Home / ସାହିତ୍ୟ / କବିତା / କାଳନ୍ଦିଚରଣଙ୍କ ଭିନ୍ନ ଭାବନାର କବିତା -“ପୂରୀ ମନ୍ଦିର” – ଏକ ସମୀକ୍ଷା

କାଳନ୍ଦିଚରଣଙ୍କ ଭିନ୍ନ ଭାବନାର କବିତା -“ପୂରୀ ମନ୍ଦିର” – ଏକ ସମୀକ୍ଷା

କାଷ୍ଠ-ପାଷାଣ-ଗଠିତ ହେ ନୀର୍ଜିବ ଦେବତା ମୂରତି!

ଏ ଦେଶ ଶୋଣିତେ ଆଜି ଜାଗ୍ରତ ଯେ ବିଶ୍ୱର କୀରତି,

ମାନବର ଶିଳ୍ପକଳା କଳ୍ପନା-ଘଟିତ

ଯୁଗ ଯୁଗ ଧରି ଯାହା ହୋଇଛି ଗଠିତ

ମାନବର ହସ୍ତେ ବହି ରୂପ

ଭାଗ୍ୟେ ତା’ର କରୁଛ ବିଦ୍ରୁପ,

ଅନ୍ତର ଗୁହାରି

ନଶୁଣକି ତାହାରି

ଶୂନ୍ୟପ୍ରାଣ

ହେ ପାଷାଣ?

ନ ଲଭି ସାନ୍ତ୍ୱନା କାହିଁ ଭଗ୍ନପ୍ରାଣ ମାନବ ସନ୍ତାନ

କାଷ୍ଠ ପାଷାଣର ଦେହେ କରଇ ସେ ଦେବତା ନିର୍ମାଣ,

କୋମଳ ମଧୂର ଯାହା କରି ଆରାଧନା

ନୋହେ ଯେଣୁ ଉପଶମ ଅନ୍ତର ବେଦନା,

ବ୍ୟାକୁଳ ହୃଦୟେ ଲୋଡ଼େ ସେହୁ

ଦୟା, କ୍ଷମା, ପାଷାଣର ଦେହୁଁ,

ପାଷାଣର ଗାତ୍ରେ

ମସ୍ତକ ଆଘାତେ

ଅକାରଣ

ଅଶରଣ ।

ହେ ପାଷାଣ, ମାଗୁନାହିଁ ଶମିବାକୁ ମୋ ମରମଭାର

କ୍ଷମିବାକୁ ଅପରାଧ, ତ୍ରୁଟିବାକୁ ବ୍ୟର୍ଥତା ଆଶାର,

ଲୋଡ଼ୁନାହିଁ ଲଭିବାକୁ ତବ ଅନୁଗ୍ରହ,

ଧନ, ମାନ, ଯଶଖ୍ୟାତି ଅଭୟ ହୃଦୟ

ମୃତ୍ୟୁପରେ ମୁକ୍ତି ନାହିଁ ମାଗେ,

ବଇକୁଣ୍ଠ ନାହିଁ ଭଲ ଲାଗେ,

ଏ ମର୍ତ୍ତ୍ୟ ଭୁବନ

ମୋ ସ୍ନେହ ସଦନ

ଏ ଧରଣୀ

ସୁଖମଣି ।

ଜୀବନର ଭାବନାରେ ବହିଯାଏ ମୋର ପ୍ରତିକ୍ଷଣ,

ନାହିଁ ବେଳ କରିବାକୁ ମୁକ୍ତି ଅବା ମୃତ୍ୟୁର ଚିନ୍ତନ,

ଲଭିଅଛି ଯେ ସମ୍ପଦ ଏ ମୋର ଜୀବନେ

ମିଳଇ ସେ କେବେ କେଉଁ ଅମର ଭୁବନେ?

ଏ ଜୀବନେ ଲଭିଛି ଯେ ନିଧି

ତୁଚ୍ଛ କରିଦିଏ ସ୍ୱର୍ଗସିଦ୍ଧି

ଭୋଗିବାକୁ ତାହା

ବେଳ ନାହିଁ, ଆହା!

କିବା ଲୋଡ଼ା

ସ୍ୱର୍ଗ ଯୋଡ଼ା?

ଏ ଧରାର ସୁଖ, ଦୁଃଖ, ସ୍ନିଗ୍ଧ, ରୁକ୍ଷ, ସୁନ୍ଦର, କୁତ୍ସିତ

ଅତି ଆଦରର ମୋର, ଏ ଜୀବନେ ଅତି ପରିଚିତ

କେତେ ଆଶା କେତେ ମୋର ଅଳଙ୍କାର ଧନ

ଛାଡ଼ି ମୁହିଁ ନଲୋଡ଼ଇ ସ୍ୱରଗ ଭୁବନ,

ଜନନୀର ଅମୃତ ସେନେହ

ଲଳିତ କରଇ ଏ ଯେ ଦେହ,

ଆଶିଷ ପିତାର

 କଲ୍ୟାଣ ଆଧାର

ଏତେ ପ୍ରାଣ

ଏବେ ଦାନ!

ସକଳ ମମତା ତେଜି ନ ଖୋଜଇ ମୁକତି ମାରଗ,

ହୁଅଇ ନାସ୍ତିକ ପଛେ, ନଲୋଡ଼ଇ ଅପର ସ୍ୱରଗ

କି ଆନନ୍ଦ ନିହିତ ସେ ସ୍ୱର୍ଗ-ପରବାସେ

ହୁଏ କି ତା ସୁଷମିତ ଶିଶୁର ସୁହାସେ?

ଯେ ସଙ୍ଗୀତ ପ୍ରିୟାର ନୂପୁରେ

ଅଛି କେଉଁ ବଇକୁଣ୍ଠପୁରେ?

ପ୍ରିୟା-ରୂପ-ଶଶୀ

ସେ କେଉଁ ଉର୍ବଶୀ

ପାରେ ଜିଣି

ଗରବିଣୀ!

ତଥାପି ନମଇଁ ତୋର ହେ ନୀର୍ଜିବ କର୍କଶ ପାଷାଣ

ଘନିଭୂତ ଏଥି ଯେଣୁ କେତେ ପୂଣ୍ୟ ଶିଳ୍ପିର ପରାଣ

ଯେ ରାଜନ ଗଢ଼ିଲା ଏ ପାଷାଣର ଗିରି

ଯେ ବିରାଟ କଳ୍ପନାରୁ ଉଦଭୂତ ଏ ଶିରୀ

ବିଶ୍ୱ ପାଇଁ କରିଲା ଦାଦନ

ଅନ୍ତରର ବିପୁଳ ବେଦନ,

ହେବାକୁ ନିର୍ବଂଶ

ଲୋଡ଼ିଲା ଅଯଶ

ବଂଶଗର୍ବ

କରି ଖର୍ବ!

ତ୍ୟାଗର ମହିମା ଯେଣୁ ଏ ଦେଉଳ ଘୋଷଇ ପବନେ

ତ୍ୟାଗର ଜୟ ପତାକା ଉଡ଼ାଉଛି ଅନନ୍ତ ଗଗନେ,

ବିରାଟ ଯେ ଆତ୍ମା ଏହି ପାଷାଣେ ନିହିତ,

ଉଦ୍ଦେଶ୍ୟେ ତାହାରି ଆଜି ନମ୍ର ମୋର ଚିତ୍ତ,

ରକତ ମାଂସର ଯେତେ ହସ୍ତ,

ତାହାରି ସକାଶେ

ଏ ପାଷାଣ ପାଶେ

ନମସ୍କାର

ବାରମ୍ବାର ।

ମାନବର ସୃଷ୍ଟି ଏ ଯେ ମାନବର ଅନ୍ତର ଆରତି,

ନମଇଁ ମୁଁ ଏଥି ତେଣୁ ଜଣାଏଁ ମୋର ବ୍ୟଥାର ଭାରତୀ,

କାତର ଚିତ୍କାର କେତେ ଅନ୍ତରର ଦୁଃଖ

ଜଡ଼ ଏ ପାଷାଣ ଦେହେ ଭଜିଅଛି ମୁକ,

ଆଜି ଏହି ଦେଉଳ ଗହ୍ୱରେ

ଶତକଣ୍ଠ ପ୍ରତିଧ୍ୱନି ଥରେ;

ମିଶାଇ ତା’ ସଙ୍ଗେ

ଏ ମନ୍ଦିର ଅଙ୍ଗେ

କଣ୍ଠସ୍ୱର

ଉଠେ ମୋର ।

ଲୁକ୍କାୟିତ ବିଶ୍ୱମଧ୍ୟେ ମାନବ ପ୍ରାଣର ଆଶା ଆଦି

ଏ ପାଷାଣ ନିମ୍ନେ ହୋଇ ସ୍ତୁପୀକୃତ ଲଭିଛି ସମାଧି,

ବିରହ ବିଧୁରା କେତେ ଯୁବତୀ ଗୁହାରି

ସନ୍ତାନ ହୀନାର କେତେ ଶୋକ ଅଶ୍ରୁବାରି

ହୋଇଅଛି ଏଥି ଘନିଭୂତ

ଅନ୍ତରର ବାସନା ଅୟୂତ,

କେତେ ନିରାଶ୍ରୟ

ଲୋଡ଼ିଛି ଅଭୟ

ସଂଗୋପନେ

ଆଶାମନେ ।

ଶ୍ରେଷ୍ଠ ମାନବ-ଅନ୍ତର କେତେ ଏଥି ଆସିଅଛି ଧାଇଁ,

ଭକତି ପ୍ରେମର କେତେ ରସଉତ୍ସ ଦେଇଛି ବୁହାଇ;

ତରଳାଇ ନୀର୍ଜିବ ଏ ପାଷାଣର ଅଙ୍ଗ

ଜୀବନ ରସର କେତେ ଉଠିଛି ତରଙ୍ଗ

କେତେ ଶତ ଜୀବନ୍ତ ଦେବତା

ବିଶ୍ୱପାଇଁ ପ୍ରକାଶିଛି ବ୍ୟଥା

ଏ ଶିଳା ବିଚିତ୍ର

ହୋଇଛି ପବିତ୍ର

ଲାଗି ଯେଣୁ

ପଦରେଣୁ ।

ଆଦର୍ଶ ଯାହାର ମହା ସାମ୍ୟନୀତି ନାହିଁ ଭେଦ-ଜ୍ଞାନ,

ମାନବ ଶିଶୁର ଯହିଁ ନାହିଁ ଜାତି-ଦ୍ୱେଷ ଅପମାନ

କବୀର, ନାନକ, ବୁଦ୍ଧ, ଚୈତନ୍ୟ, ଶଙ୍କର,

କଲେ ଯହିଁ ସମାବେଶ ସକଳ ଧର୍ମର

ଲେଖିଲେ ଏ ପାଷାଣର ଗାତେ

“ସକଳ ସେ ସମାନ ଜଗତେ”

ସବୁ ବଡ଼ ସାନ

ଦୀନ ଧନବାନ

ନତମୁଣ୍ଡ

ଏଥି ରୁଣ୍ଡ ।

ଯେତେକୋଟି ଯାତ୍ରୀ ପଦ ପଡ଼ିଛି ଏ ମନ୍ଦିର ଦୁଆରେ

ଭବିଷ୍ୟତେ କେତେ ପୁଣି ଲାଗିବ ଏ ପାଷାଣ ହିଆରେ

ନ ରହିବ ଇତିହାସ, ନ ରହିବ ଚିହ୍ନ

ଏ ପାଷାଣ ଗାତ୍ର କାହିଁ ନୋହିବ ବିଦୀର୍ଣ୍ଣ

କିନ୍ତୁ ସେ ଯେ ବିଶ୍ୱାସ ଭକତି

ତା’ ଉଦ୍ଦେଶ୍ୟେ ଜଣାଏଁ ମୁଁ ନିତି,

ମାନବ ଜୀବନେ

ଅମୂଲ୍ୟ ଏ ଧନେ

ନମସ୍କାର

ବାରମ୍ବାର ।

 

କାଳନ୍ଦିଚରଣଙ୍କ ଭିନ୍ନ ଭାବନାର

କବିତା -“ପୂରୀ ମନ୍ଦିର”

ଡ଼ଃ ବିଭୂତି ପଟ୍ଟନାୟକ

କଳ୍ପନାବିଳାସୀ ସବୁଜକବି କାଳନ୍ଦୀଚରଣ ପାଣିଗ୍ରାହୀଙ୍କ ଏକ ଭିନ୍ନ ଭାବନାର କବିତା “ପୁରୀ ମନ୍ଦିର” । ୧୯୨୭ ମସିହା ମାର୍ଚ୍ଚ ସଂଖ୍ୟା ‘ଉତ୍କଳ ସାହିତ୍ୟ’ରେ ଏହା ପ୍ରଥମେ ପ୍ରକାଶିତ ହୋଇଥିଲା । ପରେ ସବୁଜ ସାହିତ୍ୟ ମନ୍ଦିର ଦ୍ୱାରା ପ୍ରକାଶିତ ପ୍ରଥମ ଗ୍ରନ୍ଥ ‘ସପ୍ତମ’ କବିତାରେ ଏହା ସନ୍ନିବିଷ୍ଟ ହୋଇଥିଲା । ଏହି କବିତା ସଂକଳନରେ ପତ୍ରସ୍ଥ କାଳନ୍ଦିଚରଣଙ୍କ ‘ଲୋହିତ ବ୍ୟଥା’, ‘ମଧୁ ବିବାହ’, ‘ଫଗୁଣ ବଂଶୀ’ ଏବଂ ‘ସାଧ୍ୟାଲୋକେ’ ପ୍ରଭୃତି ଅନ୍ୟ ପାଞ୍ଚଟି କବିତା ରୋମାଣ୍ଟିକ ଭାବନାରେ ଉଦ୍ବେଳିତ ହୋଇଥିବା ବେଳେ ‘ପୂରୀ ମନ୍ଦିର’ କବିତାଟି ପ୍ରଗତିଶୀଳ ଭାବନାର ଅମ୍ଳାନ ସ୍ୱାକ୍ଷର ବହନ କରିଛି ।

ଜଗନ୍ନାଥ ଆଦିବାସୀମାନଙ୍କ ଦାରୁବ୍ରହ୍ମ ଭାବରେ ପୂଜିତ ହେଉଥିଲେ ମଧ୍ୟ ରାଜା ଇନ୍ଦ୍ରଦ୍ୟୁମ୍ନ ତା’ଙ୍କୁ ପୂରୀ ବଡ଼ ଦେଉଳରେ ପ୍ରତିଷ୍ଠା କଲାପରେ ସେ ହିନ୍ଦୁମାନଙ୍କ ଇଷ୍ଠ ଦେବତା ରୂପରେ ପରିଚିତ ହୋଇଛନ୍ତି । ପୁରୀ ଏହି ଦାରୁବ୍ରହ୍ମ ଜଗନ୍ନାଥଙ୍କ ଯୋଗୁଁ ହିନ୍ଦୁମାନଙ୍କ ଚାରିଧାମ ମଧ୍ୟରୁ ଅନ୍ୟତମ ପବିତ୍ର ଧାମ ଭାବରେ ଖ୍ୟାତି ଅର୍ଜନ କରିଛି । ଭାରତବର୍ଷର ବିଭିନ୍ନ ଅଞ୍ଚଳରେ ପୂରୀ ଧାମକୁ ଜଗନ୍ନାଥ ଦର୍ଶନ ପାଇଁ ଆସନ୍ତି । ହିନ୍ଦୁମାନଙ୍କର ଧାରଣା ପୂରୀ ମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କଲେ ସବୁ ପାପତାପରୁ ମୁକ୍ତି ମିଳେ । ସ୍ୱର୍ଗଦ୍ୱାରରେ ଦେହ ଦାହ ହେଲେ ବୈକୁଣ୍ଠରେ ସ୍ଥାନ ମିଳେ । କିନ୍ତୁ ‘ପୂରୀ ମନ୍ଦିର’ କବିତାରେ କବି କାଳନ୍ଦିଚରଣ  ମର୍ତ୍ତ୍ୟ ଭୁବନର ମାୟାକାଟି ଚୀର ଯୌବନର ଭୁବନ ସ୍ୱର୍ଗକୁ ଯିବାପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି । ତା’ଙ୍କ ଭାଷାରେ

“ମୃତ୍ୟୁପରେ ମୁକ୍ତି ନାହିଁ ମାଗେ,

ବଇକୁଣ୍ଠ ନାହିଁ ଭଲ ଲାଗେ,

ଏ ମର୍ତ୍ତ୍ୟ ଭୁବନ

ମୋ ସ୍ନେହ ସଦନ”

କିନ୍ତୁ ଶତ କାରୀଗରଙ୍କ ହାତରେ ଗଢ଼ା ଏଇ ସମୁଚ୍ଚ ପୂରୀ ମନ୍ଦିର ଏବଂ ଏହାର ନିର୍ମାତା ରାଜା ଇନ୍ଦ୍ରଦ୍ୟୁମ୍ନ ଅକ୍ଷୟ କିର୍ତ୍ତୀର ଅଧିକାରୀ ହେବାପାଇଁ ତାଙ୍କର ମୃତ୍ୟୁପରେ କୌଣସି ବଂଶଧର ରହନ୍ତୁ ନାହିଁ ବୋଲି ପ୍ରାର୍ଥନା କରିଥିବା ଯୋଗୁଁ – ପୁରୀ ମନ୍ଦିର ପାଖରେ କବି ମଥାନତ କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି । ମଣିଷ ଦେବତାଙ୍କ ସୃଷ୍ଟି ନୁହେଁ, ଈଶ୍ୱର ମଣିଷର ହାତଗଢ଼ା ମୂର୍ତ୍ତି ।

“ମାନବର ହସ୍ତେ ବହି ରୂପ

ଭାଗ୍ୟେ ତା’ର କରୁଛ ବିଦ୍ରୁପ,

ଅନ୍ତର ଗୁହାରି

ଶୁଣକି ତାହାରି

ଶୂନ୍ୟପ୍ରାଣ

ହେ ପାଷାଣ?”

ଶୁନ୍ୟପ୍ରାଣ, ପାଷାଣ ଦେବତା, ସ୍ଥପତିର ଶିଳ୍ପକଳାରେ ମୂର୍ତ୍ତିମନ୍ତ ଏବଂ ଭକ୍ତର ଭକ୍ତିରେ ପ୍ରାଣବନ୍ତ । ସ୍ଥପତି ଏବଂ ଭକ୍ତ ଯେହେତୁ ହେଉଛନ୍ତି ସାଧାରଣ ମଣିଷ; ସେଇମାନଙ୍କ ହାତଗଢ଼ା ଦେବତାକୁ ସେଥିପାଇଁ କବି ନମସ୍କାର କରିବା ପାଇଁ କୁଣ୍ଠିତ ହୋଇନାହାନ୍ତି ।

ସବୁରି ଉପରେ ମଣିଷ, ମଣିଷ ଉପରେ ଆଉ କେହିନାହିଁ, ରବିନ୍ଦ୍ରନାଥଙ୍କ ଉକ୍ତି କାଳନ୍ଦିଚରଣଙ୍କ “ପୂରୀ ମନ୍ଦିର” କବିତାରେ ଉତ୍କୀର୍ଣ୍ଣ ହୋଇଛି ।

Photo credit – prof. Kailash chandra dash facebook page

About ପ୍ରଫେସର ବିଭୂତି ପଟ୍ଟନାୟକ

ସାହିତ୍ୟିକ, ସ୍ତମ୍ବକାର

Check Also

ଗୈାରୀ ଲଙ୍କେଶ ତୁମ ସ୍ୱର ପ୍ରତିଧ୍ୱନି ସବୁଠି ଶୁଭୁଛି

ନିର୍ଜୀବ କରିଲା ସିନା ନୀରବ ପାରି ନାହିଁ କରି, ତୁମ ସ୍ୱର ପ୍ରତିଧ୍ୱନି ସବୁଠି ଶୁଭୁଛି ; ରାସ୍ତା ଘାଟ …

Leave a Reply

Your email address will not be published. Required fields are marked *