Home / ସମୀକ୍ଷା / ସାଂସ୍କୃତିକ ସମୀକ୍ଷା / କଳାକାର ଅଶ୍ରୁମୋଚନଙ୍କୁ ଖୋଲାଚିଠି

କଳାକାର ଅଶ୍ରୁମୋଚନଙ୍କୁ ଖୋଲାଚିଠି

ବରେଣ୍ୟ କଳାକାର ଅଶ୍ରୁମୋଚନ ମହାନ୍ତି ମହୋଦୟ ଓରଫ ଅଶ୍ରୁମୋଚନ ଭାଇ ଜଣେ ଦର୍ଶକର ନମସ୍କାର ଗ୍ରହଣ କରିବେ । ଆଶା, ବ୍ୟସ୍ତବହୁଳ ଜୀବନରୁ ସାମାନ୍ୟ ଅବ୍ୟାହତି ନେଇ ଗୁରୁତ୍ୱର ସହ ଏ ଖୋଲା ଚିଠିଟିକୁ ଟିକିଏ ପଢ଼ିବୋ

ଆପଣଙ୍କ ଅଭିନୀତ ଅନେକ ସିନେମା, ସିରିଏଲ ଆଦି ଦେଖି ଆତ୍ମହରା ହୋଇଛି, କେବେ କାନ୍ଦି ପକେଇଛି ତ, କେବେ ହସିହସି ପେଟ ଦରଜ ହୋଇଛି । ଟି.ଭି. ପର୍ଦ୍ଦାରୁ ଦୃଶ୍ୟଟା ଲିଭିଯିବା ପରେ ମନପର୍ଦ୍ଦାରେ ଆପଣଙ୍କ ଅଭିନୟ ବରଂ ଆହୁରି ପ୍ରଭାବଶାଳୀ ହୋଇ ରହିଛି । ମଣିଷକୁ ଭଲପାଇବା ପାଇଁ, ନିଜ ଆଖପାଖର ପୃଥିବୀକୁ ଆହୁରି ସୁନ୍ଦର କରିବାପାଇଁ ଆପଣଙ୍କ ଅଭିନୟ ଯଥେଷ୍ଟ ଖୋରାକ ଯୋଗାଇଛି। ବିଶେଷକରି ଡକ୍ଟର ପ୍ରତିଭା ରାୟଙ୍କ କାହାଣୀ ଆଧାରିତ “ବହୁରୂପୀ”ରେ ଆପଣଙ୍କ ଅଭିନୟ ଦେଖିବାପରେ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଛି, ଯାହାକୁ ଏ ଖୋଲାଚିଠି ମାଧ୍ୟମରେ ଆପଣଙ୍କୁ ପଚାରୁଛି । ଏ ପ୍ରଶ୍ନ କେବଳ ଆପଣଙ୍କୁ ନୁହେଁ ବରଂ ଓଡ଼ିଆ ସିନେମା ଓ ଟେଲିଭିଜନ ଦୁନିଆରେ କାମ କରୁଥିବା ସମସ୍ତ ପ୍ରତିବଦ୍ଧ କଳାକାର, ନିର୍ଦ୍ଦେଶକ ଓ ନିର୍ମାତାଙ୍କୁ ।

ଅଶ୍ରୁ ଭାଇ, ମୋ ଭଳି ଅନେକ ଦର୍ଶକ ଏ ଭିତରେ ଓଡ଼ିଆ ସିରିଏଲ ଓ ସିନେମା ଦେଖିବା ବନ୍ଦ କରିଦେଲୁଣି । ଏକଥା ଲେଖିଲା ବେଳେ ଭାରିି କଷ୍ଟ  ହେଉଛି, ୟାଠୁ ବି ବେଶି କଷ୍ଟ ହେଉଛି ନିରାଶାରେ ଟିଭି ବନ୍ଦ କରିବାବେଳେ, ସିନେମାହଲକୁ ଯିବା ତ ଦୂରର କଥା। ଆମୂଳଚୂଳ କାହାଣୀରେ ଏକ ଭାରାକ୍ରାନ୍ତ, ଥମ୍ଥମ୍ ପରିବେଶରେ ଚରିତ୍ରମାନେ ଖାଲି କାରୁଣ୍ୟ ଆଉ ବିଭତ୍ସ ରସ ପରଶୁଥିବେ, କୋଉ ସରାଗରେ ତାକୁ ଉପଭୋଗ କରିବାକୁ ମନ ବଳିବ? ଅଶ୍ରୁମୋଚନ ଭାଇ, ଅଭିନୟରେ ପରା ନବରସ ଥାଏ? ବାକି ରସମାନଙ୍କୁ ନିର୍ବାସିତ କଲା କିଏ? କେଉଁ ମହାନ ଉଦ୍ଦେଶ୍ୟକୁ ନେଇ?

ଆପଣ ଭାବୁଥାଇ ପାରନ୍ତି, କ’ଣ କ୍ଷତି ହେଇଗଲା? ଟିଆର୍ପି ତ ବଢ଼ିଚାଲିଛି, ଅସଂଖ୍ୟ ମଣିଷ ତଥାପି କାର୍ଯ୍ୟକ୍ରମ ସବୁ ବେଶ୍ ଉପଭୋଗ କରୁଛନ୍ତି, ତ ଅସୁବିଧା କୋଉଠି? ତା ଛଡ଼ା ନିଜ ପରିବାର ବି ତ ପୋଷିବାକୁ ପଡ଼ିବ । ଅଶ୍ରୁ ଭାଇ ଦୁନିଆକୁ ମଣିଷ ବନାଏ, ଟିଆର୍ପି ବନାଏନି। କଳାକାରର ବି ଉତ୍ତରଦାୟିତ୍ୱ ରହିଛି। ଯେଉଁ ଦର୍ଶକ ଏ ସାଂସ୍କୃତିକ ଦୁର୍ଭିକ୍ଷକୁ ନିର୍ବିକାରରେ ଅସ୍ଥିମଜ୍ଜାଗତ କରିଦେଉଛନ୍ତି, ସେମାନଙ୍କର ସମାଜକୁ ନେଇ ସ୍ୱପ୍ନ ନାହିଁ। ଅଶ୍ରୁମୋଚନଙ୍କ ଚରିତ୍ର ଘଷରା ହେଲେ କି ଅଶ୍ରୁମୋଚନଙ୍କ ଜାଗାରେ କ,ଖ,ଗ, କେହି ବି ଅଭିନୟ କଲେବି ସେମାନେ ବିଚଳିତ ହେବେନି, ସେମାନେ ଏପରି ଦେଖିଚାଲିବେ ଆଉ ତମାମ୍ ନାଟକୀୟ ବିକୃତିକୁ ଅଜାଣତରେ ନିଜ ବାସ୍ତବ ଜୀବନରେ ବି ପର୍ଯ୍ୟାୟକ୍ରମେ ଆଚରଣ କରିଚାଲିଥିବେ । ଏତେ ପ୍ରତିଭାବାନ କଳାକାର, ଏତେ ଚମକ୍ରାର କାହାଣୀ ଆମ ଏଇ ମାଟିରେ ଥାଉଥାଉ ଏ ଘରଭଙ୍ଗା ଓ ଦୁନିଆଁ ଉଜୁଡ଼ା ଧାରାବାହିକ ତିଆରି କରାଯାଏ କେଉଁ ମହତ୍ ଉଦ୍ଦେଶ୍ୟକୁ ଆଖି ଆଗରେ ରଖି?

ଅଶ୍ରୁ ଭାଇ, ସୋନୀ ସବ୍ ଚାନେଲ୍ର ତାରକ ମେହେତାକା ଉଲଟା ଚଷମା ଫୁଲ୍ ଟିଆର୍ପି ସହ ତା’ର ଜୟଯାତ୍ରା ଅବ୍ୟାହତ ରଖିଛି । କେବଳ ଭାରତରେ କାହିଁକି, ଭାରତ ବାହାରେ ବି ଛୁଆମାନଙ୍କର ପ୍ରଥମ ପସନ୍ଦ ହେଉଛି ଏଇ ଧାରାବାହିକ । ଏ ସିରିଏଲ ଦେଖିବାକୁ କେଉଁ ମାଆବାପା ତାଙ୍କ ଛୁଆଙ୍କୁ କହିନଥାନ୍ତି, ନିଜେ ନିଜେ ପିଲାମାନେ ଏଭଳି କାର୍ଯ୍ୟକ୍ରମ ଖୋଜି ପାଇଥାନ୍ତି ଓ ଦେଖିଥାନ୍ତି, କାରଣ ଛୁଆମାନଙ୍କୁ ଏଣୁତେଣୁ ଯାହାକିଛି ଦେଖେଇଲେ ସେମାନେ ପାଟି କରନ୍ତି, ଛୁଆମାନଙ୍କର ଯେଉଁ ରୁଚିବୋଧ ଥାଏ, ତାହା ଆମର ନଥାଏ ।

ଏ ଧାରାବାହିକଟା ଛୁଆମାନଙ୍କ ସମେତ ଅନେକଙ୍କୁ ଏଥିପାଇଁ ଭଲ ଲାଗେ ଯେ, ଏଥିରେ ବୋହୂ ରନ୍ଧା ଘରକୁ ନପଶିବା ଆଗରୁ ଶାଶୁ ଗ୍ୟାସ ଚୁହ୍ଳାର ପାଇପକୁ କାଟି ନଥାଏ, ବିବାହ ବାର୍ଷିକୀରେ ସାନଯାଆ ପିନ୍ଧିବାକୁ ରଖିଥିବା ନୂଆଁଶାଢ଼ିଟାକୁ ବଡ଼ଜାଆ ବ୍ଲେଡ଼ରେ କାଟିନଥାଏ, ପୁତୁରାର କ୍ଷୀର ଗ୍ଲାସରେ ଖୁଡ଼ି ଜହର ମିଶେଇ ନଥାଏ କି ବଡ଼ କାଇଦାରେ ଆଇ.ସି.ୟୁରେ ପଶି ଭାଉଜ ଦିଅର ମୁହଁରେ ଲାଗିଥିବା ଅକ୍ସିଜେନ ନଳୀ କାଢ଼ିଦେବାର ନଜିର ନଥାଏ । ବର୍ତ୍ତମାନ ପ୍ରସାରିତ ଟେଲି ସିରିଏଲମାନଙ୍କ ତୁଳନାରେ ଏଇ କାର୍ଯ୍ୟକ୍ରମର ଗୁଣବତା ଯଥେଷ୍ଟ ଊଦ୍ଧ୍ୱର୍ରେ, ଯଦିଓ ଏଥିରେ ବି ଦୋଷତୃଟି ରହିଛି ।

ଅଶ୍ରୁଭାଇ, ଆପଣମାନଙ୍କୁ ଅଣନିଃଶ୍ୱାସୀ ଲାଗୁନି? କୁଆଡ଼େ ଗଲା ଜର୍ଜ ତିଆଡ଼ିଙ୍କ ମୁରବୀ ସୁଲଭ ଥଟ୍ଟାଳିଆ ଅଭିନୟ? ଅ ଆକାରେ ଆ ରେ ଦେବୁ ବୋଷ ଓ ଆଦ୍ୟାଶାଙ୍କ ଅଜା ନାତୁଣି ଯୋଡ଼ିକୁ ଯିଏ ଦେଖିଛି, ସିଏ ତ ଦେବୁ ଦାଙ୍କ ଧରା-ବନ୍ଧା ଭୂମିକାକୁ ହଜମ କରିପାରିବନି । ମିହିର ଦାସ ବି ଦର୍ଶକଙ୍କୁ ଭୂଲି ସିଧା ଲମ୍ଫ ମାରିଲେ ସିନେମାକୁ । ଆମେ ରବୀନ୍ଦ୍ର ମଣ୍ଡପକୁ ଯାଇପାରୁନା, ତେଣୁ ଡ଼ିଡ଼ି-୬ ର ମଞ୍ଚରେ ଆପଣମାନଙ୍କୁ ବହୁତ ଖୋଜୁ, ଆର୍ଟିଷ୍ଟ ବଡ଼ ହେଇଗଲେ ମଞ୍ଚଟା ଛୋଟ ହେଇଯାଏନି ତ? ନା ସମୟ ମିଳେନି!! ଛାଡ଼ନ୍ତୁ, ଟିଭିକୁ ଫେରିବା । ମାମା ମିଶ୍ରତ ଉଭେଇ ଗଲେ । ସୋଫିଆ (ନାଁ ନାଜିଆ?) ମାଡ଼ାମ ତାଙ୍କ ନାକକାନ୍ଦୁରୀ ଭୂମିକାରେ ହସେଇ ହସେଇ କନ୍ଦେଇ ଦେଉଥିଲେ, ଅଥଚ ସିଏ ବି ସେଇ କାଣ୍ଟଛାଣ୍ଟ ଫର୍ମୁଲାରେ ପଡ଼ିଗଲେ । ନୈନାଙ୍କ ଡାଇଲଗ ତ ଭୂଲିହୁଏନି । କେଉଁ କଳାତ୍ମକ କମନୀୟତା ଦେଖେଇବା ପାଇଁ ଟିକିଅପା ଟିଭିକୁ ଓହ୍ଳେଇଥିଲେ? ଛାଡ଼ନ୍ତୁ, ସେତ ବଡ଼ ଘର ଗୁମର କଥା ।

ଅଶ୍ରୁଭାଇ, ଆପଣମାନଙ୍କୁ ବିରକ୍ତ ଲାଗୁନି! କଳାକାର ପରା ପ୍ରତିବାଦ କରିବା ଶିଖାଏ! ଏ ପରାଧୀନତା ଆପଣମାନଙ୍କ ଦେହସୁହା ହେଇଯାଉଛି କେମିତି? ଆଶ୍ଚର୍ଯ୍ୟ ନିର୍ଦ୍ଦେଶକ, ନିର୍ମାତାଙ୍କୁ ବି ବାଧୁନି ! ଆପଣମାନଙ୍କ ଦୁନିଆଁ ଏତେ ଶଙ୍କୁଚିତ ହେଇଯାଇଛି ଯେ, ଏଠି ଅଭିନୟ ହିଁ ଗୌଣ । ଏଭଳି ପରିବେଶରେ ଅଭିନେତା ତିଆରି ହେବେ କେମିତି? ଏଥିପାଇଁ କଳାକାର ଖୋଜିବା ନାଁରେ ଯାବତୀୟ ଡହକବିକଳ ପଣ । ମୁଁ ଭୁଲ୍ କହିଲି, କଳାକାର ଖୋଜା ଯାଉନି, ହିରୋ, ହିରୋଇନ ଖୋଜାଯାଉଛି, ଅର୍ଥାତ, ଚରିତ୍ର ଅଭିନେତା ଅଭିନେତ୍ରୀ ଦରକାର ନାହିଁ । ହିରୋ ହିରୋଇନଙ୍କୁ ଛାଡ଼ି ବାକି ଯାହା ରହିଗଲେ, ସେମାନେ ଅନ୍ୟାନ୍ୟ ଭୂମିକା ପାଇଁ ଫିଟ । ଅଶ୍ରୁଭାଇ, ବୟାଅଶୀ ବର୍ଷର ନାୟକ ଅଟଳ ବିହାରୀ ପଣ୍ଡା ତ ଏ ତଥାକଥିତ କଳାକାରୀୟ ସ୍ୱେଚ୍ଛାଚାରିତାକୁ ଶକ୍ତ ଜବାବଟେ ଦେଲେ । ଟିଆର୍ପି ଚୁଲିକି ଯାଉ, ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସତ୍ସାହସକୁ ମୁଁ ହଜାର ସଲାମ୍ ଜଣଉଛି ।

କଳାକାର ପରା ସଭ୍ୟତାକୁ ମାର୍ଜିତ କରେ, ହତାଶ ମଣିଷକୁ ବଞ୍ôଚବାର ରାହା ଦେଖାଏ । ଇତିହାସ କହେ, ଅନ୍ୟାୟ, ଏକଛତ୍ରବାଦ ବିରୁଦ୍ଧରେ କଳାକାର ପ୍ରଥମେ ପାଟି ଖୋଲିଛି । ମହାତ୍ମା ଗାନ୍ଧୀଙ୍କଠୁ ଆରମ୍ଭ କରି ମାଓ ସେତୁଙ୍ଗ୍, ଚାର୍ଲି ଚାପ୍ଲିନ୍ଙ୍କ ଠୁ ଆଇନ୍ଷ୍ଟାଇନ୍, ସଭ୍ୟତାର ସୁଷମ ବିକାଶ ପାଇଁ ଆପଣମାନଙ୍କୁ ଉତରଦାୟୀ କରିଛନ୍ତି । ଏ ଗୁରୁଦାୟିତ୍ୱ ଏକ ପୋଥିଗତ ପାଠ କି ଧରାବନ୍ଧା ନିୟମ ନୁହେଁ ।

 ଅଶ୍ରୁ ଭାଇ, କେବଳ ଆପଣ ନୁହନ୍ତି, ଅନେକ ପ୍ରତିବଦ୍ଧ କଳାକାର ତାଙ୍କ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ଯେ, ବର୍ତ୍ତମାନ କଳାର ଦୁନିଆଁରେ ମାଟିର ବାସ୍ନା ନାହିଁ, ସାଧାରଣ ମଣିଷ ପାଇଁ ଜାଗାଟେ ନାହିଁ । ଆପଣ ପ୍ରତିଶୃତି ଦେଇଥିଲେ, ଏ ଅଭାବବୋଧ ପୂରଣ କରିବେ । ଆପଣଙ୍କ ମନେଅଛି, ଆମ୍ବଗଛ ତଳ ଚାନ୍ଦିନୀରେ ଗୋଟିଏ ଗୋବର ଲିପା ଅଗଣାରେ ଡ଼ିଡ଼ି-୬ ପାଇଁ ସାକ୍ଷାତକାର ଦେବାବେଳେ ଏକଥା ଦୃଢ଼ତାର ସହ କହିଥିଲେ ।

ଟିଭି ପର୍ଦ୍ଦାର ବିରାଟ ବିରାଟ କୋଠା, ଅଭିନେତା ଅଭିନେତ୍ରୀଙ୍କ ଚକଚକିଆ ପୋଷାକ ଦେଖିଦେଖି ଆମ ନୂଆଁ ପିଢ଼ି ସ୍ୱପ୍ନଭୂକ ହେଇ ଯାଉଛନ୍ତି । ଅଶ୍ରୁମୋଚନ ଭାଇ ସେମାନଙ୍କ ପ୍ରତି ଆପଣମାନଙ୍କ ଯଥେଷ୍ଟ କର୍ତ୍ତବ୍ୟ ରହିଛି । ଅନେକ ନିର୍ମାତା, ନିର୍ଦ୍ଦେଶକ, ଗାୟକ, ଅଭିନେତା, ସେଟ୍ ଡ଼ିଜାଇନର୍, ଯେଉଁମାନଙ୍କ ନା ବି ମୁଁ ଜାଣିନି, ସେ ସମସ୍ତଙ୍କୁ ଆପଣଙ୍କ ଜରିଆରେ ଏଇଟା ମୋର ବିନମ୍ର ଅନୁରୋଧ । ଶ୍ରେଣୀରେ ଛାତ୍ର ଯଦି ବୁଝି ନପାରିଲା, ତେବେ ଶିକ୍ଷକ ପଢ଼ାଇବାର ଶୈଳୀ ବଦଳାଏ । ଦର୍ଶକର ସୁସ୍ଥ ରୁଚିବୋଧ ତିଆରି କରିବା ବି ଆପଣମାନଙ୍କ ଦାୟିତ୍ୱ । ସେଥିପାଇଁ ପରୀକ୍ଷାନିରୀକ୍ଷା, ଆଲୋଚନା, ସମାଲୋଚନା, ପର୍ଯ୍ୟାଲୋଚନା ଦରକାର। ଟିଆର୍ପି ନୁହେଁ, ଦର୍ଶକ ପ୍ରାଥମିକତା ପାଉ ସମସ୍ତଙ୍କୁ ଆତ୍ମସନ୍ତୋଷ ମିଳିବ । ଆତ୍ମସନ୍ତୋଷ ସବୁଠୁ ମୂଲ୍ୟବାନ । ଏତିକି ।

ଅଶ୍ରୁମୋଚନ ଭାଇ, ନମସ୍କାର କରି ରହୁଛି

ଇତି (ଅନେକ ଦର୍ଶକଙ୍କ ପ୍ରତିନିଧିତ୍ୱ କରୁଥିବା ଜଣେ ଦର୍ଶକ)

photo credit- internet

About ଜୟଶ୍ରୀ ସାହୁ

ଇଂରାଜୀ ଭାଷାରେ ଅଧ୍ୟାପିକା, ବରଗଡ଼

Check Also

“ଯାତ୍ରା’ର ଯାତ୍ରା ଯଦି ସରିଯାଉଛି, ଯାଉ

୧୯୨୭ରୁ ରାସ ଅ ।ରମ୍ଭ କରିଛି । ୧୯୨୯ରେ ବ୍ୟବସାୟୀ ଭାବେ ସେ ପ୍ରଦର୍ଶନ କରି ଦଳ ଚଳାଇଛି ୧୯୩୮ …

Leave a Reply

Your email address will not be published. Required fields are marked *