Home / ସମୀକ୍ଷା / ସାଂସ୍କୃତିକ ସମୀକ୍ଷା / ଓଡ଼ିଶାର ମୁଖା ନୃତ୍ୟ

ଓଡ଼ିଶାର ମୁଖା ନୃତ୍ୟ

ମଣିଷର ଶରୀର ଗୋଟିଏ ମୁଖା ସଦୃଶ୍ୟ । ଜୀବାତ୍ମା ଶରୀରରୂପକ ମୁଖାକୁ ଧାରଣ କରି ଜୀବନର ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ରୂପରେ ଅଭିନୟ କରେ । ଯେତେବେଳେ ମଣିଷର ମୃତ୍ୟୁ ଆସି ଉପସ୍ଥିତ ହୁଏ, ସମସ୍ତ ଅଭିନୟର ପରିସମାପ୍ତି ଘଟେ, ଶରୀରରୂପକ ମୁଖାଟି ଅଲୋଡ଼ା ହୋଇ ମାଟିରେ ମିଶିଯାଏ ।

ମୁଖା କେବେ ଓ କେଉଁ ସମୟରେ ପୃଥିବୀରେ ସୃଷ୍ଟି ହେଲା ସେ ସମ୍ପର୍କରେ ଗବେଷକ ମାନେ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ôଚ ପାରିନାହାଁନ୍ତି । ଯାହା ଅନୁମାନ କରାଯାଏ ପ୍ରାଗ୍-ଐତିହାସିକ ଯୁଗର ମଣିଷ ଯେତେବେଳେ ନିଜକୁ ଅସୁରକ୍ଷିତ ମନେକଲା, ପଶୁ ପକ୍ଷୀମାନଙ୍କ କବଳରୁ ନିଜକୁ ରକ୍ଷା କରିବାପାଇଁ ମୁଖା ବ୍ୟବହାର କରି ନିଜର କର୍ତ୍ତୃତ୍ୱ ଜାହିର କରିଥିଲା । ତେଣୁ ସେ ମୁଖାକୁ ଗୋଟିଏ ଅଦୃଶ୍ୟ ଶକ୍ତିର ମାଧ୍ୟମ ରୂପେ ଗ୍ରହଣ କରିବା ସହିତ ଅଭିନୟ ପାଇଁ ଗୋଟିଏ ଉପଯୋଗୀ ବସ୍ତୁ ଭାବେ ଗ୍ରହଣ କରିଥିଲା ।

ନାଟକ ପରିବେଷଣ କ୍ଷେତ୍ରରେ ମୁଖାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମୁଖା ମାଧ୍ୟମରେ ମଣିଷ ବିଭିନ୍ନ ଚରିତ୍ରରେ ଅବତାରଣା କରିବା ସହିତ ନାଟକରେ ଅଭିନୟ କରେ । ପୃଥିବୀ ପୃଷ୍ଠରେ ଯେତେବେଳେ ମଣିଷ ପ୍ରଥମେ ମୁଖାକୁ ଆବିଷ୍କାର କଲା, ସେ ନିଜେ ବି ଜାଣିନଥିଲା ସେ ହେଉଛି ଗୋଟିଏ ନାଟ୍ୟଶୈଳୀର ଜନ୍ମଦାତା । ବର୍ତ୍ତମାନ ଏହି ନାଟ୍ୟଶୈଳୀ ଶାସ୍ତ୍ରସିଦ୍ଧ ଓ ଆନୁଷ୍ଠାନିକ ବିଧିବିଧାନକୁ ନେଇ ପରିବେଷଣ କରାଯାଏ । ଅଦ୍ୟାବଧି ପ୍ରାଚୀନ ପଦ୍ଧତି ଓ ପରମ୍ପରାକୁ ନେଇ ପରିବେଷଣ କରାଯାଉଥିବା ଅନେକ ନାଟକ, ମୁଖାପିନ୍ଧି କିମ୍ବା ମୁଖକୁ ମୁଖାତୁଲ୍ୟ ଚିତ୍ରିତ କରି ଅଭିନୟରେ ଅଂଶ ଗ୍ରହଣ କରନ୍ତି ।

ମୁଖା କାରିଗର: ନାଟ୍ୟଶାସ୍ତ୍ରର ଅଷ୍ଟମ ଅଧ୍ୟାୟରେ ମହାମୁନୀ ଭରତ ଅଭିନୟକୁ ଚାରି ଭାଗରେ ବିଭକ୍ତ କରିଛନ୍ତି । ସେଗୁଡ଼ିକ ହେଲା, ଆଙ୍ଗିକ ବାଚିକ, ଆହାର୍ଯ୍ୟ ଏବଂ  ସାତ୍ତ୍ୱିକ ଅଟେ । ମୁଖା ଆହାର୍ଯ୍ୟ ବିଭାଗର ଅଂଶ ବିଶେଷ । ଜୀବନ୍ତ ଅଭିନୟ ପାଇଁ ମୁଖା (ଜ୍ଞବଗ୍ଦଳ) ମୁଖ ସଜ୍ଜା(ଜ୍ଞବଳର-ଙ୍କକ୍ଟ୍ର) ଓ ମୁକୁଟ୍ (ଐରବୟ-ଶରବକ୍ସଗ୍ଦ) ନାଟକ ପରିବେଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।

ସେହିପରି ନାଟକରେ ଅଭିନୟ କରୁଥିବା ଚରିତ୍ର ଗୁଡ଼ିକ ଚାରିଭାଗରେ ବିଭକ୍ତ, ଯଥା – ଦେବତା,  ନାୟକ, ଖଳଚରିତ୍ର ଏବଂ ଦାନବ। ବିଷୟବସ୍ତୁର ଆଧାରରେ ବିଭିନ୍ନ  ଚରିତ୍ରର ଏହି ବିଭାଗୀକରଣକୁ ନେଇ ବେଶ ସଜ୍ଜାକାରୀ (ଜ୍ଞବଳର-ଙ୍କକ୍ଟ୍ର ଜ୍ଞବଦ୍ଭ) ଅଭିନେତାମାନଙ୍କ ପାଇଁ ମୁଖା ଓ ମୁକୁଟ ପ୍ରସ୍ତୁତ କରିଥାଏ । ତେଣୁ ନାଟକର ସଫଳତା କ୍ଷେତ୍ରରେ ମୁଖସଜ୍ଜାକାରୀମାନଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଅଭିନେତାମାନଙ୍କୁ ଭିନ୍ନ ରୂପରେ ସଜେଇବା ପାଇଁ ସେମାନଙ୍କୁ ଅନେକ ପୁରାଣ ଓ ଗ୍ରନ୍ଥ ଅଧ୍ୟୟନ କରିବାକୁ ପଡ଼ିଥାଏ ।

ଆଞ୍ଚଳିକ ଭିତ୍ତିରେ ମୁଖାର ପ୍ରସ୍ତୁତି ପ୍ରଣାଳୀରେ ବିଭିନ୍ନତା ଦେଖାଯାଏ । ଏଥିରେ ବ୍ୟବହୃତ ଜିନିଷ ଗୁଡ଼ିକ ମୁଖ୍ୟତଃ ବଣ ଜଙ୍ଗଲ ଓ ଗ୍ରାମାଞ୍ଚଳରୁ ସଂଗ୍ରହ କରାଯାଇଥାଏ । ସେଗୁଡ଼ିକ ହେଲା, ଚିକିଟାମାଟି, କାଠ, ବାଉଁଶ, ଗଛର ବଳ୍କଳ, ପଶୁଚମଡ଼ା, ମଣ୍ଡଦିଆ ମୋଟା କାଗଜ, ପିତ୍ତଳ ଓ ତମ୍ବା ପଟା, ଗୋବର, ଛିଣ୍ଡାକନା, ଓ ବିଭିନ୍ନ ରଙ୍ଗ ବ୍ୟବହାର କରାଯାଏ । ଅତୀତରେ ମୁଖାରେ ବ୍ୟବହୃତ ଚାରିଗୋଟି ରଙ୍ଗ ଯଥା, ନାଲି, ନୀଳ, ହଳଦିଆ ଓ ଧଳା, ଗ୍ରାମଳଞ୍ଚଳରେ ଉପଲବ୍ଧ ଦ୍ରବ୍ୟ ମାନଙ୍କରୁ ସଂଗ୍ରହ କରାଯାଉଥିଲା । ସଭ୍ୟତାର ବିକାଶ ସହିତ ମୁଖା ଗୁଡ଼ିକୁ ଜୀବନ୍ତ ଓ ମନୋମୁଗ୍ଧକର କରିବା ପାଇଁ ମୁଖା କାରିଗର ମାନେ ବଜାରରେ ଉପଲବ୍ଧ ରାସାୟନିକ ରଙ୍ଗ ବ୍ୟବହାର କରୁଛନ୍ତି ।

ସେହିପରି ଚରିତ୍ର ଗୁଡ଼ିକର ମୁଖସଜ୍ଜା ନିମନ୍ତେ ମୁଖା ସହିତ, ମୁକୁଟର ଆବଶ୍ୟକତା ଅପରିହାର୍ଯ୍ୟ । ମୁଖା ଓ ମୁକୁଟ ଦୁଇ ଭାଗରେ ବିଭକ୍ତ । ଅଭିନେତା ମୁଖା ପରିଧାନ କରବାପରେ ମୁକୁଟଟି ତାର ମୁଣ୍ଡ ଉପରେ ମୁଖାକୁ ସଂଲଗ୍ନ କରି ବାନ୍ଧି ଦିଆଯାଏ । ତେଣୁ ମୁଖାସଦୃଶ୍ୟ ବିଭିନ୍ନ ଜିନିଷର ସମାହାରରେ ଚିତ୍ରକାର ମୁକୁଟ ତିଆରି କରିଥାଏ । ମୁକୁଟ ପାଇଁ ବ୍ୟବହୃତ ଜିନିଷ ଗୁଡ଼ିକ ସାଧାରଣତଃ ହାଲୁକା ଶ୍ରେଣୀର : ଯଥା ସୋଲ, ସ୍ପ, ମଣ୍ଡଦିଆ ମୋଟା କାଗଜ, ବିଭିନ୍ନ କିସମର ମାଳି, ବିଭିନ୍ନ ରଙ୍ଗର ଜରି, ଛୋଟ ଛୋଟ ମିରର, ବିଭିନ୍ନ ରଙ୍ଗର କପଡ଼ା ଇତ୍ୟାଦି । ଓଡ଼ିଶାର ଅଧିକାଂଶ ଲୋକନାଟକ ଯଥା ପ୍ରହ୍ଲାଦନାଟକ, ରାମଲୀଳା, ଦେଶିଆନାଟର ସମସ୍ତ ମୁଖ୍ୟ ଚରିତ୍ର ମୁକୁଟ ବ୍ୟବହାର କରିବା ବେଳେ, କିଛି କିଛି ରାକ୍ଷସ ଓ ପଶୁପକ୍ଷୀ ଚରିତ୍ର ମୁଖା ପରିଧାନ କରିଥାଆନ୍ତି ।

ଉଲ୍ଲେଖଯୋଗ୍ୟ ଏହି କି ଓଡ଼ିଶାରେ ପରିବେଷିତ ଲୋକନାଟକଗୁଡ଼ିକ ରାମାୟଣ, ମହାଭାରତ, ଭାଗବତ ଓ ବିଭିନ୍ନ ପୁରାଣ ଉପରେ ଆଧାରିତ । ଏଥିରେ ଅଂଶଗ୍ରହଣ କରୁଥିବା ଚରିତ୍ରଗୁଡ଼ିକ ମୁଖ୍ୟତଃ ଦେବତା ଓ ଦାନବ ସଂପ୍ରଦାୟ ମଧ୍ୟରେ ସୀମାବଦ୍ଧ । ତେଣୁ ସେମାନେ ପରିଧାନ କରୁଥିବା ବେଶ, ପୋଷାକ ଓ ମୁକୁଟଗୁଡ଼ିକ ସୁନ୍ଦର ଭାବେ ବିଭିନ୍ନ କାରୁକାର୍ଯ୍ୟପୂର୍ଣ୍ଣ ଚିତ୍ରରେ ତିଆରି ହୋଇଥାଏ । ମୁଖକୁ ବିଭିନ୍ନ ରଙ୍ଗରେ ଚିତ୍ରିତ କରି କିମ୍ବା ମୁଖା ପରିଧାନପୂର୍ବକ, ମୁକୁଟ, ବେଶ ଓ ପୋଷାକର ସମାହାରରେ ସେମାନେ ଯେତେବେଳେ ମଞ୍ଚକୁ ପ୍ରବେଶ କରନ୍ତି, ଦର୍ଶକ ମାନଙ୍କ ମନରେ ପୋ÷ରାଣିକ ଯୁଗର ଭ୍ରମ ସୃଷ୍ଟିହୁଏ ।

କେତେକ ଲୋକନାଟକରେ ଗୋଟିଏ ଧରଣର ମୁକୁଟକୁ ସାମାନ୍ୟ ପରିବର୍ତ୍ତନ କରି ଦୁଇଟି ବା ତିନିଗୋଟି ଚରିତ୍ର ବ୍ୟବହାର କରନ୍ତି । ଯଥା –

(୧)ପ୍ରହ୍ଲାଦ ନାଟକରେ ହିରଣ୍ୟକଶ୍ୟପ ଓ ପ୍ରହ୍ଲାଦ ଚରିତ୍ର ପାଇଁ ବ୍ୟବହୃତ ମୁକୁଟରେ ବିଶେଷ ତଫାତ୍ ନଥାଏ । (୨)ରାମଲୀଳାରେ ଇନ୍ଦ୍ରଜିତ୍, କୁମ୍ଭକର୍ଣ୍ଣ, ଖର, ଦ୍ୱଷଣ ଓ ତ୍ରିସିରା ପାଇଁ ବ୍ୟବହୃତ ମୁକୁଟ ପ୍ରାୟ ଗୋଟିଏ ପ୍ରକାର ଦେଖାଯାଏ ।

ମୁଖାର ଗଠନ ଶୈଳୀ : ମୁଖା ତିଆରି କରିବାର ପରିକଳ୍ପନା ଓ ନକ୍ସା ପ୍ରସ୍ତୁତି, ନୃତ୍ୟକୁ ଆଖି ଆଗରେ ରଖି କରାଯାଏ । ଆବହମାନ କାଳରୁ ମୁଖାର ଆବିର୍ଭାବ ସହିତ ନୃତ୍ୟ ଅଙ୍ଗାଙ୍ଗୀଭାବେ ଜଡ଼ିତ । ତେଣୁ ମୁଖା ପ୍ରସ୍ତୁତକାରୀ ମୁଖାଟିକୁ ଚଳତ୍ଶକ୍ତିସମ୍ପନ୍ନ  କରିବା ଲକ୍ଷ୍ୟରେ ନକ୍ସା ପ୍ରସ୍ତୁତ କରିଥାଏ । ଯେଉଁ କଳାକାର ମୁଖା ଧାରଣ କରେ, ତାର ଗତିବିଧି ସହିତ ସେ ସମ୍ପୂର୍ଣ୍ଣ ପରିଚିତ ଥାଏ ।

ମୁଖାକୁ ସାଧାରଣତଃ ଚଳନ୍ତି ବିଗ୍ରହ ରୂପରେ ଗ୍ରହଣ କରାଯାଏ । ଅଭିନୟ କାଳରେ ଗୋଟିଏ ମୁଖା ବିଭିନ୍ନ ଭଙ୍ଗୀରେ ଅଭିନୟ କରିବା ସହିତ ନିଜର ଭାବକୁ ଦର୍ଶକମାନଙ୍କ ନିକଟରେ ପରିବ୍ୟାପ୍ତ କରେ ଯାହା ଦର୍ଶକମାନଙ୍କୁ ରହସ୍ୟପୂର୍ଣ୍ଣ ମନେହୁଏ । ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଦିଆ ଯାଉଥିବା ବଳି ନିମନ୍ତେ ନିର୍ମିତ ରାକ୍ଷସ ପ୍ରକୃତିର ମୁଖା ଏହି କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରେ ।

ରାମଲୀଳା, କୃଷ୍ଣଲୀଳା, ଦେଶିଆନାଟରେ ରାକ୍ଷସ ଚରିତ୍ରଗୁଡ଼ିକୁ ବାଦଦେଲେ, ଅନ୍ୟାନ୍ୟ ଚରିତ୍ରୋପଯୋଗୀ ମୁଖାଗୁଡ଼ିକ, ହାଲୁକା ଓ ସୋ÷ନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।

ମୁଖାର ପ୍ରସ୍ତୁତ ଓ ସଂରକ୍ଷଣ କ୍ଷେତ୍ରରେ ପରମ୍ପରାଗତ ରୀତି-ନୀତି ପାଳନ କରାଯାଏ । ମୁଖା ପାଇଁ କାଷ୍ଠ ସଂଗ୍ରହ ଓ ମୁଖା ନିର୍ମାଣର ପ୍ରତ୍ୟେକ ସ୍ତରରେ ମୁଖା-ଶିଳ୍ପୀ ଅତି ପବିତ୍ର ଓ ନୈଷ୍ଠିକ ମନରେ ନିଜକୁ ସେଥିରେ ନିୟୋଜିତ କରିଥାଏ । ମୁଖା ଗଠନପରେ, ଜୀବନ୍ୟାସ ପ୍ରଦାନ କଲାବେଳେ ଗ୍ରାମ ଉତ୍ସବ ମୁଖର ହୋଇଉଠେ ଏବଂ ମୁଖା ଗଠନର ପରିସମାପ୍ତି ଘଟେ ଚକ୍ଷୁଦାନ ପରେ । ମୁଖା ଗଠନ କାଳରେ ମୁଖା କାରିଗର ଶୁଦ୍ଧପୂତ ମନରେ ନୀତି ନିୟମ ଓ ଶାସ୍ତ୍ରୀୟ ପରମ୍ପରାକୁ ନେଇ କାର୍ଯ୍ୟ ସମାପନ କରେ । ମୁଖା ଗଠନ ଆରମ୍ଭରୁ ଶେଷ ଯାଏଁ ସାତ୍ତ୍ୱିକ ଆହାର ସହିତ ଶୁଭ୍ରବସ୍ତ୍ର ପରିଧାନ କରିବା ସହ ମଦ ଓ ମାତ୍ସର୍ଯ୍ୟ ଠାରୁ ସେ ଦୂରେଇ ରହିଥାଏ ।

ମୁଖା ତିଆରି କରୁଥିବା କାରିଗର ଓ ମୁଖା ଧାରଣ କରୁଥିବା ଅଭିନେତାମାନେ ମୁଖା ପ୍ରତି ଯଥେଷ୍ଟ ଶ୍ରଦ୍ଧା ଓ ଭକ୍ତି ପ୍ରଦର୍ଶନ କରନ୍ତି । ରାମଲୀଳାରେ ବ୍ୟବହୃତ ସମସ୍ତ ମୁଖା, ମୁକୁଟ ଓ ବେଶ ପୋଷାକ ଗ୍ରାମର ମନ୍ଦିର ମଧ୍ୟରେ ଯଥାବିଧି ପୂଜା, ଅର୍ଚ୍ଚନା ସହିତ ରଖାଯାଇଥାଏ । ରାମନବମୀ କିମ୍ବା ଲୀଳା ପ୍ରଦର୍ଶନର ନିର୍ଦ୍ଦିଷ୍ଟ ଦିବସରେ, ପରମ୍ପରା ଅନୁଯାୟୀ ପୂଜାବିଧି ସହିତ ସେ ଗୁଡ଼ିକୁ ବାହାର କରି ନାଟକରେ ବ୍ୟବହାର କରାଯାଏ ।

ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ସହିତ ବଣ-ଜଙ୍ଗଲରେ ରହୁଥିବା ଆଦିବାସୀ ସମାଜରେ ମୁଖା ନୃତ୍ୟର ପ୍ରଚଳନ ବିଧି ପରିଲକ୍ଷିତ ହୁଏ । ଭୂତପ୍ରେତ ଭୟ ଓ ହିଂସ୍ରଜନ୍ତୁଙ୍କ ଆକ୍ରମଣରୁ ରକ୍ଷାପାଇବା ପାଇଁ ସେମାନେ ମୁଖା ଧାରଣ କରିବା ସହିତ ଗୀତ, ବାଦ୍ୟର, ତାଳେ ତାଳେ ନୃତ୍ୟ କରିବା ସହିତ ପୂଜାର୍ଚ୍ଚନା କରିଥାଆନ୍ତି ।

ଓଡ଼ିଶାରେ ପ୍ରଚଳିତ ପାରମ୍ପରିକ ମୁଖା ନୃତ୍ୟ ରାମାୟଣ, ମହାଭାରତ, ଭାଗବତ ଓ ବିଭିନ୍ନ  ପୌରାଣିକ କାହାଣୀ ଓ କିମ୍ବଦନ୍ତୀ ଉପରେ ଆଧାରିତ । ଏହା ନୃତ୍ୟ, ଗୀତ,  ବାଦ୍ୟ, ସଂଳାପ ଓ ଅଭିନୟରେ ପରିପୂର୍ଣ୍ଣ । ଏହି ନୃତ୍ୟର ଅନ୍ୟ ଏକ ବିଶେଷତ୍ତ୍ୱ ହେଲା ଅଭିନେତାମାନଙ୍କ ମୁଖସଜ୍ଜା । ମୁଖାତୁଲ୍ୟ ରୂପସଜ୍ଜା ସହିତ ଅଭିନେତାମାନଙ୍କ ଅଲୌକିକ ପରରୂପ ଧାରଣ ଓ ଆଳଙ୍କାରିକ ବେଶ-ବିନ୍ୟାସ, ଦର୍ଶକମାନଙ୍କୁ ଆମୋଦିତ କରେ । ଏହି କ୍ଷେତ୍ରରେ ଗୋଲାମୁଣ୍ଡଳାର ରାମଲୀଳା, ପଙ୍କାଳବାଡ଼ିର କୃଷ୍ଣଲୀଳା, ବିଶିପଡ଼ାର ଲଙ୍କାପୋଡ଼ି ଯାତ୍ରା, ଓ ଗଞ୍ଜାମଜିଲ୍ଲାର ପ୍ରହଲ୍ଲାଦ ନାଟକ ସ୍ୱତନ୍ତ୍ର  ଆଲୋଚନା ଦାବୀ କରେ । ଶାସ୍ତ୍ରୀୟ ବିଧି ଅନୁଯାଇ ମୁଖ-ସଜ୍ଜା ନିମନ୍ତେ ପାଞ୍ଚଗୋଟି ରଙ୍ଗ ବ୍ୟବହାର କରାଯାଏ । ଯଥା – ନାଲି, ନୀଳ, ହଳଦିଆ, ଧଳା ଓ କଳା ।

ପ୍ରାଚୀନ ପରମ୍ପରା ମୁଖା:-  ବହୁ ପ୍ରାଚୀନ କାଳରୁ ଭାରତବର୍ଷରେ ମୁଖା ନୃତ୍ୟର ପ୍ରଚଳନ ଥିଲା । ଖ୍ରୀ:ପୂ: ୨ୟ ଶତାବ୍ଦୀର ନାଟ୍ୟଶାସ୍ତ୍ର ପ୍ରଣେତା ଭାରତ ମୁନୀଙ୍କ ନାଟ୍ୟଶାସ୍ତ୍ରରେ ମୁଖାର ପ୍ରଚଳନ ବିଧି ସଂପର୍କରେ ଲେଖାଅଛି –

ନାନାବସ୍ଥା ସମାସାଦ୍ୟ ଶୁଭାଶୁଭକୃତସ୍ତଥା ।

ତଥା ପ୍ରତିଶିରଶ୍ଚାପି କର୍ତ୍ତବ୍ୟଂ ନାଟକାଶ୍ରୟମ ।।

(ଶ୍ଳୋକ : ୧୩୫ – ବିଂଶ ଅଧ୍ୟାୟ)

ନାଟକରେ ମସ୍ତକର ରୂପସଜ୍ଜା, ଅବସ୍ଥା ଓ ପାତ୍ରକୁ ନେଇ କରାଯିବ । ଦେବତା, ମନୁଷ୍ୟ, ଦେଶ ଓ ଜାତି ଅନୁଯାୟୀ ଆବଶ୍ୟକସ୍ଥଳରେ ପ୍ରତି ଶିର ଅର୍ଥାତ୍ ‘ମୁଖା’ ବ୍ୟବହାର କରାଯିବ । ଏକାଦଶ ଶତାବ୍ଦୀର ମହାନ୍ ନାଟ୍ୟଗବେଷକ ଅଭିନବଗୁପ୍ତ ନାଟ୍ୟଶାସ୍ତ୍ରକୁ ବିଶ୍ଳେଷଣ କରିବାକୁ ଯାଇ ମୁଖା ପ୍ରଚଳନ ବିଧି ଉପରେ ବିଶଦ୍ଭାବେ ବର୍ଣ୍ଣନା କରିବା ସହିତ, ନାଟ୍ୟ ଉପସ୍ଥାପନା କ୍ଷେତ୍ରରେ ଏହାର ପ୍ରୟୋଗ ବିଧିର ଉଲ୍ଲେଖ କରିଛନ୍ତି । ଏଥିରୁ ଅନୁମାନ କରାଯାଏ ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀ ପୂର୍ବରୁ ଅଦ୍ୟାବଧି ବିଗତ ୨୫୦୦ବର୍ଷ ଧରି ମୁଖାନୃତ୍ୟ ପ୍ରଚଳନର ଏକ ବଳିଷ୍ଠ ପରମ୍ପରା ଭାରତବର୍ଷରେ ପ୍ରଚଳିତ ଅଛି । ଅଦ୍ୟାବଧି, ଦେଶର ବିଭିନ୍ନ ରାଜ୍ୟ ଯଥା – କେରଳ, କର୍ଣ୍ଣାଟକ, ତାମିଲ୍ନାଡ଼ୁ, ଆନ୍ଧ୍ରପ୍ରଦେଶ, ଆସାମ, ସିକିମ୍, ଅରୁଣାଞ୍ଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ସହିତ ପ୍ରାୟ ସମଗ୍ର ବିଶ୍ୱରେ ମୁଖା ନୃତ୍ୟର ପରମ୍ପରା ବଞ୍ଚି ରହିଛି । ଓଡ଼ିଶାର ଲୋକନୃତ୍ୟରେ ମୁଖାର ପ୍ରୟୋଗ କେବେ ଏବଂ କେଉଁ ସମୟରେ ହୋଇଥିଲା ସେ ସଂପର୍କରେ କୋ÷ଣସି ନିର୍ଦ୍ଦିଷ୍ଟ ତଥ୍ୟ ଦୃଷ୍ଟିଗୋଚର ହୁଏନାହିଁ ।

ଓଡ଼ିଶାରେ ଲୋକନାଟ୍ୟ ପରିବେଷଣ କ୍ଷେତ୍ରରେ ରାମଲୀଳାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ୧୬ଶହ ଶତାବ୍ଦୀରେ ଚୈତନ୍ୟ ଦେବଙ୍କ ଆଗମନ ପରେ ଓଡ଼ିଶାର ଧର୍ମପ୍ରାଣ ଜନତା ବୈଷ୍ଣବ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ । ତା’ ପୂର୍ବରୁ ଓଡ଼ିଶାରେ ରାମଚେତନା ଗ୍ରାମାଞ୍ଚଳର ଲୋକମାନଙ୍କୁ ଉଦ୍ବୃଦ୍ଧ କରିଥିଲା । ରାମଚେତନାର ଅନ୍ୟତମ ମୁଖ୍ୟ ମାଧ୍ୟମ ଥିଲା ରାମଲୀଳା ନାଟ୍ୟାଭିନୟ । ଓଡ଼ିଶାରେ ସେତେବେଳେ ଶତାଧିକ ରାମଲୀଳା ସଂଘ ଓ କୋଡ଼ିଏରୁ ଊଦ୍ଧ୍ୱର୍ ରାମଲୀଳା ରଚୟିତା ସମଗ୍ର ରାଜ୍ୟକୁ ରାମଧର୍ମରେ ଆଚ୍ଛାଦିତ କରି ରଖିଥିଲେ । ଯେହେତୁ ରାମଲୀଳାରେ ମୁଖାର-ପ୍ରୟୋଗ ଏକ ଅନିବାର୍ଯ୍ୟ ଅଙ୍ଗ, ଓଡ଼ିଶାରେ ମୁଖାନୃତ୍ୟର ଆବିର୍ଭାବ ୧୫ଶ ଶତାବ୍ଦୀ ପୂର୍ବରୁ ହୋଇଥିବା ଅନୁମାନ କରାଯାଇପାରେ । ସଭ୍ୟତାର ବିକାଶ ସହିତ, ଚଳଚ୍ଚିତ୍ର ଓ ଦୂରଦର୍ଶନର ପ୍ରଭାବ ଫଳରେ, ଆଜି ଲୋକଙ୍କର ପୁରାତନ ନାଟ୍ୟ ପରମ୍ପରା ପ୍ରତି ଆଗ୍ରହ କମିବାରେ ଲାଗିଛି । ଅତୀତର ଗୋ÷ରବମୟ ରାମଲୀଳାର ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇ ଆସିଛି । ବର୍ତ୍ତମାନ ଓଡ଼ିଶାର ଗଞ୍ଜାମ, କନ୍ଧମାଳ, ନୟାଗଡ଼, ପୁରୀ, ଭଦ୍ରକ ଓ କଟକ ଜିଲ୍ଲାକୁ ବାଦ୍ ଦେଲେ, ଅନ୍ୟତ୍ର ରାମଲୀଳା ପରିବେଷଣ ଦୃଷ୍ଟି ଗୋଚର ହୁଏନାହିଁ ।

Photo credit-Internet

About ମନମଥ ଶତପଥୀ

ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପୂର୍ବତନ ସମ୍ପାଦକ

Check Also

“ଯାତ୍ରା’ର ଯାତ୍ରା ଯଦି ସରିଯାଉଛି, ଯାଉ

୧୯୨୭ରୁ ରାସ ଅ ।ରମ୍ଭ କରିଛି । ୧୯୨୯ରେ ବ୍ୟବସାୟୀ ଭାବେ ସେ ପ୍ରଦର୍ଶନ କରି ଦଳ ଚଳାଇଛି ୧୯୩୮ …

Leave a Reply

Your email address will not be published. Required fields are marked *