Home / ଇତିହାସ / କଥା ନୁହେଁ, ବ୍ୟଥା

କଥା ନୁହେଁ, ବ୍ୟଥା

୧୫୬୮ ସାଲରେ ଓଡ଼ିଶାର ସ୍ୱାଧୀନତା ଲୋପ ପାଇବାଠାରୁ ୧୯୩୬ସାଲରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ଯାଏଁ, ଓଡ଼ିଶାର ଜାତୀୟ ଜୀବନ ଯେଉଁଭଳି ଭାବେ ବିପର୍ଯ୍ୟସ୍ତ ହୋଇଥିଲା, ଭାରତର ଅନ୍ୟକୌଣସି ଭାଷାଭାଷୀ ଅଞ୍ଚଳ ସେପରି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଦେଖାଯାଏ ନାହିଁ । ଭାଷାଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ନୀତିଗତ ଭାବେ ହୋଇଥିଲା ସତ,ହେଲେ ବହୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଅଦ୍ୟାବଧି ଓଡ଼ିଶାର ସୀମା ବାହାରେ ରହିଛି । ଓଡ଼ିଶା ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ପଡ଼ୋଶୀ ରାଜ୍ୟର ଶାସନାଧିନ ଥିବା ସମୟରେ ସବୁଠାରୁ ଅତ୍ୟନ୍ତ କ୍ଷତିଗ୍ରସ୍ତ ହୋଇଥିଲା ଓଡ଼ିଶା ଜାତିର ସ୍ୱାଭିମାନ ଓ ଆମର ଜାତୀୟ ସଂହତି ।

ବର୍ତ୍ତମାନ ଓଡ଼ିଶା ବିଭିନ୍ନକ୍ଷେତ୍ରରେ ଅଗ୍ରଗତି କରୁଥିବା ପରିଲକ୍ଷିତ ହୁଏ । ଓଡ଼ିଶାରେ ପ୍ରତିଭାର ଅଭାବ ଅତୀତରେ ନଥିଲା, ବର୍ତ୍ତମାନ ମଧ୍ୟ ନାହିଁ । ଦ୍ରୁତ ଶିଳ୍ପପ୍ରସାର ଫଳରେ ଆମ ରାଜ୍ୟର ଅଧିବାସୀ ମାନଙ୍କର ଆର୍ଥିକ ତଥା ଜୀବନ ଧାରଣର ମାନ କ୍ରମଶଃ ବଢ଼ିବାରେ ଲାଗିଛି, ତାହା ଅସ୍ୱୀକାର କରିବାର ନୁହେଁ । କିନ୍ତୁ ଆମକୁ ସ୍ୱୀକାର କରିବାକୁ ପଡ଼ିବ, ଆମର କୃଷିଭିତ୍ତିକ ସମାଜ କ୍ରମଶଃ ସହରାଭିମୁଖୀ ହେବା ଫଳରେ ଓଡ଼ିଶାର ସାଂସ୍କୃତିକ ତଥା ଭାବଗତ ସଂହତି କ୍ଷୁଣ୍ଣ ହେବାରେ ଲାଗିଛି । ଏକ ସୁସ୍ଥ ଓ ସଂସ୍କୃତିସମ୍ପନ୍ନ ଜାତି ଭାବେ ବଞ୍ôଚରହିବାକୁ ହେଲେ, କେବଳ ବୈଷୟିକ ଉନ୍ନତି କ’ଣ ଯଥେଷ୍ଟ? ପରମ୍ପରା ଓ ସଂସ୍କୃତି ସବୁ କ’ଣ ମୂଲ୍ୟହୀନ?

ଓଡ଼ିଶାର ସାଂସ୍କୃତିକ ଓ ଭାବଗତ ସଂହତି କ୍ଷେତ୍ରରେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଗତାନୁଗତିକ ଜୀବନର ଅଙ୍ଗ ମନେକରି, ଆମେ ସେ ଦିଗରେ ବିଶେଷ ଧ୍ୟାନ ଦେଉନାହେଁ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ କଥିତ ଭାଷା ଓ ସେମାନଙ୍କ ବ୍ୟବହୃତ ଉପାଦେୟ ଶବ୍ଦମାନ ଆହରଣ କରି ଏକ ପରିପୂର୍ଣ୍ଣ ଓଡ଼ିଆ ଅଭିଧାନ ସଂକଳନ କରିବା ସକାଶେ ଆଜିସୁଦ୍ଧା ଯଥାବିଧି ପଦକ୍ଷେପ ନିଆଯାଇ ନାହିଁ । ବର୍ତ୍ତମାନ ଆମେ ଯାହାକୁ ଓଡ଼ିଆଭାଷା ବୋଲି ଗ୍ରହଣ କରିନେଇଛେ, ଅର୍ଥାତ ଆମର ଲେଖକମାନେ ଯେଉଁ ଭାଷାରେ ଲେଖୁଛନ୍ତି, କିମ୍ବା ଆମର ଓଡ଼ିଆ ପାଠ୍ୟପୁସ୍ତକ ଯେଉଁଭାଷାରେ ଲେଖାଯାଉଛି, ସେଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ କଥିତ ଭାଷାର ବହୁ ଉପାଦେୟ ଶବ୍ଦ ବ୍ୟବହାର କରାଯାଉ ନାହିଁ ।

ବିଶେଷତଃ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରଚଳିତ କଥିତଭାଷାର ବହୁ ଶକ୍ତିଶାଳୀ, ଭାବସମ୍ପନ୍ନ, କର୍ଣ୍ଣରୋଚକ ଶବ୍ଦାବଳୀ ରହିଛି, ଯାହା ବର୍ତ୍ତମାନ ଲିଖିତ ଓଡ଼ିଆଭାଷାରେ ଅନ୍ତର୍ଭୁକ୍ତ ହୋଇପାରି ନାହିଁ । ସେହିପରି ଓଡ଼ିଶାରେ ପ୍ରଚଳିତ ବହୁ ଆଦିବାସୀଭାଷା ମଧ୍ୟ ଅତ୍ୟନ୍ତ ଅବହେଳିତ । ଅତଏବ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଭାଷାବିତ୍ମାନଙ୍କୁ ନେଇ ଯଦି ଏକ ପରିପୂର୍ଣ୍ଣ ଅଭିଧାନ ସଂକଳନ କରାଯାଏ, ଯଦି ଆଞ୍ଚଳିକ ଭାଷାମାନଙ୍କୁ ଲିଖିତ ଓଡ଼ିଆଭାଷାରେ ସ୍ଥାନ ଦିଆନଯାଏ, ଓଡ଼ିଶା ଭାଷାଭିତ୍ତିରେ ପୁଣି ଭାଗ ଭାଗ ହେବା ସମ୍ଭାବନା ଦେଖା ଦେଇପାରେ । ଆଞ୍ଚଳିକ କଥିତଭାଷାରୁ ପ୍ରଚଳିତ ଶବ୍ଦ ଆହରଣ କରି ଯଦି ସାହିତ୍ୟ ସୃଷ୍ଟି କରାଯାଏ, ତା’ହେଲେ ଓଡ଼ିଶାର ଭାଷାଗତ ଓ ଭାବଗତ ସଂହତି ସାଧିତ ହେବା ସହିତ, ଓଡ଼ିଆ ଭାଷା ମଧ୍ୟ ସମୃଦ୍ଧ ହେବ ।

ଆଉ ଗୋଟିଏ କଥା ସାମାଜିକ ବା ଭାବଗତ ସଂହତି । ସମଗ୍ରରାଜ୍ୟରେ ଓଡ଼ିଆ ଭାଷାଭାଷୀ ଜନସାଧାରଣ କୌଣସି ନିର୍ଦ୍ଦିଷ୍ଟ ସମ୍ବୋଧନ ଗ୍ରହଣ କରନ୍ତି ନାହିଁ । ଏପରିକି ବାପା, ମାଆ, ଭାଇ, ଭଉଣୀଙ୍କୁ ମଧ୍ୟ ଏକପ୍ରକାର ସମ୍ବୋଧନ କରାଯାଏ ନାହିଁ । କେଉଁଠାରେ ବାପାଙ୍କୁ ନନା କୁହାଗଲାବେଳେ, କେଉଁଠି ଭାଇକୁ ନନା କୁହାଯାଉଛି । ଭଉଣୀ କ୍ଷେତ୍ରରେ ମଧ୍ୟ ସେହିପରି, ନାନୀ, ଅପା, ଦେଇ ପରି ବିଭିନ୍ନ ସମ୍ବୋଧନ ପ୍ରଚଳିତ ।

କଥାଟି ସାଧାରଣ ମନେ ହେଲେବି, ସାମାଜିକ କ୍ଷେତ୍ରରେ ଏହା ବିଭେଦସୂଚକ ଏବଂ ଓଡ଼ିଶାର ଭାବଗତ ସଂହତି ନିମନ୍ତେ ଏହା ଏକ ଅନ୍ତରାୟ । ଆମର ବହୁତ ସଭାସମିତି ଓ ଆଲୋଚନା ଚକ୍ର ହେଉଛି ହେଲେ ଏହି ପ୍ରଶ୍ନ କୌଣସିଠାରେ ଉତ୍ଥାପିତ ହେବା ମୋର ଦୃଷ୍ଟିଗୋଚର ହୁଏନାହିଁ । ନିର୍ଦ୍ଦିଷ୍ଟ ପାରିବାରିକ ଓ ସାମାଜିକ ସମ୍ବୋଧନକୁ ଗ୍ରହଣ କରି, ଯଦି ଲେଖକମାନେ ସାହିତ୍ୟରେ ବ୍ୟବହାର କରନ୍ତି, ତାହାର ପ୍ରଭାବ ଲୋକମାନଙ୍କ ଉପରେ ନିଶ୍ଚିତଭାବେ ପଡ଼ିବ ଏବଂ କାଳକ୍ରମେ ସମ୍ବୋଧନ କ୍ଷେତ୍ରରେ ବିଭିନ୍ନତା ଦୂରହୋଇ ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଭାବଗତ ସଂହତି ଆଣିବାରେ ସହାୟକ ହେବ । ଏହା ହେଉଛି ଆମ ରାଜ୍ୟରେ ବସବାସ କରୁଥିବା ଓଡ଼ିଆ ଜନ-ଜୀବନର କଥା । ବର୍ତ୍ତମାନ ଆମେ ଆସିବା ମୂଳ ପ୍ରସଙ୍ଗକୁ-

ଦକ୍ଷିଣଓଡ଼ିଶାର ସମସ୍ୟା ଜର୍ଜରିତ ଅନ୍ୟତମ ସହର ପାରଳାଖେମୁଣ୍ଡିରେ ଚଳିତବର୍ଷର ବାର୍ଷିକ ଅଧିବେଶନ କରିବା ନିମନ୍ତେ ସ୍ଥିର ହେବା ପରେ, ପରିଷଦର ସମ୍ପାଦକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ ସାଥୀରେ ନେଇ ମୁଁ ଯାଇଥିଲି ଉତ୍ସବ ଆୟୋଜନ ସମ୍ପର୍କରେ ସେଠାକାର ସଭ୍ୟମାନଙ୍କ ସହିତ ଆଲୋଚନା ପାଇଁ । ଆଲୋଚନା ମଧ୍ୟରେ ଯାହା ଅନୁଭବ କଲି ସାହିତ୍ୟ, ସଂସ୍କୃତିର ଏହି ପବିତ୍ରପୀଠରେ ବସବାସ କରୁଥିବା ପ୍ରତ୍ୟେକ ଓଡ଼ିଆ ଲୋକଙ୍କ ମନରେ ଆଜି ଗୋଟିଏ ପ୍ରଶ୍ନ, ସତେ କ’ଣ ଆଉ ସେହି ପୂର୍ବଗୌରବ ଫେରିବ? କେବେ ଏହି ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆ ପୁଅମାନେ ଭାବିବେ ଆମେ ଓଡ଼ିଆ ମାଟିର ସନ୍ତାନ? ଘର, ବଜାର, ସ୍କୁଲ, କଚେରୀ, ଯେଉଁଆଡ଼େ ଯାଆନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ତେଲୁଗୁ ଭାଷାର ପ୍ରଭାବ । ଏପରିକି ସେଠାରେ ବସବାସ କରୁଥିବା ଓଡ଼ିଆଲୋକମାନେ ଘରେ ଓଡ଼ିଆରେ କଥାବାର୍ତ୍ତା ହେବାବେଳେ, ବାହାରେ ତେଲୁଗୁ ଭାଷାରେ କଥାବାର୍ତ୍ତା କରନ୍ତି । ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କ ମାଟିର ସନ୍ତାନ ସେମାନେ, ଏତେ ଜଲ୍ଦି ନିଜର ଭାଷାକୁ ଭୁଲି ଯାଉଛନ୍ତି କିପରି? ନିଜ ଭାଷା ପ୍ରତି ସେମାନଙ୍କର ବୈରାଗ୍ୟ ଭାବ, ନା ପରିସ୍ଥିତି ସେମାନଙ୍କୁ ବାଧ୍ୟ କରୁଛି ଏପରି କରିବା ପାଇଁ? ଏପରି ଅନେକ ପ୍ରଶ୍ନ ମଧ୍ୟରେ ସେ ଦିନରାତି ପାହିଥିଲା ।

ପାରଳାଖେମୁଣ୍ଡିର ସୀମାକୁ ଲାଗିରହିଛି ଆନ୍ଧ୍ରପ୍ରଦେଶ । ଘରୁ ବାହାରିଲେ ଆନ୍ଧ୍ରପ୍ରଦେଶରେ ଗୋଡ଼ପଡ଼େ । ପାରଳାଖେମୁଣ୍ଡି ସହରର ଶେଷ ସୀମାକୁ ଲାଗିରହିଛି, ଆନ୍ଧ୍ରପ୍ରଦେଶର ପାତ୍ପଟ୍ଟନମ୍ ସହର । ଆନ୍ଧ୍ର ସରକାରଙ୍କ ସହାୟତାରେ ସେଠାରେ ଗଢ଼ି ଉଠିଚି ଅନେକ ଶିକ୍ଷାନୁଷ୍ଠାନ । ପାରଳାଖେମୁଣ୍ଡିର ଅଧିକାଂଶ ଛାତ୍ରଛାତ୍ରୀ ସେଠାକୁ ଯାଆନ୍ତି ଶିକ୍ଷାଗ୍ରହଣ ପାଇଁ । ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଖାଦ୍ୟ-ପେୟ ପ୍ରତ୍ୟେକ ଦୃଷ୍ଟିରୁ ସେଇ ଛୋଟ ସହରଟି ଉନ୍ନତ ମନେହୁଏ । ଶ୍ରୀକାକୁଲମ୍ର ଇତିହାସକୁ ଅବଲୋକନ କଲେ ଜଣାଯାଏ, ଅତୀତରେ ଯାହା ଆମର ନିଜର ଅଞ୍ଚଳ ଥିଲା, ଆଜି ସେଇମାଟିରେ ଆମେ ପର । କଳିଙ୍ଗ ସାମ୍ରାଜ୍ୟର ଗୌରବମୟ କାହାଣୀ, ପୁରୁଷୋତ୍ତମ ଦେବଙ୍କ କାଞ୍ôଚବିଜୟର କଥା ମନରେ ଉଙ୍କି ମାରୁଥାଏ । ଦୂରରୁ ଦେଖାଯାଉଥାଏ, ମହେନ୍ଦ୍ରତନୟା ନଦୀର ଗତିପଥକୁ ବଦଳେଇବା ପାଇଁ ଆନ୍ଧ୍ର ସରକାରଙ୍କ ତରଫରୁ ତିଆରି ଚାଲିଥିବା ବିରାଟ କେନାଲର ଦୃଶ୍ୟ । କେନାଲ ତିଆରି ହେବାପରେ, ବର୍ଷାଦିନରେ ବି ମହେନ୍ଦ୍ରତନୟାର ପାଣି ଓଡ଼ିଶାର ଲୋକମାନେ ପାଇବେ ନାହିଁ । ସମସ୍ତ ପାଣି ଆନ୍ଧ୍ରପ୍ରଦେଶର ଲୋକମାନେ ଉପଯୋଗ କରିବେ ।

ଶ୍ରୀକାକୁଲମ୍ରେ ଚୋଡ଼ଗଙ୍ଗ ଦେବଙ୍କ ସମୟରେ ନିର୍ମିତ କୁର୍ମ-ମନ୍ଦିର, ପୂର୍ଣ୍ଣକୋଟିଗ୍ରାମ, ସୂର୍ଯ୍ୟମନ୍ଦିର ପରି ଅନେକ ଐତିହାସିକ ସ୍ଥାନ ସମ୍ପର୍କରେ ଜାଣିହେଲା । ଓଡ଼ିଆ ଭାଷା, ସାହିତ୍ୟ, ପରମ୍ପରା ସବୁ ଆନ୍ଧ୍ର ଅଞ୍ଚଳରୁ ଲୋପ ପାଇଲାଣି । ଶିକ୍ଷାକ୍ଷେତ୍ରରେ ସଂସ୍କାର ନାମରେ ଆନ୍ଧ୍ର ସରକାର ଲୋକମାନଙ୍କୁ ବାଧ୍ୟ କରୁଛନ୍ତି, ତେଲୁଗୁ ଶିଖିବା ପାଇଁ । ସମସ୍ତ ପ୍ରକାର ସୁବିଧା ସେମାନେ ଯୋଗାଇବାବେଳେ ଓଡ଼ିଶା ସରକାର, ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଲୋକଙ୍କ ପାଇଁ କୌଣସି କାମ କରୁନାହାନ୍ତି । ତା’ହେଲେ ଓଡ଼ିଆ ଭାଷା ବଞ୍ôଚବ କିପରି? ଯାହା ମୋର ମନେହେଉଛି, ଆଉ କିଛିବର୍ଷ ମଧ୍ୟରେ ଆନ୍ଧ୍ର ଅଞ୍ଚଳରେ ଓଡ଼ିଆଭାଷା ସମ୍ପୂର୍ଣ୍ଣଭାବେ ଲୋପ ପାଇଯିବ । ଆନ୍ଧ୍ରରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ବାରମ୍ବାର ଆସି ଆମର ଭାଷା, ସଂସ୍କୃତିକୁ ରକ୍ଷା କରିବାକୁ ସେଠା ବାସିନ୍ଦା ନିବେଦନ କରନ୍ତି ।

ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କ ବର୍ତ୍ତମାନର ସ୍ଥିତି ଓ ଜୀବନଯାପନ ଶୈଳୀ ସମ୍ପର୍କରେ କିଛି ଅବଗତ ହେବା ଜରୁରୀ । ସମସ୍ତଙ୍କର କ୍ଷୋଭ ଓଡ଼ିଶାବାସୀ ଓ ରାଜ୍ୟ ସରକାର ବିଚ୍ଛିନ୍ନାଞ୍ଚଳର ସମସ୍ୟା ପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି । ସମସ୍ତଙ୍କ ମତାମତରେ ସତ୍ୟତା ରହିଛି । ଗୋଟିଏ ପଟରେ ପଡ଼ୋଶୀ ଆନ୍ଧ୍ର ସରକାରଙ୍କ ଓଡ଼ିଆ ବିଧ୍ୱଂସୀ ମନୋଭାବ, ଅନ୍ୟଦିଗରେ ଓଡ଼ିଶା ସରକାରଙ୍କ ଶିଥିଳତା, ଓଡ଼ିଆ ଭାଷା ସଂସ୍କୃତିକୁ ଧ୍ୱଂସ କରିବାରେ ସହାୟ ହେଉଛି । ଭାଷାଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନରେ ଦକ୍ଷିଣାଞ୍ଚଳର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ସମଗ୍ରଓଡ଼ିଶାର ନେତୃସ୍ଥାନୀୟ ବ୍ୟକ୍ତିମାନେ ଦୌଡ଼ି ଆସୁଥିଲେ ଦକ୍ଷିଣାଞ୍ଚଳକୁ ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ । ସ୍ୱତନ୍ତ୍ର ପ୍ରଦେଶ ଗଠନ ପରେ ପରେ ଦେଶ ସ୍ୱାଧୀନ ହେଲା । ଓଡ଼ିଶାର ସୀମା ସରହଦ ମଧ୍ୟରେ ସୁରକ୍ଷିତ ଓଡ଼ିଆ ଜାତି ସବୁ ସୁବିଧାସୁଯୋଗ ପାଇଲାବେଳେ ସେମାନେ ଭୁଲିଗଲେ ନିଜ ମା’ ପେଟର ଆଉ ଗୋଟିଏ ଭାଇର ଜୀବନ ଯନ୍ତ୍ରଣା । ସେମାନେ ସୀମାବାହାରେ ରହି ଚିକ୍ରାର କରୁଛନ୍ତି ଆମେ ଓଡ଼ିଆ ବୋଲି । ସେମାନଙ୍କ ଚିିକ୍ରାର କେବେ ଆମର କାନରେ ପଡ଼ିବ? ଅନେକ ଡେରି ହେଲାଣି, କ୍ରମଶଃ ଆମ ହାତରୁ ଚାଲିଯାଉଛି ଆମର ଐତିହ୍ୟ ଓ ସଂସ୍କୃତି । ଚିନ୍ତାକରିବାର ବେଳଆସିଛି । ପୂର୍ବ ପୁରୁଷଙ୍କୁ ମନେପକାଇ ଆମକୁ ଲଢ଼େଇ କରିବାକୁ ହେବ । ନଚେତ ଭବିଷ୍ୟତ ବଂଶଧର ଆମକୁ କ୍ଷମା ଦେବେନାହିଁ ।

ମନ୍ମଥ କୁମାର ଶତପଥୀ         ୧-୧୫ ଏପ୍ରିଲ, ୨୦୧୩

 

 

photo credit-

https://www.google.co.in/search?biw=1366&bih=657&tbm=isch&sa=1&ei=X6DVW-q7Fs7WkwWjx4igDw&q=odisha+future&oq=odisha+future&gs_l=img.3..0i24k1l2.1669848.1676378.0.1676944.13.10.0.3.3.0.432.2883.4-7.7.0….0…1c.1.64.img..3.10.2890…0j35i39k1j0i67k1j0i8i30k1.0.cDDA8Y7A2jo#imgdii=aU__o5LD-bX8mM:&imgrc=LGorgfxkj591EM:

About ମନମଥ ଶତପଥୀ

ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପୂର୍ବତନ ସମ୍ପାଦକ

Check Also

ମୟୂରଭଞ୍ଜ ଛଉ ନାଟ (ଡ଼ଗର ପୃଷ୍ଠାରୁ)

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର  ଛଉର ମୂଳ କଉଠି, ସେଟା ଖୋଜିବେ ଐତିହାସିକମାନେ। ମୋତେ ଭଲ ଲାଗିଲା ନାଚଟା-ଆଖିକି ରୁଚିଲା ମୁଁ …

Leave a Reply

Your email address will not be published. Required fields are marked *