Home / ସମୀକ୍ଷା / ଓଡ଼ିଆ ଭାଷା ଆନ୍ଦୋଳନ: ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ

ଓଡ଼ିଆ ଭାଷା ଆନ୍ଦୋଳନ: ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ

ସାଧାରଣ ଲୋକଟିର ପ୍ରଶ୍ନଟି ବିଶିଷ୍ଟ ସମୀକ୍ଷକ ଏବଂ ଆଲୋଚକ ପ୍ରଫେସର ବୀରେନ୍ଦ୍ର ନାୟକଙ୍କ ମନକୁ ଆପଣାଛାଏଁ ଆସିଯାଇଥାଏ । ସେ ଭିତରୁ ଗୋଟିଏ ହେଉଛି ସାଧାରଣ ମଣିଷର ମନଟିକୁ ଆନ୍ଦୋଳିତ କରୁଥିବା ନିଜ ଭାଷାକୁ ନେଇ ଅନେକ ପ୍ରଶ୍ନ ଯାହାର ଉପସ୍ଥାପନା ଏହି ଲେଖାଟିରେ ନିଖୁଣଭାବେ କରିଛନ୍ତି ଡ଼ଃ ନାୟକ । ଗଣିତର ଛାତ୍ର ଏବଂ ଗଣିତଶାସ୍ତ୍ରର ବିଷାରଦ ହିସାବରେ ନିଜର ପରିଚୟ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠିତ ଥିଲେବି ସେ ଓଡ଼ିଶାର ଶିକ୍ଷା ଓ ସାମାଜିକ ଗବେଷଣା କ୍ଷେତ୍ରରେ ଜଣେ ଦକ୍ଷ ସମୀକ୍ଷକ ତଥା ସମାଜ ବିଜ୍ଞାନୀ ହିସାବରେ ବେଶ ଆଦୃତ । ଭାଷା ଆନ୍ଦୋଳନ ପ୍ରସଙ୍ଗ ଉପରେ ସେ ଯେଉଁସବୁ ପ୍ରଶ୍ନ ଏଠାରେ ଉତ୍ଥାପନ କରିଛନ୍ତିି ସେସବୁ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ମନେହୁଏ । ଉକ୍ତ ଲେଖାଟି ୨୦୧୫ ମସିହାରେ ‘ସମଦୃଷ୍ଟି’ ପାକ୍ଷିକ ପତ୍ରିକାରେ ପ୍ରକାଶିତ ହୋଇସାରିଥିଲେ ମଧ୍ୟ ଆଜିର ସମୟରେ ଲେଖାଟି ସମାନ ଭାବରେ ପ୍ରାସଙ୍ଗିକ ବୋଲି ଅନୁଭବକରି ଏବଂ ପ୍ରଶ୍ନ ଗୁଡ଼ିକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଜରୁରୀ ମନେକରି  ‘ସମଧ୍ୱନି’ରେ ସ୍ଥାନୀତ କରାଯାଇଛି । – ସମ୍ପାଦକ

ସଂକ୍ଷେପରେ ଇତିହାସ

ଆଜକୁ ପ୍ରାୟ ଦେଢ଼ଶହ ବର୍ଷତଳେ, ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଆ ଭାଷାର ଅସ୍ତିତ୍ୱ ପ୍ରତି ଦେଖାଯାଇଥିବା ବିପଦ ଓ ତା ବିରୁଦ୍ଧରେ ଉଠିଥିବା ସ୍ୱରକୁ ଭାଷା ଆନ୍ଦୋଳନର ବିମର୍ଶରେ ଦୁଇଟି ନାମରେ ଅଭିହିତ କରାଯାଇଛି । ଓଡ଼ିଆସାହିତ୍ୟର ସୁପ୍ରସିଦ୍ଧ ଇତିହାସକାର ଡକ୍ଟର ନଟବର ସାମନ୍ତରାୟ ଏହାକୁ ‘ଓଡ଼ିଆଭାଷା-ବିଲୋପ ଅନ୍ଦୋଳନ’ ବୋଲି ନାମିତ କରିଥିବାବେଳେ, ସ୍ୱନାମଧନ୍ୟ ଭାଷାବିତ୍ ଡକ୍ଟର ଗଗନେନ୍ଦ୍ର ନାଥ ଦାଶ ଏହାକୁ ‘ଓଡ଼ିଆଭାଷା-ସୁରକ୍ଷା ଆନ୍ଦୋଳନ’ବୋଲି ନାମିତ କରନ୍ତି । ଏହି ଦୁଇ ନାମ ଭିତରୁ କେଉଁଟି ଯଥାର୍ଥ ତା’ନେଇ ମଧ୍ୟ ବିତର୍କ ହୋଇଛି ।

ତେବେ ଓଡ଼ିଆ ଭାଷାର ଅସ୍ତିତ୍ୱ ପ୍ରତି ବିପଦ ଆସୁଛି ବୋଲି ଉପଲବ୍ଧିର ମୂଳକାରଣ ଥିଲା ‘ଓଡ଼ିଶାର ବିଦ୍ୟାଳୟରୁ ଓଡ଼ିଆଭାଷାକୁ ଉଚ୍ଛେଦ ବା ନିର୍ବାସନ କରିବାପାଇଁ ଅଥବା ବିଦ୍ୟାଳୟରେ ତାର ଭୂମିକାକୁ ସଙ୍କୁଚିତ କରିବାପାଇଁ ବିଭିନ୍ନ ସମୟରେ ଓ ବିଭିନ୍ନ ସ୍ତରରେ ଉଦ୍ୟମ’ର ପ୍ରମାଣ ।୧

ଓଡ଼ିଆ ଭାଷା ସ୍ଥାନରେ ବଙ୍ଗଳାଭାଷାର ପ୍ରଚଳନ ସପକ୍ଷରେ ହେଉଥିଲା ଉଦ୍ୟମ । ‘ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଅଭାବର ଦ୍ୱାହି ଦିଆଯାଇ ବଙ୍ଗଳା ଭାଷାରେ ଶିକ୍ଷାକୁ ସମର୍ଥନ କରାଯାଉଥିଲା ।’୨

ଏହି ଆନ୍ଦୋଳନର ସମୟକାଳ ଥିଲା ୧୮୬୮ ଜାନୁଆରୀରୁ ୧୮୭୦ ସେପ୍ଟେମ୍ବର ଅର୍ଥାତ୍ ମାତ୍ର ୨ବର୍ଷ ୯ମାସ । ୧୮୬୮ ଜାନୁଆରୀ ୪ ତାରିଖ ଦିନ ଗୌରୀଶଙ୍କର ରାୟ ସମ୍ପାଦିତ ଉକ୍ରଳ ଦୀପିକାରେ ପ୍ରଥମଥର ପାଇଁ ‘ଓଡ଼ିଶାର ବିଦ୍ୟାଳୟରୁ ଓଡ଼ିଆଭାଷା ଉଠାଇଦେବାର ପ୍ରସ୍ତାବ ସମ୍ପର୍କରେ ଗଭୀର ଉଦବେଗ’ ପ୍ରକାଶ ପାଇଥିଲା ଯାହାକୁ ଗଗନେନ୍ଦ୍ର ବାବୁ କୁହନ୍ତି ‘ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ପ୍ରଥମ ତୂର୍ଯ୍ୟନାଦ’ ୩

ପରବର୍ତ୍ତୀ ୩୩ମାସରେ ଓଡ଼ିଆ ଭାଷା ସପକ୍ଷରେ ଓ ବିପକ୍ଷରେ ବହୁ ବାଦ ବିବାଦ ପ୍ରକାଶିତ ହେବା, କଟକରେ ଗୌରୀଶଙ୍କର ରାୟ ସମ୍ପାଦିତ ‘ଉକ୍ରଳ ଦୀପିକା’ ଓ ବାଲେଶ୍ୱରରେ ଫକୀରମୋହନ ସେନାପତି ସମ୍ପାଦିତ ‘ବାଲେଶ୍ୱର ସମ୍ବାଦ ବାହିକା’ ଓଡ଼ିଆ ଭାଷା ସପକ୍ଷରେ ସେମାନଙ୍କର ପୃଷ୍ଠାକୁ ଉନ୍ମୁକ୍ତ କରିଦେବା ଓ ଅପରପକ୍ଷରେ ବଙ୍ଗଳାଭାଷା ସପକ୍ଷରେ ‘ଉକ୍ରଳ ହିତୈଷିଣୀ’ ଓ ‘କଟକ ଷ୍ଟାର’ ସେମାନଙ୍କର ପୃଷ୍ଠାକୁ ଉନ୍ମୁକ୍ତ କରିବା ଏକ ସାଧାରଣ ଦୃଶ୍ୟ ଥିଲା । ବାଲେଶ୍ୱର ସରକାରୀ ସ୍କୁଲର ଶିକ୍ଷକ ପଣ୍ଡିତ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ଲିଖିତ ପୁସ୍ତକ ‘ଉଡିୟା ସ୍ୱତନ୍ତ୍ର ଭାଷା ନହେ’ ଥିଲା ଓଟ ପିଠିରେ ଶେଷ ନଡ଼ା ସଦୃଶ ।

୧୮୭୦ ମସିହା ଜାନୁଆରୀ ମାସ ଏହାର ପ୍ରକାଶ ହୁଅନ୍ତେ ଏହା ତୀବ୍ର ସମାଲୋଚନାର ଶରବ୍ୟ ହେଲା । ଏହି ସମାଲୋଚନାର ନେତୃତ୍ୱ ନେଇଥିଲେ ଫକୀରମୋହନ ସେନାପତି । ଏପରିକି ବାଲେଶ୍ୱରର କଲେକ୍ଟର ଜନ ବୀମସ୍ ଏହି ପୁସ୍ତକରେ ପ୍ରଦତ୍ତ ଯୁକ୍ତିର ବିଜ୍ଞାନସମ୍ମତ ପ୍ରତିଯୁକ୍ତି ଦେଇ ଏକ ପ୍ରବନ୍ଧ କଲିକତାସ୍ଥିତ ଏସିଆଟିକ୍ ସୋସାଇଟିରେ ଉପସ୍ଥାପନ କରିବା ପାଇଁ ପଠାଇଲେ ଯାହା ଏପ୍ରିଲ ମାସର ପ୍ରଥମ ସପ୍ତାହରେ କଲିକତାରେ ପହଂଚି ଥିଲା ଓ ଏହାର ଉପସ୍ଥାପନ ବୀମସ୍ କରିଥିଲେ ମଇ ମାସ ୪ ତାରିଖରେ। ୪

ଭୁଦେବ ମୁଖୋପାଧ୍ୟାୟ ତାଙ୍କର ସ୍ୱସମ୍ପାଦିତ ‘ଏଡୁକେଶନ ଗେଜେଟ’ରେ ଏହି ପୁସ୍ତକର ତୀବ୍ର ସମାଲୋଚନା କରି ଓଡ଼ିଆ ଭାଷାର ସ୍ୱାତନ୍ତ୍ର‌୍ୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ‘କାଲ୍କଟା ରିଭ୍ୟୁ’ ମଧ୍ୟ ଜୁଲାଇ ମାସରେ କାନ୍ତିଚନ୍ଦ୍ରଙ୍କ ପୁସ୍ତକର ଯୁକ୍ତିକୁ ଖଣ୍ଡନ କରି ଓଡ଼ିଆଭାଷାର ସ୍ୱାତନ୍ତ୍ର‌୍ୟକୁ ପ୍ରତିପାଦିତ କରିଥିଲା । ସରକାରୀ ସ୍ତରରେ ଇଂରାଜୀ ଉଚ୍ଚ କର୍ତ୍ତୃପକ୍ଷ କିନ୍ତୁ ଓଡ଼ିଆ ଭାଷା ସପକ୍ଷରେ ହିଁ ନିଜର ରାୟ ରଖିଲେ । ଏହା ବିଶେଷ ଭାବରେ ସମ୍ଭବ ହୋଇଥିଲା ଓଡ଼ିଶାର କମିଶନର ଟି ରେଭେନ୍ସାଙ୍କ ଓଡ଼ିଆ ଭାଷାପ୍ରତି ଅନୁକୂଳ ମନୋଭାବ ଯୋଗୁଁ । ତେଣୁ ଓଡ଼ିଆଭାଷା ବିଦ୍ୟାଳୟ ଶିକ୍ଷାରୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ବଙ୍ଗଳା ଭାଷା ପ୍ରଚଳନ କରିବାର ସମସ୍ତ ଉଦ୍ୟମ ୧୮୭୦ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ଶିଥିଳ ହୋଇଗଲା ।

କହିବା ବାହୁଲ୍ୟ ଯେ ତକ୍ରାଳୀନ ଶୀର୍ଷ ସରକାରୀ ଅଧିକାରୀଙ୍କର ଅନୁକୂଳ ମନୋଭାବ ଓ କେତେକ  ବଙ୍ଗଳା ବୁଦ୍ଧିଜୀବୀଙ୍କର ନିରପେକ୍ଷ ଭୂମିକା ହିଁ ଓଡ଼ିଆ ଭାଷା-ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିଥିବା ଓଡ଼ିଆଙ୍କର ପ୍ରତିବାଦକୁ ସାର୍ଥକ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ସେତେବେଳେ ବାଦ ପ୍ରତିବାଦର ସ୍ୱର ତକ୍ରାଳୀନ ହାତଗଣତି କେତୋଟି ସମ୍ବାଦପତ୍ରିକାରେ, ବିତର୍କରେ ବା ପ୍ରତିବେଦନ ଦାଖଲରେ ହିଁ ସୀମିତ ଥିଲା; ପଟୁଆର, ଅନଶନ ଆଦି ପ୍ରତିବାଦ ଜାହିର କରିବାର ମାଧ୍ୟମ ହୋଇ ନଥିଲା । କିପରି ବା ହୋଇଥାନ୍ତା, ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନର ଯୁଗ ଯେ ସେତେବେଳେ ଆରମ୍ଭ ହୋଇନଥିଲା!

ସାମ୍ପ୍ରତିକ ଆନ୍ଦୋଳନର ଢଙ୍ଗ

ଓଡ଼ିଆ ଭାଷାର ମର୍ଯ୍ୟାଦା ପାଇଁ ଗତ ଚାରିବର୍ଷ ହେଲା ବହୁ ବ୍ୟକ୍ତି ଓ ସଂଗଠନ ଓଡ଼ିଶା ମାଟିରେ ସକ୍ରିୟ ହୋଇପଡ଼ିବା ନିଶ୍ଚିତଭାବରେ ଏକ ସୁଖକର ଦୃଶ୍ୟ । ଏହାର ସୁଫଳ ଯେ ଆମକୁ ମିଳୁଛି, ତାହାକୁ ଅଣଦେଖା କରାଯାଇ ପାରିବ ନାହିଁ । ଇଂରାଜୀ ଭାଷାରେ ଏଯାବତ୍ ଲେଖା ହେଉଥିବା ‘ଓରିଶା’(Orissa) ଓ ‘ଓରିଆ’ (Oriya) ଶବ୍ଦଦ୍ୱୟର ଉଚ୍ଛେଦ ହୋଇଛି । ଏହି ଦୁଇ ଶବ୍ଦର ସ୍ଥାନନେଇଛି ଯଥାକ୍ରମେ ‘ଓଡିଶା’ ଓ ‘ଓଡିଆ’ ।୫

ଅବଶ୍ୟ ଏପରି ପ୍ରୟୋଗକୁ ବର୍ତ୍ତମାନ ଭାଷା ଆନ୍ଦୋଳନରେ ସକ୍ରିୟ ସୁଭାଷ ପଟ୍ଟନାୟକ ମହୋଦୟ ନାପସନ୍ଦ କରିଛନ୍ତି ।୬  ଆଉ ଏକ ସୁଫଳ ହେଉଛି ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା । କିନ୍ତୁ ବିଡ଼ମ୍ବନା ଯେ ଏ ସବୁ ସଫଳତା ସେହି ସମୟରେ ହାସଲ ହେଉଛି ଯେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଆ କୁହନ୍ତି ନାହିଁ ବୋଲି ଅଭିଯୋଗର ଶରବ୍ୟ ହେଉଛନ୍ତି । ବର୍ତ୍ତମାନ ଯେଉଁ ଦାବି ନେଇ ଆନ୍ଦୋଳନ ଚାଲିଛି ତାହା ମୁଖ୍ୟତଃ ହେଉଛି ୧୯୫୪ରେ ପ୍ରଣୀତ ଓଡ଼ିଶା ଅଫିସିଆଲ ଲାଂଗୁଏଜ ଆକ୍ଟର (The Orissa Official language Act) କାର୍ଯ୍ୟକାରିତା ।

ଏହା ଦାବି କରି ଯେଉଁ ସଂଗଠନ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଓ ନିଜର ଦାବିକୁ ବିଭିନ୍ନ ଢଙ୍ଗରେ ଉପସ୍ଥାପିତ କରୁଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ‘ଭାଷାସୁରକ୍ଷା ସମ୍ମିଳନୀ’ (ଆବାହକ ବୈଷ୍ଣବଚରଣ ପରିଡା), ‘ଭାଷା ସଂଗ୍ରାମ ସମିତି’ (ଆବାହକ ଶଙ୍କର୍ଷଣ ପରିଡା), ‘ଭାଷା ଆନ୍ଦୋଳନ’(ଅଧ୍ୟକ୍ଷ ସୁଭାଷ ପଟ୍ଟନାୟକ) ଓ ‘ସମାଜ ଆନ୍ଦୋଳନ’ (ଆବାହକ କୁଳମଣି ନାୟକ) । ‘ଭାଷା ସୁରକ୍ଷା ସମ୍ମିଳନୀ’ ତରଫରୁ ଏହି ଦାବି ଉପସ୍ଥାପନ କରି ଏକ ଲକ୍ଷ ପୋଷ୍ଟକାର୍ଡ ଚିଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠା ହୋଇଥିବାବେଳେ, ‘ଭାଷା ସଂଗ୍ରାମ ସମିତି’ ତରଫରୁ ଟିଟିଲାଗଡ଼ବାସୀ ଓକିଲ/କବି ଗଜାନନ ମିଶ୍ର ଆମରଣ ଅନଶନରେ ବସିଛନ୍ତି, ‘ଭାଷା ଆନ୍ଦୋଳନ’ ତରଫରୁ ବିଭିନ୍ନ ବୁଦ୍ଧିଜୀବୀ ଓ ବୟସ୍କ ରାଜନେତାଙ୍କୁ ନେଇ କଳାପତାକା ଶୋଭାଯାତ୍ରା ହୋଇଛି ବିଧାନସଭା ନିକଟରୁ ରାଜଭବନ ଛକପାଖରେ ଥିବା ମଧୁସୂଦନଙ୍କର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏବଂ ‘ସମାଜ ଆନ୍ଦୋଳନ’ ତରଫରୁ ଅଣଓଡ଼ିଆ ଭାଷାରେ ଲେଖା ହୋଇଥିବା ନାମଫଳକ, ଦୋକାନର ସାଇନବୋର୍ଡ ଇତ୍ୟାଦି ଉପରେ କଳାବୋଳା ହୋଇଛି ।

କହିବା ବାହୁଲ୍ୟ ଯେ ଦାବି ଉପସ୍ଥାପନର ଏହିସବୁ ଅଭିନବ ଉପାୟ ଉଭୟ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ଭଲ ଖୋରାକ ଯୋଗାଇଛି । ଏହା ସହିତ ଯେତେବେଳେ ଶୋଭାଯାତ୍ରାରେ ଯାଉ ଯାଉ କୌଣସି ବର୍ଷିଆନ ନେତା ଖରା ନ ସହିପାରି ରାସ୍ତାଉପରେ ବସି ଯାଉଛନ୍ତି ବା ଶୋଭାଯାତ୍ରା ଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟମୁଖୀ ସୁରକ୍ଷା କର୍ମୀ ପରିବେଷ୍ଟିତ ଗାଡ଼ି ଛକରେ ଅଟକିରହି ଶୋଭାଯାତ୍ରା ଅତିକ୍ରମ କରିବା ଯାଏ ଅପେକ୍ଷା କରୁଛି ସେତେବେଳେ ପରିବେଶିତ ସମ୍ବାଦ ଓ ଚିତ୍ର ଆହୁରି ରୋଚକ ହେଉଛି ।୭

ଏହି ଦାବି ସହିତ ଯେତେବେଳେ ରାଜନୈତିକ ବିରୋଧୀମାନେ ସ୍ୱର ମିଶାଉଛନ୍ତି ସେତେବେଳେ ସମୁଦାୟ ପ୍ରସଙ୍ଗ ଆହୁରି ସମ୍ବେଦନଶୀଳ ହେଉଛି । ଏହାର ପ୍ରତିକ୍ରିୟାରେ କ୍ଷମତାସୀନ ଦଳର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଏହାକୁ ‘ଚିତ୍କାର’ବା‘ତୁମ୍ବି ତୋଫାନ’ କହୁଛନ୍ତି ।୮

ଯଦିଓ ସେ ‘ଭାଷାସୁରକ୍ଷା ସମ୍ମିଳନୀ’ର ଜଣେ ପରାମର୍ଶଦାତା ବୋଲିି ବୈଷ୍ଣବବାବୁଙ୍କ ସୂତ୍ରରୁ ଜଣାପଡ଼େ ।୯

PHOTO CREDIT- https://www.google.com/search?q=the+struggle+for+odia+language&tbm=isch&tbs=rimg:CTr8bNmaAd2cIjiodVYMIUPfOBF235115Q6r-IqDNjzcwv-4CBtLsH9ce-WijXzjOdE2fufhKB0I7DFcuEPYMETuACoSCah1VgwhQ984Eb8VUU632QCSKhIJEXbfnXXlDqsRQOUZnSfXwVsqEgn4ioM2PNzC_1xFmbN8YNWRW2CoSCbgIG0uwf1x7EV-l0P3iL7CiKhIJ5aKNfOM50TYRt4jQeCsyyzIqEgl-5-EoHQjsMRE8a7sb2nN54yoSCVy4Q9gwRO4AEWB6gl67gXhZ&tbo=u&sa=X&ved=2ahUKEwjLzMqn8NzjAhWLLo8KHRfvDIgQ9C96BAgBEBg&biw=1366&bih=576&dpr=1#imgrc=Ovxs2ZoB3ZwQuM:

https://www.google.com/search?q=the+struggle+for+odia+language&tbm=isch&tbs=rimg:CTr8bNmaAd2cIjiodVYMIUPfOBF235115Q6r-IqDNjzcwv-4CBtLsH9ce-WijXzjOdE2fufhKB0I7DFcuEPYMETuACoSCah1VgwhQ984Eb8VUU632QCSKhIJEXbfnXXlDqsRQOUZnSfXwVsqEgn4ioM2PNzC_1xFmbN8YNWRW2CoSCbgIG0uwf1x7EV-l0P3iL7CiKhIJ5aKNfOM50TYRt4jQeCsyyzIqEgl-5-EoHQjsMRE8a7sb2nN54yoSCVy4Q9gwRO4AEWB6gl67gXhZ&tbo=u&sa=X&ved=2ahUKEwjLzMqn8NzjAhWLLo8KHRfvDIgQ9C96BAgBEBg&biw=1366&bih=576&dpr=1#imgrc=8R6iznfXvmGbZM:

About ପ୍ରଫେସର ବୀରେନ୍ଦ୍ର ନାୟକ

ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

ସକ୍ରେଟିସ୍ ଓ ଚାର୍ବାକ୍ (ଦୁଷ୍ଟ ମାନସର ଦୁଇଟି ପକ୍ଷପାତ)

ଅଭିଜାତ ଗୋଷ୍ଠୀ ସମର୍ଥକ ଗ୍ରୀସ୍ ଦର୍ଶନରଜନକ ସକ୍ରେଟିସଙ୍କୁ ବିଶ୍ୱବନ୍ଦିତ କରାଇବା ଏବଂ ମାନବବାଦୀ ଜନଗୋଷ୍ଠୀ ଭିତ୍ତିକ ଲୋକାୟତ ଦର୍ଶନର ପ୍ରବକ୍ତା …

Leave a Reply

Your email address will not be published. Required fields are marked *