Home / ସାହିତ୍ୟ / ଗଳ୍ପ / ଅଗଣିଙ୍କ ଶୋକ

ଅଗଣିଙ୍କ ଶୋକ

A2FP81 Rare studio photograph of Mahatma Gandhi taken in London England UK at the request of Lord Irwin 1931

ଅଗଣି ରାସ୍ତାକଡ ଖୁଣ୍ଟରୁ ଫଳକଟି ଓହ୍ଲାଇ ଦେଲେ ।

‘ମହାତ୍ମା ଗାନ୍ଧୀ ମାର୍ଗ’ ଫଳକ ଜାଗାରେ ଲାଗିଲା ‘ଇନ୍ଦିରା ଗାନ୍ଧୀ ମାର୍ଗ’ ।

ଦିନ ମଜୁରିଆ ଅଗଣିଙ୍କ ଆଖିରୁ ବୋହି ପଡିଲା ଦୁଇଟୋପା ଅଶ୍ରୁ ।

‘ବେଚାରା ଗାନ୍ଧୀ’!

ରାସ୍ତାକଡ କରଂଜ ଗଛ ତଳେ ସେ ବସିଗଲେ, ଝାଳ ମାରିବାକୁ ।

‘ଭୁଲ ହୋଇଗଲା ବୋଧେ ।’

ଯେଉଁ ହାତ କଂଗ୍ରେସୀ ପତାକା ଧରି ‘ମହାତ୍ମା ଗାନ୍ଧୀକି ଜୟ’,  ‘ଭାରତମାତାକି ଜୟ’ ସ୍ଲୋଗାନ ଦେଇ ଯାଉଥିଲା, ପଟୁଆର ଭିତରେ ସ୍ପର୍ଦ୍ଧିତ ଭାବରେ କୁଦି କୁଦି ଯାଉଥିଲା, ସେହି ହାତ ଆଜି…

ନା, ବାସ୍ତବିକ ଭୁଲ ହୋଇଗଲା ।

ଅଗଣି ଗ୍ଳାନିଗ୍ରସ୍ତ ହୋଇ ପଡିଲେ ।

ବ୍ରିଟିଶ ଅମଳରେ ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଫାଶି ଦେଉଥିବା ଜହ୍ଲାଦ ଓ ତାଙ୍କ ଭିତରେ ଫରକ କ’ଣ ରହିଲା?

କିନ୍ତୁ କ’ଣ କରି ପାରିଥାନ୍ତେ ସେ?

ଆଜି କାମକୁ ନ ଆସିଥିଲେ ଭାଇଙ୍କ ବେମାର ପାଇଁ ପଇସା କେଉଁଠି ପାଇଥାନ୍ତେ ?

ପୁଅ ଆତ୍ମହତ୍ୟା କରିବା ପରଠାରୁ ଭାଇ ତାଙ୍କରି ପାଖରେ । ନିର୍ବାକ, ଶୀତଳ ଆଖି, ଜୀର୍ଣ୍ଣଶୀର୍ଣ୍ଣ ଚେହେରା ଦେଖିଲେ କିଏ ବା ବିଶ୍ୱାସ କରିବ ଯେ ଭାଇ ଦିନେ ଥିଲେ ତାଙ୍କ ଅଂଚଳର ସବୁ ଅସହାୟଙ୍କ ଆଶାର କେନ୍ଦ୍ର ବିନ୍ଦୁ ? କାହାରିକୁ ମନା ନାହିଁ ।

‘ଅମାର ଖୋଲି ଦେ, ବିକି ଭାଂଗି ଦେଇ ଦେ, ଏମାନେ ତ ମୋରି ଲୋକ, ଆଉ ଆମେ ସବୁ ଗାନ୍ଧୀର ଲୋକ । ବ୍ରିଟିଶ ଶାସନ ଚାଲିଗଲେ ଦେଖିବୁରେ ଅଗଣି, ସବୁ ଠିକ ହୋଇଯିବ । ଏ’ ଦାରିଦ୍ର‌୍ୟ କୁଆଡେ ଚାଲିଯିବା ଆମେ ସମସ୍ତେ ଘିଅ ମହୁରେ ଭାସିବାରେ। ବ୍ୟସ୍ତ କାହିଁକି?’ ସବୁ ଦେଇଦେଲେ । ସବୁ ବାଣ୍ଟି ଦେଲେ ।’

ଭାରତ ଯେଉଁଦିନ ସ୍ୱାଧୀନ ହେଲା, କି ଉଦ୍ଦୀପନା ସେ ଦିନ ତାଙ୍କ ମନରେ । ଘରୁ ଘର ବୋଲି ଗାଁ ସାରା ବୁଲିଗଲେ ।

‘ବୁଝିଲରେ, ଏବେ ଦୁର୍ଦ୍ଦିନ ସରିଲା । ତମରି ଲୋକ ତୁମକୁ ଶାସନ କରିବେ । ଏଇ ଭଗିଆ ଯିବ ତୁମର ପ୍ରତିନିଧି ହୋଇ । ଆସନରେ ବସିବ । ବ୍ରିଟିଶ ସାଇବ ପାଖକୁ ଯିବା ଭଳି ସଂକୋଚ ତୁମର ଆଉ ରହିବ ନାହିଁ । ଭଗିଆକୁ ତୁମ ଗାଁ କଥା କହିବ । ଗାଁର ଅସୁବିଧା କଥା କହିବ । ତା’ କାନକୁ ଧରି ଦାବି କରିବ ସୁବିଧା ପାଇଁ । ଭଗିଆ କରିବ ।’ କହି, ଭଗିଆ କାନଟାକୁ ଧରି ପକାଇଥିଲେ ସେ ଦିନ ।

ସେ ଦିନର ଭଗିଆ ଆଜି ମନ୍ତ୍ରୀ, ମାନ୍ୟବର ଭଗବାନ ରାଏ ।

କିନ୍ତୁ ଭାଇଙ୍କର ସୁଖ ବେଶୀ ଦିନ ଗଲା ନାହିଁ । ମହାତ୍ମା ଗାନ୍ଧୀଙ୍କର ହତ୍ୟା ତାଙ୍କ ପାଇଁ ଥିଲା ଏକ ନିର୍ଘାତ ଆଘାତ ।

କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇ ଯାଇଥିଲେ ।

ଜବାହରଙ୍କର ଭାଷଣ ଶୁଣିବା ପାଇଁ ଯେତେବେଳେ ଗାଁ ମୁଣ୍ଡରେ ଗୋଟିଏ ରେଡ଼ିଓ ପାଖରେ ଗାଁ ସାରା ଲୋକ ଗଦା ହୋଇଥାନ୍ତି, ସେତେବେଳେ ଭାଇ ଚେତାଶୂନ୍ୟ ହୋଇ ପଡ଼ିଥାନ୍ତି ଘରେ । ପାଖରେ ବସିଥାନ୍ତି ଅଗଣି । ପଡ଼ିଆ ଡେଇଁ ଭାସି ଆସୁଥାଏ ଜବାହରଙ୍କର ରୁଦ୍ଧକଣ୍ଠ ସ୍ୱର –

‘ଆଲୋକ ବର୍ତ୍ତିକାଟି ଆଜି ଆମ ଭିତରୁ ଚାଲିଗଲା ।’

ଚେତା ଫେରୁ ଫେରୁ ପାହାନ୍ତା ହୋଇଗଲା ।

ସେହିଦିନ ଠାରୁ ଯେପରି ସବୁ ଆଶା ଓ ଉଦ୍ଦୀପନା ସରି ଯାଇଥିଲା ତାଙ୍କର ।

ଯାହା  ବ୍ରିଟିଶ, ତା’ ଶାସନ କାଳରେ କରିପାରି ନଥିଲା – ସ୍ୱାଧୀନ ଭାରତରେ ତାହା ହୋଇଗଲା ।

‘ଯେଉଁ ଦେଶରେ ଜାତିର ପିତାଙ୍କୁ ହତ୍ୟା କରାଯାଇପାରେ – ସେ ଦେଶର ଆଉ ଭବିଷ୍ୟତ କ’ଣରେ ଅଗଣି’ – କହି ବହୁବାର ଦୀର୍ଘଶ୍ୱାସ ଛାଡ଼ିଛନ୍ତି ଭାଇ ।

ଆଉ ଯେଉଁଦିନ ତାଙ୍କର ଏକମାତ୍ର ପୁଅଟି ଚାକିରି ପାଇଁ ବାର ଦୁଆର ଶୁଣ୍ଡି ପିଣ୍ଡା ବୁଲି ତାଙ୍କୁ ଆସି ପଇସା ମାଗିଲା- କିଳା ପୋତେଇ ନ ଦେଲେ ଚାକିରି ମିଳିବ ନାହିଁ – ସେ ଦିନ ସେ ନିର୍ବାକ ହୋଇଯାଇଥିଲେ । କହିଥିଲେ -ପଇସା କେଉଁଠୁ ଆଣିବି?  ଭଗିଆ ମନ୍ତ୍ରୀ ହୋଇଛି ତାକୁ ଯାଇ କହୁନୁ ।

ମାନ୍ୟବର ଭଗବାନ ରାଏଙ୍କ ପାଖକୁ ଚିଠି ଲେଖି ପୁଅ ହାତକୁ ବଢ଼ାଇ ଦେଇଥିଲେ । ପୁଅ ସେ ଚିଠିଟିକୁ ଟୁକୁରା ଟୁକୁରା କରି ଫୋପାଡ଼ି ଦେଲା ତାଙ୍କର ଉପରକୁ ।

ଭାଇ ବୁଝିପାରିଥିଲେ ପୁଅର ପ୍ରତିକ୍ରିୟା । ଶାସକର ଚମଡ଼ାର ରଙ୍ଗ ବଦଳି ଯାଇଛି କେବଳ । ଭଲ ହୋଇଛି ଗାନ୍ଧୀ                 ଚାଲିଯାଇଛନ୍ତି – ଏ ଦଶା ଦେଖିବାକୁ ରହି ନାହାନ୍ତି । ଏ’ତ ଗାନ୍ଧୀର ଭାରତ ନୁହେଁ ।

କିନ୍ତୁ ପୁଅଟି ଆତ୍ମହତ୍ୟା କରିଦେଲା । ସେହିଦିନଠାରୁ ଭାଇଙ୍କର ଆଖିରେ ଯେପରି ହିମାଳୟର ଶୀତଳତା ।

-୨-

ଫଳକ ଓହ୍ଳାଇ ଦେବାର ନିଷ୍ପତ୍ତି ଅଗଣିଙ୍କର ନୁହେଁ । ସେ ନିମିତ୍ତ ମାତ୍ର । ଗାନ୍ଧୀ ସ୍ୱପ୍ନର ଭାରତ ଯେତେବେଳେ ଆଜି ସମ୍ଭବ ନୁହେଁ – ସେତେବେଳେ ଏହି ନିତିଦିନିଆ ପଟୁଆର ମାର୍ଗରେ ମହାତ୍ମା ଗାନ୍ଧୀର ଫଳକ ରଖି ଶାସକର ଅସଫଳତାକୁ ମନେ ପକାଇ ଦେବା କାହିଁକି? ‘ଆ ବଳଦ ମୋତେ ବିନ୍ଧ’ ?

ଅଗଣି ଢୋଳାଇ ପଡ଼ିଲେ ।

ସ୍ୱପ୍ନ ଦେଖିଲେ ଅଗଣି । ଜବାହରଙ୍କ କୋପମୂର୍ତ୍ତି । ସାମାନ୍ୟ ଦୂରରେ ବସିଛନ୍ତି ଇନ୍ଦିରା ମୁଣ୍ଡା ନୁଆଇଁ, ଜବାହାରଙ୍କ ମୁହଁରୁ ଅବାରିତ ବାହାରି ଚାଲିଛି- ‘ଅତ୍ୟନ୍ତ ଲଜ୍ଜାର ବିଷୟ , ସବୁ ଥିରେ ଗୋଟାଏ ସୀମା ଅଛି । ଶେଷକୁ ବାପୁଙ୍କ ନାମରେ ନାମିତ ରାସ୍ତାକୁ ତୋ ନାମରେ ବଦଳାଗଲା । ଗଣତନ୍ତ୍ର ପରା ଚାଲିଛି ମୋ ଦେଶରେ । କି ଧାରଣା ହେଉଥିବ ଜନ ମାନସରେ । ମାଡ଼ି ମକଚି ଇତିହାସକୁ ବଦଳା ଯାଇ ପାରେନା । ତୋର ପିଲାଦିନେ ମୁଁ ତୋତେ ଇତିହାସ ସମ୍ପର୍କରେ ଅନେକ କଥା ଚିଠିରେ ଲେଖିଛି । ଇତିହାସର ନିଜସ୍ୱ ସ୍ରୋତ ରହିଛି । ପ୍ରବାହ ରହିଛି । ତା’ ଭିତରେ ସତଟା କେବେ ଲୁଚିଯିବ ନାହିଁ ।’

ଇନ୍ଦିରା ଲଜ୍ଜିତ ହେଉଥିଲେ । ବାପା ବୁଝିପାରୁନାହାନ୍ତି ଯେ, ତାଙ୍କ ଅକ୍ତିଆରରେ ଆଉ କିଛି ନାହିଁ । କିନ୍ତୁ ଜବାହରଙ୍କର କୋପ ସେ ଜାଣନ୍ତି । ତେଣୁ ସମାଧାନ କେବଳ ଗାନ୍ଧୀ ।

‘ବାପୁ’! ତାଙ୍କର ଆଖି ଫିଟିଯାଏ । ସାମାନାରେ ଇନ୍ଦିରା ତାଙ୍କ ପ୍ରିୟ ଇନ୍ଦୁ ।

‘କଣ’ ମା?’ ଗାନ୍ଧୀ ବସିବାକୁ  ନିର୍ଦ୍ଦେଶ ଦେଇ ପଚାରନ୍ତି ।

‘ବାପୁ, ବଡ଼ ଅସୁବିଧାରେ ମୁଁ ପଡ଼ିଯାଇଛି । ଆଜି ସକାଳୁ ବାପା ମୋ ଉପରେ ଭୀଷଣ ରାଗିଛନ୍ତି । କ଼ିନ୍ତୁ ମୋ’ର  ତ ସେଥିରେ କିଛି କରିବାର ନାହିିଁ ।

“କିନ୍ତୁ ଘଟଣାଟି କ’ଣ?”

‘ମୋତେ ଲଜ୍ଜା ଲାଗୁଛି କହିବାକୁ ।’

‘ତେବେ କହିବୁ ତ!’

‘ଆମ ଦେଶରେ ଏକ ପ୍ରଶସ୍ତ ସଡ଼କ ଯାହା ଏଯାବତ୍ ଆପଣଙ୍କ ନାମରେ ନାମିତ ହୋଇଥିଲା, ତାହାକୁ ବଦଳାଇ ମୋ’ ନାମରେ କରାଯାଇଛି ।’

‘ଓଃ , ଏହି କଥା । ଏଥିପାଇଁ ଜବାହର ତୋ ଉପରେ ଖପ୍ପା? ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଖର୍ବ କରି ଦେଇଛନ୍ତି ତା ଦେଶବାସୀ – ଏହି ଅଭିଯୋଗ ଜବାହରର … ନୁହେଁ?’  କହି ହାଃ, ହାଃ ହୋଇ ହସିବାକୁ ଲାଗିଲେ ଗାନ୍ଧୀ ।  ‘କିନ୍ତୁ ଏଥିରେ ତୋ’ର କ’ଣ କରିବାର ଅଛି । ଆରେ ପ୍ରାପ୍ତିର ଆଶା ଯେତେ ଦିନ ଥିବ, ଆମେ ଥିବୁ । ଯେଉଁ ଦିନ ଆମଠାରୁ ଅଧିକ କିଏ ଦେଇ ପାରିବାର ପ୍ରତିଶୃତି ଦେବ, ଆମେ ବାଦ ପଡ଼ିବୁ । ଏ’ତ ସହଜ ଓ ସରଳ କଥା । ଏଥିରେ ବ୍ୟସ୍ତ ହେବାର କ’ଣ ଅଛି?’ ଗାନ୍ଧୀ ଅରଟ ଚଳାଇବାକୁ ଲାଗିଲେ ।

‘ବାପାଙ୍କର ସ୍ୱରରେ ଯେପରି ମୋ ପ୍ରତି ଆକ୍ଷେପ ।’-ଇନ୍ଦିରା କହିଲେ ।

‘ତୁ ଯାଇ ଜବାହାରକୁ କହ ଯେ, ମୁଁ ଖୁସି ସରକାରଙ୍କର ଏ ଭଳି ନିଷ୍ପତ୍ତିରେ । ପ୍ରଶସ୍ତ ରାଜପଥ, ଚାରିପଟେ ବିରାଟ ବିରାଟ କୋଠା, ପାର୍କ ହୋଟେଲ ଆଉ ପାଣିର ଫୁଆରା ; ତା ପାଖରେ ଗାଟିଏ ଫଳକରେ ଝୁଲିବାକୁ ମୋର ଆଦୌ ଇଚ୍ଛା ନାହିଁ । ମୋ’ର ତ ଇଚ୍ଛା ସେହି ନାଳ ନର୍ଦ୍ଦମା ପାଖରେ ସହରତଳି ଲୋକଙ୍କ ଭିତରେ ରହିବାକୁ । ଯଦି ତୁ କିଛି କରିପାରୁ – ମୋର ସେହି ଫଳକଟିକୁ ନେଇ ସହରତଳି ବସ୍ତିରେ ଲଗାଇବାର ବ୍ୟବସ୍ଥା କର । ସରକାରଙ୍କୁ କହ ଯେ, ସେଗୁଡ଼ିକୁ ଭାଙ୍ଗି ଯେପରି ସେମାନଙ୍କୁ ଗୃହହୀନ ନ କରୁ । ମଣିଷ ଜୀବନଟା ଗୋଲାପ ଠାରୁ ଅଧିକ ମୂଲ୍ୟବାନ । ତାଙ୍କୁ ସଜାଡ଼ିଲେ ସେ ଅସଂଖ୍ୟ ଗୋଲାପର ସୁଗନ୍ଧ ଦେବ ।’

ଇନ୍ଦିରା ଲଜ୍ଜିତ ହେଉଥିଲେ । କିନ୍ତୁ ସେ କ’ଣ ଆଉ କିଛି କରିପାରିବେ?

-୩-

ଅଗଣିଙ୍କ ନିଦ ହଠାତ୍  ଭାଙ୍ଗିଗଲା ,ଏକ ଭୟଙ୍କର ଶବ୍ଦରେ ।

ସାମନାରେ ତାଙ୍କ ବସ୍ତିର ଦଳେ ଯୁବକ ରାସ୍ତା କଡ଼ରେ  ଗୁମୁଟି ଦୋକାନ ଉପରେ ନିର୍ଘାତ ପ୍ରହାର କରୁଥିଲେ ଓ ଏକ ଜାନ୍ତବ ଉଲ୍ଲାସରେ ଡେଉଁଥିଲେ । ମ୍ୟୁନିସିପାଲିଟି ବାବୁ ରାସ୍ତା କଡ଼ରୁ ଦେଉଥିଲେ ନିର୍ଦ୍ଦେଶ । ଘର ଭଙ୍ଗା ଅଭିଯାନ ପରା! ମନେ ପଡ଼ିଲା, ଅଗଣିଙ୍କର ତାଙ୍କ ବସ୍ତିକୁ ମ୍ୟୁନିସିପାଲିଟିର ନୋଟିସ୍!

ଭାଇଙ୍କି ଧରି ସେ ପୁଣି କେଉଁଠିକି ଯିବେ?

ଦୀର୍ଘଶ୍ୱାସ ଛାଡ଼ିଲେ ଅଗଣି ।

(ସୈାଜନ୍ୟ: ପ୍ରଗତିବାଦୀ, ୯/୧୦/୧୯୮୮)

 

 

PHOTO CREDIT- Laxmidhar Murmu

 

https://www.google.com/search?biw=1366&bih=631&tbm=isch&sa=1&ei=ujskXd24Lvbbz7sPxfyqyAI&q=neheru+and+indira&oq=neheru+and+indira&gs_l=img.3…190159.198303..198898…0.0..1.1667.4640.0j6j6-1j1j1……0….1..gws-wiz-img.3MYOjzlQ56c#imgrc=_

 

https://www.google.com/search?biw=1366&bih=631&tbm=isch&sa=1&ei=hTwkXbujKY6YvQSbtKPIBQ&q=gandhi+and+nehru&oq=gandhi+an&gs_l=img.3.1.0l10.34290.39763..42635…0.0..0.339.2483.0j12j1j1……0….1..gws-wiz-img…..0..0i67.Ongo9G1_pc0#imgrc=c_x4CGV0XtUxVM:

https://www.google.com/search?biw=1366&bih=631&tbm=isch&sa=1&ei=az0kXaWGK8njvAScgrnwDw&q=mahatma+gandi+and+indira&oq=mahatma+gandi+and+indira&gs_l=img.3…141226.152023..152633…0.0..0.194.2542.0j15……0….1..gws-wiz-img…….0i7i5i30j0i8i7i30.DrS0AufWNZw#imgrc=HntRk1UxYSV6_M:

 

About ପ୍ରଫେସର ବୀରେନ୍ଦ୍ର ନାୟକ

ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ

Check Also

ଗାନ୍ଧୀ

ଶେଷ ବସ୍ ଟି ବି ଚାଲିଗଲା । ଗୋଟିଏ ପରେ ଗୋଟିଏ ଚାରିଗୋଟି ବସ୍ ଚଢ଼ିବାରେ ଅକୃତକାର୍ଯ୍ୟ ହୋଇ ସ୍ୱାଧୀନତା …

Leave a Reply

Your email address will not be published. Required fields are marked *