Home / ଇତିହାସ / ଓଡ଼ିଆ ରେକର୍ଡ଼ର ଇତିହାସ

ଓଡ଼ିଆ ରେକର୍ଡ଼ର ଇତିହାସ

ଫୋଟୋ କ୍ରେଡିଟ – ଉଇକିମିଡ଼ିଆ କମନ୍ସ

ଶ୍ରୀ କିରଣ ଚନ୍ଦ୍ର ଘୋଷ ୧୯୩୭ ମସିହାରେ ଡ଼ଗର ପୃଷ୍ଠାରେ ଲେଖିଥିଲେ ଓଡ଼ିଆ ରେକର୍ଡ଼ର ଇତିହାସ ଆଜି ଯେତେବେଳେ ରେକର୍ଡ଼ିଂ ମେସିନ ଏବଂ ଏହାର ବୈଷୟିକ ଜ୍ଞାନ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି, ଇତିହାସର ସେହି ସମୟରେ ରେକର୍ଡ଼ିଂ କେମିତି ହେଉଥିଲା ଏବଂ ଏହାର ପ୍ରଭାବ କେମିତି ସମାଜ ଉପରେ ଥିଲା ଜାଣିବାର ଜରୁରୀ ଆବଶ୍ୟକତା ରହିଛି ବୋଲି ଅନୁଭବ କରି ଏହାକୁ ସମଧ୍ୱନି ନିଜ ପୃଷ୍ଠାରେ ସ୍ଥାନିତ କରୁଛି ୧୯୩୭ରୁ ୨୦୧୭, ଦୀର୍ଘ ୮୦ବର୍ଷର ବ୍ୟବଧାନ ଏହି ସମୟ ଭିତରେ ବିଜ୍ଞନ କାରୀଗରୀ କୌଶଳରେ ଘଟିଥିବା ପରିବର୍ତ୍ତନ ଶ୍ରୋତାଙ୍କୁ କେଉଁଭଳି ପ୍ରଭାବିତ କରିଛି ଆଲୋଚନା ହେବା ଜରୁରୀ ସେଥିପାଇଁ ଏଠି ଇତିହାସର ପୃଷ୍ଠାଟିକୁ ପୁଣିଥରେ ମନେପକାଇବା ସମ୍ପାଦକ

ବେଶୀ ଦିନ କଥା ନୁହେଁ – ପାଞ୍ଚ ବର୍ଷ ଆଗତ କଥା । ସେତେବେଳେ ଓଡ଼ିଆ ରେକଡ଼ ନଥିଲା କହିଲେ ଚଳେ । ଯେଉଁ ଗୋଟିଏ ଯୋଡ଼ିଏ ରେକଡ଼ ବାହାରି ଥିଲା ‘ଏରୋଣ୍ଡୋଽପି ଦୃମାୟତେ’ ପରି ତାକୁ ଓଡ଼ିଆ ପ୍ରେମୀ ଖଣ୍ଡେ ଖଣ୍ଡେ କେତେବେଳେ କେମିତି ପାଖରେ ରଖିବାର ଦେଖାଯାଉଥିଲା । ସମସ୍ତେ ବଙ୍ଗାଳୀ ରେକଡ଼ କିଣିବାକୁ ବାଧ୍ୟ ହେଉଥିଲେ । ଶ୍ରୀଯୁକ୍ତ ମୋହନ ସୁନ୍ଦର ଦେବ ଓ ବାବୁ କାଳି ଚରଣ ପଟ୍ଟନାୟକ ସେହି ଯୁଗର ଗାୟକ । ଯେ ସମୟର ସଙ୍ଗୀତର ସ୍ୱରରେ ତାରତମ୍ୟ ଆଦୌ ପରିଲକ୍ଷିତ ହେଉନଥିଲା । ଏକପ୍ରକାରର ଗୋଟାଏ ଚିର ଅଭ୍ୟସ୍ତ ସ୍ୱର କିଣିବାକୁ ଲୋକଙ୍କୁ ସେପରି ସୁଖକର ବୋଧ ହେଉ ନଥିଲା ।

ଓଡ଼ିଆ ରେକଡ଼ର ଇତିହାସରେ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ଦାସଙ୍କର ଆବିର୍ଭାବ ଓ ତାଙ୍କର ଉଡ଼ିଯାଉଛି ଲୋଟଣୀ ପାରା – ଝୁମୁ ଝୁମୁ ଝୁମୁରୁ ଝୁମୁ ପ୍ରଭୃତି ଗୋଟାଏ ଯୁଗ ପ୍ରବର୍ତ୍ତନରେ ସାହାଯ୍ୟ କରିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଗୌରାଙ୍ଗ ବାବୁ ସେତେବେଳେ ରେକଡ଼ ଜଗତରେ ଶିଶୁ କିନ୍ତୁ ତାଙ୍କର ଏହି ସବୁ ଗୀତ ଏତେ ଆଦର ହେବାକୁ ଲାଗିଲା ଯେ ବାଧ୍ୟ ହୋଇ ହିଜ୍ ମାଷ୍ଟରର୍ସ ଭଏସ୍ କମ୍ପାନୀଙ୍କୁ ତାଙ୍କର ଚିରନ୍ତନ ରୀତି ବଦଳାଇବାକୁ ପଡ଼ିଲା । ନୂଆ ନୂଆ ଗୀତ ପାଇଁ ସେମାନେ ନୂତନ ନୂତନ ଆଟିଷ୍ଟ (ଗାୟକ) ଖୋଜି ବୁଲିଲେ। ଗୌରାଙ୍ଗ ବାବୁଙ୍କର ଏହି ଗୌରବର ଅନ୍ୟ ଜଣଙ୍କର ମଧ୍ୟ କୃତ୍ତିତ୍ୱଥିଲା । ସେ ହେଉଛନ୍ତି ଯାଜପୁରର ସଙ୍ଗୀତାଚାର୍ଯ୍ୟ ଶ୍ରୀ କୃଷ୍ଣପ୍ରସାଦ ବସୁ । ଏହାଙ୍କର ରଚନା ଓ ସଂଯୋଜନା ହିଁ ଗୌରାଙ୍ଗ ବାବୁଙ୍କ ଯଶସ୍ୱୀ କରିଥିଲା ।

ଏହାଙ୍କପରେ ଉଲ୍ଲେଖ ଯୋଗ୍ୟ ଗାୟକ ହେଉଛନ୍ତି ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ । କଣ୍ଠ ମାଧୁର୍ଯରେ ସେ ଅନିନ୍ଦ୍ୟ । ସେଥିପାଇଁ ଜନ ସମାଜରେ ଅତି ଅଳ୍ପ ସମୟ ମଧ୍ୟରେ ତାଙ୍କର ସୁଖ୍ୟାତି ବ୍ୟାପିଗଲା । ପ୍ରଥମ ସଙ୍ଗୀତରେ ସେ ଜଣାଇ ଦେଲେ ଯେ କେବଳ ପ୍ରାଚୀନ ଢ଼ାଞ୍ଚାରେ ଗାଇଲେ ଚଳେନାହିଁ ତତ୍ ସଙ୍ଗେ ସଙ୍ଗେ କଣ୍ଠ ମାଧୁର୍ଯ୍ୟ ମଧ୍ୟ ଲୋଡ଼ା । ଗୌରାଙ୍ଗ ବାବୁ ନିମାଇଁଙ୍କ ମଧ୍ୟରେ ପାର୍ଥକ୍ୟ ଅଛି ଯଥେଷ୍ଟ । ଗୌରାଙ୍ଗ ବାବୁ ଉତ୍ତର ଭାରତୀୟ ସଙ୍ଗୀତର ଆଦର କରନ୍ତି, ମାତ୍ର ନିମାଇଁ ବାବୁ ଦକ୍ଷିଣ ଭାରତ ବା ଦ୍ରାବିଡ଼ୀ ସଙ୍ଗୀତାମୋଦୀ । ନିମାଇଁ ବାବୁ ଛାନ୍ଦ ଓ ଦକ୍ଷିଣୀ ଗୀତ ଗାଇ ଓଡ଼ିଶାର ସମ୍ମାନକୁ ଯେ ବହୁ ପରିମାଣରେ ବଢ଼ାଇ ଦେଇଛନ୍ତି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ବାଣୀକଣ୍ଠଙ୍କର ଲଳିତ କଣ୍ଠରେ ଉତ୍କଳର ପୂଜ୍ୟ ବରେଣ୍ୟ ଦୀନକୃଷ୍ଣ, ଭଞ୍ଜ, ଅଭିମନ୍ୟୁଙ୍କର ରଚନା ଆଜି ପ୍ରକୃତରେ ଆତ୍ମ ବିସ୍ମୃତ ଓଡ଼ିଆକୁ ଚେତାଇ ଦେଇଛି । ନିମାଇଁ ବାବୁଙ୍କର ‘ବିତଳକୁ ଆଲିଙ୍ଗନ’ ରେକଡ଼ଟି ଯାହାର ନାହିଁ ତା’ଘରେ ଗ୍ରାମଫୋନ ରଖିବା ଯଥାର୍ଥ ନୁହେଁ ବୋଲି ଲୋକେ ନିନ୍ଦା କରନ୍ତି ।

ନୀଳଗିରିର ବାବୁ ଗୋକୁଳାନନ୍ଦ ମହାନ୍ତି ଏହାଙ୍କର ସମସାମୟିକ । ବାବୁ ଜଗବନ୍ଧୁ ସାହୁ, ମିସ୍ ତୋଫାବାଲା, କୃଷ୍ଣ ପ୍ରସାଦ ବୋଷ ଓ ଲକ୍ଷ୍ମୀକାନ୍ତ ସାହୁ ପ୍ରଭୃତି ମଧ୍ୟ ଏହିସମୟରେ ରେକର୍ଡ଼ ଗାୟକଭାବେ ପରିଚିତ ହୋଇଥିଲେ । କିନ୍ତୁ ଗୋକୁଳାନନ୍ଦ ମହାନ୍ତି ଓ ମାଷ୍ଟର ଲକ୍ଷ୍ମୀଧରଙ୍କ ଛଡ଼ା ଅନ୍ୟାନ୍ୟ କେହି ସେପରି କୃତକାର୍ଯ୍ୟ ହୋଇପାରିଲେ ନାହିଁ । ଗୋକୁଳି ବାବୁଙ୍କ ଗଳା ଯେ କେଡ଼େ ମଧୁର ତାହା ତାଙ୍କର ଗୋଟିଏ ପ୍ରସିଦ୍ଧ ଗୀତ ‘ଦେ ମୋତେ ବାଇୟା କରି’ ପ୍ରମାଣ କରିଦିଏ । ଗୀତର ରଚୟିତା ଓଡ଼ିଶାର ଅନ୍ୟତମ ଗୀତିକବି ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର । ଗୀତଟିର ଭାବ, ଭାଷା, ସ୍ୱର ଓ ସର୍ବୋପରି ଗାୟକଙ୍କର କଣ୍ଠସ୍ୱର ଜନସମାଜରେ ଯଥେଷ୍ଟ ଆଦୃତ କରିଛି ।
ମାଷ୍ଟର ଲକ୍ଷ୍ମୀଧର ଯେଉଁ ଗୀତରେ ନାମ କରିଥିଲେ ସେ ହେଉଛି – ‘ଚାହିଁ ଚାହିଁ ପଥ ତୁମରି ।’

ନବୀନ ଗାୟକଙ୍କର କଣ୍ଠ ସ୍ୱର ଶ୍ରୋତାଙ୍କର ବଡ଼ ପ୍ରିୟ । ମିସ୍ ତୋଫାବାଲା ମଧ୍ୟ ମନ୍ଦ ଗାଇନାହାନ୍ତି । ତାଙ୍କର କୀର୍ତ୍ତନଟି ବେଶ୍ ହୋଇଛି । କୃଷ୍ଣବାବୁ କିନ୍ତୁ ଚେଷ୍ଟାକରି ନଜେ ବିଫଳକାମ ହୋଇଛନ୍ତି । ତାଙ୍କର କଣ୍ଠସ୍ୱର ଆଦୌ ରେକଡ଼ର ଉପଯୋଗୀ ନୁହେଁ । ବାବୁ ଜଗବନ୍ଧୁ ସାହୁ ଚଳନୋପଯୋଗୀ ଗାଇଛନ୍ତି । ଲକ୍ଷ୍ମୀକାନ୍ତ ବାବୁଙ୍କର ରଚନାର ପ୍ରାଣସ୍ପର୍ଶୀ ଭାବ କେତେକାଂଶରେ ସଙ୍ଗୀତର ଦୋଷକୁ ଢ଼ାଙ୍କି ପକାଇଛି । ମନେହୁଏ ଲକ୍ଷ୍ମୀକାନ୍ତ ବାବୁଙ୍କର ସଙ୍ଗୀତ ଗୁଡ଼ିକ କୌଣସି ସୁଗାୟକ ଦ୍ୱାରା ଗୀତ ହୋଇଥିଲେ ଜନସାଧାରଣରେ ତାର ଆସନ ଖୁବ୍ ଉଚ୍ଚରେ ହୋଇଥାନ୍ତା । ଜଗବନ୍ଧୁ ବାବୁଙ୍କର ଦୋଷ ହେଉଛି ତାଙ୍କର ଗଳା କମ୍ପେ ।

PHOTO CREDIT-WIKIMEDIA COMMONS

About ଶ୍ରୀ କିରଣଚନ୍ଦ୍ର ଘୋଷ

Check Also

କଥା ନୁହେଁ, ବ୍ୟଥା

୧୫୬୮ ସାଲରେ ଓଡ଼ିଶାର ସ୍ୱାଧୀନତା ଲୋପ ପାଇବାଠାରୁ ୧୯୩୬ସାଲରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ଯାଏଁ, ଓଡ଼ିଶାର ଜାତୀୟ ଜୀବନ …

Leave a Reply

Your email address will not be published. Required fields are marked *