Home / କଳା / ଲୋକଚିତ୍ର / ଓଡ଼ିଆ ସଂସ୍କୃତି ଓ ଆଦିବାସୀ ସମାଜ

ଓଡ଼ିଆ ସଂସ୍କୃତି ଓ ଆଦିବାସୀ ସମାଜ

ଭାରତର ଏଇ ଓଡ଼ିଶା ନାମଧେୟ ଭୂଖଣ୍ଡଟି ଭୌଗୋଳିକ, ଐତିହାସିକ ଆଦି କାରଣରୁ ଏଇ ସ୍ୱତନ୍ତ୍ର ଭାଷା, ସାହିତ୍ୟ ଓ ସଂସ୍କୃତିର ଅଧିକାରୀ । ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତି ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ସଂସ୍କୃତି ରୂପେ ପରିଚିତ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ରୂପେ ପରିଚିତ । ଓଡ଼ିଆ ଭାଷା, ସାହିତ୍ର ଓ ସଂସ୍କୃତି ଲାଗି ଆଦିବାସୀ ସମାଜର ଅବଦାନ ଅବିସ୍ମରଣୀୟ । ଓଡ଼ିଆ ସଂସ୍କୃତି ଏକ ସମନ୍ୱୟ ସଂସ୍କୃତି । ଏ ସମନ୍ୱୟ-ସଂସ୍କୃତିକୁ ଆଦିବାସୀ ସମାଜର ଦାନପ୍ରକ୍ରିୟା ବହୁ ଶତାବ୍ଦୀ ଧରି ଲାଗିରହିଛି ।

ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ । ଏ ରାଜ୍ୟର ପ୍ରାୟ ଏକ ଚତୁର୍ଥାଂଶ ଲୋକ ଆଦିବାସୀ । ଏମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଚ୍ଛିନ୍ନଭାବେ ବସବାସ କରୁଛନ୍ତି । ଏମାନେ ବହୁ ଗୋଷ୍ଠୀର । ଏଇ ପ୍ରତ୍ୟେକ ଗୋଷ୍ଠୀର ସ୍ୱତନ୍ତ୍ର ଭାଷା ଅଛି । ବେଳେବେଳେ ଏମାନଙ୍କ ସଂସ୍କୃତି ଭିତରେ ସାମଞ୍ଜସ୍ୟ ଦେଖାଯାଇଥାଏ । କିନ୍ତୁ ଅନେକତ୍ର ସାମ୍ୟ ପରିଦୃଷ୍ଟ ହୋଇଥାଏ । ଆଦିବାସୀର ସଂସ୍କୃତି ତା’ର ଭାଷା, ସାହିତ୍ୟ, ସଙ୍ଗୀତ, ଚିତ୍ରକଳା, ଧର୍ମବିଶ୍ୱାସ, ଦେବଦେବୀ, ପର୍ବପର୍ବାଣୀ ତଥା ଆଚାର ବିଚାରକୁ ନେଇ । ଆଦିବାସୀର ନାନା ସାଂସ୍କୃତିକ ବିଭବ ଓ ବୈଶିଷ୍ଟ୍ୟକୁ ଓଡ଼ିଆ ସଂସ୍କୃତି ନିଜସ୍ୱ କରିସାରିଛି ।

ଜଗନ୍ନାଥ, ଓଡ଼ିଆ ସଂସ୍କୃତିର ମୂର୍ତ୍ତିମନ୍ତ ପ୍ରତୀକ । ଜଗନ୍ନାଥଙ୍କୁ ନେଇ ଓଡ଼ିଶା ଓ ଓଡ଼ିଆ ଜାତି ବିଶ୍ୱରେ ପରିଚିତ । ଓଡ଼ିଶାର ଧର୍ମ, କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ତଥା ସଂସ୍କୃତିର ପ୍ରାଣ କେନ୍ଦ୍ର । କିନ୍ତୁ ଜଗନ୍ନାଥ ଆଦିବାସୀର ଶବର ରାଜା ବିଶ୍ୱାବସୁଙ୍କ ଇଷ୍ଟଦେବ ନୀଳମାଧବ ହିଁ ଜଗନ୍ନାଥ । ଏ କାହାଣୀ ବଡ଼ ମନୋରମ: ଏହା ଯୁଗ ଯୁଗ ଧରି ଓଡ଼ିଆ ସଂସ୍କୃତିକୁ ସମୃଦ୍ଧ କରୁଛି । ଅତି ପ୍ରାଚୀନ କାଳରୁ ଆଜିଯାଏଁ ଓଡ଼ିଶାର ଅସଂଖ୍ୟ ପୁରାଣ, କାବ୍ୟ, ଯାତ୍ରା, ନାଟକ, ଉପନ୍ୟାସ, ସନ୍ଦର୍ଭ, ଚଳଚ୍ଚିତ୍ର, ଚାରୁ ଓ କାରୁ କଳାକୁ ଜଗନ୍ନାଥଙ୍କ ମନୋରମ କାହାଣୀ ସାମଗ୍ରୀ ଯୋଗାଉଛି ।

ଗଞ୍ଜାମ ଓ କୋରାପୁଟ ଶବରମାନେ କିତୁଙ୍ଗ ନାମକ ଦେବତାଙ୍କୁ ପୂଜା କରନ୍ତି । ଦେବତା ଦାରୁ ଦେବତା । କତୁଙ୍ଗର ଅର୍ଥ ଜଗତର ନାଥ । ତେଣୁ ମନେହୁଏ, ସେଇ ନୀଳମାଧବ ଏବେବି ଶବର ପଲ୍ଲୀରେ ପୂଜା ପାଉଛନ୍ତି ।  ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ଆଦି ପ୍ରହରୀ କବି ସାରଳା ଦାସଙ୍କ ଦୃଷ୍ଟିରେ ଜଗନ୍ନାଥ ହେଉଛନ୍ତି ଶବରୀ ନାରାୟଣ ।

ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ଓ ପୂଜା ପର୍ବ ପ୍ରସଙ୍ଗରେ ଆଦିବାସୀର ସ୍ୱାକ୍ଷର ରହିଛି । କିମ୍ବଦନ୍ତୀ କହେ, ଜଗନ୍ନାଥଙ୍କ ବଡ଼ ଦେଉଳ ନିର୍ମାଣ ହେବା ସମୟରେ ପୁରୀକୁ ପଥର ବୋହିବା ପାଇଁ ଓ ଜଗନ୍ନାଥଙ୍କ ରଥ ଟାଣିବା ପାଇଁ ଶବରମାନଙ୍କ ଉତ୍ପତ୍ତି । ପୁରୀର ଆଖପାଖ ଅଞ୍ଚଳରେ ବାସ କରୁଥିବା କଳାପିଠିଆମାନେ ଶବରମାନଙ୍କ ଏକ ଶାଖା । ଏମାନେ ଜଗନ୍ନାଥଙ୍କ ରଥ ଟାଣନ୍ତି । ଶବର ରାଜା ବିଶ୍ୱାବସୁଙ୍କ ବଂଶଧରମାନେ ଜଗନ୍ନାଥଙ୍କ ସେବକ ରୂପେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛନ୍ତି । ଦଇତାପତିମାନଙ୍କ ଦୃଷ୍ଟାନ୍ତ ଏଠାରେ ଉଲ୍ଲେଖନୀୟ ।

କନ୍ଧମାନଙ୍କ ଦେବତା ଜାକିରି ପେନୁ, ତାନା ପେନୁ ଓ ମୁର୍ବି ପେନୁ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ରୂପେ ରୂପାନ୍ତରିତ ବୋଲି କେତେକ ମତ ପ୍ରକାଶ କରନ୍ତି । ଗଣ୍ଡାମାନେ ବୁଢ଼ା ଦେଓ, ଲିଙ୍ଗ ଓ ଜଙ୍ଗ ଦେବତାଙ୍କୁ ଜାତୀୟ ଦେବତା ରୂପେ ପୂଜା କରନ୍ତି । ଜଙ୍ଗ ଦେବତା ଜଗନ୍ନାଥଙ୍କର ସ୍ୱରୂପ । ଗଣ୍ଡ ପିରୋହିତମାନେ ଅଭିଯୋଗ କରନ୍ତି- ସେମାନଙ୍କଠାରୁ ଜଗନ୍ନାଥଙ୍କୁ ବଳାକ୍ରାରରେ ନୀଳାଚଳକୁ ନିଆଯାଇଥିଲା ।

ଖାରିଆମାନେ ଜଗନ୍ନାଥଙ୍କୁ ନିଜର ପ୍ରଧାନ ଇଷ୍ଟ ଦେବତା ରୂପେ ପୂଜା କରନ୍ତି । ମୟୂରଭଞ୍ଜରେ ଜଗନ୍ନାଥଙ୍କ ସେବକ-ଗୋଷ୍ଠୀରେ ଏମାନେ ଅନ୍ତର୍ଭୁକ୍ତ ।

ତେଣୁ ଜଗନ୍ନାଥ ନିଶ୍ଚିତ ଭାବେ ଆଦିବାସୀଙ୍କର ଦେବତା । ଜଗନ୍ନାଥ ଧର୍ମ, ସାମ୍ୟ, ମୈତ୍ରୀ ଓ ସହାବସ୍ଥାନର ଧର୍ମ । ଜଗନ୍ନାଥଙ୍କ ପାଖରେ ରାଜାପ୍ରଜା, ଧନୀଗରିବ, ଉଚ୍ଚନୀଚ, ଛୁଅାଁଅଛୁଅାଁ ଆଦି ଭେଦଭାବ ନାହିଁ । ସେଠି ସମସ୍ତେ ସମସ୍ତଙ୍କ ଉଚ୍ଛିଷ୍ଟ ମହାପ୍ରସାଦ ଗ୍ରହଣ କରନ୍ତି । ବାଛବିଚାର ବାରଣ ନାହିଁ । ଭଗବାନଙ୍କ ଦୃଷ୍ଟିରେ ସମସ୍ତେ ସମାନ । ଆଦିବାସୀମାନେ ହାଟ କିମ୍ବା କଚେରୀକୁ ଆସିଥିବା ବେଳେ ସେମାନଙ୍କ ଭିତରେ ଥିବା ସାମ୍ୟ, ସୌହାର୍ଦ୍ଧ୍ୟ ଓ ମୈତ୍ରୀ ଭାବର ସୁନ୍ଦର ଦୃଷ୍ଟାନ୍ତ ଆମର ଦୃଷ୍ଟିଗୋଚର ହୋଇଥାଏ । ଆଦିବାସୀର ପ୍ରାଣସ୍ପର୍ଶୀ, ସ୍ୱତଃସ୍ଫୁର୍ତ୍ତ ସଙ୍ଗୀତରେ ମଧ୍ୟ ତା’ର ଉଦାର ହୃଦୟବତ୍ତାର ସ୍ୱାକ୍ଷର ଦେଖିବାକୁ ମିଳେ ।

‘ଆବାରେ ମଗ୍ବେ, ବାଲାରେ ମଗ୍ବେ

ପୂର୍ତ୍ତି ସୁସ୍ଥା ପଦି, ରାଜି ସୁସ୍ଥା ପବଦି’ ଅର୍ଥାତ ସମସ୍ତେ ସୁଖରେ ଥା’ନ୍ତୁ, ଶାନ୍ତିରେ ଥା’ନ୍ତୁ । ପୃଥିବୀ ଓ ରାଜ୍ୟ ସୁକରେ ଥାଉ । ପଶ୍ଚିମ ଓଡ଼ିଶାର ସମ୍ବଲେଶ୍ୱରୀ ଓଡ଼ିଶାର ପ୍ରଧାନ ଦେବଦେବୀଙ୍କ ମଧ୍ୟରେ ଅନ୍ୟତମ । ଏ ଦେବୀ ଆଦିବାସୀ ସମ୍ପଦାୟର । ଆଦିବାସୀଙ୍କ ଗ୍ରାମଦେବୀ ସମ୍ବଲେଶ୍ୱରୀ ସମ୍ବଲପୁର ଅଞ୍ଚଳର ଅଧିଷ୍ଟାତ୍ରୀ ଦେବୀ ରୂପେ ଖ୍ୟାତ । ସମ୍ବଲପୁର ଜିଲ୍ଲାର ପ୍ରତିଟି ଗ୍ରାମରେ ସମଲାଇଙ୍କୁ ଗ୍ରାମଦେବୀ ରୂପେ ପୂଜା କରାଯାଏ । କନ୍ଧ ସମ୍ପ୍ରଦାୟର ଇଷ୍ଟଦେବୀ ‘ପିତା ବଲଦୀ’ ସମ୍ବଲପୁର ସମଲାଇ ଦେବୀଙ୍କ ପାଶ୍ୱର୍ ଦେବତା ରୂପେ ପୂଜା ପାଆନ୍ତି । ସହରା ବା ଶବର ଜାତିର ଲୋକ ସମ୍ବଲେଶ୍ୱରୀଙ୍କ ପୂଜକ ରୂପେ ନିଯୁକ୍ତ । ସମ୍ବଲେଶ୍ୱରୀ ଓଡ଼ିଆ ଜାତିର ସଂସ୍କୃତିରେ ଏପରି ଭାବେ ମିଶି ଯାଇଛନ୍ତି ଯେ ଆଜି ଆଦିବାସୀମାନେ ଦେବୀଙ୍କୁ ନିଜର ବୋଲି ଆଉ ଦାବି କରୁନାହାନ୍ତି ।

ନବାନ୍ନ ଓଡ଼ିଆ ଜାତିର ଜାତୀୟ ପର୍ବ । ଏହା ଆଦିବାସୀ ସମାଜରୁ ଗ୍ରହଣ କରାଯାଇଛି ବୋଲି କୁହାଯାଇପାରେ । ଆଦିବାସୀ ସମାଜ କେବଳ ନୂଆ ଧାନ ପଡ଼ିଲେ ନୂଆଖାଇ କରିନଥାନ୍ତି ମହୁଲ, କାନ୍ଦୁଲ କୋଇଲି ପ୍ରଭୃତି ପ୍ରକୃତିର ପ୍ରତିଟି ଦାନ ପାଇଁ ନୂଆଖାଇ ପର୍ବ ପାଳନ କରିଥାନ୍ତି ।

ବଲାଙ୍ଗୀର ଜିଲ୍ଲା ଚରଦା ଗ୍ରାମରେ ଅଧିଷ୍ଟାତ୍ରୀ ଦେବୀ ଚରଦାଈଙ୍କ ଆସ୍ଥାନ । ଏହାଙ୍କ ‘କଲାସି’ ଯାତ୍ରା ପ୍ରସିଦ୍ଧ । ଏଠାରେ ଶତାଧିକ ‘କାଳିସୀ’ ନାନା ସ୍ଥାନରୁ ଆସି ଯୋଗ ଦେଇଥାନ୍ତି । ଏହି କଲାସି ଦେବତାମାନେ ଆଦିବାସୀ । ଏହି ଯାତ୍ରା ଓଡ଼ିଆଙ୍କର ବୋଲି ସାଧାରଣରେ ପରିଚିତ ।

କୁହାଯାଏ ଲିଙ୍ଗପୂଜା ଓ ନାଗ ପୂଜା ଆଦିବାସୀ ସମାଜର । ଆଦିବାସୀମାନେ ପ୍ରକୃତି ପୂଜକ । କିରାତ ବା ଶବରମାନେ ଶିବ ପାର୍ବତୀଙ୍କ ପୂଜା କରୁଥିଲେ । ଆଜି ଏହି ଲିଙ୍ଗ ପୂଜା ଓ ନାଗପୂଜା ଓଡ଼ିଆ ସମାଜରେ ବେଶ୍ ଭକ୍ତି ସହକାରେ କରାଯାଏ ।

ହିନ୍ଦୁ ସମାଜର ଅସ୍ଥି ବିସର୍ଜନ ପରମ୍ପରା ମଧ୍ୟ ଆଦିବାସୀ ସମାଜରୁ ଗୃହିତ ବୋଲି କୁହାଯାଏ । ସାନ୍ତାଳମାନେ ଦାମୋଦର ନଦୀରେ ସେମାନଙ୍କ ମୃତ ବ୍ୟକ୍ତିର ଅସ୍ଥି ବିସର୍ଜନ କରିଥାନ୍ତି ।

ଆଦିବାସୀ ସମାଜର ଦୁଇଟି ଯାତ୍ରା: କାଦୋ ଯାତ୍ରା ଓ ମେରୁ ଯାତ୍ରା ପଶ୍ଚିମ ଓଡ଼ିଶାରେ ପାଳନ କରିଥାନ୍ତି । କଳାହାଣ୍ଡି ଜିଲ୍ଲାର ଆଦିବାସୀଙ୍କ ଚାଉଳଧୁଆ ପର୍ବ ବା ଦିଏଲ୍ ପର୍ବ ପଲ୍ଲୀବାସୀ ଓଡ଼ିଆମାନେ ମଧ୍ୟ ପାଳନ କରିଥାନ୍ତି ।

ବର, ଓସ୍ତ, ନିମ୍ବ, ବେଲ, ତୁଳସୀ ଆଦି ବୃକ୍ଷର ପୂଜା ଓଡ଼ିଆ ସମାଜରେ ଦେଖିବାକୁ ମିଳେ । ଏହା ଆଦିବାସୀ ସମାଜରୁ ଗୃହିତ ବୋଲି ଅନେକ କହନ୍ତି । ବୈଦିକ ଯୁଗରେ ଏତାଦୃଶ ବୃକ୍ଷ ପୂଜା ନଥିଲା ।

ଆଦିବାସୀ ଜୀବନ ବିଚିତ୍ର ଓ ବର୍ଣ୍ଣୋତ୍ସବମୟ । ଏମାନଙ୍କ ନାନା ଦେବାଦେବୀ ପର୍ବପର୍ବାଣୀ, ଆଚାର ବିଚାରକୁ ଓଡ଼ିଆ ସଂସ୍କୃତି ଆତ୍ମସ୍ତ କରିଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ସାଂସ୍କୃତିକ ଜୀବନରେ ଏପରି ଗତ ଶତ ଦୃଷ୍ଟାନ୍ତ ମିଳିବ ।

ରାଜନୈତିକ କ୍ଷେତ୍ରରେ ଊନବିଂଶ ତଥା ବିଂଶ ଶତାବ୍ଦୀରେ ଆଦିବାସୀମାନଙ୍କର ଅବଦାନ ଆଶ୍ଚର୍ଯ୍ୟଜନକ ଓଡ଼ିଶାରେ କନ୍ଧ, ସାନ୍ତାଳ, ମୁଣ୍ଡା, କୋୟା, ଭୂମିଆଙ୍କ ବିଦ୍ରୋହ ଓ ବିପ୍ଳବ ଉଲ୍ଲେଖନୀୟ । ଗୋଟିଏ ଜାତିର ସାଂସ୍କୃତିକ ସୁରକ୍ଷା ତା’ର ରାଜନୈତିକ ସଚେତନତା ଉପରେ ନିର୍ଭର କରେ । ତେଣୁ ମହାବୀର ଦୋହରା ବିଷୋଇ, ବୀର ଚକରା ବିଷୋଇ, ବିସ୍ରା ମୁଣ୍ଡା, ସହିଦ ଲକ୍ଷ୍ମଣ ନାୟକଙ୍କ ଆଦିବାସୀ ସମାଜରେ ଜନ୍ମ ହୋଇ ଆପଣା ଜାତିକୁ ସଙ୍ଗଠିତ କରି ପରାଧୀନ ଭାରତରେ ଯେଉଁ ବିଦ୍ରୋହ/ ବିପ୍ଳବ କରିଥିଲେ ତାହା ଓଡ଼ିଶା ସଂସ୍କୃତିର ସୁରକ୍ଷା ପାଇଁ କମ୍ ସହାୟକ ନୁହେଁ ।

ଆଦିବାସୀ ଜୀବନକୁ ସେ ସୁନ୍ଦର ଓ ମଦୁର କରିବା ପାଇଁ ନୃତ୍ୟ ସଙ୍ଗୀତର ଆଶ୍ରୟ ନେଇଥାଏ । ଆପଣା ଜୀବନର ସୁଖ ଦୁଃଖ ଭଲ ମନ୍ଦ ନୃତ୍ର ସଙ୍ଗୀତ ମାଧ୍ୟମରେ ହିଁ ପ୍ରକାଶ କରିଥାଏ ଓ ସକଳ ପର୍ବ ପର୍ବାଣୀ ଯାତ୍ରାରେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥାଏ । ଆଦିବାସୀ ସଙ୍ଗୀତର ସ୍ୱର ଲହରୀ ଶ୍ରୋତା ମହଲକୁ ମୁଗ୍ଧ କରେ ଓ ନୃତ୍ୟର ଛନ୍ଦ ସମ୍ପଦ ଦର୍ଶକ ମଣ୍ଡଳୀକୁ ସ୍ତବ୍ଧ କରେ । ତେଣୁ ଆଦିବାସୀ ନୃତ୍ୟ ସଙ୍ଗୀତକୁ ଓଡ଼ିଆ ଶିଳ୍ପୀମାନେ ନିଜର କରୁଛନ୍ତି ଏବଂ ଓଡ଼ିଶାର ଆକାଶବାଣୀ ତଥା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନରେ ପରିବେଷଣ କରୁଛନ୍ତି । ଆଦିବାସୀର ଏଇ ସାର୍ବଜନୀନ ଲଳିତ କଳା ଆଜି ଓଡ଼ିଆ ସଂସ୍କୃତିର ଗୌରବ । ରସରକେଲି, ଡାଲଖାଇ, କରମା ଭୂତକେଳି ଆଦିବାସୀ ନୃତ୍ୟ ସଙ୍ଗୀତ ଓଡ଼ିଆର କଳା ପ୍ରାଣକୁ ସତେଜ କରିଦିଏ । ଆଦିବାସୀର ନୃତ୍ୟ ସଙ୍ଗୀତ ସହ ତା’ର ଚିତ୍ରକଳା, ବୟନ ଶିଳ୍ପ ଓ ବାଦ୍ୟଯନ୍ତ୍ର ମଧ୍ୟ ଓଡ଼ିଆର ସାଂସ୍କୃତିକ ଗୌରବକୁ ବୃଦ୍ଧି କରିଥାଏ । ପ୍ରାୟ ଅର୍ଦ୍ଧ ଶତକରୁ ଊଦ୍ଧ୍ୱର୍ ଆଦିବାସୀ ଭାଷା ଓଡ଼ିଶାରେ ଚଳେ ଏଇ ଭାଷାମାନଙ୍କ ପ୍ରଭାବ ଓଡ଼ିଆ ଭାଷାର ଅର୍ଥ ଗୌରବ ଓ ରୂପ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଛି । ଶତ ଶତ ଆଦିବାସୀ ଶବ୍ଦ ପ୍ରୟୋଗ ଓଡ଼ିଆ ଭାଷାରେ ଦେଖିବାକୁ ମିଳେ । ଆଦିବାସୀର ଜୀବନ ବୈଚିତ୍ର୍ୟ ଓଡ଼ିଆ ଲେଖକଙ୍କୁ ଆକୃଷ୍ଟ କରେ । ଔପନ୍ୟାିକ ଗୋପାଳ ବଲ୍ଲଭ ଦାସ, ଗାଳ୍ପିକ ଭଗବତୀ ଚରଣ ପାଣିଗ୍ରାହୀ, କଥାକାର ଗୋପୀନାଥ ମହାନ୍ତିଙ୍କ ଆଦିବାସୀ ଜୀବନ ଭିତ୍ତିକ ମୌଳିକ ରଚନା ଓ କବି ସୀତାକାନ୍ତ ମହାପାତ୍ରଙ୍କ ଆଦିବାସୀ ଅନୁବାଦ-କବିତା ଓଡ଼ିଆ ସାହିତ୍ୟର ଅନବଦ୍ୟ କୃତି । ଏଇ ଲେଖକମାନଙ୍କ ସାଂସ୍କୃତିକ ଜୀବନ ଓ ଚେତା ତଥା ଶାଶ୍ୱତ ସାଧନା ଆଦିବାସୀ ସମାଜ ଦ୍ୱାରା ସମୃଦ୍ଧ ଓ ଏମାନଙ୍କ ଯୋଗୁଁ ଓଡ଼ିଆ ସାହିତ୍ୟ/ ସଂସ୍କୃତି ସମୃଦ୍ଧ ।

ଓଡ଼ିଆ ସଂସ୍କୃତିର ବାର୍ତ୍ତବାହ ଓଡ଼ିଆ ସାହିତ୍ୟ । ଏହି ସାହିତ୍ୟକୁ ଆଦିବାସୀ ସମାଜର ଅବଦାନ ବିସ୍ମୟକର । ଓଡ଼ିଆ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ କନ୍ଧକବି ଭୀମ ଭୋଇଙ୍କ ଦୃଷ୍ଟାନ୍ତ ଚିର ଭାସ୍ୱର । ତାଙ୍କ ଜୀବନର ଅଳ୍ପ ସମୟ ମଧ୍ୟରେ ସେ ଯାହା କରିଯାଇଛନ୍ତି, ତାହା ଅତୁଳନୀୟ ଓ ତାଙ୍କ ଅସାଧାରଣ ପ୍ରତିଭାର ପରିଚାୟକ । ଭୀମ ଭୋଇ ତାଙ୍କ ସରଳ ଓ ମଧୁର ପଦାବଳୀ ଜରିଆରେ ମହିମାଧର୍ମର ମାହାତ୍ମ୍ୟକୁ ଉକ୍ରଳର ଗ୍ରାମେ ଗ୍ରାମେ ପ୍ରଚାର କରିପାରିଛନ୍ତି ଓ ଯେଉଁ ମହିମା ଧର୍ମ ତାଙ୍କ ସମୟରେ ଶୈଶବାବସ୍ଥାରେ ଥିଲା, ତାହା ତାଙ୍କ ଚେଷ୍ଟା ଫଳରେ ବର୍ତ୍ତମାନ ଯୌବନରେ ପଦାର୍ପଣ କରି ଉକ୍ରଳର ବାହରକୁ ମଧ୍ୟ ଗତି କରିଚାଲିଛି । ଓଡ଼ିଆ ସଂସ୍କୃତି ଲାଗି ଭାଗବତକାର ଜଗନ୍ନାଥ ଦାସଙ୍କ ପରି କନ୍ଧ କବି ଭୀମଭୋଇଙ୍କ ଅବଦାନ ଅପରିମେୟ ।

ସ୍ୱର୍ଗତ ଅଧ୍ୟାପକ ଶିବରାମ ପାତ୍ର(ସୌଜନ୍ୟ – ସମଦୃଷ୍ଟି)

Photo credit- internet

About Editor

କଳାକାର, ସମଧ୍ୱନି ଇ - ପତ୍ରିକା ଓ ତ୍ରୟୋମାସିକ ପତ୍ରିକାର ସମ୍ପାଦକ, ସାଂସ୍କୃତିକ କର୍ମୀ, ସାମ୍ବାଦିକ

Check Also

“ଯାତ୍ରା’ର ଯାତ୍ରା ଯଦି ସରିଯାଉଛି, ଯାଉ

୧୯୨୭ରୁ ରାସ ଅ ।ରମ୍ଭ କରିଛି । ୧୯୨୯ରେ ବ୍ୟବସାୟୀ ଭାବେ ସେ ପ୍ରଦର୍ଶନ କରି ଦଳ ଚଳାଇଛି ୧୯୩୮ …

Leave a Reply

Your email address will not be published. Required fields are marked *