Home / ଇତିହାସ / (ଅତୀତରୁ ପୋଷ୍ଟକାର୍ଡ) ହୀରାନାନୀ ଉପାଖ୍ୟାନ

(ଅତୀତରୁ ପୋଷ୍ଟକାର୍ଡ) ହୀରାନାନୀ ଉପାଖ୍ୟାନ

ଶ୍ରୀମତୀ ସୀତାଦେବୀ ଖାଡେଙ୍ଗାଙ୍କର ଆତ୍ମଜୀବନୀ ମୋର ଜୀବନ ସ୍ମୃତିରୁ ସଂଗୃହିତ

‘ଅତୀତରୁ ପୋଷ୍ଟକାର୍ଡ’ ସ୍ତମ୍ଭରେ ପ୍ରକାଶିତ ଏହି ଲେଖାଟି ଶୈଲେନ ରାଉତରାୟଙ୍କର ଏକ ସୃଜନାତ୍ମକ ସୃଷ୍ଟି । ଏହି ସ୍ତମ୍ଭରେ ଗତ କିଛି ବର୍ଷ ଧରି ସେ ‘ସମଦୃଷ୍ଟି’ ପାକ୍ଷିକ ପତ୍ରିକାରେ ଧାରାବାହିକ ଭାବରେ ଲେଖି ଆସୁଛନ୍ତି। ଓଡ଼ିଆ ଭାଷାରେ ପ୍ରକାଶିତ ଆତ୍ମଜୀବନୀଗୁଡ଼ିକୁ ଭିତ୍ତିପାଠ ଭାବରେ ଧରି ଓଡ଼ିଶାର ଜନଜୀବନର ସାମାଜିକ ଇତିହାସ ରଚନା ଦିଗରେ ଏହା ଏକ ପ୍ରଚେଷ୍ଟା  ଏହା ସହ ଏକ ନୂତନ ପ୍ରଜନ୍ମକୁ ଇତିହାସର ଅନେକ ଅଣଆଲୋଚିତ ଚରିତ୍ର ଓ ଘଟଣା ମାନଙ୍କ ସହିତ ପରିଚୟ କରାଇବା ତଥା ପୁରାତନ ପୁସ୍ତକମାନଙ୍କ ସହ ଭେଟ କରାଇ ତତ୍‌ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଅଧିକ ଜାଣିବାର ଆଗ୍ରହ ସୃଷ୍ଟି କରିବା ପାଇଁ ସେ ନିଜର ଉଦ୍ୟମ ଏହି ସ୍ତମ୍ଭ ଜରିଆରେ ଜାରୀ ରଖିଛନ୍ତି । ତାଙ୍କର ଏହି ଚେଷ୍ଟାକୁ ଆଗେଇ ନେବା ପାଇଁ ‘ଅତୀତରୁ ପୋଷ୍ଟକାର୍ଡ’ ସ୍ତମ୍ଭରେ ପୂର୍ବପ୍ରକାଶିତ ଲେଖାଗୁଡ଼ିକୁ ଆମେ ସମଧ୍ୱନି ପୃଷ୍ଠାରେ ସ୍ଥାନିତ କରିବାକୁ ଅନୁରୋଧ କରିଥିଲୁ। ତାଙ୍କର ସହାୟତାରେ ଏହି ଧାରାବାହିକ ଏବେ ସମଧ୍ୱନିରେ ଆପଣ ପଢ଼ିବାକୁ ପାଇବେ । – ସମ୍ପାଦକ

ବିଂଶ ଶତାବ୍ଦୀର ଆରମ୍ଭର କଥା ଇଏ। ପ୍ରସିଦ୍ଧ ଲେଖିକାସୀତାଦେବୀ ଖାଡ଼ଙ୍ଗା(୧୯୦୨–୧୯୮୩)ଙ୍କର ବାପ ଘର ଗଞ୍ଜାମ ଜିଲ୍ଲାର ଘୁମୁସର ତାଲୁକାର ଭଞ୍ଜନଗର ପାଖ ମନ୍ଦାର ବୋଲି ଗୋଟିଏ ଗାଁରେ । ବାପାଙ୍କ ନାମ ହରିହର ପଣ୍ଡା । ଜେଜେଙ୍କ ନାମ ବ୍ରଜସୁନ୍ଦର ପଣ୍ଡା । ବାପା ଗଞ୍ଜାମ ଜିଲ୍ଲାର ପ୍ରଥମ ଓଡ଼ିଆ ଓକିଲ । ବାପାଙ୍କର ଚାରୋଟି ଭଉଣୀ । ଗୋଟିଏ ବଡ଼ ଭଉଣୀଙ୍କର ନାଁ ହେଲା ହୀରା। ସେ ବୟସରେ ହରିହରଙ୍କ ଠାରୁ ପ୍ରାୟ ଦଶ ବରଷ ବଡ଼ । ବାହା ହୋଇଥିଲେ ଆସିକା ପାଖରେ ଗୋଟିଏ ଗାଁରେ – ଗାଁର ନାମ ନଳବଣ୍ଟା । ହୀରା ପିଉସୀଙ୍କର ସ୍ୱାମୀଙ୍କୁ ମାତ୍ର ବତିଶ ବର୍ଷ ହୋଇଥିବା ସମୟରେ ସେ ମୃତ୍ୟୁମୁଖରେ ପଡ଼ିଲେ । ପିଉସା ଗରୀବ ଧାନ ବେପାରୀ ଥିଲେ । ଆସିକା ଅଞ୍ଚଳରୁ ଧାନ ଦୁଇ ଶଗଡ଼ି କିଣି ଆଣି ବ୍ରହ୍ମପୁର ସହରରେ ବିକ୍ରୀବଟା କରନ୍ତି । ଶଗଡ଼ି ପିଛା ହେଇ ହେଇ ଟଙ୍କା ପାଞ୍ଚ ସାତ ଲାଭ ହେଉଥିବ । ଦିନେ ଏକ ସନ୍ଧ୍ୟାରେ ପିଉସା ନଳବଣ୍ଟାରୁ ଧାନ ଧରି ବାହାରନ୍ତି । ଗନ୍ତବ୍ୟ ସ୍ଥଳ ବ୍ରହ୍ମପୁରରେ ତାହା ପରଦିନ ସନ୍ଧ୍ୟାରେ ପହଞ୍ଚିବା କଥା । ରାସ୍ତାରେ ବ୍ରହ୍ମପୁର ପାଖରେ ଶଗଡ଼ ରଖି ପାଖ କୌଣସି ଏକ କୂଅରୁ ପାଣି ଆଣି ରୋଷେଇ କରି ଖାଆନ୍ତି । ସେଇଠାରୁ ହିଁ ହଇଜା ଆକ୍ରମଣ କରେ । ଶଗଡ଼ିଆମାନେ ସେଇ ଧାନ ଶଗଡ଼ ଉପରେ ଶବକୁ ଶୁଆଇ ଦେଇ ଆଣି ନଳବଣ୍ଟାରେ, ଘରେ, ଛାଡ଼ି ଦେଇଗଲେ ।

ହୀରା ପିଉସୀ କଞ୍ଚା ବୟସରେ ବିଧବା ହେଲେ । ସେତେବେଳେ କୋଳରେ ଥିଲେ ଦୁଇଟି ପୁଅ । ଦୁହେଁ ଯାକ ଭାରି ସୁନ୍ଦର । ସାନ ପୁଅର ନାଁ ବତ୍ସ । ସୀତାଦେବୀ ପିଲା ହୋଇଥିଲା ବେଳେ ସେ କଲେରାରେ ପାଞ୍ଚଛଅ ବର୍ଷ ବୟସରେ ଆରପାରିକୁ ଚାଲିଗଲା । ପିଉସୀଙ୍କର ବଡ଼ପୁଅଙ୍କର ନାଁ ଆକୁଳି । ଲମ୍ବା ଓ ପତଳା ଦେହ । ଲମ୍ବୁଆଳିଆ, ଗୋରା ମୁଁହ, ଚଉଡ଼ା କପାଳ, କଳାଘୁମର ଆଖି – ଦେଖିବାକୁ ଅତି ସୁନ୍ଦର । ହୀରା ପିଉସୀ କୁହନ୍ତି ଯେ, ପିଉସା ଅଧିକ ସୁନ୍ଦର ଥିଲେ । ସୀତାଦେବୀ ନିଜେ କୁହନ୍ତି ଯେ ହୀରାନାନୀ ମଧ୍ୟ ଦେଖିବାକୁ ଥିଲେ ଅତି ସୁନ୍ଦରୀ । ଏପରି ମା ଓ ବାପାଙ୍କର ସନ୍ତାନ ତ ସୁନ୍ଦର ହେବା ସ୍ୱାଭାବିକ ।

ସୀତାଦେବୀଙ୍କର ବାପା ହରିହର ପଣ୍ଡାଙ୍କର କାର୍ଯ୍ୟାବଳୀ ଯୋଗୁଁ ‘ମନ୍ଦାର ପଣ୍ଡା ଘର’ର ଖଣ୍ଡମଣ୍ଡଳରେ ନାଁଡାକ ଥିଲା । ଶ୍ରାଦ୍ଧ, ବ୍ରତଘର, ବାହାଘରରେ ହଜାର ହଜାର ବ୍ରାହ୍ମଣଙ୍କ ଭୋଜନ ହେଉଥିଲା । ମାତ୍ର ଏପରି ପ୍ରତିପତ୍ତିଶାଳୀ ପରିବାରର ଝିଅ ହୋଇ ମଧ୍ୟ ତାଙ୍କୁ ବାପ ଘରେ ଭରଣେ ଧାନ କିମ୍ବା ଟଙ୍କା ଶହେଟି ମଧ୍ୟ କେହି ଦେଉ ନଥିଲେ । ଶାଶୁଘରେ ଦେଢ଼ଶୁର ଓ ବଡ଼ ଯାଆ । ଦୁହେଁ ଧାନ ମୁଗ ବେପାର କରି ପେଟ ପୋଷନ୍ତି । ହୀରା ନାନୀ ଛଅ ମାସ ଶାଶୁ ଘରେ ରହିଲେ, ବରଷେ ଦୁଇ ବରଷ ଆସି ବାପଘରେ ମନ୍ଦାରରେ ରହନ୍ତି । ହୀରା ନାନୀ ଓ ତାଙ୍କର ଅନ୍ୟ ଭଉଣୀମାନଙ୍କୁ ତାଙ୍କ ବାପା ଗରୀବ ଘରମାନଙ୍କରେ ବିଭା ଦେଇଥିଲେ । ପିଉସାମାନେ ଆସି ଶଶୁର ଘରେ ରାନ୍ଧୁଣିଆ କାମ କରୁଥିଲେ ନହେଲେ ଚାଷକାମରେ ସାହାଯ୍ୟ କରୁଥିଲେ । ବହୁତ ହିନିମାନିଆ ଜୀବନ ଥିଲା ପିଉସୀ ଓ ପିଉସାମାନଙ୍କର ।

ଭାତ ଖଣ୍ଡିଏ ଖାଇବା ଆଶାରେ ହୀରା ମାଉସୀ ଆସି ବାପ ଘରେ ପଡ଼ି ଥାଆନ୍ତି । ହରିହର ଓ ସୀତା ଦେବୀ – ଭାଇ ଭଉଣୀ – କେବେ ଦୁଇ ପଦ କଥା ହେବାର ସୀତାଦେବୀ ଦେଖି ନାହାନ୍ତି । ଜଣକୁ ଅଧିକା ଖାଇବାକୁ ଦେବାକୁ ପଡ଼ିବ ବୋଲି ଘରେ ଅନେକ ବିରକ୍ତି । ଆକୁଳି ପ୍ରାୟ ନିଜ ଗାଁରୁ ବେପାର ଉଦ୍ଦେଶ୍ୟରେ ଯିବା ବାଟରେ ମାମୁଁଘର ଦେଇ ଯାଆନ୍ତି । ବାଟକୁ ତାଙ୍କ ମା ହୀରାଦେବୀ ଚାହିଁ ବସି ଥାଆନ୍ତି । ସୀତା ଦେବୀଙ୍କର ମାଆ ଆକୁଳି ସହିତ କଥାବାରତା କରନ୍ତି । ମାତ୍ର ଖାଇବା ସମୟରେ ଭଣଜା ଆସି ପହଞ୍ଚିଗଲେ ଅକଳିଆ ପରିସ୍ଥିତି ସୃଷ୍ଟି ହୁଏ । ପିଉସୀ ନାନୀ ରୋଷେଇ ଘର ଦୁଆର ପାଖକୁ ଯାଇ ପୁଅ ପାଇଁ ଭାତ ଡାଲି ଦିଓଟି ଲାଗି ନାନା ଆକୁତି ହୁଅନ୍ତି । ରୋଷେଇଘର ପାଖ ଗୋଟିଏ ଛୋଟ ମଳିକୁଟିଆ ଘରେ ହୀରା ନାନୀ ଓ ପରିବାରର ଅନ୍ୟାନ୍ୟ ମହିଳା ଅତିଥିମାନେ ରହନ୍ତି । ଘରଟାରେ ବାସନକୁସନ, ଶାଗଶବଜି, ଆମ୍ବୁଲ ଆଚାର ଇତ୍ୟାଦି ଭରତି । ହୀରା ନାନୀ ଆଦି ସେଇ ଅଣଚଉଡ଼ା ଗୋଦାମଘରଟିରେ ଜାକିଜୁକି ହୋଇ କରମ ସମ୍ଭାଳି ରହନ୍ତି ।

ବେଳେବେଳେ ଆକୁଳି ଆସନ୍ତି ସନ୍ଧ୍ୟାବେଳେ । ମା ହୀରାନାନୀ ଭାତ ଡାଲି ଦିଓଟି ବାଢ଼ି ଦେଲେ ରାନ୍ଧୁଣିଆ ଟୋକାଟି ଠାରୁ ନାନା ହୀନିମାନିଆ କଥା ଶୁଣିବାକୁ ପଡ଼େ । ଯେତେଥର ଆକୁଳି ମାମୁଁ ଘରକୁ ରନ୍ଧାବଢ଼ା ସମୟରେ ଆସନ୍ତି ସବୁବେଳେ ସେଇ ଏକା ପରିସ୍ଥିତି ସୃଷ୍ଟି ହୁଏ । ଶେଷକୁ ସିଏ ମଧ୍ୟ ନିଜ ବାପାଙ୍କ ପରି ଅକାଳରେ ହଇଜାରେ ଧାନ ଶଗଡ଼ ପାଖରେ ଚାଲିଗଲେ । ହେଲେ ଏ ସବୁ ସତ୍ତ୍ୱେ ହୀରାନାନୀ କେବେ ମଧ୍ୟ ନିଜ ଭାଇ ବିଷୟରେ ପଦେ ନିନ୍ଦା କରି କହିବାର ସୀତା ଦେବୀ ଶୁଣି ନ ଥିଲେ । ଏପରି ଥିଲା ସେ ସମୟରେ ଗରୀବ, ବିଧବା ବ୍ରାହ୍ମଣୀମାନଙ୍କର ଜୀବନ – ବାପଘର ଯେତେ ବଡ଼ଲୋକ ହୋଇଥାଆନ୍ତୁ ନା କାହିଁକି ।

ବି.ଦ୍ର. – ଏହି ଲେଖାଟିରେ ବ୍ୟବହୃତ ଉପାଦାନ ସୀତାଦେବୀ ଖାଡ଼ଙ୍ଗାଙ୍କର ଆତ୍ମଜୀବନୀ ‘ମୋର ଜୀବନ ସ୍ମୃତି’ର ଭୁବନେଶ୍ୱରସ୍ଥ ଲାର୍କ ବୁକ୍ସ୍‌ଙ୍କ ଦ୍ୱାରା ୨୦୦୨ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ସଙ୍ଗୃହିତ । ବହିଟିର ପ୍ରଥମ ସ‌ଂସ୍କରଣ ୧୯୭୮ ମସିହାରେ ଛପା ହୋଇଥିଲା ।

(ସୌଜନ୍ୟ – ସମଦୃଷ୍ଟି)

About ଶୈଲେନ ରାଉତରାୟ

ଗବେଷକ, ଲେଖକ

Check Also

ଶ୍ରୀକ୍ଷେତ୍ର – ପୁରୁଷୋତ୍ତମ ଓ ଜଗନ୍ନାଥ

ଜଗନ୍ନାଥ ତତ୍ତ୍ୱର ଏକ ସମ୍ପ୍ରସାରିତ ଅତୀତ ଅଛି । ଏହି ଅତୀତ ଚର୍ଚ୍ଚାର ଏକ ବଳିଷ୍ଠ ଦିଗ ହେଉଛି ଜଗନ୍ନାଥ …

Leave a Reply

Your email address will not be published. Required fields are marked *