Home / ନାଟକ / ଆମ ରଙ୍ଗମଞ୍ଚ ଆଜି କେତେ ସ୍ୱାଧୀନ?

ଆମ ରଙ୍ଗମଞ୍ଚ ଆଜି କେତେ ସ୍ୱାଧୀନ?

 

ନାଟକ ହେଉଛି ସମସାମୟିକ ମଣିଷ ଜୀବନର ପ୍ରତିଛବି ଏବଂ ସତ୍ୟପ୍ରକାଶର ଏକ ବଳିଷ୍ଠ ମାଧ୍ୟମ । ଏହି ପରିପ୍ରେକ୍ଷୀରେ ଆଜିର ଓଡ଼ିଆ ନାଟକକୁ ଅନୁଧ୍ୟାନ କଲେ, ଯେତିକି ବିସ୍ମିତ ହେବାକୁ ପଡ଼େ,  ତାହାଠାରୁ ଅଧିକ ଦୁଃଖଲାଗେ ଓଡ଼ିଆ ନାଟକର ଆଧୋପତନକୁ ଅବଲୋକନ କରି । ଭାରତର ଅନ୍ୟାନ୍ୟ ରାଜ୍ୟ ଯଥା ବଙ୍ଗଳା, ଆସାମ, ମଣିପୁରୀ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଗୁଜୁରାଟ ପ୍ରଭୃତି ଅଞ୍ଚଳରେ ପ୍ରଦର୍ଶିତ ନାଟକ ଦେଖିଲେ, ସେହି ଅଞ୍ଚଳର ଲୋକଚରିତ୍ର, ବେଶଭୂଷା ଓ ସମସ୍ୟାବଳୀର ଚିତ୍ର ଦେଖିବାକୁ ମିଳେ । ଅଥଚ ଆମ ରାଜ୍ୟରେ ପରିବେଷିତ ହେଉଥିବା ନାଟକଗୁଡ଼ିକ ସେ ସମସ୍ତ ବିଭବରୁ ଅନେକ ଦୂରରେ । ଆମ ରାଜ୍ୟର ଅଧିକାଂଶ ଦର୍ଶକ / ଲେଖକଙ୍କ ଧାରଣା ନାଚ, ଗୀତ ଓ ମଉଜ-ମଜଲିସ ହେଲା ନାଟକର ଧର୍ମ  । ନାଟକଯେ ଉଚ୍ଚ ସାମାଜିକ ଆଦର୍ଶ, ଚାରିତ୍ରିକ ସଂଘର୍ଷ ଓ ମନସ୍ତତ୍ତ୍ୱର ମୁକୁର ଓ ଏଥିପାଇଁ ଉଚ୍ଚାକୋଟୀର ସିଦ୍ଧହସ୍ତତା ଆବଶ୍ୟକ, ତାହା ନାଟକୀୟ ରସ ଗ୍ରହଣର ଆଦ୍ୟତତ୍ତ୍ୱ ରୂପେ ଗ୍ରହଣ ନକରିବା ଯାଏଁ ଆମର ନାଟକ ଓ ରଙ୍ଗମଞ୍ଚର ଉନ୍ନତି ଅସମ୍ଭବ ।

ଅତୀତରେ ଓଡ଼ିଆ ଭାଷାରେ ରଚିତ ଅନେକ ନାଟକ ଯଥା ବେକାର, ଭାଗ, ରକ୍ତମାଟି, ଫଟାଭୂଇଁ, ଭୂଲିଆ, ପରକଲମ, ଉଠାପାଚେରୀ ପ୍ରଭୃତି ପାଠ କଲାବେଳେ ଯେ କେହି ପାଠକ ଓଡ଼ିଆ ଜାତିର ଦୁଃଖ-ଦୁର୍ଦ୍ଦଶା ପ୍ରତ୍ୟକ୍ଷ ଦେଖୁଥିଲା । ଓଡ଼ିଆ ଲୋକଙ୍କ ଛାତିତଳର ବ୍ୟଥା-ବେଦନା ଅନୁଭବ କରୁଥିଲା । ଅଥଚ ଆଜିର ନାଟକରେ ସେ ପ୍ରାଣସ୍ପନ୍ଦନ କାହିଁଁ ? ଏହି ଅବକ୍ଷୟର କାରଣ ଖୋଜିବାକୁ  ଗଲାବେଳେ ଦୁଇଟି କଥା ସ୍ୱତଃ ମନକୁ ଆସେ । ସ୍ୱାଧୀନତାର ପୂର୍ବ ଓ ପରବର୍ତ୍ତୀ ସମୟରେ ଲେଖାଯାଇଥିବା ପୌରାଣିକ, ଐତିହାସିକ ଅବା ସାମାଜିକ ନାଟକଗୁଡ଼ିକର ମୂଳ ଲକ୍ଷ୍ୟଥିଲା, ସମାଜକୁ ସଚେତନ କରିବା ସହିତ ନିଜର ଜାତି ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ।

ଗୀତଗୋବିନ୍ଦର ସ୍ରଷ୍ଟା, ଭକ୍ତକବି ଜୟଦେବ, ମହାପ୍ରଭୁ ଶ୍ରୀଚୈତନ୍ୟ ଦେବଙ୍କୁ ଓଡ଼ିଆ ଜାତିର ସନ୍ତାନ ଭାବେ ପ୍ରମାଣିତ କରିବା, ଗୋଟିପୁଅ ନୃତ୍ୟର ପରିବର୍ତ୍ତିତ ରୂପକୁ ଓଡ଼ିଶୀ ନାମରେ ନାମିତ କରି, ନାଟକ ମାଧ୍ୟମରେ ପରିବେଷଣ କରିବା ଥିଲା ଅନେକ ଉଦ୍ୟମ ମଧ୍ୟରୁ କେତୋଟି ଉଦାହରଣ ମାତ୍ର । କିନ୍ତୁ ପରବର୍ତ୍ତୀ ସମୟରେ ନବନାଟ୍ୟ ଆନ୍ଦୋଳନ ଆଳରେ ଓଡ଼ିଆ ଜାତିର ଲକ୍ଷ୍ୟ ଓ ଆଦର୍ଶରୁ ବିଚ୍ୟୁତ ହୋଇ, ଆମର ଇଂରେଜ ଶିକ୍ଷାଧାରୀ ଲେଖକ ମାନେ ଇଂରାଜୀ ଭାଷା, ସାହିତ୍ୟର ଅନୁକରଣରେ ଯେଉଁ ସବୁ ନାଟକ ସୃଷ୍ଟିକଲେ, ତାକୁ ସାଧାରଣ ଦର୍ଶକ ତ ଦୂରର କଥା,  ଅନେକ ବୁଦ୍ଧିଜୀବୀ ମଧ୍ୟ ପସନ୍ଦ କଲେନାହିଁ ।

ବରଂ ଦୀର୍ଘ ତିରିଶ ବର୍ଷ ଧରି ଦେଶର ଏକମାତ୍ର ରାଜ୍ୟ ଓଡ଼ିଶାରେ ପ୍ରତ୍ୟହ ସନ୍ଧ୍ୟାରେ ନାଟକ ପରିବେଷଣ କରୁଥିବା ଚାରିଗୋଟି ପେଷାଦାର ରଙ୍ଗମଞ୍ଚର ଅକାଳ ମୃତ୍ୟୁ ହେଲା । ଅବଶ୍ୟ ବ୍ୟବସାୟିକ ରଙ୍ଗମଞ୍ଚ ନାଟ୍ୟ ଆନ୍ଦୋଳନ ଚଳାଏ ନାହିଁ । ନାଟ୍ୟ ଆନ୍ଦୋଳନକୁ ବଞ୍ଚାଇ ରଖନ୍ତି ସୌଖୀନ ନାଟ୍ୟ ସଂସ୍ଥାମାନେ । ନବନାଟ୍ୟ ଆନ୍ଦୋଳନର ଇତିହାସରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଗଢ଼ିଉଠିଥିବା ସୌଖୀନ ନାଟ୍ୟ ସଂସ୍ଥାମାନଙ୍କ ଭୂମିକା ସ୍ମରଣୀୟ । ପେଷାଦାର ରଙ୍ଗମଞ୍ଚର ବିଲୟ ପରେ, ଓଡ଼ିଆ ନାଟକ ଗତାନୁଗତିକତାରୁ ରକ୍ଷା ପାଇଲା ସତ, ହେଲେ ଆଧୁନିକତାର ଦ୍ୱାହି ଦେଇ ନିଜର ଲକ୍ଷ୍ୟ ଓ ଆଦର୍ଶରୁ ଦୂରେଇ ଯାଇ ପାଶ୍ଚାତ୍ୟ ନାଟକର ଆଦର୍ଶରେ ଓଡ଼ିଆ ନାଟକ ରଚିତ ହେଲା ଏବଂ ଓଡ଼ିଆ ଜାତିର ଇତିହାସ ରହିଗଲା ଅଳିଆଗଦା ତଳେ ।

ଏକଦା ଓଡ଼ିଆ ନାଟ୍ୟ ପରିବେଷଣର ପୁଣ୍ୟକ୍ଷେତ୍ର ଥିଲା କଟକ ଓ ପୁରୀ ସହର । ସେଠାରେ ଆଜି ନାଟକ ପରିବେଷଣ ସ୍ୱପ୍ନ ପ୍ରାୟ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଗଢ଼ିଉଠିଛି ଅସଂଖ୍ୟ ରଙ୍ଗମଞ୍ଚ । ଶତାଧିକ ନାଟ୍ୟକାର ପ୍ରତ୍ୟେକ ବର୍ଷ ଶହଶହ ନାଟକ / କ୍ଷୁଦ୍ରନାଟିକା  ରଚନା କରୁଛନ୍ତି । ଯାହାର ଆଭାସ ମିଳୁଛି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆୟୋଜିତ ହେଉଥିବା ନାଟକୋତ୍ସବ ମାନଙ୍କରୁ । ଗୁଣାତ୍ମକ ଦୃଷ୍ଟିକୋଣରୁ ତାହା ଯାହା ହେଉନା କାହିଁକି, ସଂଖ୍ୟାଦୃଷ୍ଟିରୁ ତାହା ବେଶ୍ ଆଶାଜନକ । କିନ୍ତୁ ଏକଥା ହୁଏତ ସମସ୍ତେ ସ୍ୱୀକାର କରିବେ, ଆଜି ନାଟକ ଗୋଟିଏ ପରିବେଷଣ କରିବା ସହଜସାଧ୍ୟ ନୁହେଁ । ସ୍ୱାଧୀନତାର ୫୯ବର୍ଷ ପରେ ବି ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ବାହାରକୁ ଦେଖିବା ପାଇଁ ଆମେସବୁ ସ୍ୱାଧୀନ, ହେଲେ ପ୍ରତ୍ୟେକ କ୍ଷେତ୍ରରେ ଆମେ ଅନ୍ୟ ଉପରେ ନିର୍ଭରଶୀଳ ।

ନାଟକ ପରିବେଷଣର ମୁଖ୍ୟସ୍ଥଳୀ ହେଲା ରଙ୍ଗମଞ୍ଚ । ନାଟ୍ୟକାର ନାଟକ ସୃଷ୍ଟିକରେ ସତ, ହେଲେ ତାକୁ ଜୀବନ୍ୟାସ ଦେବା ପାଇଁ ନିର୍ଦ୍ଦେଶନା, ମଞ୍ଚପ୍ରସ୍ତୁତି, ସଙ୍ଗୀତ, ଆଲୋକ, ମଞ୍ଚସଜ୍ଜା  ପ୍ରତ୍ୟେକ କ୍ଷେତ୍ରରେ ତାକୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼େ । ପ୍ରତ୍ୟେକ କ୍ଷେତ୍ରରେ ଦରକାର ହୁଏ ଅର୍ଥର ଆବଶ୍ୟକତା । ସମସ୍ତଙ୍କୁ ଏକତ୍ରିତ କରୁକରୁ ଅନେକ ସମୟରେ ବହୁ ପ୍ରତିଭାବାନ୍ ନାଟ୍ୟକାରମାନଙ୍କର ମାନସିକ ଶିଥିଳତା ଆସିଯାଏ । କ୍ରମଶଃ ସେମାନେ ନାଟକ ରଚନା କ୍ଷେତ୍ରରୁ ଦୂରେଇ ଯାଆନ୍ତି । କେତେଦିନ ବା’ ସେମାନେ ପରାଧିନତାର ଶୃଙ୍ଖଳ ମଧ୍ୟରେ ଆବଦ୍ଧହୋଇ ସଂସ୍କୃତିର ଜୟଗାନ କରିବେ? ନାଟକ ସମ୍ପର୍କରେ ପାଶ୍ଚାତ୍ୟ ସମାଲୋଚକ କହନ୍ତି- ଯଦି ରଙ୍ଗମଞ୍ଚ ଶିଥିଳ ହୋଇଯାଏ, ତାହାହେଲେ ଆମକୁ ଅନ୍ୟଦେଶର ଲୋକମାନେ ଚିହ୍ନିବେ କିପରି? (ସମଦୃଷ୍ଟି ୧-୧୫ ଅଗଷ୍ଟ ୨୦୦୬)

PHOTO CREDIT- https://www.google.com/search?biw=1366&bih=626&tbm=isch&sa=1&ei=K6IfXJmdLYPVwQKW77TQDA&q=natyachetana&oq=natyachetana&gs_l=img.3..0i10i24.65749.77626..79211…3.0..0.449.8563.4-20……0….1..gws-wiz-img…..0..0j0i24j0i67j0i10.wq3VroVqETo#imgrc=IQNBDd2yk5svJM:

About ମନମଥ ଶତପଥୀ

ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପୂର୍ବତନ ସମ୍ପାଦକ

Check Also

“ଯାତ୍ରା’ର ଯାତ୍ରା ଯଦି ସରିଯାଉଛି, ଯାଉ

୧୯୨୭ରୁ ରାସ ଅ ।ରମ୍ଭ କରିଛି । ୧୯୨୯ରେ ବ୍ୟବସାୟୀ ଭାବେ ସେ ପ୍ରଦର୍ଶନ କରି ଦଳ ଚଳାଇଛି ୧୯୩୮ …

Leave a Reply

Your email address will not be published. Required fields are marked *