍କର ବିୟୋଗରେ ଏହି ସ୍ମୃତିଟିକକ ଆପଣମାନଙ୍କ ନିକଟରେ ଶ୍ରଦ୍ଧାଞ୍ଜଳୀ ସ୍ୱରୂପ ଅର୍ପଣ କରୁଛୁ ।

କୋସଲୀ ବାଲ୍ମିକୀ ଭାବରେ ପରିଚିତ କବି ହେମଚନ୍ଦ୍ର ଆଚାର୍ୟ ରଚିତ ଏହି ଗୀତ ଷାଠିଏ ଦଶକରେ ହେଉଥିବା ବିବାହ ବେଳେ ଝିଅକୁ ବିଦାୟ ଦେବାର ଆବେଗମୟ ମୁହୁର୍ତକୁ ମନେ ପକାଇ ଦିଏ l ଏହି ଗୀତର ରଚୟିତା ( ହେମଚନ୍ଦ୍ର ଆଚାର୍ୟ)ଏବଂ ଗୀତର ଗାୟକ ( ସଂଜିବ ବଣିଆ) ସ୍ମୃତିରେ …

[box type=”shadow” align=”” class=”” width=””]ସୃଜନଶୀଳ ଓ ସମ୍ବେଦନଶୀଳ ଯୁବ ଗାୟକ ତଥା କବି ପ୍ରତିଭା ସଞ୍ଜିବ ବଣିଆଁଙ୍କର ଅସମୟରେ ବିୟୋଗ ରାଜ୍ୟପାଇଁ ଏକ ଅପୂରଣୀୟ କ୍ଷତି । ସମଗ୍ର ରାଜ୍ୟରେ ଏବଂ ଦେଶରେ ସମ୍ବେଦନହୀନତା ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଯେଉଁମାନଙ୍କର ଗୀତ, କବିତା ମଣିଷ ପ୍ରାଣରେ ଟିକିଏ ନୂତନ ଚୀନ୍ତା ଓ ଚେତନା ଭରିଦିଏ ସେମାନଙ୍କ ବିୟୋଗ ନିଶ୍ଚୟ ସମାଜପାଇଁ ଅଧିକ କ୍ଷତି ସାଧନ କରିବ । ତଥାପି ଯୁବପିଢ଼ି ଏଥିରୁ ଶିକ୍ଷାଲାଭ କରି ନିଜକୁ ତିଆରି କରିବାର ଶିକ୍ଷାଟିଏ ନେଲେ ସେହିଭଳି ମାନବବାଦୀ କଳାକାରମାନଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ। – ସମ୍ପାଦକ[/box]

Share this Article
ସାମ୍ବାଦିକ, ବୃତ୍ତଚିତ୍ର ନିର୍ମାତା